ଭୌତିକ ରେଳ

0 183

ଯେହେତୁ ଶନିବାର ରାତିରେ ଟିଟିଲାଗଡ଼ ଠାରେ ଘଟିଥିବା ଇଂଜିନ୍‌ବିହୀନ ରେଳଗାଡ଼ି ଗଡ଼ିବା ଘଟଣାରେ ଈଶ୍ୱରଙ୍କ ଅଶେଷ କୃପା ବଳରେ ସମସ୍ତ ପ୍ରାୟ ଦେଢ଼ ହଜାର ସରିକି ଆରୋହୀ ନିରାପଦ ରହିଛନ୍ତି ଓ କୌଣସି କ୍ଷୟକ୍ଷତି ଘଟି ନାହିଁ, ବ୍ୟଙ୍ଗକାରମାନେ ଏହା ଦ୍ୱାରା ଆଶ୍ୱସ୍ତ ହୋଇ ଘଟଣାଟିକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିପାରନ୍ତି। ସେମାନେ କହି ପାରନ୍ତି ଏହା ପ୍ରକୃତରେ ଏକ ଅବହେଳା କିମ୍ବା ଦୁର୍ଘଟଣା ନଥିଲା, ଏହା ଥିଲା ଭାରତୀୟ ରେଳବାଇ ଜାଣିଶୁଣି ଆୟୋଜନ କରିଥିବା ଏକ ଅଭ୍ୟାସ ଯାତ୍ରା। ସେମାନେ ଏଥିପାଇଁ ଘଟଣା ଘଟିବାର ୧୧ ଦିନ ତଳେ ରେଳମନ୍ତ୍ରୀ ପୀୟୂଷ ଗୋୟାଲ୍‌ ପ୍ରସାର କରିଥିବା ଏକ ଟ୍ଵିଟ୍‌ ପ୍ରତି ଦୃଷ୍ଟି ଆକର୍ଷଣ କରି ପାରନ୍ତି।

ଦେଶରେ ଇଂଜିନ୍‌ବିହୀନ ରେଳଗାଡ଼ି ପ୍ରବର୍ତ୍ତନ କରିବା ସମ୍ପର୍କରେ ମାର୍ଚ୍ଚ ୨୮ ତାରିଖ ଦିନ ପୀୟୂଷ ଗୋୟାଲ୍‌ କରିଥିବା ଟ୍ଵିଟ୍‌ ଥିଲା ଅବିକଳ ଏହି ଭଳି: ‘‘ଏକ ବୃହତ୍‌ ପ୍ରାବିଧିକ ଲମ୍ଫ: ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ ସର୍ବାଧୁନିକ ସୁବିଧାସୁଯୋଗ ପ୍ରଦାନ କରିବା ପାଇଁ, ଯାତ୍ରା ସମୟ ହ୍ରାସ କରିବା ପାଇଁ ଏବଂ ସେମାନଙ୍କ ଅନୁଭୂତିରେ ଉନ୍ନତି ଆଣିବା ପାଇଁ ଇଣ୍ଟରସିଟି ଯାତ୍ରାରେ ପ୍ରଥମ ସ୍ୱୟଂଚାଳିତ ଆଂଶିକ ଉଚ୍ଚବେଗ ସମ୍ପନ୍ନ ମେକ୍‌-ଇନ୍‌-ଇଣ୍ଡିଆ ରେଳଗାଡ଼ି ପ୍ରବର୍ତ୍ତନ କରିବାକୁ ଯାଉଛି।’’ ଗୋୟାଲ୍‌ଙ୍କ ସୂଚନା ଅନୁସାରେ ଆଉ ମାତ୍ର ଦୁଇମାସ ପରେ, ଜୁନ୍‌ ୨୦୧୮ରେ ଏହି ଇଂଜିନ୍‌ବିହୀନ ଦ୍ରୁତଗତିଶୀଳ ରେଳ ଗାଡ଼ିର ଶୁଭାରମ୍ଭ ହେବାକୁ ଯାଉଛି। ତେଣୁ ଚଳିତ ବର୍ଷର ନାମ ଅନୁସାରେ ଏହି ରେଳଗାଡ଼ିର ନାମକରଣ କରାଯାଇଛି-‘ଟ୍ରେନ୍‌ ୧୮’। ଏହି ଇଂଜିନ୍‌ବିହୀନ ଟ୍ରେନ୍‌ ଗୁଡ଼ିକ ଘଣ୍ଟାକୁ ୧୬୦ କିମି ବେଗରେ ଗତି କରିବେ ଏବଂ କ୍ରମେ ଶତାବ୍ଦୀ ଏକ୍ସପ୍ରେସ୍‌ର ସ୍ଥାନ ନେବେ। ଗାଡ଼ିରେ ଇଂଜିନ୍‌ ଖଞ୍ଜାଖଞ୍ଜି ଝଂଝଟ୍‌ ନଥିବାରୁ ଯାତ୍ରା ସମୟରେ ବିଶେଷ ହ୍ରାସ ଘଟିବ ବୋଲି ଆଶା କରାଯାଉଛି।
ତେଣୁ ବ୍ୟଙ୍ଗକାରମାନେ କହିବେ ଦୁଇମାସ ପୂର୍ବରୁ ପୀୟୂଷ ଗୋୟାଲ୍‌ଙ୍କ ନିର୍ଦ୍ଦେଶରେ ବୋଧହୁଏ ସେଦିନ ରାତିରେ ଟିଟିଲାଗଡ଼ଠାରେ ଏକ ଇଂଜିନ୍‌ବିହୀନ ରେଳରେ ଯାତ୍ରୀମାନଙ୍କୁ ବସାଇ ସେମାନଙ୍କ ଅଜାଣତରେ ଏହାର ଏକ ପରୀକ୍ଷାମୂୂଳକ ଯାତ୍ରା ଆୟୋଜିତ ହୋଇଥିଲା। ଯେହେତୁ ଏହା ପରୀକ୍ଷାମୂଳକ ଥିଲା, ତେଣୁ ସତର୍କତାର ସହିତ ଏହାକୁ ସର୍ବାଧିକ ବେଗରେ ଚଳା ନଯାଇ ଘଣ୍ଟାକୁ ୩୦-୪୦ କିମି ବେଗରେ ଚାଲିବାକୁ ଦିଆଯାଇଥିଲା। ରେଳବାଇ ଓ ରେଳମନ୍ତ୍ରୀ ଇଂଜିନ୍‌ବିହୀନ ରେଳଗାଡ଼ିର ଏହି ୧୩ କିମିର ପ୍ରଥମ ପରୀକ୍ଷାମୂଳକ ଯାତ୍ରାର ନିରାପତ୍ତା ଫଳାଫଳ ନେଇ ନିଶ୍ଚୟ ସମ୍ପୂର୍ଣ୍ଣ ରୂପେ ସନ୍ତୁଷ୍ଟ ଥିବେ; କାରଣ ଏହି ଅଭିନବ ଯାତ୍ରାରେ ସମସ୍ତଙ୍କର ଧନଜୀବନ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିବା ଦେଖାଯାଇଛି। ଗୋୟାଲ ମହାଶୟ ଟ୍ଵିଟ୍‌ କରିଥିବା ଭଳି ଏହି ରେଳର ଯାତ୍ରୀମାନଙ୍କର ଯାତ୍ରା ଅନୁଭୂତିରେ ମଧ୍ୟ ଅବର୍ଣ୍ଣନୀୟ ଉନ୍ନତି ଘଟିଛି। ସେମାନଙ୍କର ଅନୁଭୂତି କୌଣସି ବିପଜ୍ଜନକ ଆଡ୍‌ଭେଞ୍ଚର ସ୍ପୋଟ୍‌ର୍ସରେ ଅଂଶ ଗ୍ରହଣ କରିବା କିମ୍ବା ଭୟାନକ ହରର୍‌ ସିନେମା ଦେଖିବାର ଲୋମହର୍ଷଣକାରୀ ଅନୁଭୂତି ସହିତ ତୁଳନୀୟ। ସାଧାରଣ ରେଳ ଯାତ୍ରାରେ ଏଭଳି ଅନୁଭୂତି ସଂଗ୍ରହ କରିବା ଅତ୍ୟନ୍ତ ବିରଳ। ସେମାନେ ତେଣୁ ଭାରତୀୟ ରେଳବାଇ ନିକଟରେ କୃତଜ୍ଞ।

ଅନ୍ୟ କେତେକ ବ୍ୟଙ୍ଗକାର ଶନିବାର ରାତ୍ରିର ଅନ୍ଧକାରରେ ଟିଟିଲାଗଡ଼ ଠାରେ ଏହି ଇଂଜିନ୍‌ବିହୀନ ରେଳଗାଡ଼ିର ପଛୁଆ ଯାତ୍ରାକୁ ଭାରତୀୟ ରେଳବାଇର ଅନ୍ୟ ଏକ କିସମର ପ୍ରଥମ ଉପଲବ୍‌ଧି ରୂପେ ଦେଖିପାରନ୍ତି। ପୃଥିବୀର ଅନେକ ଦେଶର ଲୋକକଥାରୁ ଆରମ୍ଭ କରି ଗଳ୍ପ, ନାଟକ ପର୍ଯ୍ୟନ୍ତରେ ବର୍ଣ୍ଣିତ ଭୌତିକ କାହାଣୀମାନଙ୍କରେ ବେଳେ ବେଳେ କେନ୍ଦ୍ରୀୟ ଭୂମିକାରେ ଏକ ବିରଳ ଭୌତିକ ଚରିତ୍ରକୁ ଦେଖିବାକୁ ମିଳିଥାଏ: ଏକ ଭୌତିକ ରେଳଗାଡ଼ି! ସେଥିମଧ୍ୟରୁ କେତୋଟି ଉଦାହରଣ ଏଠାରେ ଉଲ୍ଲେଖ କରାଯାଇପାରେ। ନାଟ୍ୟକାର ତଥା ଅଭିନେତା ଆର୍ନଲ୍‌ଡ ରିଡ୍‌ଲୀଙ୍କର ୧୯୨୩ରେ ରଚିତ ନାଟକ ‘ଦି ଘୋଷ୍ଟ ଟ୍ରେନ୍‌’ରେ ଏକ ଷ୍ଟେସନରେ ଅପେକ୍ଷାରତ ଯାତ୍ରୀମାନେ ଏକ ଭୌତିକ ରେଳଗାଡ଼ିର ଆଗମନ ଆଶଙ୍କାରେ ଜଡ଼ସଡ଼ ହେବା ଦେଖାଯାଇଛି। ପିଲାମାନଙ୍କର ଏବେ ବି ପ୍ରିୟ ଏନିଡ୍‌ ବ୍ଲାଇଟନ୍‌ଙ୍କ ରଚିତ ‘ଫେମସ୍‌ ଫାଇଭ୍‌’ ସିରିଜ୍‌ର ୧୯୪୮ରେ ଲିଖିତ ‘ଫାଇଭ୍‌ ଗୋ ଅଫ୍‌ ଟୁ କ୍ୟାମ୍ପ୍‌’ରେ ଅପରାଧୀମାନେ ଭୂତ ଟ୍ରେନ୍‌ର ଭୟ ସୃଷ୍ଟି କରି ଅପରାଧ କରିବା ଦେଖାଯାଇଛି। କ୍ଲାଇଭ୍‌ କସ୍‌ଲର୍‌ଙ୍କର ୧୯୮୧ର କାହାଣୀ ‘ନାଇଟ୍‌ ପ୍ରୋବ୍‌’ରେ ଏକ ଝଡ଼ ବର୍ଷା ରାତିରେ ମାନ୍‌ହାଟ୍ଟାନ୍‌ ଏକ୍ସପ୍ରେସ୍‌ ପାସେଞ୍ଜର୍‌ ଟ୍ରେନ୍‌ଟି ହଡ୍‌ସନ୍‌ ନଦୀରେ ଗଳିପଡ଼ିଛି; କିନ୍ତୁ ବେଳେ ବେଳେ ଝଡ଼ ବର୍ଷା ରାତିରେ ସେଇ ଟ୍ରେନ୍‌ଟିକୁ ପୁଣି ଚାଲିବା ଅବସ୍ଥାରେ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ବି ସିନେମାରୁ କାହାଣୀ ପର୍ଯ୍ୟନ୍ତରେ ଏଭଳି ଭୌତିକ ରେଳଗାଡ଼ିକୁ ଦେଖିବାକୁ ମିଳିଥାଏ। ସେହିପରି ଲୋକ କଥାରେ ମଧ୍ୟ ଭୂତ ଟ୍ରେନ୍‌ର ଅଭାବ ନାହିଁ। ସ୍ୱିଡେନ୍‌ର ରାଜଧାନୀ ଷ୍ଟକ୍‌ହୋମ୍‌ର ମେଟ୍ରୋ ଟ୍ରେନ୍‌ ‘ସିଲ୍‌ଭର୍‌ପିଲେନ୍‌’ ହେଉଛି ଏଇଭଳି ଏକ ଭୌତିକ ରେଳଗାଡ଼ି ଯାହାର ଅସ୍ତିତ୍ୱକୁ ଏବେ ବି ଅନେକ ଲୋକ ବିଶ୍ୱାସ କରିଥାନ୍ତି।

