ଟାଙ୍ଗିଆ ଚୋଟ

୨୦୧୬ ନଭେମ୍ବରରେ ଭାରତରେ ପ୍ରୟୋଗ କରାଯାଇଥିବା ବିମୁଦ୍ରୀକରଣ ସାଧାରଣତଃ ଏକ ମୁକ୍ତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସହିତ ଖାପ ଖାଇ ନଥାଏ। କୌଣସି ଏକଛତ୍ରବାଦୀ ଶାସନ ବ୍ୟବସ୍ଥା ସହିତ ଏହା ଅଧିକତର ଖାପ ଖାଇଥାଏ। ତେଣୁ ଭାରତରେ ନରେନ୍ଦ୍ର ମୋଦୀ ସରକାର ସୃଷ୍ଟି କରିଥିବା ବିରଳ ଉଦାହରଣ ଦ୍ୱାରା ଉତ୍ସାହିତ ହୋଇ ଦକ୍ଷିଣ ଆମେରିକାର ବହୁ ନିନ୍ଦିତ ଏକଛତ୍ର ଶାସକ ନିକୋଲାସ୍‌ ମାଦୁରୋ ଯେତେବେଳେ ଘୋର ଅର୍ଥନୈତିକ ସଂକଟରେ ପଡ଼ିଥିବା ନିଜ ଦେଶ ଭେନେଜୁଏଲାରେ କଳାଧନ ସଫା କରିବା ପାଇଁ ବିମୁଦ୍ରୀକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ବୋଲି ଘୋଷଣା କଲେ, ସେତେବେଳେ କେହି ଆଶ୍ଚର୍ଯ୍ୟ ହୋଇ ନଥିଲେ। କିନ୍ତୁ ପରେ ପରେ ଭେନେଜୁଏଲାର ମନମୁଖୀ ସରକାର ମଧ୍ୟ ସାହସ ହରାଇ ଏହି ବିପଦସଂକୁଳ ନିଷ୍ପତ୍ତିରୁ ଓହରି ଯାଇଥିଲା।

ଏହା ଯେ ଏକ ବୁଦ୍ଧିମାନ ନିଷ୍ପତ୍ତି ଥିଲା, ପରେ ଭାରତରେ ବିମୁଦ୍ରୀକରଣର ଫଳାଫଳ ଦେଖି ସେମାନେ ନିଶ୍ଚିତ ରୂପେ ତାହା ଅନୁଭବ କରିଥିବେ। ଭାରତରେ ବିମୁଦ୍ରୀକରଣ ପରେ ଅର୍ଥନୀତିରେ ଥିବା ପ୍ରାୟ ସମସ୍ତ ଅଚଳ କରି ଦିଆଯାଇଥିବା ଟଙ୍କା ବ୍ୟାଙ୍କ୍‌ ବ୍ୟବସ୍ଥା ଭିତରକୁ ଫେରି ଆସି ସରକାରଙ୍କର କଳାଧନ ଲୋପ ଲକ୍ଷ୍ୟକୁ ବିଫଳ କରି ଦେଲା, କେବଳ ତାହା ନୁହେଁ, ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ଏପରି ବ୍ୟାହତ କଲା ଯେ ସେବେଠାରୁ ଆର୍ଥିକ ବର୍ଷର ପ୍ରତ୍ୟେକ ଚଉଠରେ ପ୍ରକାଶିତ ହେଉଥିବା ଦେଶର ମୋଟ ବାର୍ଷିକ ଉତ୍ପାଦର ଅଭିବୃଦ୍ଧି ହାରରେ ଲଗାତର ହ୍ରାସ ଦେଖା ଦେବାରେ ଲାଗିଲା। ଏକଦା ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ବୃହତ୍‌ ଅର୍ଥନୀତିର ମର୍ଯ୍ୟାଦା ହାସଲ କରିଥିବା ଭାରତକୁ ହଟାଇ ଚୀନ୍‌ ପୁଣି ପ୍ରଥମ ସ୍ଥାନ ଅଧିକାର କରିନେଲା। ମୋଦୀ ସରକାର ଯେତେ ମୁହଁ ଟାଣ ଦେଖାଇଲେ ମଧ୍ୟ ଏହା ବେଦନାଦାୟକ ଥିଲା।

