ପିଙ୍କିଙ୍କ ସ୍ୱପ୍ନ

ହିନ୍ଦୀରେ ଥିବା ଏକ ସୁପରଚିତ ଢଗ ହେଉଛି: ‘‘ନୌ ସୌ ଚୂହେ ଖା କେ ବିଲ୍ଲୀ ହଜ୍‌ କୋ ଚଲୀ’’(‘‘ନ’ଶହ ମୂଷା ଖାଇବା ପରେ ବିଲେଇ ହଜ୍‌କୁ ଯାଇଛି’’)। ଧର୍ମପ୍ରାଣ ମୁସଲମାନ ମାନଙ୍କ ପାଇଁ ହଜ୍‌ ହେଉଛି ଇସଲାମର ପବିତ୍ରତମ ତୀର୍ଥଯାତ୍ରା। ଏଣୁ ଢଗର ଅର୍ଥ ହେଉଛି, ଜଣେ ବ୍ୟକ୍ତି ଅନେକ ପାପ କରିବା ପରେ ନିଜକୁ ପବିତ୍ର ରୂପେ ଦେଖାଇବାର ଅଭିନୟ କରିବା। ପାକିସ୍ତାନର ପ୍ରସିଦ୍ଧ କ୍ରିକେଟର୍‌-ରାଜନେତା ଇମ୍ରାନ୍‌ ଖାନ୍‌ଙ୍କର ସଦ୍ୟ ପ୍ରକାଶିତ ତୃତୀୟ ବିବାହ ସମ୍ବନ୍ଧରେ ଏବେ ଯାହା ସବୁ ସୂଚନା ଗଣମାଧ୍ୟମରେ ଉପଲବ୍‌ଧ, ସେଥିରୁ ଯେଉଁ ରୋଚକ ଚିତ୍ରର ଆବିର୍ଭାବ ଘଟିଥାଏ, ତାହା ହେଲା ଅତୀତର ଉଚ୍ଛଙ୍ଖଳ ପ୍ଲେ-ବଏ ୬୫ ବର୍ଷୀୟ ଇମ୍ରାନ୍‌ଙ୍କ ପାଇଁ ଏହି ତୃତୀୟ ବିବାହ-ବନ୍ଧନ ହେଉଛି ସେଇ ନ’ଶହ ମୂଷା ଖାଇଥିବା ବିଲେଇର ପବିତ୍ର ହଜ୍‌ ଯାତ୍ରା ଭଳି।

ବିଲେଇଟି ନ’ଶହ ମୂଷା ଖାଇଥିବା ଭଳି ଯୌବନରେ ଅନେକ ତରୁଣୀଙ୍କ ସହିତ ବିଳାସପୂର୍ଣ୍ଣ ସମ୍ପର୍କ ଉପଭୋଗ କରିବା ପରେ ୧୯୯୫ରେ ୪୨ ବର୍ଷ ବୟସରେ ଇମ୍ରାନ୍‌ ବ୍ରିଟେନ୍‌ର ଧନୀ ଦୁଲାଳୀ ତଥା ସାମାଜିକ ପ୍ରଜାପତି ଇହୁଦୀ ଧର୍ମାବଲମ୍ବୀ ଜେମିମା ଗୋଲ୍‌ଡସ୍ମିଥ୍‌ଙ୍କୁ ବିବାହ କରିଥିଲେ। ସେ ବିବାହରୁ ତାଙ୍କର ଦୁଇଟି ପୁତ୍ର ସନ୍ତାନ ଜାତ ହୋଇଥିଲେ। ନ’ବର୍ଷ ପରେ ୨୦୦୪ରେ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା। ଏହା ପରେ ୨୦୧୫ରେ ସେ ବ୍ରିଟିସ୍‌-ପାକିସ୍ତାନୀ ସାମ୍ବାଦିକା ତିନିଟି ସନ୍ତାନର ଜନନୀ ରେହମ୍‌ ଖାନ୍‌ଙ୍କୁ ବିବାହ କରିଥିଲେ, କିନ୍ତୁ ମାତ୍ର ୧୦ ମାସ ମଧ୍ୟରେ ସେ ରେହମ୍‌ଙ୍କୁ ଛାଡ଼ପତ୍ର ଦେଇଥିଲେ। ଏଠାରେ ଯାହା ଉଲ୍ଲେଖନୀୟ ତାହା ହେଲା ଇମ୍ରାନ୍‌ଙ୍କର ପ୍ରଥମ ଦୁଇଟି ବିବାହର କାରଣ ପୂରାପୂରି ସାଂସାରିକ ହୋଇଥିବା ବେଳେ ବର୍ତ୍ତମାନର ତୃତୀୟ ବିବାହଟିର କାରଣକୁ ଏକ ଦୃଷ୍ଟିରୁ ଆଧ୍ୟାତ୍ମିକ ବୋଲି କୁହାଯାଇପାରେ, ଯଦିବା ଏହି ଆଧ୍ୟାତ୍ମିକତା ହେଉଛି ମୂଷା ଖାଇ ହଜ୍‌କୁ ଯାଉଥିବା ବିଲେଇର ଆଧ୍ୟାତ୍ମିକତା ପରି।

ଆକ୍ଷରିକ ଭାବରେ ଦେଖିଲେ ଇମ୍ରାନ୍‌ ଖାନ୍‌ ଏବେ ଯାହାଙ୍କୁ ବିବାହ କରିଛନ୍ତି, ସେ ହେଉଛନ୍ତି ପ୍ରକୃତରେ ତାଙ୍କର ଆଧ୍ୟାତ୍ମିକ ଉପଦେଷ୍ଟା ବୁସ୍‌ରା ମାନିକା ଓରଫ୍‌ ପିଙ୍କି ପିର୍‌ନି। ଏ ଆଧ୍ୟାତ୍ମିକ ବୈବାହିକ ମିଳନର ଅସଲ ଲକ୍ଷ୍ୟ କିନ୍ତୁ ହେଉଛି ସମ୍ପୂର୍ଣ୍ଣ ସାଂସାରିକ- ଇମ୍ରାନ୍‌ ଖାନ୍‌ ପାକିସ୍ତାନର ପ୍ରଧାନମନ୍ତ୍ରୀ ଆସନରେ ବସିବା। ଘଟଣାଟି ନିମ୍ନ ପ୍ରକାରର। ଇମ୍ରାନ୍‌ ଖାନ୍‌ ୧୯୯୬ରେ ‘ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌’ (ପିଟିଆଇ) ନାମକ ରାଜନୈତିକ ଦଳ ଗଠନ କରି ରାଜନୀତିରେ ପ୍ରବେଶ କରିବା ପର ଠାରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପାଇଁ ସ୍ୱପ୍ନ ଦେଖି ଚାଲିଛନ୍ତି। ଆଉ ଭାରତୀୟ ଉପମହାଦେଶର ଅଧିକାଂଶ ରାଜନେତାଙ୍କ ଭଳି ସେ ମଧ୍ୟ ଏହି ଲକ୍ଷ୍ୟ ହାସଲ ପାଇଁ ଧର୍ମୀୟ ଅନ୍ଧବିଶ୍ୱାସର ଆଶ୍ରୟ ନେଇଛନ୍ତି। ତାଙ୍କର ଉଚ୍ଛଙ୍ଖଳ ଅତୀତ ଏହାର ଠିକ୍‌ ବିପରୀତ ହୋଇଥିଲେ ମଧ୍ୟ ଇମ୍ରାନ୍‌ ତାଙ୍କର ଏହି ନୂତନ ଅବସରରେ ଗଭୀର ଧର୍ମବିଶ୍ୱାସୀ ଓ କୁସଂସ୍କାରଗ୍ରସ୍ତ ହୋଇ ପଡ଼ିଛନ୍ତି। ଆମେ ଏଠାରେ ଯେମିତି ଦେଖିଆସିଛୁ ଧୀରେନ୍ଦ୍ର ବ୍ରହ୍ମଚାରୀରୁ ଆଶାରାମ ବାପୁଙ୍କ ପରି ତଥାକଥିତ ଆଧ୍ୟାତ୍ମିକ ଗୁରୁମାନଙ୍କ କଥାରେ ରାଜନେତାମାନେ କିପରି ଉଠ୍‌ ବସ୍‌ ହୁଅନ୍ତି, ସେଠାରେ ସେମିତି ପ୍ରଧାନମନ୍ତ୍ରୀ ହେବା ଲୋଭରେ ଇମ୍ରାନ୍‌ ଖାନ୍‌ ବର୍ଷ ବର୍ଷ ଧରି ବିଭିନ୍ନ ଆଧ୍ୟାତ୍ମିକ ଉପଦେଷ୍ଟାଙ୍କ ଉପଦେଶ ପାଳନ କରି ଆସିଛନ୍ତି। ସେ କ’ଣ କରିବେ, କ’ଣ ନକରିବେ ତାହା ଏହି ତଥାକଥିତ ଆଧ୍ୟାତ୍ମିକ ଗୁରୁମାନେ ସ୍ଥିର କରନ୍ତି।

ବୁସ୍‌ରା ମାନିକା (ପିଙ୍କି ପିର୍‌ନି ନାମରେ ଅଧିକ ପରିଚିତ) ହେଉଛନ୍ତି ଇମ୍ରାନ୍‌ ଖାନ୍‌ଙ୍କୁ ଏଇଭଳି ଦିଗ୍‌ଦର୍ଶନ ଦେଉଥିବା ତାଙ୍କର ସଦ୍ୟତମ ଆଧ୍ୟାତ୍ମିକ ଗୁରୁମା। ବୁସ୍‌ରା ଖାଓ୍ଵର୍‌ ଫରିଦ୍‌ ମାନିକା ନାମକ ଜଣେ ଦୁର୍ନୀତିଗ୍ରସ୍ତ ଉଚ୍ଚ ସରକାରୀ ଅମଲାଙ୍କୁ ବିବାହ କରିଥିଲେ। ଉଭୟ ସ୍ୱାମୀ-ସ୍ତ୍ରୀ ଜଣେ ପ୍ରସିଦ୍ଧ ସୁଫିସନ୍ଥ ବାବା ଫରିଦ୍‌ ଗଞ୍ଜ ବକ୍‌ସଙ୍କର ଭକ୍ତ। ଇମ୍ରାନ୍‌ଙ୍କର ପରିତ୍ୟକ୍ତା ଦ୍ୱିତୀୟ ପତ୍ନୀ ରେହମ୍‌ ଖାନ୍‌ ଅଭିଯୋଗ କରିଛନ୍ତି ଯେ ବୁସ୍‌ରା ମାନିକା ଚକ୍ରାନ୍ତ କରି ଇମ୍ରାନ୍‌ ଓ ତାଙ୍କ ମଧ୍ୟରେ ଫାଟ ସୃଷ୍ଟି କରି ବିବାହ ବିଚ୍ଛେଦ ଘଟାଇଥିଲେ। ଯଦି ବି ତାଙ୍କର ଏ ଅଭିଯୋଗ ସତ ହୋଇଥାଏ, ତେବେ ଏତିକି ଅନ୍ତତଃ କୁହାଯାଇପାରିବ ଯେ ପିଙ୍କି ପିର୍‌ନିଙ୍କର ଏ ଚକ୍ରାନ୍ତ ମଧ୍ୟ ଥିଲା ଆଧ୍ୟାତ୍ମିକ ଶ୍ରେଣୀର। ପ୍ରଚାରିତ କାହାଣୀ ଅନୁସାରେ ପିଙ୍କି ପିର୍‌ନିଙ୍କୁ ମହାପୁରୁଷ ମହମ୍ମଦ ସ୍ୱପ୍ନରେ କହିଲେ ଯେ ଇମ୍ରାନ୍‌ ଖାନ୍‌ଙ୍କୁ ପିଙ୍କି