ଯୁଦ୍ଧ-ଯୋଗ୍ୟ ସଂଘ

0 176

ଅନ୍ୟ କେତେକ ଦେଶ ଭଳି ସ୍ୱାଧୀନ ଭାରତରେ କେବେ ବାଧ୍ୟତାମୂଳକ ସାମରିକ ସେବା (ଡ୍ରାଫ୍ଟ) ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ନାହିଁ। କିନ୍ତୁ ଏକ ୧୯୪୮ ଆଇନ ଅନୁସାରେ ଭାରତରେ ‘ନେସ୍‌ନାଲ୍‌ କ୍ୟାଡେଟ୍‌ କୋର୍‌’ (ଏନ୍‌ସିସି) ନାମରେ ଏକ ଶୃଙ୍ଖଳିତ ଯୁବ ସଂଗଠନ ସୃଷ୍ଟି କରାଯାଇଛି ଯାହାର ସଦସ୍ୟମାନଙ୍କୁ ଦ୍ୱିତୀୟ ସ୍ତରୀୟ ପ୍ରତିରକ୍ଷା ବାହିନୀ ରୂପେ ବିଚାର କରାଯାଇଥାଏ। ୧୯୬୨ର ଚୀନ୍‌-ଯୁଦ୍ଧ ବିପର୍ଯ୍ୟୟ ପରେ ୧୯୬୩ ଠାରୁ ଦେଶର ସ୍କୁଲ୍‌ କଲେଜ୍‌ମାନଙ୍କରେ ଏହି କାରଣରୁ ଏନ୍‌ସିସି ତାଲିମକୁ ବାଧ୍ୟତାମୂଳକ କରି ଦିଆଯାଇଥିଲା। ଯୁଦ୍ଧୋତ୍ତର ତାତି ପ୍ରଶମିତ ହେବା ପରେ ୧୯୬୮ଠାରୁ ଏହାକୁ ପୁଣି ଇଚ୍ଛାଧୀନ କରି ଦିଆଯାଇଥିଲା। ୧୯୬୫ର ପାକିସ୍ତାନ ଯୁୁଦ୍ଧ ଏବଂ ୧୯୭୧ର ବାଂଲାଦେଶ ଯୁଦ୍ଧ ସମୟରେ ଏନ୍‌ସିସି କ୍ୟାଡେଟ୍‌ମାନେ ସେମାନଙ୍କର ଏହି ଦ୍ୱିତୀୟ ସ୍ତରୀୟ ପ୍ରତିରକ୍ଷା ଦାୟିତ୍ୱ ଦକ୍ଷତାର ସହିତ ତୁଲାଇବା ଦେଖାଯାଇଥିଲା। ଗୋଳାବାରୁଦ କାରଖାନାମାନଙ୍କୁ ସାହାଯ୍ୟ କରିବା ପାଇଁ କ୍ୟାମ୍ପ୍‌ ଆୟୋଜନରୁ ଆରମ୍ଭ କରି ଅସ୍ତ୍ରଶସ୍ତ୍ର ପରିବହନ କରି ସୀମାରେ ଯୁଦ୍ଧରତ ସୈନ୍ୟମାନଙ୍କୁ ଯୋଗାଇବା ଏବଂ ପଇଁତରା ଦଳମାନ ସଂଗଠିତ କରି ଶତ୍ରୁପକ୍ଷର ଆକାଶଛତା ବାହିନୀର ସୈନ୍ୟମାନଙ୍କୁ ଠାବ କରି କାବୁ କରିବା ପର୍ଯ୍ୟନ୍ତ  ସାମରିକ କାର୍ଯ୍ୟରେ ଏନ୍‌ସିସି କ୍ୟାଡେଟ୍‌ମାନେ ସକ୍ରିୟ ଥିବା ଦେଖା ଯାଇଥିଲା। ବେସାମରିକ କ୍ଷେତ୍ରରେ ଏହି କ୍ୟାଡେଟ୍‌ମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରୁ ଟ୍ରାଫିକ୍‌ ନିୟନ୍ତ୍ରଣ କାର୍ଯ୍ୟ ପର୍ଯ୍ୟନ୍ତରେ ବେସାମରିକ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିଥିଲେ।

