ସନ୍ଦିଗ୍ଧ ରାଜନୈତିକ ଚାନ୍ଦା

କ୍ଷମତାସୀନ ଭାରତୀୟ ଜନତା ପାର୍ଟି ଓ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳଙ୍କ ୨୦୧୬-୧୭ ବର୍ଷ ପାଇଁ ଆୟ-ବ୍ୟୟର ହିସାବ ଫର୍ଦ୍ଦ ପ୍ରକାଶ ପାଇଛି। ପୂର୍ବ ୨୦୧୫-୧୬ ବର୍ଷ ତୁଳନାରେ ବିଜେପିର ଆୟ ୮୧% ବୃଦ୍ଧି ପାଇଥିବା ବେଳେ କଂଗ୍ରେସ ଆୟର ସ୍ରୋତ ଶୁଖି ୧୪ ପ୍ରତିଶତ କମିଛି। ଗତ ୨୦୧୪ରେ କେନ୍ଦ୍ରରେ ପଟ୍ଟ ପରିବର୍ତ୍ତନ ପରେ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସର ଆୟରେ ଯଥାକ୍ରମେ ଊର୍ଦ୍ଧ୍ୱଗାମୀ ଓ ନିମ୍ନଗାମୀ ଧାରା ଜାରି ରହିଛି। ଚାରିବର୍ଷରେ ବିଜେପିର ଆୟ ଊର୍ଦ୍ଧ୍ୱଗାମୀ ହୋଇ ୫୩% ବୃଦ୍ଧି ପାଇ ବାର୍ଷିକ ୬୭୩ କୋଟିରୁ ୧୦୩୪ କୋଟି ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ, କଂଗ୍ରେସର ଆୟ ୨୦୧୪ରେ ୫୯୮ କୋଟିରୁ ୨୦୧୭ରେ ୨୨୫ କୋଟି ଟଙ୍କାକୁ ଖସି ୬୨% ହ୍ରାସ ପାଇଛି। ଆୟ ବୃଦ୍ଧି ସହ ବିଜେପିର ବ୍ୟୟ ମଧ୍ୟ ବୃଦ୍ଧି ପାଇଛି। ୨୦୧୬-୧୭ରେ ବିଜେପିର ନିର୍ବାଚନ ବାବଦ ୬୦୬ କୋଟି ଟଙ୍କା ଖର୍ଚ୍ଚ ସହ ମୋଟ ବ୍ୟୟ ପରିମାଣ ଥିଲା ୭୧୦ କୋଟି ଟଙ୍କା। ଅନ୍ୟପକ୍ଷରେ କଂଗ୍ରେସର ମୋଟ ଖର୍ଚ୍ଚ ପରିମାଣ ଥିଲା ୩୨୧ କୋଟି (ଆୟଠାରୁ ଅଧିକ) ଟଙ୍କା ଏବଂ ସେଥିରୁ ନିର୍ବାଚନ ବ୍ୟୟ ପରିମାଣ ଥିଲା ୧୪୯ କୋଟି ଟଙ୍କା। ଅର୍ଥାତ୍‌ ଗତବର୍ଷ କଂଗ୍ରେସ ତୁଳନାରେ ବିଜେପିର ନିର୍ବାଚନ ଖର୍ଚ୍ଚ ୪ ଗୁଣ ଅଧିକ ଥିଲା। ଏଥିରୁ ଗୋଟିଏ ବିଷୟ ସ୍ପଷ୍ଟ ହେଉଛି ଯେ, କ୍ଷମତା ଆସିଲେ ସ୍ୱତଃ ଅର୍ଥ ମଧ୍ୟ ହାତକୁ ଆସେ। କ୍ଷମତାରେ ତିଷ୍ଠି ରହିବା ସହ କ୍ଷମତାର ପରିସରକୁ ସଂପ୍ରସାରଣ ସକାଶେ ସେହି ଅର୍ଥର ହାତଖୋଲା ବିନିଯୋଗ ପାଇଁ କ୍ଷମତାସୀନ ରାଜନୈତିକ ଦଳକୁ ସୁଯୋଗ ମିଳେ। ଅନ୍ୟପକ୍ଷରେ ହାତରେ କ୍ଷମତା ନରହିଲେ ପାଣ୍ଠିର ଅବଗାହନ ସହଜ ହୁଏ ନାହିଁ, ଫଳତଃ କ୍ଷମତା ହାସଲ ଲକ୍ଷ୍ୟରେ ରାଜନୈତିକ କାର୍ଯ୍ୟକ୍ରମ ସକାଶେ ଖର୍ଚ୍ଚ ସଙ୍କୁଚିତ ହୁଏ।

ଦୁଇ ପ୍ରମୁଖ ରାଜନୈତିକ ଦଳଙ୍କ ଆୟ-ବ୍ୟୟର ହିସାବ ଫର୍ଦରେ ରାଜନୈତିକ ଚାନ୍ଦା ପ୍ରସଙ୍ଗରେ ପ୍ରତିଫଳିତ ହୋଇଥିବା ଅଲୋଡ଼ା, ଅଥଚ ବାସ୍ତବ ଚିତ୍ର ଓ ରାଜନୀତିର ଚରିତ୍ର ଆଦୌ ଅପ୍ରତ୍ୟାଶିତ କିମ୍ବା ଅସ୍ୱାଭାବିକ ନୁହେଁ। ଏହା କ୍ୱଚିତ୍‌ କାହାକୁ ଚିନ୍ତିତ କରୁଥିବ। କିନ୍ତୁ ରାଜନୈତିକ ଚାନ୍ଦା ପ୍ରସଙ୍ଗରେ ଯାହା ବିଶେଷ ଚିନ୍ତିତ ଓ ବିଚଳିତ କରୁଛି, ତାହା ହେଲା ପାଣ୍ଠି ସଂଗ୍ରହରେ ଅହେତୁକ ଗୋପନୀୟତା ଓ ଅସ୍ୱଚ୍ଛତା। ଦଳମାନେ ପାଉଥିବା ମୋଟ ଚାନ୍ଦାର ତିନି ଚତୁର୍ଥାଂଶ କେଉଁଠୁ ଆସୁଛି, ବଦାନ୍ୟ ଚାନ୍ଦା ଦାତାମାନେ କିଏ, ତାହା କାହାକୁ ଜଣା ନାହିଁ। ୨୦୧୬-୧୭ରେ ବିଜେପି ‘ଅଜଣା ସୂତ୍ର’ରୁ ୪୬୪ କୋଟି ଟଙ୍କା ପାଇଛି। କଂଗ୍ରେସ ଏହି ବର୍ଷ ‘ଅଜଣା ସୂତ୍ର’ରୁ କେତେ ଚାନ୍ଦା ପାଇଛି, ତା’ର ସ୍ପଷ୍ଟ ହିସାବ ନଥିଲେ ମଧ୍ୟ ୨୦୧୫-୧୬ରେ ସର୍ବପୁରାତନ ଦଳ ଅଜଣା ସୂତ୍ରରୁ ପାଇଥିବା ପାଣ୍ଠିର ପରିମାଣ ଥିଲା ୧୮୬ କୋଟି ଟଙ୍କା। ଯାହା ଦଳ ପାଇଥିବା ମୋଟ ଚାନ୍ଦା ପରିମାଣର ୭୧%। ସେହି ବର୍ଷ ବିଜେପି ମଧ୍ୟ ୪୬୧ କୋଟି ଟଙ୍କା (ମୋଟ ଚାନ୍ଦା ପରିମାଣର ୮୧%) ଅଜଣା ସୂତ୍ରରୁ ପାଇଥିଲା। ଚାନ୍ଦା ଦାତାଙ୍କ ଏ ଗୋପନୀୟତାରୁ ରାଜନୈତିକ ପାଣ୍ଠି ସଂଗ୍ରହରେ ଅସ୍ୱଚ୍ଛତାର ଉତ୍କଟ ଗନ୍ଧ ବାହାରୁଛି। ରାଜନୀତିକୁ କଳାଧନର ପ୍ରାବ ପାଇଁ ବାଟ ସୁଗମ କରୁଛି। ସ୍ୱତଃ ରାଜନୈତିକ ଦଳମାନେ ସଂଗ୍ରହ କରୁଥିବା ପାଣ୍ଠିର ଉତ୍ସ ଉପରେ ପ୍ରଶ୍ନ ଚିହ୍ନ ଲଗାଇବା ସହ ସମୁଦାୟ ବ୍ୟାପାରରୁ ସନ୍ଦିଗ୍ଧ କରି ଦେଉଛି।

ପୂର୍ବ ପ୍ରଚଳିତ ନିୟମ ଅନୁଯାୟୀ କେବଳ ୨୦ ହଜାର ଟଙ୍କା କିମ୍ବା ତଦୁର୍ଦ୍ଧ୍ୱ ଚାନ୍ଦା ଦେଉଥିବା ଚାନ୍ଦା ଦାତାଙ୍କ ନାମ ପ୍ରକାଶ କରାଯିବା ଆବଶ୍ୟକ ଥିବା ବେଳେ ୨୦ ହଜାରରୁ କମ୍‌ ଚାନ୍ଦାଦାତାଙ୍କ ନାମ ପ୍ରକାଶର ଆବଶ୍ୟକତା ନଥିଲା। ଏ ବ୍ୟବସ୍ଥାକୁ ଢାଲ କରି ରାଜନୈତିକ ଚାନ୍ଦା ପ୍ରସଙ୍ଗରେ ‘ଅଜଣାସୂତ୍ର’ କୁ ଏକପ୍ରକାର ଆନୁଷ୍ଠାନିକ ମାନ୍ୟତା ପ୍ରଦାନ କରି ଅସ୍ୱଚ୍ଛତାକୁ ପ୍ରଶ୍ରୟ ଦିଆଯାଇ ଆସୁଥିଲା। ଏ ବ୍ୟାପାରରେ ବିଜେପି ଓ କଂଗ୍ରେସ ବ୍ୟତିକ୍ରମ ନୁହନ୍ତି। ପ୍ରାୟ ସବୁ ରାଜନୈତିକ ଦଳ ସେମାନଙ୍କ ମୋଟ ଚାନ୍ଦାର ୭୫%, ଏପରିକି କେତେକ ଦଳ ଶତପ୍ରତିଶତ ‘ଅଜଣାସୂତ୍ର’ରୁ ପାଉଥିବା ଦର୍ଶାଇ ଆସିଛନ୍ତି। ବହୁଜନସମାଜ ପାର୍ଟି ୨୦୧୬-୧୭ରେ ମୋଟ ୭୫ କୋଟି ଟଙ୍କା ଚାନ୍ଦା ସଂଗ୍ରହ କରିଛି। ଅଥଚ, ଦଳର ଚାନ୍ଦା ଦାତାଙ୍କ ତାଲିକାରେ କାହାରି ଜଣଙ୍କ ନାମ ସୁଦ୍ଧା ନାହିଁ। ଅର୍ଥାତ୍‌ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ବିଏସ୍‌ପିକୁ କୋଡ଼ିଏ ହଜାର ଟଙ୍କାରୁ ଅଧିକ ଚାନ୍ଦା ଦେଇ ନାହାନ୍ତି। ଏହା ଯେମିତି ବିଶ୍ୱାସଯୋଗ୍ୟ ହେଉନାହିଁ, ସେମିତି ବିଜେପି ଗତ ଦୁଇ ବର୍ଷରେ ପ୍ରାୟ ୯୨୦ କୋଟି ଟଙ୍କା ଏବଂ କଂଗ୍ରେସ ୨୦୧୫-୧୬ରେ ତା’ର ୭୧ ପ୍ରତିଶତ ଚାନ୍ଦା ଅଜଣା ବ୍ୟକ୍ତି ଓ ସଂସ୍ଥାଙ୍କଠାରୁ ପାଇଥିବା ବିଶ୍ୱାସଯୋଗ୍ୟ ହେଉ ନାହିଁ। ଅବଶ୍ୟ, ଏହା ଭିନ୍ନ କଥା ଯେ, ରାଜନୈତିକ ଚାନ୍ଦା ପ୍ରସଙ୍ଗରେ ଗୋପନୀୟତା ଓ ଅସ୍ୱଚ୍ଛତାକୁ ପ୍ରଶ୍ରୟ ଦେଇ ଆସିଥିବା ରାଜନୈତିକ ଦଳମାନେ ସ୍ୱଚ୍ଛତାର ରାଣ ଖାଇ ଭ୍ରଷ୍ଟାଚାର ଓ କଳା ଧନ ବିରୋଧରେ ବେଶ୍‌ ମୁଖର।

