ତ୍ରିପୁରାରେ ମାକ୍ର୍ସବାଦୀ କମ୍ୟୁନିଷ୍ଟ ବାମପନ୍ଥୀମାନେ ଦକ୍ଷିଣପନ୍ଥୀ ଭାରତୀୟ ଜନତା ପାର୍ଟି ଦ୍ୱାରା ବିଧାନସଭା ନିର୍ବାଚନରେ ଶୋଚନୀୟ ଭାବରେ ପରାସ୍ତ ହେବା ପରେ ସେ ରାଜ୍ୟରେ କମ୍ୟୁନିଷ୍ଟମାନଙ୍କର ପରମପୂଜ୍ୟ ଭ୍ଲାଦିମିର୍ ଲେନିନ୍ଙ୍କର କେତେକ ପ୍ରତିମୂର୍ତ୍ତି ଆକ୍ରମଣକାରୀଙ୍କ ଦ୍ୱାରା ଭୂଲୁଣ୍ଠିତ ହେବା ଦେଖାଯାଇଛି। ଭାଜପା କର୍ମୀମାନେ ଏ କାଣ୍ଡ କରିଛନ୍ତି ବୋଲି ଅଭିଯୋଗ କରି ତ୍ରିପୁରାରୁ ପଶ୍ଚିମ ବଙ୍ଗ ପର୍ଯ୍ୟନ୍ତରେ କମ୍ୟୁନିଷ୍ଟ ସମର୍ଥକ ତଥା ଅନ୍ୟାନ୍ୟ ଭାଜପା-ବିରୋଧୀ ଗୋଷ୍ଠୀମାନେ ତୀବ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଇନଶୃଙ୍ଖଳା ରକ୍ଷା କରିବା ଉଦ୍ଦେଶ୍ୟରେ ସେ ରାଜ୍ୟର କେତେକ ଅଞ୍ଚଳରେ ୧୪୪ ଧାରା ବଳବତ୍ତର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରତିମୂର୍ତ୍ତି ଧ୍ୱଂସ କାର୍ଯ୍ୟର ଘୋର ନିନ୍ଦା କରିଛନ୍ତି ଏବଂ ଦୋଷୀ ଦଣ୍ଡ ପାଇବେ ବୋଲି ସାବଧାନ କରି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଯେହେତୁ ଭାଜପା-ବିରୋଧୀମାନେ ଏହି ଦଳକୁ ଏକ ଦକ୍ଷିଣପନ୍ତ୍ରୀ ରକ୍ଷଣଶୀଳ ଦଳ ରୂପେ ଦେଖିଥାନ୍ତି, ବର୍ତ୍ତମାନର ଲେନିନ୍ ପ୍ରତିମୂର୍ତ୍ତି ବିଧ୍ୱଂସ ଘଟଣାକୁ ତତ୍କ୍ଷଣାତ୍ ୨୦୦୧ରେ ଆଫଗାନିସ୍ତାନର ବାମିୟାନ୍ଠାରେ ଥିବା ବିଶାଳ ବୁଦ୍ଧ ମୂର୍ତ୍ତିମାନ ତାଲିବାନ୍ ଦ୍ୱାରା ଧ୍ୱଂସ କରାଯିବା ଘଟଣା ସହିତ ତୁଳନୀୟ ବୋଲି କେହି କେହି ବିଚାର କରିପାରନ୍ତି। ତାଲିବାନ୍ ଯେଉଁଭଳି ଏକ ଚରମ ରକ୍ଷଣଶୀଳ ଇସଲାମୀୟ ସଂଗଠନ, ସଂଘ ପରିବାରର ଅଂଶ ଭାଜପା ସେଇଭଳି ଏକ ଚରମ ରକ୍ଷଣଶୀଳ ହିନ୍ଦୁ ସଂଗଠନ ବୋଲି ଏମାନେ ଯୁକ୍ତି କରିପାରନ୍ତି। ତେଣୁ ବାମିୟାନ ବୁଦ୍ଧ ମୂର୍ତ୍ତିମାନଙ୍କର ଧ୍ୱଂସ ସାଧନ ପାଇଁ ତାଲିବାନ୍ ଯେଉଁଭଳି ନିନ୍ଦିତ ହୋଇଥିଲା, ତ୍ରିପୁରାରେ ଲେନିନ୍ ମୂର୍ତ୍ତିମାନଙ୍କର ଧ୍ୱଂସ ପାଇଁ ଅଭିଯୁକ୍ତ ଭାଜପା ମଧ୍ୟ ସେଇଭଳି ନିନ୍ଦନୀୟ।