ଏହି ସଂଗଠନର ବିଧିବଦ୍ଧ ଆଦର୍ଶ ହେଉଛି: ‘ଐକ୍ୟ ଓ ଶୃଙ୍ଖଳା’। ଯଦି ଆଜି ବି ହଠାତ୍‌ ଆବଶ୍ୟକ ପଡ଼େ ଦେଶରକ୍ଷା ପାଇଁ ଏନ୍‌ସିସି କ୍ୟାଡେଟ୍‌ମାନଙ୍କୁ ଖୁବ୍‌ କମ୍‌ ସମୟ   ମଧ୍ୟରେ ସୀମାରେ ଶତ୍ରୁ ସହିତ ଲଢ଼ିବା ପାଇଁ ପ୍ରସ୍ତୁତ କରି ଦିଆଯାଇ ପାରିବ। ଏହି ‘ଐକ୍ୟ ଓ ଶୃଙ୍ଖଳା’ ହିଁ ଏଥିରେ ସେମାନଙ୍କୁ ସହାୟକ ହେବ। ପୂର୍ବରୁ କୁହାଯାଇଥିବା ଭଳି ଦେଶର ଆଇନ ଅନୁସାରେ ‘ଏନ୍‌ସିସି’ ସଂଗଠନ ସ୍ଥାପିତ ହୋଇଛି; ତେଣୁ ଏହାର ସଦସ୍ୟମାନଙ୍କୁ ପ୍ରତିରକ୍ଷା କାର୍ଯ୍ୟରେ ନିୟୋଜିତ କରିବା ହେଉଛି ସମ୍ବିଧାନ ଅନୁମୋଦିତ। ଏଥିରେ ମଧ୍ୟ କୌଣସି ସନ୍ଦେହ ନାହିଁ ଯେ ଯଦି ସେନାବାହିନୀ ଅଣ-ଏନ୍‌ସିସି ନାଗରିକମାନଙ୍କୁ ସାମରିକ ତାଲିମ ଦେଇ ଯୁଦ୍ଧ ଯୋଗ୍ୟ କରିବାକୁ ଚାହେଁ ସେଥିପାଇଁ ଯଥେଷ୍ଟ ସମୟ ଆବଶ୍ୟକ ହେବ- ହୁଏତ ମୋହନ ଭାଗବତଙ୍କ କହିବା ଭଳି ଛ’ସାତ ମାସ ଲାଗିଯାଇପାରେ।

ମୋହନ ଭାଗବତ ଅବଶ୍ୟ ଏନ୍‌ସିସି କଥା ଆଦୌ କହିନାହାନ୍ତି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଏହି ମୁଖ୍ୟ କହିଛନ୍ତି ନିଜର ସଂଗଠନ କଥା, ଯାହାର କଠୋର ଶୃଙ୍ଖଳା ଓ ଐକ୍ୟ ସର୍ବଜନବିଦିତ। ରବିବାର ଦିନ ବିହାରର ମୁଜାଫର୍‌ପୁର୍‌ଠାରେ ସଂଘର କର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ଭାଗବତ କହିଥିଲେ ଯେ ଯଦି ଦେଶର ସମ୍ବିଧାନ ଅନୁମତି ଦିଏ ତେବେ ଆବଶ୍ୟକ ହେଲେ ସଂଘ ମାତ୍ର ତିନିଦିନ ମଧ୍ୟରେ ଦେଶରକ୍ଷା ପାଇଁ ଯୁଦ୍ଧଯୋଗ୍ୟ ସୈନିକ ପ୍ରସ୍ତୁତ କରିଦେଇ ପାରିବ। ଏଥିରେ ସନ୍ଦେହ ନାହିଁ ଯେ ସଂଘର ସଦସ୍ୟମାନେ ଅଭ୍ୟସ୍ତ ଥିବା କଠୋର ଶୃଙ୍ଖଳା ଓ ଐକ୍ୟଭାବ ସେମାନଙ୍କୁ ଏଥିରେ ସହାୟକ ହେବ, ଯେମିତି ଏନ୍‌ସିସି କ୍ୟାଡେଟ୍‌ମାନଙ୍କ କ୍ଷେତ୍ରରେ ଘଟିଥାଏ। ‘ଆର୍‌ଏସ୍‌ଏସ୍‌’ର ଚରମ ବିରୋଧୀମାନେ ମଧ୍ୟ ସ୍ୱୀକାର କରିବେ ଦେଶରେ ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ବା ବିମାନ ଓ ରେଳ ଦୁର୍ଘଟଣା ଭଳି ବିପର୍ଯ୍ୟୟ ଘଟିବା ସମୟରେ ସଂଘ ସଦସ୍ୟମାନେ ଯେଉଁଭଳି ଉତ୍ସର୍ଗୀକୃତ, ଶୃଙ୍ଖଳିତ ସେବା ପ୍ରଦାନ କରିଥାନ୍ତି ତାହା ସରକାରୀ ସେବାଠାରୁ ବହୁ ଅଧିକ ସମୟୋପଯୋଗୀ ଓ ଫଳପ୍ରଦ ହୋଇଥାଏ।

ଅବଶ୍ୟ ଆଶା କରାଯାଉଥିବା ଭଳି ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଦେଶର ସବୁରଙ୍ଗର ବୈଠକୀ-ଉଦାରପନ୍ଥୀମାନେ ମୋହନ ଭାଗବତଙ୍କ ଉପରକୁ ଝାମ୍ପି ପଡ଼ି କହିଛନ୍ତି ଯେ ସେ ଭାରତୀୟ ସେନାବାହିନୀକୁ ଅପମାନିତ କରିଛନ୍ତି (ହାସ୍ୟାସ୍ପଦ ଭାବରେ ସେଇ ରାହୁଲ ଗାନ୍ଧୀ ଯିଏ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ସତ୍ୟତା ସମ୍ବନ୍ଧରେ ସନ୍ଦେହ ପ୍ରକାଶ କରି ସେନାବାହିନୀକୁ ଅପମାନିତ କରିବାକୁ ନିଜର ଜାତୀୟ କର୍ତ୍ତବ୍ୟ ରୂପେ ବିଚାର କରିଥିଲେ)। କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ଙ୍କ ଭଳି କମ୍ୟୁନିଷ୍ଟ ନେତାମାନେ ତ ଏହାକୁ ହିନ୍ଦୁ ଆତଙ୍କବାଦ ରୂପେ ପ୍ରଦର୍ଶିତ କଲେଣି। ଏ ସମସ୍ତ ନିନ୍ଦୁକମାନଙ୍କ ଅବଗତି ନିମନ୍ତେ ଭାଗବତଙ୍କର ଏହି ସ୍ପଷ୍ଟୀକରଣ ଏଠାରେ ଉଦ୍ଧାର ଯୋଗ୍ୟ: ‘‘ସଂଘ ଏକ ସାମରିକ କିଂବା ଅର୍ଧ-ସାମରିକ ସଂଗଠନ ନୁହେଁ, ଏହା ବରଂ ହେଉଛି ଏକ ପାରିବାରିକ ସଂଗଠନ ଭଳି ଯେଉଁଠି ସେନାବାହିନୀ ଭଳି ଶୃଙ୍ଖଳା ଅନୁସୃତ ହୋଇଥାଏ।’’ ନିନ୍ଦୁକମାନେ ମଧ୍ୟ ଅସ୍ୱୀକାର କରିପାରିବେ ନାହିଁ ଯେ ଆର୍‌ଏସ୍‌ଏସ୍‌ କେବେ ହେଲେ ହିନ୍ଦୁମାନଙ୍କର ସାମରିକୀକରଣ ପାଇଁ ଆହ୍ଵାନ ଦେଇ ନାହିଁ। ଅବଶ୍ୟ ସଂଘବିଦ୍ୱେଷୀମାନେ ଆର୍‌ଏସ୍‌ଏସ୍‌ର ଏହି ଅଣସାମରିକ ଚରିତ୍ର ଦ୍ୱାରା ପ୍ରଭାବିତ ନହୋଇ ଏହାକୁ ନାଜିମାନଙ୍କ ଭଳି ଚରମପନ୍ଥୀ ସଂଗଠନ ରୂପେ ପ୍ରଦର୍ଶିତ କରିଆସିଛନ୍ତି, ଯେମିତି ଜବାହରଲାଲ ନେହରୁ ୧୯୪୭ରେ ସମସ୍ତ ପ୍ରାଦେଶିକ ମୁଖ୍ୟମନ୍ତ୍ରୀମାନଙ୍କୁ ପତ୍ର ଲେଖି ସାବଧାନ କରିଦେଇଥିଲେ। ଏହି ଧାରାର ଅଂଶ ସ୍ୱରୂପ ମହାତ୍ମା ଗାନ୍ଧୀଙ୍କ ହତ୍ୟାରେ ଆର୍‌ଏସ୍‌ଏସ୍‌ର କୌଣସି ଭୂମିକା ନଥିବା ସତ୍ତ୍ୱେ, ୧୯୪୮ରେ ଏହି ସଂଗଠନକୁ ଅବୈଧ ଓ ଦେଶଦ୍ରୋହୀ ଆଖ୍ୟା ଦେଇ ନିଷିଦ୍ଧ କରିଦିଆ ଯାଇଥିଲା।

ସେଇ ସଂଘ-ବିରୋଧୀ ଆଭିମୁଖ୍ୟର ଅଂଶ ସ୍ୱରୂପ, ସେଇ ପରିଚିତ ଶକ୍ତିମାନେ ବର୍ତ୍ତମାନ ଏକ ଅପପ୍ରଚାର ଚଳାଇଛନ୍ତି ଯେ ମୋହନ ଭାଗବତ ସଂଘ ସଦସ୍ୟମାନଙ୍କ ତୁଳନାରେ ଭାରତୀୟ ସେନାବାହିନୀକୁ ନୀଚା କରି ଦେଖାଇଛନ୍ତି। ସତକଥା ହେଲା ଭାଗବତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହିତ ଭାରତୀୟ ସେନାବାହିନୀକୁ ତୁଳନା କରି ନାହାନ୍ତି, ସେ ପ୍ରକୃତରେ ସଂଘ ସହିତ ଭାରତୀୟ ସାଧାରଣ ସମାଜର ହିଁ ତୁଳନା କରିଛନ୍ତି। ଏଥିରେ ସନ୍ଦେହ ନାହିଁ, ଆବଶ୍ୟକ ପଡ଼ିଲେ ଭାରତୀୟ ସେନାବାହିନୀ ହିଁ ବେସାମରିକ ବ୍ୟକ୍ତିମାନଙ୍କୁ ତାଲିମ ଦେଇ ଯୁଦ୍ଧଯୋଗ୍ୟ କରିବ। ଭାଗବତଙ୍କ କହିବା କଥା ସେତେବେଳେ ସଂଘ ସଦସ୍ୟମାନଙ୍କୁ ସେନାବାହିନୀ ମାତ୍ର ତିନିଦିନରେ ଯୁଦ୍ଧଯୋଗ୍ୟ କରିଦେବ କିନ୍ତୁ ଅନ୍ୟମାନଙ୍କୁ ସେଇ ସ୍ତରକୁ ଆଣିବା ପାଇଁ ସେନାକୁ ଛ-ସାତ ମାସ ସମୟ ଲାଗିଯିବ। ଏଥିରେ ଅସ୍ୱାଭାବିକତା କ’ଣ ଅଛି, ବା ଏହା ଦ୍ୱାରା ସେନାବାହିନୀ କିପରି ଅପମାନିତ ହେଲା ବା ହିନ୍ଦୁମାନେ କିପରି ଆତଙ୍କବାଦୀ ହୋଇଗଲେ? ରାହୁଲ ଗାନ୍ଧୀଙ୍କୁ ଅବଶ୍ୟ ଜଣା ନଥିବ ସମ୍ବିଧାନର ୫୧ ଏ (ଡି) ଧାରାରେ କୁହାଯାଇଛି ଯେତେବେଳେ ଆହ୍ଵାନ ଦିଆଯିବ ଦେଶର ସମସ୍ତ ନାଗରିକ ଦେଶ ରକ୍ଷା ପାଇଁ ଆଗେଇ ଆସିବା ଉଚିତ। ସଂଘ ସଦସ୍ୟମାନେ ସେଥିପାଇଁ ହିଁ ନିଃସ୍ୱାର୍ଥପର ଭାବେ ସର୍ବଦା ପ୍ରସ୍ତୁତ ରହିଥାନ୍ତି। ତାହା ହିଁ ଭାଗବତ ବାଣୀର ମର୍ମ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.