ସତର୍କ ଘଣ୍ଟି

ରାଜନୀତି ସମ୍ଭାବନାର କଳା। ଗଣତନ୍ତ୍ରର ରହିଛି ଯାଦୁକରୀ ଶକ୍ତି। ଅସମ୍ଭବ ବି ସମ୍ଭବ ହୋଇପାରେ। ସ୍ଥିତାବସ୍ଥା ହଠାତ୍‌ ବଦଳି ଯାଏ, ସ୍ଥିରତା ରୂପାନ୍ତରିତ ହୁଏ ଅସ୍ଥିରତାରେ ଓ ଗୋଟିଏ କ୍ଷଣରେ ଯାହା ନିଶ୍ଚିତ, ପର କ୍ଷଣରେ ତାହା ଅନିଶ୍ଚିତ। ପୁଣି ଥରେ ଏହା ପ୍ରମାଣିତ ହୋଇଛି ରାଜନୈତିକ ଦୃଷ୍ଟିରୁ ଦେଶର ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତର-ପ୍ରଦେଶରେ ଅନୁଷ୍ଠିତ ଦୁଇଟି ଲୋକସଭା ଉପ-ନିର୍ବାଚନ ଫଳାଫଳରେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାତାର ପାଞ୍ଚଥର ନିର୍ବାଚିତ ହୋଇ ଆସୁଥିବା ଓ ଗତ ତିନି ଦଶକ ଧରି ବିଜେପି ହାତରେ ରହି ଆସିଥିବା ଗୋରଖପୁର ଲୋକସଭା ଆସନରେ ଦଳ ପରାଜିତ ହୋଇଛି। ମାତ୍ର ବର୍ଷକ ତଳେ ବିଧାନସଭା ଭୋଟ ମଇଦାନରେ ଶୋଚନୀୟ ଭାବେ ପରାଜିତ ସମାଜବାଦୀ ପାର୍ଟି ଏହି ଆସନକୁ ଛଡ଼ାଇ ନେଇଛି। ବିଜେପିର ‘ସବୁଠାରୁ ସୁରକ୍ଷିତ’ ଦୁର୍ଗକୁ ଦଖଲ କରିବା ସମାଜବାଦୀ ପାର୍ଟି ପକ୍ଷରେ ସମ୍ଭବ ହୋଇନଥାନ୍ତା, ଯଦି ଆଉ ଏକ ଅସମ୍ଭବ ସମୟ ଓ ଅବସ୍ଥା ଚକ୍ରରେ ସମ୍ଭବରେ ରୂପାନ୍ତରିତ ହୋଇନଥାନ୍ତା।

ପଚିଶବର୍ଷ ଧରି ପରସ୍ପର ମୁହଁ ଚାହାଁଚାହିଁ ନଥିବା ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ମେଣ୍ଟର ପାଚେରି ହିନ୍ଦୁତ୍ୱ ରଥର ଯାତ୍ରାକୁ ରୋକି ପାରିଛି। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ବିଏସ୍‌ପିର ସର୍ବମୟକତ୍ର୍ତ୍ରୀ ଦଳିତ ରାଣୀ ମାୟାବତୀ- ‘ବୁଆ-ଭତିଜା’ଙ୍କ -ଦଳିତ-ଓବିସି-ମୁସଲମାନ ତ୍ରିଶକ୍ତି ଆଗରେ; କେବଳ ମୁଖ୍ୟମନ୍ତ୍ରୀ ଖାଲି କରିଥିବା ଗୋରଖପୁରରେ ନୁହେଁ, ଉପ-ମୁଖ୍ୟମନ୍ତ୍ରୀ କେଶବ ଚନ୍ଦ୍ର ମୌର୍ଯ୍ୟ ଚଉଦରେ ଜିତିଥିବା ଫୁଲପୁର ଲୋକସଭା ଆସନରେ ମଧ୍ୟ ହିନ୍ଦୁତ୍ୱ ଦଳ ହାର ମାନିଛି। ଚାରିବର୍ଷ ତଳେ ଉଭୟ ଆସନରେ ପାଞ୍ଚଲକ୍ଷରୁ ଅଧିକ ଲେଖାଏଁ ଭୋଟ ପାଇ ତିନି ଲକ୍ଷରୁ ଅଧିିକ ବ୍ୟବଧାନରେ ବିଜୟୀ ବିଜେପିକୁ ଉପ-ନିର୍ବାଚନ ଫଳାଫଳ ସ୍ତବ୍‌ଧ କରି ଦେଇଛି। ଏସ୍‌ପି ଓ ବିଏସ୍‌ପିର ଭୋଟ ଶତାଂଶ ଅକ୍ଷୁଣ୍ଣ ରହିଥିବା ବେଳେ ବିଜେପି ଖାତାରେ ଉଭୟ ଭୋଟ ସଂଖ୍ୟା ଓ ଭୋଟ ଶତାଂଶ ହ୍ରାସ ପାଇଛି। ଗୋରଖପୁରରେ ବିଜେପିର ଭୋଟ ଶତାଂଶ ୫୧.୮ ରୁ ୪୬.୫ ପ୍ରତିଶତକୁ ଏବଂ ଫୁଲପୁରରେ ୫୨.୪୩ ରୁ ୩୮.୮କୁ ଖସି ଆସିଛି।  ଅନ୍ୟ ପକ୍ଷରେ ବିଏସ୍‌ପି ଓ ଏସ୍‌ପିର ମିଳିତ ଭୋଟ ଶତାଂଶ ଉଭୟ ଆସନରେ ୪୭ ଓ ୪୮ ପ୍ରତିଶତରେ ଅପରିବର୍ତ୍ତିତ ରହି ବିଜେପିକୁ ପରାଜିତ କରିବାରେ ପର୍ଯ୍ୟାପ୍ତ ହୋଇଛି।

ଯେଉଁଠି ଚାରିବର୍ଷ ତଳେ ୮୦ ଲୋକସଭା ଆସନରୁ ବିଜେପି ୭୩ଟି ଦଖଲ କରିଥିଲା ଏବଂ ମାତ୍ର ବର୍ଷକ ପୂର୍ବେ ୪୦୩ରୁ ସହଯୋଗୀଙ୍କ ସହ ୩୨୫ ବିଧାନସଭା ଆସନରେ ବିଜୟୀ ହୋଇଥିଲା, ସେହି ଉତ୍ତର-ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ଲୋକସଭା ଆସନରେ ଶୋଚନୀୟ ପରାଜୟ ଦଳ ପାଇଁ ଏକ ଦୁଃସ୍ୱପ୍ନ ସଦୃଶ। ତେବେ ବିଜେପି ମୁହଁରୁ ପୂର୍ବୋତ୍ତରର ସଫଳତାର ହସ ଲିଭାଇ, ଦଳର ‘ପାଓ୍ଵାର ଯୋଡ଼ି’ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିଦ ହଜାଇ ଦେଇଥିବା ଏହି ଉପ-ନିର୍ବାଚନର  ଜନାଦେଶର ବାର୍ତ୍ତା କ’ଣ? ଊଣେଇଶ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ସଂକେତ ସ୍ପଷ୍ଟ ଯେ, ପୁନର୍ବାର ଦିଲ୍ଲୀ ଦଖଲ ହିନ୍ଦୁତ୍ୱ ବାହିନୀ ପକ୍ଷରେ ସହଜ ନୁହେଁ। ସମୟ ସହ ଅବସ୍ଥାରେ ମଧ୍ୟ ପରିବର୍ତ୍ତନର ଲକ୍ଷଣ ସ୍ପଷ୍ଟ। ଦେଶର କିଛି ଭାଗରେ ମୋଦୀ ସରକାର ବିରୋଧୀ ମାନସିକତା ଦାନା ବାନ୍ଧୁଛି। ରାଜସ୍ଥାନରେ ଦୁଇଟି ଲୋକସଭା ଆସନରେ ପ୍ରତିକୂଳ ଜନମତ ପରେ, ପୁଣି