ଏବେ କେନ୍ଦ୍ରୀୟ ପରିସଂଖ୍ୟାନ ଦପ୍ତର (ସିଏସ୍‌ଓ) ଚଳିତ ଆର୍ଥିକ ବର୍ଷର ତୃତୀୟ ଚଉଠ ପାଇଁ ପ୍ରକାଶ କରିଥିବା ଅଭିବୃଦ୍ଧି ପରିସଂଖ୍ୟାନ ମୋଦୀ ସରକାରର ସେଇ ଅଜାଗା ଘା’ ପାଇଁ ଏକ ଯାଦୁକରୀ ମଲମ ସଦୃଶ ଆବିର୍ଭୂତ ହୋଇଛି। ବିଗତ ପାଞ୍ଚ ଚଉଠ ମଧ୍ୟରେ ଏହା କେବଳ ଯେ ଦ୍ରୁତତମ ଅଭିବୃଦ୍ଧି ହାର ପ୍ରଦର୍ଶନ କରୁଛି ତାହା ନୁହେଁ, ‘ସିଏସ୍‌ଓ’ର ରିପୋର୍ଟ ଚୀନ୍‌କୁ ପଛରେ ପକାଇ ଭାରତକୁ ପୁଣି ଅଭିବୃଦ୍ଧି ହାର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପ୍ରଦାନ କରିଛି। ନିଜ ଟାଙ୍ଗିଆ ଚୋଟରେ ନିଜ ଗୋଡ଼ରେ ସୃଷ୍ଟି ହୋଇଥିବା ଖଣ୍ଡିଆ ଯୋଗୁଁ ଦୌଡ଼ରେ ପଛରେ ପଡ଼ିଯାଇଥିବା ଭାରତୀୟ ଅର୍ଥନୀତି ଘା’ ଶୁଖିବାକୁ ଆରମ୍ଭ କରିବା ପରେ ପୁଣି ବେଗ ବୃଦ୍ଧି କରିବାକୁ ଆରମ୍ଭ କରିଥିବା ଭଳି ମନେ ହେଉଛି।

ଡିସେମ୍ବରରେ ସରିଥିବା ୨୦୧୭-୧୮ ଆର୍ଥିକ ବର୍ଷର ତୃତୀୟ ଚଉଠରେ ‘ସିଏସ୍‌ଓ’ ରିପୋର୍ଟ ଅନୁସାରେ ମୋଟ ବାର୍ଷିକ ଜାତୀୟ ଉତ୍ପାଦ (ଜିଡିପି)ରେ ଦେଖାଯାଇଥିବା ୭.୨% ବୃଦ୍ଧି ହାର ହେଉଛି ପୃଥିବୀର ବୃହତ୍‌ ଅର୍ଥନୀତିମାନଙ୍କ ମଧ୍ୟରେ ସର୍ବୋଚ୍ଚ (ଚୀନ୍‌ ହାସଲ କରିଥିବା ଏହି ବୃଦ୍ଧି ହାର ହେଉଛି ୬.୮%)। ଅବଶ୍ୟ ଏଠାରେ ସ୍ପଷ୍ଟ କରି ଦିଆଯିବା ଉଚିତ ଯେ ପୂର୍ବ ବର୍ଷର ତୃତୀୟ ଚଉଠର ‘ଜିଡିପି’ ତୁଳନାରେ ଚଳିତ ବର୍ଷର ତୃତୀୟ ଚଉଠର ‘ଜିଡିପି’ରେ ଏହି ହାରରେ ବୃଦ୍ଧି ଘଟିଛି। ଯେହେତୁ ବିମୁଦ୍ରୀକରଣ ଆଘାତ ଯୋଗୁଁ ପୂର୍ବ ବର୍ଷର ଜିଡିପି ଅପେକ୍ଷାକୃତ ନୀଚା ଥିଲା, ତାହା ତୁଳନାରେ ବର୍ତ୍ତମାନର ଜିଡିପିରେ ବୃଦ୍ଧି ହାର ଉଚ୍ଚା ମନେହେବା ସ୍ୱାଭାବିକ (ଯେମିତି ୧୦୦ରୁ ୧୦ ମାର୍କ ରଖିଥିବା ପିଲା ଯଦି ପର ପରୀକ୍ଷାରେ ୨୦ ମାର୍କ ରଖେ, ତା’ର ମାର୍କରେ ବୃଦ୍ଧି ହାର ହେବ ୧୦୦%!)। ଏହାକୁ ପରିସଂଖ୍ୟାନ ଶାସ୍ତ୍ରରେ ‘ନୀଚା ଭିତ୍ତି ପ୍ରଭାବ’ (ଲୋ ବେସ୍‌ ଇଫେକ୍ଟ) କୁହାଯାଇଥାଏ।

କିନ୍ତୁ ଏହି ନୀଚା ଭିତ୍ତି ପ୍ରଭାବ ସତ୍ତ୍ୱେ ବିମୁଦ୍ରୀକରଣ ଆଘାତରୁ ମୁକୁଳିବା ପାଇଁ ଭାରତୀୟ ଅର୍ଥନୀତି ଏହି ରିପୋର୍ଟ ଅନୁସାରେ ବିଭିନ୍ନ କ୍ଷେତ୍ରରେ ଯେଉଁଭଳି ପ୍ରଚେଷ୍ଟା ପ୍ରଦର୍ଶନ କରିଛି, ତାହାକୁ ଆଦୌ ଅଣଦେଖା କରି ହେବ ନାହିଁ। କେବଳ ଖଣିଜ ପଦାର୍ଥ ଉତ୍ତୋଳନ କ୍ଷେତ୍ରକୁ ଛାଡ଼ିଦେଲେ ବାକି ପ୍ରାୟ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହି ଚଉଠରେ ଅର୍ଥନୀତିର ପ୍ରଦର୍ଶନ ଉତ୍ତମ ରହିଛି। ଅର୍ଥନୀତିରେ ନିବେଶଜନିତ ଚାହିଦାର ମୁଖ୍ୟ ସୂଚକ ହେଉଛି ମୋଟ ପୁଞ୍ଜି ଗଠନ। ଏହି ଚଉଠରେ ମୋଟ ପୁଞ୍ଜି ଗଠନରେ ଏକ ବେଶ୍‌ ଉଚ୍ଚା ୧୨% ବୃଦ୍ଧି ଘଟିବା ଦେଖାଯାଇଛି। ଅନ୍ତିମ ଘରୋଇ ଖାଉଟି ଖର୍ଚ୍ଚରେ ଏହି ସମୟରେ ବୃଦ୍ଧି ଘଟିଛି ୫.୬% ଏବଂ ଅନ୍ତିମ ସରକାରୀ ଖର୍ଚ୍ଚରେ ଘଟିଥିବା ବୃଦ୍ଧିର ହାର ହେଉଛି ୬.୧%। ଏହି ଚଉଠରେ କୃଷିରେ ଅଭିବୃଦ୍ଧି ହାର ୪.୧% ହୋଇଥିବା ବେଳେ, କାରଖାନା ଉତ୍ପାଦନ (ମାନୁଫାକ୍‌ଚରିଙ୍ଗ୍‌)ରେ ବୃଦ୍ଧି ଘଟିଛି ୮.୧% ହାରରେ, ନିର୍ମାଣ ଶିଳ୍ପରେ ୬.୮%, ବାଣିଜ୍ୟ, ହୋଟେଲ, ପରିବହନ ଓ ଯୋଗାଯୋଗ ସେବା ଏବଂ ବ୍ରଡ୍‌କାଷ୍ଟିଙ୍ଗ୍‌ ସେବା ଆଦିରେ ୯% ଏବଂ ବିଜୁଳି, ଗ୍ୟାସ୍‌, ଜଳଯୋଗାଣ ଆଦି ସେବାରେ ୬.୧% ହାରରେ ବୃଦ୍ଧି ଘଟି ତୃତୀୟ ଚଉଠରେ ଜିଡିପି ଅଭିବୃଦ୍ଧି ହାରରେ ବୃଦ୍ଧି ଘଟାଇବାରେ ସହାୟକ ହୋଇଛି।