ଏଥିରେ କେହି ଦ୍ୱିମତ ହେବେ ନାହିଁ ଯେ, ଯେତେଦୂର ପ୍ରତିମୂର୍ତ୍ତି ଧ୍ୱଂସ ହେଉଛି, ଏକ ହିଂସାତ୍ମକ କାର୍ଯ୍ୟ ରୂପେ ଏହା ସର୍ବଦା ନିନ୍ଦନୀୟ। କିନ୍ତୁ ଏହାକୁ ଅତିକ୍ରମ କରି ଯଦି ଯେଉଁ ପ୍ରତିମୂର୍ତ୍ତିକୁ ଧ୍ୱଂସ କରାଯାଇଛି, ତାହା କାହାର ଥିଲା ବୋଲି ବିଚାରକୁ ନିଆଯାଏ ତେବେ ବାମିୟାନ୍ର ପ୍ରତିମୂର୍ତ୍ତି ଓ ତ୍ରିପୁରାର ପ୍ରତିମୂର୍ତ୍ତି ମଧ୍ୟରେ ସାମଞ୍ଜସ୍ୟର ଅନ୍ତ ଘଟିଥାଏ। ଗୌତମବୁଦ୍ଧ ଥିଲେ ପୃଥିବୀରେ ‘ଅହିଂସା ପରମ ଧର୍ମ’ ଚିନ୍ତାଧାରାର ପ୍ରଥମ ପ୍ରବର୍ତ୍ତକ। ବାମିୟାନ୍ ଠାରେ ତାଙ୍କର ପ୍ରତିମୂର୍ତ୍ତି ଉପରେ ଆକ୍ରମଣକୁ ବାସ୍ତବରେ ତେଣୁ ଅହିଂସା ଉପରେ ହିଂସାର ଆକ୍ରମଣ ରୂପେ ବିଚାର କରାଯାଇଥାଏ। ତ୍ରିପୁରାରେ ଭ୍ଲାଦିମିର୍ ଲେନିନ୍ଙ୍କ ପ୍ରତିମୂର୍ତ୍ତି ଉପରେ ଆକ୍ରମଣକୁ ସେଇ ଦୃଷ୍ଟିକୋଣରୁ ଦେଖିଲେ କ’ଣ ଦେଖିବାକୁ ମିଳେ ଦେଖାଯାଉ।
୧୯୨୪ରେ ୫୩ ବର୍ଷ ବୟସରେ ଭ୍ଲାଦିମିର୍ ଲେନିନ୍ଙ୍କର ମୃତ୍ୟୁ ଘଟିବା ପରେ ସୋଭିଏତ୍ ୟୁନିଅନ୍ରେ ଏକଛତ୍ର କ୍ଷମତା ଦଖଲ କରିଥିବା ଜୋସେଫ୍ ଷ୍ଟାଲିନ୍ଙ୍କର ଶାସନକୁ ପୃଥିବୀ ଇତିହାସରେ ସର୍ବାଧିକ ରକ୍ତପିପାସୁ ଶାସନମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ରୂପେ ବିଚାର କରାଯାଇଥାଏ। କୁହାଯାଇଥାଏ ତାଙ୍କ ପରେ ଷ୍ଟାଲିନ୍ କ୍ଷମତା ଦଖଲ କରିବା ଲେନିନ୍ ଚାହୁଁ ନଥିଲେ। ଏଥିରେ ମଧ୍ୟ କିଛି ସତ୍ୟତା ରହିଛି। ଲେନିନ୍ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରୁଥିବା ସମୟରେ ଅନ୍ୟତମ ତୁଙ୍ଗ ବିପ୍ଳବୀ ନେତା ଲିଅନ୍ ଟ୍ରଟ୍ସ୍କି କକେସସ୍ ଅଞ୍ଚଳ ଗସ୍ତରେ ଥିଲେ। ଷ୍ଟାଲିନ୍ ତାଙ୍କ ନିକଟକୁ ଏକ ଟେଲିଗ୍ରାମ୍ ପଠାଇ ଲେନିନ୍ଙ୍କ ମୃତ୍ୟୁ ଖବର ଜଣାଇବା ସହିତ ଏ କଥା ମଧ୍ୟ ଜଣାଇଲେ ଯେ ଯେହେତୁ ସେ (ଟ୍ରଟ୍ସ୍କି) ଦୂରରେ ଅଛନ୍ତି ଏବଂ ମସ୍କୋ ଠାରେ ଲେନିନ୍ଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସାଙ୍ଗେ ସାଙ୍ଗେ ଅନୁଷ୍ଠିତ ହେବାକୁ ଯାଉଛି, ତେଣୁ ସେ ଠିକ୍ ସମୟରେ ଫେରି ମସ୍କୋରେ ପହଞ୍ଚି ପାରିବେ ନାହିଁ; ସେଥିପାଇଁ ସେ ବରଂ ଯେଉଁଠି ଅଛନ୍ତି ସେଇଠି ଥା’ନ୍ତୁ। ଏହିପରି କୌଶଳ ଦ୍ୱାରା ଲେନିନ୍ଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଦୃଶ୍ୟରୁ ଟ୍ରଟ୍ସ୍କିଙ୍କୁ ଅନ୍ତର୍ହିତ କରାଇ ଷ୍ଟାଲିନ୍ ଟ୍ରଟ୍ସ୍କିଙ୍କ ଉତ୍ତରାଧିକାର ଦାବିକୁ ଦୁର୍ବଳ କରିଦେଇଥିଲେ। ପରଲୋକଗତ ଲେନିନ୍ଙ୍କ ଶରୀରକୁ ରାସାୟନିକ ପ୍ରଲେପ ଦେଇ ଚିରସ୍ଥାୟୀ କରି ମସ୍କୋର ରେଡ୍ ସ୍କୋୟାର୍ (ଲାଲ୍ ଚୌକ) ଠାରେ ଏକ ମନ୍ଦିର ସଦୃଶ ଗୃହରେ ସ୍ଥାପନ କରି ତାହାକୁ କମ୍ୟୁନିଷ୍ଟମାନଙ୍କ ଏକ ତୀର୍ଥସ୍ଥଳୀରେ ପରିଣତ କରିବାରେ ମଧ୍ୟ ଷ୍ଟାଲିନ୍ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଦେଶରୁ ଧର୍ମକୁ ବହିଷ୍କାର କରିଥିବା କମ୍ୟୁନିଷ୍ଟମାନେ ଏକ ନୂତନ ସାମ୍ୟବାଦ ଧର୍ମର ସୃଷ୍ଟି କରିଥିଲେ ଯେଉଁଥିରେ ମୁଖ୍ୟ ଆରାଧ୍ୟ ଦେବତା ରୂପେ ଲେନିନ୍ଙ୍କୁ ଅବସ୍ଥାପିତ କରାଯାଇଥିଲା।
ଏ ଦେବତା କିନ୍ତୁ କେବେ ହେଲେ ଏକ ଦୟାଳୁ, ଅହିଂସ ଦେବତା ନଥିଲେ। ଯଦିବା ନିଜ ଜୀବନର ଶେଷ ସମୟକୁ ଲେନିନ୍ ଷ୍ଟାଲିନ୍ଙ୍କ ପ୍ରତି ବିମୁଖ ହୋଇପଡ଼ିଥିଲେ, ଷ୍ଟାଲିନ୍ କିନ୍ତୁ କାୟମନୋବାକ୍ୟରେ ସର୍ବଦା ନିଜ ଗୁରୁଙ୍କୁ ଅନୁସରଣ କରିଥିଲେ। ୧୯୩୦ ଦଶକରେ ସୋଭିଏତ୍ ୟୁନିଅନ୍ରେ ଯେଉଁ ଆତଙ୍କରାଜ (ସୁବ୍ରମନିଅନ୍ ସ୍ୱାମୀ ବିନା କାରଣରେ ଲେନିନ୍ଙ୍କୁ ଜଣେ ଆତଙ୍କବାଦୀ ରୂପେ ବର୍ଣ୍ଣନା କରିନାହାନ୍ତି), ହତ୍ୟା ଓ ଦୁର୍ଭିକ୍ଷ ଦେଖାଦେଇଥିଲା ତାହା ସବୁ ୧୯୧୭ ସମୟରେ ଲେନିନ୍ ରଚନା କରିଥିବା ବିପ୍ଳବର କ୍ରମଗତି ହିଁ ଥିଲା। ଉଭୟ ଗୁରୁ ଲେନିନ୍ ଓ ଶିଷ୍ୟ ଷ୍ଟାଲିନ୍ ନିର୍ଦ୍ଦୟ ଭାବରେ ରୁଷିଆର ଚାଷୀକୁଳର ନିପାତ ଘଟାଇଥିଲେ; ଉଭୟ ସେମାନଙ୍କର ରାଜନୈତିକ ବିରୋଧୀମାନଙ୍କୁ କନ୍ସେଣ୍ଟ୍ରେସନ୍ କ୍ୟାମ୍ପ୍ରେ ବନ୍ଦୀ କରି ରଖିଥିଲେ, ଉଭୟ ବିଶାଳ ଆକାରର ମନୁଷ୍ୟକୃତ ଦୁର୍ଭିକ୍ଷ ରଚନା କରିଥିଲେ।