ଉତ୍ତର-ପ୍ରଦେଶରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆସନରେ ବିଜେପି ବିରୋଧୀ ଭୋଟରେ ହିନ୍ଦୁତ୍ୱ ଦଳର ମୂଳ ପ୍ରଭାବ କ୍ଷେତ୍ର କୁହାଯାଉଥିବା ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ସରକାର ବିରୋଧୀ ମାନସିକତାର କଂପନ ଅନୁଭୂତ ହେଉଛି। ସାଧାରଣତଃ ଉପନିର୍ବାଚନର ଫଳାଫଳ ସରକାରୀ ଦଳ ସପକ୍ଷରେ ଯାଇଥାଏ। କିନ୍ତୁ, ୨୦୧୪ ପରେ ଯେତେ ସବୁ ଲୋକସଭା ଆସନରେ ଉପ-ନିର୍ବାଚନ ହୋଇଛି, ସେଥିରୁ କେବଳ ମାତ୍ର ଗୋଟିଏ ଆସନ ଗୁଜରାଟର ଭଦୋଦ୍ରା (ପ୍ରଧାନମନ୍ତ୍ରୀ ମୋଦୀ ଖାଲି କରିଥିବା ଆସନ) ବ୍ୟତୀତ ଅନ୍ୟ ସବୁ ଆସନରେ ଶାସକ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି।

ଏଥିରୁ ନିଶ୍ଚୟ ବିଜେପି ନେତୃତ୍ୱ ସରକାରଙ୍କ ପ୍ରଦର୍ଶନ ନେଇ ଜନ ଆକ୍ରୋଶର ଗନ୍ଧ ବାରି ପାରୁଥିବେ। ଚଉଦରେ ଲୋକଙ୍କ ମନରେ ସୃଷ୍ଟି କରିଥିବା ଆଶା ପୂରଣରେ ଅସଫଳତାର ଏହା ପରିଣାମ। ଉତ୍ତର-ପୂର୍ବରେ ଭୋଟରଙ୍କ ମଧ୍ୟରେ ପ୍ରାଦେଶିକ ସରକାରଙ୍କ ବିରୋଧରେ ପ୍ରତିକୂଳ ମନୋଭାବ ବିଜେପି ପାଇଁ ସହାୟକ ହୋଇଥିଲା। ଏବେ ମୁଖ୍ୟ ଭୂଖଣ୍ଡ, ବିଶେଷକରି ‘କାଓ ବେଲ୍‌ଟ’ କୁହାଯାଉଥିବା ହିନ୍ଦୀ ଭାଷାଭାଷୀ ରାଜ୍ୟ ମାନଙ୍କରେ ମୋଦୀ ସରକାର ବିରୋଧୀ ମନୋଭାବ ଦଳ ପାଇଁ ସମସ୍ୟାର ପାହାଡ଼ ଠିଆ କରିବାକୁ ଯାଉଛି। ଉତ୍ତର-ପ୍ରଦେଶରେ ଯୋଗୀଙ୍କ ସରକାର ମାତ୍ର ଗୋଟିଏ ବର୍ଷ ପୁରୁଣା ହୋଇଥିଲେ ମଧ୍ୟ ଗତ ଚାରିବର୍ଷରେ ମୋଦୀ ସରକାରଙ୍କ ପ୍ରଦର୍ଶନ ନେଇ ଜନ ଅସନ୍ତୋଷ ଉପ-ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଛି। ବିହାରରେ ଲାଲୁ ପ୍ରସାଦଙ୍କ ଅନୁପସ୍ଥିତିରେ ସୁଦ୍ଧା ଆର୍‌ଜେଡି ଆରାରିଆ ଲୋକସଭା ଆସନରେ ସ୍ଥିତାବସ୍ଥା ବଜାୟ ରଖିବା ଏହା ସୂଚାଉଛି ଯେ ଜେଡିୟୁ ସହ ମିତ୍ରତା ବିଜେପି ଆଡ଼କୁ ଭୋଟରମାନଙ୍କୁ ଢଳାଇ ପାରିନାହିଁ।। ବିଭିନ୍ନ ରାଜ୍ୟରେ ଲୋକସଭା ଉପ-ନିର୍ବାଚନ  ଗୁଡ଼ିକରେ ଲଗାତାର ପରାଜୟ କେବଳ ଏନ୍‌ଡିଏ ସରକାରର ପ୍ରଦର୍ଶନରେ ଜନ ଅସନ୍ତୋଷର ପ୍ରତିଫଳନ ନୁହେଁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ  ଯେ ପୂର୍ବ ଚମକ ହରାଇ ବସିଲାଣି, ତା’ର ମଧ୍ୟ ସଂକେତ।

ଅନ୍ୟ ପକ୍ଷରେ, ୟୁପି ଉପ-ନର୍ବାଚନ ଫଳାଫଳ ଅନ୍ୟଥା ହତୋତ୍ସାହିତ ବିରୋଧୀ ଶିବରରେ ଆତ୍ମବିଶ୍ୱାସ ଓ ଉତ୍ସାହ ଫେରାଇ ଆଣିଛି। ଅପରାଜେୟ ମନେ ହେଉଥିବା ମୋଦୀ ନେତୃତ୍ୱାଧୀନ ବିଜେପିକୁ ହରାଇବା ଯେ ସମ୍ଭବ, ଏ ବିଶ୍ୱାସ ବିରୋଧୀ ଶିବିରରେ ଅଧିକ ଦୃଢ଼ୀଭୂତ ହୋଇଛି। ହିନ୍ଦୁତ୍ୱ ଶକ୍ତିକୁ ରୋକିବାର ସୂତ୍ର ବିରୋଧୀ ଆବିଷ୍କାର କରିଛନ୍ତି। ବିରୋଧୀ ଶକ୍ତି ଏକାଠି ହେଲେ ବିଜେପିକୁ ରୋକାଯାଇ ପାରିବ। ବିହାର ବିଧାନସଭା ନିର୍ବାଚନରେ ଆର୍‌ଜେଡି-ଜେଡିୟୁ-କଂଗ୍ରେସ ମହାମେଣ୍ଟ ଦ୍ୱାରା ଏହା ସମ୍ଭବ ହୋଇଥିଲା। ଏବେ ଉତ୍ତର-ପ୍ରଦେଶ ଉପ-ନିର୍ବାଚନରେ ସେହି ସୂତ୍ରର ପ୍ରୟୋଗ ସଫଳ ହୋଇଛି। ଉତ୍ତର-ପ୍ରଦେଶରେ ଏସ୍‌ପି-ବିଏସ୍‌ପି ଓ କଂଗ୍ରେସର ମିଳିତ ଭୋଟ ଭାଗ ୫୦ ପ୍ରତିଶତ। ଅଥଚ ୩୯ ପ୍ରତିଶତ ଭୋଟ ଶତାଂଶ ସହ ବିଜେପି ୮୦ ରୁ ୭୩ ଲୋକସଭା ଆସନ ପୋଛି ନେଇଥିଲା, ଯାହା ଲୋକସଭାରେ ଦଳକୁ ଏକାକୀ ସଂଖ୍ୟାଗରିଷ୍ଠତା ଦେବାରେ ସହାୟକ ହୋଇଥିଲା। ବିଭାଜିତ ନହୋଇ ବିରୋଧୀ ଏକାଠି ହେଲେ, ତାହା ବିଜେପିର ଭାଗ୍ୟକୁ ବିପରୀତମୁଖୀ କରିବାର ସମ୍ଭାବନା ରଖୁଛି। ଉତ୍ତର-ପ୍ରଦେଶ ଉପ-ନିର୍ବାଚନ ଫଳାଫଳ ଊଣେଇଶ ମହାସମର ଲାଗି ବିରୋଧୀଙ୍କ ମଧ୍ୟରେ ଏକ ମହାମେଣ୍ଟର ସମ୍ଭାବନାକୁ ପୁଣି ଉଜ୍ଜୀବିତ କରିଛି। ଅବଶ୍ୟ, ବାସ୍ତବ କ୍ଷେତ୍ରରେ ଜାତୀୟ ସ୍ତରରେ ଏକ ବିରୋଧୀ ମହାମେଣ୍ଟର ପ୍ରସ୍ତାବ କେତେ ଦୂର ସାକାର ହେବ, ତାହା ଏକ ବିରାଟ ପ୍ରଶ୍ନ, ଯାହା ବିଜେପି ପାଇଁ ଏକ ବିରାଟ ଆଶ୍ୱସ୍ତି। ତେବେ, ଯଦି କେବଳ ଜାତିଆଣ ଭୋଟବ୍ୟାଙ୍କ୍‌ର ରାଜ୍ୟ ଉତ୍ତର-ପ୍ରଦେଶ ଓ ବିହାରରେ ଏ ପ୍ରକାର ଏକ ମହାମେଣ୍ଟ ଗଠନ ସମ୍ଭବ ହୁଏ, ତେବେ ତାହା ମଧ୍ୟ ବିଜେପିର ଊଣେଇଶ ଲକ୍ଷ୍ୟକୁ ଆହୁରି ଦୂରକୁ ଠେଲି ଦେବାର ସାମର୍ଥ୍ୟ ରଖୁଛି।

ଉତ୍ତର-ପ୍ରଦେଶ ଉପ-ନିର୍ବାଚନ ଫଳାଫଳ ବିଜେପି ବିପକ୍ଷରେ କେବଳ ବିରୋଧୀ ଶିବିରକୁ ଉତ୍ସାହିତ କରିନାହିଁ, ଏନ୍‌ଡିଏର ସହଯୋଗୀଙ୍କ ଲାଗି ମଧ୍ୟ ସାନି ମୂଲଚାଲ ପାଇଁ  ଅବକାଶ ସୃଷ୍ଟି କରିଛି। ମିଳିତ ବିରୋଧୀ ମେଣ୍ଟର ମୁକାବିଲା ପାଇଁ ଏନ୍‌ଡିଏ  ଗୋଠକୁ ଏକାଠି ବାନ୍ଧି ରଖିବା ବିଜେପି ପକ୍ଷରେ ଏବେ ଅଧିକ ଜରୁରି ହୋଇପଡ଼ିଛି। ବିଜେପିର ବଡ଼ଭାଇ ପଣିଆରେ ଅସନ୍ତୁଷ୍ଟ ଶିବସେନା, ଅକାଳୀ ଦଳ, ଟିଡିପି ଆଦିଙ୍କ ପାଇଁ ନିଜକୁ ଜାହିର କରିବା ଲାଗି ନୂଆ ମଉକା ମିଳିଛି।  ନଇଁ ପଡ଼ିଥିବ ଯେତେବେଳେ, ବିଧାଏ ମାରିବ ସେତେବେଳେ ନୀତିରେ ଉପ-ନିର୍ବାଚନରେ ପରାଜୟ ଜନିତ ଆଘାତରେ ପୂର୍ବାପେକ୍ଷା ଅଧିକ ଦୁର୍ବଳ ବିଜେପି ଠାରୁ ଅଧିକ କିଛି ହାସଲ କରିବା ଲାଗି ସହଯୋଗୀ ମାନେ ଏ ସୁଯୋଗକୁ ହାତଛଡ଼ା କରିବେ ନାହିଁ। କୁହାଯାଏ, ସହଯୋଗୀଙ୍କ ସହ ବିବାଦ ଯେତିକି କଷ୍ଟଦାୟକ, ବିନା ସହଯୋଗୀରେ ଶତ୍ରୁ ପକ୍ଷର ମୁକାବିଲା ତା’ଠାରୁ ଅଧିକ କଷ୍ଟଦାୟକ। ବିଜେପି ପାଇଁ ମୁକାବିଲା ଏବେ ବହୁମୁଖୀ। ଏକାଧିକ ସାମ୍ମୁଖ୍ୟରେ ଲଢ଼େଇ ଲାଗି ପ୍ରସ୍ତୁତ ହେବାକୁ ପଡ଼ିବ। ଠିକିଲେ ଶିଖନ୍ତି ନ୍ୟାୟରେ ୟୁପି ଉପ-ନିର୍ବାଚନର ଜନାଦେଶର ବାର୍ତ୍ତାକୁ ବିଜେପି ନେତୃତ୍ୱ ନିଶ୍ଚୟ ଠିକ ଭାବେ ପଢ଼ି ଆତ୍ମସମୀକ୍ଷା କରିବେ। ଏଥିରେ ଯେତେ ଅଧିକ ବିଳମ୍ବ କିମ୍ବା ମନମୋଟା କରିବେ, ଊଣେଇଶ ପାଇଁ ସମ୍ଭାବନା ସେତେ ଅଧିକ କମିବ।

ସମ୍ବନ୍ଧିତ ଖବର