ଉଚିତ ଶିକ୍ଷା

0 380

କାନାଡ଼ାର ଲୋକସଂଖ୍ୟାରେ ସେଠାକାର ଭାରତୀୟ ମୂଳର ନାଗରିକମାନଙ୍କର ଅଂଶ ମାତ୍ର ୪%ରୁ ଅଧିକ ନୁହେଁ। ସେମାନଙ୍କ ମଧ୍ୟରେ ଭାରତୀୟ ମୂଳର ଶିଖ୍‌ମାନଙ୍କର ଅନୁପାତ ହେଉଛି ପୁଣି ଏହାର ପ୍ରାୟ ଅଧା। କିନ୍ତୁ କାନାଡ଼ାର ରାଜନୈତିକ ବ୍ୟବସ୍ଥା ଏପରି ଯେ ଯେଉଁ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନେ ଏକାଠି ହୋଇ କୌଣସି ପ୍ରାର୍ଥୀ ବା ଦଳକୁ ସମର୍ଥନ କରିବେ ସେମାନେ ମାତ୍ରାଧିକ ରାଜନୈତିକ ପ୍ରଭାବ ଓ ସୁବିଧାସୁଯୋଗ ଉପଭୋଗ କରିବେ। ଏଥିଯୋଗୁଁ ଭାରତ ଭଳି କାନାଡ଼ାରେ ମଧ୍ୟ କୁତ୍ସିତ ଭୋଟ୍‌ବ୍ୟାଙ୍କ୍‌ ରାଜନୀତି ଚେର ବିସ୍ତାର କରି ରହିଥିବା ଦେଖାଯାଏ। ଏହାର ଏକ ବଳିିଷ୍ଠ ପ୍ରମାଣ ସ୍ୱରୂପ ଲୋକସଂଖ୍ୟାରେ ଶିଖ୍‌ମାନଙ୍କର ଏହି କ୍ଷୁଦ୍ର ଅନୁପାତ ସତ୍ତ୍ୱେ, କାନାଡ଼ା ସରକାରରେ ସେମାନେ ସଂଖ୍ୟାଧିକ ସ୍ଥାନ ଦଖଲ କରି ରହିଛନ୍ତି। ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁଙ୍କ କ୍ୟାବିନେଟ୍‌ରେ ତେଣୁ ଚାରି ଚାରିଜଣ ମନ୍ତ୍ରୀ ହେଉଛନ୍ତି ଶିଖ୍‌; ଏମାନଙ୍କ ମଧ୍ୟରୁ ଜଣେ ମଧ୍ୟ ହେଉଛନ୍ତି କାନାଡ଼ାର ପ୍ରତିରକ୍ଷା ମନ୍ତ୍ରୀ ହରଜିତ୍‌ ସିଂହ ସଜ୍ଜନ, ଯିଏ ଜଣେ ଜଣାଶୁଣା ଖାଲିସ୍ଥାନ ସମର୍ଥକ।

କାନାଡ଼ାର ଏହି ଭୋଟ୍‌ବ୍ୟାଙ୍କ୍‌ ରାଜନୀତିର ପ୍ରଧାନ ଉପାସକ ହେଉଛି ସେଠାରେ ବର୍ତ୍ତମାନ କ୍ଷମତାରେ ଥିବା ଲିବରାଲ୍‌ ପାର୍ଟି ଏବଂ ଲିବରାଲ ପାର୍ଟି ଇତିହାସରେ ଯେଉଁ ନେତା ଭୋଟ୍‌ବ୍ୟାଙ୍କ୍‌ ରାଜନୀତିକୁ ଏକ ନୂତନ ସ୍ତରକୁ ଉଠାଇଛନ୍ତି, ସେ ହେଉଛନ୍ତି ସେ ଦେଶର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁ। ତୁଷ୍ଟୀକରଣ ରାଜନୀତିରେ ସିଦ୍ଧହସ୍ତ ଟ୍ରୁଡୁ ଥରେ ସଗର୍ବରେ ଘୋଷଣା କରିବା ଦେଖାଯାଇଥିଲା ଯେ ଶିଖ୍‌ମାନଙ୍କ ମୂଳ ଦେଶ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍‌ ଅପେକ୍ଷା ତାଙ୍କ କ୍ୟାବିନେଟ୍‌ରେ ଅଧିକ ସଂଖ୍ୟକ ଶିଖ୍‌ ଅଛନ୍ତି।

