କୁହାଯାଇଥାଏ, ରାଗ ହେଉଛି ବ୍ରହ୍ମ ଚଣ୍ଡାଳ। ତେଣୁ କ୍ରୋଧାନ୍ଧ ଇମ୍ତିଆଜ୍ ହିତାହିତ ଜ୍ଞାନ ହରାଇ ପତ୍ନୀ ସଗୁଫ୍ତାକୁ ତତ୍କ୍ଷଣାତ୍ ତଲାକ୍ ଦେଇ ସେମାନଙ୍କ ବୈବାହିକ ଜୀବନରେ ଅନ୍ତ ଘଟାଇ ଦେଇଛି। କିନ୍ତୁ ମୁଣ୍ଡରୁ ବ୍ରହ୍ମଚଣ୍ଡାଳ ଓହ୍ଲାଇ ଗଲାପରେ ସେ ପୁଣି ସଗୁଫ୍ତାକୁ ପତ୍ନୀ ରୂପେ ଫେରି ପାଇବାକୁ ଚାହିଁଛି। ଇସଲାମ ଧର୍ମାବଲମ୍ବୀ ଇମ୍ତିଆଜ୍ ପାଇଁ କିନ୍ତୁ ତିନି ତଲାକ୍ ମୁହଁରେ କହି ଦେଇ ପତ୍ନୀ ସହିତ ବୈବାହିକ ସମ୍ପର୍କ ଛିନ୍ନ କରିବା ଯେତିକି ସହଜ ଓ ସରଳ, ଏଭଳି ପରିତ୍ୟାଗ କରିଥିବା ପତ୍ନୀଙ୍କୁ ଆଉ ଥରେ ବିବାହ କରି ପତ୍ନୀ ରୂପେ ଫେରିପାଇବା ସେତିକି କଷ୍ଟକର ଓ ଜଟିଳ। ଇସଲାମ୍ର ହଲାଲା ନିୟମ ଅନୁସାରେ ଏଥିପାଇଁ ଏକମାତ୍ର ଉପାୟ ହେଉଛି: ପୂର୍ବତନ ପତ୍ନୀ ସଗୁଫ୍ତା ଅନ୍ୟଜଣେ ପୁରୁଷକୁ ବିବାହ କରିବା; ସେ ନୂତନ ପତିଙ୍କ ସହ ସହବାସ କରି ଏହି ନୂତନ ବିବାହକୁ ସିଦ୍ଧ କରିବା; ତା’ପରେ ସେ ନୂତନ ସ୍ୱାମୀ ସଗୁଫ୍ତାକୁ ତଲାକ୍ ଦେଇ ସେ ବିବାହରେ ଅନ୍ତ ଘଟାଇବା ଏବଂ ଏହାପରେ ବନ୍ଧନ ମୁକ୍ତ ହୋଇଥିବା ସଗୁଫ୍ତାକୁ ପୁଣି ଇମ୍ତିଆଜ୍ ବିବାହ କରିବା।
Sambad is now on WhatsApp
Join and get latest news updates delivered to you via WhatsApp
ଇମ୍ତିଆଜ୍ ଏ ସମସ୍ତ ଆୟୋଜନ କରିବାକୁ ଅଣ୍ଟା ଭିଡ଼ି ବାହାରି ପଡ଼ିଛି; ସେ ଯେମିତି ହେଲେ ସଗୁଫ୍ତାକୁ ପତ୍ନୀ ରୂପେ ଫେରି ପାଇବାକୁ ଚାହେଁ। ଏଥିପାଇଁ ସେ ବହୁ କଷ୍ଟରେ ଆବଶ୍ୟକ ପଇସାପତ୍ର ଏକାଠି କରି ପରଦିନ ଯାଇ ମୁଲ୍ଲାଜୀଙ୍କ ପାଖରେ ପହଞ୍ଚିଛି। ମୁଲ୍ଲା ଜଣକ ଇମ୍ତିଆଜ୍ଠାରୁ ଏକ ବଡ଼ ରକମର ଅର୍ଥ ଆଦାୟ କଲା ପରେ ସଗୁଫ୍ତାକୁ ବିବାହ କରି, ତା ସହିତ ସହବାସ କରି, ତାପରେ ତାକୁ ତଲାକ୍ ଦେଇ ତାକୁ ପୁଣି ବିବାହଯୋଗ୍ୟା କରିବାକୁ ରାଜି ହୋଇଛନ୍ତି। ଚୁକ୍ତି ଅନୁସାରେ ତା ପରଦିନ ଇମ୍ତିଆଜ୍ ଯେତେବେଳେ ସଗୁଫ୍ତାକୁ ଫେରାଇ ଆଣିବା ପାଇଁ ଯାଇ ମୁଲ୍ଲାଙ୍କ ପାଖରେ ପହଞ୍ଚିଛି, ମୁଲ୍ଲାଜୀ ତା ସହିତ ଖେଳିବାକୁ ଆରମ୍ଭ କରିଛନ୍ତି। ମୁଲ୍ଲା ତାକୁ କହିଛନ୍ତି ଯେ ସେ ସିନା ସଗୁଫ୍ତାକୁ ବିବାହ କରିଛନ୍ତି, କିନ୍ତୁ ତା ସହିତ ଏପର୍ଯ୍ୟନ୍ତ ସହବାସ କରିନାହାନ୍ତି। ଏଣୁ ନିୟମ ଅନୁସାରେ ସେ ସହବାସ ନହେବା ପର୍ଯ୍ୟନ୍ତ ସଗୁଫ୍ତାକୁ ତଲାକ୍ ଦେଇ ସ୍ୱାଧୀନ କରି ଦେଇ ପାରିବେ ନାହିଁ। ଇମ୍ତିଆଜ୍ ଯେତେଥର ସଗୁଫ୍ତାକୁ ଆଣିବା ପାଇଁ ମୁଲ୍ଲାଙ୍କ ପାଖକୁ ଯାଏ, ମୁଲ୍ଲା ତଥାପି ସହବାସ ସାଧିତ ହୋଇ ନଥିବା କାରଣ ଦର୍ଶାଇ ଇମ୍ତିଆଜ୍କୁ କାଲି ଆସିବାକୁ କହନ୍ତି: ‘‘ମିଆଁ କଲ୍ ଆନା’’(‘ମହାଶୟ, କାଲି ଆସ’)। ଅସଲ କଥା ସଗୁଫ୍ତାକୁ ଆଉ ଛାଡ଼ିବା ପାଇଁ ମୁଲ୍ଲା ଜଣକ ରାଜି ନୁହଁନ୍ତି।
କେତେ ମାସ ତଳେ ଏକ ପ୍ରମୁଖ ଟେଲିଭିଜନ୍ ଚାନେଲ୍ ଦ୍ୱାରା କରାଯାଇଥିବା ଏକ ଷ୍ଟିଙ୍ଗ୍ ଅପରେସନ୍ ମାଧ୍ୟମରେ ଜାଣିବାକୁ ମିଳିଥିଲା କିଭଳି କେତେକ ଗ୍ରାମାଞ୍ଚଳରେ ମୁଲ୍ଲାମାନେ ଇସ୍ଲାମ୍ରେ ଥିବା ଏହି ନିକାହ୍ହଲାଲା ବ୍ୟବସ୍ଥାର ସୁଯୋଗ ନେଇ ଇମ୍ତିଆଜ୍ ଭଳି ଲୋକମାନଙ୍କଠାରୁ ଅର୍ଥ ଶୋଷଣ କରିବା ସହିତ ସେମାନଙ୍କର ତଲାକ୍ପ୍ରାପ୍ତ ପତ୍ନୀ ମାନଙ୍କର ଯୌନ ଶୋଷଣ କରୁଛନ୍ତି। ଉପରବର୍ଣ୍ଣିତ ଇମ୍ତିଆଜ୍ କିମ୍ବା ସଗୁଫ୍ତା ଚରିତ୍ରମାନ ଏକ ସଦ୍ୟ ନିର୍ମିତ ଚଳଚ୍ଚିତ୍ର, ‘ମିଆଁ କଲ୍ ଆନା’ର ହୋଇଥିଲେ ହେଁ ଏହି ଚଳଚ୍ଚିତ୍ରର କାହାଣୀ ଓ ଚରିତ୍ରମାନ ସମ୍ପୂର୍ଣ୍ଣ ବାସ୍ତବତା ଉପରେ ଆଧାରିତ। ବଲିଉଡ୍ରେ ଜଣେ ନିପୁଣ କଳାତ୍ମକ ଅଭିନେତା ରୂପେ ପ୍ରସିଦ୍ଧି ଅର୍ଜନ କରିଥିବା ନଓ୍ଵାଜ୍ଜୁଦ୍ଦିନ୍ ସିଦ୍ଦିକି ହେଉଛନ୍ତି ଏହି ସଂକ୍ଷିପ୍ତ ଚଳଚ୍ଚିତ୍ରର ପ୍ରଯୋଜକ ଏବଂ ତାଙ୍କର ଭାଇ ନଓ୍ଵାବୁଦ୍ଦିନ୍ ହେଉଛନ୍ତି ଏହାର ନିର୍ଦ୍ଦେଶକ। ଚଳଚ୍ଚିତ୍ରଟି ଦେଶ ବିଦେଶରେ ଉଚ୍ଚ ପ୍ରଶଂସିତ ହୋଇ ଅନେକ ପୁରସ୍କାର ଲାଭ କରିଥିଲେ ହେଁ, ଆଶା କରାଯାଉଥିବା ଭଳି ମୌଳବାଦୀ ମୁଲ୍ଲାମାନେ ନଓ୍ଵାଜ୍ଜୁଦ୍ଦିନ୍ଙ୍କୁ ଏଥିପାଇଁ ତୀବ୍ର ସମାଲୋଚନା କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ବହୁପତ୍ନୀ ଗ୍ରହଣ ଇସଲାମ୍ ଦ୍ୱାରା ଅନୁମୋଦିତ ହୋଇଥିବା ମଧ୍ୟ ମୁଲ୍ଲାମାନଙ୍କୁ ଇମ୍ତିଆଜ୍ ଓ ସଗୁଫ୍ତାଙ୍କ ପରି ଅସୁବିଧାରେ ପଡ଼ିଥିବା ଲୋକଙ୍କର ଶୋଷଣ କରିବାରେ ସହାୟକ ହୋଇଥାଏ। ଜଣେ ବିବାହିତ ମୁଲ୍ଲା ସଗୁଫ୍ତା ଭଳି ନାରୀଙ୍କୁ ବିବାହ କରିବାରେ କୌଣସି ବାଧା ନାହିଁ। ସମାଲୋଚନାର ଉତ୍ତରରେ ନଓ୍ଵାଜ୍ଜୁଦ୍ଦିନ୍ କହିଛନ୍ତି ଯେ ମୁସଲମାନ ସମାଜରେ ମହିଳାମାନେ ନିକାହ ହଲାଲା ଯୋଗୁଁ ଭୋଗୁଥିବା ଯନ୍ତ୍ରଣା ପ୍ରତି ସଚେତନତା ସୃଷ୍ଟି କରିବା ହେଉଛି ତାଙ୍କର ଉଦ୍ଦେଶ୍ୟ।
ନଓ୍ଵାଜ୍ଜୁଦ୍ଦିନ୍ଙ୍କର ବର୍ତ୍ତମାନର ଚଳଚ୍ଚିତ୍ର ଯଦି ନାରୀମାନଙ୍କୁ ଏକ ଭୋଗ୍ୟ ବସ୍ତୁ ରୂପେ ବିଚାର କରି ନିକାହ ହଲାଲା ସେମାନଙ୍କ ପାଇଁ ସୃଷ୍ଟି କରୁଥିବା ଯନ୍ତ୍ରଣାର ଗୋଟିଏ ଦିଗ ପ୍ରଦର୍ଶିତ କରୁଥାଏ, ୨୦୧୧ରେ ଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ ଜାତୀୟ ପୁରସ୍କାର ଲାଭ କରିଥିବା ଆଞ୍ଚଳିକ ଚଳଚ୍ଚିତ୍ର ‘ବ୍ୟାରି’ ଏହି ଯନ୍ତ୍ରଣାର ଅନ୍ୟ ଏକ ଅନ୍ତରଙ୍ଗ ଦିଗ ପ୍ରଦର୍ଶିତ କରି ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଦକ୍ଷିଣ କନ୍ନଡ଼ ଅଞ୍ଚଳର ଏକ କ୍ଷୁଦ୍ର ମୁସଲମାନ ଗୋଷ୍ଠୀ ‘ବ୍ୟାରି’ର ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ନାଦିରାକୁ ଯୌବନ ପ୍ରାପ୍ତିମାତ୍ରେ ତା’ଠାରୁ ତିନିଗୁଣ ଅଧିକ ବୟସର ଜଣେ ବ୍ୟକ୍ତିଙ୍କ ସହିତ ବିବାହ କରିଦିଆଯାଇଛି। ନାଦିରାର କିଶୋର ସାଥୀ ଭଗ୍ନ ହୃଦୟ ହୋଇ ଗାଁ ଛାଡ଼ି ଚାଲିଯାଇଛି। ନାଦିରା ଭାଗ୍ୟକୁ ଆଦରି ସ୍ୱାମୀ ସନ୍ତାନ ଧରି ଚଳିବାକୁ ଶିଖୁଥିବା ବେଳେ ତାର ବାପା ଓ ସ୍ୱାମୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ୱାମୀ ତାକୁ ତଲାକ୍ ଦେଇ ଦେଇଛି। ପରବର୍ତ୍ତୀ ସମୟରେ ସ୍ୱାମୀର ମନ ପରିବର୍ତ୍ତନ ଘଟି ସେ ପୁଣି ନାଦିରାକୁ ପତ୍ନୀ ରୂପେ ଗ୍ରହଣ କରିବାକୁ ଚାହିଁଛି କିନ୍ତୁ ଏଥିପାଇଁ ନିକାହ ହଲାଲା ନିୟମ ଅନୁସାରେ ନାଦିରାକୁ ସଗୁଫ୍ତା ଭଳି ଆଉ ଜଣକ ସହିତ ବିବାହ, ସହବାସ ପରେ ତଲାକ୍ ନେବାକୁ ପଡ଼ିବ। ଏହି ସମୟରେ ନାଦିରାର ବାଲ୍ୟସାଥୀ- ପ୍ରେମିକ ଫେରି ଆସିଛି ଓ ତା’ସହିତ ନାଦିରାର ଏହି ମଧ୍ୟବର୍ତ୍ତୀ ବିବାହ କରାଯିବା ପାଇଁ ସ୍ଥିର ହୋଇଛି। କିନ୍ତୁ ନାଦିରାର ପୂର୍ବତନ ସ୍ୱାମୀଙ୍କ ନିକଟରେ ଏହି ବାଲ୍ୟସାଥୀକୁ ଶପଥ କରିବାକୁ ପଡ଼ିଛି ଯେ ସେ ବିବାହ ପରେ ନାଦିରା ସହିତ ପ୍ରକୃତରେ ଯୌନ ସମ୍ପର୍କ ସ୍ଥାପନ କରିବ ନାହିଁ କିନ୍ତୁ ତାହା ଗୁପ୍ତ ରଖିବ। ବିବାହ ପରେ ନାଦିରା ଯେତେବେଳେ ତାର ପ୍ରଥମ ପ୍ରେମିକ ସହିତ ରାତ୍ରିଯାପନ କରିଛି, ସେତେବେଳେ ତାର ଅନ୍ତର୍ନିହିତ ନାରୀତ୍ୱ କୌଣସି ଶପଥ ନମାନି ପ୍ରେମିକ ସହିତ ଦୈହିକ ସମ୍ପର୍କ ସ୍ଥାପନ କରିବାକୁ ଚାହିଁଛି। ଯୁବକ ଜଣକ ଯେତେବେଳେ କହିଛି ଯେ ଶପଥ ଭାଙ୍ଗିଲେ ସେ ଆଲ୍ଲାଙ୍କ ପାଖରେ ଦୋଷୀ ହେବ, ସେତେବେଳେ ନାଦିରା ତାକୁ ପଚାରିଛି ଯେ ତା ସହିତ ସହବାସ ନକରି ସେ ମଧ୍ୟ ଯେପରି ଆଲ୍ଲାଙ୍କ ନିୟମ ଭଙ୍ଗ କରୁଛି, ତାହା କ’ଣ ଆଲ୍ଲା ଦେଖୁନାହାନ୍ତି? ନାଦିରା ଏଠାରେ ଯେଉଁ ତୀବ୍ର ଆବେଗିକ ସଂକଟ ଓ ଯନ୍ତ୍ରଣାର ଶିକାର ହୋଇଛି, ତାହାର କାରଣ ଯେ ନିକାହ ହଲାଲା, ତାହା ଚଳଚ୍ଚିତ୍ରରେ ସୃଷ୍ଟି ହୋଇଛି।
ଏହି ଉଭୟ ବାସ୍ତବଧର୍ମୀ ଚଳଚ୍ଚିତ୍ର ଯେଉଁ ସମସ୍ୟା ଉପରେ ଆଲୋକପାତ କରିଥାନ୍ତି, ସୋମବାର ଦିନ ସୁପ୍ରିମ୍ କୋର୍ଟ ନେଇଥିବା ନିଷ୍ପତ୍ତି ତାହାର ସମାଧାନ ଦିଗରେ ଏକ ବହୁ ଅପେକ୍ଷିତ ନିଶ୍ଚିତ ପଦକ୍ଷେପ। ୨୦୧୭ରେ ତିନିତଲାକ ଉଚ୍ଛେଦ ସାଧନ କରିବା ଅବସରରେ ଅଦାଲତ ବହୁପତ୍ନୀ ଗ୍ରହଣ ଓ ନିକାହ ହଲାଲା ଉପରେ ଭବିଷ୍ୟତରେ ବିଚାର ହେବାର ଯେଉଁ ସମ୍ଭାବନା ଉନ୍ମୁକ୍ତ ରଖିଥିଲେ, ଏବେ ଏକ ପାଞ୍ଚଜଣିଆ ସମ୍ବିଧାନ ବେଞ୍ଚ୍ ତାହା ବିଚାର କରିବ ବୋଲି ନିଷ୍ପତ୍ତି ନେଇ ସେ ଦିଗରେ ଆଶାର ସଞ୍ଚାର କରିଛନ୍ତି। ଇମ୍ତିଆଜ୍, ସଗୁଫ୍ତା, ନାଦିରାଙ୍କ ଭଳି ଚରିତ୍ରମାନେ ‘ସେ କାଲି’କୁ ଅପେକ୍ଷା କରି ରହିବେ। ଆଶା, ନଓ୍ଵାଜ୍ଜୁଦ୍ଦିନଙ୍କ ଚଳଚ୍ଚିତ୍ରର ମୁଲ୍ଳାଙ୍କ ଭଳି ମାନ୍ୟବର ଅଦାଲତ ସେମାନଙ୍କୁ ହତାଶ କରିବେ ନାହିଁ।