ନଗଦ ନିଅଣ୍ଟ

ଦେଶର ବ୍ୟାପକ ଅଞ୍ଚଳରେ ଲୋକମାନଙ୍କୁ ପୁଣି ଏବେ ୨୦୧୬ ନଭେମ୍ବର ସମୟକୁ ଫେରିଯିବା ପରି ମନେହେଉଥିବ। ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଟକୀୟ ଭାବରେ ବିମୁଦ୍ରୀକରଣ ଘୋଷଣା କରିବା ପରେ ପରେ ଦେଶସାରା ସୀମିତ ପରିମାଣର ନଗଦ ମୁଦ୍ରା ବା କ୍ୟାସ୍‌ ସଂଗ୍ରହ କରିବା ପାଇଁ ଏଟିଏମ୍‌ ଆଗରେ ଲମ୍ବା ସର୍ପିଳ ଧାଡ଼ିରେ ଲୋକମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ଚିତ୍ର ଭାରତର ଟ୍ରେଡ୍‌ମାର୍କ ଛବିରେ ପରିଣତ ହୋଇଥିଲା। ବର୍ତ୍ତମାନ ସେ ଛବିରେ ଆଉ ଟିକେ ଅବନତି ଘଟି ଯାହା ଦେଖିବାକୁ ମିଳୁଛି, ତାହା ହେଲା ଏଟିଏମ୍‌ ସାମନାରୁ ସେ ମାନବୀୟ ଧାଡ଼ିସବୁ ଉଭାନ ହୋଇଯାଇଛି, କିନ୍ତୁ ଏଟିଏମ୍‌ର କାଚ କବାଟରେ ନୋଟିସ୍‌ ଲଗାଯାଇଛି: ‘‘କ୍ୟାସ୍‌ ନାହିଁ।’’ କେତେକ ଏଟିଏମ୍‌ ଭିତରେ ଶୀତତାପ ନିୟନ୍ତ୍ରିତ ପରିବେଶ ଦ୍ୱାରା ପ୍ରଭାବିତ ହୋଇ ସିକ୍ୟୁରିଟି ଗାର୍ଡ ନିଘୋଡ଼ ନିଦରେ ଶୋଇ ଯାଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ମନେ ହେଉଛି ଦେଶକୁ ନଗଦମୁକ୍ତ ବା ‘କ୍ୟାସ୍‌ଲେସ୍‌’ କରିବା ବିମୁଦ୍ରୀକରଣର ଅନ୍ୟତମ ଲକ୍ଷ୍ୟ ବୋଲି ମୋଦୀ ସେତେବେଳେ ଯେଉଁ ବିଳମ୍ବିତ ଘୋଷଣା କରିଥିଲେ, ଏବେ ସେଇ ଲକ୍ଷ୍ୟ ପୂରଣ ହୋଇଛି।

ଆଶା କରାଯାଉଥିବା ଭଳି ସରକାର ଏହାକୁ ଏକ ସାମୟିକ ଘଟଣା ଏବଂ ଶୀଘ୍ର ଏଟିଏମ୍‌ ମାନଙ୍କରେ ପ୍ରଚୁର ପରିମାଣର କ୍ୟାସ୍‌ ଭର୍ତ୍ତି କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଘୋଷଣା କରିଛନ୍ତି। ସରକାରୀ ମହଲରେ ଏହାକୁ ଫସଲ ଅମଳ ପରବର୍ତ୍ତୀ ସମୟରେ ତାହାର କିଣାବିକା ପାଇଁ ଅଧିକ ନଗଦ ମୁଦ୍ରାର ଆବଶ୍ୟକତା ଏବଂ ବିବାହ ଋତୁରେ ଅଧିକ ନଗଦ କାରବାର ଜନିତ ଏକ ସାମୟିକ ନଗଦ ଚାହିଦା ବୃଦ୍ଧିର ପରିଣାମ ରୂପେ ପ୍ରଦର୍ଶିତ କରାଯାଉଛି। କିନ୍ତୁ ଦେଶରେ କ’ଣ ଏଥର ପ୍ରଥମଥର ପାଇଁ ଏକ ବିବାହ ଋତୁର ଆବିର୍ଭାବ ଘଟିଛି ନା ପ୍ରଥମ କରି ଫସଲ ଅମଳ ହୋଇଛି? ଅନ୍ୟ ବର୍ଷ ମାନଙ୍କରେ ଏପରି କାହିଁକି ଦେଖାଯାଉ ନଥିଲା?

