ସାଆନ୍ତିଆ ଔଦ୍ଧତ୍ୟ

ପୁଲିସର ସନ୍ଦିଗ୍ଧ କାରବାର ଯୋଗୁ କୁନ୍ଦୁଲି ଘଟଣା ନେଇ ତାତି ଥମିବାର ନାମ ନେଉନାହିଁ। ଆତ୍ମହତ୍ୟା କରିଥିବା ସ୍ୱର୍ଗତା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ରାଜନୈତିକ, ଅଣ-ରାଜନୈତିକ-ସାମାଜିକ ସଂଗଠନ ଏବେ ବି ରାସ୍ତାରେ। ଫଳରେ ଅଶାନ୍ତି, ଉତ୍ତେଜନା ଲାଗି ରହି ଅନେକ ସମୟରେ, ବହୁ ସ୍ଥାନରେ ଆଇନ-ଶୃଙ୍ଖଳା ବିପନ୍ନ ହେଉଛି। ଏତିକି ଯେମିତି ଯଥେଷ୍ଟ ନଥିଲା, ଏବେ ଆଉ ଏକ ଖାକି କାରନାମା ଅଶାନ୍ତି ଓ ଉତ୍ତେଜନାର ନିଆଁରେ ଘିଅ ଢାଳି ନୂଆ ଆଇନ-ଶୃଙ୍ଖଳା ସମସ୍ୟା ସୃଷ୍ଟି କରିଛି। ସମ୍ବଲପୁର ଅଇଁଠାପାଲି ଥାନା ହାଜତରେ ଜଣେ ଅଭିଯୁକ୍ତ ଆଦିବାସୀ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ କେନ୍ଦ୍ର କରି ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ଘଟି ଶୁକ୍ରବାର ଗୁରୁତର ପରିସ୍ଥିତି ଦେଖା ଦେଇଥିଲା। ବର୍ତ୍ତମାନ ବି ପରିସ୍ଥିତି ସ୍ୱାଭାବିକତା ଠାରୁ ଦୂରରେ।

ଆଇନର ରକ୍ଷକମାନେ ଯେତେବେଳେ ଆଇନ ଓ ନିୟମ ଦ୍ୱାରା ଧାର୍ଯ୍ୟ କର୍ତ୍ତବ୍ୟର ସରହଦ ଲଂଘନ କରି ନିଜ ମର୍ଜି ଅନୁଯାୟୀ ‘ମେରି ରାୟ’ ଚଳାନ୍ତି, ସେତେବେଳେ ଅରାଜକତା ଦେଖା ଦେଇଥାଏ। କୁନ୍ଦୁଲି ଏବଂ ସମ୍ବଲପୁର ଘଟଣା ନେଇ ସଂପ୍ରତି ରାଜ୍ୟରେ ଦେଖାଦେଇଥିବା ଅସ୍ୱସ୍ତିକର ଆଇନ-ଶୃଙ୍ଖଳା ପରିସ୍ଥିତି ‘ଖାକି ମେରି ରାୟ’ ପ୍ରସୂତ ଅରାଜକତାର ଦୁଇଟି ଦୁର୍ଭାଗ୍ୟଜନକ ଉଦାହରଣ। ଉଭୟ ଘଟଣାରେ ପୁଲିସ ଆଇନ ଓ ନିୟମାନୁଯାୟୀ କର୍ତ୍ତବ୍ୟ ପାଳନରେ ଖିଲାପ କରିଛନ୍ତି। କୁନ୍ଦୁଲି ପ୍ରକରଣରେ ଆଇନ ଓ ନିୟମାନୁଯାୟୀ ତତ୍ପରତାର ସହ ଯେଉଁ ପ୍ରକାର କର୍ତ୍ତବ୍ୟପରାୟଣତା ଅପେକ୍ଷା କରାଯାଉଥିଲା, ସେଥିରେ ନିଅଣ୍ଟିଆ ରହିଲା।

