ଚାରିମିନିଟ୍‌ ମାଇଲ୍‌

୧୯୫୩ ମଇ ମାସ ୨୯ ତାରିଖ ଦିନ ମନୁଷ୍ୟର ଶାରୀରିକ ଓ ମାନସିକ କ୍ଷମତା ପ୍ରତି ଏକ ଅଲଂଘ୍ୟ ଆହ୍ଵାନ ସଦୃଶ ଦଣ୍ଡାୟମାନ ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗ ଶେଷରେ ମନୁଷ୍ୟର ପଦାନତ ହୋଇଥିଲା ଯେତେବେଳେ ଏଡ୍‌ମଣ୍ଡ ହିଲାରି ଓ ତେନ୍‌ଜିଙ୍ଗ୍‌ ନର୍ଗେ ସେଦିନ ଏହାର ଶିଖର ଉପରେ ପାଦ ରଖିଲେ। ଇତିମଧ୍ୟରେ ପ୍ରାୟ ୪,୦୦୦ରୁ ଅଧିକ ପର୍ବତାରୋହୀ ଏଭରେଷ୍ଟ ମସ୍ତକରେ ପାଦ ପକାଇ ସାରିଥିଲେ ହେଁ, ତାହା ହିଲାରି- ତେନ୍‌ଜିଙ୍ଗ୍‌ଙ୍କର ଯୁଗାନ୍ତକାରୀ ଅଭିଯାନର ରୋମାଞ୍ଚ ଓ ଐତିହାସିକତାକୁ ତିଳେ ହେଲେ ହ୍ରାସ କରି ପାରି ନାହିଁ। ଏହାର ପୂର୍ବବର୍ତ୍ତୀ ସମୟରେ ଯେତେବେଳେ ପ୍ରସିଦ୍ଧ ପର୍ବତାରୋହୀ ଜର୍ଜ ମ୍ୟାଲୋରିଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେ କାହିଁକି ଏଭରେଷ୍ଟ ଆରୋହଣ କରିବା ପାଇଁ ଚାହିଁଲେ, ତାଙ୍କର ପ୍ରସିଦ୍ଧ ଉତ୍ତର ଥିଲା: ‘‘ଯେହେତୁ ଏଭରେଷ୍ଟ ଅଛି’’ (‘‘ବିକଜ୍‌ ଇଟ୍‌ସ୍‌ ଦେଆର୍‌’’)। ଏହି ୮୮୪୮ ମିଟର ଉଚ୍ଚ ଶୃଙ୍ଗକୁ ଜୟ କରିବାକୁ ଉଦ୍ୟମ କରି ମ୍ୟାଲୋରି ପ୍ରାଣ ବିସର୍ଜନ କରିଥିଲେ, କିନ୍ତୁ ‘ଯେହେତୁ ଏଭରେଷ୍ଟ ଅଛି’, ତାହାକୁ ବିଜୟ କରିବା ପାଇଁ ମନୁଷ୍ୟର ଉଦ୍ୟମ ଜାରି ରହି ଶେଷରେ ହିଲାରି-ତେନ୍‌ଜିଙ୍ଗଙ୍କର ସଫଳତା ସମ୍ଭବ ହୋଇଥିଲା।

ସେଇ ସମୟ କାଳରେ ଏକ ୮୮୪୮ ମିଟର ଉଚ୍ଚତା ବିଶିଷ୍ଟ ଶୃଙ୍ଗ ଭଳି ମନୁଷ୍ୟ ପାଇଁ ଆଉ ଯେଉଁ ଅଲଂଘ୍ୟ ମନେ ହେଉଥିବା ଆହ୍ଵାନ ଧାବକମାନଙ୍କୁ ଆବିଷ୍ଟ କରି ରଖିଥିଲା, ତାହା ହେଲା ଏକ ଦୂରତା: ଗୋଟିଏ ମାଇଲ୍‌ (ପ୍ରାୟ ୧.