ଲେନିନ୍ଙ୍କ ମୃତ୍ୟୁ ପରେ ସୋଭିଏତ୍ ପ୍ରଚାର କଳ ଲେନିନ୍ଙ୍କୁ ଜଣେ ମହାନ୍ ଦାର୍ଶନିକ ରୂପେ ପ୍ରଦର୍ଶିତ କରିବାକୁ ଉଦ୍ୟମ ଚଳାଇଥିଲେ ବି ଲେନିନ୍ ଆଦୌ ଏକ ଉଚ୍ଚକୋଟୀର ବୌଦ୍ଧିକ ବ୍ୟକ୍ତି ନଥିଲେ। ଲେନିନ୍ କିନ୍ତୁ ତାଙ୍କର ବୌଦ୍ଧିକ ଅଭାବକୁ ଅବିରାମ କାମ କରି ଚାଲିବାର କ୍ଷମତା, ଅଦମ୍ୟ ଇଚ୍ଛାଶକ୍ତି ଏବଂ ତୀକ୍ଷ୍ଣ ରାଜନୈତିକ ଚତୁରତା ଦ୍ୱାରା ପୂରଣ କରିବାରେ ସଫଳ ହୋଇଥିଲେ। ତାଙ୍କର ଏହି ସବୁ ଗୁଣ ତାଙ୍କୁ ଓ ତାଙ୍କର ଅନୁଗତ ଗୋଷ୍ଠୀକୁ ୧୯୧୭ର ବିପ୍ଳବର ଘଟଣାବଳୀକୁ ବ୍ୟବହାର କରି ଶେଷରେ ରୁଷିଆର ମାଲିକ ହେବାରେ ସାହାଯ୍ୟ କରିଥିଲା। ଏକ ସାମ୍ୟବାଦୀ ‘ସ୍ୱର୍ଗ’ର ସ୍ୱପ୍ନ ଦେଖାଇଥିବା ଲେନିନ୍ କିନ୍ତୁ ଜର୍ଜ ଅର୍େଓ୍ଵଲ୍ଙ୍କ ପ୍ରସିଦ୍ଧ ଉକ୍ତି ଭଳି ଅନ୍ୟ ଦେଶବାସୀଙ୍କ ଠାରୁ ବହୁ ଅଧିକ ସମାନ ହୋଇପାରିଥିଲେ। ଆଉ ଏହି ସ୍ୱର୍ଗର ସୃଷ୍ଟି ପାଇଁ ଲେନିନ୍ ଅତ୍ୟନ୍ତ ଉତ୍ସାହର ସହିତ ହତ୍ୟା, ଆତଙ୍କ ଓ ନିଷ୍ପେଷଣର ସାହାଯ୍ୟ ନେଇଥିଲେ। ଏହି ତଥାକଥିତ ଦାର୍ଶନିକଙ୍କର ଏକ ପ୍ରସିଦ୍ଧ ଦର୍ଶନ ହେଲା- ‘‘ବନ୍ଧୁକ ଧରିଥିବା ଜଣେ ଲୋକ ପାଖରେ ବନ୍ଧୁକ ରଖି ନ ଥିବା ଶହେ ଲୋକଙ୍କୁ ନିୟନ୍ତ୍ରଣ କରିପାରିବ।’’ ତାଙ୍କର ଆଉ ଏକ ସେହିପରି ଦର୍ଶନ ହେଲା- ‘‘ଲକ୍ଷ୍ୟ ଉପାୟକୁ ଯଥାର୍ଥ କରିଥାଏ।’’ ଅର୍ଥାତ୍ ଲକ୍ଷ୍ୟ ପୂରଣ ପାଇଁ ଯେ କୌଣସି ଉପାୟ ଅବଲମ୍ବନ କରାଯାଇପାରେ। ଏଥିରୁ ସ୍ପଷ୍ଟ ଯେ ଧର୍ମହୀନ ଲେନିନ୍ ମଧ୍ୟ ଥିଲେ ସମ୍ପୂର୍ଣ୍ଣ ରୂପେ ନୀତିହୀନ। ତାଙ୍କର ପ୍ରତିମୂର୍ତ୍ତି ଉତ୍ପାଟନ ନିନ୍ଦନୀୟ ହେଲେ ମଧ୍ୟ ଏହା ନୀତି ଉପରେ ଅନୀତିର ଆକ୍ରମଣ ନୁହେଁ।