ତକିଆ-ତତ୍ତ୍ୱ

‘‘ପାଖରେ ଶୁଏ, କାନରେ କୁହେ/ ତା’କଥା କି ଅନ୍ୟଥା ହୁଏ?’’ ଏହି ସୁପରିଚିତ ଓଡ଼ିଆ ଢଗଟିର ସରଳ ଅର୍ଥ ହେଲା- ପୁରୁଷମାନେ ସର୍ବଦା ସେମାନଙ୍କର ଶଯ୍ୟାସଙ୍ଗିନୀ ପତ୍ନୀମାନଙ୍କ କଥାରେ କୁପରିଚାଳିତ ହୋଇଥାନ୍ତି। ଏ ଢଗରେ ସତ୍ୟତା ଥାଉ କି ନଥାଉ, ଏକ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ତଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୂତ୍ରରୁ ବର୍ତ୍ତମାନ କିନ୍ତୁ ଏହି ଲିଙ୍ଗଗତ ଚିନ୍ତାଧାରା ପ୍ରତି ସମର୍ଥନ ପ୍ରକାଶ ପାଇବା ଦେଖାଯାଇଛି। ଏହି ସୂତ୍ର ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ବର୍ତ୍ତମାନ ଚୀନ୍‌ର ବସ୍ତୁତଃ ଆଜୀବନ ସମ୍ରାଟ୍‌ ଘୋଷିତ ହୋଇଥିବା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌।

ଏକ ରବର ଷ୍ଟାମ୍ପ୍‌ ପାର୍ଲାମେଣ୍ଟ୍‌ ରୂପେ ପରିଚିତ ଚୀନ୍‌ର ନେସନାଲ୍‌ ପିପୁଲ୍‌ସ କଂଗ୍ରେସ୍‌ ସମ୍ବିଧାନ ସଂଶୋଧନ କରି ସେ ଦେଶରେ ବଳବତ୍ତର ଥିବା ଜଣେ ସର୍ବାଧିକ ଦୁଇପାଳି ରାଷ୍ଟ୍ରପତି ରହିପାରିବା ନିୟମ ଉଚ୍ଛେଦ କରି ଦେଇଛି। ଏହା ମାଓ ସେତୁଙ୍ଗ୍‌ଙ୍କ ପରେ ପ୍ରଥମ ଥର ପାଇଁ ଅନ୍ୟ ଏକ ନେତାଙ୍କୁ ଆଜୀବନ ଏକଛତ୍ର କ୍ଷମତା ପ୍ରଦାନ କରିଛି। ଏଭଳି କ୍ଷମତାର ଅଧିକାରୀ ହେବା ପରେ ସି ଜିନ୍‌ପିଙ୍ଗ୍‌ ଚୀନ୍‌ର ସମସ୍ତ ସରକାରୀ ଓ କମ୍ୟୁନିଷ୍ଟ ପାର୍ଟି କର୍ମକର୍ତ୍ତାମାନଙ୍କ ଉଦ୍ଦେଶ୍ୟରେ ଯେଉଁ ଆହ୍ଵାନ ଦେଇଛନ୍ତି, ତାହା ହେଲା: ‘ତକିଆ ଆଳାପ’ ବର୍ଜନ କର। ଏହାକୁ ସ୍ପଷ୍ଟ କରିବାକୁ ଯାଇ ସେ କହିଛନ୍ତି ଯେ କର୍ମକର୍ତ୍ତାମାନେ ତଥା ସେମାନଙ୍କର ପରିବାରର ସଦସ୍ୟମାନେ ସମସ୍ତ ପ୍ରକାର ଦୁର୍ନୀତିଠାରୁ ଦୂରେଇ ରହନ୍ତୁ। ଉଲ୍ଲେଖଯୋଗ୍ୟ ଯେ ଦୁର୍ନୀତି ନିବାରଣକୁ ସି ଜିନ୍‌ପିଙ୍ଗ୍‌ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଥାନ୍ତି ଏବଂ ଏହାର ପ୍ରମାଣ ସ୍ୱରୂପ ତାଙ୍କ ଶାସନ କାଳରେ ଗତ ପାଞ୍ଚବର୍ଷ ମଧ୍ୟରେ ପ୍ରାୟ ୧୫ ଲକ୍ଷ କର୍ମକର୍ତ୍ତା ଦୁର୍ନୀତି ଅଭିଯୋଗରେ ଦଣ୍ଡିତ ହୋଇଛନ୍ତି। ଯେହେତୁ ଚୀନ୍‌ରେ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ପଦପଦବି ପୁରୁଷମାନଙ୍କ ଦଖଲରେ ଥାଏ, ସି ଜିନ୍‌ପିଙ୍ଗ୍‌ଙ୍କର ଉପରୋକ୍ତ ଆହ୍ଵାନର ମର୍ମ ହେଲା, ପତ୍ନୀମାନଙ୍କ ଚାପରେ ପଡ଼ି ପତିମାନେ ଦୁର୍ନୀତି କରିଥାନ୍ତି। ଏକ ହାଲୁକା ଢଙ୍ଗରେ କୁହାଯାଇଥିବା ‘ତକିଆ ଆଳାପ’ (ପିଲୋ ଟକ୍‌) ହେଉଛି ରାତିରେ ପାଖାପାଖି ତକିଆରେ ମୁଣ୍ଡ ଦେଇ ଶୋଇଥିବା ଅବସ୍ଥାରେ ପତ୍ନୀଙ୍କଠାରୁ ପତି ପାଉଥିବା ମନ୍ତ୍ରଣା।

କୁହାଯାଇଥାଏ, ‘ପ୍ରତ୍ୟେକ ସଫଳ ପୁରୁଷ ପଛରେ ଥାଏ ଜଣେ ନାରୀ’। କିନ୍ତୁ ସି’ଙ୍କ ତକିଆ ତତ୍ତ୍ୱ ଅନୁସାରେ, ‘ପ୍ରତ୍ୟେକ ଦୁର୍ନୀତିଗ୍ରସ୍ତ ପୁରୁଷ ପଛରେ ଥାଏ ଜଣେ ନାରୀ’। ସି ଜିନ୍‌ପିଙ୍ଗ୍‌ଙ୍କ ଭାଗ୍ୟ ଭଲ ସେ ଆମେରିକା କିମ୍ବା ଅନ୍ୟ କୌଣସି ପାଶ୍ଚାତ୍ୟ ଦେଶରେ ନାହାନ୍ତି ଏବଂ ଚୀନ୍‌ ହେଉଛି ଆନ୍ତର୍ଜାତିକ ମତ ମନ୍ତବ୍ୟର ପ୍ରଭାବରୁ ସୁରକ୍ଷିତ ଏକ ନିବୁଜ କମ୍ୟୁନିଷ୍ଟ ଏକଛତ୍ର ଶାସନାଧୀନ ଦେଶ। ନଚେତ୍‌ ପାଶ୍ଚାତ୍ୟ ଜଗତ୍‌ରେ ମହିଳାମାନେ ବର୍ତ୍ତମାନ ଚଳାଇଥିବା ସର୍ବଗ୍ରାସୀ ‘ମୁଁ ମଧ୍ୟ’ (‘ମି ଟ୍ଟୁ’) ଆନ୍ଦୋଳନ କିମ୍ବା ‘ସମୟ ଶେଷ’ (ଟାଇମ୍‌ସ ଅପ୍‌’) ଆନ୍ଦୋଳନ ମୋଡ଼ ବଦଳାଇ ତାଙ୍କୁ ତାଙ୍କର ଏହି ନାରୀ-ବିରୋଧୀ ମନ୍ତବ୍ୟ ପାଇଁ ଗ୍ରାସ କରି ଦିଅନ୍ତା। କିନ୍ତୁ ଦୁର୍ନୀତି ପ୍ରବଣତା ସମ୍ପର୍କରେ ଏପରି ଲିଙ୍ଗ-ବିଦ୍ୱେଷୀ ଚିନ୍ତା ପ୍ରକଟ କରିବାରେ ପୃଥିବୀରେ ସି ଜିନ୍‌ପିଙ୍ଗ୍‌ ଯେ ଏକମାତ୍ର ବ୍ୟକ୍ତି ନୁହଁନ୍ତି, ଏହା ଊଣା ଅଧିକେ ସମସ୍ତେ ଜାଣନ୍ତି।

କୌଣସି ଏକ ଦେଶ ବା ସମାଜରେ ଦୁର୍ନୀତି ଆଚରିତ ହେବାର ସମ୍ଭାବନା କେତେ ଅର୍ଥାତ୍‌ ସେଠାରେ ଦୁର୍ନୀତି ପ୍ରବଣତାର ମାତ୍ରା କିଭଳି, ତାହାର ପରିମାପ ନିମିତ୍ତ ଏକ ସରଳ ସୂତ୍ର ବା ଫର୍ମୁଲା ବ୍ୟବହୃତ ହୋଇଥାଏ। ପୃଥିବୀର ଜଣେ ଅଗ୍ରଣୀ ଦୁର୍ନୀତି ଗବେଷକ ରୂପେ ପରିଚିତ ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ କ୍ଲିଟ୍‌ଗାର୍ଡ ପ୍ରସ୍ତୁତ କରିଥିବା ଏହି ଫର୍ମୁଲା ହେଲା: ସି=ଏମ୍‌+ଡି-ଏ (କରପ୍‌ସନ୍‌= ମନୋପଲି+ ଡିସ୍‌କ୍ରେସନ୍‌- ଏକାଉଣ୍ଟାବିଲିଟି)। ଏହି ଫର୍ମୁଲାର ଭାଷାନ୍ତର ହେଲା: ଦୁର୍ନୀତି=ଏକାଧିପତ୍ୟ+ସ୍ୱେଚ୍ଛାଚାର-ଉତ୍ତରଦାୟିତା। ଯେଉଁଠାରେ କ୍ଷମତା କେନ୍ଦ୍ରୀଭୂତ ହୋଇଥାଏ ଏବଂ ମନମୁଖୀ ନିଷ୍ପତ୍ତି ନେବା ସମ୍ଭବ ହୋଇଥାଏ, ସେଠାରେ ଅଧିକ ଦୁର୍ନୀତି ଦେଖା ଦେଇଥାଏ। କିନ୍ତୁ ସେଠାରେ ଯଦି ଉତ୍ତରଦାୟିତା ବଳବତ୍ତର ଥାଏ ତାହା ଏହି ଦୁର୍ନୀତି ପ୍ରବଣତା ଉପରେ ଅଙ୍କୁଶ ଲଗାଇଥାଏ। ଏଣୁ ଏହି ତିନିଟି ଉତ୍ପାଦକ ମଧ୍ୟରୁ କାହାର ଶକ୍ତି ବା ମୂଲ୍ୟ କେତେ, ତାହା ଉପରେ ସେଠାକାର ଦୁର୍ନୀତି ପ୍ରବଣତାର ମାତ୍ରା ନିର୍ଭର କରେ। ଆମୋଦଦାୟକ ଭାବରେ ପ୍ରଥମ ଦୁଇ ଉତ୍ପାଦକ ସହିତ ଆଉ ଏକ ଉତ୍ପାଦକ ଯୁକ୍ତ କରିବା ପାଇଁ ବେଳେ ବେଳେ ପ୍ରସ୍ତାବ ଶୁଣା ଯାଇଥାଏ (ଯେମିତି ଏକଦା ଏଠାକାର ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ଆୟୋଜିତ ଏକ ଦୁର୍ନୀତି ନିବାରଣ ଆଲୋଚନା ଚକ୍ରରେ ଶୁଣିବାକୁ ମିଳିଥିଲା) : ସି=ଏମ୍‌+ଡି+ଡବ୍ଲ୍ୟୁ-ଏ। କହିବା ବାହୁଲ୍ୟ, ଏଠାରେ ‘ଡବ୍ଲ୍ୟୁ’ ହେଉଛି ‘ଓ୍ଵାଇଫ୍‌’ ବା ‘ପତ୍ନୀ’। ସି ଜିନ୍‌ପିଙ୍ଗ୍‌ଙ୍କ ଆଭିମୁଖ୍ୟ ସହିତ ଏହି ପରିବର୍ତ୍ତିତ ଫର୍ମୁଲାଟି ସମ୍ପୂର୍ଣ୍ଣ ରୂପେ ଖାପ ଖାଇ ଯାଇଥାଏ।

ଫିଲିପିନ୍‌ସର ଇମେଲ୍‌ଦା ମାର୍କସ କିମ୍ବା ଭାରତର ଜୟଲଳିତା କିମ୍ବା ବର୍ତ୍ତମାନ ମରିସିଅସ୍‌ର ରାଷ୍ଟ୍ରପତି ଥିବା ଅମୀନା ଗୁରିବ୍‌-ଫାକିମ୍‌ଙ୍କ ଭଳି ଉଚ୍ଚ ପଦାଧିକାରିଣୀମାନଙ୍କର ଦୁର୍ନୀତି ସହିତ ଯେଉଁମାନେ ପରିଚିତ (ଅନେକ ଉଦାହରଣରୁ ଏମାନେ କେତୋଟି ମାତ୍ର) ସେମାନେ ଏକମତ ହେବେ ଯେ ପୁରୁଷମାନଙ୍କ ପରି ନାରୀମାନେ ମଧ୍ୟ ସମାନ ଭାବରେ ଦୁର୍ନୀତିପ୍ରବଣ ହୋଇପାରନ୍ତି। କିନ୍ତୁ ନାରୀମାନଙ୍କର ଚାପ ଯୋଗୁଁ ଯେ ପୁରୁଷମାନେ ଦୁର୍ନୀତିଗ୍ରସ୍ତ ହୁଅନ୍ତି, ସି ଜିନ୍‌ପିଙ୍ଗ୍‌ଙ୍କର ଏଭଳି ତକିଆ-ତତ୍ତ୍ୱ ସପକ୍ଷରେ ଏଯାବତ୍‌ କୌଣସି ଗବେଷଣା ଲବ୍‌ଧ ପ୍ରମାଣ ଉପଲବ୍‌ଧ ହୋଇନାହିଁ।