ଏହାକୁ ଆଧାର କରି ପୂରା ଚଳିତ ବିତ୍ତବର୍ଷ ପାଇଁ ଅଭିବୃଦ୍ଧି ହାରକୁ ପୂର୍ବରୁ ଅନୁମାନ କରାଯାଇଥିବା ୬.୫%ରୁ ପରିବର୍ତ୍ତିତ କରି ୬.୬% ହେବ ବୋଲି ନୂତନ ଆକଳନ କରାଯାଇଛି। ଯଦି ଏହା ହାସଲ ହୁଏ ମାର୍ଚ୍ଚ ଶେଷ ସମୟକୁ ଭାରତୀୟ ଅର୍ଥନୀତିର ଆକାର ୨.୬ ଟ୍ରିଲିଅନ୍‌ ଡଲାର ରେକର୍ଡ ସ୍ତର ଛୁଇଁବ ବୋଲି ଅନୁମାନ କରାଯାଉଛି। ଏହା ସମ୍ଭବ ହେବା ପାଇଁ ବର୍ଷର ଶେଷ ଚଉଠରେ ଜିଡିପିରେ ବୃଦ୍ଧି ହାର ୭.୧% ହେବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ ବର୍ଷର ପ୍ରଥମ ଚଉଠରେ ଏହି ବୃଦ୍ଧି ହାର ୫.୭% ଓ ଦ୍ୱିତୀୟ ଚଉଠରେ ୬.୫% ହୋଇଥିଲା। ସେହିପରି ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୨୦୧୪-୧୫ରେ ୭.୪%, ୨୦୧୫-୧୬ରେ ୮.୨% ଓ ୨୦୧୬-୧୭ରେ ୭.୧% ହୋଇଥିଲା। ତେଣୁ ବର୍ତ୍ତମାନ ଅର୍ଥନୀତିର ଅଭିବୃଦ୍ଧି ହାର ୬.୬% ହେବାକୁ ଯାଉଛି ବୋଲି ସରକାର ଯେଉଁ ସନ୍ତୋଷ ପ୍ରକାଶ କରୁଛନ୍ତି ତାହା ନିକଟ ଅତୀତ ତୁଳନାରେ ବେଶ୍‌ ନୀଚା ଏବଂ ଏଥିପାଇଁ ମୋଦୀଙ୍କର ବିମୁଦ୍ରୀକରଣ ତଥା ଅନ୍ୟାନ୍ୟ ମନମୁଖୀ ଅର୍ଥନୈତିକ ପଦକ୍ଷେପମାନ ଦାୟୀ। ଆଶା ଅନ୍ତତଃ ଭେନେଜୁଏଲା ଠାରୁ ଶିକ୍ଷା ଲାଭ କରି ମୋଦୀ ସରକାର ଆଗକୁ ଆଉ ଏଭଳି ଅବିମୃଶ୍ୟକାରିତା ଦେଖାଇବେ ନାହିଁ।

ସମ୍ବନ୍ଧିତ ଖବର