ଓ୍ଵାଇନ୍‌ଷ୍ଟାଇନ୍‌ ମୁହୂର୍ତ୍ତ

ଭାରତରେ ମହିଳା ଓକିଲଙ୍କଠାରୁ ମହିଳା ବିଚାରପତିମାନଙ୍କ ପର୍ଯ୍ୟନ୍ତ ସେମାନଙ୍କର ଉପରିସ୍ଥ ପୁରୁଷ ବିଚାରପତିମାନଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ଶିକାର ହେବା ଅଭିଯୋଗ ଆଦୌ ବିରଳ ନୁହେଁ। କିନ୍ତୁ ଏଥିପାଇଁ କୌଣସି ପୁରୁଷ ବିଚାରପତି କେବେ ହେଲେ ଦଣ୍ଡିତ ହେବା ଦେଖାଯାଇ ନାହିଁ। ଅତୀତରେ ସୁପ୍ରିମ୍‌କୋର୍ଟ ବିଚାରପତି ଅଶୋକ କୁମାର ଗାଙ୍ଗୁଲିଙ୍କ ବିରୋଧରେ ଜଣେ ଆଇନ ଛାତ୍ରୀ ଯୌନ ଶୋଷଣ ଅଭିଯୋଗ ଆଣିବା ଯେଉଁ ଭଳି ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ଅନ୍ୟ ଜଣେ ଯୁବତୀ ଆଇନ ଶିକ୍ଷାନବିିସ (ଇଣ୍ଟର୍ନ) ଅନ୍ୟ ଜଣେ ପୂର୍ବତନ ସୁପ୍ରିମ୍‌ କୋର୍ଟ ବିଚାରପତି ତଥା ବର୍ତ୍ତମାନ ‘ନେସ୍‌ନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌’ର ଅଧ୍ୟକ୍ଷ ଜଷ୍ଟିସ୍‌ ସ୍ୱତନ୍ତ୍ର କୁମାରଙ୍କ ବିରୁଦ୍ଧରେ ଆଣିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗ ସେଇଭଳି ଦେଶବ୍ୟାପୀ୍ର ଆଲୋଡ଼ନ ସୃଷ୍ଟି କରିଥିଲା।

ସେହିପରି ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌କେ ଗାଙ୍ଗେଲେଙ୍କ ବିରୁଦ୍ଧରେ ଯେଉଁ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସି ଘୋର ହୈ ଚୈ ସୃଷ୍ଟି କରିଥିଲା ତାହା ଆହୁରି ଗୁରୁତର ଥିଲା। ତାଙ୍କର ଉତ୍ପୀଡ଼ନର ଶିକାର ଥିଲେ ଖୋଦ୍‌ ଆଉ ଜଣେ ବିଚାରପତି। ପରିସ୍ଥିତି ଏଭଳି ହୋଇଥିଲା ଗୋଆଲିଅର୍‌ ଡିଷ୍ଟ୍ରିକ୍ଟ କୋର୍ଟରେ ବିଚାରପତି ଥିବା ଅଭିଯୋଗକାରିଣୀ ଆଉ ଦହଗଞ୍ଜ ସମ୍ଭାଳି ନ ପାରି ନିଜ ଚାକିରିରୁ ଇସ୍ତଫା ଦେଇଥିଲେ ଓ ପରେ ସୁପ୍ରିମ୍‌କୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତିଙ୍କୁ ପତ୍ର ମାଧ୍ୟମରେ ଏ ସମ୍ବନ୍ଧରେ ଅବଗତ କରାଇଥିଲେ। ସେ କାହିଁକି ଉତ୍ପୀଡ଼ନ ଘଟୁଥିବା ସମୟରେ ନିରବ ରହିଥିଲେ ବୋଲି ପ୍ରଶ୍ନ କରି ଏକ ତିନିଜଣିଆ ନ୍ୟାୟିକ ଅନୁସନ୍ଧାନ କମିଟି ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେବା ପରେ ବିଶିଷ୍ଟ ନାରୀବାଦୀ ସୁପ୍ରିମ୍‌କୋର୍ଟ ଓକିଲ ଇନ୍ଦିରା ଜୟସିଂହ ଟ୍ଵିଟର୍‌ ମାଧ୍ୟମରେ ବ୍ୟଙ୍ଗ କରି କହିଥିଲେ, ‘‘ଓ୍ଵାଇନ୍‌ଷ୍ଟାଇନ୍‌ ମୁହୂର୍ତ୍ତ ଭାରତ କଡ଼ ଦେଇ ନିଃଶବ୍ଦରେ ଚାଲିଗଲା।’’ (ହଲିଉଡ୍‌ର କ୍ଷମତାଶାଳୀ ଚଳଚ୍ଚିତ୍ର ନିର୍ମାତା ହାର୍ଭି ଓ୍ଵାଇନ୍‌ଷ୍ଟାଇନ୍‌ କରିଥିବା ଯୌନ ଉତ୍ପୀଡ଼ନ କେଳେଙ୍କାରୀମାନ ପ୍ରଘଟ ହୋଇ ସେ ବିଶ୍ୱବ୍ୟାପୀ ନିନ୍ଦିତ ହେବା ଏବଂ ତାର ପ୍ରତିକ୍ରିୟାରେ ଯୌନ ଉତ୍ପୀଡ଼ିତା ମହିଳାମାନେ ଆରମ୍ଭ କରିଥିବା ପୃଥିବୀ ବ୍ୟାପୀ ‘‘ମି ଟ୍ଟୁ’’ ଓ ‘‘ଟାଇମ୍‌ସ ଅପ୍‌’’ ଆନ୍ଦୋଳନ ପରିପ୍ରେକ୍ଷୀରେ ସୁଶ୍ରୀ ଜୟସିଂହ ଏହି ମନ୍ତବ୍ୟ ପ୍ରଦାନ କରିଥିଲେ।)

ବର୍ତ୍ତମାନ କେନ୍ଦ୍ର ସରକାର ଆଉ ଏକ ଅନୁରୂପ ଓ୍ଵାଇନ୍‌ଷ୍ଟାଇନ୍‌ ମୁହୂର୍ତ୍ତକୁ ଖସିଯିବାକୁ ନ ଦେବା ପାଇଁ ଯେତେବେଳେ ଅଣ୍ଟା ଭିଡ଼ିବାକୁ ସାହସ କରିଛନ୍ତି, ଦୁର୍ଭାଗ୍ୟଜନକ ଭାବରେ ଦେଶର ସର୍ବୋଚ୍ଚ ନ୍ୟାୟପାଳିକା ଓ ଏହାର ଜଣେ ଅଗ୍ରଣୀ ସଦସ୍ୟ ପୁଣି ଏହାକୁ ପୂର୍ବ ଭଳି ନିଃଶବ୍ଦରେ ଖସାଇଦେବାକୁ ଉଦ୍ୟମ କରିବା ଦେଖାଦେଇଛି। ଏଥର ମଧ୍ୟ ଅଭିଯୋଗକାରିଣୀ ହେଉଛନ୍ତି କର୍ଣ୍ଣାଟକର ଜଣେ ମହିଳା ବିଚାରପତି ଯିଏ ସେଠାକାର ଜଣେ ଜିଲ୍ଲାଜଜ୍‌ ପି.କୃଷ୍ଣାଭଟ୍‌ଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ନ୍ୟାୟମୂର୍ତ୍ତିମାନଙ୍କ ଦ୍ୱାରା ଉପରବର୍ଣ୍ଣିତ ଯୌନ ଉତ୍ପୀଡ଼ନ ଘଟଣାମାନ ପୃଷ୍ଠଭୂମିରେ ଏଭଳି ଆଉ ଏକ ଅଭିଯୋଗକୁ ଯେ ହାଲୁକା ଭାବରେ ନେଇ ହେବ ନାହିଁ, ଦେଶର ନ୍ୟାୟପାଳିକାର ପବିତ୍ରତାକୁ ସୁରକ୍ଷିତ ରଖିବା ପାଇଁ ଆଗ୍ରହୀ ଯେକୌଣସି ବ୍ୟକ୍ତି ଏଥିରେ ଏକମତ ହେବ। ଘଟଣାକ୍ରମେ ସମ୍ପୃକ୍ତ ବିଚାରପତି ଭଟ୍ଟଙ୍କ ନାମ ପଦୋନ୍ନତି ପାଇ ହାଇକୋର୍ଟ ବିଚାରପତି ପଦ ଅଳଙ୍କୃତ କରିବା ପାଇଁ ସୁପାରିସ ହୋଇଛି। ପୀଡ଼ିତା ମହିଳା ବିଚାରପତି ୨୦୧୬ ଜୁନ୍‌ ୩ ତାରିଖରେ ଭାରତର ପ୍ରଧାନ ବିଚାରପତିଙ୍କୁ ପତ୍ର ଲେଖି ନିଜର ଅଭିଯୋଗ ଜଣାଇଥିଲେ ଏବଂ ସେଇ ବର୍ଷ ଡିସେମ୍ବର ୧୪ରେ ସ୍ୱାକ୍ଷରିତ ଏକ ପ୍ରାପ୍ତିସ୍ୱୀକାର ରସିଦ ଡାକ ଯୋଗେ ପାଇଥିଲେ। ସେ ଅଭିଯୋଗ ପତ୍ରରେ ପୀଡ଼ିତା ତାଙ୍କର ଦୁର୍ଦଶାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଥିଲେ। ଏହା ଅନୁସାରେ ସେ ଯେତେବେଳେ ବେଲ୍‌ଗାଓଁର ଜିଲ୍ଲା ଜଜ୍‌ ଥିବା ପି କେ ଭଟ୍ଟଙ୍କର ଅଧସ୍ତନ ଥିଲେ, ସେତେବେଳେ ୨୦୧୪ ଫେବ୍ରୁଆରିରୁ ୨୦୧୪ ଅକ୍ଟୋବର୍‌ ମଧ୍ୟରେ ଚାରିଥର ପୃଥକ୍‌ ପୃଥକ୍‌ ଘଟଣାରେ ଭଟ୍ଟ ତାଙ୍କୁ ରାତ୍ରିର ବିଳମ୍ବିତ ପ୍ରହରରେ ନିଜର ବାସଭବନକୁ ଆସି ଦୀର୍ଘ ସମୟ ଉପସ୍ଥିତ ରହିବାକୁ ବାଧ୍ୟ କରିଥିଲେ। ଅଭିଯୋଗକାରିଣୀ କହିଛନ୍ତି ଯେ ସେ ଜାଣିବାରେ ତାଙ୍କ ଅଭିଯୋଗ ଭିତ୍ତିରେ କୌଣସି ଅନୁସନ୍ଧାନ କରାଯାଇନାହିଁ, କାରଣ ତାଙ୍କୁ କେହି ହେଲେ ଏ ନେଇ ସାକ୍ଷ୍ୟପ୍ରମାଣ ପ୍ରଦାନ କରିବାକୁ କହିନାହିଁ।

ଅପରପକ୍ଷେ ସୁପ୍ରିମ୍‌ କୋର୍ଟଙ୍କ କଲେଜିଅମ୍‌ ପି କେ ଭଟ୍ଟଙ୍କୁ ହାଇକୋର୍ଟ ବିଚାରପତି ରୂପେ ପଦୋନ୍ନତି ଦିଆଯିବା ପାଇଁ ସରକାରଙ୍କ ନିକଟକୁ ଦୁଇ ଦୁଇଥର ସୁପାରିସ ପଠାଇଛନ୍ତି। ସରକାର ସୁପାରିସଟିକୁ ପ୍ରଥମ ଥର ଫେରାଇ ଦେବା ପରେ କଲେଜିଅମ୍‌ ଯେତେବେଳେ ଦ୍ୱିତୀୟଥର ଏହାକୁ ପୁଣି ସରକାରଙ୍କ ନିକଟକୁ ପଠାଇଲେ ଏବଂ ସରକାର ଏହାକୁ ପୁଣି ଫେରାଇଦେଲେ, ଅଭିଯୋଗକାରିଣୀ ସିଧାସଳଖ ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପତ୍ର ଲେଖି ନିଜର ଅଭିଯୋଗ ଜଣାଇଲେ। ଅତଏବ ସରକାରଙ୍କ ଆଇନ ମନ୍ତ୍ରଣାଳୟ କର୍ଣ୍ଣାଟକ ହାଇକୋର୍ଟଙ୍କର ରେଜିଷ୍ଟ୍ରାର୍‌ଙ୍କୁ ପତ୍ର ଲେଖି ଅଭିଯୋଗର ଅନୁସନ୍ଧାନ କରିବା ପାଇଁ ଜଣାଇଲେ, ସିଧାସଳଖ ସେଠାକାର ମୁଖ୍ୟ ବିଚାରପତିଙ୍କୁ ନୁହେଁ। ଏହାକୁ ଆଳ କରି ସୁପ୍ରିମ୍‌ କୋର୍ଟର ବରିଷ୍ଠ ବିଚାରପତି ଜେ(ଜଷ୍ଟି) ଚେଲମେଶ୍ୱର ସୁପ୍ରିମ୍‌ କୋର୍ଟର ସମସ୍ତ ବିଚାରପତିମାନଙ୍କୁ ପତ୍ର ଲେଖି ଏହାକୁ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ସରକାରଙ୍କର ହସ୍ତକ୍ଷେପ ଏବଂ ସ୍ୱାଧୀନ ନ୍ୟାୟପାଳିକାର ମୃତ୍ୟୁର ସଂକେତ ରୂପେ ଚିତ୍ରିତ କରି ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି।

ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଯାହା ସତ ତାହା ହେଲା ପି କେ ଭଟ୍ଟଙ୍କୁ ପଦୋନ୍ନତି ଦେବା ପାଇଁ ସୁପାରିସ କରି ସୁପ୍ରିମ୍‌ କୋର୍ଟର କଲେଜିଅମ୍‌ ଖୋଦ୍‌ ସେଇ ସୁପ୍ରିମ୍‌ କୋର୍ଟ ପ୍ରଣୟନ କରିଥିବା କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ସମ୍ବନ୍ଧୀୟ ଏକ ଯୁଗାନ୍ତକାରୀ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରିଛନ୍ତି। ‘ବିଶାଖା ଗାଇଡ୍‌ଲାଇନ୍‌’ ନାମରେ ପରିଚିତ ଏହି ନିର୍ଦ୍ଦେଶାବଳୀ ଅନୁସାରେ ଜଣେ ମହିଳା ଜଜ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଯୌନ ନିର୍ଯାତନା କମିଟି ସମ୍ପୃକ୍ତ ମହିଳା ବିଚାରପତିଙ୍କ ଅଭିଯୋଗର ଅନୁସନ୍ଧାନ କରିବା କଥା ଏବଂ କମିଟି ଅଭିଯୋଗକାରିଣୀଙ୍କୁ ନିଜର ବକ୍ତବ୍ୟ ଉପସ୍ଥାପନ କରିବା ପାଇଁ ସୁଯୋଗ ଦେବା କଥା। କଲେଜିଅମ୍‌ କିନ୍ତୁ ଏହି ପଦ୍ଧତି ଅନୁସରଣ ନକରି କୁଆଡ଼େ ଗୁପ୍ତ ଅନୁସନ୍ଧାନ ଦ୍ୱାରା ସନ୍ତୁଷ୍ଟ ହୋଇଛନ୍ତି ଯେ ଅଭିଯୋଗ ହେଉଛି ମିଥ୍ୟା। ଏହି ‘ବିଶାଖା’ ଉଲ୍ଲଂଘନ କାରଣରୁ ହିଁ ସରକାର ଦୁଇଥର ଭଟ୍ଟଙ୍କ ପଦୋନ୍ନତି ସୁପାରିସକୁ ଫେରାଇ ତାଙ୍କର ପଦୋନ୍ନତିକୁ ଅଟକାଇ ରଖିଛନ୍ତି। ନିଜକୁ ଜଣେ ନିର୍ଭୀକ ସ୍ୱାଧୀନଚେତା ନ୍ୟାୟମୂର୍ତ୍ତି ରୂପେ ପ୍ରଦର୍ଶିତ କରିବାକୁ ସର୍ବଦା ଉଦ୍ୟମ କରିଚାଲିଥିବା ମାନ୍ୟବର ନ୍ୟାୟମୂର୍ତ୍ତି ଚେଲମେଶ୍ୱର ହୃଦୟଙ୍ଗମ କରିବା କଥା ଯେ ସରକାର ଅନ୍ତତଃ ଏହି ଗୁରୁତ୍ୱପୂର୍ଣ୍ଣ ଓ୍ଵାଇନ୍‌ଷ୍ଟାଇନ୍‌ ମୁହୂର୍ତ୍ତକୁ ହାତଛଡ଼ା ନକରିବାକୁ ଯାଇ ନାରୀମାନଙ୍କ ପାଇଁ ନ୍ୟାୟୋଚିତ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର