ସଂକ୍ଷିପ୍ତ ହକିଙ୍ଗ୍‌

ଆମେ ଆଦୌ ଆଶ୍ଚର୍ଯ୍ୟ ହେବୁ ନାହିଁ ଯଦି ଏହି ସମ୍ବାଦପତ୍ରର ଅନେକ ପାଠକପାଠିକାଙ୍କ ହାତରେ କେବେ ନା କେବେ ଏଇ ବହିଟି ପଡ଼ିଥାଏ: ‘ଏ ବ୍ରିଫ୍‌ ହିଷ୍ଟ୍ରି ଅଫ୍‌ ଟାଇମ୍‌’ (‘ସମୟର ଏକ ସଂକ୍ଷିପ୍ତ ଇତିହାସ)। ଆମେ ଏପରି ବିଶ୍ୱାସ କରିବାର ସରଳ କାରଣ ହେଲା ୧୯୮୮ରେ ପ୍ରକାଶିତ ହେବା ପର ଠାରୁ ବିଶ୍ୱ ସୃଷ୍ଟି ତତ୍ତ୍ୱ (କସ୍‌ମୋଲୋଜି) ସମ୍ପର୍କିତ ସାଧାରଣ ପାଠକପାଠିକାଙ୍କ ପାଇଁ ଲିଖିତ ଏହି ୨୫୬ ପୃଷ୍ଠାର ବହିଟି ଏ ପର୍ଯ୍ୟନ୍ତ ପ୍ରାୟ ୧୦ ନିୟୁତ ଖଣ୍ଡ ପୃଥିବୀ ସାରା ବିକ୍ରୟ ହୋଇସାରିଲାଣି। ଆମେ ମଧ୍ୟ ସେଇଭଳି ଆଶ୍ଚର୍ଯ୍ୟ ହେବୁ ନାହୁଁ, ଯଦି ସେମାନଙ୍କ ମଧ୍ୟରୁ କେହି ହେଲେ ଏ ବହିଟିକୁ ଆମୂଳଚୂଳ ପଢ଼ି ସମାପ୍ତ କରି ପାରି ନଥିବେ। ଏହାର କାରଣ ହେଲା, କୁହାଯାଇଥାଏ ଯେ ‘ଏ ବ୍ରିଫ୍‌ ହିଷ୍ଟ୍ରି ଅଫ୍‌ ଟାଇମ୍‌’ ହେଉଛି ‘କେହି କେବେ ପଢ଼ି ନଥିବା ସର୍ବାଧିକ ଲୋକପ୍ରିୟ ପୁସ୍ତକ’।

‘ବିଗ୍‌ ବ୍ୟାଙ୍ଗ୍‌’, ‘ବ୍ଲାକ୍‌ ହୋଲ୍‌’, ‘ଓ୍ଵର୍ମ ହୋଲ୍‌’, ଟାଇମ୍‌ ଟ୍ରାଭେଲ୍‌ ଭଳି ମହାଜାଗତିକ ଘଟଣା ଓ ଧାରଣା ସବୁକୁ ସାଧାରଣ ମଣିଷଙ୍କ ବୋଧଗମ୍ୟ କରିବା ପାଇଁ ଏହି ପୁସ୍ତକ ରଚନା ମାଧ୍ୟମରେ ଯେଉଁ ଅଲୌକିକ ପ୍ରତିଭାସମ୍ପନ୍ନ ବୈଜ୍ଞାନିକ ଉଦ୍ୟମ କରିଥିଲେ, ସେଇ ଷ୍ଟିଫେନ୍‌ ହକିଙ୍ଗ୍‌ଙ୍କର ବୁଧବାର ଦିନ ୭୬ ବର୍ଷ ବୟସରେ ଦେହାନ୍ତ ଘଟିବା ଖବର ତାଙ୍କ ପରିବାର ସୂତ୍ରରୁ ପ୍ରକାଶ ପାଇଛି। ତାଙ୍କ ସମୟର ଶ୍ରେଷ୍ଠତମ ତାତ୍ତ୍ୱିକ ପଦାର୍ଥ ବିଜ୍ଞାନୀମାନଙ୍କ ମଧ୍ୟରୁ ଅନ୍ୟତମ ରୂପେ ସେ ଯେତିକି ଆନ୍ତର୍ଜାତିକ ପ୍ରସିଦ୍ଧି ଅର୍ଜନ କରି ନଥିଲେ, ତାହା ଅପେକ୍ଷା ଯାହା ତାଙ୍କୁ ଅଧିକ ପ୍ରସିଦ୍ଧ କରିଥିଲା ତାହା ହେଲା ଅଲଂଘ୍ୟ ମନେ ହେଉଥିବା ଶାରୀରିକ ପ୍ରତିବନ୍ଧ ଉପରେ ମନୁଷ୍ୟର ପ୍ରାଣଶକ୍ତିର ବିଜୟର ପ୍ରତୀକ ରୂପେ ତାଙ୍କର ପରିଚୟ।

