ମହାଅଭିଯୋଗ-ମହା ରାଜନୀତି

ଭାରତୀୟ ନ୍ୟାୟପାଳିକାର ଇତିହାସରେ ଗତ ଜାନୁଆରି ବାର ତାରିଖ ଦିନ ଏକ ଅଭୂତପୂର୍ବ ଘଟଣା ଘଟିଲା ଓ ଗୋଟିଏ ଅଲୋଡ଼ା, ଅସ୍ୱସ୍ତିକର ଫର୍ଦ ଯୋଡ଼ି ହୋଇଗଲା। ସର୍ବୋଚ୍ଚ ନ୍ୟାୟାଳୟର ଚାରିଜଣ ବରିଷ୍ଠତମ ବିଚାରପତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ନ୍ୟାୟାଧୀଶଙ୍କ କାର୍ଯ୍ୟଶୈଳୀ ଉପରେ ଖୋଲାଖୋଲି ପ୍ରଶ୍ନ ଉଠାଇଲେ। ଜାଣତରେ ହେଉ କି ଅଜାଣତରେ ଏହି ପ୍ରକ୍ରିୟାରେ ଚାରି ନ୍ୟାୟମୂର୍ତ୍ତି ଦେଶର ସଂସଦୀୟ ଶାସନ ବ୍ୟବସ୍ଥାର ପ୍ରମୁଖ ଅଙ୍ଗ- ନ୍ୟାୟପାଳିକାର ସ୍ୱଚ୍ଛତା, ସ୍ୱାଧୀନତା, ନିରପେକ୍ଷତା ଓ ସର୍ବୋପରି ନ୍ୟାୟିକ ପ୍ରକ୍ରିୟାର ପବିତ୍ରତା ଓ ବିଶ୍ୱସନୀୟତାକୁ କାଠଗଡ଼ାରେ ଠିଆ କରାଇଦେଲେ। ଗତ ତିନି ମାସରେ ନ୍ୟାୟପାଳିକାରେ ଆହୁରି ଏମିତି କେତେକ ଅସ୍ୱସ୍ତିକର ଘଟଣା ମଧ୍ୟ ଘଟିଲା, ଯାହା ନ୍ୟାୟପାଳିକାର ଇତିହାସରେ ଗୋଟିଏ ଅଲୋଡ଼ା ଅଧ୍ୟାୟ ସୃଷ୍ଟି କରିଛି। ଏହି ଅଧ୍ୟାୟରେ ଏକ ଅସ୍ୱସ୍ତିକର ଘଟଣାକ୍ରମରେ ପ୍ରଧାନ ନ୍ୟାୟାଧୀଶ ନ୍ୟାୟମୂର୍ତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱରେ ସାତଟି ବିରୋଧୀ ଦଳ ସଂସଦରେ ମହା-ଅଭିଯୋଗ ପ୍ରସ୍ତାବ ଆଗତ ପାଇଁ ନୋଟିସ୍‌ ଦେଇଛନ୍ତି। ଭାରତୀୟ ନ୍ୟାୟପାଳିକାର ଇତିହାସରେ କୌଣସି ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ନୋଟିସ ଦିଆଯିବା ଏହା ପ୍ରଥମ। ରାଜ୍ୟସଭାର ୬୪ ଜଣ ସାଂସଦଙ୍କ ମିଳିତ ଦସ୍ତଖତରେ ପାଞ୍ଚଦଫା ଅଭିଯୋଗ ଉପରେ ଦିଆଯାଇଥିବା ନୋଟିସ ଏବେ ଉପ-ରାଷ୍ଟ୍ରପତି ତଥା ବରିଷ୍ଠଙ୍କ ସଦନର ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ବିଚାରାଧୀନ ରହିଛି।