ଅଇଁଠାପାଲି ଘଟଣାରେ ଆଇନ ବାହାରକୁ ଯାଇ ପୁଲିସର ମାତ୍ରାତିରିକ୍ତ କାର୍ଯ୍ୟାନୁଷ୍ଠାନ ସମସ୍ୟା ସୃଷ୍ଟି କରିଛି। ଖାକି ପୋଷାକର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି। ଏହା ଆଇନ ତଥା ରାଷ୍ଟ୍ରର ପ୍ରତୀକ। ଆଇନ ଓ ନିୟମର ଗଣ୍ଡି ମଧ୍ୟରେ ଖାକି ପୋଷାକଧାରୀଙ୍କ କର୍ତ୍ତବ୍ୟପାଳନ ଖାକିର ଗରିମା ଓ ମର୍ଯ୍ୟାଦା ବଢ଼ାଇଥାଏ। ଏଥିରେ କୌଣସି ପ୍ରକାର ବ୍ୟତିକ୍ରମ ପୋଷାକର ଅମର୍ଯ୍ୟାଦା। ଉଭୟ କୁନ୍ଦୁଲି ଓ ଅଇଁଠାପାଲି ଘଟଣାରେ ଖାକି ପୋଷାକର ଅମର୍ଯ୍ୟାଦା ହୋଇଛି। ଅବଶ୍ୟ, ଏହା ଏକ ବ୍ୟତିକ୍ରମ ନୁହେଁ। ଅନେକ ଘଟଣାର ନଜିର ଦିଆଯାଇପାରେ ଯେଉଁଠି ପୋଷାକଧାରୀଙ୍କ ଆପତ୍ତିଜନକ ଆଚରଣ ଫଳରେ ପୋଷାକର ଅମର୍ଯ୍ୟାଦା ହୋଇଛି। ଆଇନର ରକ୍ଷକ ଯଦି ଆଇନର ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ଠାରୁ ଧନ-ଜୀବନ ଓ ଆଇନ-ଶୃଙ୍ଖଳାର ରକ୍ଷା କେମିତି ଆଶା କରାଯାଇପାରିବ? ପୁଲିସର ଏହି ଆଚରଣ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ହୁଗୁଳା ଶାସନ ପ୍ରତି ଇଙ୍ଗିତ।

କୁନ୍ଦୁଲି ଘଟଣାରେ ପ୍ରଥମରୁ ଖଇଚା କରି ତଦନ୍ତକୁ ଏମିତି ପଥଭ୍ରଷ୍ଟ କରିଦିଆଗଲା ଯେ, ବର୍ତ୍ତମାନ ନ୍ୟାୟିକ ତଦନ୍ତ, ଏପରିକି ହାଇକୋର୍ଟଙ୍କ ତଦାରଖରେ ଏସ୍‌ଆଇଟି ତଦନ୍ତର ନିର୍ଦ୍ଦେଶ ସତ୍ତ୍ୱେ ସତ୍ୟ ଉଦ୍‌ଘାଟିତ ହେବ ଏବଂ ନ୍ୟାୟ ହୋଇପାରିବ, ସେ ଭରସା କାହାର ପାଉନାହିଁ। ପୁଲିସର ତୁଙ୍ଗସ୍ତରର ବଡ଼ବଡ଼ ବାବୁ ଓ ଖାକି ବାହିନୀର ପୃଷ୍ଠପୋଷକତା କରୁଥିବା ରାଜନୈତିକ କାର୍ଯ୍ୟନିର୍ବାହୀ ଯାହା ବି ସଫେଇ ଦିଅନ୍ତୁ, ଏହା ଏକ ନିଷ୍ଠୁର ବାସ୍ତବତା ଯେ ପୀଡ଼ିତାଙ୍କ ଅଭିଯୋଗ ଉପରେ ଠିକଣା ତଦନ୍ତ କରି ସତ୍ୟ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଫୌଜଦାରୀ ଆଇନ ଓ ଅନୁସନ୍ଧାନ ପ୍ରକ୍ରିୟାର ପ୍ରତିଷ୍ଠିତ, ସ୍ୱୀକୃତ ନିୟମର ଅନୁପାଳନ ହୋଇ ନାହିଁ। ଯାହା ତଦନ୍ତ ଓ ପୁଲିସର ଉଦ୍ଦେଶ୍ୟକୁ ସ୍ୱତଃ ସନ୍ଦିଗ୍ଧ କରିଦେଉଛି। କୁନ୍ଦୁଲି ଘଟଣାରେ ଖାକିର ଉଦ୍ଦେଶ୍ୟପୂର୍ଣ୍ଣ ନିଷ୍କ୍ରିୟତା ଯଦି ସମସ୍ୟାର ଜଡ଼, ଅଇଁଠପାଲି ଘଟଣାରେ ମଞ୍ଜି ହେଉଛି ଖାକିର ଔଦ୍ଧତ୍ୟ। ହାଜତ ମୃତ୍ୟୁ ଘଟଣାର ଏକାଧିକ ସଂସ୍ଥା ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି। ଚୂଡ଼ାନ୍ତ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ, ପ୍ରାଥମିକ ଅନୁସନ୍ଧାନରୁ କିନ୍ତୁ ପୁଲିସର ମାତ୍ରାତିରିକ୍ତ ଆଇନ ବହିର୍ଭୂତ କାରନାମା ଜଳଜଳ।

