ରାଜ୍ୟସଭା ମନୋନୟନ

0 315

ଆସନ୍ତା କିଛି ସପ୍ତାହ ପରେ ଅବ୍ୟାହତି ନେଉଥିବା ଓଡ଼ିଶାର ତିନିଜଣ ରାଜ୍ୟସଭା ସଦସ୍ୟଙ୍କ ସ୍ଥାନରେ କେଉଁମାନେ ପୁଣି ସଂସଦର ଉଚ୍ଚ ସଦନରେ ରାଜ୍ୟର ପ୍ରତିନିଧିତ୍ୱ କରିବେ? ଏହି ପ୍ରଶ୍ନ ଉପରେ ଗତ କିଛି ଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନା ତଥା ଉତ୍କଣ୍ଠାର ଅବସାନ ଘଟିଛି। ତିନିଟି ଯାକ ଆସନ ଉପରେ ଏକଚାଟିଆ ଥିବା ଶାସକ ବିଜେଡ଼ିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦଳୀୟ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛନ୍ତି। ପୂର୍ବତନ ମନ୍ତ୍ରୀ, ଓଡ଼ିଆ ଚଳଚ୍ଚିତ୍ର ଜଗତ୍‌ର ବରିଷ୍ଠ ତଥା ବିଶିଷ୍ଟ ବ୍ୟକ୍ତିତ୍ୱ ପ୍ରଶାନ୍ତ ନନ୍ଦ, ସମ୍ବାଦ ସଂପାଦକ, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା, ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ଦୁଇଟି ଅନୁଷ୍ଠାନ ‘କିସ୍‌’ ଓ ‘କିଟ୍‌’ର ପ୍ରତିଷ୍ଠାତା ସମାଜସେବୀ ଶିକ୍ଷାବିତ୍‌ ଅଚ୍ୟୁତ ସାମନ୍ତ ରାଜ୍ୟସଭା ପାଇଁ ବିଜେଡ଼ିର ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ପ୍ରାର୍ଥୀ ଚୟନ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ବୋଲି କୁହାଯାଇ ପାରିବ ନାହିଁ। ତଥାପି ଏହା ରାଜନୈତିକ ଓ ସାମାଜିକ ମହଲରେ ବେଶ୍‌ ଆଲୋଡ଼ନ ସୃଷ୍ଟି କରିଛି। ବିଧାନସଭାରେ ଶାସକ ଦଳର ସଂଖ୍ୟାବଳ ଦୃଷ୍ଟିରୁ ଏହି ତିନି ଜଣ ପ୍ରାର୍ଥୀ ସଂସଦର ବରିଷ୍ଠଙ୍କ ସଦନକୁ ନିର୍ବାଚିତ ହେବା ଏବେ କେବଳ ଏକ ଔପଚାରିକତା ମାତ୍ର।

ପ୍ରାୟ ଦୁଇ ବର୍ଷ ତଳେ ୨୦୧୬ ଜୁନ୍‌ରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ବିଜେଡି ନେତୃତ୍ୱ ଦଳରେ ବରିଷ୍ଠତା ଓ ଆଞ୍ଚଳିକ ପ୍ରତିନିଧିତ୍ୱକୁ ବିଚାରକୁ ନେଇ ତିନିଜଣ ପୁରୁଖା ଦଳୀୟ ନେତାଙ୍କୁ ପ୍ରାର୍ଥୀ ଚୟନ କରିଥିଲେ। ପଶ୍ଚିମ ଓଡ଼ିଶାରୁ ପ୍ରସନ୍ନ ଆଚାର୍ଯ୍ୟ, ଦକ୍ଷିଣରୁ ଭାସ୍କର ରାଓ ଏବଂ ଉପକୂଳ ଅଞ୍ଚଳରୁ ବିଷ୍ଣୁ ଦାସଙ୍କୁ ମନୋନୀତ କରାଯାଇଥିଲା। ପରେ ଅବଶ୍ୟ, ବିଷ୍ଣୁ ଦାସଙ୍କୁ ରାଜ୍ୟ ଯୋଜନା ବୋର୍ଡରେ ଅବସ୍ଥାପିତ କରାଯାଇ ଉପକୂଳ ଅଞ୍ଚଳର ଆଉ ଜଣେ ନେତା, ଦଳୀୟ ମୁଖପାତ୍ର ପ୍ରତାପ ଦେବଙ୍କୁ ରାଜ୍ୟସଭାକୁ ପଠାଗଲା। ଏଥର ମନୋନୀତ ତିନିଜଣଙ୍କ ମଧ୍ୟରେ ଦୁଇଜଣ ବିଜେଡିରେ ନବାଗତ। ବୁଧବାର ପୂର୍ବାହ୍ନରେ ଦୁଇଜଣ ଯାକ ବିଜେଡ଼ିରେ ଯୋଗ ଦେଇଥିଲେ ଏବଂ ଅଳ୍ପ କିଛି ଘଣ୍ଟା ପରେ ସନ୍ଧ୍ୟା ବେଳକୁ ରାଜ୍ୟସଭା ପାଇଁ ଦଳୀୟ ପ୍ରାର୍ଥୀ ଭାବେ ସେମାନଙ୍କ ନାମ ଘୋଷଣା କରାଯାଇଥିଲା। ଅବଶ୍ୟ, ଦୁଇଜଣଯାକ ବିଜେଡ଼ି ପାଇଁ ‘ନବାଗତ’ ହେଲେ ସୁଦ୍ଧା ଓଡ଼ିଶାର ସାଧାରଣ ଜୀବନରେ ପରିଚିତ ଓ ନିଜ ନିଜ କ୍ଷେତ୍ରରେ ବେଶ୍‌ ପ୍ରତିଷ୍ଠିତ ଓ ସ୍ୱନାମଧନ୍ୟ। ଦୁଇ ନବାଗତଙ୍କ ମଧ୍ୟରୁ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ରାଜନୀତିକୁ ଏହା ପ୍ରଥମ ପ୍ରବେଶ ହୋଇଥାଇପାରେ, କିନ୍ତୁ ସୌମ୍ୟରଞ୍ଜନ ବିଗତ ଅଢ଼େଇ ଦଶକ ଧରି ଓଡ଼ିଶା ରାଜନୀତିରେ ଜଣେ ଆଗଧାଡ଼ିର ବ୍ୟକ୍ତିିତ୍ୱ। ଆଞ୍ଚଳିକ ଦଳ ‘ଆମ ଓଡ଼ିଶା’ର ସେ ପ୍ରତିଷ୍ଠାତା ଅଧ୍ୟକ୍ଷ। କୃଷକ ଆନ୍ଦୋଳନ ଓ ଚିଟ୍‌ଫଣ୍ଡ ଆନ୍ଦୋଳନର ପୁରୋଭାଗରେ ସେ ରହି ଆସିଛନ୍ତି।

ତେବେ ରାଜନୀତି ଅପେକ୍ଷା ଯାହା ସୌମ୍ୟଙ୍କୁ ଅଧିକ ପରିଚୟ ଓ ସ୍ୱୀକୃତି ଦେଇଛି ତାହା ହେଲା, ସାମ୍ବାଦିକତା, ଭାଷା ଆନ୍ଦୋଳନ, ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ ଆଦି। ରାଜନୀତି, ସମାଜସେବା ସହ ସାହିତ୍ୟ, ସଂସ୍କୃତି, କଳା ଓ ମନୋରଂଜନ ଶିଳ୍ପ କ୍ଷେତ୍ରରେ ସଦା କିଛି ନୂଆ କରି ଦେଖାଇବା ପ୍ରୟାସରେ ଅଭିନବ ପ୍ରୟୋଗ ତାଙ୍କ ବ୍ୟକ୍ତିତ୍ୱର ଆଉ ଏକ ବିଶେଷ ବିଭାବ। ସର୍ବୋପରି ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନର ଏକ ଉଦାତ୍ତ ସ୍ୱର ଭାବେ ସେ ରାଜ୍ୟର ସାଧାରଣ ଜୀବନ ତଥା ଓଡ଼ିଶାର ଜନମାନସରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଅନ୍ୟତମ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ସମାଜସେବା, ବିଶେଷକରି ଶିକ୍ଷା ମାଧ୍ୟମରେ ଅବହେଳିତ ଆଦିବାସୀଙ୍କ ସଶକ୍ତୀକରଣ କ୍ଷେତ୍ରରେ ଏକ ସମ୍ମାନନୀୟ ନାମ। ପ୍ରାୟ ପଚିଶ ହଜାର ଆଦିବାସୀ ପିଲାଙ୍କୁ ମାଗଣାରେ ଆବାସିକ ଶିକ୍ଷାଦାନ କରୁଥିବା ‘କିସ୍‌’ ଏବଂ ବୈଷୟିକ ଶିକ୍ଷା କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ‘କିଟ୍‌’ ତାଙ୍କୁ ଜଣେ ଅନୁଷ୍ଠାନ ନିର୍ମାତା ଭାବେ ସ୍ୱୀକୃତି ଦେଇଛି।

ରାଜ୍ୟସଭା ପାଇଁ ମନୋନୀତ ଏହି ଦୁଇ ‘ବିଜେଡି ନବାଗତ’ ସୌମ୍ୟ ଓ ଅଚ୍ୟୁତଙ୍କ ସହ ମନୋନୀତ ତୃତୀୟ ପ୍ରାର୍ଥୀ ଦଳର ଜଣେ ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ। ପ୍ରଶାନ୍ତ ନନ୍ଦଙ୍କ ପ୍ରାର୍ଥୀତ୍ୱକୁ ବିଚାର କଲେ ମନେ ହେଉଛି ପ୍ରାର୍ଥୀ ମନୋନୟନରେ ଆଞ୍ଚଳିକ କିମ୍ବା କୌଣସି ବର୍ଗର ପ୍ରତିନିଧିତ୍ୱ ବଦଳରେ ଏଥର ତିନିଟି ବିଭିନ୍ନ ପ୍ରମୁଖ କ୍ଷେତ୍ରର ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି। ସୌମ୍ୟରଂଜନ ଯଦି ରାଜନୀତି ସହ ସମାଜସେବା, ଭାଷା, ସାହିତ୍ୟ, ସଂସ୍କୃତି ଓ ନିର୍ଦ୍ଦିଷ୍ଟ ଉପେକ୍ଷିତ ବର୍ଗର ଆଶା, ଆକାଂକ୍ଷା ସହ ଯୋଡ଼ି ହୋଇଥିବା ଆନ୍ଦୋଳନର ପ୍ରତିନିଧିତ୍ୱ କରୁଛନ୍ତି, ତେବେ ଅଚ୍ୟୁତ ସାମନ୍ତଙ୍କୁ ସମାଜସେବା, ଆଦିବାସୀ କଲ୍ୟାଣ, ଶିକ୍ଷାକ୍ଷେତ୍ରର ଏବଂ ପ୍ରଶାନ୍ତ ନନ୍ଦଙ୍କୁ କଳା, ସଂସ୍କୃତି, ମନୋରଞ୍ଜନ କ୍ଷେତ୍ରର ପ୍ରତିନିଧି ବୋଲି ବିଚାର କରାଯାଇପାରେ। ଉଲ୍ଲେଖନୀୟ ହେଲା, ତିନିଜଣଯାକଙ୍କ ପତିଆରା, ପରିଚୟ ଓ କାର୍ଯ୍ୟ ପରିସର ରାଜ୍ୟବ୍ୟାପୀ।

