୧୯ ପାଇଁ ‘ଆଶା’ର ବଜେଟ୍‌

ବିଧାନସଭାରେ ଶୁକ୍ରବାର ଦିନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଆଗତ କରିଛନ୍ତି। ଊଣେଇଶ ନିର୍ବାଚନ ପୂର୍ବରୁ ଚତୁର୍ଥ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ର ସୁଯୋଗକୁ ଭୋଟ ପାଇଁ ପୂର୍ଣ୍ଣ ଉପଯୋଗ କରିଛନ୍ତି ନବୀନ ସରକାର। ଭୋଟରଙ୍କ ମନ ଜିଣିବା ଲକ୍ଷ୍ୟରେ ନିର୍ବାଚନ ପ୍ରସ୍ତୁତି ଲାଗି ଏକ କସରତ ଭାବେ ବଜେଟରେ ‘‘ସର୍ବାଧିକ ଲୋକଙ୍କ ସର୍ବାଧିକ ସନ୍ତୁଷ୍ଟି’କୁ ମନ୍ତ୍ର କରାଯାଇଛି। ଏଠାରେ ‘ସର୍ବାଧିକ ଲୋକଙ୍କ ସର୍ବାଧିକ ସନ୍ତୁଷ୍ଟି’ର ଅର୍ଥ ‘ସର୍ବାଧିକ ଭୋଟରଙ୍କ ସର୍ବାଧିକ ସନ୍ତୁଷ୍ଟି’ ବୁଝିବାକୁ ହେବ। ସେଥିପାଇଁ ରାଜ୍ୟ ଲୋକସଂଖ୍ୟାର ୮୩% ବସବାସ କରୁଥିବା ଗ୍ରାମାଞ୍ଚଳର ବିକାଶ, ସତୁରି ପ୍ରତିଶତଙ୍କ ଜୀବନଜୀବିକା ସହ ଯୋଡ଼ି ହୋଇଥିବା କୃଷି, ଲୋକସଂଖ୍ୟାର ୪୦ % ଅନୁସୂଚିତ ଜାତି, ଜନଜାତିଙ୍କ କଲ୍ୟାଣ ଆଦି ଭୋଟର ବହୁଳ କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ବିଶେଷ କୌଣସି ନୂତନ ଯୋଜନା ଘୋଷଣା ନକରି, ବରଂ ଗତ ବଜେଟ୍‌ରେ ଘୋଷିତ ଏବଂ ନିକଟ ଅତୀତରେ ଆରମ୍ଭ ହୋଇଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସକାଶେ ଅଧିକ ବ୍ୟୟବରାଦ କରାଯାଇଛି। ଗୋଟିଏ ଜନପ୍ରତିନିଧିମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଅସ୍ୱାଭାବିକ ନୁହେଁ।

ଏଭଳି ଏକ ‘ନିର୍ବାଚନ ମୁହାଁ’ ବଜେଟ୍‌ ଉପସ୍ଥାପନ ବୋଧହୁଏ ସରକାରଙ୍କ ପକ୍ଷରେ ସହଜ ହୋଇ ନଥାନ୍ତା, ଯଦି ରାଜ୍ୟର ଆର୍ଥିକ ସ୍ୱାସ୍ଥ୍ୟାବସ୍ଥା ବେଶ୍‌ ସୁସ୍ଥ ଏବଂ ଅର୍ଥନୀତି ଅଭିବୃଦ୍ଧି ଅଭିମୁଖୀ ହୋଇନଥାନ୍ତା। ତହବିଲକୁ ରାଜସ୍ୱର ସୁଅ ତ୍ୱରାନ୍ଵିତ ହେବା ଏବଂ ଅଧିକ ଋଣ ଉଠାଣର ଅବକାଶ ଫଳରେ ସରକାର ବଜେଟ୍‌ ଆକାର ବୃଦ୍ଧି ଧାରାକୁ ଜାରି ରଖି ପାରିଛନ୍ତି। ଖଣି ଅଞ୍ଚଳ ବିକାଶ ପାଣ୍ଠି ମଧ୍ୟ ସରକାରଙ୍କ ପାଇଁ ସମ୍ବଳର ନୂଆ ଉତ୍ସ ହୋଇଛି। ସାମଗ୍ରିକ ଭାବେ ବଜେଟ୍‌ ଅଟକଳ ଗତବର୍ଷ ତୁଳନାରେ ୧୨.