ସତ କଥା ହେଲା, ପ୍ରାୟ ଦେଢ଼ ବର୍ଷ ତଳେ ନରେନ୍ଦ୍ର ମୋଦୀ କେବଳ ଆତ୍ମପ୍ରଚାର ପାଇଁ ବିମୁଦ୍ରୀକରଣ ଭଳି ଏକ ଚରମ ପଦକ୍ଷେପ ନେଇ ଦେଶର ମୁଦ୍ରା ବ୍ୟବସ୍ଥାକୁ ଯେପରି ଅସ୍ଥିର କରି ତୋଳିଥିଲେ, ତାହାର ଅନେକ କୁପରିଣତି ମଧ୍ୟରୁ ବର୍ତ୍ତମାନର ଶୁଷ୍କ ଏଟିଏମ୍‌ ହେଉଛି ଗୋଟିଏ। ବିମୁଦ୍ରୀକରଣ ପରେ ସରକାର ନୂଆ ନୋଟ୍‌ ଛାପି ବିମୁଦ୍ରୀକରଣ ଜନିତ ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଫେବ୍ରୁଆରି ୨୦୧୮ରେ ସରକାର ଦେଶରେ ଏହି ବ୍ୟାଙ୍କ୍‌ ନୋଟ୍‌ ପରିମାଣକୁ ବିମୁଦ୍ରୀକରଣ ପୂର୍ବବର୍ତ୍ତୀ ସ୍ତରକୁ ନେଇ ଆସିବାରେ ସଫଳ ହୋଇଥିଲେ। ସାଧାରଣତଃ ମନେ କରାଯିବା କଥା ଯେ ଏହା ଦ୍ୱାରା ସରକାର ଦେଶରେ ନଗଦ ମୁଦ୍ରାର ଯୋଗାଣ ଓ ଚାହିଦା ମଧ୍ୟରେ ଶେଷରେ ସନ୍ତୁଳନ ଫେରାଇ ଆଣିପାରିଲେ। କିନ୍ତୁ କଥାଟି ଏତେ ସରଳ ନୁହେଁ। ଦେଶରେ ନଗଦ ପ୍ରତି ଚାହିଦା କୌଣସି ନିର୍ଦ୍ଦିଷ୍ଟ ସ୍ତରରେ ସ୍ଥିର ହୋଇ ରହି ନଥାଏ। ଏକ ବର୍ଦ୍ଧିଷ୍ଣୁ ଅର୍ଥନୀତିରେ ନଗଦର ଚାହିଦାରେ ବୃଦ୍ଧି ଘଟିଚାଲିବା ସ୍ୱାଭାବିକ। ଏଣୁ ବିମୁଦ୍ରୀକରଣ ପୂର୍ବ ସମୟର ନଗଦ ଯୋଗାଣ ପରିମାଣ ବର୍ତ୍ତମାନର ନଗଦ ଚାହିଦା ମେଣ୍ଟାଇବା ନିମିତ୍ତ ଯଥେଷ୍ଟ ନ ହୋଇପାରେ।

ଲକ୍ଷ୍ୟ କରିବା କଥା ସରକାର ଏବେ କହିଚାଲିଛନ୍ତି ଯେ ଦେଶରେ ଯଥେଷ୍ଟ ପରିମାଣର ନଗଦ ଉପଲବ୍‌ଧ ଅଛି ଓ କେବଳ ତାହାକୁ ଖାଲି ହୋଇଯାଇଥିବା ଏଟିଏମ୍‌ ମାନଙ୍କରେ ଭର୍ତ୍ତି କରିଦିଆଗଲେ ସମସ୍ୟା ଲାଘବ ହୋଇଯିବ। ଯଦି ଏହା ସତ, ତେବେ ବର୍ତ୍ତମାନର ନଗଦ ନିଅଣ୍ଟ ସମସ୍ୟା ହେଉଛି ଏକ ପରିବହନ ସମସ୍ୟା ମାତ୍ର। କ୍ୟାସ୍‌କୁ ପରିବହନ କରି ଏଟିଏମ୍‌ରେ ପହୁଞ୍ଚାଇ ଦେଲେ ସମସ୍ୟା ଶେଷ। ତେବେ ତ ଭଲ କଥା। କିନ୍ତୁ କେତେକ ବିଶେଷଜ୍ଞଙ୍କ ମତ ଓ କେତେକ ଶକ୍ତ ପରିସଂଖ୍ୟାନ ଉପରେ ଦୃଷ୍ଟି ନିକ୍ଷେପ କଲେ ଏକ ଭିନ୍ନ ଚିତ୍ରର ଆବିର୍ଭାବ ଘଟିଥାଏ। ଉଦାହରଣସ୍ୱରୂପ ରିଜର୍ଭ ବ୍ୟାଙ୍କ୍‌ର ଜଣେ ତଥ୍ୟାଭିଜ୍ଞ ଅବସରପ୍ରାପ୍ତ ଡେପୁଟି ଗଭର୍ନର ଆର୍‌ ଗାନ୍ଧୀଙ୍କ କହିବା ଅନୁସାରେ ଯଦି ବିମୁଦ୍ରୀକରଣ ଘଟି ନଥାନ୍ତା, ତେବେ ବର୍ତ୍ତମାନ ଦେଶରେ ଯେତିକି ପରିମାଣର ନଗଦ ମୁଦ୍ରା ପ୍ରଚଳିତ ଅଛି, ତାହାଠାରୁ ୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ଅଧିକ ମୁଦ୍ରା ପ୍ରଚଳିତ ହେଉଥାଆନ୍ତା। ଏହାର ଅର୍ଥ ଯଦି ଅର୍ଥନୀତିରେ ଏହି ପରିମାଣର ନଗଦହୀନ କାରବାର (ଇଲେକ୍ଟ୍ରୋନିକ୍‌, ଅନ୍‌ଲାଇନ୍‌ ଇତ୍ୟାଦି) ହୋଇ ନଥାଏ, ତେବେ ନିଃସନ୍ଦେହରେ ଦେଶର ଅର୍ଥ ବ୍ୟବସ୍ଥାରେ ଏକ ନଗଦ ନିଅଣ୍ଟ ପରିସ୍ଥିତି ଲାଗି ରହିଛି।

ବିମୁଦ୍ରୀକରଣ ଯୋଗୁଁ ଲୋକମାନଙ୍କର ଦୁଇଟି ମୁଦ୍ରା ସମ୍ପର୍କିତ ଆଚରଣ ପ୍ରଭାବିତ ହୋଇଥିଲା: ସେମାନେ ଏଟିଏମ୍‌ରୁ ଅଧିକ ପରିମାଣର ନଗଦ ମୁଦ୍ରା ବାହାର କରି ପାଖରେ ରଖିବା ନିରାପଦ ମନେକଲେ ଏବଂ ବ୍ୟାଙ୍କ୍‌ରେ ପଇସା ରଖିବା ଅପେକ୍ଷା ପାଖରେ ପଇସା ରଖିବାକୁ ଅଧିକ ନିରାପଦ ମନେକଲେ। ‘ସେଣ୍ଟର୍‌ ଫର୍‌ ମନିଟରିଙ୍ଗ୍‌ ଇଣ୍ଡିଆନ୍‌ ଇକନମି’ (ସିଏମ୍‌ଆଇଇ) ଦେଶରେ ନଗଦ ଚାହିଦାର ଆଚରଣ ସମ୍ବନ୍ଧରେ ଏକ ଧାରଣା କରିବାରେ ସହାୟକ ହେବା ଭଳି ଏ ସମ୍ପର୍କିତ ଯେଉଁ ସୂଚନା ସଂଗ୍ରହ କରିଛି, ତାହା ଏଠାରେ ପ୍ରଣିଧାନଯୋଗ୍ୟ। ଏହା ଅନୁସାରେ ଅକ୍ଟୋବର ୨୦୧୬ (ଅର୍ଥାତ୍‌ ବିମୁଦ୍ରୀକରଣର ଠିକ୍‌ ପୂର୍ବ ମାସ)ରେ ଦେଶରେ ମୋଟ ଏଟିଏମ୍‌ ନଗଦ ଉଠାଣ ଥିଲା ଦେଶରେ ପ୍ରଚଳିତ ମୋଟ ନଗଦ ମୁଦ୍ରା ପରିମାଣର ପ୍ରାୟ ୧୩%। ଫେବ୍ରୁଆରି ୨୦୧୮ରେ ଏହା କିନ୍ତୁ ବୃଦ୍ଧି ପାଇ ହୋଇଥିଲା ୧୪%ରୁ କିଛି ଅଧିକ। ଏହାର ଅର୍ଥ ଦେଶରେ ନଗଦ ମୁଦ୍ରା ଯୋଗାଣରେ ପୂର୍ବାବସ୍ଥା ଫେରିଆସିବା ପରେ ମଧ୍ୟ ବିମୁଦ୍ରୀକରଣ ଆଘାତ ପ୍ରଭାବରେ ଲୋକମାନଙ୍କ ନଗଦ ଚାହିଦା ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇ ଚାଲିଥିଲା। ବିମୁଦ୍ରୀକରଣ ନଗଦ ବା କ୍ୟାସ୍‌କୁ ଏପରି ଏକ ବିରଳ ବସ୍ତୁରେ ପରିଣତ କରିଦେଇଥିଲା ଯେ, ଏ ପର୍ଯ୍ୟନ୍ତ ଲୋକଙ୍କ ନଗଦ ମୋହ କଟିନାହିଁ।