ତେବେ ସ୍ୱାଭାବିକ ଭାବେ ଏଠାରେ ପ୍ରଶ୍ନ ଉଠୁଛି ବିଭିନ୍ନ କ୍ଷେତ୍ରରେ ପ୍ରତିନିଧିତ୍ୱ କରୁଥିବା ତିନିଜଣଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଚୟନ କରି ବିଜେଡି ସୁପ୍ରିମୋ କ’ଣ ବାର୍ତ୍ତା ଦେବାକୁ ଚାହାନ୍ତି? ଓଡ଼ିଶାର ବୃହତ୍ତର ସ୍ୱାର୍ଥ ପାଇଁ କାର୍ଯ୍ୟରତ ଓ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ପାଇଁ ମର୍ଯ୍ୟାଦା ବୃଦ୍ଧି କରିଥିବା ବ୍ୟକ୍ତିଙ୍କୁ ଏହା ସ୍ୱୀକୃତି ଓ ସମ୍ମାନ। ଏହି ପ୍ରକ୍ରିୟାରେ ଆଞ୍ଚଳିକ ଦଳ ଭାବେ ବିଜେଡି ଓଡ଼ିଶା ଓ ଏହାର ସ୍ୱାର୍ଥ ସ୍ୱାଭିମାନ ପ୍ରତି ତା’ର ଅଙ୍ଗୀକାରବଦ୍ଧତାକୁ ପ୍ରଦର୍ଶନ କରିଛି। ଦଳୀୟ ସ୍ୱାର୍ଥ ଅପେକ୍ଷା ରାଜ୍ୟ ସ୍ୱାର୍ଥ ପ୍ରତି ଅଧିକ ଗୁରୁତ୍ୱ ଦେଇ ଦେଶର ସର୍ବୋଚ୍ଚ ଗଣତାନ୍ତ୍ରିକ ମଞ୍ଚ ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱକୁ ଅଧିକ ଦମ୍‌ଦାର କରିବା ଓ ରାଜ୍ୟର ସ୍ୱରକୁ ଅଧିକ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ଏହା ଏକ ପ୍ରୟାସ। ବୁଧବାର ଘଟଣାକ୍ରମରୁ ଆଉ ଏକ ବାର୍ତ୍ତା ମଧ୍ୟ ମିଳୁଛି। ରାଜ୍ୟର ବୃହତ୍ତର ସ୍ୱାର୍ଥ ଓ ସ୍ୱାଭିମାନ ପ୍ରସଙ୍ଗରେ କଟ୍ଟର ସମାଲୋଚକଙ୍କୁ ମଧ୍ୟ ବିଶ୍ୱାସକୁ ନେଇ ସାଥୀ, ସହଯୋଗୀ ଭାବେ ଗ୍ରହଣ କରାଯାଇପାରେ। ଅନ୍ୟପକ୍ଷରେ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ କେବଳ ସମାଲୋଚନା ଯଥେଷ୍ଟ ନୁହେଁ, ବ୍ୟବସ୍ଥାକୁ ପ୍ରବେଶ କରି ସହଯୋଗପୂର୍ଣ୍ଣ ବାତାବରଣରେ ରଚନାତ୍ମକ ଯୋଗଦାନର ଆବଶ୍ୟକତା ରହିଛି।

ଦିଲ୍ଲୀ ଦରବାରରେ ରାଜ୍ୟର ପ୍ରଭାବଶାଳୀ ପ୍ରତିନିଧିତ୍ୱ ଏବଂ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନର ସ୍ୱରକୁ ଅଧିକ ଶାଣିତ କରିବା ଆଶାରେ ଶାସକ ବିଜେଡିର ନେତୃତ୍ୱ ବୁଧବାର ନେଇଥିବା ଏହି ପଦକ୍ଷେପରୁ ଯେ କୌଣସି ରାଜନୈତିକ ଫାଇଦାର ଆକଳନ କରି ନ ଥିବେ, ଏଭଳି କହିହେବନାହିଁ। ଗୋଟିଏ ରାଜନୈତିକ ଦଳର ପ୍ରତ୍ୟେକଟି ପଦକ୍ଷେପରେ ଲାଭ-କ୍ଷତିର ଅଟକଳ ଏକ ସ୍ୱାଭାବିକ ପ୍ରକ୍ରିୟା। ସେ ଦୃଷ୍ଟିରୁ ଆଗାମୀ ଊଣେଇଶ ମୁକାବିଲା ପାଇଁ ପ୍ରସ୍ତୁତିର ଏହା ଏକ ଅଂଶବିଶେଷ ଓ ଦଳର ସ୍ଥିତିକୁ ଅଧିକ ମଜବୁତ କରିବା ଲାଗି ଏକ ସୁଚିନ୍ତିତ ରଣକୌଶଳ। ନିର୍ବାଚନକୁ ଆଉ ମାତ୍ର କିଛି ମାସ ରହିଯାଇଛି। କ୍ରମଶଃ ଦୁର୍ବଳ ହୋଇ ପଡୁଥିବା ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଦ୍ରୁତ ସୀମାନ୍ତରୀକରଣ ପରିପ୍ରେକ୍ଷୀରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସହ ଏକ ସିଧାସଳଖ ଲଢ଼େଇର ସମ୍ଭାବନାକୁ ଦୃଷ୍ଟିରେ ରଖି ଶକ୍ତି ବୃଦ୍ଧି ଦିଗରେ ଏହା ଏକ ପଦକ୍ଷେପ। ବିଶେଷକରି ବିଜେପୁର ଉପ-ନିର୍ବାଚନ ପରେ ଆଗାମୀ ଦିନରେ ରାଜନୈତିକ ଧ୍ରୁବୀକରଣ ସମ୍ଭାବନା ଯେତେବେଳେ ବୃଦ୍ଧି ପାଇ ଚାଲିଛି, ସେତେବେଳେ ବିଜେଡି ପକ୍ଷରେ ଏହା ଏକ ଠିକଣା ସକରାତ୍ମକ ରଣକୌଶଳ ବୋଲି ମନେ ହୁଏ। ବିଭିନ୍ନ କ୍ଷେତ୍ରର ସ୍ୱନାମଧନ୍ୟ ବ୍ୟକ୍ତିତ୍ୱଙ୍କୁ ଚୟନ କରି କ୍ଷମତାସୀନ ଦଳ ନିଜର ପ୍ରତିଷ୍ଠା ଓ ପତିଆରାକୁ ବଢ଼ାଇଛି। ମତଦାତାଙ୍କ ମଧ୍ୟରେ ଯେଉଁମାନେ ଅଧିକ ମୁଖର ଓ ଜନମତକୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖନ୍ତି, ସେମାନଙ୍କ ସହ ସମ୍ପର୍କ ସ୍ଥାପନ କରି ଯୋଡ଼ି ଦେବାର ଏହା ଅବକାଶ ସୃଷ୍ଟି କରିବ। ଦଳର ଜନାଧାର ସଂପ୍ରସାରଣ ଗ୍ରହଣୀୟତା ବୃଦ୍ଧିରେ ଏହା ସହାୟକ ମଧ୍ୟ ହୋଇପାରେ।

ରାଜ୍ୟସଭା ପାଇଁ ମନୋନୀତ ପ୍ରାର୍ଥୀଙ୍କ ଉପରେ ଦଳ ରଖିଥିବା ଆଶା ସେମାନେ କେତେଦୂର ପୂରଣ କରିପାରିବେ ଓ ସଂସଦକୁ ଯାଇ ବ୍ୟକ୍ତିଗତ ଭାବେ ପ୍ରାର୍ଥୀମାନଙ୍କ ପ୍ରତିଷ୍ଠା କେତେ ବଢ଼ିବ, ତାହା ସମୟ କହିବ। କିନ୍ତୁ ବର୍ତ୍ତମାନ ପାଇଁ ନିଶ୍ଚିତ କରି ଏତିକି କୁହାଯାଇ ପାରିବ ଯେ ପ୍ରାର୍ଥୀ ଚୟନ ଦଳ ଭାବେ ବିଜେଡି ଓ ଏହାର ନେତୃତ୍ୱର ପ୍ରତିଷ୍ଠା ବଢାଇଛି, ଦଳର ଛବିକୁ ଉଜ୍ଜ୍ୱଳତର କରିଛି। ସର୍ବୋପରି, ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନର ରକ୍ଷା ପ୍ରସଙ୍ଗରେ ରାଜ୍ୟବାସୀଙ୍କ ମନରେ ନୂଆ ଆଶା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.