ସମ୍ବିଧାନର ୧୨୪ ଧାରାର ବ୍ୟବସ୍ଥା ଅନୁଯାୟୀ ଉଚ୍ଚ ନ୍ୟାୟପାଳିକାର ବିଚାରପତିମାନଙ୍କ ବିରୋଧରେ ମହାଅଭିଯୋଗ ନେଇ ପ୍ରକ୍ରିୟା ଏତେ ଜଟିଳ ଯେ, ସେଥିରେ ବିରୋଧୀ ଦଳଙ୍କ ପ୍ରୟାସ ଶେଷ ଲକ୍ଷ୍ୟ- ପ୍ରଧାନ ନ୍ୟାୟାଧୀଶଙ୍କ ବହିଷ୍କାର- ପର୍ଯ୍ୟନ୍ତ ପହଞ୍ଚିବା ଅସମ୍ଭବ। ଏପରିକି ବିରୋଧୀଙ୍କ ମହାଭିଯୋଗ ନୋଟିସ୍‌ ପ୍ରଥମ ଏରୁଣ୍ଡି-ରାଜ୍ୟସଭା ଅଧ୍ୟକ୍ଷଙ୍କ ଅନୁମୋଦନ ପର୍ଯ୍ୟାୟ ଡେଇଁବା ନେଇ ମଧ୍ୟ ଯଥେଷ୍ଟ ସନ୍ଦେହ ରହିଛି। ମହାଭିଯୋଗ ନୋଟିସ୍‌କୁ ଅନ୍ତିମ ପରିଣତି ପର୍ଯ୍ୟନ୍ତ ନେବା ଲାଗି ବିରୋଧୀଙ୍କ ପାଖରେ ସଂସଦରେ ଆବଶ୍ୟକ ସଂଖ୍ୟା ମଧ୍ୟ ନାହିଁ। ସେ ଦୃଷ୍ଟିରୁ ଏ ମହାଅଭିଯୋଗ ଏକ ମହା-ଧୂଆଁବାଣ, ଯାହା ପଛରେ ରାଜନୈତିକ ଉଦ୍ଦେଶ୍ୟ ନିହିତ। କିନ୍ତୁ ଏ ଧୂଆଁବାଣର ଧୂଆଁ ନ୍ୟାୟପାଳିକାର ଭାବମୂର୍ତ୍ତିକୁ ମଳିନ କରିବ ଏବଂ ନ୍ୟାୟ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ଧୂମାଭ କରିବା ଲାଗି ଯଥେଷ୍ଟ। ଏମିତି ଏକ ପ୍ରକ୍ରିୟା ଆରମ୍ଭ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଚାରି ବରିଷ୍ଠତମ ବିଚାରପତିଙ୍କ ଖୋଲା ବିଦ୍ରୋହ ପରେ ନ୍ୟାୟପାଳିକାରେ ଦାନା ବାନ୍ଧି ଆସିଥିବା ସଂକଟ, ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ନୋଟିସ୍‌ ସହ ମହାସଂକଟର ରୂପ ନେଇଛି। ସ୍ୱାଧୀନତୋତ୍ତର ଭାରତରେ ବୋଧହୁଏ ନ୍ୟାୟପାଳିକାର ସମ୍ମାନ ଓ ବିଶ୍ୱସନୀୟତା କେବେ ହେଲେ ଏତେ ପ୍ରତିକୂଳତାର ସମ୍ମୁଖୀନ ହୋଇ ନଥିଲା।

ନ୍ୟାୟପାଳିକା ଭିତରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ, ମତଭେଦ, ବୁଝାମଣା- ସମନ୍ଵୟର ଅଭାବ ପ୍ରଥମେ ନିଶ୍ଚୟ ସଂକଟର ମଞ୍ଜି ବୁଣିଥିଲା। କିନ୍ତୁ ସଙ୍କଟକୁ ମହାସଂକଟର ରୂପ ଦେବା ପଛରେ ରହିଛି ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ବ୍ୟଗ୍ରତା। କୁହାଯାଇପାରେ, ନ୍ୟାୟପାଳିକାରେ ଆଭ୍ୟନ୍ତରୀଣ କନ୍ଦଳ ପ୍ରସୂତ ଅସ୍ଥିରତା ଓ ଅରାଜକତା ରାଜନୈତିକ ଅଭିସନ୍ଧି ପାଇଁ ସୁଯୋଗ ସୃଷ୍ଟି କରିଛି। ଏହା ଏକ ସଂଯୋଗ ମାତ୍ର ନୁହେଁ ଯେ, ବିଚାରପତି ଲୋୟାଙ୍କ ମୃତ୍ୟୁର ସ୍ୱତନ୍ତ୍ର ତଦନ୍ତ ପାଇଁ ଆଗତ ଜନସ୍ୱାର୍ଥ ମାମଲାକୁ ଉଚ୍ଚତମ ନ୍ୟାୟାଳୟ ଖାରଜ କରି ରାୟ ଶୁଣାଇବା ପରେ ପରେ ମହା-ଅଭିଯୋଗ ନୋଟିସ୍‌ ଅଣାଯାଇଛି। ବିଚାରପତି ବି.