ଯଦି ବିବାହ କରନ୍ତି, ତେବେ ଯାଇ ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ହୋଇପାରିବେ। ଆଉ ସେ ଯଦି ତାହା କରନ୍ତି, ଉଭୟ ପାକିସ୍ତାନ ଓ ଇସ୍‌ଲାମ୍‌ର ଉତ୍ତରୋତ୍ତର ଉନ୍ନତି ଘଟି ଚାଲିବ। ପିଙ୍କି ପିର୍‌ନି ତାଙ୍କର ଏ ସ୍ୱପ୍ନ ବିଷୟରେ ତାଙ୍କର ପତି ଫରିଦ୍‌ଙ୍କୁ ଜଣାଇଲେ। ଧର୍ମ ସହିତ ଦେଶ ଭକ୍ତି ମିଶିଗଲେ ଯେଉଁ ଅତ୍ୟନ୍ତ ପ୍ରଭାବଶାଳୀ ମିଶ୍ରଣ ପ୍ରସ୍ତୁତ ହୁଏ ତାହା ତ ମନୁଷ୍ୟକୁ ପ୍ରାଣବଳି ଦେବା ପାଇଁ ମଧ୍ୟ ପ୍ରବୃତ୍ତ କରିପାରେ; ପତ୍ନୀଙ୍କୁ ତ୍ୟାଗ କରିବା କିବା କଥା! ତେଣୁ ପାକିସ୍ତାନ ଓ ଇସ୍‌ଲାମ୍‌ର ମଙ୍ଗଳ ପାଇଁ ୨୦୧୭ ନଭେମ୍ବରରେ ଖାଓ୍ଵର୍‌ ଫରିଦ୍‌ ମାନିକା ତାଙ୍କ ପତ୍ନୀ ବୁସ୍‌ରା ମାନିକାଙ୍କୁ ଛାଡ଼ପତ୍ର ଦେଇ ଦେଲେ। ବିବାହ ବିଚ୍ଛେଦର କାରଣ ହେଉଛି ଆଧ୍ୟାତ୍ମିକ ବୋଲି ସେତେବେଳେ ସେ ଦର୍ଶାଇଥିଲେ। ଆମୋଦଦାୟକ ଭାବରେ ସେମାନଙ୍କର ପୁଅ ମୁସା ମାନିକା ଟେଲିଭିଜନ୍‌ରେ ପ୍ରକାଶ କରିଥିଲା ଯେ ‘ଆଲ୍ଲା ଓ ତାଙ୍କର ଦୂତ’ଙ୍କ ଆଦେଶ ଅନୁସାରେ ତା’ର ପିତା-ମାତାଙ୍କର ବିବାହ ବିଚ୍ଛେଦ ଘଟିଛି।

ଯେହେତୁ ଏ ସମ୍ପୂର୍ଣ୍ଣ ବ୍ୟାପାରକୁ ଆଧ୍ୟାତ୍ମିକ ରଙ୍ଗରେ ରଙ୍ଗା ଯାଇଛି, ସେଇ ଧାରାକୁ ବଜାୟ ରଖି ଅନ୍ଧବିଶ୍ୱାସୀ ଇମ୍ରାନ୍‌ ଖାନ୍‌ ସେମାନଙ୍କ ବିବାହ ଜାନୁଆରିରେ ହୋଇଥିବାର ସମସ୍ତ ସୂଚନା ରହିଥିଲେ ହେଁ, ତାହାର ଘୋଷଣା ପାଇଁ ଏକ ଶୁଭ ମୂହୂର୍ତ୍ତକୁ ଅପେକ୍ଷା କରି ଗତ ରବିବାର ହିଁ ତାହା ପ୍ରକାଶ କରିଥିଲେ। ଇମ୍ରାନ୍‌ ଖାନ୍‌ ତାଙ୍କର ରାଜନୀତିର ଅଂଶ ସ୍ୱରୂପ ଖାଇବର୍‌ ପାଖତୁନ୍‌ ଖ୍ଵା