୬ କିମି)। ଯେଉଁ ଭଳି ଏଭରେଷ୍ଟ ଶୃଙ୍ଗ ଆରୋହଣ ଏକପ୍ରକାର ଅସମ୍ଭବ ମନେ ହେଉଥିଲା, ଚାରି ମିନିଟ୍‌ରୁ କମ୍‌ ସମୟରେ ଗୋଟିଏ ମାଇଲ୍‌ ଦୂରତା ଅତିକ୍ରମ କରିବା ସେଇ ଭଳି ମନୁଷ୍ୟ ଧାବକମାନଙ୍କ ପାଇଁ ଏକପ୍ରକାର ଅସମ୍ଭବ ମନେ ହେଉଥିଲା। ଆଉ ଏଭରେଷ୍ଟ ପତନର ପ୍ରାୟ ଠିକ୍‌ ବର୍ଷକ ପରେ ଏହି ଅସମ୍ଭବକୁ ଯିଏ ସମ୍ଭବ କରିଥିଲେ ସେଇ ମହାନ୍‌ ବ୍ରିଟିସ ଧାବକ ରଜର୍‌ ବ୍ୟାନିଷ୍ଟର୍‌ଙ୍କର ମାର୍ଚ୍ଚ ୩ ତାରିଖ ଦିନ ୮୮ ବର୍ଷ ବୟସରେ ଦେହାନ୍ତ ଘଟିଛି। ୧୯୫୪ ମଇ ୬ ତାରିଖ ଦିନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏହି ଯୁବ ଡାକ୍ତରୀ ଛାତ୍ର ଜଣକ ଅକ୍ସଫୋର୍ଡସ୍ଥିତ ଇଫ୍‌ଲି ରୋଡ୍‌ ଟ୍ରାକ୍‌ଠାରେ ଅନୁଷ୍ଠିତ ଦୌଡ଼ରେ ଏକ ମାଇଲ ଦୂରତା ଅତିକ୍ରମ କରିବା ପାଇଁ ଯେଉଁ ସମୟ ନେଇଥିଲେ ତାହା ଥିଲା: ୩ ମିନିଟ୍‌ ୫୯.୪ ସେକେଣ୍ଡ।
ରଜର୍‌ ବ୍ୟାନିଷ୍ଟରଙ୍କର ଏହି କୃତିତ୍ୱ ସେତେବେଳେ ପୃଥିବୀ ସାରା ସେଇଭଳି ରୋମାଞ୍ଚ ସୃଷ୍ଟି କରିଥିଲା ଯେଉଁଭଳି ବର୍ଷକ ତଳେ ହିଲାରି- ତେନ୍‌ଜିଙ୍ଗ୍‌ଙ୍କର ଏଭରେଷ୍ଟ ବିଜୟ ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ଆହୁରି ଅନେକ ପର୍ବତାରୋହୀ ଏଭରେଷ୍ଟ ଆରୋହଣ କରିଥିବା ଭଳି ପରବର୍ତ୍ତୀ ସମୟରେ ଆହୁରି ଅନେକ ଧାବକ ଚାରି ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ଏକ ମାଇଲ୍‌ ଦୂରତା ଅତିକ୍ରମ କରି ସାରିଲେଣି। କେବଳ ୨୦୧୮ ଆରମ୍ଭରୁ ବର୍ତ୍ତମାନ ମଧ୍ୟରେ ୨୧ ଜଣ ଧାବକ ଏହି କୃତିତ୍ୱ ହାସଲ କରିଥିବା ଜଣାପଡ଼ିଛି। ପ୍ରାୟ ୫୦୦ରୁ ଅଧିକ ଆମେରିକୀୟ ଧାବକ ଏଯାବତ୍‌ ଚାରି ମିନଟ୍‌ ମାଇଲ୍‌ ପ୍ରତିବନ୍ଧ ଅତିକ୍ରମ କରି ବ୍ୟାନିଷ୍ଟର୍‌ ପରବର୍ତ୍ତୀ ଯୁଗରେ ମନୁଷ୍ୟର କ୍ଷମତା ପାଇଁ ଏହାକୁ ଏକ ସାଧାରଣ ପରୀକ୍ଷାରେ ପରିଣତ କରି ସାରିଛନ୍ତି।

