୭୦%ଙ୍କ ଭାଗ ଓ ଭାଗ୍ୟ

ବିଧାନସଭାରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ଅବ୍ୟବହିତ ପୂର୍ବରୁ ଗୁରୁବାର ଦିନ ଅର୍ଥନୈତିକ ସର୍ଭେ ୨୦୧୭-୧୮ ଉପସ୍ଥାପିତ ହୋଇଛି। ଏଥିରେ ସାମଗ୍ରିକ ଭାବେ ରାଜ୍ୟ ଅର୍ଥନୀତିର ଏକ ଗୋଲାପି-ଆଶାବାଦୀ ଚିତ୍ର ଅଙ୍କା ଯାଇଛି। ସପ୍ତାହକ ପରେ ବିଦାୟ ନେବାକୁ ଯାଉଥିବା ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୧୪ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଏହା ୨୦୧୬-୧୭ର ବାର୍ଷିକ ୧୦.୩୯ ପ୍ରତିଶତ ଅଭିବୃଦ୍ଧିଠାରୁ କମ୍‌ ହେଲେ ସୁଦ୍ଧା ନିରୁତ୍ସାହଜନକ ବୋଲି କୁହାଯାଇ ପାରିବ ନାହିଁ। ଅଭିବୃଦ୍ଧି ହାର କମିବା ସତ୍ତ୍ୱେ ଏହା ଜାତୀୟ (୬.୫ ପ୍ରତିଶତ) ହାରଠାରୁ ଉପରେ ରହିଛି। ଫଳରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ ରହିବା ଧାରା ଜାରି ରହିିପାରିଛି। ଏହାବ୍ୟତୀତ, ଯେଉଁ ପରିସଂଖ୍ୟାନ ଅର୍ଥନୀତି ନେଇ ସରକାରଙ୍କୁ ଅଧିକ ଉତ୍ସାହିତ ଓ ଆଶାବାଦୀ କରି ଦେଇଛି ତାହା ହେଲା- ବିଗତ ଛଅ ବର୍ଷର ଉଚ୍ଚ ଅଭିବୃଦ୍ଧି ଧାରା। ୨୦୧୧ରୁ ୨୦୧୭ ମଧ୍ୟରେ ରାଜ୍ୟର ଅର୍ଥନୀତି ୫୩ ପ୍ରତିଶତ ସଂପ୍ରସାରିତ ହୋଇଛି। ଅର୍ଥାତ୍‌ ଏହି ସମୟ ମଧ୍ୟରେ ରାଜ୍ୟ ଅର୍ଥନୀତିର ବାର୍ଷିକ ପାଖାପାଖି ୯ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟିଛି। ଉଚ୍ଚ ଅଭିବୃଦ୍ଧି ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ବୃଦ୍ଧିରେ ମଧ୍ୟ ପ୍ରତିଫଳିତ ହୋଇଛି। ୨୦୧୧-୧୨ ତୁଳନାରେ ବାର୍ଷିକ ମୁଣ୍ଡପିଛା ଆୟ ୨୦୧୭-୧୮ ଶେଷ ସୁଦ୍ଧା ୯୨,୭୨୭ ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ତେବେ, ଦୁର୍ଭାଗ୍ୟଜନକ ବିଡ଼ମ୍ବନାର ବିଷୟ ହେଲା, ସାମଗ୍ରିକ ଭାବେ ଅର୍ଥନୀତିର ଏ ଗୋଲାପି- ଆଶାବାଦୀ ଚିତ୍ର ରାଜ୍ୟ ଲୋକସଂଖ୍ୟାର ସତୁରି ପ୍ରତିଶତଙ୍କ ମନରେ ନା ଖୁସି ଆଣିପାରିଛି ନା କୌଣସି ଆଶା ସଂଚାର କରିପାରିଛି। ଅର୍ଥନୀତିର ଏ ଗୋଲାପି ଚିତ୍ରରେ ଏକ ବଡ଼ କଳାଦାଗ- ହେଲା କୃଷିର ବିପର୍ଯ୍ୟସ୍ତ ଅବସ୍ଥା- ଚାଷ ଉପରେ ନିର୍ଭରଶୀଳ ସତୁରି ପ୍ରତିଶତଙ୍କ ଆର୍ଥିକ ସ୍ଥିତିର ଏକ ବିକଳ ଚିତ୍ର ଉପସ୍ଥାପନ କରୁଛି। ସାମଗ୍ରିକ ଭାବେ ଅର୍ଥନୀତି ୨୦୧୭-୧୮ରେ ୭.୧୪ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ। ଅଥଚ କୃଷି କ୍ଷେତ୍ରରେ ଅଭିବୃଦ୍ଧି ବିଯୁକ୍ତାତ୍ମକ (-୪.୭୮ ପ୍ରତିଶତ) ହେବ। ୨୦୧୫-୧୬ରେ କୃଷିରେ ବିଶାଳ ୧୩ ପ୍ରତିଶତର ସଂକୋଚନ ପରେ ଗତ ୨୦୧୬-୧୭ରେ ପାଖାପାଖି ୨୦ ପ୍ରତିଶତ ସଂପ୍ରସାରଣ ଫଳରେ ଓଡ଼ିଶା ଚାଷୀ କୁଳ ପୁଣି ଅଣ୍ଟା ସଳଖାଇ ଛିଡ଼ା ହେବା ଆଶା ବାନ୍ଧିଥିଲେ। କିନ୍ତୁ ୨୦୧୭-୧୮ରେ ରୋଗ-ପୋକ, ମରୁଡ଼ି ସହ ବର୍ଷା ବିତ୍ପାତର ତ୍ରି-ବିପର୍ଯ୍ୟୟର ମାଡ଼ ଆଶାକୁ ଭାଙ୍ଗି ଚୂରମାର କରି ଦେଇଛି। ଚାଷୀଙ୍କ ଉପରେ ପ୍ରକୃତି କିଭଳି ଦାଉ ସାଧୁଛି ଏବଂ ପ୍ରକୃତିର ସେହି ଦାଉରୁ ଚାଷୀକୁଳକୁ ସୁରକ୍ଷା ଦେବା ଲାଗି ସରକାରୀ ସ୍ତରରେ ନିଆ ଯାଉଥିବା ପଦକ୍ଷେପ ଯେ କେତେ ଅକୁଳାଣ, ଏହା ତା’ର ଦୁଃଖଦ ପ୍ରମାଣ। ପ୍ରତି ବର୍ଷେ ଛାଡ଼ି ଆର ବର୍ଷ ଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ମାଡ଼ ସହିବାକୁ ପଡୁଛି। ଗୋଟିଏ ବର୍ଷ ବ୍ୟବଧାନରେ ପୁଣି ବିଯୁକ୍ତାତ୍ମକ ଅଭିବୃଦ୍ଧି କୃଷି କ୍ଷେତ୍ରରେ ଦେଖା ଦେଇଥିବା ସଂକଟ ଅଧିକ ଘନୀଭୂତ ହେଉଥିବା ଏବଂ ଚାଷୀକୁଳର ଦୁର୍ଦଶା ଲାଘବ ହେବା ପରିବର୍ତ୍ତେ ଆହୁରି ବଢ଼ି ଚାଲିଥିବାର ଅଶୁଭ ସଂକେତ।

ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ରେ ଏକ ପଞ୍ଚମାଂଶ ଅବଦାନ ଥିବା କୃଷିର ଅବକ୍ଷୟମୁଖୀ, ବିପର୍ଯ୍ୟସ୍ତ ଅବସ୍ଥାର ସବୁଠାରୁ ଭୟଙ୍କର ପରିଣାମ ହେଲା, ଅର୍ଥନୀତି କ୍ଷେତ୍ରରେ ଯେଉଁ ଅଭିବୃଦ୍ଧି ଦାବି କରାଯାଉଛି, ସେଥିରେ ରାଜ୍ୟ ଲୋକସଂଖ୍ୟାର ୭୦ ପ୍ରତିଶତଙ୍କ କୌଣସି ଭାଗ ରହୁନାହିଁ। ସାମଗ୍ରିକ ଭାବେ ଅର୍ଥନୀତି ୨୦୧୧-୧୭ ମଧ୍ୟରେ ବାର୍ଷିକ ପାଖାପାଖି ୯ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଛି। ଅଥଚ ଏହି ଛଅ ବର୍ଷରେ କୃଷି ଅଭିବୃଦ୍ଧି ବାର୍ଷିକ ମାତ୍ର ୨.୮ ପ୍ରତିଶତ। ବେଲ ପାଚିଲେ କୁଆର କି ଯାଏ ଭଳି ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧିର ସୁଫଳ ଚାଷୀଙ୍କୁ ମିଳୁ ନାହିଁ। କାରଣ ସମାନୁପାତିକ ହାରରେ କୃଷିରେ ଅଭିବୃଦ୍ଧି ହେଉନାହିଁ। କୃଷି କ୍ଷେତ୍ରରେ ସ୍ୱଳ୍ପ ଅଭିବୃଦ୍ଧି ପରିପ୍ରେକ୍ଷୀରେ ଚାଷୀଙ୍କ ଆୟ ଦୁଇଗୁଣ ବୃଦ୍ଧି ପାଇଥିବା ନେଇ ଦାବି ଉପରେ ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପୂର୍ବନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ସମେତ ବହୁ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଚାଷୀଙ୍କ ଆୟ ଦୁଇଗୁଣ ହେବା ଲାଗି ଅନ୍ତତଃ ପାଞ୍ଚବର୍ଷ ଲାଗି କୃଷି ଅଭିବୃଦ୍ଧି ଦୁଇ ଅଙ୍କ ବିଶିଷ୍ଟ ହେବା ଉଚିତ। ଛଅବର୍ଷରେ ବାର୍ଷିକ ୨.୮ ପ୍ରତିଶତ କୃଷି ଅଭିବୃଦ୍ଧିରେ ଚାଷୀଙ୍କ ଆୟ ଦୁଇଗୁଣ ହେଲା କେମିତି?

ଗୋଟିଏ ପକ୍ଷରେ ସାମଗ୍ରିକ ଭାବେ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ହାର ଗତ ଛଅବର୍ଷରେ ବାର୍ଷିକ ହାରାହାରି ୯ ପ୍ରତିଶତ। ଅନ୍ୟ ପକ୍ଷରେ କୃଷିର ଅଭିବୃଦ୍ଧି (୨.୮ ପ୍ରତିଶତ)- ତା’ର ତିନି ଭାଗରୁ ଭାଗେରୁ ବି ବି କମ୍‌। ଏହାର ଅର୍ଥ ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିର ଫଳ ସ୍ୱରୂପ ରାଜ୍ୟବାସୀଙ୍କ ହରାହାରି ମୁଣ୍ଡପିଛା ଆୟରେ ଯେଉଁ ବୃଦ୍ଧି ଘଟିଛି, ଲୋକସଂଖ୍ୟାର ବୃହତ୍‌ ୭୦ ଭାଗଙ୍କ ଆୟ ସେହି ଅନୁପାତରେ ବଢ଼ି ନାହିଁ। ଅର୍ଥାତ୍‌ ରାଜ୍ୟର ହାରାହାରି ମୁଣ୍ଡପିଛା ଆୟ ଠାରୁ ଚାଷୀର ମୁଣ୍ଡପିଛା ଆୟ କମ୍‌। ଏହା ମଧ୍ୟ ପ୍ରତିଫଳିତ ହୋଇଛି ଅର୍ଥନୈତିକ ସର୍ଭେରେ ଉଲ୍ଲେଖ କରାଯାଇଥିବା ମାସିକ ମୁଣ୍ଡପିଛା ଖର୍ଚ୍ଚ ସଂକ୍ରାନ୍ତ ତଥ୍ୟରେ। ଓଡ଼ିଶାବାସୀଙ୍କ ହାରାହାରି ମାସିକ ମୁଣ୍ଡପିଛା ଖର୍ଚ୍ଚ ୧୦୪୫ ଟଙ୍କା। କିନ୍ତୁ ଗ୍ରାମୀଣ ଓଡ଼ିଶାରେ ଏହା ୯୦୫ ଟଙ୍କା ଏବଂ ସହରାଞ୍ଚଳରେ ୧୮୩୦ ଟଙ୍କା। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କ ମାସିକ ମୁଣ୍ଡପିଛା ଖର୍ଚ୍ଚରେ ଏ ବିରାଟ ପାର୍ଥକ୍ୟ ସ୍ୱତଃ ଗ୍ରାମୀଣ ଓଡ଼ିଶାର ଆର୍ଥିକ ଦୁଃସ୍ଥିତି, ବିଶେଷକରି ଚାଷ ଓ ଚାଷୀର ଦୟନୀୟ ସ୍ଥିତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହା ଗ୍ରାମୀଣ ଓଡ଼ିଶା ଓ ସହରାଞ୍ଚଳ ଓଡ଼ିଶା ମଧ୍ୟରେ ଅର୍ଥନୈତିକ- ସାମାଜିକ ବୈଷମ୍ୟର ଖାଇ ଓସାରିଆ ହେଉଥିବାର ସ୍ପଷ୍ଟ ସୂଚନା ଦେଉଛି। ବୈଷମ୍ୟର ଏ ଖାଇ ପୋତିବାକୁ ପଡ଼ିବ। ଅନ୍ୟଥା ଏ ଅସମାନତା ସାମାଜିକ- ରାଜନୈତିକ ଅସ୍ଥିରତାକୁ ଆମନ୍ତ୍ରଣ କରିପାରେ।

ଅର୍ଥନୈତିକ ସର୍ଭେ ଅନୁଯାୟୀ ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ଓଡ଼ିଶାରେ ଦାରିଦ୍ର୍ୟ ହାର ୫୭.୨ ପ୍ରତିଶତରୁ ୨୪.୬ ପ୍ରତିଶତ ହ୍ରାସ ପାଇ ୩୨.୬ ପ୍ରତିଶତକୁ ଖସି ଆସିଛି। ସରକାରଙ୍କ ଆଶା ଯେ, ଦାରିଦ୍ର୍ୟ ହ୍ରାସର ଏ ଧାରା ୨୦୧୨ ପରେ ମଧ୍ୟ ଜାରି ରହିଛି ଏବଂ ୨୦୩୦ ସୁଦ୍ଧା ରାଜ୍ୟରେ ସଂପୂର୍ଣ୍ଣ ଭାବେ ଦାରିଦ୍ର୍ୟ ନିରାକରଣ ଲକ୍ଷ୍ୟ ହାସଲ ହୋଇ ପାରିବ। ତେବେ କୃଷି କ୍ଷେତ୍ରରେ ଲାଗି ରହିଥିବା ସଂକଟ ପରିପ୍ରେକ୍ଷୀରେ ଦାରିଦ୍ର୍ୟ ହ୍ରାସ ନେଇ ସରକାରଙ୍କ ଆଶା ଓ ‘ସଂପୂର୍ଣ୍ଣ ଦାରିଦ୍ର୍ୟ ମୁକ୍ତ ଓଡ଼ିଶା’ ଲକ୍ଷ୍ୟ ଯେ ହାସଲ ହୋଇପାରିବ, ସେ ନେଇ ସନ୍ଦେହର ଯଥେଷ୍ଟ ଅବକାଶ ରହିଛି। ସରକାର ଏ ବାସ୍ତବତାକୁ ଆଦୌ ଅଣଦେଖା କରିପାରିବେ ନାହିଁ ଯେ, କୃଷିର ବିକାଶ ଓ କୃଷକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ବିନା ଦାରିଦ୍ର୍ୟ ହ୍ରାସର ଆଶା ପୂରଣ କିମ୍ବା ଦାରିଦ୍ର୍ୟ ମୁକ୍ତ ଓଡ଼ିଶା ଲକ୍ଷ୍ୟ ହାସଲ ଅସମ୍ଭବ।

ତେଣୁ ଏକ ସଶକ୍ତ, ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ଦେଖୁଥିବା ସରକାରଙ୍କୁ ରାଜ୍ୟ ଲୋକସଂଖ୍ୟାର ସତୁରି ପ୍ରତିଶତଙ୍କୁ ଅଭିବୃଦ୍ଧିରେ ଅଂଶୀଦାର କରିବା ଲାଗି କୃଷି ବିକାଶ ଉପରେ ଆହୁରି ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଚାଷର ଅପରିବର୍ତ୍ତିତ ଦୁରବସ୍ଥା ଏହାର ନିଷ୍ଠୁର ବୟାନ ଯେ, ଚାଷ ଓ ଚାଷୀର ଅବସ୍ଥା ବଦଳୁନାହିଁ। ଚାଷ ଓ ଚାଷୀର ଭାଗ୍ୟ ବଦଳାଇବା ପାଇଁ ପାଇବିଭାଗର ନୂଆ ନାମକରଣ କିମ୍ବା ସ୍ୱତନ୍ତ୍ର କୃଷି ବଜେଟ ଯଥେଷ୍ଟ ନୁହେଁ। ଏ ପ୍ରକାର ପ୍ରସାଧନଧର୍ମୀ, ପ୍ରତୀକାତ୍ମକ ପଦକ୍ଷେପ ଅପେକ୍ଷା ଯାହା ଅଧିକ ଆବଶ୍ୟକ ତା’ହେଲା ଦୁଃଖୀ ଚାଷୀଙ୍କ ପ୍ରତି ସମ୍ବେଦନଶୀଳତା ଓ କୃଷି ବିକାଶ ପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି। ଜଳସେଚନର ସଂପ୍ରସାରଣ, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା, ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ଓ ଯୋଜନା ହାତକୁ ନିଆଯାଉଛି। କିନ୍ତୁ ଯୋଜନା ଓ କାର୍ଯ୍ୟକ୍ରମରୁ ଈପ୍‌ସିତ ସୁଫଳ ପାଇବା ଲାଗି ରୂପାୟନର ଚିତ୍ର ଓ ଚରିତ୍ରରେ ସଂସ୍କାର ଏକାନ୍ତ ଅପରିହାର୍ଯ୍ୟ। ଅର୍ଥନୈତିକ ସର୍ଭେରେ ମିଳିଥିବା ତାଜା ଚିତ୍ର ପରିପ୍ରେକ୍ଷୀରେ ଦୀର୍ଘମିଆଦୀ ସୂତ୍ରରେ କୃଷି ବିକାଶ ପାଇଁ ଆହୁରି ଅଧିକ ବିନିଯୋଗ ଓ ସ୍ୱଳ୍ପମିଆଦୀ ସୂତ୍ରରେ ଦୁର୍ଦଶାଗ୍ରସ୍ତ ଚାଷୀକୁଳକୁ ଅନ୍ତତଃ କିଛି ରିହାତି ଭାବେ ସ୍ୱତନ୍ତ୍ର ପେନ୍‌ସନ୍‌ ଓ ଋଣଛାଡ଼ ବିଷୟ ସହୃଦୟତାର ସହ ସରକାରଙ୍କ ବିଚାରର ଅପେକ୍ଷା ରଖେ।

ସମ୍ବନ୍ଧିତ ଖବର