ଇତିହାସର ବର୍ତ୍ତମାନର ସନ୍ଧିକ୍ଷଣରେ ଭାରତ ପାଶ୍ଚାତ୍ୟ ଜଗତ୍‌ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟ ସ୍ଥଳରେ ପରିଣତ ହୋଇଛି। କେବଳ ପୃଥିବୀର ଅନ୍ୟତମ ଦ୍ରୁତବର୍ଦ୍ଧିଷ୍ଣୁ ବୃହତ୍‌ ଅର୍ଥନୀତି ରୂପେ ନୁହେଁ କି ବିଶାଳତମ ଗଣତନ୍ତ୍ର ରୂପେ ନୁହେଁ, ଆନ୍ତର୍ଜାତିକ ସାମରିକ ଭୂଗୋଳ ଦୃଷ୍ଟିରୁ ଭାରତ ଏଭଳି ସାମ୍ପ୍ରତିକ ଗୁରୁତ୍ୱ ହାସଲ କରିଛି। ଜଷ୍ଟିନ୍‌ ଟ୍ରୁଡୁ ଦୃଢ଼ ଭାବରେ ବିଶ୍ୱାସ କରୁଥିଲେ ଯେ କାନାଡ଼ାରେ ଭାରତୀୟ ମୂଳର ଲୋକମାନେ ଏପରି ରାଜନୈତିକ ଗୁରୁତ୍ୱ ଉପଭୋଗ କରୁଥିବାରୁ ଭାରତ ସହିତ ବନ୍ଧୁତ୍ୱ ସ୍ଥାପନ ପ୍ରତିଯୋଗିତାରେ କାନାଡ଼ା ଅନ୍ୟ ଦେଶମାନଙ୍କ ଠାରୁ ବହୁ ଅଧିକ ସୁବିଧାଜନକ ସ୍ଥିତିରେ ରହିଛି। ଏହି କାରଣରୁ ତାଙ୍କର ସଦ୍ୟସମାପ୍ତ ଲମ୍ବା ଭାରତ ଗସ୍ତରେ ଆସିବା ପୂର୍ବରୁ ସେ ନିଶ୍ଚୟ ଆଶା କରିଥିବେ ଯେ ଏଠାରେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମିଳିବ। କିନ୍ତୁ ଯେଉଁ ଭଳି ଭାବରେ ତାଙ୍କର ସପ୍ତାହବ୍ୟାପୀ ଗସ୍ତ ସମାପ୍ତ ହେଲା, ତାହା ଦେଖି ନିଃସନ୍ଦେହରେ କୁହାଯାଇପାରେ ଯେ ଜଷ୍ଟିନ୍‌ ଟ୍ରୁଡୁଙ୍କ ପାଇଁ ଏହି ଭାରତ ଗସ୍ତ ଏକ ଲମ୍ବା ଯନ୍ତ୍ରଣା ବ୍ୟତୀତ ଆଉ କିଛି ନଥିଲା।

କାନାଡ଼ାର ୪୬ ବର୍ଷୀୟ ପ୍ରଧାନମନ୍ତ୍ରୀ ଓ ତାଙ୍କର ପତ୍ନୀଙ୍କୁ ବର୍ତ୍ତମାନ ପୃଥିବୀର ସର୍ବାଧିକ ସୁଦୃଶ୍ୟ ରାଜନୈତିକ ଦମ୍ପତି ରୂପେ ବର୍ଣ୍ଣନା କରାଯାଇପାରେ। ଜଷ୍ଟିନ୍‌ ଟ୍ରୁଡୁ ମଧ୍ୟ ଦର୍ଶକଙ୍କୁ ପ୍ରଭାବିତ କରିବା ପାଇଁ ଅଭିନୟ କରିବାରେ ନରେନ୍ଦ୍ର ମୋଦୀଙ୍କ ଠାରୁ ଦି’ପାଦ ଆଗରେ। ତେଣୁ ଗସ୍ତ ସମୟରେ ବିଭିନ୍ନ ଅବସରରେ ତାଙ୍କୁ ଭାରତୀୟ ପୋଷାକ ପରିଧାନ କରିବାରୁ ଆରମ୍ଭ କରି ସ୍ୱର୍ଣ୍ଣ ମନ୍ଦିରରେ ବସି ରୁଟି ବେଲି ପକାଇବା ମଧ୍ୟ ଦେଖାଯାଇଥିଲା। ଜଷ୍ଟିନ୍‌ ଟ୍ରୁଡୁଙ୍କର ଚେହେରା, ଚରମ ଉଦାରପନ୍ଥୀ ଆଭିମୁଖ୍ୟ ଓ ଅଭିନୟ ଚାତୁରୀ ମିଶି ଏ ପର୍ଯ୍ୟନ୍ତ ତାଙ୍କର ସମସ୍ତ ବିଦେଶ ଗସ୍ତକୁ ଅତ୍ୟନ୍ତ ସଫଳ ହେବାରେ ସହାୟକ ହୋଇ ଆସିଥିଲେ। ତାଙ୍କର ଏହି ଯାଦୁ କୌଶଳ କିନ୍ତୁ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଭାବରେ ତାଙ୍କର ଭାରତ ଗସ୍ତକୁ ଏକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବିପର୍ଯ୍ୟୟରେ ସମାପ୍ତ ହେବାରୁ ରକ୍ଷା କରିପାରିନାହିଁ।

