‘ନିରବ’ ଠକେଇ!

ବ୍ୟାଙ୍କିଂ ବ୍ୟବସ୍ଥାର ଆଖିରେ ଅଙ୍ଗୁଳି ଗେଞ୍ଜି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନଙ୍କୁ ଖୋଳ କରି ମାଲାମାଲ୍‌ ହୋଇଥିବା ବିଜୟ ମାଲ୍ୟାମାନଙ୍କ ସଂଖ୍ୟା ଏ ଦେଶରେ କିଛି କମ୍‌ ନୁହେଁ। ବ୍ୟାଙ୍କ୍‌ ଗୁଡ଼ିକୁ ନଅ ହଜାର କୋଟି ଟଙ୍କାର ଚୂନ ଲଗାଇଥିବା ମାଲ୍ୟାଙ୍କ ‘ଚିଫ୍‌ ଅଫ୍‌ ଗୁଡ୍‌ ଟାଇମ୍‌ସ‘ ମୁଖା ତଳର ଅସଲ ଚେହେରା ସାମନାକୁ ଆସିବା ପରେ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ‘ଡାଇମଣ୍ଡ କିଙ୍ଗ୍‌’ ମୁଖା ତଳେ ଲୁଚିଥିବା ଅସଲ ‘ଠକ ଲୁଟେରା’ ଚେହେରା ସାମନାକୁ ଆସିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ର ୧୧,୩୦୦ କୋଟି ଟଙ୍କା ଠକେଇର ‘କିଙ୍ଗ୍‌ପିନ୍‌’ ପଛରେ ପୂରା ସରକାରୀ କଳ ଲାଗିଥିବା ବେଳେ ଏହି ‘ଡାଇମଣ୍ଡ କିଙ୍ଗ୍‌’ ଏବେ ନ୍ୟୁୟର୍କର ଏକ ବିଳାସପୂର୍ଣ୍ଣ ହୋଟେଲରେ ମଉଜରେ ଅଛନ୍ତି।

ତେବେ ଉଦ୍‌ବେଗର କଥା ହେଲା, ବ୍ୟବସ୍ଥାକୁ ଆଖିଠାର ମାରି ବ୍ୟାଙ୍କ୍‌ରେ ଜମା ସାଧାରଣ ଲୋକଙ୍କ ଟଙ୍କା ଲୁଟ୍‌ କରି ସମ୍ପତ୍ତିର ପାହାଡ଼ ଠିଆ କରିଥିବା ମାଲ୍ୟା ଓ ମୋଦୀମାନେ କ୍ଷମତା ଅଳିନ୍ଦରେ ବିଚରଣ କରିବା ଓ କ୍ଷମତା-କେନ୍ଦ୍ର ସହ ଘନିଷ୍ଠ ହେବା ଏକ ସଂଯୋଗ ମାତ୍ର ନୁହେଁ କି ଆକସ୍ମିକ ନୁହେଁ। ତେଣୁ ଏହା କାହାକୁ ବିସ୍ମିତ କରି ନାହିଁ ଯେ, ମାଲ୍ୟା ଯେମିତି ସରକାରଙ୍କ ଆଖିରେ ଧୂଳି ଦେଇ ଶାସନ କଳର ନାକ ତଳେ ଦେଶ ଛାଡ଼ି ବିଦେଶକୁ ଚାଲିଗଲେ, ମୋଦୀ ମଧ୍ୟ ସେମିତି ବ୍ୟାଙ୍କ୍‌ ଠକେଇ ନେଇ ଆଇନର କାରବାର ଆରମ୍ଭ ହେବା ପୂର୍ବରୁ ଆମ ଦେଶର ଆଇନ ଠାରୁ ଅପହଞ୍ଚ ଦୂରତାକୁ ପଳାଇ ଯାଇପାରିଲେ। ସେମାନଙ୍କ ‘ନିରବ ଠକେଇ’ ପ୍ରକାଶ୍ୟ ହେଲା ବେଳକୁ ସେମାନେ ସମସ୍ତେ ନିଜକୁ ସୁରକ୍ଷିତ ଦୂରତାରେ ରଖି ପାରିଛନ୍ତି। ଏହା ସ୍ୱତଃ ମାଲ୍ୟା ଓ ମୋଦୀ ମାନଙ୍କ ଲୁଟ୍‌ରେ ସରକାରୀ କଳର ଅସାଧୁ ମେଣ୍ଟ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି। ଜାନୁଆରି ଶେଷ ସପ୍ତାହରେ ବ୍ୟାଙ୍କ୍‌ ଠକେଇ ନେଇ ନିରବଙ୍କ ବିରୋଧରେ ମାମଲା ରୁଜୁ ହେଲା। କିନ୍ତୁ, ତା’ପୂର୍ବରୁ ଅର୍ଥାତ୍‌ ଜାନୁଆରି ମାସର ପ୍ରଥମ ସପ୍ତାହରେ ସେ ଦେଶ ଛାଡ଼ି ଚାଲି ଯାଇ ସାରିଥିଲେ। ଉଲ୍ଲେଖନୀୟ ହେଲା ବିଶ୍ୱ ଇକୋନମିକ୍‌ସ ଫୋରମ୍‌ର ଡାଭୋସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଉପସ୍ଥିତ ଦେଶର ଅନ୍ୟ ବିଶିଷ୍ଟ ଶିଳ୍ପପତି ଓ ବ୍ୟବସାୟୀଙ୍କ ମଧ୍ୟରେ ହୀରା ବ୍ୟବସାୟୀ ନିରବ ମଧ୍ୟ ଉପସ୍ଥିତ ଥିଲେ।

