ସ୍ୱଚ୍ଛତା ପ୍ରତି ଆହ୍ଵାନ

ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୁରୁବାର ଦିନ ଗୃହରେ ମାତ୍ର ଦୁଇଟି ବାକ୍ୟର ଏକ ବିବୃତ୍ତି ଦେବା ପରେ ଲୋକାୟୁକ୍ତ ପ୍ରସଙ୍ଗରେ ଗତ ତିନିଦିନ ଧରି ବିଧାନସଭାରେ ଲାଗି ରହିଥିବା ଅଚଳାବସ୍ଥାର ଅବସାନ ଘଟିଛି। ମନ୍ତ୍ରୀ ମହୋଦୟଙ୍କ ସଂକ୍ଷିପ୍ତ ବୟାନ ଗୃହରେ ସ୍ୱାଭାବିକତା ପୁନଃବାହାଲ ସକାଶେ ରାଜି ହୋଇଥିବା ବିରୋଧୀ ପକ୍ଷଙ୍କୁ ହୁଏ’ତ ସନ୍ତୁଷ୍ଟ କରିଥାଇପାରେ। କିନ୍ତୁ ଏ ପ୍ରସଙ୍ଗରେ ଉଠିଥିବା ଦୁଇଟି ମୌଳିକ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ରାଜ୍ୟବାସୀଙ୍କୁ ମିଳି ପାରିନାହିଁ। ଏକ ଉଜ୍ଜ୍ୱଳ କୀର୍ତ୍ତିମାନ ବିଧେୟକ ଭାବେ ଗତ ଚତୁର୍ଦ୍ଦଶ ବିଧାନସଭାରେ ଗୃହୀତ ଲୋକାୟୁକ୍ତ ଆଇନ- ୨୦୧୪ ନେଇ ତିନି ଦିନ ଧରି ବିରୋଧୀ ପକ୍ଷ ଉଠାଇଥିବା ଦୁଇଟି ମୌଳିକ ପ୍ରଶ୍ନ ଥିଲା (୧) ଆଇନର କାର୍ଯ୍ୟକାରିତାରେ ବିଳମ୍ବର କାରଣ କ’ଣ? (୨) ଆଇନକୁ କାର୍ଯ୍ୟକାରୀ କରି କେବେ ସୁଦ୍ଧା ଲୋକାୟୁକ୍ତ ଗଠନ ହେବ? ବିରୋଧୀ ପକ୍ଷଙ୍କ ଏହି ପ୍ରଶ୍ନ ଆଦୌ ଅବାନ୍ତର ନୁହେଁ। ସଂସଦରେ ଗୃହୀତ ଲୋକପାଳ-ଲୋକାୟୁକ୍ତ ଆଇନକୁ ରାଷ୍ଟ୍ରପତି ଅନୁମୋଦନ ଦେବାର ୪୩ ଦିନ ଭିତରେ ଓଡ଼ିଶା ବିଧାନସଭା କେନ୍ଦ୍ରୀୟ ଆଇନର ଢାଞ୍ଚାରେ ଲୋକାୟୁକ୍ତ ବିଲ୍‌- ୨୦୧୪ ପାସ୍‌ କରି ସାରା ଦେଶରେ ଏକ ଉଦାହରଣ ସୃଷ୍ଟି କରିଥିଲା। ଲୋକପାଳ, ଲୋକାୟୁକ୍ତ ଆଇନର ୬୩ ଧାରାର ବ୍ୟବସ୍ଥା ଅନୁଯାୟୀ ଲୋକାୟୁକ୍ତ ଗଠନ ଲାଗି ଆଇନ ପ୍ରଣୟନରେ ସମଗ୍ର ଦେଶରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ। ଉଲ୍ଲେଖନୀୟ ହେଲା ଚତୁର୍ଦ୍ଦଶ ବିଧାନସଭାର ଅନ୍ତିମ ଅଧିବେଶନର ଶେଷ ଦିବସରେ ବିରଳ ରାଜନୈତିକ ସହମତିର ନିଦର୍ଶନ ସ୍ୱରୂପ ଲୋକାୟୁକ୍ତ ବିଲ୍‌ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।