ତାଙ୍କର ବ୍ୟକ୍ତିଗତ ଓ୍ଵବ୍‌ସାଇଟ୍‌ରେ କୁହାଯାଇଥିବା ଅନୁସାରେ ‘‘ଗାଲିଲିଓଙ୍କ ମୃତ୍ୟୁର ୩୦୦ ବର୍ଷ ପରେ’’ ୧୯୪୨ ଜାନୁଆରି ୮ ତାରିଖ ଦିନ ଷ୍ଟିଫେନ୍‌ ହକିଙ୍ଗ୍‌ ଇଂଲାଣ୍ଡର ଅକ୍ସଫୋର୍ଡ ଠାରେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟାବସ୍ଥାରେ ଏକ ସାଧାରଣ ଛାତ୍ର ଥିଲେ ହେଁ ଷ୍ଟିଫେନ୍‌ ତାଙ୍କର ପିତା ଓ ମାତାଙ୍କ ଭଳି ଅକ୍‌ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ସେଠାରେ ସେ ପଦାର୍ଥ ବିଜ୍ଞାନ ଓ ରସାୟନ ଶାସ୍ତ୍ରରେ ସର୍ବୋଚ୍ଚ ମାର୍କ ରଖି ସ୍ନାତକୋତ୍ତର ଶିକ୍ଷା ଲାଭ ପାଇଁ ଅକ୍‌ସଫୋର୍ଡର ପ୍ରତିଦ୍ୱନ୍ଦ୍ୱୀ କେମ୍ବି୍ରଜ୍‌ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିଥିଲେ।

ଅକ୍‌ସଫୋର୍ଡଠାରେ ସେ ଶେଷ ବର୍ଷର ଛାତ୍ର ଥିବା ବେଳେ ହିଁ ହକିଙ୍ଗ୍‌ଙ୍କର ଭୟଙ୍କର ସ୍ୱାସ୍ଥ୍ୟଗତ ବିପର୍ଯ୍ୟୟର ପ୍ରଥମ ଆଭାସ ପରିସ୍ଫୁଟ ହୋଇଥିଲା। ସେ ସାଧାରଣ ଦୈନନ୍ଦିନ ଶାରୀରିକ କାର୍ଯ୍ୟ ମାନ ଠିକ୍‌ ଭାବରେ କରିବାରେ ଅସୁବିଧା ଅନୁଭବ କଲେ ଏବଂ ତାଙ୍କର କଥା କହିବା ମଧ୍ୟ ଅସ୍ପଷ୍ଟ ହେବାକୁ ଆରମ୍ଭ କଲା। ତାଙ୍କର ପିତାମାତା ଡାକ୍ତରୀ ପରାମର୍ଶ କଲା ପରେ ପରୀକ୍ଷାନିରୀକ୍ଷା ଦ୍ୱାରା ସାବ୍ୟସ୍ତ ହେଲା ଯେ ଷ୍ଟିଫେନ୍‌ ଏକ ଅତ୍ୟନ୍ତ ବିରଳ ସ୍ନାୟବିକ ଅବକ୍ଷୟ ରୋଗର ଶିକାର ହୋଇଛନ୍ତି, ଯାହାର ବିଧିବଦ୍ଧ ନାମ ହେଉଛି ‘ଆମିଓଟ୍ରୋଫିକ୍‌ ଲାଟରାଲ୍‌ ସ୍କେରୋସିସ୍‌’ ବା ‘ଏଏଲ୍‌ଏସ୍‌’। ଏହାର ଅନ୍ୟନାମ ହେଉଛି ‘ଲୁ ଗେହ୍‌ରିଗ୍‌ ରୋଗ’। ତାହା ଥିଲା ୧୯୬୩ ସାଲ ଏବଂ ଷ୍ଟିଫେନ୍‌ଙ୍କର ବୟସ ଥିଲା ୨୧ ବର୍ଷ ମାତ୍ର। ଡାକ୍ତରମାନେ ସେତେବେଳେ ଷ୍ଟିଫେନ୍‌ ହକିଙ୍ଗ୍‌ ଆଉ ମାତ୍ର ଦୁଇ ବର୍ଷ ବଞ୍ଚି ରହିବେ ବୋଲି ଅନ୍ତିମ ବାଣୀ ଶୁଣାଇଥିଲେ। ସେତେବେଳେ କିନ୍ତୁ ଯାହା ଜଣା ନଥିଲା, ତାହା ହେଲା ୨୧ ବର୍ଷ ବୟସ ଭଳି କୋମଳ ବୟସରେ ଦେଖା ଦେଉଥିବା ‘ଏଏଲ୍‌ଏସ୍‌’ ରୋଗର ଅଗ୍ରଗତି ଅତ୍ୟନ୍ତ ଧିମା ହୋଇଥାଏ (ସାଧାରଣତଃ ୬୦ ବର୍ଷ ବୟସ ଆଡ଼କୁ ଏ ରୋଗର ଆବିର୍ଭାବ ଘଟିଥାଏ)। ତେଣୁ ଦୁଇ ବର୍ଷ ମଧ୍ୟରେ ହକିଙ୍ଗ୍‌ଙ୍କ ପ୍ରାଣନାଶ କରିବା ପରିବର୍ତ୍ତେ ତାଙ୍କର ଦୀର୍ଘକାଳର ଅବିଚ୍ଛେଦ୍ୟ ସାଥୀ ରୂପେ ‘ଲୁ ଗେହ୍‌ରିଗ୍‌’ କେମ୍ବି୍ରଜ୍‌ରେ ପ୍ରବେଶ କଲା।