ବରଂ ଯାହା ଗବେଷଣା ଦ୍ୱାରା ସାବ୍ୟସ୍ତ ହୋଇଛି, ତାହା ହେଲା ଉଭୟ ପୁରୁଷ ଓ ନାରୀ ଦୁର୍ନୀତିର କୁପ୍ରଭାବର ଶିକାର ହେଉଥିଲେ ହେଁ, ଦୁର୍ନୀତି ମହିଳାମାନଙ୍କ ପାଇଁ ବହୁ ଅଧିକ କ୍ଷତିକାରକ ହୋଇଥାଏ। ପୃଥିବୀର ଅଧିକାଂଶ ସମାଜରେ ରହିଥିବା ଲିଙ୍ଗଗତ ବୈଷମ୍ୟ ଯୋଗୁଁ ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିରୁ ମହିଳାମାନେ ଅଧିକ ଦୁର୍ବଳ ହୋଇଥାନ୍ତି। ଯେହେତୁ ଦୁର୍ନୀତିଗ୍ରସ୍ତ କର୍ମକର୍ତ୍ତାମାନଙ୍କୁ ସେମାନଙ୍କ ଦାବି ଅନୁସାରେ ଲାଞ୍ଚ ଦେବା ପାଇଁ ଏମାନଙ୍କ ପାଖରେ ସମ୍ବଳ ନଥାଏ, ଏମାନେ ଅନେକ ସମୟରେ ସମ୍ପୃକ୍ତ ସେବା ପାଇ ପାରନ୍ତି ନାହିଁ ଏବଂ ନିଜର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହୁଅନ୍ତି। ଦୁର୍ନୀତି ଏମାନଙ୍କର ଅର୍ଥନୈତିକ ଓ ସାମାଜିକ ଦୁର୍ବଳତାକୁ ଚିରସ୍ଥାୟୀ କରିଥାଏ। ସେତିକି ନୁହେଁ, ଏକ ଦୁର୍ନୀତିଗ୍ରସ୍ତ ପୁରୁଷ ପ୍ରଧାନ ସମାଜ ଏହି ସୁଯୋଗର ଅସଦ୍‌ବ୍ୟବହାର କରି ଏହି ଦୁର୍ବଳ ଶ୍ରେଣୀର ମହିଳା ମାନଙ୍କର ଯୌନ ଶୋଷଣ କରିଥାଏ, ଯାହା ଆର୍ଥିକ ଲାଞ୍ଚର ସ୍ଥାନ ନେଇଥାଏ। ଏକ ଦୁର୍ନୀତିଗ୍ରସ୍ତ ପ୍ରଶାସନ, ପୁଲିସ ଓ ନ୍ୟାୟ ବ୍ୟବସ୍ଥା ଯୌନ ଶୋଷଣ ଓ ହିଂସାର ଶିକାର ହେଉଥିବା ମହିଳାମାନଙ୍କୁ କିପରି ସୁରକ୍ଷା ଓ ନ୍ୟାୟ ପ୍ରଦାନରେ ବିଫଳ ହୋଇଥାଏ ତାହା ପ୍ରାୟ ପ୍ରତିଦିନ ଦେଖିବାକୁ ମିଳିଥାଏ। ଦୁର୍ନୀତିଗ୍ରସ୍ତ ସମାଜର ମୁଖ୍ୟ ଶିକାରରେ ପରିଣତ ହୋଇଥିବା ମହିଳାମାନଙ୍କୁ ଦୁର୍ନୀତିର କାରଣ ରୂପେ ବର୍ଣ୍ଣନା କରିବା ଏକ ସାଧାରଣ ସତ୍ୟ ଉପରେ ପ୍ରତିଷ୍ଠିତ ନୁହେଁ।

ସମ୍ବନ୍ଧିତ ଖବର