ତେବେ ବିଡ଼ମ୍ବନାର ବିଷୟ ହେଲା, କେନ୍ଦ୍ରୀୟ ଆଇନ ଢାଞ୍ଚାରେ ଦୁର୍ନୀତି ନିବାରଣ, ଶାସନ ଓ ସାଧାରଣ ଜୀବନରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ପ୍ରଥମେ ଆଇନ ପ୍ରଣୟନ କରି ଉଦାହରଣ ସୃଷ୍ଟି କରିଥିବା ଓଡ଼ିଶା ଏବେ ସେହି ଆଇନକୁ କାର୍ଯ୍ୟକାରୀ କରିବାରେ ପଛରେ ପଡ଼ିଯାଇଛି। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୨ଟି ରାଜ୍ୟ କେନ୍ଦ୍ରୀୟ ଲୋକପାଳ- ଲୋକାୟୁକ୍ତ ଆଇନ ଢାଞ୍ଚାରେ ଆଇନ ପ୍ରଣୟନ କରି ସାରିଛନ୍ତି। ସେଥିମଧ୍ୟରୁ କିନ୍ତୁ ୧୨ଟି ରାଜ୍ୟରେ ଆଇନ କାର୍ଯ୍ୟକାରୀ ହୋଇ ନାହିଁ କି ଲୋକାୟୁକ୍ତ ନିଯୁକ୍ତି ହୋଇପାରି ନାହିଁ। ଏହି ଖିଲାପି ୧୨ଟି ରାଜ୍ୟ ଭିତରେ ଓଡ଼ିଶା ରହିଛି। ସଂସଦରେ ଗୃହୀତ ଲୋକପାଳ, ଲୋକାୟୁକ୍ତ ଆଇନର ୬୩ ଧାରାରେ ପ୍ରତ୍ୟେକ ରାଜ୍ୟରେ ଲୋକାୟୁକ୍ତ ଗଠନର ବ୍ୟବସ୍ଥା ରହିଛି। ଗତ ୨୩ ତାରିଖ ଦିନ ମାନ୍ୟବର ସୁପ୍ରିମ୍‌ କୋର୍ଟ ବିଭିନ୍ନ ରାଜ୍ୟରେ ଲୋକାୟୁକ୍ତ ଆଇନର କାର୍ଯ୍ୟକାରିତାର ବିଳମ୍ବ ନେଇ ଆଗତ ଏକ ମାମଲାରେ ଓଡ଼ିଶା ଓ ଅନ୍ୟ ଏଗାରଟି ଖିଲାପି ରାଜ୍ୟଙ୍କ ଉପରେ ନୋଟିସ ଜାରି କରିଛନ୍ତି। ଆଇନର କାର୍ଯ୍ୟକାରିତା ଲାଗି କ’ଣ ପଦକ୍ଷେପ ନିଆଯାଇଛି? ଲୋକାୟୁକ୍ତ ଗଠନ ଲାଗି କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇଛି କି? ଆଦି ପ୍ରଶ୍ନ ଉପରେ ସର୍ବୋଚ୍ଚ ଅଦାଲତ ରାଜ୍ୟମାନଙ୍କଠାରୁ କୈଫିୟତ୍‌ ତଲବ କରିଛନ୍ତି।

ମାତ୍ର ସପ୍ତାହକ ତଳେ ମାନ୍ୟବର ସୁପ୍ରିମ୍‌ କୋର୍ଟ ଜାରି କରିଥିବା ଏହି ନୋଟିସ୍‌କୁ ଆଳ କରି ସରକାର ବିରୋଧୀଙ୍କ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି। ସରକାରଙ୍କ ବକ୍ତବ୍ୟ ହେଲା, ମାମଲା ସୁପ୍ରିମ୍‌କୋର୍ଟଙ୍କ ବିଚାରାଧୀନ ରହିଛି। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶର ତର୍ଜମା ପରେ ବିହିତ ପଦକ୍ଷେପ ନିଆଯିବ। ତେବେ ପ୍ରସଙ୍ଗକୁ ସରକାର ଯେତେ ସରଳ ଭାବେ ଉପସ୍ଥାପନ କରୁଛନ୍ତି, ତାହା ସେତେ ସରଳ ନୁହେଁ। ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ମାତ୍ର ସାତ ଦିନ ତଳେ ସିନା ସୁପ୍ରିମ୍‌ କୋର୍ଟ ନୋଟିସ୍‌ ଜାରି କଲେ, ତା’ ପୂର୍ବରୁ ଦୀର୍ଘ ସାଢ଼େ ତିନିବର୍ଷ ଭିତରେ ଆଇନକୁ କାର୍ଯ୍ୟକାରୀ କରିବା ଲାଗି କ’ଣ ପଦକ୍ଷେପ ନିଆଯାଇଛି? ସମ୍ଭବତଃ ସରକାରଙ୍କ ପାଖରେ ଏହାର କୌଣସି ଉତ୍ତର ନାହିଁ। ସେଥିପାଇଁ ସୁପ୍ରିମ୍‌ କୋର୍ଟଙ୍କ ନୋଟିସକୁ ଆତ୍ମରକ୍ଷାର ଢାଲ ଭାବେ ବ୍ୟବହାର କରାଯାଇଛି। ଅବଶ୍ୟ, ଦୁର୍ନୀତି ପ୍ରସଙ୍ଗରେ ଓଡ଼ିଶାରେ ଲୋକାୟୁକ୍ତ ଆଇନ- ୨୦୧୪ର ବିଳମ୍ବିତ ଭାଗ୍ୟ ଏକ ବ୍ୟତିକ୍ରମ ନୁହେଁ। ୧୯୭୧ରେ ଦୁର୍ନୀତି ବିରୋଧରେ ଏକ ସାମ୍ବିଧାନିକ ସଂସ୍ଥା ଲୋକପାଳ ଗଠନ ଲାଗି ଆଇନ ପ୍ରଣୟନରେ ଓଡ଼ିଶା ଥିଲା ଦେଶର ପ୍ରଥମ ରାଜ୍ୟ। କିନ୍ତୁ ବର୍ତ୍ତମାନ ଯେମିତି ସାଢ଼େ ତିନି ବର୍ଷ ଧରି ଲୋକାୟୁକ୍ତ ଆଇନର କାର୍ଯ୍ୟକାରିତା କ୍ଷେତ୍ରରେ ଅନିଶ୍ଚିତତା ଲାଗି ରହିଛି, ସେତେବେଳେ ମଧ୍ୟ ଲୋକପାଳ ଆଇନର କାର୍ଯ୍ୟକାରିତା ଲାଗି ନିୟମାବଳୀ ପ୍ରଣୟନର ବିଳମ୍ବ ଯୋଗୁଁ ତେର ବର୍ଷ କାଳ ଏହା ଶୀତଳଭଣ୍ଡାରରେ ପଡ଼ି ରହିଲା। ଶେଷରେ ୧୯୮୪ରେ ଯାଇ ଲୋକପାଳ ଆଇନ-୧୯୭୧ କାର୍ଯ୍ୟକାରୀ ହେଲା।

କିନ୍ତୁ ଛଅ ବର୍ଷ ପରେ ୧୯୯୦ରେ ବିଜୁ ପଟ୍ଟନାୟକଙ୍କ ସରକାର ଏହି ଆଇନକୁ ରଦ୍ଦ କରି ଦେଇଥିଲେ। ପରେ ୧୯୯୫ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କ ଅମଳରେ ଲୋକପାଳ ଆଇନ ପୁନର୍ବାର କାର୍ଯ୍ୟକାରୀ ହୋଇଥିଲା। ଅବଶ୍ୟ, ଲୋକାୟୁକ୍ତ ଆଇନ- ୨୦୧୪ ହେଉଛି ପୂର୍ବବର୍ତ୍ତୀ ଲୋକପାଳ ଆଇନ- ୧୯୯୫ର ଏକ ଉନ୍ନତ ସଂସ୍କରଣ। ପୁରୁଣା ବ୍ୟବସ୍ଥାରେ ଲୋକପାଳଙ୍କୁ ଯେତିକି କ୍ଷମତା ଦିଆଯାଇଥିଲା, ନୂଆ ଆଇନରେ ଲୋକାୟୁକ୍ତଙ୍କୁ ତା’ ଅପେକ୍ଷା ଅଧିକ କ୍ଷମତା ପ୍ରଦାନ କରାଯାଇଛି। ଲୋକପାଳ ଆଇନ- ୧୯୭୧ର କାର୍ଯ୍ୟକାରିତାରେ ବିଳମ୍ବ କିମ୍ବା କେନ୍ଦ୍ରରେ ଚଳିତ ମୋଦୀ ସରକାରଙ୍କ ଦ୍ୱାରା ଲୋକପାଳ ଗଠନରେ ଟାଳଟୁଳ ନୀତିକୁ ଦର୍ଶାଇ ରାଜ୍ୟ ସରକାର ଲୋକାୟୁକ୍ତ ଆଇନ-୨୦୧୪ର କାର୍ଯ୍ୟକାରିତାରେ ଅହେତୁକ ବିଳମ୍ବକୁ ଯଥାର୍ଥ ସାବ୍ୟସ୍ତ କରି ପାରିବେ ନାହିଁ। ଯେଉଁ ତତ୍ପରତାର ସହ ଦୁର୍ନୀତିର