ବିଭ୍ରାଟ କ୍ରମରେ ‘ଚାବି କାଠି’

ଓଡ଼ିଆ ଜାତିର ପରିଚୟ, ଚିନ୍ତା-ଚେତନା, ସଂସ୍କୃତି- ପରମ୍ପରା, ଭାବନା- ସ୍ୱାଭିମାନର ନାଭିବ୍ରହ୍ମ ବଡ଼ଠାକୁର ଜଗତ୍‌ର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ। ତଥାପି ପାବନ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ପବିତ୍ର ଭକ୍ତିମୟ ଆରାଧନା ପୀଠ ଶ୍ରୀମନ୍ଦିରର ପରିଚାଳନାରେ ଅବ୍ୟବସ୍ଥା, ଠାକୁରଙ୍କ ନୀତିକାନ୍ତି, ପର୍ବପର୍ବାଣି ପାଳନରେ ସୁବ୍ୟବସ୍ଥା, ଶୃଙ୍ଖଳା ଅପେକ୍ଷା ବିଶୃଙ୍ଖଳା, ବିବାଦ ଓ ବିଭ୍ରାଟ ଅଲୋଡ଼ା ଶିରୋନାମାରେ ରହିଆସିଛି। ଅସ୍ୱସ୍ତିର କାରଣ ହୋଇ ଜାତିର ସାମୂହିକ ବିବେକ ଓ ଭାବନାକୁ ଆଘାତ ଦେଇ ଆସିଥିବା ବିବାଦ ଓ ବିଭ୍ରାଟର ଏହି ଲମ୍ବା ତାଲିକାରେ ସଦ୍ୟ ଆଉ ଏକ ବିଭ୍ରାଟ ଯୋଡ଼ି ହୋଇଯାଇଛି। ଏଥର ବିଭ୍ରାଟର କେନ୍ଦ୍ରରେ ରହିଛି ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରର ଚାବି କାଠି।

ଶେଷଥର ପାଇଁ ୧୯୯୫ରେ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା। ଦୀର୍ଘ ୩୩ ବର୍ଷ ପରେ ଚାରି ତାରିଖ ବୁଧବାର ଦିନ ରତ୍ନଭଣ୍ଡାର ଖୋଲି ବିଶେଷଜ୍ଞ ଦଳ ଅବସ୍ଥା ଯାଞ୍ଚ କରିବାର ଥିଲା। ବିଶେଷଜ୍ଞ ଦଳ ଦୁଇଟି ବାହାର ରତ୍ନଭଣ୍ଡାରରେ ପ୍ରବେଶ କରିଥିବା ବେଳେ ଭିତର ରତ୍ନ ଭଣ୍ଡାରକୁ ଯାଇ ପାରି ନଥିଲେ। ଏହାର ଏକମାତ୍ର କାରଣ ଥିଲା ଭିତର ରତ୍ନଭଣ୍ଡାରରେ ଲାଗିଥିବା କୋଲପର ଚାବି ନଥିଲା। ଯେଉଁ ପାଞ୍ଚଗୋଛା ଛାବି ଧରି ବିଶେଷଜ୍ଞ ଦଳ ଯାଇଥିଲେ ସେହି ଚାବି ନେନ୍ଥାର କୌଣସି ଚାବି ରତ୍ନଭଣ୍ଡାରରେ ପଡ଼ିଥିବା ତାଲାର ନଥିଲା। ଏହାର ଅର୍ଥ ତେତିଶ ବର୍ଷ ତଳେ ଯାଞ୍ଚ ପରେ ଯେଉଁ ତାଲା ପକାଇ ଭିତର ରତ୍ନଭଣ୍ଡାର ବନ୍ଦ କରାଯାଇଥିଲା, ସେ ଚାବି ନିଖୋଜ ହୋଇ ଯାଇଛି। ନିୟମତଃ ଏହି ଚାବି ଟ୍ରେଜେରିରେ ରହିବା କଥା। କିନ୍ତୁ ଟ୍ରେଜେରିରେ ଚାବି ନାହିଁ। ପ୍ରାରମ୍ଭିକ ଅନୁସନ୍ଧାନ ଅନୁଯାୟୀ ତେତିଶ ବର୍ଷ ତଳେ ଯାଞ୍ଚ ପାଇଁ ଟ୍ରେଜେରିରୁ ଚାବି ଅଣାଯାଇଥିବାର ପ୍ରମାଣ ଅଛି, କିନ୍ତୁ ଯାଞ୍ଚ ପରେ ଚାବି ଫେରିବା କିମ୍ବା କାହାପାଖରେ ରହିଲା, ତା’ର କୌଣସି ସୁରାକ ସୁଦ୍ଧା ମିଳୁନାହିଁ। ଏବେ ପ୍ରଶ୍ନ ଉଠୁଛି ଭିତର ରତ୍ନ ଭଣ୍ଡାରରେ ପଡ଼ିଥିବା କୋଲପର ଚାବି କେଉଁଠି? ଏ ପ୍ରଶ୍ନ ସହ ଯୋଡ଼ି ହୋଇଛି ରତ୍ନଭଣ୍ଡାରର ସୁରକ୍ଷା। ଭିତର ରତ୍ନଭଣ୍ଡାରରେ କ’ଣ ଅଛି ଜଣା ନାହିଁ। ତେବେ ଯାହାବି ଅଛି ତାହା ସୁରକ୍ଷିତ ରହିଛି ତ? ଭିତର ରତ୍ନଭଣ୍ଡାର ଚାବି ଅନ୍ତର୍ଧାନ ହେବା ଏକ ସ୍ପର୍ଶକାତର ଓ ଅତ୍ୟନ୍ତ ଗୁରୁତର ଓ ସାଂଘାତିକ ପ୍ରସଙ୍ଗ। ଆଶା କରାଯାଉଥିଲା ଭିତର ରତ୍ନଭଣ୍ଡାରର ରହସ୍ୟ ଉନ୍ମୋଚିତ ହେବ। ରତ୍ନଭଣ୍ଡାର ରହସ୍ୟ ତ ରହସ୍ୟ ହେଇ ରହିଗଲା, ତା ସହ ଚରମ ଦାୟିତ୍ୱହୀନତା ଓ ଉଦାସୀନତାର ଉତ୍କଟ ଗନ୍ଧ ବାହାରୁଥିବା ଚାବି ଅନ୍ତର୍ଧାନ ହେବା ସମୁଦାୟ ପ୍ରସଙ୍ଗକୁ ଅଧିକ ରହସ୍ୟାଚ୍ଛନ୍ନ କରି ଦେଇଛି। ଏହା ଜଗନ୍ନାଥାଶ୍ରିତ ଓଡ଼ିଆଙ୍କ ଭାବାବେଗ ସହ ଖେଳ। କହିବାରେ ଦ୍ୱିଧା ନାହିଁ ଯେ, ମନ୍ଦିର ପରିଚାଳନାଠାରୁ ଆରମ୍ଭ କରି ଠାକୁରଙ୍କ ନୀତିକାନ୍ତି, ପର୍ବପର୍ବାଣିରେ ଦେଖାଯାଉଥିବା ସକଳ ବିଶୃଙ୍ଖଳା ଓ ବିଭ୍ରାଟର ମଞ୍ଜି ହେଉଛି ଏହି ଉଦାସୀନତା ଓ ଖାମଖିଆଲି ମନୋଭାବ।

ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଆଣିବା ଲାଗି ଗଠିତ ହୋଇଛି ନ୍ୟାୟମୂର୍ତ୍ତି ବି.ପି. ଦାସଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିସନ୍‌। ଅବଶ୍ୟ, ବର୍ତ୍ତମାନ କମିସନ୍‌ କାର୍ଯ୍ୟକ୍ଷମ ନା ନିଷ୍କ୍ରିୟ; ଏହା ଆଉ ଏକ ରହସ୍ୟ। ଗତ ୨୦୧୭ ଏପି୍ରଲ ୨୧ ତାରିଖ କମିସନ୍‌ ତାଙ୍କର ପ୍ରଥମ ଅନ୍ତରୀଣ ରିପୋର୍ଟରେ ଉଲ୍ଲେଖ କରିଥିଲେ- ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ନୀତିକାନ୍ତି ସମ୍ପନ୍ନ, ପର୍ବପର୍ବାଣିର ପାଳନ ଏକ ନିୟମ ହେବା ଉଚିତ। କୌଣସି ପ୍ରକାର ଅବ୍ୟବସ୍ଥା ଓ ବିଶୃଙ୍ଖଳା ବ୍ୟତିକ୍ରମ। ତେବେ ଦୁର୍ଭାଗ୍ୟର ବିଷୟ ଶ୍ରୀମନ୍ଦିର ପରିଚାଳନା ପ୍ରସଙ୍ଗରେ ବାସ୍ତବତା ଠିକ୍‌ ଓଲଟା। ଶୃଙ୍ଖଳା, ସୁବ୍ୟବସ୍ଥା, ବ୍ୟତିକ୍ରମ ଓ ବିଶୃଙ୍ଖଳା, ଅବ୍ୟବସ୍ଥା ହିଁ ନିୟମ। ଭିତର ରତ୍ନଭଣ୍ଡାର ଚାବି ତେତିଶ ବର୍ଷ ହେଲା ନିଖୋଜ, ତଥାପି କାହାରି ପାଖରେ ଏହାର କିଛି ଖବର ନାହିଁ। ବିଗତ ୩୩ ବର୍ଷ ମଧ୍ୟରେ ଏହି ଚାବି କେଉଁଠି ରହିଲା? କାହାପାଖରେ ଅଛି? ଏହାର ଉତ୍ତର ଖୋଜିବା ଲାଗି ନା ଶ୍ରୀମନ୍ଦିର ପରିଚାଳନା କମିଟି, ନା ଶ୍ରୀମନ୍ଦିର ପ୍ରଶାସନ ଉଚିତ ମଣିଲେ। ଭିତର ରତ୍ନଭଣ୍ଡାର ଯାଞ୍ଚ କଥା ଉଠି ନଥିଲେ ବୋଧହୁଏ ଚାବି ଅନ୍ତର୍ଧାନ ଉପାଖ୍ୟାନ ପଦାକୁ ଆସିନଥାନ୍ତା। ଚରମ ଦାୟିତ୍ୱହୀନତା, ଉଦାସୀନତାର ଆଉ ଏକ ଫର୍ଦ ସେମିତି ଅନ୍ଧାରରେ ରହିଯାଇଥାନ୍ତା। ଚାବି ରହସ୍ୟ ଉପରୁ ତମସାର ପରଦା ଉଠିବା ଏକାନ୍ତ ବାଞ୍ଛନୀୟ। ଏ ଅସ୍ୱସ୍ତିକର ରହସ୍ୟର କେନ୍ଦ୍ରରେ ଥିବା ଦାୟିତ୍ୱହୀନତା ପାଇଁ ଯିଏ ବି ଦାୟୀ, ତାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଜରୁରି। ଏ ପ୍ରସଙ୍ଗରେ କୌଣସି କୋହଳ ନୀତି ଦାୟିତ୍ୱହୀନତାକୁ ପ୍ରଶ୍ରୟ ଦେଇ ଅଧିକ ବିଭ୍ରାଟ ଓ ବିଶୃଙ୍ଖଳାତାକୁ ପ୍ରୋତ୍ସାହିତ କରିବ।

ତେବେ ବିଡ଼ମ୍ବନା ହେଲା ଠିକଣା ସମୟରେ ଠିକଣା ପଦକ୍ଷେପ ନେବାରେ ବିଫଳତା ଯୋଗୁ ବିଭ୍ରାଟ ଓ ବିଶୃଙ୍ଖଳାର ପୁନରାବୃତ୍ତି ଘଟୁଛି। ଶ୍ରୀମନ୍ଦିର ପରିଚାଳନାରେ ହେଉ କି ଠାକୁରଙ୍କ ନୀତିକାନ୍ତି ଅବା ପର୍ବପର୍ବାଣିରେ ଘଟୁଥିବା ପ୍ରତ୍ୟେକଟି ବିଭ୍ରାଟ ଓଡ଼ିଆ ଜାତିକୁ ବିଚଳିତ କରୁଛି, ଅଯଥା ଅସ୍ୱସ୍ତି ସୃଷ୍ଟି କରୁଛି। ବିଶ୍ୱ ଦରବାରରେ ରାଜ୍ୟର ଭାବମୂର୍ତ୍ତିକୁ ପ୍ରଭାବିତ କରୁଛି। ଅଥଚ, ବିଭ୍ରାଟର ମଞ୍ଜି ପର୍ଯ୍ୟନ୍ତ ଯାଇ ଏହାର ସମାଧାନ ପାଇଁ କ୍ଷମତାପ୍ରାପ୍ତ, ଦାୟିତ୍ୱସମ୍ପନ୍ନ କର୍ତ୍ତୃପକ୍ଷଙ୍କ କୁଣ୍ଠା ଓ ଅକ୍ଷମତା, ଏପରିକି ଅନେକ ସମୟରେ ଅସହାୟତା ପ୍ରକାଶ କରୁଛନ୍ତି। ଫଳରେ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସୁ ନାହିଁ; ବିଶୃଙ୍ଖଳା, ବିଭ୍ରାଟର ଦୁର୍ଭାଗ୍ୟଜନକ କ୍ରମ ଜାରି ରହିଛି। ଗତ ୨୦୧୫ ନବକଳେବର