ନିଜ ଜୀବନର ଅନ୍ତ ସମ୍ବନ୍ଧରେ ଚରମ ବାଣୀ ଶୁଣିଥିବା ହକିଙ୍ଗ୍‌ କିନ୍ତୁ ଏଥର ଦ୍ୱିଗୁଣ ଉତ୍ସାହରେ ଅଧ୍ୟୟନରେ ମନୋନିବେଶ କଲେ, ଯେମିତି ସେ ଜୀବିତାବସ୍ଥାରେ ଡକ୍ଟରେଟ୍‌ ଲାଭ କରିପାରିବେ। ଫଳରେ ମାତ୍ର ତିନିବର୍ଷ ମଧ୍ୟରେ ୧୯୬୬ରେ ସେ କସ୍‌ମୋଲୋଜିରେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍‌ ଲାଭ କଲେ। ୧୯୭୦ ବେଳକୁ ରୋଗ ଏପରି ଆଗେଇ ଯାଇଥିଲା ଯେ ହକିଙ୍ଗ୍‌ ହୁଇଲ୍‌ ଚେଆର୍‌ର ଆଶ୍ରୟ ନେବା ଆରମ୍ଭ କଲେ। ସେ କିନ୍ତୁ ରୋଗ ପାଖରେ ହାର ନମାନି ତାଙ୍କର ବୌଦ୍ଧିକ ଅନୁସନ୍ଧାନ ଜାରି ରଖି ୧୯୭୪ରେ ପ୍ରମାଣ କଲେ ଯେ ପଦାର୍ଥ ବିଜ୍ଞାନୀମାନେ ମହାଶୂନ୍ୟରେ ଠାବ କରିଥିବା ‘କୃଷ୍ଣ ଗର୍ତ୍ତ’ ବା ‘ବ୍ଲାକ୍‌ ହୋଲ୍‌’ ଗୁଡ଼ିକ ପୂରାପୂରି କୃଷ୍ଣ ନୁହଁନ୍ତି; ସେମାନେ ମଧ୍ୟ ବିକିରଣ ପ୍ରସାର କରିଥାନ୍ତି। ଏହି ଅଦୃଶ୍ୟ କଣିକା ବା ତରଙ୍ଗକୁ ବର୍ତ୍ତମାନ ‘ହକିଙ୍ଗ୍‌ ରେଡିଏସନ୍‌’ ରୂପେ ନାମିତ କରାଯାଇଛି। ତାଙ୍କର ବିଜ୍ଞାନକୁ ଏହି ବିରଳ ଅବଦାନର ସ୍ୱୀକୃତି ସ୍ୱରୂପ ତାଙ୍କୁ ମାତ୍ର ୩୨ ବର୍ଷ ବୟସରେ ‘ରୟାଲ୍‌ ସୋସାଇଟି’ର ‘ଫେଲୋ’ ରୂପେ ସମ୍ମାନିତ କରାଗଲା। ଏତେ କମ୍‌ ବୟସରେ ଖୁବ୍‌ କମ୍‌ ବୈଜ୍ଞାନିକ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି।