ମୁକାବିଲା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ୱରୂପ ଲୋକାୟୁକ୍ତ ଆଇନ-୨୦୧୪ ପ୍ରଣୟନ ହେଲା, ଆଇନକୁ କାର୍ଯ୍ୟକାରୀ କରିବାରେ ସେହି ତତ୍ପରତାର ଅଭାବ ଦେଖାଯାଉଛି। ଏହା ସ୍ୱାଭାବିକ ଭାବେ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ଶାସନ ପ୍ରତି ସରକାରଙ୍କ ନିଷ୍ଠା ଓ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସାଧାରଣ ଜୀବନରେ ସ୍ୱଚ୍ଛତା, ସାଧୁତା ଏବଂ ଭ୍ରଷ୍ଟାଚାର ମୁକ୍ତ ସମ୍ବେଦନଶୀଳ ଶାସନ ଉପରେ ସର୍ବଦା ସର୍ବାଧିକ ଗୁରୁତ୍ୱ ଦେଇ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ନିଶ୍ଚିତ ଭାବେ ଏ ପ୍ରକାର ପ୍ରଶ୍ନ ବେଶ୍‌ ଅଡୁଆ ଏବଂ ଅସ୍ୱସ୍ତିକର।

ଏହାକୁ ଏଡ଼ାଇବା ଲାଗି ଲୋକାୟୁକ୍ତ ଆଇନର କାର୍ଯ୍ୟକାରିତା ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ଲାଗି ସରକାର ବିହିତ ପଦକ୍ଷେପ ନେବେ ବୋଲି ଆଶା କରାଯାଏ। ପୁଣି କେନ୍ଦ୍ରରେ ମୋଦୀ ସରକାର ଲୋକପାଳ ଆଇନକୁ ଦୁର୍ବଳ କରିବା ଲାଗି ଯେମିତି ଯୋଜନା କରୁଛନ୍ତି, ସେହି ଢାଞ୍ଚାରେ ରାଜ୍ୟରେ ଯଦି କୌଣସି ଅନୁରୂପ ପ୍ରୟାସ ହୁଏ, ତେବେ ରାଜନୈତିକ ଦୃଷ୍ଟିରୁ ତାହା ମହଙ୍ଗା ପଡ଼ିବା ଆଶଙ୍କାକୁ ଅସ୍ୱୀକାର କରାଯାଇ ନପାରେ। ସ୍ୱଚ୍ଛତା ପ୍ରସଙ୍ଗରେ ନିଜକୁ ଅନ୍ୟଠାରୁ ‘ଭିନ୍ନ’ ବୋଲି ପରିଚୟକୁ ବଜାୟ ରଖିବା ଲାଗି ଆଉ କୌଣସି କାଳକ୍ଷେପଣ ନୀତି ଅପେକ୍ଷିତ ନୁହେଁ। ଉଭୟ ଭାବନା ଓ ଅକ୍ଷର ଅନୁଯାୟୀ ଲୋକାୟୁକ୍ତ ଆଇନ-୨୦୧୪ର କାର୍ଯ୍ୟକାରିତା ଲାଗି ସମୟାବଦ୍ଧ ପଦକ୍ଷେପ ନିଆଯିବା ଆବଶ୍ୟକ। ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ନୋଟିସ ଉପରେ ରାଜ୍ୟ ସରକାର ଯେଉଁ ଉତ୍ତର ରଖିବେ, ସେଥିରେ ଆଇନର କାର୍ଯ୍ୟକାରିତା ନେଇ ସମ୍ପୂର୍ଣ୍ଣ ନକ୍ସାର ଏକ ସ୍ପଷ୍ଟ ରୂପରେଖ ମିଳିବ ବୋଲି ଆଶା କରାଯାଏ। ଏହା ଶାସକ ଦଳ ଓ ସରକାରଙ୍କ ସ୍ୱଚ୍ଛତା ସ୍ଲୋଗାନର ବିଶ୍ୱସନୀୟତା ପ୍ରତି ଏକ ଆହ୍ଵାନ।

ସମ୍ବନ୍ଧିତ ଖବର