୩% ବୃଦ୍ଧି ପାଇ ୧ ଲକ୍ଷ ୨୦ ହଜାର ୨୮ କୋଟିରେ ପହଞ୍ଚି ଥିବା ବେଳେ କୃଷି ବଜେଟ୍‌ର ଆକାର ୧୦.୯ ପ୍ରତିଶତ ବୃଦ୍ଧି ପାଇ ୧୬,୭୬୫ କୋଟି ଟଙ୍କାରେ ଧାର୍ଯ୍ୟ ହୋଇଛି। ତେବେ ସାମଗ୍ରିକ ଭାବେ ବଜେଟ୍‌ ଅଟକଳ ବୃଦ୍ଧି ଅପେକ୍ଷା ଯାହା ବିକାଶ ଓ କଲ୍ୟାଣ କ୍ଷେତ୍ରରେ ଥିବା ନିଅଣ୍ଟିଆର କିଛି ମାତ୍ରାରେ ଭରଣାର ଆଶା ସୃଷ୍ଟି କରୁଛି, ତାହା ହେଲା କାର୍ଯ୍ୟକ୍ରମ ବାବଦ ବ୍ୟୟବରାଦ ବୃଦ୍ଧି।

ଗତ ୨୦୧୭-୧୮ ବଜେଟ୍‌ରେ କାର୍ଯ୍ୟକ୍ରମ ବାବଦ ବ୍ୟୟ ଅଟକଳ ୫୭,୮୦୦ କୋଟି ଧାର୍ଯ୍ୟ ହୋଇଥିଲା। ୨୦୧୮-୧୯ ବଜେଟ୍‌ରେ ଏହି ପରିମାଣ ୬୭ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଉଲ୍ଲେଖନୀୟ ବିଷୟ ହେଲା, ପ୍ରଥମ ଥର ପାଇଁ କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ବଜେଟ୍‌ ଅଟକଳର ଅଧାରୁ ଅଧିକ ହୋଇଛି। ବଜେଟ୍‌ରେ ଆଉ ଏକ ସୁସ୍ଥ ସଂକେତ ହେଲା- ପୁଞ୍ଜିଗତ ଖର୍ଚ୍ଚ ବୃଦ୍ଧି। ୨୦୦୭-୦୮ରେ ପୁଞ୍ଜିଗତ ଖର୍ଚ୍ଚ ପରିମାଣ ୨,୮୪୩ କୋଟି ଟଙ୍କାରୁ ଗତ ବର୍ଷ ୨୦,୦୭୪ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଏଥର ବଜେଟ୍‌ରେ ଏହି ପରିମାଣ ୨୪,୫୭୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ରାଜ୍ୟ ମୋଟ ଘରୋଇ ଉତ୍ପାଦର ୫.୫ ପ୍ରତିଶତ। ପୁଞ୍ଜିଗତ ଖର୍ଚ୍ଚ ପରିମାଣର ଏ ବୃଦ୍ଧି ଏହା ସୂଚାଉଛି ଯେ, ରାଜ୍ୟ ସରକାର ଉଠାଉଥିବା ଋଣ ମୁଖ୍ୟତଃ ବିକାଶ ଓ ଉନ୍ନୟନ କାର୍ଯ୍ୟରେ ବିନିଯୋଗ ହେଉଛି। ୨୦୧୮-୧୯ରେ ୧୨ ହଜାର କୋଟି ଟଙ୍କା ଋଣ ଉଠାଣର ପ୍ରସ୍ତାବ ଥିବା ବେଳେ ପୁଞ୍ଜିଗତ ବିନିଯୋଗ ଏହାର ଦୁଇଗୁଣ-୨୪ ହଜାର କୋଟିରୁ ଅଧିକ ଟଙ୍କା ଧାର୍ଯ୍ୟ ହେବା ଏକ ସକରାତ୍ମକ ସଂକେତ। ବାର ବର୍ଷ ଭିତରେ ଯୋଜନା କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ୧୩ ଗୁଣ ଏବଂ ପୁଞ୍ଜିଗତ ବିନିଯୋଗ ୧୨ ଗୁଣ ବୃଦ୍ଧି ଉନ୍ନତ ଆର୍ଥିକ ପରିଚାଳନାର ଏକ ପ୍ରତିଫଳନ।

ଆର୍ଥିକ ସ୍ୱାସ୍ଥ୍ୟରେ ଉନ୍ନତି ଏବଂ ଉନ୍ନତ ଆର୍ଥିକ ପରିଚାଳନାର ଲାଭ ମିଳିଛି ସରକାରଙ୍କୁ। ‘ଭୋଟ ଅମଳ’ ଲକ୍ଷ୍ୟରେ ହାତଖୋଲି ଖର୍ଚ୍ଚ କରିବାର ସୁଯୋଗ ଦେଇଛି। ଏହି କ୍ରମରେ ୨୦୧୮-୧୯ ବଜେଟ୍‌ରେ ଗ୍ରାମାଞ୍ଚଳରେ ବାସଗୃହ ନିର୍ମାଣ ଠାରୁ ଆରମ୍ଭ କରି ପାନୀୟ ଜଳ, ପରିମଳ, ସଡ଼କ ନିର୍ମାଣ, ବିଦ୍ୟୁତ୍‌କରଣ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ପ୍ରାୟ ୧୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ନୂଆ ପୋଷ୍ୟ କାର୍ଯ୍ୟକ୍ରମ ‘ଆମ ଗାଁ, ଆମ ବିକାଶ’ ଯୋଜନାରେ ୧,୨୫୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି। ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଲୋକଙ୍କୁ ୨୦୧୮ ଶେଷ ସୁଦ୍ଧା ୨୦ ଲକ୍ଷ ବାସଗୃହ ଯୋଗାଣ ଲାଗି ବଜେଟ୍‌ରେ ୩,୫୯୨ କୋଟି ଟଙ୍କା ବରାଦ ହୋଇଛି। ପାନୀୟ ଜଳ ଓ ପରିମଳ ବାବଦ ବ୍ୟୟବରାଦ ୪୭୮୪.୧୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ଗ୍ରାମାଞ୍ଚଳ ସହ ଯୋଡ଼ି ହୋଇଥିବା କୃଷିକୁ ମଧ୍ୟ ବିଶେଷ ପ୍ରାଥମିକତା ଅବ୍ୟାହତ ରହିଛି। ଅସନ୍ତୁଷ୍ଟ ଚାଷୀକୁଳକୁ ଯଥାସମ୍ଭବ ଖୁସି କରିବା ଚେଷ୍ଟାରେ କୃଷି ବଜେଟ୍‌ ୧୬,୭୬୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଯଦିଓ କୃଷି ବଜେଟ୍‌ ଗତ ବର୍ଷ ତୁଳନାରେ ୧୦.୯% ବଢ଼ିଛି, ମୋଟ ବଜେଟ୍‌ରେ କୃଷିର ଭାଗ ୧୩.୯୬%ରେ ଅପରିବର୍ତ୍ତିତ ରହିଛି। ଜଳସେଚନ କ୍ଷମତା ବୃଦ୍ଧି ଲାଗି କୃଷି ବଜେଟ୍‌ର ୬୧%- ଦଶହଜାର କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଅବଶ୍ୟ, ଏହା ଏକ ବଡ଼ ପ୍ରଶ୍ନ ଯେ, ଜଳସେଚନ କ୍ଷେତ୍ରରେ ସବୁ ବ୍ଲକ୍‌ରେ ଅନ୍ତତଃ ୩୫% ଜମିକୁ ପାଣି ସମେତ ଯେଉଁ ଉଚ୍ଚାକାଂକ୍ଷୀ ଲକ୍ଷ୍ୟ ରଖାଯାଇଛି, ତାହା ହାସଲ ଲାଗି ଏତିକି ବ୍ୟୟବରାଦ ପର୍ଯ୍ୟାପ୍ତ କି? ଆଉ ଏକ ଉଲ୍ଲେଖନୀୟ ବିଷୟ ହେଲା କୃଷକ କଲ୍ୟାଣ ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲେ ସୁଦ୍ଧା ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଯୋଜନା କିମ୍ବା କାର୍ଯ୍ୟକ୍ରମର ସୂଚନା ଦିଆଯାଇନାହିଁ। ଏହାର ଅର୍ଥ ଠିକଣା ସମୟରେ ଚାଷୀଙ୍କୁ ମନାଇବା ଲାଗି ସରକାରଙ୍କ ପକ୍ଷରୁ ଆଗୁଆ ସମ୍ବଳର ବ୍ୟବସ୍ଥା କରାଯାଇଛି। ଗ୍ରାମାଞ୍ଚଳ ବିକାଶ ଓ କୃଷି ତଥା ଜଳସେଚନ ପାଇଁ ଅଧିକ ବ୍ୟୟବରାଦ ଗ୍ରାମୀଣ ଓଡ଼ିଶାରେ ଅଧିକ ନିଯୁକ୍ତି ସୁଯୋଗର ମଧ୍ୟ ସମ୍ଭାବନା ସୃଷ୍ଟି କରୁଛି।

ଗ୍ରାମାଞ୍ଚଳ ଓ କୃଷି ଭଳି ଭୋଟ ଦୃଷ୍ଟିରୁ ଆଉ ଏକ ବୃହତ୍‌ କ୍ଷେତ୍ର ହେଲା ଅନୁସୂଚିତ ଜାତି, ଜନଜାତି କଲ୍ୟାଣ। ଏହି ଦୁଇ ବର୍ଗ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ସବୁଠାରୁ ଦୁର୍ବଳ ଭାବେ ପରିଗଣିତ। ଏହି ଦୁଇ ବର୍ଗରେ ଦାରିଦ୍ର୍ୟ ହାର ମଧ୍ୟ ସର୍ବାଧିକ। ଗରିବ, ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ପତିଆରା ବୃଦ୍ଧି ଉଦ୍ଦେଶ୍ୟରେ ଏହି ଦୁଇ ବର୍ଗଙ୍କ କଲ୍ୟାଣ ପାଇଁ ବଜେଟ୍‌ରେ ୨୨୦୦୦ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି।

ନିର୍ବାଚନ ବର୍ଷରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆକ୍ରୋଶକୁ ପ୍ରଶମିତ କରିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ବାବଦ ବ୍ୟୟବରାଦ ୫,୭୮୧ କୋଟିରୁ ୬୧୮୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିସନ, ନିରାମୟ, ନିଦାନ ଆଦି ବିଭିନ୍ନ ଯୋଜନାରେ ଗତ ବର୍ଷ ଅପେକ୍ଷା ଅଧିକ ଅର୍ଥ ମଞ୍ଜୁର କରାଯାଇଛି। ନୂଆ ଘୋଷିତ ‘ସହାୟ’, ‘ନିର୍ମଳ’ ଓ ‘ଖୁସି’ ଆଦି କାର୍ଯ୍ୟକ୍ରମ ଲାଗି ମଧ୍ୟ ଆବଶ୍ୟକୀୟ ଅର୍ଥ ବ୍ୟବସ୍ଥା ହୋଇଛି। ଓଡ଼ିଆ ଆବେଗ ଓ ସ୍ୱାଭିମାନର ସୁରକ୍ଷା ପ୍ରତି ଅଙ୍ଗୀକାର ପ୍ରଦର୍ଶନ ସ୍ୱରୂପ ଭାଷା ଓ ସଂସ୍କୃତି ପାଇଁ ମଧ୍ୟ ମୋଟା ବ୍ୟୟବରାଦ ହୋଇଛି। ତେବେ ବଜେଟ୍‌ ପ୍ରସ୍ତୁତି ବେଳେ ମୁଖ୍ୟତଃ ଭୋଟ ଉପରେ ନଜର କେନ୍ଦ୍ରୀଭୂତ ହୋଇଥିବାରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ କ୍ଷେତ୍ର- ଶିକ୍ଷା ପ୍ରତି ଅଣଦେଖା