ଏଚ୍‌. ଲୋୟା ମୃତ୍ୟୁ ମାମଲାକୁ ନେଇ ବିବାଦକୁ ବଞ୍ଚାଇ ରଖି ରାଜନୈତିକ ଫାଇଦା ହାସଲ ଉଦ୍ଦେଶ୍ୟରେ ତରବରିଆ ଭାବେ ବିରୋଧୀ ଏହି ପଦକ୍ଷେପ ନେଇଛନ୍ତି।

ଲୋୟା ମୃତ୍ୟୁ ମାମଲା ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଅଭିଯୁକ୍ତ ଥିବା ଶୋରାବୁଦ୍ଦିନ୍‌ ଏନ୍‌କାଉଣ୍ଟର ମାମଲାର ସମ୍ପର୍କ ରହିଛି। ଯଦି ଆବେଦନକାରୀ ସୁପ୍ରିମ୍‌କୋର୍ଟଙ୍କ ରାୟରେ ସନ୍ତୁଷ୍ଟ ନଥିଲେ, ତେବେ ପୁନର୍ବିଚାର ପାଇଁ ‘କ୍ୟୁରେଟିଭ୍‌’ ଆବେଦନର ସୁଯୋଗ ଥିଲା। କିନ୍ତୁ ଆଇନଗତ ଓ ନ୍ୟାୟିକ ଅବକାଶର ଉପଯୋଗ ନକରି ତରବରିଆ ଭାବେ ପ୍ରଧାନ ନ୍ୟାୟାଧୀଶଙ୍କ ବିରୋଧରେ ମହାଅଭିଯୋଗ ପାଇଁ ଯଥେଷ୍ଟ ଯଥାର୍ଥ କାରଣ ନାହିଁ ବୋଲି ଜାଣି ସୁଦ୍ଧା ନୋଟିସ୍‌ ଦିଆଯାଇଛି। କାରଣ ଏଠାରେ ଉଦ୍ଦେଶ୍ୟ ନ୍ୟାୟ ହାସଲ ଯେତେ ନୁହେଁ, ରାଜନୈତିକ ସ୍ୱାର୍ଥ ହାସଲ ତା’ଠାରୁ ଅଧିକ। ଯେଉଁ ପାଞ୍ଚଦଫା ଅଭିଯୋଗ ଉପରେ ବିରୋଧୀ ପକ୍ଷ ସେମାନଙ୍କ ମହା-ଅଭିଯୋଗ ନୋଟିସ୍‌କୁ ଛିଡ଼ା କରାଇଛନ୍ତି, ସେଗୁଡ଼ିକର ଭିତ୍ତିରେ ଏତେ ଦମ୍‌ ନାହିଁ। ଉତ୍ତର ପ୍ରଦେଶର ପ୍ରସାଦ ମେଡିକାଲ କଲେଜରେ ନାମ ଲେଖା ମାମଲାରେ ପ୍ରଧାନ ବିଚାରପତିଙ୍କ ସନ୍ଦିଗ୍ଧ ସଂପୃକ୍ତି ବିଷୟ ଅଭିଯୋଗରେ ଉଲ୍ଲେଖ ରହିଛି। କିନ୍ତୁ ଅଭିଯୋଗର ପ୍ରାମାଣିକତା ସାବ୍ୟସ୍ତ ଲାଗି ଯଥେଷ୍ଟ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ନାହିଁ। ସମ୍ବିଧାନର ୧୨୪ ଧାରାର ୪ ଉପଧାରାର କଷଟିରେ ଏ ଅଭିଯୋଗ ଉତ୍ତୀର୍ଣ୍ଣ ହେବା ସହଜ ନୁହେଁ। ଏହି ଉପଧାରାର ବ୍ୟବସ୍ଥା ଅନୁଯାୟୀ ଦୁର୍ବ୍ୟବହାର ଓ ଅଦକ୍ଷତା ନେଇ ଅଭିଯୋଗ ସମ୍ପୂର୍ଣ୍ଣ ପ୍ରମାଣିତ ହେଲେ ଯାଇ ଜଣେ ବିଚାରପତିଙ୍କୁ ମହାଭିଯୋଗ ପ୍ରସ୍ତାବ ଦ୍ୱାରା ବହିଷ୍କାର କରାଯାଇ ପାରିବ।

ଅନ୍ୟ ଅଭିଯୋଗ ଗୁଡ଼ିକ ପଛରେ ମଧ୍ୟ ଯୁକ୍ତି ଏତେ ସବଳ ନୁହେଁ। ପ୍ରଧାନ ନ୍ୟାୟାଧୀଶ ଭାବେ ନ୍ୟାୟମୂର୍ତ୍ତି ଦୀପକ ମିଶ୍ରଙ୍କ କେତେକ ନିଷ୍ପତ୍ତି ନିଶ୍ଚୟ ବିବାଦୀୟ। କିନ୍ତୁ ମହାଅଭିଯୋଗ ଆଣିବା ଲାଗି ତାହା ଯଥେଷ୍ଟ ନୁହେଁ। ଅନ୍ୟପକ୍ଷରେ ସହଯୋଗୀ ବିଚାରପତିଙ୍କ ଅଭିଯୋଗ ନିର୍ବିଶେଷରେ, ନ୍ୟାୟମୂର୍ତ୍ତି ଦୀପକ ମିଶ୍ର ପ୍ରଧାନ ନ୍ୟାୟାଧୀଶ ଦାୟିତ୍ୱ ନେବା ପରେ ନ୍ୟାୟିକ ପ୍ରକ୍ରିୟା, କଲେଜିୟମ୍‌ କାର୍ଯ୍ୟପଦ୍ଧତି, ବିଶେଷକରି ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ସକାଶେ ସେ ଯେ କେତେକ ଦୃଷ୍ଟାନ୍ତ ମୂଳକ ସଂସ୍କାରଧର୍ମୀ ପଦକ୍ଷେପ ନେଇଛନ୍ତି, ଏହା ଅସ୍ୱୀକାର କରାଯାଇ ନପାରେ। ଅବଶ୍ୟ, ଏହା ଏକ ଭିନ୍ନ କଥା ଯେ, ଚଳିତ ଏନ୍‌ଡିଏ ଶାସନରେ କେତେକ ପ୍ରସଙ୍ଗରେ ନ୍ୟାୟପାଳିକା ଓ କାର୍ଯ୍ୟନିର୍ବାହୀ ମଧ୍ୟରେ ଅନେକ ଥର ଦ୍ୱନ୍ଦ୍ୱାତ୍ମକ ଓ ମୁକାବିଲା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ଭବତଃ ମହାଭିଯୋଗ ପ୍ରସ୍ତାବ ପଛରେ ଦୁର୍ବଳ ଯୁକ୍ତିି ଏବଂ ରାଜନୈତିକ ଉଦ୍ଦେଶ୍ୟ କାରଣରୁ ଏ ପ୍ରସଙ୍ଗରେ ବିରୋଧୀ ଦଳ ବିଭାଜିତ। ଏପରିକି ମହାଭିଯୋଗ ପ୍ରସ୍ତାବ ଆଣିବାରେ ଅଗ୍ରଣୀ ଭୂମିକା ନେଇଥିବା କଂଗ୍ରେସରେ ମଧ୍ୟ ସହମତି ନାହିଁ।

ସାଂପ୍ରତିକ ରାଜନୈତିକ ବାତାବରଣ ଏବଂ ସଂସଦରେ ଦଳୀୟ ସମୀକରଣ ପରିପ୍ରେକ୍ଷୀରେ- ଏହା ନିଃସନ୍ଦେହ ଯେ, ବିରୋଧୀଙ୍କ ମହା-ଅଭିଯୋଗ ନେଇ ପ୍ରକ୍ରିୟା ବିଶେଷ ଆଗେଇ ପାରିବ ନାହିଁ। ଏପରିକି, ପ୍ରାରମ୍ଭିକ ପର୍ଯ୍ୟାୟରେ ନୋଟିସ୍‌ ଉପରେ ବିଚାର କରୁଥିବା ରାଜ୍ୟସଭା ଅଧ୍ୟକ୍ଷଙ୍କ ଟେବୁଲରୁ ଆଉ ଆଗକୁ ଘୁଞ୍ଚି ନପାରେ। ତେବେ ସେତିକିରେ ମହା-ଅଭିଯୋଗର ମହା-ରାଜନୀତିରେ ପୂର୍ଣ୍ଣଚ୍ଛେଦ ପଡ଼ିବ ନାହିଁ। ରାଜ୍ୟସଭା ଅଧ୍ୟକ୍ଷ ନୋଟିସ୍‌କୁ ଅଗ୍ରାହ୍ୟ କଲେ, ଏହା ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ ହେବ। ରାଜନୈତିକ ଉଦ୍ଦେଶ୍ୟ ଥିବାରୁ ମାମଲାକୁ ଥଣ୍ଡା ହେବାକୁ ଦିଆଯିବ ନାହିଁ। ଏ ରାଜନୀତିରୁ କାହାର କେତେ ଲାଭ ବା କ୍ଷତି ହେବ, ତାହା ଜଣାନାହିଁ। କିନ୍ତୁ ଗୋଟିଏ ବିଷୟ ଜଳ ଜଳ ଯେ, ଏ ପ୍ରକ୍ରିୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ ନ୍ୟାୟପାଳିକାର ସମ୍ମାନ, ସ୍ୱାଧୀନତା ଓ ନିରପେକ୍ଷତା। ମହାଭିଯୋଗ ସଂସଦରେ ପାରିତ ହେବା ତ ଦୂରେ ଥାଉ କକ୍ଷକୁ ଆଲୋଚନା ପାଇଁ ସୁଦ୍ଧା ଆସିବ ନାହିଁ। ତଥାପି ମହାଭିଯୋଗ ପ୍ରକ୍ରିୟା ‘ଡେମୋକ୍ଲିସ୍‌ ଖଣ୍ଡା’ ଭଳି ପ୍ରଧାନ ବିଚାରପତିଙ୍କ ମୁଣ୍ଡ ଉପରେ ଝୁଲି ରହିବ, ଯାହା ତାଙ୍କର ସ୍ୱାଭାବିକ ନ୍ୟାୟିକ ଓ ପ୍ରଶାସନିକ କାର୍ଯ୍ୟକୁ ଅବଶ୍ୟ ପ୍ରଭାବିତ କରିବ। ଏହି ପ୍ରକ୍ରିୟାରେ ନ୍ୟାୟପାଳିକାର କାର୍ଯ୍ୟ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିବ।

ତେବେ ଏ ପ୍ରକାର ଅପ୍ରୀତିକର ଓ ଦୁଃଖଦ ସ୍ଥିତି ପାଇଁ କେବଳ ମହାଭିଯୋଗ ପକ୍ରିୟା ଆରମ୍ଭ କରିଥିବା ବିରୋଧୀ ସାଂସଦମାନଙ୍କୁ ଦାୟୀ କରାଯାଇ ନପାରେ। ନ୍ୟାୟପାଳିକା, ବିଶେଷକରି ସର୍ବୋଚ୍ଚ ନ୍ୟାୟ ପାଳିକାର ସଦସ୍ୟମାନଙ୍କୁ ମଧ୍ୟ ସାମୂହିକ ଭାବେ କିଛି ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ। ବରିଷ୍ଠତମ ଚାରି ବିଚାରପତି ଯଦି ସେମାନଙ୍କ ବିଦ୍ରୋହ ହେଉ ବା ବିବେକର ସ୍ୱର ହେଉ; ବାହାରେ ନ ଉଠାଇ, ନ୍ୟାୟପାଳିକାର ଚାରିକାନ୍ଥ ଭିତରେ ରଖି ସଂସ୍କାରର ବାଟ ଖୋଜିଥାନ୍ତେ, ତେବେ, ବୋଧହୁଏ ବାହ୍ୟ ହସ୍ତକ୍ଷେପ ପାଇଁ ସୁଯୋଗ ଆସିନଥାନ୍ତା। ନ୍ୟାୟପାଳିକାର ଗରିମା ଓ ସମ୍ମାନ ରକ୍ଷା କେବଳ ପ୍ରଧାନ ବିଚାରପତିଙ୍କ ଦାୟିତ୍ୱ ନୁହେଁ, ଏହା ଏକ ସାମୂହିକ ଦାୟିତ୍ୱ। ମାନ୍ୟବର ନ୍ୟାୟମୂର୍ତ୍ତିବୃନ୍ଦ ଏହି ସାମୂହିକ ଦାୟିତ୍ୱ ପ୍ରତି ସଚେତନ ରହିଲେ ରାଜନୈତିକ ଓ ଅନ୍ୟ ବାହ୍ୟ ହସ୍ତକ୍ଷେପ ପାଇଁ ସୁଯୋଗ ରହିବ ନାହିଁ। ମହାଅଭିଯୋଗ ପ୍ରକରଣରୁ ଏହି ଶିକ୍ଷା ମିଳୁ।

ସମ୍ବନ୍ଧିତ ଖବର