ଆମେରିକାର ପ୍ରସିଦ୍ଧ ଗବେଷଣା ବିଶ୍ୱବିଦ୍ୟାଳୟ ‘କାଲ୍‌ଟେକ୍‌’ରେ କିଛି କାଳ ଅଧ୍ୟାପନା କଲା ପରେ ହକିଙ୍ଗ୍‌ କେମ୍ବି୍ରଜ୍‌କୁ ପ୍ରଫେସର୍‌ ରୂପେ ଫେରି ଆସିଥିଲେ। ସେଠାରେ ସେ ସୃଷ୍ଟିର ରହସ୍ୟ ଉନ୍ମୋଚନ ପାଇଁ ଗବେଷଣାରେ ସାରା ଜୀବନ ବିତାଇ ଦେଇଥିଲେ। ଏଣେ ରୋଗ ବଢ଼ି ବଢ଼ି ତାଙ୍କର ଚଳତ୍‌ ଶକ୍ତି ସହିତ ବାକ୍‌ଶକ୍ତିକୁ ମଧ୍ୟ ଅପହରଣ କରି ନେଲା। ସେ ଏକ କୃତ୍ରିମ ସିନ୍ଥେଟିକ୍‌ ସ୍ୱର ସାହାଯ୍ୟରେ କଥା କହିବା ଆରମ୍ଭ କଲେ। ସେ କୃତ୍ରିମ ସ୍ୱର ପାଇଁ ପ୍ରଥମେ ହାତ ସାହାଯ୍ୟରେ ଆବଶ୍ୟକ ଅକ୍ଷର ବା ଶବ୍ଦ ଚୟନ କରୁଥିଲେ, କିନ୍ତୁ ପରେ ତାଙ୍କର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଯିବାରୁ ସେ ତାଙ୍କ ଗାଲର ଗୋଟିଏ ମାତ୍ର ମାଂସପେଶୀକୁ ନଚାଇ କୃତ୍ରିମ ସ୍ୱରକୁ ସକ୍ରିୟ କରୁଥିଲେ।

ଏହି ଅବସ୍ଥାରେ ହକିଙ୍ଗ୍‌ ୧୯୮୮ରେ ପୂର୍ବ ବର୍ଣ୍ଣିତ ‘ଏ ବ୍ରିଫ୍‌ ହିଷ୍ଟ୍ରି ଅଫ୍‌ ଟାଇମ୍‌’ ପ୍ରକାଶ କରିଥିଲେ। ଏହା ହକିଙ୍ଗ୍‌ଙ୍କ ଅନେକ ରଚନାମାନଙ୍କ ମଧ୍ୟରୁ ଗୋଟିଏ ଥିଲା। ତାଙ୍କର ଅନ୍ୟ ରଚନାମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା ଗବେଷଣା ନିବନ୍ଧ, ଲୋକପ୍ରିୟ ବିଜ୍ଞାନ ଏବଂ ତାଙ୍କ କନ୍ୟା ଲୁସିଙ୍କ ସହିତ ମିଶି ଲେଖିଥିବା କେତେଗୁଡ଼ିଏ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବିଜ୍ଞାନ ଗଳ୍ପ। ‘ଜର୍ଜେସ୍‌ ସିକ୍ରେଟ୍‌ କୀ ଟୁ ଦି ୟୁନିଭର୍ସ’ ହେଉଛି ଏଇଭଳି ଏକ କାହାଣୀ ଯେଉଁଥିରେ ଛୋଟ ପିଲାଙ୍କୁ ‘ବ୍ଲାକ୍‌ ହୋଲ୍‌’ ଇତ୍ୟାଦି ବିଷୟରେ ଅବଗତ କରାଯାଇଛି।

ଏଭଳି ଶାରୀରିକ ଅକ୍ଷମତା ସତ୍ତ୍ୱେ ହକିଙ୍ଗ୍‌ସ ତାଙ୍କର ମଜାଳିଆ ପ୍ରକୃତି ପାଇଁ ମଧ୍ୟ ପ୍ରସିଦ୍ଧ ଥିଲେ। ତାଙ୍କ ଦୁଷ୍ଟାମିର ଏକ ପ୍ରସିଦ୍ଧ ଉଦାହରଣ ଥିଲା ନିଜର ହୁଇଲ୍‌ ଚେଆର୍‌କୁ ବେଳେ ବେଳେ ଦ୍ରୁତ ବେଗରେ ଚଳାଇବା ଏବଂ ସାଥୀ ବୈଜ୍ଞାନିକଙ୍କ ସହିତ ବାଜି ଲଗାଇବା। ୨୦୧୪ରେ ନିର୍ମିତ ଓସ୍କାର୍‌ ପୁରସ୍କାର ପ୍ରାପ୍ତ ଫିଲ୍ମ ‘ଦି ଥିଓରି ଅଫ୍‌ ଏଭ୍ରିଥିଙ୍ଗ୍‌’ ହକିଙ୍ଗ୍‌ଙ୍କ ଜୀବନ କାହାଣୀକୁ ଆହୁରି ଲୋକପ୍ରିୟ ହେବାରେ ସାହାଯ୍ୟ କରିଥିଲା। ତାଙ୍କର ବିୟୋଗ ମାନବଜାତିର ମସ୍ତିଷ୍କର ଏକ ଅଂଶର ବିୟୋଗ ଭଳି।

ସମ୍ବନ୍ଧିତ ଖବର