ଅନ୍ୟ କୋଟିଆମାନଙ୍କ ଭାଗ୍ୟ?

0 113

ଆନ୍ଧ୍ର-ଓଡ଼ିଶା ଆନ୍ତଃରାଜ୍ୟ ସୀମା ବିବାଦର କେନ୍ଦ୍ରରେ ରହିଥିବା କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜର ବିକାଶ ଲାଗି ସରକାର ଏକ ନୀଳ ନକ୍‌ସା ପ୍ରସ୍ତୁତ କରିଛନ୍ତି। ଆନ୍ଧ୍ର ପ୍ରଦେଶ ସୀମାନ୍ତବର୍ତ୍ତୀ ଏକୋଇଶଟି ଗ୍ରାମ ପାଇଁ ପ୍ରସ୍ତୁତ ବିକାଶର ଏହି ନକ୍‌ସାକୁ ଆଗାମୀ ୩ ବର୍ଷ ମଧ୍ୟରେ ବାସ୍ତବତାର ରୂପ ଦେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ୧୫୦ କୋଟି ବ୍ୟୟ ଅଟକଳ ରଖାଯାଇଛି। ସାମଗ୍ରିକ ଭାବେ ବିକାଶ-ନକ୍‌ସାର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିତା ପାଇଁ ତିନି ବର୍ଷ ସମୟ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା, ବର୍ଷକ ମଧ୍ୟରେ ଅଗମ୍ୟ ସାତଟି ଗ୍ରାମକୁ ସଡ଼କ ସଂଯୋଗ, ଅନ୍ଧାରରେ ଥିବା ନଅଟି ଗ୍ରାମର ବିଦ୍ୟୁତ୍‌କରଣ ବର୍ଷକ ମଧ୍ୟରେ ସମ୍ପନ୍ନ ଲାଗି ଜରୁରୀକାଳୀନ ଭିତ୍ତିରେ କାର୍ଯ୍ୟ ହାତକୁ ନେବା ପାଇଁ ସ୍ଥିର ହୋଇଛି। ଉଲ୍ଲେଖନୀୟ ହେଲା, ସଡ଼କ ନିର୍ମାଣ, ବିଦ୍ୟୁତ୍‌ ସଂଯୋଗ ଭଳି ଭିତ୍ତିଭୂମିର ଉନ୍ନତି, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସାମାଜିକ କ୍ଷେତ୍ରର ବିକାଶ ସହ ସୀମାନ୍ତ ଅଞ୍ଚଳର ଆଉ ଏକ ପ୍ରମୁଖ ସମସ୍ୟା- ଶାସନରେ ଶୂନ୍ୟତାକୁ ପୂରଣ କରିବା ଦିଗରେ ମଧ୍ୟ ବିକାଶର ନକ୍‌ସାରେ ଗୁରୁତ୍ୱ ଦିଆଯାଇଛି। ପୁଲିସ୍‌ ଫାଣ୍ଡିକୁ ଥାନାରେ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦଶ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାକୁ ଉନ୍ନୀତ କରିବା ଲାଗି ନିଷ୍ପତ୍ତି ହୋଇଛି। ଗୋଟିଏ କୋଠାରେ ସବୁ ସରକାରୀ ଅଫିସ କାର୍ଯ୍ୟ କରିବ। ଏହାଦ୍ୱାରା କୋଟିଆ ବାସୀଙ୍କୁ ସରକାରୀ ସେବା ପହଞ୍ଚିବା ସହଜ ଓ ସୁଗମ ହୋଇପାରିବ।

କୋଟିଆ ଗ୍ରାମପୁଞ୍ଜର ବିକାଶ ଲାଗି ରାଜ୍ୟ ସରକାରଙ୍କ ବ୍ୟଗ୍ରତା ଓ ଏଥିପାଇଁ ଯୋଜନାବଦ୍ଧ ଉଦ୍ୟମ ନିଶ୍ଚୟ ସ୍ୱାଗତଯୋଗ୍ୟ। ଆଶା, ବିକାଶର ନକ୍‌ସା କାଗଜରେ ନରହି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କ୍ଷେତ୍ର ସ୍ତରରେ ବାସ୍ତବତାରେ ରୂପାନ୍ତରିତ ହେବ। ସୀମାନ୍ତ ଅଞ୍ଚଳରେ ପଡ଼ୋଶୀ ରାଜ୍ୟଙ୍କ ଅହେତୁକ ଅନୁପ୍ରବେଶ ଓ ହସ୍ତକ୍ଷେପର ଏହା ହେଉଛି ଠିକଣା ଜବାବ। ବିକାଶ ଓ କଲ୍ୟାଣ ହିଁ ସୀମାନ୍ତ ଅଞ୍ଚଳକୁ ମୁଖ୍ୟ ଭୂଖଣ୍ଡ ଓ ମୁଖ୍ୟ ସାମାଜିକ ସ୍ରୋତ ସହ ବାନ୍ଧି ରଖିପାରିବ। କହିବାରେ ଦ୍ୱିଧା ନାହିଁ ଯେ କୋଟିଆ ଗ୍ରାମପୁଞ୍ଜ ପାଇଁ ସରକାରଙ୍କ ବିକାଶ ଯୋଜନା ଏକ ସାଧୁ ପ୍ରୟାସ। ଏହା କେବଳ ପଡ଼ୋଶୀ ଆନ୍ଧ୍ରର ଲୋଲୁପ ଦୃଷ୍ଟିରେ ରହି ଆସିଥିବା ଏକୋଇଶଟି ସୀମାନ୍ତ ଗ୍ରାମର ଭାଗ୍ୟ ବଦଳାଇବ ନାହିଁ, ମାତୃଭୂମି ଓଡ଼ିଶା ସହ ଅଞ୍ଚଳବାସୀଙ୍କ ଆବେଗିକ ସମ୍ପର୍କ ଓ ଭାବଗତ ସଂହତିକୁ ମଧ୍ୟ ଅଧିକ ସୁଦୃଢ଼ କରିବ।

ତେବେ, ଏଠାରେ ସ୍ୱତଃ ପ୍ରଶ୍ନ ଉଠୁଛି, ସରକାରଙ୍କ ୧୫୦ କୋଟି ଟଙ୍କାର ତିନିବର୍ଷିଆ ବିକାଶ ନକ୍‌ସା କୋଟିଆ ଗ୍ରାମପୁଞ୍ଜର ଭାଗ୍ୟ ପରିବର୍ତ୍ତନର ସମ୍ଭାବନା ସୃଷ୍ଟି କରିଛି ସିନା, ବିବାଦୀୟ ଶହେରୁ ଅଧିକ ଗ୍ରାମ ସମେତ ଅନ୍ୟ ବହୁସଂଖ୍ୟକ ସୀମାନ୍ତବର୍ତ୍ତୀ ଉପାନ୍ତ, ଅଗମ୍ୟ ଗ୍ରାମମାନଙ୍କର ଭାଗ୍ୟ କ’ଣ ଏହା ଦ୍ୱାରା ବଦଳିବ? ୧୯୩୬ ଏପ୍ରିଲ୍‌ ପହିଲାରେ ଭାଷା ଭିତ୍ତିରେ ଆମେ ଯେଉଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପାଇଲେ, ତାହା ସ୍ୱତନ୍ତ୍ର ରାଜ୍ୟ ପାଇଁ ଦୀର୍ଘ ଆନ୍ଦୋଳନର ପରିକଳ୍ପିତ, ଆକାଂକ୍ଷିତ ଓଡ଼ିଶା ନଥିଲା। ମିଳିଲା ଏକ ଖଣ୍ଡିତ ଓଡ଼ିଶା। ଓଡ଼ିଶା ପ୍ରଦେଶ ସୀମା ବାହାରେ ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ରହିଗଲା। ଏ ‘ବିଚ୍ଛିନ୍ନାଞ୍ଚଳ’ ଭୌଗୋଳିକ ଦୃଷ୍ଟିରୁ ମାତୃଭୂମିଠାରୁ ବିଚ୍ଛିନ୍ନ ହୋଇ ରହିଲେ ସୁଦ୍ଧା ଭାବଗତ ଦୃଷ୍ଟିରୁ ଓଡ଼ିଶା ମା’ ସହ ଯୋଡ଼ି ହୋଇ ରହିଛି। ଓଡ଼ିଶା ଜନନୀର ଛାତିରେ ‘ବିଚ୍ଛିନ୍ନାଞ୍ଚଳ’ର କ୍ଷତ ଆଜି ବୟାଅଶୀ ବର୍ଷ ପରେ ବି ଶୁଖି ପାରି ନାହିଁ। ବିଚ୍ଛିନ୍ନାଞ୍ଚଳକୁ ବାଦ୍‌ ଦେଲେ ପ୍ରାୟ ୧ ଲକ୍ଷ ୫୫ ହଜାର ୭୦୭ ବର୍ଗ କିଲୋମିଟର ପରିମିତ ଭୂଖଣ୍ଡକୁ ଓଡ଼ିଶା କୁହାଯାଉଛି। କିନ୍ତୁ ମାନଚିତ୍ରରେ ଓଡ଼ିଶା ଭାବେ ଚିହ୍ନିତ ଏ ପୂରା ଭୂଖଣ୍ଡ କ’ଣ ଓଡ଼ିଶା ସରକାରଙ୍କ ଶାସନାଧୀନ? ସମଗ୍ର ଭୂ-ଖଣ୍ଡ ଉପରେ କ’ଣ ଭୁବନେଶ୍ୱରରେ ବସିଥିବା ସରକାରଙ୍କ ପ୍ରଶାସନିକ କର୍ତ୍ତୃତ୍ୱ ନିରଙ୍କୁଶ, ନିର୍ବିବାଦୀୟ? ଏ ପ୍ରଶ୍ନ ଅପ୍ରୀତିକର ହେଲେ ସୁଦ୍ଧା ଆଦୌ ଅବାନ୍ତର ନୁହେଁ।

Panda Mobile only

ଖୋଦ୍‌ ରାଜ୍ୟ ସରକାର ବିଧାନସଭାରେ ରଖିିଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୧୧୪ ଗ୍ରାମକୁ ନେଇ ପଡ଼ୋଶୀ ରାଜ୍ୟମାନଙ୍କ ସହ ବିବାଦ ଲାଗି ରହିଛି। ତେବେ, ସରକାରୀ ଭାବେ ଯେତିକି ସଂଖ୍ୟକ ଗ୍ରାମ ଆନ୍ତଃରାଜ୍ୟ ସୀମା ବିବାଦରେ ଫସିଥିବା ଦର୍ଶାଯାଉଛି, ତା’ଠାରୁ ଆହୁରି ଅଧିକ ସଂଖ୍ୟକ ଗ୍ରାମ ବିବାଦୀୟ। ସମ୍ଭବତଃ ସମୁଦ୍ର ତଟବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଛାଡ଼ି ଦେଲେ ପଡ଼ୋଶୀ ରାଜ୍ୟ ସହ ସୀମାରେ ଅବସ୍ଥିତ ପ୍ରାୟ ସବୁ ଜିଲ୍ଲାରେ କିଛି ନା କିଛି ଗ୍ରାମ ବିବାଦର କେନ୍ଦ୍ରରେ ରହି ଆସିଛି। ଦକ୍ଷିଣରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାର କେତେକ ଗ୍ରାମକୁ ନେଇ ଆନ୍ଧ୍ର ଓ ଛତିଶଗଡ଼ ସହ ସୀମା ବିବାଦ ଥିବା ବେଳେ ଉତ୍ତରରେ ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କେତେକ ଗ୍ରାମକୁ ନେଇ ପଶ୍ଚିମବଂଗ ଓ ଝାଡ଼ଖଣ୍ଡ ସହ ବିବାଦ ରହିଛି। ପଶ୍ଚିମରେ ଅବିଭକ୍ତ ସମ୍ବଲପୁର ଏବଂ ସୁନ୍ଦରଗଡ଼ର କେତେ ଗ୍ରାମକୁ ନେଇ ଛତିଶଗଡ଼ ସହ ବିବାଦ ରହିଛି। ଓଡ଼ିଶା ସୀମା ମଧ୍ୟକୁ ପଡ଼ୋଶୀ ରାଜ୍ୟର ଅନୁପ୍ରବେଶ ଓ ସେଠାରେ ଅନଧିକାର ନିର୍ମାଣ କିମ୍ବା ଓଡ଼ିଶା ସରକାରଙ୍କ ଦ୍ୱାରା ଓଡ଼ିଶା ଅଞ୍ଚଳର ନିର୍ମାଣକୁ ପଡ଼ୋଶୀ ରାଜ୍ୟର ବିରୋଧ ଅନେକ ସମୟରେ ଶିରୋନାମାରେ ରହି ରାଜ୍ୟବାସୀଙ୍କ ମନରେ ଅସ୍ୱସ୍ତି ସୃଷ୍ଟି କରିଛି।

ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ସୀମାନ୍ତ ଅଞ୍ଚଳର ଅନୁନ୍ନତ ଅବହେଳିତ ଅବସ୍ଥା ଓ ଶାସନରେ ଶୂନ୍ୟତା ପଡ଼ୋଶୀ ରାଜ୍ୟଙ୍କ ଅଯଥା ଅନୁପ୍ରବେଶ ଓ ଅହେତୁକ ହସ୍ତକ୍ଷେପ ଲାଗି ଅବକାଶ ସୃଷ୍ଟି କରିଥାଏ। ଏହି ପ୍ରକ୍ରିୟାରେ ମୁଖ୍ୟ ଭୂଖଣ୍ଡ ସହ ସୀମାନ୍ତ ଅଞ୍ଚଳର ଆବେଗିକ ଓ ଭାବଗତ ସମ୍ପର୍କ ପ୍ରଭାବିତ ହୋଇଥାଏ। ଉଦ୍‌ବେଗର ବିଷୟ ହେଲା, ସୀମା ବିବାଦ ଆଳରେ ପଡ଼ୋଶୀ ରାଜ୍ୟଙ୍କ ଆକ୍ରମଣାତ୍ମକ ସାଂସ୍କୃତିକ- ସାମାଜିକ ପ୍ରଭାବ ବିସ୍ତାର ଉଦ୍ୟମ ସୀମାନ୍ତ ଅଞ୍ଚଳରେ ଓଡ଼ିଶା ଓ ଓଡ଼ିଆଙ୍କ ଭାବଗତ ସଂହତି ପ୍ରତି ପ୍ରତିକୂଳ ପରିବେଶ ସୃଷ୍ଟି କରୁଛି। ଆଞ୍ଚଳିକ ବୈଷମ୍ୟ କମିସନ୍‌ ବୋଧହୁଏ ଏହା ଅନୁଭବ କରି ସୀମାନ୍ତ ଅଞ୍ଚଳର ବିକାଶ ଲାଗି କେବଳ ସ୍ୱତନ୍ତ୍ର ଯୋଜନା ନୁହେଁ, ସ୍ୱତନ୍ତ୍ର ପ୍ରଶାସନିକ ଢାଞ୍ଚା ପ୍ରବର୍ତ୍ତନ ଲାଗି ସୁପାରିସ କରୁଥିଲେ। ଅବଶ୍ୟ, ଏହା ଭିନ୍ନ କଥା ଯେ, ଆଞ୍ଚଳିକ କମିସନ୍‌ଙ୍କ ରିପୋର୍ଟ ଗତ ଦଶବର୍ଷ ଧରି ଶୀତଳ ଭଣ୍ଡାରରେ ପଡ଼ିରହିଛି। ଏଥିରୁ ସୀମାନ୍ତ ଅଞ୍ଚଳ ପ୍ରତି ସରକାରୀ କଳର ଆଭିମୁଖ୍ୟ କ’ଣ, ସମ୍ବେଦନଶୀଳତା କେତେ ତାହା ସହଜରେ ଅନୁମେୟ। ସରକାରୀ କଳର ଉଦାସୀନତା ଓ ସମ୍ବେଦନଶୂନ୍ୟତାର କୁପରିଣତି ହେଉଛି କୋଟିଆ ଭଳି ସମସ୍ୟା।

ଆଶ୍ୱାସନାର ବିଷୟ, ଲେଡ଼ି ଗୁଡ଼ କହୁଣିକୁ ବୋହିଯିବା ବେଳକୁ ସରକାରୀ କଳର ସେ ପୁରୁଣା ଆଭିମୁଖ୍ୟରେ ପରିବର୍ତ୍ତନର ଲକ୍ଷଣ ପରିଲକ୍ଷିତ ହେଉଛି। କୋଟିଆ ଗ୍ରାମ ପୁଞ୍ଜ ପାଇଁ ୧୫୦ କୋଟିର ବିକାଶ ଯୋଜନା ତାର ଶୁଭ ସଂକେତ। ତେବେ ବିକାଶ ଆଢ଼ୁଆଳରେ ରହି ମୁଖ୍ୟ ସ୍ରୋତରୁ ଦୂରେଇ ଯାଉଥିବା କୋଟିଆ ଭଳି ସୀମାନ୍ତବର୍ତ୍ତୀ ଅନ୍ୟ ଅଞ୍ଚଳଗୁଡ଼ିକ ପାଇଁ ମଧ୍ୟ ଅନୁରୂପ ବିକାଶ ନକ୍ସା ତିଆରିକୁ ଆଉ ଟାଳି ଦିଆଯାଇ ନ ପାରେ। ଏଥିରେ ଅଧିକ ବିଳମ୍ବ ଓଡ଼ିଶା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ସୀମାନ୍ତ ଅଞ୍ଚଳ ବିକାଶ ଲାଗି ଯୋଜନା ଯଥାଶୀଘ୍ର ଚୂଡ଼ାନ୍ତ କରାଯାଉ। ଆବଶ୍ୟକ ପଡ଼ିଲେ ଆଞ୍ଚଳିକ ବୈଷମ୍ୟ କମିସନ୍‌ଙ୍କ ସୁପାରିସ ଅନୁଯାୟୀ ସ୍ୱତନ୍ତ୍ର ସ୍ୱାଧୀନ ବିକାଶ ବୋର୍ଡ କିମ୍ବା ପ୍ରାଧିକରଣ ଗଠନ କରାଯାଇ ‘ମିସନ୍‌ ମୋଡ୍‌’ରେ ଯୋଜନାର ବାସ୍ତବ ରୂପାୟନ ହେଉ। ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ପ୍ରାୟ ୧୨ ହଜାର ଗ୍ରାମ ଅଗମ୍ୟ, ସଡ଼କ ସଂଯୋଗରୁ ବଞ୍ଚିତ। ଯେହେତୁ ଅଗମ୍ୟ, ଅପହଞ୍ଚ, ସରକାରୀ କଲ୍ୟାଣ କାର୍ଯ୍ୟକ୍ରମ ଓ ବିକାଶ ମଧ୍ୟ ସେହି ଗ୍ରାମଗୁଡ଼ିକ ପାଇଁ ଅପହଞ୍ଚ, ଅପରିଚିତ। ଏହି ପ୍ରାୟ ୧୨ହଜାର ଅଗମ୍ୟ, ଅପହଞ୍ଚ ଗ୍ରାମ ମଧ୍ୟରୁ ଅଧିକାଂଶ ସୀମାନ୍ତ ଇଲାକାରେ। କୋଟିଆ ଭଳି ସୀମାନ୍ତରେ ଥିବା ଏହି ଅଭାଗା, ଅପହଞ୍ଚ, ଅଗମ୍ୟ ଗ୍ରାମଗୁଡ଼ିକର ଭାଗ୍ୟ ପରିବର୍ତ୍ତନ ଅବଶ୍ୟ ସମ୍ଭବ। ଯଦି ମାତ୍ର ଦୁଇବର୍ଷରେ ଅପପୁଷ୍ଟି ଆକ୍ରାନ୍ତ ଯାଜପୁର ଜିଲ୍ଲାର ଅପହଞ୍ଚ ନଗଡ଼ାର ଚିତ୍ର ବଦଳିଗଲା, ତେବେ ଅନ୍ୟ ଅଗମ୍ୟ, ଅପହଞ୍ଚ ଗ୍ରାମଗୁଡ଼ିକର ଭାଗ୍ୟ ବଦଳି ପାରିବ ନାହିଁ କାହିଁକି? ଅବଶ୍ୟ, ଏ ପରିବର୍ତ୍ତନ ପର୍ବ ପାଇଁ ପାଣ୍ଠି ଯେତେ ଆବଶ୍ୟକ ନୁହେଁ, ତା’ଠାରୁ ଅଧିକ ଆବଶ୍ୟକ ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ନିଷ୍ଠା, ଆନ୍ତରିକତା। ସେଥିରେ ନିଶ୍ଚୟ ନିଅଣ୍ଟିଆ ରହୁଛି। ଅନ୍ୟଥା ନଗଡ଼ାର ଚିତ୍ର ବଦଳି ଥିଲେ ସୁଦ୍ଧା, ନିକଟସ୍ଥ ଦୁଇଟି ଅଖ୍ୟାତ ଆଦିବାସୀ ପଲ୍ଲୀ ଟୁମୁଣି ଓ ଗୁହିଆଶାଳ ସମାନ ନଗଡ଼ା ଦଶାରୁ ମୁକ୍ତି ଲାଗି ଅପେକ୍ଷା କରି ରହି ନଥାନ୍ତେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.