ମୁହାଁମୁହିଁ

ସୁପର୍‌ଷ୍ଟାର୍‌ ଚିତ୍ର ତାରକା ଶ୍ରୀଦେବୀଙ୍କର ଅକାଳ ମୃତ୍ୟୁ ଖବର, ସେଥିପ୍ରତି ଦେଶବ୍ୟାପୀ ପ୍ରତିକ୍ରିୟା ଓ ଠିକ୍‌ ତା’ପରେ ପରେ ପ୍ରକାଶ ପାଇଥିବା ତାଙ୍କର ମୃତ୍ୟୁ ସମ୍ପର୍କିତ ନୂତନ ସୂଚନା ଦେଖି ଯଦି କେତେକ ବିଦଗ୍‌ଧ ସିନେ-ପ୍ରେମୀ ମାନଙ୍କର ୧୯୮୪ର କ୍ଲାସିକ୍‌ ମାଲୟାଲମ୍‌ ଫିଲ୍‌ମ ‘ମୁଖମ୍‌ମୁଖମ୍‌’ (ମୁହାଁମୁହିଁ) କଥା ମନେ ପଡୁଥିବ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିଂବଦନ୍ତି ନିର୍ଦ୍ଦେଶକ ଅଦୁର୍‌ ଗୋପାଳ କୃଷ୍ଣନ୍‌ଙ୍କର ଏହିି ଆନ୍ତର୍ଜାତିକ ପ୍ରଶଂସା ଲାଭ କରିଥିବା ଫିଲ୍‌ମର କାହାଣୀର ମୁଖ ଚରିତ୍ର ଶ୍ରୀଧରନ୍‌ (‘ଶ୍ରୀଦେବୀ’ ସହିତ ମେଳ ଖାଉଛି) ହେଉଛନ୍ତି ଜଣେ ଅତ୍ୟନ୍ତ ଲୋକପ୍ରିୟ କମ୍ୟୁନିଷ୍ଟ ନେତା ଏବଂ ଟ୍ରେଡ୍‌ ୟୁନିଅନ୍‌ ଆନ୍ଦୋଳନକାରୀ। ଏକ କାରଖାନା ମାଲିକଙ୍କ ହତ୍ୟା ସହିତ ତାଙ୍କୁ ଜଡ଼ିତ କରାଯିବା ପରେ ଶ୍ରୀଧରନ୍‌ ହଠାତ୍‌ ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି। ଇତିମଧ୍ୟରେ କମ୍ୟୁନିଷ୍ଟ ପାର୍ଟିରେ ବିଭାଜନ ଘଟିଯାଇଛି। ଉଭୟ ପକ୍ଷ ଶ୍ରୀଧରନ୍‌ଙ୍କ ପରି ଜଣେ ଲୋକପ୍ରିୟ ନେତାଙ୍କର ଅଭାବ ଅନୁଭବ କରୁଥିବା ବେଳେ ପ୍ରାୟ ଦଶ ବର୍ଷ ପରେ ହଠାତ୍‌ ନିରୁଦ୍ଦିଷ୍ଟ ଶ୍ରୀଧରନ୍‌ଙ୍କ ପୁନଃଆବିର୍ଭାବ ଘଟିଛି। କିନ୍ତୁ ତାଙ୍କ ଅନୁଗାମୀମାନଙ୍କର ଏଥିଯୋଗୁଁ ସୃଷ୍ଟି ହୋଇଥିବା ପ୍ରାରମ୍ଭିକ ଉଲ୍ଲାସ ଏକ ଅସ୍ୱସ୍ତିରେ ପରିଣତ ହୋଇଛି ଯେତେବେଳେ ସେମାନେ ଆବିଷ୍କାର କରିଛନ୍ତି ଯେ ଫେରିଆସିଥିବା ଶ୍ରୀଧରନ୍‌ଙ୍କ ଚେହେରା ଓ ଅନ୍ତର୍ଦ୍ଧାନ ହୋଇଯାଇ ଥିବା ଶ୍ରୀଧରନ୍‌ଙ୍କ ଚେହେରା ସ୍ଥଳ ଦୃଷ୍ଟିରେ ଏକା ହୋଇଥିଲେ ହେଁ, ସୂକ୍ଷ୍ମ ଦୃଷ୍ଟିରେ ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଇଛି। ଫେରିଆସିଥିବା ଶ୍ରୀଧରନ୍‌ ହୋଇପଡ଼ିଛନ୍ତି