ଯାଦୁକର ଟ୍ରୁଡୁଙ୍କର ବିଫଳତାର ପ୍ରଥମ ସୁରାକ୍‌ ଦେଖିବାକୁ ମିଳିଥିଲା ସେ ଭାରତ ମାଟିରେ ପାଦ ଦେବା ମୁହୂର୍ତ୍ତଠାରୁ ହିଁ। ଉପଯୁକ୍ତ ଭଙ୍ଗୀରେ ହାତଯୋଡ଼ି ଟ୍ରୁଡୁ ଦମ୍ପତି ବିମାନରୁ ଅବତରଣ କରିବା ବେଳେ ତାଙ୍କୁ ସେଠାରେ ତାଙ୍କର ପ୍ରସିଦ୍ଧ ଆଲିଙ୍ଗନ ପାଶରେ ବାନ୍ଧିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ନଥିଲେ; ଥିଲେ ମୋଦୀ ମନ୍ତ୍ରିମଣ୍ଡଳର ଜଣେ କନିଷ୍ଠ ମନ୍ତ୍ରୀ ମାତ୍ର। ଟ୍ରୁଡୁ ଦମ୍ପତିଙ୍କର ତାଜମହଲ ଗସ୍ତ ତାଙ୍କ ପ୍ରତି ଉଦ୍ଦିଷ୍ଟ ଏହି ଅବହେଳା ସୁଚିନ୍ତିତ ଥିଲା ବୋଲି ନିଶ୍ଚିତ ରୂପେ ପ୍ରମାଣିତ କରି ଦେଇଥିଲା ଯେତେବେଳେ ଦେଖାଗଲା ସେଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଦୂରେ ଥାଉ କୌଣସି କନିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ନଥିଲେ। ସବୁ ଗୁରୁତ୍ୱପୂର୍ଣ୍ଣ ଅତିଥିମାନଙ୍କୁ ମୋଦୀ ନିଜେ ଗୁଜରାଟ ନେଇ ସାବରମତି ଆଶ୍ରମ ବୁଲାଇ ଦେଖାଇବା ଏକ ଅଲିଖିତ ନିୟମରେ ପରିଣତ ହୋଇଥିବା ବେଳେ ବିଚରା ଟ୍ରୁଡୁ ଦମ୍ପତିଙ୍କୁ ଆପଣାଛାଏଁ ସେଠାକୁ ଯିବାକୁ ପଡ଼ିଥିଲା। ଟ୍ରୁଡୁଙ୍କ ଅପମାନର ତାଲିକା ଲମ୍ବା। ଶେଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ତାଙ୍କର ଭେଟ ଓ ମିଳିତ ଇସ୍ତାହାର ଏହି ଅପମାନକୁ ଆଦୌ ଲାଘବ କରିପାରି ନାହିଁ।

