ପାହାଡ଼ ପଦ୍ମମୟ

ଉତ୍ତର-ପୂର୍ବାଞ୍ଚଳର ପାହାଡ଼ିଆ ଇଲାକା ପଦ୍ମମୟ ହୋଇଯାଇଛି। ପୂର୍ବୋତ୍ତରର ‘ପ୍ରବେଶ ଦ୍ୱାର’ କୁହାଯାଉଥିବା ଆସାମରେ ପ୍ରଥମେ ପଦ୍ମ ଫୁଟାଇଥିବା ବିଜେପି ‘ସାତ ଭଉଣୀ’ ରାଜ୍ୟ ସମୂହର ଗୋଟିଏ ପରେ ଗୋଟିଏ ପ୍ରଦେଶରେ ହିନ୍ଦୁତ୍ୱର ପ୍ରଭାବ ବିସ୍ତାର କରି ଚାଲିଛି। ଗତବର୍ଷ ମଣିପୁର ଦଖଲ ପରେ ସଦ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ତିନିଟି ରାଜ୍ୟ- ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ଉଜ୍ଜ୍ୱଳ ପ୍ରଦର୍ଶନ ସହ ବିଜେପି ଉତ୍ତର ପୂର୍ବରେ ତା’ର ସଂପ୍ରସାରଣ ଅଭିଯାନକୁ ତ୍ୱରାନ୍ଵିତ କରିଛି। ତ୍ରିପୁରା ଓ ନାଗାଲାଣ୍ଡରେ ଗୈରିକ ଦଳର ସରକାର ଗଠନ ନିଶ୍ଚିତ ହୋଇ ଯାଇଥିବା ବେଳେ ମେଘାଳୟରେ ବିଜେପି ସମର୍ଥିତ ଅଣ-କଂଗ୍ରେସ ସରକାର ଗଠନର ସମ୍ଭାବନାକୁ ଅସ୍ୱୀକାର କରାଯାଇ ପାରୁନାହିଁ। ଉତ୍ତର-ପୂର୍ବର ତିନିଟି ରାଜ୍ୟର ନିର୍ବାଚନ ଫଳାଫଳ ଗୋଟିଏ ପକ୍ଷରେ ଏକ ଜାତୀୟ ଦଳ ଭାବେ ବିଜେପିର ମାନ୍ୟତାକୁ ଅଧିକ ଦୋରସ୍ତ କରିବା ସହ ଏହାର ପ୍ରଭାବ କ୍ଷେତ୍ରକୁ ଆହୁରି ବ୍ୟାପକ କରିଛି। ଦେଶର ୨୧ଟି ରାଜ୍ୟ ବର୍ତ୍ତମାନ ବିଜେପି ଶାସନାଧୀନ। ଅନ୍ୟପକ୍ଷରେ ଅବକ୍ଷୟମୁଖୀ ସର୍ବପୁରାତନ ଦଳ କଂଗ୍ରେସ ପାଇଁ ଉତ୍ତର-ପୂର୍ବର ଫଳାଫଳ ଦାରୁଣ ବିପର୍ଯ୍ୟୟ ଆଣିଛି ଏବଂ ବାମପନ୍ଥୀଙ୍କୁ ଜାତୀୟ ରାଜନୀତିରେ ଆହୁରି ଅଧିକ ଗୌଣ କରି ଦେଇଛି।

ଉତ୍ତର ପୂର୍ବରେ ବିଜେପିର ସଦ୍ୟତମ ବିଜୟ ଅଭିଯାନର ଉଜ୍ଜ୍ଵଳତମ ଅଧ୍ୟାୟଟି ହେଲା ବିଗତ ପଚିଶ ବର୍ଷ ଧରି ବାମପନ୍ଥୀ ଶାସିତ ତ୍ରିପୁରା ଦଖଲ। ପାଞ୍ଚବର୍ଷ ତଳେ ୨୦୧୩ ବିଧାନସଭା ନିର୍ବାଚନରେ ବିଜେପି ଏହି ବାମଗଡ଼ରେ ଖାତା ସୁଦ୍ଧା ଖୋଲି ପାରି ନଥିଲା। ଦଳର ଭୋଟ ଶତାଂଶ ଥିଲା ମାତ୍ର ୧.୫ ପ୍ରତିଶତ। କିନ୍ତୁ ଏଥର ଷାଠିଏ ଜଣିଆ ବିଧାନସଭାରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି। ମତଦାନ ହୋଇଥିବା ୫୯ ଆସନରୁ ବିଜେପି ୩୫ରେ ବିଜୟୀ ହୋଇଥିିବା ବେଳେ ଏହାର ସହଯୋଗୀ ଆଇପିଏଫ୍‌ଟି ୮ ଆସନରେ ଜୟଯୁକ୍ତ ହୋଇଛି। ମୁଖ୍ୟତଃ ତ୍ରିପୁରାର ମୂଳବାସିନ୍ଦା ଆଦିବାସୀଙ୍କ ମଧ୍ୟରେ ଜନାଧାର ଥିବା ନବଗଠିତ ଇଣ୍ଡିଜେନସ୍‌ ପିପୁଲ୍‌ସ ଫ୍ରଣ୍ଟ ଅଫ୍‌ ତ୍ରିପୁରା ସହ ମେଣ୍ଟ ବାମପନ୍ଥୀ ଦୁର୍ଗକୁ ଧରାଶାୟୀ କରିବାରେ ବିଜେପିକୁ ସହାୟକ ହୋଇଛି। ଉଭୟ ବଙ୍ଗାଳି ଓ ଆଦିବାସୀଙ୍କ ସମର୍ଥନରେ ହିନ୍ଦୁତ୍ୱ ଦଳ ସଫଳତାର ଇମାରତ ଛିଡ଼ା କରିଛି। ଅବଶ୍ୟ ପରସ୍ପରର ସ୍ୱାର୍ଥ ବିରୋଧୀ ବଙ୍ଗାଳି ଓ ଆଦିବାସୀଙ୍କ ମଧ୍ୟରେ ଭାରସାମ୍ୟ ରକ୍ଷା ବିଜେପି ପାଇଁ ଏକ ଆହ୍ଵାନ ହେବ। ଆଗାମୀ ଦିନରେ ଆହ୍ଵାନ ଆସିପାରେ। କିନ୍ତୁ ବର୍ତ୍ତମାନ ପାଇଁ ବିଜେପିର ବିଜୟ ଯେ ଚମକପ୍ରଦ- ଏଥିରେ କୌଣସି ସନ୍ଦେହ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷାରେ ତ୍ରିପୁରାରେ ଏହି ‘ଶୂନ୍ୟସେ ଶିଖର ତକ’ ସଫଳତାର ମୁଖ୍ୟ ଶ୍ରେୟ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ଯିବ। ଅନ୍ୟପକ୍ଷରେ ୨୦୧୩ରେ ଷାଠିଏରୁ ପଚାଶ ଆସନ ହାସଲ କରିଥିବା ବାମପନ୍ଥୀଙ୍କ ଆସନ ୧୬ରେ ସୀମିତ ରହିଯାଇଛି। ସବୁଠାରୁ ଶୋଚନୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦୁଇଥର ସରକାର ଗଢ଼ିିଥିବା ଓ ବିଗତ ୨୫ ବର୍ଷ ଧରି ମୁଖ୍ୟ ବିରୋଧୀ ଦଳ ସ୍ଥାନରେ ଥିବା କଂଗ୍ରେସ। ଗତଥର ଦଶ ଆସନରେ ବିଜୟୀ କଂଗ୍ରେସର ଖାତା ଏଥର ଶୂନ।

ତ୍ରିପୁରାରେ ପଚିଶ ବର୍ଷ ବାମପନ୍ଥୀ ଶାସନର ଅନ୍ତ ଘଟାଇ କ୍ଷମତା ଦଖଲ ବିଜେପି ପାଇଁ ଯେତେ ଗୋଟିଏ ବଡ଼ ସଫଳତା ନୁହେଁ, ବାମପନ୍ଥୀଙ୍କ ବିରୋଧରେ ଆଦର୍ଶଗତ ବିଜୟ ତା’ଠାରୁ ବଡ଼ ଏକ ସଫଳତା। ଦକ୍ଷିଣ ପନ୍ଥୀ ଶକ୍ତିର ପ୍ରତିନିଧି ଭାବେ ବିଜେପି ଏବଂ ବାମପନ୍ଥୀ ଆଦର୍ଶର ପ୍ରତିନିଧିତ୍ୱ କରୁଥିବା ସିପିଏମ୍‌ ନେତୃତ୍ୱାଧୀନ ବାମମେଣ୍ଟ ମଧ୍ୟରେ ଚାଲିଥିବା ଲଢ଼େଇରେ ତ୍ରିପୁରା ଜନାଦେଶ ଦକ୍ଷିଣପନ୍ଥୀଙ୍କ ପଲାକୁ ଭାରି କରିଦେଇଛି। ଫଳରେ ଭାରତୀୟ ରାଜନୀତିରେ ବାମପନ୍ଥୀଙ୍କ ପ୍ରାସଙ୍ଗିକତା ଏବଂ ଅସ୍ତିତ୍ୱର ସଙ୍କଟ ଅଧିକ ଘନୀଭୂତ ହୋଇଛି। ବର୍ତ୍ତମାନ ବାମପନ୍ଥୀ କ୍ଷମତାରେ ଥିବା ଏକମାତ୍ର ରାଜ୍ୟ ହେଉଛି କେରଳ। ଉଲ୍ଲେଖନୀୟ, ଯେଉଁ ପଶ୍ଚିମବଙ୍ଗରେ ଦୀର୍ଘ ତିନି ଦଶକରୁ ଊର୍ଦ୍ଧ୍ୱ କାଳ ଧରି ବାମପନ୍ଥୀ ସାମ୍ମୁଖ୍ୟ ଶାସନରେ ଥିଲା, ସେଠାରେ ମଧ୍ୟ କମ୍ରେଡ଼ମାନେ ମୁଖ୍ୟ ବିରୋଧୀ ଶକ୍ତିର ମାନ୍ୟତା ହରାଇବାକୁ ବସିଛନ୍ତି। ଆଞ୍ଚଳିକ ଦଳ ତୃଣମୂଳ ବିପକ୍ଷରେ ବାମପନ୍ଥୀ ଓ କଂଗ୍ରେସକୁ ପଛକୁ ଠେଲି ପଶ୍ଚିମବଙ୍ଗରେ ବିଜେପି ଦୁଇ ନମ୍ବର ରାଜନୈତିକ ଶକ୍ତି ଭାବେ ଉଭା ହୋଇଛି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟିପ୍ପଣୀ ‘କଂଗ୍ରେସ ମୁକ୍ତ ଭାରତ ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ, କିନ୍ତୁ ବାମପନ୍ଥୀ ମୁକ୍ତ ଭାରତ ଲକ୍ଷ୍ୟ ହାସଲ ହୋଇଛି’ ବିଶେଷ ଅପ୍ରାସଙ୍ଗିକ ମନେ ହେଉନାହିଁ।

ତ୍ରିପୁରାରେ ଚମକପ୍ରଦ ବିଜୟ ସହ କ୍ଷମତା ଦଖଲ ପରେ ନାଗାଲାଣ୍ଡରେ ମଧ୍ୟ ଆଞ୍ଚଳିକ ଦଳ ଏନ୍‌ଡିପିପି ଓ ଅନ୍ୟ ସହଯୋଗୀଙ୍କ ସହ ବିଜେପି ମିଳିତ ସରକାର ଗଢ଼ିବାକୁ ଯାଉଛି। ଷାଠିଏ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏନ୍‌ଡିପିପି-ବିଜେପି ମେଣ୍ଟକୁ ୩୦ ଆସନ ମିଳିଛି। ଜଣେ ସ୍ୱାଧୀନଙ୍କ ସମର୍ଥନ ସରକାର ଗଠନ ଲାଗି ଯଥେଷ୍ଟ। କ୍ଷମତାରେ ଥିବା ଏନ୍‌ପିଏଫ୍‌ ୨୮ଟି ଆସନ ପାଇଛି। ନାଗାଲାଣ୍ଡରେ ମଧ୍ୟ କଂଗ୍ରେସକୁ ତ୍ରିପୁରା ଭଳି ଦଶା ଭୋଗିବାକୁ ପଡ଼ିଛି। ସର୍ବପୁରାତନ ଦଳର ଭାଗରେ ଗୋଟିଏ ବି ବିଧାନସଭା ଆସନ ପଡ଼ିନାହିଁ। ଗତ ବିଧାନସଭାରେ ଦଳର ୬ ସଦସ୍ୟ ଥିଲେ। ଅବଶ୍ୟ, ଏକଦା ପୂରା ପୂର୍ବୋତ୍ତରରେ ଏକଚାଟିଆ ପ୍ରାଧାନ୍ୟ ଥିବା ସର୍ବପୁରାତନ ଦଳ କଂଗ୍ରେସର ବିପର୍ଯ୍ୟୟର କାହାଣୀ ଏତିକିରେ ସରୁନାହିଁ। ଗତ ପାଞ୍ଚବର୍ଷ କ୍ଷମତାରେ ଥିବା ମେଘାଳୟରେ ଦଳ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ପାଇବାରେ ବିଫଳ ହୋଇଛି। ଝୁଲା ବିଧାନସଭାରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିଲେ ସୁଦ୍ଧା ରାଜ୍ୟରେ ପୁନର୍ବାର କଂଗ୍ରେସ ସରକାର ଗଠନ ନିଶ୍ଚିତ ନୁହେଁ। ସରକାର ଗଠନ ପାଇଁ କଂଗ୍ରେସ ସହଯୋଗୀ ତଲାସରେ ଥିବା ବେଳେ ମାତ୍ର ଦୁଇଟି ଆସନ ହାସଲ କରିଥିବା ବିଜେପି ପକ୍ଷରୁ ସେଠାରେ ଏକ ଅଣ-କଂଗ୍ରେସ ସରକାର ଗଠନ ପାଇଁ ଜୋରସୋର ଉଦ୍ୟମ ସମସ୍ୟାକୁ ଅଧିକ ଜଟିଳ କରି ଦେଇଛି। କଂଗ୍ରେସର ୨୧ ଆସନ ପରେ ୧୯ ଆସନ ସହ ଦ୍ୱିତୀୟ ବୃହତ୍ତମ ଦଳ ଭାବେ ଉଭା ହୋଇଥିବା ପୂର୍ବତନ ଲୋକସଭା ବାଚସ୍ପତି ସ୍ୱର୍ଗତ ପି.ଏ. ସାଙ୍ଗ୍‌ମାଙ୍କ ସ୍ଥାପିତ ଦଳ ଏନ୍‌ପିପି ଅନ୍ୟ ଛୋଟ ଦଳ, ସ୍ୱାଧୀନ ଓ ବିଜେପି ସମର୍ଥନରେ ସରକାର ଗଢ଼ିବା ସମ୍ଭାବନାକୁ ଏଡ଼ାଯାଇ ନପାରେ।

ମେଘାଳୟରେ ସରକାର ଗଠନ ନେଇ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏହାର ଅନ୍ତିମ ପରିଣାମ ଯାହା ବି ହେଉ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ପୂର୍ବୋତ୍ତରର ତିନିଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଜାତୀୟ ରାଜନୀତିରେ ବିଜେପିର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଏକ ସର୍ବଭାରତୀୟ ରାଜନୈତିକ ଦଳ ଭାବେ ଏହାର ପ୍ରତିଷ୍ଠା ବଢ଼ାଇଛି, ପତିଆରାକୁ ଅଧିକ ବ୍ୟାପକ କରିଛି। ଅନ୍ୟପକ୍ଷରେ କଂଗ୍ରେସର ପ୍ରତିଷ୍ଠା ଓ ପତିଆରା ଯଥେଷ୍ଟ କ୍ଷୁଣ୍ଣ ହୋଇଛି ଓ ବାମପନ୍ଥୀଙ୍କ ଅସ୍ତିତ୍ୱ ସଂକଟର ପଦଧ୍ୱନି ଅଧିକ ସ୍ପଷ୍ଟ ଶୁଣାଯାଉଛି। ପୂର୍ବୋତ୍ତରର ଜନାଦେଶରେ କଂଗ୍ରେସ ଓ ବାମପନ୍ଥୀଙ୍କ ପାଇଁ ଦୁଇଟି ପୃଥକ୍‌ ପୃଥକ୍‌ ବାର୍ତ୍ତା ଅଛି। କଂଗ୍ରେସ ପାଇଁ ସନ୍ଦେଶ ହେଲା, ପୁନରୁଦ୍ଧାର ରାସ୍ତାରେ ବର୍ତ୍ତମାନ ବି ଦଳ ପାଦ ଠିକ୍‌ସେ ଥାପି ପାରି ନାହିଁ। ଯଦି ଦିଲ୍ଲୀ ସ୍ୱପ୍ନ ଦେଖୁଛ, ତେବେ ପ୍ରଥମେ ରାଜ୍ୟ ଗୁଡ଼ିକର ସ୍ଥିତି ମଜବୁତ୍‌ କର। ବାମପନ୍ଥୀଙ୍କ ପାଇଁ ବାର୍ତ୍ତା ହେଲା ଜାତୀୟ ରାଜନୀତିରେ ଅସ୍ତିତ୍ୱ ଓ ପ୍ରାସଙ୍ଗିକତା ବଜାୟ ରଖିବା ଲାଗି କମ୍ରେଡ୍‌ମାନେ ନିଜେ ନିଜକୁ ପୁନଃ ଆବିଷ୍କାର କରନ୍ତୁ। ସମଭାବାପନ୍ନ ଦଳ, ବିଶେଷକରି କଂଗ୍ରେସ ସହ ବୁଝାମଣା ନେଇ ଦ୍ୱନ୍ଦ୍ୱର ସମାଧାନ ଆବଶ୍ୟକ। ଅନ୍ୟ ଦଳଙ୍କ ପାଇଁ ମଧ୍ୟ ବାର୍ତ୍ତା ଅଛି। ଆଞ୍ଚଳିକ ବିକାଶ, ବେକାରି ସମସ୍ୟାର ସମାଧାନ ଓ ଯୁବବର୍ଗର ଆଶା-ଆକାଂକ୍ଷାର ପୂରଣ ପ୍ରତି ଗୁରୁତ୍ୱ ନଦେଲେ ଭୋଟରଙ୍କ ଆକ୍ରୋଶ ପରିବର୍ତ୍ତନକୁ ଆବାହନ କରିବ।

ସମ୍ବନ୍ଧିତ ଖବର