ଶିବଙ୍କ ଧର୍ମ

ଶିବ ଜଣେ ହିନ୍ଦୁ ଦେବତା ନା ନୁହନ୍ତି? ପ୍ରତ୍ୟେକ ସୁସ୍ଥ ମସ୍ତିଷ୍କଧାରୀ ଭାରତୀୟ ତଥା ହିନ୍ଦୁଧର୍ମ ସମ୍ବନ୍ଧରେ ସାମାନ୍ୟତମ ଜ୍ଞାନ ଥିବା ପୃଥିବୀର ଯେ କୌଣସି ବ୍ୟକ୍ତି ପାଇଁ ଏହା ହେବ ଏକ ସମ୍ପୂର୍ଣ୍ଣ ଅବାନ୍ତର ପ୍ରଶ୍ନ। କିନ୍ତୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା, ତାଙ୍କ ଦ୍ୱାରା ନିଯୁକ୍ତ ସମ୍ପୃକ୍ତ କମିଟିର ମୁଖ୍ୟ ଜଷ୍ଟିସ୍‌ ନାଗମୋହନ ଦାସ ଏବଂ ଦିଲ୍ଲୀରେ ବସିଥିବା ସିଦ୍ଧରାମାୟାଙ୍କ ନିୟନ୍ତ୍ରକ କଂଗ୍ରେସ ଦଳ ମୁଖିଆ ରାହୁଲ ଗାନ୍ଧୀଙ୍କ ଭଳି ଲୋକମାନଙ୍କ ପାଇଁ ଶିବ ତାଙ୍କର ଅନ୍ୟ ଦୁଇ ସାଥୀ ବ୍ରହ୍ମା ଓ ବିଷ୍ଣୁଙ୍କୁ ଛାଡ଼ି ହିନ୍ଦୁ ଧର୍ମ ବାହାରେ ଏକ ସମ୍ପୂର୍ଣ୍ଣ ପୃଥକ୍‌ ଧର୍ମ ସୃଷ୍ଟି କରିଛନ୍ତି। (ଆମୋଦଦାୟକ ଭାବରେ ରାହୁଲ ଗାନ୍ଧୀ ନିକଟ ଅତୀତରେ ନିଜକୁ ଜଣେ ଶିବ ଭକ୍ତ ହିନ୍ଦୁ ରୂପେ ପ୍ରଦର୍ଶିତ କରିବାକୁ ଏକ ନିର୍ବାଚନୀ ଚାଲ୍‌ରେ ପରିଣତ କରିବା ଦେଖାଯାଇଛି। ତେଣୁ ସଂହାରର ଦେବତା ଶିବଙ୍କୁ ହିନ୍ଦୁ ଧର୍ମରୁ ନିକାଲିବା ପାଇଁ କର୍ଣ୍ଣାଟକରେ ସିଦ୍ଧରାମାୟା ଚଳାଇଥିବା ଉଦ୍ୟମକୁ ଆଶୀର୍ବାଦ ପ୍ରଦାନ କରି ରାହୁଲ ଗାନ୍ଧୀ ହୁଏତ ହିନ୍ଦୁ ଧର୍ମ ସମ୍ବନ୍ଧରେ ନିଜର ଅଜ୍ଞତାକୁ ପଦାରେ ପକାଇଛନ୍ତି, କିମ୍ବା ହିନ୍ଦୁମାନଙ୍କୁ ବିଭାଜିତ କରିବା ପାଇଁ ତାଙ୍କ ଦଳର ଚକ୍ରାନ୍ତକୁ ପ୍ରମାଣିତ କରିଛନ୍ତି।)

କର୍ଣ୍ଣାଟକର ଶୈବ ଉପାସକ ଲିଙ୍ଗାୟତ ଓ ବୀରଶୈବ ଲିଙ୍ଗାୟତ ମାନଙ୍କୁ ବସ୍ତୁତଃ ଅଣହିନ୍ଦୁ ବୋଲି ଘୋଷଣା କରି ସେମାନଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟର ମାନ୍ୟତା ପ୍ରଦାନ କରିବା ପାଇଁ ଜଷ୍ଟିସ୍‌ ନାଗମୋହନ ଦାସ କମିଟି ତତ୍ପରତାର ସହିତ ପ୍ରଦାନ କରିଥିବା ସୁପାରିସକୁ ସିଦ୍ଧରାମାୟା କ୍ୟାବିନେଟ୍‌ ଗ୍ରହଣ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିମିତ୍ତ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରେରଣ କରିବାକୁ ନିଷ୍ପତ୍ତି ନେଇଛି। ଉଦ୍ଦେଶ୍ୟ, କେନ୍ଦ୍ର ସରକାର ମଧ୍ୟ ତାହା ଗ୍ରହଣ କରି ସେଣ୍ଟ୍ରାଲ୍‌ ମାଇନରିଟି କମିସନ୍‌ ଆକ୍ଟ (କେନ୍ଦ୍ରୀୟ ସଂଖ୍ୟାଲଘୁ କମିସନ ଆଇନ) ଅନୁଯାୟୀ ସେ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିବେ। ତାହା ହେଲେ ଏହି ଦୁଇ ଗୋଷ୍ଠୀ ସମ୍ବିଧାନର ୨୫,୨୮,୨୯ ଓ ୩୦ ଧାରା ଅନୁସାରେ ସ୍ୱତନ୍ତ୍ର ସୁବିଧା ସୁଯୋଗ ମାନ ଉପଭୋଗ କରିବେ। ଏହି ସୁବିଧା ସୁଯୋଗ ମାନ ମଧ୍ୟରେ ଯାହା ଅନ୍ତର୍ଭୁକ୍ତ ସେଥିରେ ରହିଛି ନିଜ ଧର୍ମର ପ୍ରସାର କରିବାର ଅଧିକାର, ନିଜର ସ୍ୱତନ୍ତ୍ର ଧର୍ମ ପାଳନର ଅଧିକାର ଏବଂ ସବୁଠାରୁ ସେଠାରେ ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଲା ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନମାନ ପ୍ରତିଷ୍ଠା କରିବା ଏବଂ ଚଳାଇବାର ସ୍ୱାଧୀନତା- ଯାହା ମୁସଲମାନ ବା ଖ୍ରୀଷ୍ଟିଆନମାନେ ଉପଭୋଗ କରୁଛନ୍ତି। ସେ ରାଜ୍ୟରେ ଏହା ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ କାରଣ ସେଠାରେ ଅନେକ ସଂଖ୍ୟାରେ ଲିଙ୍ଗାୟତ ଶିକ୍ଷାନୁଷ୍ଠାନ ଟ୍ରଷ୍ଟ ମାନ କାର୍ଯ୍ୟ କରିଥାନ୍ତି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ମୁଖ୍ୟତଃ ଉତ୍ତର କର୍ଣ୍ଣାଟକର ଅଧିବାସୀ ହୋଇଥିବା ଲିଙ୍ଗାୟତ ମାନଙ୍କର ସଂଖ୍ୟା ହେଉଛି କର୍ଣ୍ଣାଟକର ମୋଟ ଲୋକସଂଖ୍ୟାର ପ୍ରାୟ ୧୭% ଏବଂ ପ୍ରାୟ ୧୦୦ଟି ବିଧାନସଭା କ୍ଷେତ୍ରରେ ସେମାନଙ୍କର ପ୍ରଭାବଶାଳୀ ଉପସ୍ଥିତି ରହିଛି। ଲିଙ୍ଗାୟତମାନେ ସେଠାରେ ସାଧାରଣତଃ ଭାରତୀୟ ଜନତା ପାର୍ଟିକୁ ସମର୍ଥନ ପ୍ରଦାନ କରି ଆସିଛନ୍ତି (ପୂର୍ବତନ ଭାଜପା ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା ହେଉଛନ୍ତି ଜଣେ ଲିଙ୍ଗାୟତ)। ସେମାନଙ୍କୁ ଏକ ସ୍ୱତନ୍ତ୍ର ଧର୍ମ ଓ ସ୍ୱତନ୍ତ୍ର ସୁବିଧା ସୁଯୋଗ ପ୍ରଦାନ କରି କଂଗ୍ରେସ ନିଜ ପକ୍ଷକୁ ଆକର୍ଷିତ କରି ଆସନ୍ନ ବିଧାନସଭା ନିର୍ବାଚନ ଜିତିବାକୁ ଯୋଜନା କରିଛି। ଏହା କଂଗ୍ରେସ ଦ୍ୱାରା ଚିରାଚରିତ ଭାବରେ ଅନୁସୃତ ସଂଖ୍ୟାଲଘୁ ତୁଷ୍ଟୀକରଣ ମାଧ୍ୟମରେ ଭୋଟ ବ୍ୟାଙ୍କ୍‌ ସୃଷ୍ଟିକାରୀ ରାଜନୀତିର ଏକ ସଦ୍ୟତମ ପରିପ୍ରକାଶ।

ଏହି ସଂକୀର୍ଣ୍ଣ ସ୍ୱାର୍ଥ ସାଧନ ପାଇଁ କର୍ଣ୍ଣାଟକ ସରକାର ବସାଇଥିବା ଉପରୋକ୍ତ ତଥାକଥିତ ବିଶେଷଜ୍ଞ କମିଟିର ସୁପାରିସ ପଛରେ ଥିବା ଯୁକ୍ତି ଯଦି ପ୍ରତ୍ୟେକ ଏଭଳି ଗୋଷ୍ଠୀ ପ୍ରତି ପ୍ରୟୋଗ କରାଯାଏ, ତେବେ କେବଳ ଲିଙ୍ଗାୟତ ବା ବୀରଶୈବ କାହିଁକି, ସନାତନ ହିନ୍ଦୁଧର୍ମ ଶହ ଶହ କିମ୍ବା ହଜାର ହଜାର କ୍ଷୁଦ୍ର କ୍ଷୁଦ୍ର ସ୍ୱତନ୍ତ୍ର ଧର୍ମରେ ବିଖଣ୍ଡିତ ହୋଇଯିବ। ରାମକୃଷ୍ଣ ମିସନରୁ ଆରମ୍ଭ କରି ଯୋରନ୍ଦାର ମହିମା ଧର୍ମ ପର୍ଯ୍ୟନ୍ତଙ୍କର ସ୍ୱତନ୍ତ୍ର ଧର୍ମ ପରିଚୟ ଲାଭ କରିବାର ଯୋଗ୍ୟତା ବା ଅଧିକାର ଲିଙ୍ଗାୟତ ମାନଙ୍କ ଠାରୁ ବହୁ ଅଧିକ ବଳିଷ୍ଠ। ଆଉ ଭାରତୀୟ ସମ୍ବିଧାନରେ ଯେଉଁ ବ୍ୟବସ୍ଥାମାନ ଉପଲବ୍‌ଧ କିଏ କାହିଁକି ଏକ ସଂଖ୍ୟାଗରିଷ୍ଠ ଧର୍ମର ଅଂଶ ହୋଇ ବିଭିନ୍ନ ସ୍ୱତନ୍ତ୍ର ସୁବିଧା ସୁଯୋଗରୁ ବଞ୍ଚିତ ହେବାକୁ ଚାହିଁବ? ବାସ୍ତବରେ ଲିଙ୍ଗାୟତ ମାନଙ୍କୁ ଏକ ସ୍ୱତନ୍ତ୍ର ଧର୍ମର ମର୍ଯ୍ୟାଦା ପ୍ରଦାନ କରି ଭାରତର ହିନ୍ଦୁମାନଙ୍କୁ କ୍ଷୁଦ୍ର କ୍ଷୁଦ୍ର ସଂଖ୍ୟାଲଘୁ ଗୋଷ୍ଠୀରେ ବିଭକ୍ତ ହୋଇ ଯିବା ପାଇଁ କଂଗ୍ରେସ ଏକ ପ୍ରଲୋଭନ ଦେଖାଇବାକୁ ଚେଷ୍ଟା କରୁଛି। ବିଡ଼ମ୍ବନାର କଥା ରାହୁଲ ଗାନ୍ଧୀ ବୁଲିବୁଲି ଘୋଷଣା କରିଚାଲିଛନ୍ତି ଯେ ଭାଜପା ଭାଙ୍ଗିବା ରାଜନୀତିରେ ବିଶ୍ୱାସ କରୁଥିବା ବେଳେ କଂଗ୍ରେସ ଯୋଡ଼ିବା ରାଜନୀତିରେ ବିଶ୍ୱାସ କରେ!

ଏହା ସତ ଯେ ଲିଙ୍ଗାୟତମାନଙ୍କ ମଧ୍ୟରୁ କେତେକ ନ୍ୟସ୍ତ ସ୍ୱାର୍ଥ ସଦସ୍ୟ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଧର୍ମର ମାନ୍ୟତା ଦାବି କରୁଛନ୍ତି, ଯାହାର ଅସଲ ଉଦ୍ଦେଶ୍ୟ ହେଉଛି ପୂର୍ବରୁ କୁହାଯାଇଥିବା ଭଳି ସଂଖ୍ୟାଲଘୁ ମାନ୍ୟତା। କିନ୍ତୁ ଏଥି ସତ୍ତ୍ୱେ ଏହା ମଧ୍ୟ ସତ ଯେ ଉଭୟ ଲିଙ୍ଗାୟତ ଓ ବୀରଶୈବ ସେମାନଙ୍କର ନାମ ସୂଚାଉଥିବା ଭଳି ହେଉଛନ୍ତି ମୋଟାମୋଟି ଶୈବ (ଯଦିବା ଲିଙ୍ଗାୟତମାନେ ପୂଜା କରୁଥିବା ଲିଙ୍ଗକୁ ଇଷ୍ଟଲିଙ୍ଗ କୁହାଯାଇଥାଏ, ଯାହାକୁ ଅଣାକାର ବୋଲି କଳ୍ପନା କରାଯାଇଥାଏ)। ସେମାନେ ହେଉଛନ୍ତି ତେଣୁ ଧର୍ମ ବିଶ୍ୱାସୀ ହିନ୍ଦୁ। ସେମାନେ ପାଳନ କରୁଥିବା ଧର୍ମୀୟ ରୀତିନୀତି ବର୍ତ୍ତମାନ କେତେକ କହୁଥିବା ଭଳି ପ୍ରକୃତରେ ୧୨ଶ ଶତାବ୍ଦୀରେ ସେମାନଙ୍କର ଧର୍ମଗୁରୁ ସଂସ୍କାରକ ବାସବଙ୍କ ଆବିର୍ଭାବ ପର ଠାରୁ ଆରମ୍ଭ ହୋଇନାହିଁ। ବାସବଙ୍କ ଆବିର୍ଭାବର ବହୁ ପୂର୍ବରୁ ସେମାନେ ଯେଉଁ ସବୁ ରୀତିନୀତି ପ୍ରାଚୀନ କାଳରୁ ଅନୁସରଣ କରି ଆସୁଥିଲେ, ସେ ସବୁ ସେମାନେ ଏବେ ମଧ୍ୟ ଅନୁସରଣ କରିବା ଦେଖା ଯାଇଥାଏ। ସେମାନଙ୍କ ମଧ୍ୟରୁ କେହି କେହି ହୁଏତ ଏହି ରୀତିନୀତିରେ ଅଧିକ ପରିବର୍ତ୍ତନ ଘଟାଇଥିବେ, କେହି କେହି କମ୍‌ ପରିବର୍ତ୍ତନ ଘଟାଇଥିବେ; କିନ୍ତୁ ସେଥି ଯୋଗୁଁ କେବେହେଲେ କୁହାଯାଇ ପାରିବ ନାହିଁ ଯେ ଲିଙ୍ଗାୟତ ଓ ବୀରଶୈବମାନେ ହିନ୍ଦୁ ଧର୍ମାବଲମ୍ବୀ ନୁହନ୍ତି।

ହିନ୍ଦୁ ଧର୍ମ ଏକ ସଂଗଠିତ ଧର୍ମ ନୁହେଁ। ଏହା ବରଂ ଏକ ଜୀବନଶୈଳୀ ବୋଲି କହିବା ଅଧିକ ଠିକ ହେବ। ପୃଥିବୀର ପ୍ରମୁଖ ସଂଗଠିତ ଧର୍ମ ମାନଙ୍କ ଭଳି ଏହା ଏକ କେନ୍ଦ୍ରୀଭୂତ ଏକଛତ୍ରବାଦୀ ଧର୍ମ ନୁହେଁ। ହିନ୍ଦୁ ଧର୍ମ ହେଉଛି ଏକ ବିକେନ୍ଦ୍ରିତ ଗଣତାନ୍ତ୍ରିକ ଧର୍ମ। ତେଣୁ ଏହା ମଧ୍ୟରେ ଅସୁମାରି କ୍ଷୁଦ୍ର କ୍ଷୁଦ୍ର ଗୋଷ୍ଠୀମାନ ନିଜର ନିଆରା କିସମର ପୂଜାପାଠ ପ୍ରାର୍ଥନା ଆଦି ପାଳନ କରିବା ପଥରେ କେହି ବାଧା ସୃଷ୍ଟି କରେ ନାହିଁ। ଏହାର ସୁଯୋଗ ନେଇ କଂଗ୍ରେସ ନେତାମାନେ କର୍ଣ୍ଣାଟକରେ ହିନ୍ଦୁ ସଂହାରର ଯେଉଁ ଉଦ୍ୟମ ଚଳାଇଛନ୍ତି, ଆଶା ସନାତନ ହିନ୍ଦୁ ଧର୍ମ ଓ ସଂହାରକର୍ତ୍ତା ଶିବ ତାହାକୁ ସଫଳ ହେବାକୁ ଦେବେ ନାହିଁ।

ସମ୍ବନ୍ଧିତ ଖବର