ରାଜନୈତିକ ଚାନ୍ଦା ପ୍ରସଙ୍ଗରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ୨୦୧୭ ବଜେଟରେ ଏକ ସଂସ୍କାର ମୂଳକ ପଦକ୍ଷେପ ନିଆଗଲା। ପୂର୍ବରୁ କୋଡ଼ିଏ ହଜାର ଟଙ୍କା କିମ୍ବା ତଦୁର୍ଦ୍ଧ୍ୱ ଚାନ୍ଦା ଦେଉଥିବା ବ୍ୟକ୍ତି ଓ ସଂସ୍ଥାଙ୍କ ନାମ ପ୍ରକାଶର ବ୍ୟବସ୍ଥା ଥିଲା। ଏଣିକି ଦୁଇ ହଜାର କିମ୍ବା ତା’ଠାରୁ ଅଧିକ ଚାନ୍ଦା ଦେଉଥିବା ବ୍ୟକ୍ତି ଓ ସଂସ୍ଥାମାନଙ୍କ ନାମ ପ୍ରକାଶ ବାଧ୍ୟତାମୂଳକ ହେଲା। ଏହି ନୂଆ ବ୍ୟବସ୍ଥା ଦ୍ୱାରା ରାଜନୈତିକ ଚାନ୍ଦା ପ୍ରସଙ୍ଗରେ କେତେ ମାତ୍ରାରେ ସ୍ୱଚ୍ଛତା ଆସିବ, ଗୋପନୀୟତା କେତେ ମାତ୍ରାରେ ଦୂର ହୋଇ ପାରିବ ତାହା ଏକ ପ୍ରଶ୍ନ। କିନ୍ତୁ ଆଶଙ୍କା ହେଉଛି ରାଜନୈତିକ ଦଳଙ୍କ ରସିଦ କଟା କାର୍ଯ୍ୟ ଦଶଗୁଣ ବଢ଼ିବ ସିନା ସ୍ୱଚ୍ଛତା ଦିଗରେ ପାଦେ ସୁଦ୍ଧା ଆଗେଇବାରେ ନୂଆ ବ୍ୟବସ୍ଥା ସହାୟକ ହେବ ନାହିଁ। ତେବେ ବିଡ଼ମ୍ବନା ହେଲା, ‘ଗୋଦରା କୋଡ଼େ ଯେତେ, ମାଡ଼େ ସେତେ’ ନ୍ୟାୟରେ ଅଜ୍ଞାତ ଚାନ୍ଦା ଦାତାଙ୍କଠାରୁ ସର୍ବାଧିକ ଚାନ୍ଦାର ପରିମାଣକୁ ୨୦ ହଜାର ଟଙ୍କାରୁ ୨ ହଜାରକୁ ହ୍ରାସ କରାଯାଇଥିବା ବେଳେ ସଂସ୍କାର ଆଳରେ ‘ଇଲେକ୍ଟ୍ରରାଲ୍‌ ବଣ୍ଡ୍‌’ର ପ୍ରବର୍ତ୍ତନ ରାଜନୈତିକ ଚାନ୍ଦା ପ୍ରସଙ୍ଗରେ ଅସ୍ୱଚ୍ଛତା ଓ ଗୋପନୀୟତା ଲାଗି ନୂଆ ବାଟ ଫିଟାଇ ଦେଇଛି। ଏହି ବ୍ୟବସ୍ଥା ଅନୁଯାୟୀ ଧନାଢ଼୍ୟ ବ୍ୟକ୍ତି କିମ୍ବା କର୍ପୋରେଟ୍‌ ସଂସ୍ଥାମାନେ ‘ଇଲେକ୍ଟ୍ରରାଲ୍‌ ବଣ୍ଡ’ ମାଧ୍ୟମରେ ରାଜନୈତିକ ଦଳଙ୍କୁ ଚାନ୍ଦା ଦେଇ ପାରିବେ। ବଣ୍ଡଗୁଡ଼ିକ ୧ ହଜାରରୁ ୧ କୋଟି ଟଙ୍କା ମୂଲ୍ୟର, ଅଥଚ ବଣ୍ଡ୍‌ କିଏ କିଣିଲା ଓ କେଉଁ ଦଳ ବଣ୍ଡ୍‌ର ହିତାଧିକାରୀ ହେଲା ତାହା ସାର୍ବଜନିକ ହେବ ନାହିଁ। ଏହା ସଂସ୍କାର ନା ପୂର୍ବ ବ୍ୟବସ୍ଥା ଅପେକ୍ଷା ଅସ୍ୱଚ୍ଛତାକୁ ଅଧିକ ପ୍ରଶ୍ରୟ? ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୨୨ କୋଟି ଟଙ୍କା ମୂଲ୍ୟର ଇଲେକ୍ଟ୍ରରାଲ୍‌ ବଣ୍ଡ୍‌ ବିକ୍ରି ହୋଇଛି। ଏତିକି ଟଙ୍କା ମୂଲ୍ୟର ବଣ୍ଡ୍‌ କିଏ କିଣିଛି, କେଉଁ ଦଳ ଏହାର ହିତାଧିକାରୀ ଜଣା ନାହିଁ। ପୁଣି କର୍ପୋରେଟ ସଂସ୍ଥାଙ୍କ ପାଇଁ ରାଜନୈତିକ ଚାନ୍ଦା ପାଇଁ ଧାର୍ଯ୍ୟ ସର୍ବୋଚ୍ଚ ସୀମା କୋହଳ କରି ଦିଆଯାଇଛି। ପୂର୍ବରୁ କମ୍ପାନିମାନେ ବିଗତ ତିନିବର୍ଷର ହାରାହାରି ଲାଭର ସର୍ବାଧିକ ୭.୫% ପର୍ଯ୍ୟନ୍ତ ରାଜନୈତିକ ଚାନ୍ଦା ଦେବା ବ୍ୟବସ୍ଥା ଥିଲା। ନୂଆ ବ୍ୟବସ୍ଥାରେ ଏ ସିଲିଂ କେବଳ ଉଚ୍ଛେଦ ହୋଇ ନାହିଁ, କମ୍ପାନିମାନେ ରାଜନୈତିକ ଚାନ୍ଦା ବିଷୟ ନିଜ ହିସାବ ଫର୍ଦରେ ଉଲ୍ଲେଖ କରିବା ମଧ୍ୟ ବାଧ୍ୟତା ମୂଳକ ନୁହେଁ। ଏହା ନିଶ୍ଚିତ ଭାବେ ରାଜନୈତିକ ଚାନ୍ଦା ପ୍ରସଙ୍ଗରେ ସ୍ୱଚ୍ଛତାର ଘୋର ପରିପନ୍ଥୀ, ବରଂ ଅସ୍ୱଚ୍ଛତାକୁ ଆଇନଗତ ପୃଷ୍ଠପୋଷକତା କୁହାଯାଇପାରେ।

କାହିଁକି ରାଜନୈତିକ ଚାନ୍ଦା ପ୍ରସଙ୍ଗରେ ସ୍ୱଚ୍ଛତା ଆସି ପାରୁନାହିଁ? ଗୋପନୀୟତା ରକ୍ଷା ପାଇଁ କାହିଁକି ଏତେ ବ୍ୟଗ୍ରତା? ଏହାର ଏକ ମାତ୍ର ଉତ୍ତର କ୍ଷମତାରେ ଥାଆନ୍ତୁ ବା ନଥାଆନ୍ତୁ କୌଣସି ରାଜନୈତିକ ଦଳର ସ୍ୱଚ୍ଛତା ପ୍ରତି ନିଷ୍ଠା ନାହିଁ। ଏହାର ପ୍ରମାଣ ଗତ ବଜେଟ ଅଧିବେଶନରେ ଅର୍ଥ ବିଲ୍‌ ଉପରେ ବିନା ଆଲୋଚନାରେ ଗୃହୀତ ଏକ ବିବାଦୀୟ ସଂଶୋଧନ। ଫରେନ୍‌ କଣ୍ଟ୍ରିବ୍ୟୁସନ୍‌ (ରେଗୁଲେସନ) ଆକ୍ଟ-୨୦୧୦ ବ୍ୟବସ୍ଥା ଅନୁଯାୟୀ ଭାରତୀୟ ରାଜନୈତିକ ଦଳମାନେ ବିଦେଶରୁ ପାଣ୍ଠି ପାଇବା ବାରଣ କରାଯାଇଛି। କିନ୍ତୁ ବିଜେପି ଓ କଂଗ୍ରେସ ଲଣ୍ଡନସ୍ଥିତ ବେଦାନ୍ତ କମ୍ପାନିଠାରୁ ଯଥାକ୍ରମେ ୭.୯୦ କୋଟି ଏବଂ ୮.୭୯ କୋଟି ଟଙ୍କା ଚାନ୍ଦା ପାଇଥିଲେ। ଏହା ଆଇନର ଉଲ୍ଲଂଘନ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ। କିନ୍ତୁ ବଜେଟ ଅଧିବେଶନରେ ଆଇନରେ ପିଛିଲା ତାରିଖରୁ ସଂଶୋଧନ ଆଣି ବ୍ୟବସ୍ଥା କରାଗଲା ଯେ, ୧୯୭୬ରୁ ଯେଉଁ ଦଳ ବିଦେଶରୁ ଯେତେ ଚାନ୍ଦା ପାଇଥିଲେ ସୁଦ୍ଧା ତାର କୌଣସି ଯାଞ୍ଚ ହେବ ନାହିଁ। ବାଇଶ ଦିନ ଧରି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପ୍ରାୟତଃ ଅଚଳ ରହିଲା, ଅଥଚ ଏହି ସଂଶୋଧନ ପାସ୍‌ କରାଇ ନେବାରେ କୌଣସି ଅସୁବିଧା ହେଲା ନାହିଁ। ସମସ୍ତେ ନିରବ ରହିଲେ, ଏଥିପାଇଁ ଯେ ସବୁଦଳ ଏହାର ହିତାଧିକାରୀ। ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ପରସ୍ପର ସହ ପ୍ରତିବାଦ ଉପବାସରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅଥଚ ଚାନ୍ଦା ପ୍ରସଙ୍ଗରେ ଆଇନଗତ ସୁରକ୍ଷା ପାଇବା ଲାଗି ପରସ୍ପର ମିଶିଗଲେ। ଏହା ହିଁ ଭାରତୀୟ ରାଜନୀତିର ଅସଲ ଚରିତ୍ର। ଏ ଚରିତ୍ର ନବଦଳିବା ପର୍ଯ୍ୟନ୍ତ ନା ରାଜନୈତିକ ଚାନ୍ଦା ପ୍ରସଙ୍ଗରେ ସ୍ୱଚ୍ଛତା ଆସିବ, ନା ରାଜନୀତିର ସାଧୁତା, ନୀତି, ନୈତିକତା ଆଶା କରାଯାଇ ପାରିବ।

ସମ୍ବନ୍ଧିତ ଖବର