ନିଯୁକ୍ତି ସନ୍ଦେହ

ନରେନ୍ଦ୍ର ମୋଦୀଙ୍କର ପ୍ରଧାନ ମନ୍ତ୍ରୀତ୍ୱର ପ୍ରଥମ ଦୁଇବର୍ଷକୁ ଯଦି କୌଣସି ଏକ ଶକ୍ତି ବେଶ୍‌ ମସୃଣ କରି ତୋଳିଥିଲା ତାହା ହେଉଛି ଆକ୍ଷରିକ ଅର୍ଥରେ ତୈଳ। କଳକବ୍‌ଜାକୁ ମସୃଣ ଭାବରେ କାର୍ଯ୍ୟ କରିବାରେ ସହାୟକ ହେବା ପାଇଁ ଯେମିତି ତେଲ ଦିଆଯାଇଥାଏ, ମୋଦୀଙ୍କ ଶାସନକଳକୁ ସେମିତି ସାବଲୀଳ ଭାବରେ ଚାଲିବା ପାଇଁ ଯାହା ସହାୟକ ହୋଇଥିଲା, ତାହା ହେଉଛି ଆନ୍ତର୍ଜାତିକ ବଜାରରେ ତୈଳର ଦର। ତାଙ୍କ ଶାସନର ଏହି ପ୍ରଥମାର୍ଧର୍ରେ ଆନ୍ତର୍ଜାତିକ ବଜାରରେ ତୈଳ ଅର୍ଥାତ୍‌ ଅଶୋଧିତ ପେଟ୍ରୋଲିଅମ୍‌ ଦର ବ୍ୟାରେଲ୍‌ ପିଛା ସୁଉଚ୍ଚ ୧୧୦ ଡଲାର୍‌ରୁ ହ୍ରାସ ପାଇ ୩୦ ଡଲାର୍‌ ଛୁଇଁଥିଲା। ସରକାର ଏହି ହ୍ରାସର କିଛି ଅଂଶ ଦେଶରେ ପେଟ୍ରୋଲ, ଡିଜେଲ ଦର ହ୍ରାସ ମାଧ୍ୟମରେ ଖାଉଟିମାନଙ୍କ ପକେଟ୍‌ରେ ଭର୍ତ୍ତି କରିଥିଲା ବେଳେ ଏକ ବିଶେଷ ଅଂଶ ରାଜକୋଷରେ ଭର୍ତ୍ତି କରିଥିଲେ। ଏହା ରାଜକୋଷୀୟ ନିଅଣ୍ଟ ଆକାରକୁ ସୀମା ମଧ୍ୟରେ ରଖିବାରେ ସରକାରଙ୍କୁ ସହାୟକ ହୋଇଥିଲା। ଖାଉଟି ଖୁସ୍‌, ସରକାର ଖୁସ୍‌।

ମୋଦୀ ଶାସନର ଶେଷ ବର୍ଷରେ କିନ୍ତୁ ସେ ମସୃଣତା ଉଭାନ ହୋଇ ରାସ୍ତା ବନ୍ଧୁର ହୋଇପଡ଼ିବା ଦେଖାଗଲାଣି। ଏହାର ସରଳ କାରଣ ହେଲା ତୈଳଦର ବର୍ତ୍ତମାନ ସେଇ ସର୍ବନିମ୍ନ ସ୍ତରର ଦୁଇ ଗୁଣରୁ ଅଧିକ ହୋଇ ବ୍ୟାରେଲ୍‌ ପିଛା ୬୫ ଡଲାର ହୋଇ ସାରିଲାଣି ଏବଂ ମୋଦୀଙ୍କ ବାକି ସମୟରେ ଏହି ବୃଦ୍ଧି ଧାରା ଜାରି ରହିବ ବୋଲି ଅନୁମାନ କରାଯାଉଛି। ଯଦି ଏହି ବୃଦ୍ଧି ଅବ୍ୟାହତ ରହେ ତେବେ ଏଥିଯୋଗୁଁ ଯେଉଁ ସବୁ ଗୁରୁତର ଅର୍ଥନୈତିକ ସମସ୍ୟାମାନ ମୋଦୀଙ୍କୁ ସମ୍ମୁଖୀନ ହେବାକୁ ପଡ଼ିବ, ସେଥିରେ ଅଛି ଦେଶର ବୈଦେଶିକ ଆୟବ୍ୟୟର ଚଳନ୍ତି ହିସାବ ଖାତାରେ ଗୁରୁତର ନିଅଣ୍ଟ (‘କରେଣ୍ଟ ଏକାଉଣ୍ଟ ଡେଫିସିଟ୍‌’), ଯାହା ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟ ଉପରେ ପ୍ରବଳ ଚାପ ସୃଷ୍ଟି କରିବ; ବଜେଟ୍‌ରେ ନିଅଣ୍ଟ ଏବଂ ମୁଦ୍ରାସ୍ଫୀତିର ପ୍ରତ୍ୟାବର୍ତ୍ତନ। ଏହି ସମୟରେ ମୋଦୀଙ୍କୁ ଯାହା ସାମାନ୍ୟ ଆଶ୍ୱସ୍ତ କରୁଥିବ, ତାହା ହେଲା କେତେଦିନ ତଳେ ପ୍ରକାଶ ପାଇଥିବା ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ସମ୍ପର୍କିତ ପରିସଂଖ୍ୟାନ।