ହୋଇଛି। ଅନ୍ୟ ସାମାଜିକ କ୍ଷେତ୍ର ପାଇଁ ବ୍ୟୟବରାଦ ଊଣା-ଅଧିକ ବଢ଼ିଥିବା ବେଳେ ଶିକ୍ଷା ବାବଦ ଖର୍ଚ୍ଚ ପରିମାଣ ପ୍ରାୟତଃ ଅପରିବର୍ତ୍ତିତ ରହିଛି। ବ୍ୟୟବରାଦରେ ଗତାନୁଗତିକ ଧାରା ଜାରି ରହିଥିବାରୁ, ବିଶେଷ ଧ୍ୟାନର ଅପେକ୍ଷା ରଖୁଥିବା ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ବିଷୟ ଉପେକ୍ଷିତ ହୋଇଛି। ସ୍କୁଲରେ ଭୋଟର ପଢୁନଥିବାରୁ ଏହା ବୋଧହୁଏ ଆଢୁଆଳରେ ରହିଗଲା। ତେବେ ଏହା ଭୁଲିଗଲେ ଚଳିବ ନାହିଁ ଯେ, ସ୍କୁଲ୍‌ ଯାଉଥିବା ଶିଶୁ ଓ କିଶୋର ଭୋଟର ନହେଲେ ସୁଦ୍ଧା ସେମାନେ ରାଜ୍ୟର ଭବିଷ୍ୟତ।

ମୋଟାମୋଟି ବିଭିନ୍ନ କ୍ଷେତ୍ର, ବିଶେଷକରି ଗ୍ରାମାଞ୍ଚଳ ବିକାଶ, କୃଷି, ଏସ୍‌ଟି/ଏସ୍‌ସି କଲ୍ୟାଣ, ଭିତ୍ତିଭୂମି ଓ ସ୍ୱାସ୍ଥ୍ୟ ପାଇଁ ଅଧିକ ବରାଦରୁ ଭୋଟ ଅଭିଳାଷ ଅଛପା ରହୁନଥିଲେ ସୁଦ୍ଧା ଅସ୍ୱୀକାର କରାଯାଇପାରିବ ନାହିଁ ଯେ ଜନତାଙ୍କ ଦୃଷ୍ଟିରୁ ଏହା ଏକ ‘ଆଶା’ର ବଜେଟ୍‌। ସରକାରରେ ଥିବା କ୍ଷମତାସୀନ ଦଳ ବଜେଟ୍‌ ମାର୍ଫତରେ ଊଣେଇଶ ବୈତରଣୀ ପାର ହେବାର ଆଶା ବାନ୍ଧିପାରନ୍ତି କିନ୍ତୁ ସାଧାରଣ ଜନତାଙ୍କ ମନରେ ଆଶା ଯେ ବିକାଶ ଓ କଲ୍ୟାର କ୍ଷେତ୍ରରେ ନିଅଣ୍ଟିଆ କିଛି ମାତ୍ରାରେ ଭରଣା ହୋଇ ପାରିବ। ତେବେ ତା’ସହ ୧ ଲକ୍ଷ ୨୦ ହଜାର କୋଟି ଟଙ୍କାର ଗୋଟିଏ ପ୍ରଶ୍ନ ମଧ୍ୟ ଉଙ୍କିମାରୁଛି। ଶାସକ ଓ ଶାସିତ ବଜେଟ୍‌ରେ ଦେଖୁଥିବା ଆଶା ପୂରଣ ହେବ ତ? ଗୋଟିଏ ଦିନ ଥିଲା ଯୋଜନା ନଥିଲା କି ଟଙ୍କା ବି ନଥିଲା। ପରେ ଅବସ୍ଥା ବଦଳିଲା, ଯୋଜନା ହେଲା, କିନ୍ତୁ ଯୋଜନା ପାଇଁ ଟଙ୍କା ନଥିଲା। ଏବେ କିନ୍ତୁ ଯୋଜନାର ଅଭାବ ନାହିଁ କି ଟଙ୍କାର ଅଭାବ ନାହିଁ। ଏହି ବଜେଟ୍‌ ତା’ର ଏକ ପ୍ରମାଣ। କିନ୍ତୁ ଅଭାବ ରହିଛି ଯୋଜନା ରୂପାୟନ କ୍ଷେତ୍ରରେ ଦକ୍ଷତାର। ଯୋଜନା ରୂପାୟନକୁ ଆକ୍ରାନ୍ତ କରିଥିବା ଏହି ଦକ୍ଷତାର ଅଭାବ ପୂରଣ ହେଲେ ଆପେ ବିକାଶ କ୍ଷେତ୍ରରେ ନିଅଣ୍ଟିଆ ଭରଣା ହୋଇପାରିବ ଏବଂ ଉଭୟ ସରକାର ଓ ଜନତା ବଜେଟ୍‌ରେ ଦେଖିଥିବା ଆଶା ପୂରଣ ହୋଇପାରିବ।

ସମ୍ବନ୍ଧିତ ଖବର