ପାଗଳାମି

ବାମଗଡ଼ ତ୍ରିପୁରାରେ ଗେରୁଆ ବିଜୟ ଧ୍ୱଜା ଉଡ଼ିବା ପରେ ପରେ ସାମ୍ୟବାଦର ଆଦର୍ଶପୁରୁଷ, ରୁଷ୍‌ ବିପ୍ଳବର ମହାନାୟକ ଲେନିନ୍‌ଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ପ୍ରତିଫଳିତ ପାଗଳାମିର ସଂକ୍ରମଣକୁ ତଥାପି ରୋକାଯାଇ ପାରିନାହିଁ। ତ୍ରିପୁରା ପରେ ପୂର୍ବରେ ପଶ୍ଚିମବଙ୍ଗଠାରୁ ଆରମ୍ଭ କରି ଉତ୍ତରରେ ଉତ୍ତର-ପ୍ରଦେଶ, ଦକ୍ଷିଣରେ ତାମିଲନାଡୁ ପର୍ଯ୍ୟନ୍ତ ବିଭିନ୍ନ ମତବାଦ ତଥା ରାଜନୈତିକ-ସାମାଜିକ ବିଚାରଧାରାର ଆଦ୍ୟ ଉଦ୍‌ଗାତା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଛି କିମ୍ବା ବିକୃତ କରାଯାଇଛି। କୋଲ୍‌କାତାରେ ଜନସଂଘର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତି ବିକୃତ କରାଯାଇଥିବା ବେଳେ ଉତ୍ତର-ପ୍ରଦେଶରେ ଦଳିତଙ୍କ ତ୍ରାଣକର୍ତ୍ତା ଆମ୍ବେଦକର ଏବଂ ତାମିଲନାଡୁରେ ଦ୍ରାବିଡ଼ ଆନ୍ଦୋଳନର ଜନକ ପେରିୟାରଙ୍କ ପ୍ରତିମୂର୍ତ୍ତି ଆକ୍ରୋଶର ଶିକାର ହୋଇଛି। ଏହି କ୍ରମରେ ଗୁରୁବାର ଦିନ ଦକ୍ଷିଣ ରାଜ୍ୟ କେରଳରେ ଉଗ୍ର- ଆକ୍ରୋଶର ସଦ୍ୟତମ ଶିକାର ହୋଇଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଦଳିତଙ୍କ ଦେବଦୂତ ଆମ୍ବେଦକର।

ଏ ପାଗଳାମି ଆଦର୍ଶଗତ ଲଢ଼େଇର ପରିଣାମ ନୁହେଁ, ବରଂ ଭାରତରେ କ୍ରମବର୍ଦ୍ଧିଷ୍ଣୁ ହିଂସା ପ୍ରବଣତା ଓ ଅସହିଷ୍ଣୁତା ଆକ୍ରାନ୍ତ ରାଜନୈତିକ ସଂସ୍କୃତିର ଉଗ୍ରରୂପ। ମୂର୍ତ୍ତି ଭଙ୍ଗା କିମ୍ବା ବିକୃତ କରାଯିବାର ଏହି ଦୁର୍ଭାଗ୍ୟଜନକ କ୍ରମ ଭାରତୀୟ ଗଣତନ୍ତ୍ରର ଦେବାଳିଆପଣ ପ୍ରତି ଦୁଃଖଦ ଇଙ୍ଗିତ। ଗୋଟିଏ ଗଣତନ୍ତ୍ରରେ ସବୁ ମତବାଦ, ବିବିଧ ରାଜନୈତିକ-ସାମାଜିକ ଚିନ୍ତାଧାରା ଲାଗି ସ୍ଥାନ ରହିଛି। ନାନା ଧର୍ମ, ନାନା ଜାତି, ଭାଷା, ସଂସ୍କୃତି ଓ ଆଦର୍ଶକୁ କୋଳେଇ ନେଇଥିବା ଭାରତ ଏକ ବିବିଧତାର ଦେଶ। ସେଥିପାଇଁ ଯଥାର୍ଥରେ ଆମ ସମ୍ବିଧାନ ପ୍ରଣେତାମାନେ ବହୁଦଳୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବାଛି ନେଇଥିଲେ, ଯେଉଁଠି ସବୁ ପ୍ରକାର ମତବାଦ, ଏପରିକି ପରସ୍ପର ବିରୋଧୀ ଚିନ୍ତାଧାରା ପାଇଁ କେବଳ ସ୍ଥାନ ରହିବ ନାହିଁ, ଏହାର ପ୍ରସାର ଲାଗି ପର୍ଯ୍ୟାପ୍ତ ସୁଯୋଗ ମଧ୍ୟ ରହିବ। ଏହା ହେଉଛି ଭାରତୀୟ ଗଣତନ୍ତ୍ରର ଶକ୍ତି ଓ ସୁନ୍ଦରତା। ତେବେ ଏଭଳି ଏକ ଗଣତନ୍ତ୍ର ପାଇଁ ପ୍ରାକ୍‌-ଆବଶ୍ୟକତା ହେଲା ପରସ୍ପର ପ୍ରତି ସହନଶୀଳତା, ଭିନ୍ନମତ ପ୍ରତି ଉଦାର ସମ୍ମାନ। ନିଜ ମତ ରଖିବାର ଅଧିକାର ସାବ୍ୟସ୍ତ ବେଳେ ଅନ୍ୟକୁ ଅଧିକାର ହାଜିର ଲାଗି ସୁଯୋଗ ପ୍ରଦାନ। ଏହି ପ୍ରାକ୍‌-ଆବଶ୍ୟକତା ହିଁ ଗଣତନ୍ତ୍ରରେ ଆଦର୍ଶଗତ, ପରସ୍ପର ବିରୋଧାତ୍ମକ ରାଜନୈତିକ ମତବାଦର ଲଢ଼େଇ ଲାଗି ସୀମା ଏବଂ ନିୟମ ନିର୍ଧାରଣ କରେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଲା, କ୍ଷମତା ଲାଭର ବ୍ୟଗ୍ରତା କିମ୍ବା କ୍ଷମତା ମୋହରେ ରାଜନୈତିକ ଦଳ ଓ ରାଜନୈତିକ ସଂଗଠନମାନେ ଏହି ସୀମାକୁ ଉଲ୍ଲଂଘନ କରିଚାଲିଛନ୍ତି।

ଏହି ଅଗଣତାନ୍ତ୍ରିକ ମାନସିକତା ଆଦର୍ଶଗତ ଲଢ଼େଇକୁ ଉଗ୍ରରୂପ ଦେଇ ରାଜନୀତିକୁ ଆକ୍ରମଣାତ୍ମକ ଏବଂ ହିଂସା ପ୍ରବଣ କରି ଦେଉଛି। ପ୍ରତିମୂର୍ତ୍ତି ଭଙ୍ଗାର ଦୁର୍ଭାଗ୍ୟଜନକ କ୍ରମ ଏହାର ଗୋଟିଏ ପ୍ରତିଫଳନ। ତ୍ରିପୁରାରୁ ଆରମ୍ଭ ହୋଇଥିବା ଏଥରର ପ୍ରତିମୂର୍ତ୍ତିି ଭଙ୍ଗା ଘଟଣାର କ୍ରମ ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଏ ପ୍ରକାର ଦୁର୍ଭାଗ୍ୟଜନକ ଘଟଣା ବାରମ୍ବାର ଘଟିଛି। ଭୟଙ୍କର ପରିଣାମ ସ୍ୱରୂପ ବହୁ ଜୀବନ ଯାଇଛି, ବିପୁଳ ଧନ-ସମ୍ପତ୍ତିର କ୍ଷତି ଘଟିଛି। ତଥାପି ଅବସ୍ଥା ବଦଳୁ ନାହିଁ। ମାତ୍ର ଦୁଇ ମାସ ତଳେ ମହାରାଷ୍ଟ୍ରରେ କେରେଗାଓଁ -ଭୀମାଠାରେ ଜଣେ ‘ଦଳିତ ଯୋଦ୍ଧା’ଙ୍କ ସ୍ମାରକୀକୁ ବିକୃତ କରାଯିବା ଘଟଣାକୁ କେନ୍ଦ୍ର କରି ସାରା ଦେଶରେ ଜାତିଆଣ ଉତ୍ତେଜନା, ହିଂସାର ନିଆଁ ଜଳିଲା। କେତେକ ସ୍ଥାନରେ ବ୍ୟାପକ ପୋଡ଼ାଜଳା, ଭଙ୍ଗାରୁଜା ହେଲା। ଏବେ ମୂର୍ତ୍ତି ଭଙ୍ଗାକୁ କେନ୍ଦ୍ର କରି ପୁଣି ହିଂସା, ଉତ୍ତେଜନାର କ୍ରମ ଫେରିଛି। ତ୍ରିପୁରାରେ ଆଦର୍ଶଗତ ଲଢ଼େଇ ବିଜେପି ଓ ବାମପନ୍ଥୀଙ୍କ ମଧ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ରୂପାନ୍ତରିତ ହୋଇଛି। ତାମିଲନାଡୁରେ ଦ୍ରାବିଡ଼ ଅସ୍ମିତା ଆନ୍ଦୋଳନର ଭଗୀରଥ ପେରିୟାରଙ୍କ ପ୍ରତିମୂର୍ତ୍ତି ଉପରେ ଆକ୍ରମଣ ପରେ ସାରା ରାଜ୍ୟ ଉତ୍ତେଜନାରେ କମ୍ପୁଛି ଓ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ମନେ ରଖିବା ଉଚିତ ଯେ ଜଣେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି, ଗୋଟିଏ ନିର୍ଦ୍ଦିଷ୍ଟ ମତବାଦ କିମ୍ବା ଚିନ୍ତାଧାରାର ଶୁଖିଲା ନିଷ୍ପ୍ରାଣ ପ୍ରତୀକ ନୁହେଁ, ଏହା ସହ ସେହି ଚିନ୍ତାଧାରାରେ ବିଶ୍ୱାସ କରୁଥିବା ସମ୍ପୃକ୍ତ ଆଦର୍ଶ ପୁରୁଷଙ୍କ ଅନୁଗାମୀ ମାନଙ୍କ ଭାବନା ଓ ଆବେଗ ଯୋଡ଼ି ହୋଇଥାଏ, ଯାହା ପ୍ରସଙ୍ଗକୁ ଅତ୍ୟନ୍ତ ସ୍ପର୍ଶକାତର କରି ଦେଇଥାଏ।

ତେବେ ଆଦର୍ଶଗତ ଲଢ଼େଇ ଆଳରେ ଆକ୍ରମଣାତ୍ମକ ହିଂସାତ୍ମକ ରାଜନୈତିକ ସଂସ୍କୃତିି ଯୋଗୁ ଯଦି ଆଜି ଭାରତୀୟ ଗଣତନ୍ତ୍ର ଅବକ୍ଷୟମୁଖୀ, ତେବେ ସେଥିପାଇଁ କୌଣସି ଗୋଟିଏ ଦଳକୁ ଦାୟୀ କରାଯାଇ ନପାରେ। ପ୍ରାୟ ସବୁ ଦଳର ଏଥିରେ ଊଣା ଅଧିକେ ଅବଦାନ ରହିଛି। ତ୍ରିପୁରାରେ ବିଜେପି ସମର୍ଥକମାନେ ବୁଲ୍‌ଡୋଜର ଲଗାଇ ଲେନିନ୍‌ଙ୍କ ପ୍ରତିମୂର୍ତ୍ତିି ଭାଙ୍ଗିଲେ। କୋଲ୍‌କାତାରେ ବାମପନ୍ଥୀ ଛାତ୍ରମାନେ ଜନସଂଘ ପ୍ରତିଷ୍ଠାତା ଏବଂ ‘ହିନ୍ଦୁତ୍ୱ’ର ଅନ୍ୟତମ ଆଦ୍ୟ ଉଦ୍‌ଗାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ କଳା ବୋଳିଲେ। ପେରିୟାରଙ୍କ ପ୍ରତିମୂର୍ତ୍ତି ଉପରେ ଆକ୍ରମଣରେ ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣେ ବିଜେପି ଓ ଅନ୍ୟ ଜଣକ ସିପିଆଇର କର୍ମୀ। ଦଳର ରାଜନୈତିକ କର୍ମୀ ଓ ଦଳୀୟ ସମର୍ଥକଙ୍କ ଦ୍ୱାରା ପ୍ରତିମୂର୍ତ୍ତି ଭଙ୍ଗା କିମ୍ବା ବିକୃତ କରାଯିବା ଯେତିକି ଦୁର୍ଭାଗ୍ୟଜନକ, ତା’ଠାରୁ ଅଧିକ ଦୁର୍ଭାଗ୍ୟଜନକ ଏହାକୁ ଯଥାର୍ଥ ସାବ୍ୟସ୍ତ କରି ଦଳୀୟ ନେତା, ଏପରିକି ସାମ୍ବିଧାନିକ ପଦଧାରୀ କର୍ମକର୍ତ୍ତା ଦେଉଥିବା ବକ୍ତବ୍ୟ। ଉତ୍ତର-ପୂର୍ବାଞ୍ଚଳ ଦାୟିତ୍ୱରେ ଥିବା ବିଜେପି ସାଧାରଣ ସଂପାଦକ ରାମ ମାଧବ ଲେନିନ୍‌ଙ୍କ ମୂର୍ତ୍ତି ଭଙ୍ଗାକୁ ଏକ ସ୍ୱାଭାବିକ ପ୍ରତିକ୍ରିୟା ବୋଲି ମନ୍ତବ୍ୟ ଦେଲେ।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା, ରାଜ୍ୟପାଳ ତଥାଗତ ରାୟ ରାଜନୈତିକ ପଟ୍ଟପରିବର୍ତ୍ତନ ପରିପ୍ରେକ୍ଷୀରେ ଜନାଦେଶ ପାଇଥିବା ଦଳ ପୁରୁଣା ପ୍ରତିମୂର୍ତ୍ତି ଭାଙ୍ଗି ନୂଆ ଗଢ଼ିବାରେ କୌଣସି ଅସ୍ୱାଭାବିକତା ନାହିଁ ବୋଲି କହିଥିଲେ। ତାମିଲନାଡୁରେ ଜଣେ ବିଜେପି କର୍ମକର୍ତ୍ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ଉସୁକାଇଲା ଭଳି ବୟାନ ପ୍ରସାର ପରେ ପେରିୟାରଙ୍କ ପ୍ରତିମୂର୍ତ୍ତି ଉପରେ ଆକ୍ରମଣ ହେଲା। ଏବେ ଗୁଜରାଟ ବିଧାୟକ ତଥା ଦଳିତ ବର୍ଗର ଉଦୀୟମାନ ନେତା ଜିଗ୍ନେଶ ମେଓ୍ଵାନୀଙ୍କ ସମେତ ବିଭିନ୍ନ ଦଳର ନେତା ମୂର୍ତ୍ତିଭଙ୍ଗା ଘଟଣାକୁ ନିନ୍ଦା କରିବାକୁ ଯାଇ ଯେଉଁ ବୟାନ ଜାରି କରୁଛନ୍ତି, ତାହା ବେଶ୍‌ ଉତ୍ତେଜନାପୂର୍ଣ୍ଣ ଓ ପ୍ରତିପକ୍ଷଙ୍କ ପ୍ରତୀକ ପ୍ରତିମୂର୍ତ୍ତି ଉପରେ ଆକ୍ରମଣ ପାଇଁ ପରୋକ୍ଷ ଆହ୍ଵାନ ବୋଲି କୁହାଯାଇପାରେ। ଏହା ରାଜନୀତିରେ ହିଂସା ଓ ଅସହିଷ୍ଣୁତାର ସଂସ୍କୃତିକୁ ପ୍ରୋତ୍ସାହନ ନୁହେଁ ତ ଆଉ କ’ଣ? ବିଡ଼ମ୍ବନା ହେଲା ମୂର୍ତ୍ତି ଭଙ୍ଗାରେ ଯେମିତି ଏକ ପାଗଳାମିର ପ୍ରତିଫଳନ ଦେଖିବାକୁ ମିଳୁଛି, ପ୍ରତିମୂର୍ତ୍ତି ନିର୍ମାଣରେ ପ୍ରତିଦ୍ୱନ୍ଦ୍ୱିତାର ମଧ୍ୟ ସେମିତି ପାଗଳାମି ପରିଲକ୍ଷିତ ହେଉଛି। ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପାନୀୟଜଳ ଯୋଗାଣ ଭଳି ମୌଳିକ ସମସ୍ୟା ପାଇଁ ସମ୍ବଳ ଯୋଗାଡ଼ ହୋଇ ପାରୁନାହିଁ, ଅଥଚ ହଜାର ହଜାର କୋଟି ଟଙ୍କାର ପ୍ରତିମୂର୍ତ୍ତି ନିର୍ମାଣ ଚାଲିଛି।

ଏ ଅସ୍ୱସ୍ତିକର ପ୍ରକ୍ରିୟାରେ ଭାରତୀୟ ଗଣତନ୍ତ୍ର ଯେଉଁ ଅବକ୍ଷୟର ଶିକାର ହୋଇଛି ତାହା ପ୍ରତିଫଳିତ ହୋଇଛି ବିଶ୍ୱ ଗଣତନ୍ତ୍ର ସୂଚକାଙ୍କ ଆଧାରିତ ମାନ୍ୟତା ତାଲିକାରେ। ଏହି ତାଲିକାରେ ବିଶ୍ୱର ୧୬୫ଟି ସ୍ୱାଧୀନ ଦେଶ ମଧ୍ୟରେ ସର୍ବବୃହତ୍‌ ଗଣତନ୍ତ୍ର ଭାରତର ସ୍ଥାନ ୪୨ରେ। ଗତ ବର୍ଷ ଏହି ତାଲିକାରେ ଭାରତ ୩୨ତମ ସ୍ଥାନରେ ଥିଲା। ବର୍ଷକ ମଧ୍ୟରେ ମାନ୍ୟତା ତାଲିକାରେ ଭାରତର ସ୍ଥାନ ଦଶପାଦ ତଳକୁ ଖସିବା ଦେଶରେ ଗଣତନ୍ତ୍ରର ଅବକ୍ଷୟ ଧାରା କେତେ ତୀବ୍ର ଓ ରାଜନୀତିର ହିଂସା, ଅସହିଷ୍ଣୁତାର ସଂସ୍କୃତି ଆମର ରାଜନୈତିକ, ଗଣତାନ୍ତ୍ରିକ ବ୍ୟବସ୍ଥାକୁ କେମିତି ତଳକୁ ଟାଣିଚାଲିଛି, ତା’ର ଦୁଃଖଦ ସୂଚକ। ରାଜନୀତିରେ ହିଂସା, ଅସହିଷ୍ଣୁତାର ସଂସ୍କୃତିରେ ରାଜନୈତିକ ଦଳ ମାନଙ୍କ ନ୍ୟସ୍ତ ସ୍ୱାର୍ଥ ରହିଛି। ତେଣୁ ସେମାନେ ଏହା ବନ୍ଦ କରିବେ ନାହିଁ। ଏହାକୁ ବନ୍ଦ କରିବା ଯାଦୁ ଅଛି ଜନତାଙ୍କ ହାତରେ। ଗଣତନ୍ତ୍ରରେ ସବୁ ମତବାଦ ପାଇଁ ସ୍ଥାନ ଥାଇପାରେ, ହେଲେ, ହିଂସା, ଅସହିଷ୍ଣୁତା ପାଇଁ ସ୍ଥାନ ନାହିଁ। ଏହାକୁ ସାବ୍ୟସ୍ତ କରିବା ଲାଗି ଜନତାଙ୍କୁ ହିଂସା ଓ ଅସହିଷ୍ଣୁତାର ରାଜନୈତିକ ସଂସ୍କୃତିକୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ। ଗଣତନ୍ତ୍ରରେ ଗଣଙ୍କ ସାମୂହିକ ଇଚ୍ଛା ହିଁ ସର୍ବଶକ୍ତିମାନ।

ସମ୍ବନ୍ଧିତ ଖବର