Panda Mobile only

କାନାଡାରେ ସେହିପରି ‘ସେଣ୍ଟ୍‌ ଲୁଇ ଲାଇଟ୍‌’ ନାମକ ଭୂତ ରେଳ ଅନେକଙ୍କର ବିଶ୍ୱାସଭାଜନ ହୋଇଥାଏ। କେତେଦିନ ତଳେ ଦୁଇଜଣ ଛାତ୍ର ଏହାକୁ ମିଥ୍ୟା ସାବ୍ୟସ୍ତ କରି ପୁରସ୍କାର ଲାଭ କରିଥିଲେ। ଭାରତରେ କିନ୍ତୁ ସତ୍ୟଜିତ୍‌ ରାୟଙ୍କ ଗଳ୍ପ ‘ଫାଷ୍ଟ୍‍ କ୍ଲାସ୍‌ କାମ୍‌ରା’ରୁ ଆରମ୍ଭ କରି ସୈଦ୍‌ ମୁସ୍ତାଫା ସିରାଜ୍‌ଙ୍କ କାହାଣୀ ‘ଷ୍ଟେସନେର୍‌ ନାମ୍‌ ଘୁମ୍‌ଘୁମି’ ଭଳି ଅନେକ କାହାଣୀରେ ରେଳଗାଡ଼ି ସମ୍ପର୍କିତ ଅନେକ ଅଲୌକିକ କଥା ବର୍ଣ୍ଣିତ ହୋଇଥିଲେ ହେଁ ସେ ସବୁରେ ସମସ୍ତ ଭୌତିକ ଚରିତ୍ରମାନେ ହେଉଛନ୍ତି ମାନବୀୟ; ରେଳ କମ୍ପାର୍ଟମେଣ୍ଟ୍‌ କିମ୍ବା ରେଳ ଷ୍ଟେସନ୍‌ କେବଳ କାହାଣୀର ସ୍ଥାନ ରୂପେ ବ୍ୟବହୃତ ହୋଇଛି ଯାହା। ଖୋଦ୍‌ ରେଳଗାଡ଼ିଟିର କେବେ ଭୌତିକ ଆବିର୍ଭାବ ଘଟିନାହିଁ।

ମନେହେଉଛି ଭାରତୀୟ ରେଳବାଇର ସୌଜନ୍ୟରୁ ଟିଟିଲାଗଡ଼ରେ ସେଦିନ ଏହି ଇଂଜିନ୍‌ହୀନ ରେଳର ନିଃଶବ୍ଦ ଅନ୍ଧାରି ଯାତ୍ରା ଭାରତୀୟ ଲୋକକଥା କିମ୍ବା କାହାଣୀ ଆଦିରେ ଥିବା ସେଇ ଅଭାବ ପୂରଣ କରିବାରେ ସାହାଯ୍ୟ କରିବ। ଯେଉଁମାନେ ସେ ରାତିରେ ସେ ମସ୍ତକହୀନ ରେଳଗାଡ଼ିରେ ଯାତ୍ରା ସ୍ୱଚକ୍ଷୁରେ ଦେଖିଥିବେ ଏବଂ ଯେଉଁମାନେ ତାହାର ବର୍ଣ୍ଣନା ପଢ଼ିଥିବେ ବା ଶୁଣିଥିବେ, ସେମାନଙ୍କ ମଧ୍ୟରୁ ଅନେକଙ୍କ ମନରେ ଏହି ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍‌ ଏକ ଭୌତିକ ରେଳର ଧାରଣା ସୃଷ୍ଟି କରିଥିବା ସମ୍ପୂର୍ଣ୍ଣ ସମ୍ଭବ। କିଏ ଜାଣେ ସେମାନଙ୍କ ମଧ୍ୟରୁ କେହି କଥାକାର ଏହାକୁ ଏକ କାହାଣୀର ରୂପ ନ ଦେବେ?

ତେବେ ଆମେ ନିଶ୍ଚିତ ଯେ ମନ୍ତ୍ରୀ ପୀୟୂଷ ଗୋୟାଲ୍‌ ଏଥି ପାଇଁ କୌଣସି ଶ୍ରେୟ ନେବାକୁ ଆଦୌ ଚାହିଁବେ ନାହିଁ। ମୋଦୀ ସରକାରରେ ଗୋୟାଲ୍‌ ହେଉଛନ୍ତି ଜଣେ ବିରଳ ଦକ୍ଷତା ସମ୍ପନ୍ନ ମନ୍ତ୍ରୀ। ରେଳବାଇକୁ ଏକ ଦକ୍ଷ, ଆଧୁନିକ, ନିରାପଦ ପରିବହନ ସଂଗଠନରେ ପରିଣତ କରିବା ହେଉଛି ତାଙ୍କର ଲକ୍ଷ୍ୟ। ଟିଟିଲାଗଡ଼ ଘଟଣାରୁ ସେ ଶିକ୍ଷାଲାଭ କରିବା ଉଚିତ ଯେ କେବଳ ସେ ଟ୍ଵିଟ୍‌ କରିଥିବା ଭଳି ‘ପ୍ରାବିଧିକ ଲଂଫ’ (ଟେକନୋଲୋଜିରେ ଉନ୍ନତି) ଦ୍ୱାରା ସେ ଏ ଲକ୍ଷ୍ୟ ହାସଲ କରିପାରିବେ ନାହିଁ। ରେଳବାଇରେ ନିଯୁକ୍ତ ଲୋକଶକ୍ତିର ଦକ୍ଷତା, ଉତ୍ତରଦାୟିତା ଓ ଆନ୍ତରିକତାରେ ବୈପ୍ଳବିକ ପରିବର୍ତ୍ତନ ବିନା ଏହା ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.