ସମୟରେ ‘ବ୍ରହ୍ମ ବିଭ୍ରାଟ’ ସାରା ବିଶ୍ୱରେ ଜଗନ୍ନାଥ ଭକ୍ତଙ୍କୁ ବିବ୍ରତ କଲା। ତିନିବର୍ଷ ବିତିବାକୁ ବସିଲାଣି, ଅଥଚ ‘ବ୍ରହ୍ମ ବିଭ୍ରାଟ’ ପାଇଁ ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। କାର୍ଯ୍ୟାନୁଷ୍ଠାନ କେମିତି ହେବ, ବର୍ତ୍ତମାନ ସୁଦ୍ଧା ତ ବିଭ୍ରାଟ ପଛର ଖଳନାୟକଙ୍କୁ ଚିହ୍ନଟ ସୁଦ୍ଧା କରାଯାଇ ନାହିଁ। ‘ବ୍ରହ୍ମ ବିଭ୍ରାଟ’ର ତଦନ୍ତ କରି କମିଟି ରିପୋର୍ଟ ଦେଇ ସାରିଛନ୍ତି। ଏହା ଉପରେ ତର୍ଜମା ଆଳରେ ନା ରିପୋର୍ଟକୁ ସାର୍ବଜନୀନ କରାଯାଉଛି ନା ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି। ବିଶୃଙ୍ଖଳା ଓ ବିଭ୍ରାଟ ପ୍ରତି ଏହି କୋହଳ ନୀତି ଯୋଗୁ ପରବର୍ତ୍ତୀ ସମୟରେ ନୀଳାଦ୍ରି ବିଜେ ଏବଂ ପୁଣି ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉମାନଙ୍କ ସ୍ନାନ ମଣ୍ଡପରେ ବିଶୃଙ୍ଖଳା ଦେଖିବାକୁ ମିଳିଛି। ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ବିଶୃଙ୍ଖଳା, ବିଭ୍ରାଟ ନେଇ କର୍ତ୍ତୃପକ୍ଷ କେତେ ଉଦାସୀନ ତା’ର ଆଉ ଏକ ଉଦାହରଣ ହେଲା ନାଗାର୍ଜୁନ ବେଶ ସମୟରେ ଦଳାଚକଟା ସଂକ୍ରାନ୍ତ ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ନିଖୋଜ ହେବା। ୧୯୯୩ରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ସମୟରେ ଦଳାଚକଟାରେ ତିନିଜଣ ଭକ୍ତଙ୍କ ପ୍ରାଣ ଗଲା, ଅନେକ ଆହତ ହେଲେ। ଘଟଣାର ତଦନ୍ତ ଲାଗି ଏକ ବିଚାର ବିଭାଗୀୟ କମିସନ୍‌ ଗଠନ କରାଗଲା। କମିସନ୍‌ ରିପୋର୍ଟ ଦେଲେ। କିନ୍ତୁ ଏହା ନିଖୋଜ ହୋଇଗଲା, ଠିକ୍‌ ଯେମିତି ଏବେ ଭିତର ରତ୍ନଭଣ୍ଡାର ଚାବି ନିଖୋଜ ହୋଇଯାଇଛି। ଏ ପରିପ୍ରେକ୍ଷୀରେ କ’ଣ ଆଶ୍ୱସ୍ତ ହୋଇ ହେବ ଯେ, ବର୍ତ୍ତମାନର ପରିଚାଳନା ବ୍ୟବସ୍ଥାରେ ଶ୍ରୀମନ୍ଦିରରେ ଶୃଙ୍ଖଳା ବାହାଲ ହୋଇ ପାରିବ? ସ୍ଥିତାବସ୍ଥା ବଦଳିବ? ବଡ଼ଠାକୁରଙ୍କ ନୀତିକାନ୍ତି, ପର୍ବପର୍ବାଣି ବିଭ୍ରାଟ ଶୂନ୍ୟ ହେବ? ଠାକୁରଙ୍କ ସମ୍ପତ୍ତି ସୁରକ୍ଷିତ ରହିବ? ଗୋଟିଏ ପକ୍ଷରେ ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଲାଗି ସବୁ ମହଲରେ ବ୍ୟଗ୍ରତା। ଅଥଚ ଅନ୍ୟପକ୍ଷରେ ସଂସ୍କାର ପ୍ରସଙ୍ଗ ଉପରେ ଗଠିତ ନ୍ୟାୟମୂର୍ତ୍ତି ବି.