ଟ୍ରୁଡୁ ଏପରି ଅପମାନ ଭୋଗ କରିବାର କାରଣ ହେଉଛି ତାଙ୍କର ତୁଷ୍ଟୀକରଣ ରାଜନୀତି। ନିଜର ଉଦାରପନ୍ଥୀ ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବା ପାଇଁ ଏବଂ ରାଜନୈତିକ ଫାଇଦା ହାସଲ ପାଇଁ ଜଷ୍ଟିନ୍‌ ଟ୍ରୁଡୁ କିପରି ବିପଜ୍ଜନକ, ଅନୈତିକ ପଦକ୍ଷେପ ନେଇ ପାରନ୍ତି ତାହା ଦେଖିବାକୁ ମିଳିଥିଲା ଯେତେବେଳେ ଆମେରିକାର ଗୁଆନ୍ତାନାମୋ ବେ’ ବନ୍ଦୀଶାଳାରୁ ୧୦ ବର୍ଷ ପରେ ମୁକୁଳିଥିବା ଅଲ୍‌ କାଏଦା ଆତଙ୍କବାଦୀ କାନାଡ଼ା ନାଗରିକ ଓମାର୍‌ ଖାଦ୍‌ରକୁ ୨୦୧୭ ଜୁଲାଇରେ ଟ୍ରୁଡୁ ସରକାର ୧୦.୫ ନିୟୁତ ଡଲାର କ୍ଷତିପୂରଣ ପ୍ରଦାନ କରିଥିଲା। ତାଙ୍କ ସରକାର ମଧ୍ୟ ଜଘନ୍ୟ ଇସଲାମୀୟ ଆତଙ୍କବାଦୀ ସଂଗଠନ ‘ଇସଲାମିକ୍‌ ଷ୍ଟେଟ୍‌’ର ସଦସ୍ୟମାନଙ୍କୁ କାନାଡ଼ାରେ ପ୍ରବେଶ କରି ବସବାସ କରିବାକୁ ସ୍ୱାଗତ କରୁଛି। ସେହିପରି ନିଜର ଉଦାର ଲିଙ୍ଗ ନିରପେକ୍ଷତା ପ୍ରଦର୍ଶନ କରିବା ପାଇଁ ସେ ହାସ୍ୟାସ୍ପଦ ଭାବରେ ମାନବଜାତିକୁ ଇଂରେଜୀରେ ‘ମ୍ୟାନ୍‌କାଇଣ୍ଡ୍‌’ ନକହି ‘ପିପୁଲ୍‌କାଇଣ୍ଡ୍‌’ ବୋଲି କୁହନ୍ତି। ତାଙ୍କର ଏହି ତୁଷ୍ଟୀକରଣ ରାଜନୀତିର ଅଂଶ ସ୍ୱରୂପ ସେ କାନାଡ଼ାରେ ବସବାସ କରୁଥିବା ପ୍ରାୟ ୫ ଲକ୍ଷ ଶିଖ୍‌ମାନଙ୍କ ମଧ୍ୟରେ ରହିଥିବା ଖାଲିସ୍ଥାନ ବିଚ୍ଛିନ୍ନତାବାଦୀ ମାନଙ୍କୁ ସକ୍ରିୟ ସହଯୋଗ ପ୍ରଦାନ କରିଆସିଛନ୍ତି, ଯେଉଁ କାରଣରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଖାଲିସ୍ଥାନ-ବିରୋଧୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ପ୍ରଥମେ ଟ୍ରୁଡୁଙ୍କୁ ସାକ୍ଷାତ ଦେବା ପାଇଁ ମନା କରିଦେଇଥିଲେ ଓ ପରେ ତାଙ୍କୁ କାନାଡ଼ାରେ ତାଙ୍କର ବାହୁଛାୟା ତଳେ ଥିବା ଖାଲିସ୍ଥାନୀ ମାନଙ୍କର ଏକ ତାଲିକା ଧରାଇ ଦେଇଥିଲେ।

ଜଷ୍ଟିନ୍‌ ଟ୍ରୁଡୁ ଯେ ୨୦୧୭ରେ ଟୋରୋଣ୍ଟୋ ଠାରେ ଅନୁଷ୍ଠିତ ଖାଲ୍‌ସା ଦିବସ ପରେଡ୍‌ରେ ଯୋଗ ଦେଇ ଭାଷଣ ଦେବା ଦେଖାଯାଇଥିଲା, କେବଳ ତାହା ନୁହେଁ ତାଙ୍କ ଗସ୍ତ ଦଳରେ ଜଶ୍‌ପାଲ୍‌ ଅଟଓ୍ଵାଲ୍‌ ନାମକ ଜଣେ ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ରହିଥିବା ମଧ୍ୟ ଆବିଷ୍କୃତ ହୋଇଥିଲା। ୯/୧୧ ପୂର୍ବର ସବୁଠାରୁ ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ରୂପେ ପରିଚିତ ଜୁନ୍‌ ୧୯୮୫ରେ କାନାଡ଼ାର ଟୋରୋଣ୍ଟୋଠାରୁ ବମ୍ବେ ଆସୁଥିବା ଏଆର୍‌ ଇଣ୍ଡିଆ ବିମାନ କନିଷ୍କର ବିସ୍ଫୋରଣ ଯେଉଁ ଖାଲିସ୍ଥାନୀ ମାନେ ଘଟାଇ ନିରୀହ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ସମେତ ୩୨୯ ଜଣଙ୍କ ପ୍ରାଣନାଶ କରିଥିଲେ ଏବଂ ଭାରତକୁ ବିକଳାଙ୍ଗ କରିବାକୁ ଯେଉଁମାନେ ଉଦ୍ୟମ ଚଳାଇଛନ୍ତି, ସେମାନଙ୍କ ସହିତ ହାତ ମିଳାଇଥିବା ଜଷ୍ଟିନ୍‌ ଟ୍ରୁଡୁଙ୍କୁ ମୋଦୀ ସରକାର ଉଚିତ ଶିକ୍ଷା ଦେଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.