ଏକ ସମ୍ପୂର୍ଣ୍ଣ ନିଶାସକ୍ତ ମଦ୍ୟପ। ଦଳ ପାଇଁ ତେଣୁ ଏକ ଅଡୁଆରେ ପରିଣତ ହୋଇ ପଡ଼ିଥିବା ପୂର୍ବର ଏହି ଲୋକପ୍ରିୟ ନେତାଙ୍କୁ ସମସ୍ତେ ଆଡ଼ ହେବା ଆରମ୍ଭ କରି ଦେଇଛନ୍ତି। ଅବଶ୍ୟ ଏହି ସମୟରେ କୌଣସି ଅଜ୍ଞାତ ଆତତାୟୀ ଶ୍ରୀଧରନଙ୍କୁ ହତ୍ୟା କରିବା ପରେ ଦଳର ଉଭୟ ପକ୍ଷ ତାଙ୍କୁ ସହିଦ ବୋଲି ଘୋଷଣା କରି ତାଙ୍କର ମୃତ ଶରୀରକୁ ଶୋଭାଯାତ୍ରାରେ ନେବାକୁ ଉଦ୍ୟମ କରିଛନ୍ତିି।

ଶ୍ରୀଦେବୀଙ୍କର ମୃତ୍ୟୁ ଖବର ଯେତେବେଳେ ପ୍ରଥମେ ପ୍ରଚାରିତ ହେଲା, କୁହାଗଲା ଯେ ହୃଦ୍‌ଘାତରେ ତାଙ୍କର ହଠାତ୍‌ ମୃତ୍ୟୁ ଘଟିଛି। ମାତ୍ର ୫୪ ବର୍ଷ ବୟସରେ ଈଶ୍ୱର ବା ଯମରାଜ ତାଙ୍କ ଭଳି ଜଣେ ସୁପର୍‌ଷ୍ଟାର୍‌ଙ୍କୁ ନେଇଯାଇ ଯେ ଘୋର ଅନ୍ୟାୟ କରିଛନ୍ତି, ତାହାହିଁ ଥିଲା ତାଙ୍କର ଅଗଣିତ ପ୍ରଶଂସକଙ୍କର ତତ୍‌କ୍ଷଣାତ୍‌ ପ୍ରତିକ୍ରିୟା। ମାତ୍ର ଚାରି ବର୍ଷ ବୟସରୁ ଅଭିନୟ ଆରମ୍ଭ କରି କୋଟି ହୃଦୟକୁ ଜୟ କରିଥିବା ଏଭଳି ଜଣେ କଳାକାରଙ୍କର ଅକାଳ ବିୟୋଗ ଘଟାଇ ଈଶ୍ୱର ବସ୍ତୁତଃ ଜଣେ ଭିଲେନ୍‌ରେ ପରିଣତ ହୋଇଥିଲେ। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ଅସଂଖ୍ୟ ଅନୁରାଗୀ ନିଜ ନିଜ ଢଙ୍ଗରେ ଶ୍ରୀଦେବୀଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। (ଅବଶ୍ୟ ଶ୍ରୀଦେବୀ ହଠାତ୍‌ ସବୁ ପ୍ରକାର ଗଣମାଧ୍ୟମକୁ ଶତପ୍ରତିଶତ ଚବିଶ ଘଣ୍ଟା ଦଖଲ କରି ‘ନିରବ ଝଡ଼’ର ଯେଉଁଭଳି ଅବସାନ ଘଟାଇଥିଲେ, ତାହା ସମ୍ପୃକ୍ତ ସମସ୍ତଙ୍କୁ ତାଙ୍କ ପ୍ରତି ଅଧିକ କୃତଜ୍ଞ କରି ତୋଳିଥିବ।) ଜନମାନସରୁ ପ୍ରାୟ ଅପସରି ଯାଇଥିବା ଭାରତର ଏହି ସର୍ବପ୍ରଥମ ସୁପର୍‌ଷ୍ଟାର୍‌ ଅଭିନେତ୍ରୀ ବିଧିର ନିଷ୍ଠୁରତା ଯୋଗୁଁ ପୁଣି ସିନେମା ପାଗଳ ଭାରତୀୟମାନଙ୍କର ହୃଦୟ ସିଂହାସନ ଶେଷଥର ପାଇଁ ଦଖଲ କରି ନେଇଥିଲେ। ଶ୍ରୀଦେବୀଙ୍କର ଏହି ଅନ୍ତିମ ଯାତ୍ରାର ଟ୍ରାଜିକ୍‌ କାହାଣୀଟି ଏହିପରି ଉଚିତ ମାର୍ଗରେ ଯାଉଥିବା ବେଳେ ହଠାତ୍‌ ତାହାକୁ ଏକ ଅନୁଚିତ ମୋଡ଼ ଦେଇ ଦେଇଛି ଦୁବାଇ ପୁଲିସ୍‌। ଶ୍ରୀଦେବୀଙ୍କ ହୃଦ୍‌ଘାତ ଯୋଗୁଁ ଅକାଳ ମୃତ୍ୟୁ ଘଟିଛି ବୋଲି ଗଣମାଧ୍ୟମମାନେ ପ୍ରଚାର କରିବାର ଦିନକ ପରେ ଦୁବାଇ ପୁଲିସ୍‌ ତାହାର ଫୋରେନ୍‌ସିକ୍‌ ଅନୁସନ୍ଧାନ ଫଳାଫଳକୁ ଭିତ୍ତି କରି ପ୍ରକାଶ କଲା ଯେ ହୋଟେଲ୍‌ର ବାଥ୍‌ରୁମ୍‌ରେ ଥିବା ପାଣିଭର୍ତ୍ତି ବାଥ୍‌ ଟବ୍‌ରେ ଅଚାନକ ବୁଡ଼ିଯିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ଦୁବାଇ ପୁଲିସ୍‌ର ଏହି ରିପୋର୍ଟ ଶ୍ରୀଦେବୀଙ୍କର ଅକାଳ ମୃତ୍ୟୁରେ ଈଶ୍ୱରଙ୍କର ସିଧାସଳଖ ହାତ ନାହିଁ ବୋଲି ଯଦି ସୂଚାଇ ଥାଏ, ସେଇ ରିପୋର୍ଟରେ ଥିବା ଅନ୍ୟ ଏକ ସୂଚନା ଯାହା ସାବ୍ୟସ୍ତ କରିଥାଏ, ତାହା ହେଲା ନିଜର ମୃତ୍ୟୁ ପାଇଁ ଶ୍ରୀଦେବୀ ନିଜେ ହିଁ ଦାୟୀ। ବର୍ତ୍ତମାନ ବହୁଳ ପ୍ରସାରିତ ଦୁବାଇ ପୁଲିସ୍‌ର ଏହି ଅନ୍ୟ ସୂଚନାଟି ହେଲା ଶ୍ରୀଦେବୀଙ୍କ ରକ୍ତରେ ଆଲ୍‌କହଲ୍‌ (ମଦ)ର ଉପସ୍ଥିତି ଦେଖିବାକୁ ମିଳିଛି। କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଶ୍ରୀଦେବୀଙ୍କ ରକ୍ତରେ ମିଳିଥିବା ଏହି ଆଲ୍‌କହଲ୍‌ ଛାପର ଅନୁପାତ ମଧ୍ୟ ବେଶ୍‌ ଉଚ୍ଚା ଥିଲା। କହିବା ବାହୁଲ୍ୟ ଦୁବାଇ ପୁଲିସ୍‌ର ଏହି ସ୍ପଷ୍ଟୀକରଣ ହଠାତ୍‌ ଶ୍ରୀଦେବୀଙ୍କୁ ପରିଣତ କରିଦେଇଛି ମୁଖମ୍‌ମୁଖମ୍‌ର ଫେରି ଆସିଥିବା ଶ୍ରୀଧରନ୍‌ରେ। ରକ୍ତରେ ଉଚ୍ଚ ଆଲ୍‌କହଲ୍‌ ଉପସ୍ଥିତିର ସରଳ ଅର୍ଥ ହେଲା ଶ୍ରୀଦେବୀ ଅତିରିକ୍ତ ମଦ୍ୟ ପାନ କରି ଶରୀରର ଭାରସାମ୍ୟ ରକ୍ଷା କରି ନପାରି ବାଥ୍‌ ଟବ୍‌ରେ ପଡ଼ିଯାଇ ବୁଡ଼ି ମରିଥିଲେ।

