ମିଥ୍ୟାଭିଯୋଗ

ଗତ ଜାନୁଆରି ୧୨ ତାରିଖ ଦିନ ସୁପ୍ରିମ୍‌ କୋର୍ଟର ଚାରିଜଣ ବରିଷ୍ଠ ବିଚାରପତି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁଖ୍ୟ ବିଚାରପତିଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରି ଯେଉଁ ବିଚାର ବିଭ୍ରାଟ ପ୍ରଦର୍ଶନ କରିଥିଲେ, ତାହାର ଏକ ସିଧାସଳଖ ବିପଜ୍ଜନକ କୁପରିଣାମ ବର୍ତ୍ତମାନ ଆତ୍ମପ୍ରକାଶ କରିଛି। ଭାରତର ନ୍ୟାୟିକ ଇତିହାସରେ ଉପରୋକ୍ତ ସାମ୍ବାଦିକ ସମ୍ମିଳନୀ ଯେଉଁ ଭଳି ପ୍ରଥମ ସେପରି ଘଟଣା ଥିଲା, ସେହିପରି ଇତିହାସରେ ପ୍ରଥମ କରି ଦେଶର ମୁଖ୍ୟ ବିଚାରପତିଙ୍କ ବିରୁଦ୍ଧରେ ମହାଭିଯୋଗ ଆଗତ କରାଯିବା ପାଇଁ ଏକ ଉଦ୍ୟମ ଆରମ୍ଭ ହୋଇଛି। ଆଉ ଏହି ଅଭିଯୋଗକାରୀମାନେ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଚିଠା ପ୍ରସ୍ତୁତ କରିଛନ୍ତି, ତାହା ମୂଳରେ ରହିଛି ବିଚାରପତିବୃନ୍ଦ ଜେ. ଚେଲମେଶ୍ୱର, ରଞ୍ଜନ ଗୋଗୋଇ, ମଦନ ବି. ଲୋକୁର ଓ କୁରିଆନ୍‌ ଜୋସେଫ୍‌ ସେଦିନ ମୁଖ୍ୟ ବିଚାରପତିଙ୍କ ବିରୁଦ୍ଧରେ ଆଗତ କରିଥିବା ଅଭିଯୋଗ ମାନ। ସେଦିନର ବିଦ୍ରୋହ ଯେ ବର୍ତ୍ତମାନର ମହାଭିଯୋଗ ଅଭିଯାନ ପାଇଁ ବନ୍ଧୁକର ଘୋଡ଼ିଆ ସଦୃଶ କାର୍ଯ୍ୟ କରିଛି, ଏଥିରେ କୌଣସି ସନ୍ଦେହ ନାହିଁ। କେବଳ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଗରିମା ନୁହେଁ, ସମଗ୍ର ନ୍ୟାୟ ବ୍ୟବସ୍ଥାର ବିଶ୍ୱସନୀୟତା ଧ୍ୱଂସ କରି ଦେଶରେ ଅରାଜକତା ସୃଷ୍ଟି ଦିଗରେ ଏହା ହେଉଛି ଏକ ନିଶ୍ଚିତ ପଦକ୍ଷେପ।

ଏହି ସର୍ବନାଶୀ ଅଭିଯାନର ନେତୃତ୍ୱ ନେଇଥିବା କଂଗ୍ରେସ ଦଳ ଯେଉଁ ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେଇଛି ତାହା ପ୍ରକୃତରେ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କୁ ତାଙ୍କର କୌଣସି ସାବ୍ୟସ୍ତ ହୋଇଥିବା ଅପରାଧ ପାଇଁ ଦଣ୍ଡ ଦେବାକୁ ନୁହେଁ କିମ୍ବା ଅନ୍ୟ କୌଣସି ବୃହତ୍ତର ଜାତୀୟ ସ୍ୱାର୍ଥ ହାସଲ ପାଇଁ ନୁହେଁ। କେବଳ ଏକ ସଂକୀର୍ଣ୍ଣ ରାଜନୈତିକ ସୁବିଧା ହାସଲ ହୋଇପାରେ ବୋଲି କଳ୍ପନା କରି କଂଗ୍ରେସ ଓ ତାର ଗୋଡ଼ାଣିଆ ଅନ୍ୟ କେତେକ ଦଳ ଉପରୋକ୍ତ ମହାଭିଯୋଗ ପ୍ରସ୍ତାବକୁ ଏକ ଆୟୁଧ ରୂପେ ପ୍ରୟୋଗ କରିବା ପାଇଁ ଚେଷ୍ଟା କରୁଛନ୍ତି। ସେମାନେ ଭଲ ରୂପେ ଜାଣନ୍ତି ଯେ ସେମାନେ ମହାଭିଯୋଗ ମାଧ୍ୟମରେ ମୁଖ୍ୟ ବିଚାରପତିଙ୍କୁ ବିତାଡ଼ିତ କରି ପାରିବେ ନାହିଁ। ମହାଭିଯୋଗ ପାଇଁ ଗଣିତ ‘ଜଜେସ୍‌ ଇନ୍‌କ୍ୱାରି ଆକ୍ଟ ୧୯୬୮’ ଅନୁସାରେ ଦୁଇଟି ନିର୍ଦ୍ଦିଷ୍ଟ ଅଭିଯୋଗ ଭିତ୍ତିରେ ଜଣେ ହାଇକୋର୍ଟ ବିଚାରପତି କିମ୍ବା ସୁପ୍ରିମ କୋର୍ଟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଅଣାଯାଇପାରେ: ଦୁରାଚାର କିମ୍ବା /ଏବଂ ଦାୟିତ୍ୱ ନିର୍ବାହ ପାଇଁ ଅକ୍ଷମତା। ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୁଦ୍ଧରେ ମହାଭିଯୋଗ-ଯୋଗ୍ୟ ଏଭଳି କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ନାହିଁ, ଯେମିତି କ୍ଷମତାର ଦୁରୁପଯୋଗ, ଦୁର୍ନୀତି କିମ୍ବା ଦାୟିତ୍ୱ ନିର୍ବାହ ପାଇଁ ଅକ୍ଷମତା ଇତ୍ୟାଦି। ଦେଶର ମୁଖ୍ୟ ବିଚାରପତିଙ୍କ ବିରୁଦ୍ଧରେ କୌଣସି ଉଡ଼ା କଥା ଏବଂ ଅନିର୍ଦ୍ଦିଷ୍ଟ ଅଭିଯୋଗ ଆଧାରରେ ମହାଭିଯୋଗ ଆଗତ କରିବା ଉଦ୍ୟମ ଶିଶୁସୁଲଭ ଏବଂ କ୍ଷୁଦ୍ରମନା ରୂପେ ବିବେଚିତ ହେବ।

ଯଦି ବି କଂଗ୍ରେସ, ସିପିଏମ୍‌, ଏନ୍‌ସିପି, ବିଏସ୍‌ପି, ଏସ୍‌ପି ଆଦି ମହାଭିଯୋଗ ସପକ୍ଷବାଦୀ ଦଳମାନେ ଏହାକୁ ସଂସଦରେ ଆଗତ କରିବା ପାଇଁ ଯଥେଷ୍ଟ ସ୍ୱାକ୍ଷର (ରାଜ୍ୟସଭା-୫୦, ଲୋକସଭା-୧୦୦) ଯୋଗାଡ଼ କରି ପାରନ୍ତି,, ତେବେ ବି ରାଜ୍ୟସଭାର ଚେଆର୍‌ମ୍ୟାନ୍‌ କିମ୍ବା ଲୋକସଭାର ବାଚସ୍ପତି ଚାହିଁଲେ ଏହି ପ୍ରସ୍ତାବକୁ ଆଲୋଚନା ପାଇଁ ଗ୍ରହଣ ନ କରିପାରନ୍ତି। ସେପରି ସ୍ଥଳେ ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ ହେବା ପାଇଁ କଂଗ୍ରେସ ଏକ ନୂତନ କୌଶଳ ରୂପେ ବିଚାର କରୁଥିବା ଖବର ପ୍ରକାଶ ପାଇଛି। ଦୁଷ୍ଟ ବୁଦ୍ଧି ପ୍ରଭାବରେ ସେମାନେ କଳ୍ପନା କରୁଛନ୍ତି ସେପରି ଘଟିଲେ ଆବେଦନଟି କୌଣସି ଦୀପକ ମିଶ୍ର-ବିରୋଧୀ ବିଚାରପତିଙ୍କ ଇଜଲାସରେ ବିଚାର ପାଇଁ ଆଗତ ହୋଇପାରେ। କିନ୍ତୁ ଯଦି ବି ଏହି ବିରୋଧୀ ଦଳ ଗୋଷ୍ଠୀ ପ୍ରସ୍ତାବଟିକୁ ସଂସଦରେ ଆଗତ କରିବାରେ ସଫଳ ହୁଅନ୍ତି, ତେବେ ମଧ୍ୟ ସଂସଦରେ ଶେଷରେ ମହାଭିଯୋଗ ପ୍ରସ୍ତାବ ପାରିତ ହେବାର କୌଣସି ସମ୍ଭାବନା ଯେ ନାହିଁ, ତାହା ସେମାନଙ୍କୁ ଅଛପା ନଥିବ। ଯଦି ପ୍ରସ୍ତାବଟି ଆଗତ ହୁଏ, ଏଥିରେ ଥିବା ଅଭିଯୋଗ ସବୁର ଅନୁସନ୍ଧାନ ପାଇଁ ଏକ ତିନି-ଜଣିଆ ଗୃହ କମିଟି ଗଠିତ ହେବ। ଯଦି ମୁଖ୍ୟ ବିଚାରପତିଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗମାନ ସତ୍ୟବୋଲି କମିଟିର ହୃଦ୍‌ବୋଧ ହୁଏ, ସମ୍ପୃକ୍ତ ଗୃହରେ ଅଭିଯୋଗଗୁଡ଼ିକର ଆଲୋଚନା ହେବ। ତାପରେ ଯଦି ଉଭୟ ଗୃହରେ ମହାଭିଯୋଗ ପ୍ରସ୍ତାବଟି ଦୁଇ-ତୃତୀୟାଂଶ ବହୁ ମତରେ ପାରିତ ହୁଏ, ତେବେ ଯାଇ ତାହା ରାଷ୍ଟ୍ରପତିଙ୍କ ସମ୍ମତି ଲାଭ ପାଇଁ ପ୍ରେରିତ ହେବ। କହିବା ବାହୁଲ୍ୟ, ବିରୋଧୀ ଦଳମାନଙ୍କ ପାଖରେ ଏଥିପାଇଁ ଆବଶ୍ୟକ ସଂଖ୍ୟକ ସାଂସଦ ନାହାନ୍ତି। ଏ ସମସ୍ତ ପ୍ରକ୍ରିୟା ସମାପ୍ତ ହେବା ପାଇଁ ପୁଣି ଏତେ ଲମ୍ବା ସମୟ ଦରକାର ଯେ, ଆସନ୍ତା ଅକ୍ଟୋବରରେ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଅବସର ଗ୍ରହଣ କରିବା ପୂର୍ବରୁ ତାହା ସମ୍ପୂର୍ଣ୍ଣ ହେବାର କୌଣସି ସମ୍ଭାବନା ନାହିଁ।

ଏଣୁ କଂଗ୍ରେସ ଓ ତାର ସାଥୀମାନଙ୍କର ଅସଲ ଉଦ୍ଦେଶ୍ୟ ନୁହେଁ ମହାଭିଯୋଗ ମାଧ୍ୟମରେ ଦୀପକ ମିଶ୍ରଙ୍କୁ ବହିଷ୍କୃତ କରିବା। ତେବେ ମହାଭିଯୋଗର କାରଣ କ’ଣ? କାରଣ ହେଉଛି ଦୀପକ ମିଶ୍ର ଶୁଣାଣି କରୁଥିବା କେତେକ ସମ୍ବେଦନଶୀଳ ମାମଲା: ରାମଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ବିବାଦ, ଆଧାର ଓ ବିଚାରପତି ଲୋୟା ମୃତ୍ୟୁ ମାମଲା। କଂଗ୍ରେସ ଓ ତାର ସାଥୀ ବିରୋଧୀ ଦଳମାନଙ୍କର ଭୟ ଯେ ଏସବୁ ମାମଲାର ରାୟ ଯଦି ଭାରତୀୟ ଜନତା ପାର୍ଟିକୁ ସୁହାଇବା ଭଳି ହୁଏ, ତେବେ ଏହି ଗୈରିକ ଦଳ ସେ ସବୁକୁ ସକାରାତ୍ମକ ଭାବରେ ଦଳର ଭାବମୂତ୍ତିକୁ ଉଜ୍ଜ୍ୱଳ ଓ ବଳିଷ୍ଠ କରିବା ପାଇଁ ବ୍ୟବହାର କରିବ, ଯାହା ୨୦୧୯ ନିର୍ବାଚନରେ ଦଳକୁ ସହାୟକ ହେବ। ଅପରପକ୍ଷେ ଯଦି ରାମ ଜନ୍ମଭୂମି ମାମଲାର ରାୟ ହିନ୍ଦୁମାନଙ୍କ ବିପକ୍ଷରେ ଯାଏ ତେବେ ତାହା ନକାରାତ୍ମକ କାରଣରୁ ଜାତି-ବର୍ଣ୍ଣ ବୃତ୍ତି ନିର୍ବିଶେଷରେ ହିନ୍ଦୁମାନଙ୍କୁ ଏକଜୁଟ ହେବାପାଇଁ ଉସ୍‌କାଇବ, ଯାହା ୨୦୧୯ ନିର୍ବାଚନରେ ଭାଜପାକୁ ସହାୟକ ହେବ। ଅତଏବ ଦୀପକ ମିଶ୍ର ୨୦୧୯ ପୂର୍ବରୁ ଯେଉଁଭଳି ରାୟ ଦେଲେ ବି ତାହା ସେ ନିର୍ବାଚନରେ ଭାଜପାକୁ ସୁହାଇବ ବୋଲି ବିରୋଧୀ ପକ୍ଷର ଭୟ। ତେଣୁ ମହାଭିଯୋଗ ପ୍ରସ୍ତାବ। ବିରୋଧୀମାନଙ୍କର ରଣକୌଶଳ ହେଲା ଏହା ମାଧ୍ୟମରେ ମୁଖ୍ୟ ବିଚାରପତିଙ୍କ ଉପରେ ମାନସିକ ଚାପ ସୃଷ୍ଟି କରି ତାହାକୁ ଏପରି ଅସହନୀୟ ସ୍ତରକୁ ନେଇଯିବା, ଯେପରି ସେ ଏ ମାମଲାଗୁଡ଼ିକର ବିଚାର ସମାପ୍ତ କରିନପାରି ଅବସର ଗ୍ରହଣ କରିବେ ଏବଂ ମାମଲାଗୁଡ଼ିକ ଫଇସଲା ହେବା ବେଳକୁ ୨୦୧୯ ନିର୍ବାଚନ ଅତିକ୍ରାନ୍ତ ହୋଇ ଯାଇଥିବ। ଏହାହିଁ କଂଗ୍ରେସର ମହାଭିଯୋଗ ଖେଳ ଏବଂ ସେଥିପାଇଁ ଯେଉଁ କଂଗ୍ରେସ ସରକାରରେ ଥିବା ବେଳେ ଦୀପକ ମିଶ୍ରଙ୍କୁ ହାଇକୋର୍ଟରୁ ଉନ୍ନୀତ କରି ସୁପ୍ରିମ୍‌ କୋର୍ଟ ବିଚାରପତି ରୂପେ ଅଧିଷ୍ଠିତ କରିଥିଲା, ଏବେ ସେଇ ଦଳ ତାଙ୍କୁ ମହାଭିଯୋଗ ମାଧ୍ୟମରେ ବହିଷ୍କାର କରିବାକୁ ଚାହୁଁଛି। ସୁଖର କଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ ପ୍ରଦାନ ନକରି କେବଳ ଓଡ଼ିଆ ପୁଅ ଦୀପକ ମିଶ୍ରଙ୍କର ସମ୍ମାନ ରକ୍ଷା କରିଛନ୍ତି, ତାହା ନୁହେଁ, ଦେଶର ସର୍ବୋଚ୍ଚ ନ୍ୟାୟପାଳିକାର ସମ୍ମାନ ରକ୍ଷା ପାଇଁ ଏକ ଉଚିତ ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧିତ ଖବର