ପ୍ରଥମ, ଗିରଫ ଅଭିଯୁକ୍ତ ଅବିନାଶ ମୁଣ୍ଡାଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ହାଜର କରା ନଯାଇ ଚବିଶ ଘଣ୍ଟାରୁ ଅଧିକ ସମୟ ଧରି ହାଜତରେ ରଖାଯାଇଥିଲା କାହିଁକି? ଏହ ସ୍ୱତଃ ପୁଲିସ ଆଇନ ଅନୁଯାୟୀ ନିଜର କର୍ତ୍ତବ୍ୟ ସମ୍ପାଦନ କରିନାହିଁ ବରଂ ଆଇନକୁ ହାତକୁ ନେଇଥିବାର ଆପାତତଃ ପ୍ରମାଣ। ଏହା ଦ୍ୱାରା ଅଭିଯୁକ୍ତଙ୍କ ଉଭୟ ସାମ୍ବିଧାନିକ ଓ ମାନବିକ ଅଧିକାରର ହନନ ହୋଇଛି। ସଫେଇ ଦିଆଯାଉଛି, ପୁଲିସ ନିର୍ଯାତନାରେ ଅଭିଯୁକ୍ତର ମୃତ୍ୟୁ ହୋଇନାହିଁ, ବରଂ ସେ ଆତ୍ମହତ୍ୟା କରିଛନ୍ତି। ପୁଲିସ ହାଜତରେ ଥିବା ବେଳେ ଗିରଫ ଅଭିଯୁକ୍ତର ସୁରକ୍ଷା ଦାୟିତ୍ୱ ପୁଲିସର। ଅଇଁଠାପାଲି ଥାନାରେ ଗିରଫ ଅଭିଯୁକ୍ତଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇ ନାହିଁ ବୋଲି ପୁଲିସର ସଫେଇକୁ କେମିତି ଗ୍ରହଣ କରି ନିଆଯିବ, ଯେତେବେଳେ ପୂର୍ବରୁ ସେ ବରଗଡ଼ ଜିଲ୍ଲା ଭେଡେନ ଥାନା ହେଉ କି ସହିଦନଗର ଥାନା ହେଉ ଅବା ନୂଆପଡ଼ାରେ ଏସ୍‌ଓଜି ଶିବିର ହେଉ, ପ୍ରତ୍ୟେକ ହାଜତ ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କ ମୃତ୍ୟୁ ଶାରୀରିକ ନିର୍ଯାତନା କାରଣରୁ ହୋଇଛି। ପୁଣି ଧାର୍ଯ୍ୟ ସମୟ ଠାରୁ ଅଧିକ ସମୟ ଧରି ହାଜତରେ ଜଣକୁ ଅଟକ ରଖାଯିବା ନିର୍ଯାତନା ନୁହେଁ କି? ଶାରୀରିକ ନିର୍ଯାତନା ଦିଆଯାଇ ନଥିବା କୈଫିୟତକୁ ମାନି ନେଲେ ସୁଦ୍ଧା ମାନସିକ ନିର୍ଯାତନାକୁ କ’ଣ ଅସ୍ୱୀକାର କରାଯାଇ ପାରିବ?

ଦୁର୍ଭାଗ୍ୟର ବିଷୟ ହେଲା, ନିୟମିତ ବ୍ୟବଧାନରେ ରାଜ୍ୟର ଥାନାମାନଙ୍କରେ ହାଜତ ମୃତ୍ୟୁ ଘଟଣା ଘଟୁଛି। ତଦନ୍ତରେ ପୁଲିସକୁ ମାତ୍ରାତିରିକ୍ତ କାର୍ଯ୍ୟ ପାଇଁ ଦୋଷୀ ସାବ୍ୟସ୍ତ କରାଯାଉଛି। ହାଜତରେ ଅଭିଯୁକ୍ତଙ୍କ ସୁରକ୍ଷା ଲାଗି ସାନି ‘ଗାଇଡଲାଇନ୍‌ସ’ ମଧ୍ୟ ଜାରି କରାଯାଇଛି। ତଥାପି, ହାଜତ ମୃତ୍ୟୁ ଘଟଣାର ପୁନରାବୃତ୍ତି ହେଉଛି। ଏହାର ଅର୍ଥ ଖାକିର ଉପନିବେଶବାଦୀ ଔଦ୍ଧତ୍ୟପୂର୍ଣ୍ଣ ଚରିତ୍ର ବଦଳୁ ନାହିଁ। ଏହା ଏକ ବିଡ଼ମ୍ବନା ଯେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବ୍ୟକ୍ତିର ଧନ-ଜୀବନ ତଥା ମାନବାଧିକାରର ସୁରକ୍ଷା ଯାହାର ଦାୟିତ୍ୱ, ସେ ହିଁ ମାନବାଧିକାରର ସବୁଠାରୁ ବଡ଼ ଘାତକ। ଏକ ପରିସଂଖ୍ୟାନ ଅନୁଯାୟୀ ଓଡ଼ିଶାରେ ପ୍ରତି ଦିନ ପୁଲିସ ଦ୍ୱାରା ଅନ୍ତତଃ ଗୋଟିଏ ମାନବାଧିକାର ଉଲ୍ଲଂଘନର ଅଭିଯୋଗ ହେଉଛି।

ତେବେ ପୁଲିସର ଅପରାଧୀ ସୁଲଭ ନିଷ୍କ୍ରିୟତା ଅବା ମାତ୍ରାତିରିକ୍ତ ‘ମେରି ରାୟ’ ପ୍ରସଙ୍ଗରେ ସବୁଠାରୁ ଅଧିକ ଉଦ୍‌ବେଗର ବିଷୟ ହେଲା, ମୁଖ୍ୟତଃ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଦୁର୍ବଳ ବର୍ଗ, ବିଶେଷକରି ଆଦିବାସୀ, ଦଳିତ ଓ ମହିଳା ଏହାର ଶିକାର ହୋଇଥାନ୍ତି। କୁନ୍ଦୁଲି ଘଟଣାରେ ନ୍ୟାୟ ନପାଇଥିବା ପୀଡ଼ିତା ଜଣେ ଆଦିବାସୀ ନାବାଳିକା। ଅଇଁଠାପାଲି ଘଟଣାରେ ହାଜତରେ ମୃତ୍ୟୁ ହୋଇଥିବା ଯୁବକ ଜଣେ ଆଦିବାସୀ। ସେହିପରି ୨୦୧୫ରେ ବରଗଡ଼ ଜିଲ୍ଲା ଭେଡ଼େନ ପୁଲିସ ଥାନାରେ ମୃତ୍ୟୁ ହୋଇଥିବା ମାଖନୁ ବାଗ ଥିଲେ ଅନୁସୂଚିତ ଜାତିର। ନୂଆପଡ଼ାରେ ଏସ୍‌ଓଜି ଯବାନମାନେ ଯେଉଁ ଯୁବକକୁ ପିଟିପିଟି ମାରି ଦେଇଥିଲେ ସେ ଥିଲେ ଦଳିତ। ପିପିଲି ଗଣଦୁଷ୍କର୍ମର ପୀଡ଼ିତା ମଧ୍ୟ ଥିଲେ ଜଣେ ଦଳିତ। ଏହା ନିଶ୍ଚିତ ଭାବେ ଏକ ଦୁର୍ଭାଗ୍ୟଜନକ ଧାରା।