ପି. ଦାସ କମିସନ୍‌ ବର୍ତ୍ତମାନ କାର୍ଯ୍ୟକ୍ଷମ କି ନୁହେଁ, ସେ ବିଷୟ ସ୍ପଷ୍ଟ ନୁହେଁ। ଏହା ସ୍ୱତଃ ଶ୍ରୀମନ୍ଦିର ସଂସ୍କାର ପ୍ରତି ନିଷ୍ଠା ଓ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଉଛି।

ରତ୍ନଭଣ୍ଡାର ଚାବି ବିଭ୍ରାଟ ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ସଂସ୍କାର କମିସନ୍‌ଙ୍କୁ କାର୍ଯ୍ୟକ୍ଷମ କରି ଏହାର କାର୍ଯ୍ୟ ପରିସରକୁ ଆହୁରି ବ୍ୟାପକ କରାଯାଉ। ଆତଙ୍କବାଦୀ ଓ ଅନ୍ୟ ବାହ୍ୟ ବିପଦରୁ ଶ୍ରୀମନ୍ଦିର ସୁରକ୍ଷା ଯେତିକି ଜରୁରୀ, ଏହାର ଆଭ୍ୟନ୍ତରୀଣ ନିରାପତ୍ତା ଓ ସୁପରିଚାଳନା ତା’ଠାରୁ ଅଧିକ ଜରୁରୀ। ରତ୍ନଭଣ୍ଡାର ଚାବି ବିଭ୍ରାଟ ଆଲୋଚନା ଅବସରରେ ଏହା ଉଲ୍ଲେଖ କରିବା ଅପ୍ରାସଙ୍ଗିକ ହେବ ନାହିଁ ଯେ, ଶ୍ରୀମନ୍ଦିର ପରିଚାଳନା ସହ ସମ୍ପୃକ୍ତ ପକ୍ଷ ମାନଙ୍କ ମଧ୍ୟରେ ସଦିଚ୍ଛା, ସହଯୋଗ, ସମନ୍ଵୟ ଓ ବୁଝାମଣାର ଅଭାବ ଅନେକ ବିଭ୍ରାଟ ଓ ବିଶୃଙ୍ଖଳାର ମୂଳ। ବୁଝାମଣା, ସମନ୍ଵୟ ଅପେକ୍ଷା, ପାରସ୍ପରିକ ସନ୍ଦେହ ଓ ଛକାପଞ୍ଝା ଅନେକ ସମୟରେ ବିଭ୍ରାଟକୁ ଆମନ୍ତ୍ରଣ କରୁଛି। ତେବେ ଶ୍ରୀମନ୍ଦିର ବ୍ୟାପାରରେ ବିଶୃଙ୍ଖଳା ବିଭ୍ରାଟର କ୍ରମରେ ପୂର୍ଣ୍ଣଚ୍ଛେଦ ଟାଣିବା ଲାଗି ସବୁ ସମ୍ପୃକ୍ତ ପକ୍ଷ- ସେବାୟତ, ମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି ଓ ସରକାର ମଧ୍ୟରେ ସହଯୋଗ ଓ ସମନ୍ଵୟ ଅପରିହାର୍ଯ୍ୟ। ଅନ୍ୟ ସବୁ ବିଷୟକୁ ଗୌଣ କରି ଗୋଟିଏ ବିଷୟକୁ ମୁଖ୍ୟ କଲେ ଏହା ସମ୍ଭବ। ସେ ବିଷୟଟି ହେଲା, ସବୁ ପକ୍ଷ ଅନୁଭବ କରିବା ଉଚିତ ଯେ ସେମାନଙ୍କ କାର୍ଯ୍ୟ ଓ ମନୋଭାବ ସହ ମହାପ୍ରଭୁଙ୍କ ଆଧ୍ୟାତ୍ମିକ ଗରିମା ଓ ଜଗନ୍ନାଥ ପ୍ରାଣ ଓଡ଼ିଆଙ୍କ ଭାବନା- ସ୍ୱାଭିମାନ ଓତପ୍ରୋତ ଯୋଡ଼ି ହୋଇଛି।

ସମ୍ବନ୍ଧିତ ଖବର