ଏହି ସ୍ତମ୍ଭରେ ପୂର୍ବରୁ ଆଲୋଚିତ ହୋଇଥିବା ଭଳି ଡିସେମ୍ବରରେ ସମାପ୍ତ ହୋଇଥିବା ଗତ ବିତ୍ତ ବର୍ଷର ତୃତୀୟ ଚଉଠରେ ଭାରତୀୟ ଅର୍ଥନୀତି ତା’ର ପୂର୍ବର ସ୍ଫୂର୍ତ୍ତି ଫେରି ପାଇ ୭.୨% ଅଭିବୃଦ୍ଧି ହାର ହାସଲ କରିଥିଲା (ମାର୍ଚ୍ଚରେ ଶେଷ ହୋଇଥିବା ବିତ୍ତବର୍ଷର ଅନ୍ତିମ ଚଉଠରେ ଘଟିଥିବା ଅଭିବୃଦ୍ଧି ସମ୍ପର୍କିତ ପରିସଂଖ୍ୟାନ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ), ଯାହା ଚୀନ୍‌ର ସଦ୍ୟତମ ୬.୮% ଅଭିବୃଦ୍ଧି ହାରଠାରୁ ଅଧିକ ଥିଲା। ଅଭିବୃଦ୍ଧି ଦୌଡ଼ରେ ଭାରତ ପୁଣି ପ୍ରଥମ ସ୍ଥାନ ଫେରି ପାଇଥିଲା। ପର୍ଯ୍ୟବେକ୍ଷକମାନେଏକମତ ଯେ ମୋଦୀଙ୍କର ବିମୁଦ୍ରୀକରଣ ଭଳି ଅନାବଶ୍ୟକ ଆଘାତ ଓ ‘ଜିଏସ୍‌ଟି’ର ଅପାରଗ ପ୍ରବର୍ତ୍ତନ ଯୋଗୁଁ ସାମୟିକ ଭାବରେ ଛୋଟା ହୋଇ ଯାଇଥିବା ଭାରତୀୟ ଅର୍ଥନୀତି ତା’ର ଅନ୍ତନିର୍ହିତ ଶକ୍ତି ବଳରେ ସୁସ୍ଥ ହୋଇ ପୁଣି ଦୌଡ଼ିବା ଆରମ୍ଭ କଲାଣି।

କିନ୍ତୁ ଏହି ଅଭିବୃଦ୍ଧି ପରିସଂଖ୍ୟାନ ଆଗାମୀ ନିର୍ବାଚନରେ ମୋଦୀଙ୍କୁ କେତେ ସାହାଯ୍ୟ କରିବ ସେ ନେଇ ଖୋଦ୍‌ ମୋଦୀ ମଧ୍ୟ ନିଶ୍ଚିତ ନଥିବେ। ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ତୈଳ ଦରବୃଦ୍ଧି ଯୋଗୁଁ ଦେଶବ୍ୟାପୀ ପେଟ୍ରୋଲ, ଡିଜେଲ ଖାଉଟିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାକୁ ଆରମ୍ଭ କଲାଣି। ତୈଳ ଦର ଉଚ୍ଚା ରହି ଚାଲିଲେ ନିର୍ବାଚନ ସମୟରେ ମତଦାତା ମାନଙ୍କ ପାଇଁ ତାହା ଏକ ଉଚ୍ଚା ଅଭିବୃଦ୍ଧି ହାର ଜନିତ ‘ଅଚ୍ଛେ ଦିନ୍‌’ର ଅନୁକୂଳ ପ୍ରଭାବ ପରିବର୍ତ୍ତେ ଏକ ‘ବୁରେ ଦିନ୍‌’ର ପ୍ରତିକୂଳ ପ୍ରଭାବ ସୃଷ୍ଟି କରିବ। ଏଥିସହିତ ଯଦି ମୁଦ୍ରାସ୍ଫୀତି ଲେଉଟି ଆସେ ତେବେ କେବଳ ପେଟ୍ରୋଲ, ଡିଜେଲ୍‌ ନୁହେଁ, ସମସ୍ତ ଖାଉଟି ପଦାର୍ଥ ମହଙ୍ଗା ହୋଇ ଏକ ସରକାର ବିରୋଧୀ ହାଓ୍ଵା ସୃଷ୍ଟି କରିବ। ମତଦାତାମାନେ ଅଭିବୃଦ୍ଧି ପରିସଂଖ୍ୟାନକୁ ଖାଇବେ ନାହିଁ କି ପିନ୍ଧିବେ ନାହିଁ।

ମତଦାତାଙ୍କ ପାଇଁ ଏହି ଅଭିବୃଦ୍ଧି ପରିସଂଖ୍ୟାନର ଫମ୍ପାପଣ କେବଳ ଏତିକିରେ ସୀମିତ ନୁହେଁ, ସେମାନଙ୍କ ପାଇଁ ଯାହା ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ମୋଦୀଙ୍କ ପାଇଁ ଯାହା ଅଧିକ ଚିନ୍ତାଜନକ ହେବା ଉଚିତ, ତାହା ହେଲା ଏହି ଅଭିବୃଦ୍ଧି ସହିତ ତାଳ ଦେଲା ଭଳି ଦେଶରେ ଯଥେଷ୍ଟ ନିଯୁକ୍ତି ସୃଷ୍ଟି ହେଉ ନାହିଁ। ଏହାର ଏକ ଚାକ୍ଷୁଷ ପ୍ରମାଣ ସବରୂପ ନିକଟରେ ରେଳବାଇରେ ପ୍ରାୟ ୧୦୦,୦୦୦ (ଏକଲକ୍ଷ) ଡ୍ରାଇଭର, ଟେକ୍‌ନିସିଆନ୍‌ ଓ କୁଲି ଚାକିରି ପାଇଁ ପ୍ରାୟ ୨୦,୦୦୦,୦୦୦ (ଦୁଇକୋଟି) ପ୍ରାର୍ଥୀ ଆବେଦନ କରିବା ଦେଖା ଯାଇଥିଲା। ପ୍ରକାଶିତ ତଥ୍ୟ ଅନୁସାରେ ଦେଶରେ ମାସକୁ ହାରାହାରି ପ୍ରାୟ ୧୦ ଲକ୍ଷ ନୂତନ ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ଶ୍ରମ ବଜାରରେ ପ୍ରବେଶ କରୁଛନ୍ତି। ଏମାନଙ୍କୁ କେବଳ ପରିସଂଖ୍ୟାନ ଦ୍ୱାରା ସନ୍ତୁଷ୍ଟ କରି ହେବ ନାହିଁ।

ତେବେ ଏହି ବିଷାଦଜନକ ଚିତ୍ରର ଠିକ୍‌ ବିପରୀତ ଚିତ୍ର ଅନ୍ୟ କେତେକ ଅନୁଶୀଳନକାରୀ ପ୍ରଦାନ କରିଥାନ୍ତି। ସେମାନଙ୍କ ମତରେ ଦେଶରେ ଶ୍ରମ ନିଯୁକ୍ତି ନିଶ୍ଚିତ ରୂପେ ବୃଦ୍ଧି ପାଉଛି କିନ୍ତୁ ତାହା ଠିକ୍‌ ରୂପେ ପ୍ରଦର୍ଶିତ ହେଉନାହିଁ। ଏହି ମତବାଦ ଅନୁସାରେ ଗତ ଚାରିବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତିର ହାରାହାରି ଅଭିବୃଦ୍ଧି ହାର ଅର୍ଥାତ୍‌ ‘ଜିଡିପି’ରେ ବୃଦ୍ଧି ହାର ହୋଇଛି ୭.୩%। ଦୁଇଟି କାରଣ ଯୋଗୁଁ ‘ଜିଡିପି’ରେ ବୃଦ୍ଧି ଘଟିଥାଏ: ଉତ୍ପାଦନରେ ବ୍ୟବହୃତ ଶ୍ରମ, ପୁଞ୍ଜି ଆଦି ଉପାଦାନମାନଙ୍କର ପରିମାଣରେ ବୃଦ୍ଧି ଏବଂ ସେମାନଙ୍କ ଉତ୍ପାଦନଶୀଳତାରେ ବୃଦ୍ଧି। ଇତିହାସରେ ଜିଡିପି ବୃଦ୍ଧିରେ ଉତ୍ପାଦନଶୀଳତା ବୃଦ୍ଧିର ଅବଦାନ କେବେହେଲେ ସର୍ବାଧିକ ୩%ରୁ ଅଧିକ ହେବା ଦେଖାଯାଇନାହିଁ। ତେଣୁ ଭାରତୀୟ ଜିଡିପି ବୃଦ୍ଧି ମୁଖ୍ୟତଃ ଶ୍ରମ ଓ ପୁଞ୍ଜି ଭଳି ଉପାଦାନମାନ ଅଧିକ ଅଧିକ ପରିମାଣରେ ବ୍ୟବହୃତ ହେବା ଯୋଗୁଁ ହଁ ସମ୍ଭବ ହୋଇଛି। କିନ୍ତୁ ଯେହେତୁ ଭାରତରେ ପୁଞ୍ଜି ବ୍ୟବହାରରେ ବୃଦ୍ଧି ସାମାନ୍ୟ ଶିଥିଳ ହେବା ଦେଖାଯାଇଛି, ଶ୍ରମ ବ୍ୟବହାରରେ ବୃଦ୍ଧି ଏକ ଅବଧାରିତ ସତ୍ୟ।

ଏହି ଯୁକ୍ତି ଅନୁସାରେ ଭାରତରେ ଦେଖାଯାଉଥିବା ଉଚ୍ଚ ହାରରେ ଅଭିବୃଦ୍ଧି ପ୍ରକୃତରେ କୁହାଯାଉଥିବା ଭଳି ନିଯୁକ୍ତି ଶୂନ୍ୟ ନୁହେଁ। ଅଭିବୃଦ୍ଧି ସହ ତାଳ ଦେଇ ନିଯୁକ୍ତି ସୃଷ୍ଟି ହେଉଛି, କିନ୍ତୁ ତାହା ମଧ୍ୟରୁ ଅଧିକାଂଶ ଅସଂଗଠିତ କ୍ଷେତ୍ରରେ ହୋଇଥିବାରୁ ବିଧିବଦ୍ଧ ରିପୋର୍ଟରେ ସ୍ଥାନ ପାଉ ନାହିଁ। ଯେମିତି, ଲେବର୍‌ ବ୍ୟୁରୋ ଦ୍ୱାରା ପ୍ରସ୍ତୁତ ‘କ୍ୱାର୍ଟର୍‌ଲି ଏମ୍ପ୍ଲଏମେଣ୍ଟ ସର୍ଭେ’ (‘କ୍ୟୁଇଏସ୍‌’) କେବଳ ଆଠଟି କ୍ଷେତ୍ରରେ ୧୦ ଜଣରୁ ଅଧିକ କର୍ମଚାରୀ ଥିବା ଉଦ୍ୟୋଗ ମଧ୍ୟରେ ସୀମିତ। କିନ୍ତୁ ନିଯୁକ୍ତି- ସନ୍ଦେହୀମାନେ ‘କ୍ୟୁଇଏସ୍‌’ ରିପୋର୍ଟକୁ ବ୍ୟାପକ ଭାବରେ ଉଦ୍ଧାର କରିଥାନ୍ତି। ଏହି ରିପୋର୍ଟକୁ ଯଦି ବେଦବାକ୍ୟ ରୂପେ ଗ୍ରହଣ କରାଯାଏ, ତେବେ ଉଦାହରଣ ଛଳରେ କୁହାଯାଇପାରେ ଦେଶରେ ଥିବା ପ୍ରାୟ ୧୦ ଲକ୍ଷ ‘ଓଲା’ ‘ଉବର୍‌’ ଡ୍ରାଇଭର୍‌ମାନେ ବେକାର ଅଛନ୍ତି ବୋଲି ଧରାଯିବ। ମୋଦୀ ଏମାନଙ୍କୁ ନିଯୁକ୍ତି ବୃଦ୍ଧିର ପ୍ରମାଣ ରୂପେ ଦେଖାଇ ପାରିବେ ନାହିଁ। ଉପରବର୍ଣ୍ଣିତ ରେଳବାଇ ଚାକିରି ଉଦାହରଣରୁ ସ୍ପଷ୍ଟ ଯେ ଏଠାରେ ସରକାରୀ ନିଯୁକ୍ତି ହିଁ ତଥାପି ଅସଲ ନିଯୁକ୍ତି ରୂପେ ବିବେଚିତ। ମୋଦୀ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଏହି ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଘଟାଇବା ପାଇଁ ଉଦ୍ୟମ କରିବାକୁ ହେବ। କିନ୍ତୁ କେତେଦିନ ତଳେ ଘଟିଥିବା ‘ପକୋଡ଼ି’ ଘଟଣା ସାବ୍ୟସ୍ତ କରିଥାଏ ଏହା ସହଜ ନୁହେଁ।

ସମ୍ବନ୍ଧିତ ଖବର