କେବଳ ଗୋଟିଏ ଦୃଶ୍ୟର ମଞ୍ଚ ନିର୍ଦ୍ଦେଶନା ପାଇଁ କୌଣସି ଏକ ନାଟକ ଚିରନ୍ତନ ପ୍ରସିଦ୍ଧି ଲାଭ କରିବା ଅତ୍ୟନ୍ତ ବିରଳ। କିନ୍ତୁ ପୃଥିବୀର ଶ୍ରେଷ୍ଠତମ ନାଟ୍ୟକାର ରୂପେ ବିବେଚିତ ଓ୍ଵିଲିଅମ୍ ସେକ୍ସପିଅର୍ଙ୍କର ଅନେକ କାଳଜୟୀ କୃତିମାନଙ୍କ ମଧ୍ୟରେ ଏମିତି ଗୋଟିଏ ନାଟକ ରହିଛି ଯାହା ହେଉଛି ଏହି ଶ୍ରେଣୀର। ନାଟକର ନାମ ହେଉଛି, ‘‘ଦି ‘ଓ୍ଵିଣ୍ଟର୍’ସ ଟେଲ୍’’ ଏବଂ ସେଇ ପ୍ରସିଦ୍ଧ ମଞ୍ଚ ନିର୍ଦ୍ଦେଶନା ହେଉଛି: ‘‘ପ୍ରସ୍ଥାନ, ଭାଲୁ ଅନୁଧାବନରତ’’ (‘‘ଏଗ୍ଜିଟ୍, ପର୍ସ୍ୟୁଡ୍ ବାଏ ଏ ବେଅର୍’’)। ୧୬୧୧ ସାଲରେ ପ୍ରଥମ ଅଭିନୀତ ଏହି ନାଟକର ଏହି ପାଞ୍ଚଟି ଶବ୍ଦ ବିଶିଷ୍ଟ ମଞ୍ଚ ନିର୍ଦ୍ଦେଶନା ଏବେବି ଏକ କିଂବଦନ୍ତି ରୂପେ କିପରି ଆଦୃତ ଓ ବ୍ୟବହୃତ ତାର ଏକ ସଦ୍ୟତମ ପ୍ରମାଣ ଦେଖିବାକୁ ମିଳିଛି ଏକ ସମ୍ପୂର୍ଣ୍ଣ ଅଭାବିତ ତଥା ଅସମ୍ପର୍କିତ ପ୍ରସଙ୍ଗରେ: ଭାରତରେ ପ୍ରବର୍ତ୍ତନ କରାଯାଇଥିବା କମ୍ପାନିମାନଙ୍କ ଦ୍ୱାରା ହେଉଥିବା ଋଣ ଖିଲାପର ମୁକାବିଲା ପାଇଁ ଉଦ୍ଦିଷ୍ଟ ଆଇନ- ‘ଇନ୍ସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କ୍ରପ୍ସି କୋଡ୍, ୨୦୧୬’ (‘ଆଇବିସି’)।
Sambad is now on WhatsApp
Join and get latest news updates delivered to you via WhatsApp
ଏହି କୋଡ୍ ବା ନିୟମାବଳୀ କାର୍ଯ୍ୟକାରୀ ହେବା ପୂର୍ବରୁ ଅନେକ ଭାରତୀୟ କମ୍ପାନିମାନଙ୍କର ପ୍ରତିଷ୍ଠାତା-ମାଲିକ (ପ୍ରମୋଟର୍ସ) ମାନେ କିଭଳି ମୁଖ୍ୟତଃ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନଙ୍କ ଠାରୁ ବିଶାଳ ଋଣ ମାନ ହସ୍ତଗତ କରିବା ପରେ ସେ ସବୁକୁ ପରିଶୋଧ କରିବା ପରିବର୍ତ୍ତେ ବିଳାସପୂର୍ଣ୍ଣ ଜୀବନ ବିତାଇ ଅକ୍ଷତ ଅବସ୍ଥାରେ ଖସିଯାଉଥିଲେ, ତାହାର ବର୍ଣ୍ଣନା କରି (ଯେମିତି ବିଜୟ ମାଲ୍ୟା), ଏବେ କିନ୍ତୁ ‘ଆଇବିସି’ କବଳରୁ ସେମାନେ କିପରି ଆଉ ଖସି ପାରିବେ ନାହିଁ ବୋଲି ଏକ ମନ୍ତବ୍ୟ ଏକ ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ପ୍ରକାଶନରେ ରୋଚକ ଢଙ୍ଗରେ ଉପସ୍ଥାପିତ ହେବା ଦେଖା ଯାଇଛି। ପ୍ରକାଶନଟି ଉକ୍ତ ପଳାୟନମୁଖୀ ପ୍ରମୋଟର୍ମାନଙ୍କୁ ଲକ୍ଷ୍ୟ କରି ସେକ୍ସପିଅର୍ଙ୍କ ଉପରୋକ୍ତ ପ୍ରସିଦ୍ଧ ମଞ୍ଚ ନିର୍ଦ୍ଦେଶନାରେ ସାମାନ୍ୟ ପରିବର୍ତ୍ତନ କରି ଏକ ଶିରୋନାମା ବ୍ୟବହାର କରିଛି: ‘‘ପ୍ରସ୍ଥାନ, ବାଘ ଅନୁଧାବନରତ’’ (‘‘ଏଗ୍ଜିଟ୍, ପର୍ସ୍ୟୁଡ୍ ବାଏ ଏ ଟାଇଗର୍’’)। ଏଠାରେ ବାଘ ହେଉଛି ‘ଆଇବିସି’: ଭାରତୀୟ ଅର୍ଥନୀତିକୁ ସାଧାରଣତଃ ଜାତୀୟ ପଶୁ ବାଘ ସହିତ ତୁଳନା କରାଯାଉଥିବାରୁ ଶିରୋନାମାରେ ବାଘ ଭାଲୁର ସ୍ଥାନ ନେଇଛି।
ଏଥି ପୂର୍ବରୁ ଢିଲା ଆଇନର ସୁଯୋଗ ନେଇ ପ୍ରମୋଟର୍ମାନେ ଋଣ ଖିଲାପ କରି ଚାଲିଥିଲେ ମଧ୍ୟ ବ୍ୟାଙ୍କ୍ମାନେ ସେମାନଙ୍କର କିଛି କ୍ଷତି କରିପାରୁ ନଥିଲେ ଓ ସେମାନେ ଖିଲାପି କମ୍ପାନିକୁ ନିଜ ମାଲିକାନାରେ ରଖି ଚାଲିଥିଲେ। ଏହି ସମୟରେ ସେମାନେ କମ୍ପାନି ପାଖରେ ଥିବା ନଗଦ ରାଶି ସବୁ ଖାଲି କରିଦେଉଥିଲେ କିମ୍ବା କମ୍ପାନି ଉପରେ ନିଜର ଦଖଲ ଜନିତ ପ୍ରଭାବ ବ୍ୟବହାର କରି ଋଣଦାତା ବ୍ୟାଙ୍କ୍ ଉପରେ ଚାପ ପ୍ରୟୋଗ କରି ଋଣ ରାଶିରେ ହ୍ରାସ ଘଟାଇବାକୁ ବାଧ୍ୟ କରିପାରୁଥିଲେ।
ବର୍ତ୍ତମାନ ନୂତନ ‘ଆଇବିସି’ ଅନୁସାରେ ଋଣ ଖିଲାପକାରୀ ପ୍ରମୋଟର୍ମାନେ ଆଉ ସମ୍ପୃକ୍ତ କମ୍ପାନିର ମାଲିକ ହୋଇ ରହିପାରିବେ ନାହିଁ। ଯଦି କମ୍ପାନିଟି ଏକ ବିଶେଷ ଟ୍ରିବ୍ୟୁନାଲ ଦ୍ୱାରା ଦେବାଳିଆ ରୂପେ ସାବ୍ୟସ୍ତ ହୁଏ, ତେବେ କମ୍ପାନିର ପରିଚାଳନା ବୋର୍ଡ ବହିଷ୍କୃତ ହେବେ ଏବଂ କମ୍ପାନିର ଅନ୍ତରୀଣ ପରିଚାଳନା ଜଣେ ସ୍ୱାଧୀନ ବିଶେଷଜ୍ଞଙ୍କ ହାତରେ ନ୍ୟସ୍ତ ହେବ। ସେ ଋଣଦାତାମାନଙ୍କ ତରଫରୁ କମ୍ପାନିକୁ ନୂତନ ନିବେଶକମାନଙ୍କ ପାଇଁ ପ୍ରସ୍ତୁତ କରିବେ। କିନ୍ତୁ ପୂର୍ବରୁ ଋଣ ଖିