ଶ୍ରୀମନ୍ଦିରର ଶିରୀ ରଖ

ବାସ୍ତବତା ଠାରୁ ମୁହଁ ଫେରାଇ ନେଲେ ବାସ୍ତବତା ବଦଳି ଯାଏ ନାହିଁ। ସେମିତି ସମସ୍ୟାକୁ ଏଡ଼ାଇ ଗଲେ, ସମସ୍ୟାର ସମାଧାନ ହୋଇଯାଏ ନାହିଁ। କିନ୍ତୁ ବିଡ଼ମ୍ବନା ହେଲା, କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇ ଗତ ତିନିଦିନ ହେଲା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ନେଇ ବଡ଼ ଦେଉଳରେ ଦେଖା ଦେଇଥିବା ବଡ଼ ବିଭ୍ରାଟ ପ୍ରସଙ୍ଗରେ କର୍ତ୍ତୃପକ୍ଷ ଠିକ୍‌ ଏହି ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଫଳରେ ସମସ୍ୟାର ସମାଧାନ ପରିବର୍ତ୍ତେ, ଏହା ଅଧିକ ଜଟିଳ ହେବା ଏବଂ ଭବିଷ୍ୟତରେ ପୁନରାବୃତ୍ତିର ଆଶଙ୍କା ସୃଷ୍ଟି ହୋଇଛି। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ୧୬ ତାରିଖ ଜଗମୋହନ ଖୋଲିବା ପରେ ଦୁଇଦିନ ଧରି ଶ୍ରୀମନ୍ଦିର ନୀତିକାନ୍ତିରେ ଚରମ ବିଭ୍ରାଟ ଲାଗି ରହିଲା। ମହା ପ୍ରଭୁଙ୍କ ସକାଳ ଧୂପ ସନ୍ଧ୍ୟାରେ ଉଠିଲା। ଠିକଣା ସମୟରେ ଭୋଗ ଲାଗି ହେଲା ନାହିଁ। ଠାକୁର ଉପାସରେ ରହିଲେ, ପ୍ରାୟ ଦୁଇ ରାତି ଅନିଦ୍ରାରେ କଟିଲା। ତୃତୀୟ ଦିନ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ପୂରା ସ୍ୱାଭାବିକତା ଫେରି ନାହିଁ। ଭକ୍ତ ମାନଙ୍କ ଲାଗି ଅବଢ଼ା ଭୋଗ ତଥାପି ବାହାରି ନାହିଁ। ଅଥଚ, ବୁଧବାର ବିଧାନସଭାରେ ଧାରଣା ଦିଆଗଲା, ନୀତିକାନ୍ତିରେ ସାମାନ୍ୟ ବିଳମ୍ବ ହୋଇଛି ସିନା ସବୁ କିଛି ଯଥାରୀତି ସ୍ୱାଭାବିକ ଚାଲିଛି। ସରକାରଙ୍କ ଏ ପ୍ରକାର ବୟାନ ଦ୍ୱାରା ବିଧାନସଭା କକ୍ଷରେ ସ୍ୱାଭାବିକତା ଫେରି ଆସିଥାଇପାରେ, କିନ୍ତୁ ଶ୍ରୀମନ୍ଦିର ଅବସ୍ଥା ତଥାପି ସ୍ୱାଭାବିକତା ଠାରୁ ଦୂରରେ।