ତେବେ ଯଦି ଏହା ସତ୍ୟ ହୋଇଥାଏ, ଏହି କାରଣରୁ ଶ୍ରୀଦେବୀଙ୍କର ଅସଂଖ୍ୟ ଅନୁରାଗୀମାନେ ବର୍ତ୍ତମାନ ଭଗ୍ନମନୋରଥ ହେବା ଉଚିତ ନୁହେଁ। ହୁଏତ ଶ୍ରୀଦେବୀ ତାଙ୍କର ଶୃଙ୍ଖଳିତ ଜୀବନ ଶୈଳୀ ପାଇଁ ବାହାରେ ଜଣାଶୁଣା ଥିଲେ; କିନ୍ତୁ ବ୍ୟକ୍ତିଗତ ଜୀବନରେ ହୁଏତ ତାଙ୍କର ଏକ ଭିନ୍ନ ଚେହେରା ଯେ ନଥିବ, କିଏ କହିବ? ହୁଏତ ଜୀବନର ଅନ୍ତିମ ସମୟରେ ଏ ଦୁଇ ଚେହେରା ଏବେ ଶେଷରେ ମୁହାଁମୁହିଁ ହୋଇଛନ୍ତି। ସତ କହିବାକୁ ଗଲେ ନିଶାଗ୍ରସ୍ତ ଅବସ୍ଥାରେ ବାଥ୍‌ରୁମ୍‌ରେ ଅସ୍ୱାଭାବିକ ଭାବରେ ପ୍ରାଣ ହରାଇବାରେ ଶ୍ରୀଦେବୀ ପୃଥିବୀର ପ୍ରଥମ ସେଲିବ୍ରିଟି ନୁହନ୍ତି। ଯୁଗ ଯୁଗ ଧରି ଶହ ଶହ ଏପରି ଘଟଣାରେ ସେଲିବ୍ରିଟି ଇତିହାସ ଭରପୂର। ଆମେରିକୀୟ ପପ୍‌ ସୁପର୍‌ଷ୍ଟାର୍‌ ଏଲଭିସ୍‌ ପ୍ରେସ୍‌ଲିଙ୍କ ଅକାଳ ମୃତ୍ୟୁ ସହିତ ସାରା ପୃଥିବୀର ଲୋକମାନଙ୍କ ଭଳି ଭାରତୀୟମାନେ ମଧ୍ୟ ସୁପରିଚିତ। ବାଥ୍‌ରୁମ୍‌ରୁ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯିବା ପରେ ଯଦିବା ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି କାରଣ ଦର୍ଶାଯାଇଥିଲା, ଅସଲରେ ହୃଦ୍‌ଘାତର କାରଣ ଥିଲା ସେ ସେବନ କରିଥିବା ମାତ୍ରାଧିକ ପରିମାଣର ବାର୍‌ବିଚୁରେଟ୍‌ସ ଡ୍ରଗ୍‌। ଆଉ ଏକ ସେହିଭଳି ପ୍ରସିଦ୍ଧ ମୃତ୍ୟୁ ଥିଲା ଅତ୍ୟନ୍ତ ଲୋକପ୍ରିୟ ପିଲାଙ୍କ କାହାଣୀ ‘ଓ୍ଵିଜାର୍ଡ ଅଫ୍‌ ଓଜ୍‌’ରେ ଡୋରୋଥି ଭୂମିକାରେ ଅଭିନୟ କରି ଅଗଣିତ ଦର୍ଶକଙ୍କ ମନ ମୋହିଥିବା ଅଭିନେତ୍ରୀ ଜୁଡି ଗୀର୍ଲାଣ୍ଡ୍‌ଙ୍କର। ସେଠାରେ ମଧ୍ୟ ସେହି ବାଥ୍‌ରୁମ୍‌ ଓ ବାର୍‌ବିଚୁରେଟ୍‌ସର ମିଳନ ଦେଖିବାକୁ ମିଳିଥିଲା। ଏଣୁ ଯଦିବା ମଦ୍ୟପାନ ଯୋଗୁଁ ଶ୍ରୀଦେବୀଙ୍କର ବାଥ୍‌ ଟବ୍‌ ଦୁର୍ଘଟଣା ଘଟିଥାଏ, ଏଥିରେ ଆଶ୍ଚର୍ଯ୍ୟ ବା ଭଗ୍ନମନୋରଥ ହେବାର କୌଣସି କାରଣ ନାହିଁ। ଆଉ ସତେ ଯେମିତି ଶ୍ରୀଧରନ୍‌ଙ୍କ ମୃତ୍ୟୁ ସହିତ ମେଳ ଖୁଆଇବା ପାଇଁ ସୁବ୍ରମନିଅନ୍‌ ସ୍ୱାମୀ ସିଧାସଳଖ ଅଭିଯୋଗ କଲେଣି ଯେ ଶ୍ରୀଦେବୀଙ୍କୁ ପ୍ରକୃତରେ ହତ୍ୟା କରାଯାଇଛି!

ସମ୍ବନ୍ଧିତ ଖବର