ଏବେ ନିରବ ମୋଦୀ ଏବଂ ତାଙ୍କ ବ୍ୟାଙ୍କ୍‌ ଠକେଇ ନେଇ କ୍ଷମତାସୀନ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ପରସ୍ପର କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। କିନ୍ତୁ ଏ ରାଜନୈତିକ କାଦୁଅ ଫିଙ୍ଗା ମୂଳ ପ୍ରସଙ୍ଗକୁ ଆଢୁଆଳକୁ ଠେଲି ଦେଇଛି। ଏଠାରେ ମୂଳ ପ୍ରସଙ୍ଗ ହେଲା, କ୍ଷମତାରେ ଯେ କୌଣସି ସରକାର ଥାଉ (ଏନ୍‌ଡିଏ ହେଉ କି ୟୁପିଏ) ଏତେ ବଡ଼ ଠକେଇକୁ ରୋକିବାରେ ବ୍ୟବସ୍ଥା ସମର୍ଥ ହେଲା ନାହିଁ କେମିତି? ଏହା ସ୍ୱାଭାବିକ ଭାବେ ବ୍ୟବସ୍ଥାର ବିଫଳତାର ଆଉ ଏକ କଳା ଇସ୍ତାହାର, ଯାହା ଖାଲି ବ୍ୟାଙ୍କ୍‌ ବ୍ୟବସ୍ଥା ନୁହେଁ, ସାମଗ୍ରିକ ଭାବେ ଆଇନ ଓ ଶାସନ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ଦୋହଲାଇ ଦେଇଛି। ଅନାଦାୟ ବ୍ୟାଙ୍କ୍‌ ଋଣ (ଏନ୍‌ପିଏ) ପରିମାଣ କ୍ରମାଗତ ଭାବେ ବୃଦ୍ଧି ପଛରେ ଯେମିତି ବ୍ୟବସ୍ଥାରେ ତ୍ରୁଟିବିଚ୍ୟୁତି ଦାୟୀ, ସେମିତି ଆପରାଧିକ ଉଦ୍ଦେଶ୍ୟ ଚରିତାର୍ଥ କରିବା ଲାଗି ଅସାଧୁ କର୍ମଚାରୀଙ୍କ ଦ୍ୱାରା ନୀତି ଓ ନିୟମର ଉଲ୍ଲଂଘନ ବା ଢିଲା ଅନୁପାଳନ ସମ ପରିମାଣରେ ଦାୟୀ। ସେଇଥି ପାଇଁ ତ ବ୍ୟାଙ୍କ୍‌ ଠକେଇ ଘଟଣା ବଢ଼ି ବଢ଼ି ଚାଲିଛି। ଚର୍ଚ୍ଚାରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ର ୧୧,୩୦୦ କୋଟିର ଠକେଇରେ ଜାଲ୍‌ ‘ଲେଟର ଅଫ୍‌ ଅଣ୍ଡରଟେକିଂ’ (ଏଲ୍‌ଓୟୁ) ମାଧ୍ୟମରେ ମୋଦୀ ଟଙ୍କା ହଡ଼ପ କରିଛନ୍ତି। ତେବେ ଏହି ମାମଲାରେ ଜାଣିଶୁଣି ବ୍ୟବସ୍ଥାକୁ ପଙ୍ଗୁ କରି ଦିଆଯାଇଥିଲା।