ପୁଲିସର ଉଦାସୀନତା, ନିଷ୍କ୍ରିୟତା ହେଉ ଅବା ମାତ୍ରାତିରିକ୍ତ କାର୍ଯ୍ୟାନୁଷ୍ଠାନ ହେଉ, ସବୁବେଳେ ଦୁର୍ବଳ ବର୍ଗର ଲୋକେ ତା’ର କୁଫଳ ଭୋଗୁଛନ୍ତି କାହିଁକି? ଏହି ପ୍ରଶ୍ନ ସ୍ୱତଃ ଗଣତାନ୍ତ୍ରିକ ଭାରତରେ ପୁଲିସର ସାମନ୍ତବାଦୀ ତଥା ଉପନିବେଶବାଦୀ ଚରିତ୍ର ପ୍ରତି ଇଙ୍ଗିତ କରୁଛି। ସେଥିପାଇଁ ସ୍ୱାଧୀନତାର ସାତ ଦଶକ ପରେ ବି ପୁଲିସର ‘ଅତ୍ୟାଚାରୀ’ ଚରିତ୍ର ବଦଳି ନାହିଁ। ପୁଲିସ ଠାରୁ ନ୍ୟାୟ ମିଳିବ ବୋଲି ଗରିବ, ମଳିମୁଣ୍ଡିଆଙ୍କ ଭରସା ପାଉ ନାହିଁ। ପୁଲିସର ଏ ପ୍ରକାର ଚରିତ୍ର ଗୋଟିଏ ରାଜତନ୍ତ୍ର ବା ଏକଛତ୍ରବାଦୀ ଶାସନ ପାଇଁ ଅନୁକୂଳ ହୋଇପାରେ କିନ୍ତୁ ଗୋଟିଏ ଗଣତାନ୍ତ୍ରିକ ଶାସନରେ ଏହା ଆଦୌ ଶୁଭଙ୍କର ନୁହେଁ। ଭାରତୀୟ ପୁଲିସର ଏ ଚରିତ୍ର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତି ବିଦ୍ରୂପ। ସମାଜର ଦୁର୍ବଳ ବର୍ଗଙ୍କ ସୁରକ୍ଷା ଓ ସେମାନଙ୍କୁ ନ୍ୟାୟ ପ୍ରଦାନ ଆଇନ ଓ ଆଇନର ରକ୍ଷକ ମାନଙ୍କ ସ୍ୱତନ୍ତ୍ର ଦାୟିତ୍ୱ। କିନ୍ତୁ ଏଠି ବାସ୍ତବ ସ୍ଥିତି ଠିକ୍‌ ବିପରୀତ।

ପୁଲିସର ସାମନ୍ତବାଦୀ ‘ମେରି ରାୟ’ ପାଇଁ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜନୈତିକ ମୁନିବମାନେ ନିଜର ଉତ୍ତରଦାୟିତ୍ୱକୁ ଏଡ଼ାଇ ପାରିବେ ନାହିଁ। ରାଜନୈତିକ ମୁନିବମାନେ ପୁଲିସର ଔଦ୍ଧତ୍ୟ ଉପରେ ଅଙ୍କୁଶ ଲଗାଇ ସେମାନଙ୍କୁ ଉତ୍ତରଦାୟୀ କରିବାରେ ଅସମର୍ଥ ହେଉଛନ୍ତି। ବରଂ ଏହାକୁ ପ୍ରଶ୍ରୟ ଓ ପ୍ରୋତ୍ସାହନ ଦେଉଛନ୍ତି। ଏହା ପଛରେ ରାଜନୈତିକ ମୁନିବଙ୍କ ନ୍ୟସ୍ତ ସ୍ୱାର୍ଥ ରହିଛି। ଆଇନ ଓ ନିୟମର ସରହଦ ବାହାରେ ନ୍ୟସ୍ତ ସ୍ୱାର୍ଥ ଲାଗି ପୁଲିସକୁ ଆୟୁଧ ଭାବେ ବ୍ୟବହାର ପାଇଁ ରାଜନୈତିକ ମୁନିବଙ୍କ ପ୍ରବଣତା ଖାକିର ଔଦ୍ଧତ୍ୟକୁ ବରଦାସ୍ତ କରାଯାଉଛି। କୌଣସି ଅଘଟଣ ଘଟିଲେ ଗତାନୁଗତିକ ଭାବେ ତଦନ୍ତର ନିର୍ଦ୍ଦେଶ ଦିଆଯାଉଛି। ଜଣେ ଦୁଇଜଣଙ୍କୁ ସସ୍‌ପେଣ୍ଡ୍‌ କିଂବା ବରଖାସ୍ତ କରିଦିଆଯାଉଛି। ଅଥଚ, ଏଭଳି ଘଟଣାର ପୁନରାବୃତ୍ତି ରୋକିବା ଲାଗି ପୁଲିସର ଚରିତ୍ରରେ ସଂସ୍କାର ଓ ବ୍ୟବସ୍ଥାଗତ ସଂସ୍କାର ପ୍ରତି କୌଣସି ଧ୍ୟାନ ଦିଆଯାଉନାହିଁ। ଏଥିରେ ଅବସ୍ଥା ବଦଳିବ କେମିତି? କିନ୍ତୁ ଏଥିରେ ପରିବର୍ତ୍ତନ ନ ହେଲେ ଗଣତନ୍ତ୍ରର ମୂଳ ପିଣ୍ଡ ‘ଆଇନର ଶାସନ’ ଏକ କଳ୍ପନାବିଳାସ ମାତ୍ର।

ସମ୍ବନ୍ଧିତ ଖବର