ସେମାନଙ୍କର ଏହି ଉପଲବ୍ଧି କିନ୍ତୁ ରଜର୍‌ ବ୍ୟାନିଷ୍ଟର୍‌ଙ୍କର ୬୩ ବର୍ଷ ତଳର ଐତିହାସିକ ଦୌଡ଼ର ଗୁରୁତ୍ୱକୁ କୌଣସି ପ୍ରକାର ହ୍ରାସ କରିବା ପରିବର୍ତ୍ତେ, ତାହାର ମହାନତାର ସ୍ୱୀକୃତି ଓ ବ୍ୟାନିଷ୍ଟରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ରୂପେ ବିଚାର କରାଯାଏ। ସେଇ ସ୍ମରଣୀୟ ଦିନ ସନ୍ଧ୍ୟା ୬ଟା ପରେ ବ୍ୟାନିଷ୍ଟର୍‌ ଇଫ୍‌ଲି ଟ୍ରାକ୍‌ରେ ଆରମ୍ଭ କରିଥିବା ଦୌଡ଼ରେ ତାଙ୍କର ଦୁଇଜଣ ସାଥୀ ଧାବକ ତାଙ୍କ ଦୌଡ଼ରେ ତାଳ ରକ୍ଷା କରିବା ପାଇଁ ତାଙ୍କ ସହିତ ଦୌଡୁଥିଲେ। ଦୌଡ଼ର ଶେଷ ୩୦୦ ଗଜରେ ବ୍ୟାନିଷ୍ଟର୍‌ ତାଙ୍କର ଶେଷ ଶକ୍ତି ପ୍ରୟୋଗ କରି ବେଗବୃଦ୍ଧି କରି ଯେତେବେଳେ ଅନ୍ତିିମ ରେଖା ଅତିକ୍ରମ କଲେ, ସେତେବେଳେ ସେ ପ୍ରାୟ ଅଚେତ ଅବସ୍ଥାରେ ଜଣେ ବନ୍ଧୁଙ୍କ ବାହୁ ବନ୍ଧନରେ ଢଳି ପଡ଼ିଥିଲେ। ଘୋଷକ ଯେତେବେଳେ ଦୌଡ଼ର ଫଳାଫଳ ଘୋଷଣା କଲେ ଉପସ୍ଥିତ ଦର୍ଶକ ବୃନ୍ଦ ଯାହା କେବଳ ଶୁଣିପାରିଲେ ତାହା ହେଲା ୩ ମିନିଟ୍‌…। ବାକି ଶବ୍ଦଗୁଡ଼ିକ ଦର୍ଶକମାନଙ୍କ ଉଲ୍ଲସିତ ଗର୍ଜନରେ ନିଶ୍ଚିହ୍ନ ହୋଇଯାଇଥିଲା। ସେମାନଙ୍କ ପାଇଁ ଯାହା ଗୁରୁତ୍ୱପୂର୍ଣ୍ଣ ଥିଲା, ତାହା ହେଲା ୩ ମିନିଟ୍‌, ଅର୍ଥାତ୍‌ ୪ ମିନିଟ୍‌ରୁ କମ୍‌। ତା’ପରର ପରିସଂଖ୍ୟାନ ସେମାନଙ୍କ ପାଇଁ ଥିଲା ଅନାବଶ୍ୟକ। ବିଂଶ ଶତାବ୍ଦୀର ଖେଳକୁଦ ଜଗତ୍‌ରେ ଯେତେସବୁ କିଂବଦନ୍ତି ଛବି ରହିଛି, ତା ମଧ୍ୟରେ ସେ ଦିନର ଏହି କଳାଧଳା ଫଟୋଟି ହେଉଛି ଏକ ଅନବଦ୍ୟ ଶ୍ରେଣୀର: ଆଖି ବନ୍ଦ କରିଥିବା, ମୁଣ୍ଡ ପଛକୁ ଝୁଙ୍କାଇଥିବା, ନିଃଶ୍ୱାସ ନେବା ପାଇଁ ପାଟି ମେଲା କରିଥିବା ଏକ ପତଳା ଯୁବକ ଦୌଡ଼ ଶେଷର ଫିତାକୁ ଛାତିରେ ଟାଣି ନେଇ ଚାରିମିନଟ୍‌ ମାଇଲ୍‌କୁ ଲଂଘନ କରିବାର ଦୃଶ୍ୟ। ରଜର୍‌ ବ୍ୟାନିଷ୍ଟର୍‌ଙ୍କୁ ମାନବଜାତି ଜଣେ ଅସାଧାରଣ ଧାବକ ରୂପେ ମନେ ରଖିଥିଲେ ହେଁ, ଖୋଦ୍‌ ରଜର୍‌ ବ୍ୟାନିଷ୍ଟର୍‌ କିନ୍ତୁ ତାଙ୍କର ସୁଦୀର୍ଘ ଡାକ୍ତରୀ ଜୀବନକୁ ନିଜର ବୃହତ୍ତର ଉପଲବ୍‌ଧି ରୂପେ ବିଚାର କରୁଥିଲେ। ବ୍ୟାନିଷ୍ଟର୍‌ ଜଣେ ସ୍ନାୟୁ ବିଶେଷଜ୍ଞ ଥିଲେ। ସେ ୧୯୮୫ରୁ ୧୯୯୩ ପର୍ଯ୍ୟନ୍ତ ଅକ୍ସଫୋର୍ଡର ପେମ୍ବ୍ରୋକ୍‌ କଲେଜ୍‌ର ମାଷ୍ଟର ରହିଥିଲେ। ୨୦୧୨ରେ ବ୍ୟାନିଷ୍ଟର୍‌ ସ୍ନାୟବିକ ରୋଗ ସମ୍ପର୍କରେ ଏକ ପ୍ରସିଦ୍ଧ ପାଠ୍ୟ ପୁସ୍ତକର ନବମ ସଂସ୍କରଣର ସମ୍ପାଦନା କରିଥିଲେ। ୨୦୦୫ରେ ଆମେରିକାନ୍‌ ଏକାଡେମି ଅଫ୍‌ ନ୍ୟୁରୋଲୋଜି ତାଙ୍କୁ ଏ କ୍ଷେତ୍ରରେ ଜୀବନବ୍ୟାପୀ ଉପଲବ୍ଧିର ସ୍ୱୀକୃତି ସ୍ୱରୂପ ଏକ ଟ୍ରଫି ପ୍ରଦାନ କରିଥିଲା। ରଜର୍‌ ବ୍ୟାନିଷ୍ଟର୍‌ ଏହି ଟ୍ରଫିକୁ ତାଙ୍କର ଜୀବନର ସର୍ବଶ୍ରେଷ୍ଠ ପୁରସ୍କାର ରୂପେ ବିଚାର କରୁଥିଲେ। ୧୯୭୫ରେ ତାଙ୍କୁ ବ୍ରିଟେନ୍‌ର ରାଣୀ ନାଇଟ୍‌ ଉପାଧିରେ ଭୂଷିତ କରିବା ପରେ ସେ ହୋଇଥିଲେ ସାର୍‌ ରଜର୍‌ ବ୍ୟାନିଷ୍ଟର୍‌। କିନ୍ତୁ ଆମୋଦଦାୟକ ଭାବରେ ‘ଚାରି ମିନିଟ୍‌ ମାଇଲ୍‌’ ପାଇଁ ନୁହେଁ, ଚିକିତ୍ସା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ବିଧିର ଏକ ବିଡ଼ମ୍ବନା ସ୍ୱରୂପ ଯେଉଁ ଦୁଇ କ୍ଷେତ୍ରରେ ରଜର୍‌ ବ୍ୟାନିଷ୍ଟର୍‌ ତାଙ୍କର ପାରଦର୍ଶିତା ପ୍ରଦର୍ଶନ କରିଥିଲେ, ଶେଷରେ ଈଶ୍ୱର ପ୍ରମାଣିତ କରିଥିଲେ ଯେ ସେ ହିଁ ହେଉଛନ୍ତି ସେଥିରେ ଅନ୍ତିମ ନିୟନ୍ତ୍ରକ। ପରିଣତ ବୟସରେ ରଜର୍‌ ବ୍ୟାନିଷ୍ଟର୍‌ ସାଂଘାତିକ ସ୍ନାୟବିକ ବ୍ୟାଧି ପାର୍କିନ୍‌ସନ୍‌ସ ଦ୍ୱାରା ଆକ୍ରାନ୍ତ ହୋଇ ନିଜ ଶରୀରର ସ୍ନାୟବିକ ନିୟନ୍ତ୍ରଣ ହରାଇଥିଲେ। ୧୯୭୫ରେ ଏକ କାର୍‌ ଦୁର୍ଘଟଣା ଯୋଗୁଁ ତାଙ୍କର ଡାହାଣ ଗୋଇଠି ଭାଙ୍ଗି ଚୁର୍‌ମାର୍‌ ହୋଇ ଯାଇଥିଲା। ତେଣୁ ଶେଷ ଜୀବନରେ ଦୌଡ଼ିବା ଦୂରେ ଥାଉ ରଜର୍‌ ବ୍ୟାନିଷ୍ଟର୍‌ ଆଶାବାଡ଼ି ଓ ହୁଇଲ୍‌ ଚେଆର୍‌କୁ ଆଶ୍ରା କରି ବଞ୍ଚିଥିଲେ। ଏଭଳି ନିଷ୍ଠୁରତା ସତ୍ତ୍ୱେ ଈଶ୍ୱର କିନ୍ତୁ ବ୍ୟାନିଷ୍ଟର୍‌ଙ୍କଠାରୁ ଯାହା ଛଡ଼ାଇ ନେଇ ପାରିନାହାନ୍ତି, ତାହା ହେଉଛି ତାଙ୍କର ମହାନତା।

ସମ୍ବନ୍ଧିତ ଖବର