ଏହାର ଦୁଇଟି କଳା ଉଦାହରଣ ହେଲା- ସାଧାରଣତଃ ନବେ ଦିନ ପାଇଁ ଏଲ୍‌ଓୟୁ ପ୍ରଦାନ କରାଯାଇଥାଏ। କିନ୍ତୁ ମୋଦୀଙ୍କୁ ୩୬୫ ଦିନିଆ ଏଲ୍‌ଓୟୁ ପ୍ରଦାନ କରାଯାଇଛି। ପୁଣି ବ୍ୟାଙ୍କ୍‌ର ଯେଉଁ ଅଧିକାରୀ ଏଲ୍‌ଓୟୁ ପ୍ରଦାନ କରିଥିଲେ, ବର୍ଷ ବର୍ଷ ଧରି ତାଙ୍କର ବଦଳି ହୋଇ ନଥିଲା, ଯଦିଓ କିଛି ମାସ ବ୍ୟବଧାନରେ ‘ରୋଟେସନ’ ଭିତ୍ତିରେ ନିୟମିତ ଅଧିକାରୀମାନେ ବଦଳି ହେବାର ନିୟମ ଅଛି। ବ୍ୟବସ୍ଥା କେମିତି ପ୍ରଭାବଶାଳୀ ହୋଇ ନ ପାରିବ ସେ ଉଦ୍ଦେଶ୍ୟରେ ଯଦି ବ୍ୟବସ୍ଥା ଚଳାଉଥିବା ବ୍ୟକ୍ତିମାନେ ଜାଣିଶୁଣି ନୀତି ନିୟମକୁ ମୋଡ଼ି ବ୍ୟବସ୍ଥାକୁ ଅଚଳ କରି ଦିଅନ୍ତି, ତେବେ ତାହା ରକ୍ଷକ ଭକ୍ଷକ ପାଲଟି ଯିବା ଭଳି କଥା ନୁହେଁ କି? ଚୋର ଗଲା ପରେ ବୁଦ୍ଧି ଦିଶିଲା ଭଳି ଏବେ ତନାଘନା ଚାଲିଛି। କିନ୍ତୁ ପ୍ରଶ୍ନ ହେଲା, ଠିକଣା ସମୟରେ ନୀତି ନିୟମର ଅନୁପାଳନ ହେଲା ନାହିଁ କାହିଁକି? କିଛି ତଳିଆ ଅଧିକାରୀ ଓ କର୍ମଚାରୀଙ୍କୁ ଦାୟୀ କରି ବ୍ୟାଙ୍କ୍‌ର ତୁଙ୍ଗ କର୍ତ୍ତୃପକ୍ଷ ନିଜର ଉତ୍ତର-ଦାୟିତ୍ୱକୁ ଏଡ଼ାଇ ପାରିବେ ନାହିଁ। ଏମିତି ନୁହେଁ ଯେ ସରକାର ଓ ବ୍ୟାଙ୍କ୍‌ର ଉଚ୍ଚ କର୍ତ୍ତୃପକ୍ଷଙ୍କ ନଜରକୁ ଏ ଠକେଇ ନେଇ କୌଣସି ଆଗୁଆ ସୂଚନା ଆସି ନ ଥିଲା। ୨୦୧୬ରୁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କୁ, ଏପରିକି ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ, ଠକେଇ ନେଇ ସତର୍କ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା।