ବ୍ୟାଙ୍କ୍‌ ଜମା ସମ୍ପର୍କିତ ସୂଚନା ମଧ୍ୟ ଏହି ଧାରଣାକୁ ମଜବୁତ କରିଥାଏ। ମାର୍ଚ୍ଚ ୨୦୧୮ରେ ଦେଶରେ ମୋଟ ବ୍ୟାଙ୍କ୍‌ ଜମା ପରିମାଣରେ ବାର୍ଷିକ ମାତ୍ର ୬.୬୭% ବୃଦ୍ଧି ପାଇଥିଲା, ଯଦିବା ଅତୀତରେ ଏହା ୧୫% ହାର ଅତିକ୍ରମ କରିବା ଦେଖାଯାଇଛି। ଏହାର ଅର୍ଥ ଲୋକମନେ ସେମାନଙ୍କର ନଗଦରାଶିକୁ ବ୍ୟାଙ୍କ୍‌ରେ ଜମା ନକରି ପାଖରେ ରଖିବାକୁ ପସନ୍ଦ କରୁଛନ୍ତି। ହୁଏତ ଏହା ସେମାନଙ୍କୁ ଏକ ନିରାପଦ ଭାବ ପ୍ରଦାନ କରୁଥିବ କିମ୍ବା ସେମାନେ ଟିକସ ଫାଙ୍କିବା ପାଇଁ ନଗଦ କାରବାର କରିବାକୁ ପସନ୍ଦ କରୁଥିବେ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ମଧ୍ୟ ହୋଇପାରେ ମୋଦୀ ସରକାର ସେମାନଙ୍କ ମୁଣ୍ଡ ଉପରେ ଝୁଲାଇ ରଖିଥିବା ‘ଏଫ୍‌ଆର୍‌ଡିଆଇ’ ବିଲ୍‌, ଯାହା ବଳରେ ବ୍ୟାଙ୍କ୍‌ମାନେ ବଳପୂର୍ବକ ଜମାକାରୀଙ୍କ ଅର୍ଥ ନେଇଯାଇ ନିଜର କ୍ଷତିଭରଣା କରିପାରିବେ। ସମ୍ଭାବ୍ୟ ଜମାକାରୀମାନେ ଏଭଳି ବିପଦରୁ ରକ୍ଷା ପାଇବା ନିମିତ୍ତ ବ୍ୟାଙ୍କ୍‌ରେ ଅର୍ଥ ଜମା କରିବା ପରିବର୍ତ୍ତେ ନିଜ ପାଖରେ ବରଂ ନଗଦ ରଖିବାକୁ ପସନ୍ଦ କରିବେ।

ଏଥିରୁ ଯେଉଁ ଧାରଣା ସୃଷ୍ଟି ହୋଇଥାଏ, ତାହା ହେଲା ବିମୁଦ୍ରୀକରଣ ଲୋକମାନଙ୍କୁ ଏପରି ନଗଦମୁହାଁ କରିଦେଇଛି ଯେ ସେମାନଙ୍କ ଚାହିଦା ମେଣ୍ଟାଇବା ପାଇଁ ଦେଶରେ ଏବେ ଯଥେଷ୍ଟ କ୍ୟାସ୍‌ ନାହିଁ। ତେଣୁ ସରକାର ଏହାକୁ କେବଳ ଏକ ପରିବହନ ସମସ୍ୟା ରୂପେ ବିଚାର ନକରି ଏକ ଢାଞ୍ଚାଗତ ସମସ୍ୟା ରୂପେ ଦେଖି ବିହିତ ପଦକ୍ଷେପ ନେଲେ ଯାଇ ଶୁଷ୍କ ଏଟିଏମ୍‌ ସମସ୍ୟାର ହୁଏତ ସ୍ଥାୟୀ ସମାଧାନ ହୋଇପାରିବ।

ସମ୍ବନ୍ଧିତ ଖବର