ଶ୍ରୀମନ୍ଦିର ନୀତି ରେକର୍ଡ ଅନୁଯାୟୀ ୧୬ ତାରିଖ ଦିନ ଅପରାହ୍ନ ୪ଟା ୪୦ରେ ସକାଳ ଧୂପ ଉଠିଥିଲା। ସେହିଦିନ ମଧ୍ୟାହ୍ନ କି ସନ୍ଧ୍ୟା ଧୂପ ହୋଇ ନଥିଲା। ୧୭ ତାରିଖ ମହାପ୍ରଭୁଙ୍କ ସକାଳ ୮ଟାରେ ଅବକାଶ ନୀତି ପରେ ବଲ୍ଲଭ ଓ ସକାଳ ଧୂପ ନୀତି ରାତି ପ୍ରାୟ ଗୋଟାଏ ବେଳେ ବଢ଼ିଥିଲା। ଏହାର ଅର୍ଥ ୧୬ ତାରିଖ ଅପରାହ୍ନ ୫ଟାରୁ ୧୭ ତାରିଖ ରାତି ଗୋଟାଏ ପର୍ଯ୍ୟନ୍ତ ଷାଠିଏ ପଉଟି, ଛପନ ଭୋଗ ଖିଆ ବଡ଼ଠାକୁର ଉପାସରେ ରହିଥିଲେ। ବିଧାନସଭାରେ ସୂଚନା ଦିଆଗଲା ମହାପ୍ରଭୁ ଉପାସରେ ନଥିଲେ। ଗ୍ଲାସରେ ଅଧା ପାଣି ଥିଲେ ଯେମିତି ଅଧା ପୂର୍ଣ୍ଣ କିମ୍ବା ଅଧା ଖାଲି କୁହାଯାଇପାରେ, ସେମିତି ବିଧାନସଭାରେ ଦିଆଯାଇଥିବା ଏହି ବୟାନ। ସୂଚନା ଗୋଟିଏ ଦୃଷ୍ଟିରୁ ଠିକ୍‌ ବୋଲି ଦାବି ଏଥିପାଇଁ ଯେ ପ୍ରଭୁଙ୍କଠାରେ ଭୋଗ ଲାଗି ହେଲା। କିନ୍ତୁ କେତେବେଳେ ହେଲା? ଦୀର୍ଘ ବତିଶ ଘଣ୍ଟା ବିଳମ୍ବରେ। ଏହା ଯଦି ସ୍ୱାଭାବିକ, ତେବେ ଅସ୍ୱାଭାବିକ କାହାକୁ କୁହାଯିବ। ବାସ୍ତବତାକୁ ଲୁଚାଇବା ଲାଗି ଗୃହରେ ବୟାନ ଏକ ଚତୁର ପ୍ରୟାସ ହୋଇପାରେ। କିନ୍ତୁ ଏହା ବାସ୍ତବତାକୁ ଲୁଚାଇ ପାରୁନାହିଁ। ନିଷ୍ଠୁର ବାସ୍ତବତା ହେଲା ପ୍ରଭୁଙ୍କ ନୀତିକାନ୍ତିରେ ଚରମ ବିଭ୍ରାଟ ଘଟିଛି। ଅଥଚ ଏହାକୁ ସ୍ୱୀକାର କରି ସମସ୍ୟାର ମଞ୍ଜି ପର୍ଯ୍ୟନ୍ତ ଯାଇ ସମାଧାନର ବାଟ ଖୋଜିବା ଲାଗି କର୍ତ୍ତୃପକ୍ଷଙ୍କ ନା ଅଛି ସ୍ପୃହା ନା ଅଛି ଇଚ୍ଛା ଶକ୍ତି। ଦାୟିତ୍ୱ ଏଡ଼ାଇବା ଲାଗି ଏହା ଏକ କୌଶଳ।

କେବଳ ବର୍ତ୍ତମାନ ଚର୍ଚ୍ଚା ତଥା ବିବାଦର କେନ୍ଦ୍ରରେ ଥିବା ନୀତିକାନ୍ତିରେ ବିଭ୍ରାଟ ପ୍ରସଙ୍ଗରେ ନୁହେଁ, ପ୍ରାୟ ସବୁ ବିଶୃଙ୍ଖଳା, ବିଭ୍ରାଟ ପ୍ରସଙ୍ଗରେ ଦାୟିତ୍ୱ ଏଡ଼ାଇଯିବା ପ୍ରବଣତା ପରିଲକ୍ଷିତ ହୋଇ ଆସୁଛି। ପରିଣତି ସ୍ୱରୂପ, ଏହି ମନୋଭାବ ଯୋଗୁଁ ଶ୍ରୀମନ୍ଦିରରେ ବିଶୃଙ୍ଖଳା, ବିଭ୍ରାଟ ଓ ଅବ୍ୟବସ୍ଥାର ଅସ୍ୱସ୍ତିକର କ୍ରମ ଜାରି ରହିଛି। ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଆଣିବା ଲାଗି ଗଠିତ ନ୍ୟାୟମୂର୍ତ୍ତି ବିପି ଦାସ କମିସନ୍‌ ତାଙ୍କର ପ୍ରଥମ ଅନ୍ତରୀଣ ରିପୋର୍ଟରେ ଉଲ୍ଲେଖ କରିଥିଲେ- ଶୃଙ୍ଖଳିତ, ସୁବ୍ୟବସ୍ଥିତ ଢଙ୍ଗରେ ପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନ, ପର୍ବପର୍ବାଣିର ପାଳନ ଏକ ନିୟମ ହେବା ଉଚିତ। କାଁଭାଁ ବିଶୃଙ୍ଖଳା, ବିଭ୍ରାଟ ଅବ୍ୟବସ୍ଥା ବ୍ୟତିକ୍ରମ ହେବା ଉଚିତ। ଅଥଚ, ନିଷ୍ଠୁର ବାସ୍ତବତା ହେଲା, ଶ୍ରୀମନ୍ଦିର ପରିଚାଳନାର ଧାରା ଠିକ୍‌ ବିପରୀତ। ଶୃଙ୍ଖଳା, ସୁବ୍ୟବସ୍ଥିତ ପରିଚାଳନା ବ୍ୟତିକ୍ରମ ଓ ବିଶୃଙ୍ଖଳା, ବିଭ୍ରାଟ, ବିବାଦ ହିଁ ନିୟମ। କେତେବେଳେ ବ୍ରହ୍ମବିଭ୍ରାଟ ତ ଆଉ କେତେବେଳେ ନୀଳାଦ୍ରି ବିଜେକୁ ନେଇ ତ ଆଉ କେତେବେଳେ ସ୍ନାନ ମଣ୍ଡପରେ ବିଭ୍ରାଟ ଓ ବିଶୃଙ୍ଖଳା। ପୁଣି ଆଉ କେତେବେଳେ ରଥରେ ଚଢ଼ିବା, ଦିଅଁଙ୍କୁ ଛୁଇଁବା ନେଇ ବିବାଦ ଆଦି ଅଲୋଡ଼ା ଶିରୋନାମାରେ ରହିଆସିଛି। ବିଭ୍ରାଟ ଓ ବିବାଦର ଲମ୍ବା ତାଲିକାରେ ନିକଟରେ ଭିତର ରତ୍ନଭଣ୍ଡାରର ଚାବି ନିଖୋଜ ହେବା ଚର୍ଚ୍ଚାରେ ଥିଲା। ଦୁଇ ସପ୍ତାହ ନ ପୂରୁଣୁ ମାନ୍ୟବର ହାଇକୋର୍ଟଙ୍କ ଆଦେଶ କ୍ରମେ ଜଗମୋହନ ଖୋଲୁ ଖୋଲୁ ନୀତିକାନ୍ତିରେ ଚରମ ବିଭ୍ରାଟ ଘଟିଛି।

ବିଶୃଙ୍ଖଳା, ବିଭ୍ରାଟ ଓ ବିବାଦର ଏ ଅସ୍ୱସ୍ତିକର କ୍ରମ ପାଇଁ କିଏ ବା କେଉଁମାନେ ଦାୟୀ ସେ ଉପରେ ସ୍ପଷ୍ଟତା ନଥାଇପାରେ, କିନ୍ତୁ ଗୋଟିଏ ବିଷୟ ଅତ୍ୟନ୍ତ ସ୍ପଷ୍ଟ ଯେ, ପ୍ରତ୍ୟେକଟି ବିଭ୍ରାଟ ଓ ବିଶୃଙ୍ଖଳା କୋଟି କୋଟି ଜଗନ୍ନାଥ ପ୍ରାଣ ଓଡ଼ିଆଙ୍କ ଭାବାବେଗ ସହ ଖେଳ। ଧାରାବାହିକ ବିଭ୍ରାଟ, ବିଶୃଙ୍ଖଳା କେବଳ ଶ୍ରୀମନ୍ଦିରର ଗରିମାକୁ କ୍ଷୁଣ୍ଣ କରୁନାହିଁ, ଓଡ଼ିଶାର ଭାବମୂର୍ତ୍ତିକୁ ମଧ୍ୟ ପ୍ରଭାବିତ କରୁଛି। ଏ ଅପ୍ରୀତିକର ସ୍ଥିତି ପାଇଁ ଶ୍ରୀମନ୍ଦିର ପରିଚାଳନା ସହ ସମ୍ପୃକ୍ତ ସମସ୍ତ ପକ୍ଷ- ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି ଓ ସେବାୟତଙ୍କୁ ସାମୂହିକ ଭାବେ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ। ସମ୍ପୃକ୍ତ ପକ୍ଷଙ୍କ ଭିତରେ ପରସ୍ପର ସଦିଚ୍ଛା, ସହଯୋଗ, ସମନ୍ଵୟ ଓ ବୁଝାମଣାର ଅଭାବ ପ୍ରାୟ ସବୁ ବିଭ୍ରାଟ ଓ ବିବାଦର ମୂଳ। ପାରସ୍ପରିକ ସମନ୍ଵୟ ଓ ବୁଝାମଣା ଅପେକ୍ଷା ପରସ୍ପର ପ୍ରତି ସନ୍ଦେହ ଓ ଛକାପଂଝା ବିଭ୍ରାଟ ଓ ବିବାଦକୁ ଆମନ୍ତ୍ରଣ କରୁଛି। ସଦ୍ୟତମ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ମଧ୍ୟ ତା’ର ଏକ ଦୁଃଖଦ ନଜିର। ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଜଗମୋହନ ଖୋଲିବ, ପୂର୍ବରୁ ଗର୍ଭଗୃହ ଦର୍ଶନ ନେଇ ମହାନ୍ତି କମିସନ୍‌ ଓ ବି.ପି. ଦାଶ କମିସନ୍‌ଙ୍କ ସୁପାରିଶ କାର୍ଯ୍ୟକାରୀ କରାଯାଇପାରିବ। ଏହାର ତର୍ଜମା କରି ପ୍ରଶାସନ ନିର୍ଦେଶ ଦେଲେ ସେବକ ଓ ପାଳିଆ ସେବକଙ୍କ ବ୍ୟତୀତ ଆଉ କେହି ଗର୍ଭଗୃହ ମଧ୍ୟକୁ ଯାଇ ପାରିବେ ନାହିଁ। ଗୃହର ନୀତି କାନ୍ତି ସହ ପ୍ରତ୍ୟକ୍ଷ ଭାବେ ପରିଚିତ ଶ୍ରୀମନ୍ଦିର ପ୍ରଶାସନ ନିଶ୍ଚୟ ଜାଣିଥିଲେ ଯେ, ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ବାସ୍ତବତା ଦୃଷ୍ଟିରୁ ସହଜ ନୁହେଁ। ସେବକ, ପାଳିଆ ସେବକଙ୍କ ସହ ଆଉ କିଛି ସହଯୋଗୀ ମଧ୍ୟ ପ୍ରଭୁଙ୍କ ସେବା ପାଇଁ ଗର୍ଭଗୃହକୁ ଯିବା ଆବଶ୍ୟକ। ଅଥଚ, ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ମାନ୍ୟବର ହାଇକୋର୍ଟଙ୍କୁ ଅବଗତ କରାଇ ଆଦେଶରେ ଆବଶ୍ୟକ ସଂଶୋଧନ ପାଇଁ ଆବେଦନ କଲେ ନାହିଁ। ସମ୍ଭବତଃ ମନ୍ଦିର ପ୍ରଶାସନର ଆଶଙ୍କା ଥିଲା ଯେ, ଗର୍ଭଗୃହ ପ୍ରବେଶ ଉପରେ କଟକଣା କୋହଳ ହେଲେ ‘ଗର୍ଭଗୃହ ଦର୍ଶନ’କୁ ନିୟନ୍ତ୍ରଣ କରାଯାଇ ପାରିବ ନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୦୬ କାର୍ତ୍ତିକ ଚତୁର୍ଦ୍ଦଶୀ ଦଳାଚକଟା ଘଟଣା ପରେ ଗଠିତ ନ୍ୟାୟମୂର୍ତ୍ତି ପି.କେ. ମହାନ୍ତି କମିସନ୍‌ ଏବଂ ପରେ ନ୍ୟାୟମୂର୍ତ୍ତି ବି.ପି.ଦାସ କମିସନ୍‌ ଗର୍ଭଗୃହ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ଲାଗି ସୁପାରିସ କରିଥିଲେ। ଏହା କିନ୍ତୁ କାର୍ଯ୍ୟକାରୀ ହୋଇ ପାରୁନଥିଲା। ଅନ୍ୟପକ୍ଷରେ ଏହା ମଧ୍ୟ ଅଛପା ନୁହେଁ ଯେ, ନ୍ୟସ୍ତ ସ୍ୱାର୍ଥ ପାଇଁ କିଛି ସେବାୟତ ‘ଗର୍ଭଗୃହ ଦର୍ଶନ’ ଉପରେ କୌଣସି କଟକଣାର ସପକ୍ଷରେ ନାହାନ୍ତିି। ‘ଗର୍ଭଗୃହ ଦର୍ଶନ’ ପ୍ରଥା ଚାଲୁ ରଖିବା ପାଇଁ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବା ଲାଗି ସେବାୟତ ପାଳିଆ ସେବକଙ୍କ ବ୍ୟତୀତ ଅନ୍ୟମାନଙ୍କ ଗର୍ଭ ଗୃହକୁ ପ୍ରବେଶ ଉପରେ କଟକଣାକୁ ଆଳ କରି ବିବାଦ ସୃଷ୍ଟି କରାଯାଇଛି। ଜଗମୋହନ ବନ୍ଦ ପୂର୍ବରୁ ଯେମିତି ଛତିଶା ନିଯୋଗ ସହ ପରାମର୍ଶ କରାଯାଇଥିଲା, ଜଗମୋହନ ଖୋଲିବା ବେଳେ ମଧ୍ୟ ଅନୁରୂପ ଆଲୋଚନା ହୋଇଥିଲେ ବିବାଦକୁୁ ଏଡ଼ାଯାଇ ପାରିଥାନ୍ତା। ପାରସ୍ପରିକ ସଦିଚ୍ଛା, ସହଯୋଗ ପରିବର୍ତ୍ତେ ପରସ୍ପର ସନ୍ଦେହ, ଛକାପଂଝା ଓ ମୁକାବିଲା ମୂଳକ ମନୋଭାବ ଏ ପ୍ରକାର ଆଲୋଚନାର ବାଟ ଓଗାଳୁଛି।

ଜଗନ୍ନାଥ ପ୍ରାଣ ଓଡ଼ିଆଙ୍କ ଭାବାବେଗ ସହିତ ଖେଳ ବହୁତ ହୋଇଗଲା। ମହାପ୍ରଭୁଙ୍କୁ ନେଇ ବିବାଦ, ବିଭ୍ରାଟ ଓ ବିଶୃଙ୍ଖଳାର ଏ ଅସ୍ୱସ୍ତିକର କ୍ରମରେ ପୂର୍ଣ୍ଣଚ୍ଛେଦ ଟଣାଯିବା ଦରକାର। ସମସ୍ୟାର ମଞ୍ଜି କେଉଁଠି ସମସ୍ତଙ୍କୁ ଜଣା। ଅଥଚ ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ ନୀତିର ସମସ୍ତେ ସମସ୍ୟାକୁ ଏଡ଼ାଇ ଚାଲିଛନ୍ତି। ସମାଧାନ ପାଇଁ ସବୁ ପକ୍ଷ ବ୍ୟଗ୍ର, ଅଥଚ କାହାରି ମନ ସ୍ୱଚ୍ଛ ନୁହେଁ। ସ୍ୱଚ୍ଛ ମନରେ ଆପୋସ ବୁଝାମଣା ଦ୍ୱାରା ସମାଧାନର ବାଟ ଖୋଜିବାକୁ ପଡ଼ିବ। ଗୋଟିଏ ପକ୍ଷରେ ସେବାୟତଙ୍କ ସ୍ୱାର୍ଥ, ଅନ୍ୟ ପକ୍ଷରେ ଶୃଙ୍ଖଳା ମଧ୍ୟରେ ଭାରସାବ୍ୟ ରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ। ଦେଶର ଅନେକ ଦେବ ସ୍ଥାନରେ ଯଦି ଏହା ସମ୍ଭବ ହୋଇ ପାରିଛି, ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ତାହା ସମ୍ଭବ ହେବ ନାହିଁ କାହିଁକି? ଅନ୍ୟ ସବୁ ବିଷୟକୁ ପଛ କରି, ସବୁ ପକ୍ଷ ଯଦି ମହାପ୍ରଭୁଙ୍କ ଆଧ୍ୟାତ୍ମିକ ଗରିମା, ଶ୍ରୀମନ୍ଦିରର ଶିରୀ ଏବଂ ଓଡ଼ିଆଙ୍କ ଭାବନାକୁ ଆଗରେ ରଖିବେ, ତେବେ ଅବଶ୍ୟ ବିଭ୍ରାଟ, ବିବାଦର କ୍ରମ ବନ୍ଦ ହୋଇ ଶୃଙ୍ଖଳା ଓ ସୁବ୍ୟବସ୍ଥା ବାହାଲ ପାଇଁ ବାଟ ଫିଟି ପାରିବ।

ସମ୍ବନ୍ଧିତ ଖବର