‘ଡାଇମଣ୍ଡ କିଙ୍ଗ୍‌’ ନିରବ ମୋଦୀଙ୍କ ସଂପୃକ୍ତି ଥିବା ଠକେଇ ମାମଲାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାରୁ ଆମ ଦେଶରେ ‘ଆଇନର ଶାସନ’ର ଅସଲ ଚରିତ୍ର ସାମନାକୁ ଆସୁଛି। ସାଧାରଣ ଲୋକଙ୍କ ବେଳକୁ ଆଇନ ତା’ବାଟରେ ଯାଇଥାଏ, ଅଥଚ ବଡ଼ବଡ଼ିଆଙ୍କ ବେଳକୁ ଆଇନ ବାଟ ହୁଡ଼ି ଯାଏ। ପାଞ୍ଚ ହଜାର, ଦଶ ହଜାର ଟଙ୍କାର ଋଣ ପରିଶୋଧରେ ଖିଲାପ କଲେ ଚାଷୀଙ୍କ ସମ୍ପତ୍ତି କୋରଖ ହୋଇଯାଏ, ଅଥଚ ବଡ଼ବଡ଼ ଶିଳ୍ପପତିଙ୍କ ଉପରେ କୋଟି କୋଟି ଟଙ୍କା ବାକିଥିଲେ ବି ସେମାନେ ବ୍ୟାଙ୍କ୍‌ର ‘ଗେହ୍ଲାପୁଅ’। ଏବଂ ଏହି ଖିଲାପୀମାନଙ୍କୁ ପୁନର୍ବାର ଋଣ ଦେବାକୁ ବ୍ୟାଙ୍କ୍‌ଗୁଡ଼ିକ ନାଲି ଗାଲିଚା ବିଛାଇ ଅପେକ୍ଷା କରି ରହନ୍ତି। ସେଥିପାଇଁ ବ୍ୟାଙ୍କ୍‌ ସମୂହରେ ଅନାଦାୟ ହୋଇ ପଡ଼ିଥିବା ପ୍ରାୟ ନଅ ଲକ୍ଷ କୋଟି ଟଙ୍କାର ଖିଲାପିଙ୍କ ମଧ୍ୟରେ ଅଧିକାଂଶ ବଡ଼ବଡ଼ିଆ ଓ ଗତ ୨୦୧୨-୧୩ ରୁ ୨୦୧୬-୧୭ ପର୍ଯ୍ୟନ୍ତ ୮୬୭୦ଟି ଠକେଇ ଘଟଣାରେ ଯେଉଁ ପ୍ରାୟ ୬୯ ହଜାର କୋଟି ଟଙ୍କା ଲୁଟ୍‌ ହୋଇଛି, ସେଥିରୁ ସିଂହ ଭାଗ ନିରବ ମୋଦୀଙ୍କ ଭଳି କୁବେରଙ୍କ ଭଣ୍ଡାରକୁ ଯାଇଛି। ଅଥଚ ଦେବାଳିଆ ଅବସ୍ଥାରେ ଥିବା ବ୍ୟାଙ୍କ୍‌ମାନେ କ୍ଷୁଦ୍ର ବ୍ୟବସାୟୀ ଓ ଚାଷୀଙ୍କୁ ଋଣ ଦେବାକୁ ଅସମର୍ଥ। ବିଡ଼ମ୍ବନା ହେଲା ସାଧାରଣ ଲୋକଙ୍କ ଜମା ପଇସା ହଡ଼ପ କରି ବଡ଼ବଡ଼ିଆ ମଉଜ କରୁଛନ୍ତି, ଅଥଚ ପୁଣି ସାଧାରଣ ଟିକସଦାତାଙ୍କ ଅର୍ଥ ଜମା ଥିବା ଅପେକ୍ଷାକୃତ ଭଲ ସ୍ଥିତିରେ ଥିବା ବ୍ୟାଙ୍କ୍‌ ଗୁଡ଼ିକରୁ ଦେବାଳିଆ ବ୍ୟାଙ୍କ୍‌କୁ ପୁଞ୍ଜି ଯୋଗାଇ ଦିଆଯାଉଛି। ଏ ବିଷଚକ୍ରର ଅନ୍ତଃ କେଉଁଠି?

ମାଲ୍ୟାଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ଆଇନ ପହଞ୍ଚି ପାରି ନାହିଁ, ପାହୁଲାଟାଏ ସୁଦ୍ଧା ଅସୁଲ ହୋଇ ନାହିଁ। ନିରବ ମୋଦୀଙ୍କ କ୍ଷେତ୍ରରେ ଅନ୍ତିମ ପରିଣତି କ’ଣ ହେବ ଜଣା ନାହିଁ। କିନ୍ତୁ ମାଲ୍ୟା ଓ ମୋଦୀମାନଙ୍କ ପାଖରେ ଶେଷ ପର୍ଯ୍ୟନ୍ତ ଆଇନ ପହଞ୍ଚିଲେ ସୁଦ୍ଧା ବ୍ୟାଙ୍କିଂ ତଥା ଆଇନ ବ୍ୟବସ୍ଥା ଉପରେ ଦୋହଲି ଯାଇଥିବା ଲୋକଙ୍କ ଆସ୍ଥା ଓ ବିଶ୍ୱାସ ପୁଣି ଫେରାଇ ଆଣିବା ଏତେ ସହଜ ନୁହେଁ। ନିଜ ଗ୍ରାହକଙ୍କୁ ଚିହ୍ନିବା ଲାଗି ବ୍ୟାଙ୍କ ପକ୍ଷରୁ କେଓ୍ଵାଇସି ବା ‘ନୋ ୟୁଅର କଷ୍ଟମର’ ବା ‘ତୁମ ଗ୍ରାହକଙ୍କୁ ଚିହ୍ନ’ର କଡ଼ା ବ୍ୟବସ୍ଥା କରାଯାଇଛି। ଏଥିଲାଗି ସାଧାରଣ ଗ୍ରାହକମାନେ ସେମାନଙ୍କ ପରିଚୟ ପ୍ରମାଣକୁ ବ୍ୟାଙ୍କରେ ଜମା କରୁଛନ୍ତି। କିନ୍ତୁ ଲାଗୁଛି ଏବେ ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କ ସାମନାରେ ନିଜ ଦକ୍ଷତା ଓ ସାଧୁତାର ପରିଚୟ ଦେବା ଅଧିକ ଆବଶ୍ୟକ ହୋଇପଡ଼ିବ।

ସମ୍ବନ୍ଧିତ ଖବର