ଅଞ୍ଚଳର ଦୁର୍ଦ୍ଧର୍ଷ ଧର୍ମାନ୍ଧ ଚରମପନ୍ଥୀମାନଙ୍କ ସହିତ ହାତ ମିଳାଇବା ସଙ୍ଗେ ସଙ୍ଗେ ପାକିସ୍ତାନୀ ତାଲିବାନ୍‌ ଭଳି ଚରମପନ୍ଥୀ ସଂଗଠନମାନଙ୍କୁ ସମର୍ଥନ କରି ଆସିଛନ୍ତି। ଅତୀତରେ ଏମାନଙ୍କୁ ବ୍ୟବହାର କରି ସେ ଦିନ ଦିନ ଧରି ରାଜଧାନୀ ଇସଲାମାବାଦ୍‌କୁ ଅବରୋଧ କରି ରଖିବା ଦେଖାଯାଇଛି। ତାଙ୍କର ତୃତୀୟ ବିବାହରୁ ଯାହା ଜଣାପଡୁଛି ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ନିଧାର୍ଯ୍ୟ ବୋଲି ଭାବୁଛନ୍ତି ଏବଂ ଅଲୌକିକ ଶକ୍ତି ବଳରେ ଏହା ଘଟିବାକୁ ଯାଉଛି ବୋଲି ବିଶ୍ୱାସ କରୁଛନ୍ତି। ଏପରି ଜଣେ ଧର୍ମାନ୍ଧ ଅନ୍ଧବିଶ୍ୱାସୀ ବ୍ୟକ୍ତିଙ୍କର କାର୍ଯ୍ୟକଳାପ ଭଲମନ୍ଦ ହିସାବ ବା ଯୁକ୍ତି ଉପରେ ପ୍ରତିଷ୍ଠିତ ନହୋଇ ହୁଙ୍କାପିଟା ଶ୍ରେଣୀର ହେବାର ସମସ୍ତ ସମ୍ଭାବନା ରହିଛି। ଯଦି ସେ ସତରେ ପ୍ରଧାନମନ୍ତ୍ରୀ ହୁଅନ୍ତି, ଇମ୍ରାନ ଯେ ଏହାକୁ ପିଙ୍କିଙ୍କ ସ୍ୱପ୍ନାଦେଶର ଫଳ ରୂପେ ବିଚାର କରି ସମସ୍ତ ଯୌକ୍ତିକତା ଓ ହିତାହିତ ଜ୍ଞାନ ହରାଇ ବସିବେ, ଏଥିରେ ସନ୍ଦେହ ନାହିଁ। ଏହା ଦ୍ୱାରା ପାକିସ୍ତାନର ତ ଯାହା କ୍ଷତି ହେବ, ଯଦି ପିଙ୍କି କେବେ ସ୍ୱପ୍ନ ଦେଖନ୍ତି ଯେ ପାକିସ୍ତାନ ଭାରତ ଆକ୍ରମଣ କରିବା ଉଚିତ, ତେବେ ପତି ପ୍ରଧାନମନ୍ତ୍ରୀ ଇମ୍ରାନ କାଳ ବିଳମ୍ବ ନକରି ଉପମହାଦେଶକୁ ଯୁଦ୍ଧ ବିଭୀଷିକାରେ ବୁଡ଼ାଇ ଦେବେ। ପିଙ୍କିଙ୍କର ସେପରି ସ୍ୱପ୍ନ ଏଠାରେ ଯେ ଏକ ଆଣବିକ ପ୍ରଳୟ ସୃଷ୍ଟି ନକରିବ, କିଏ କହିପାରିବ? ପିଙ୍କିଙ୍କ ସ୍ୱପ୍ନ ଅନ୍ୟମାନଙ୍କ ପାଇଁ ଏଭଳି ଦୁଃସ୍ୱପ୍ନରେ ପରିଣତ ନ ହେଉ!

ସମ୍ବନ୍ଧିତ ଖବର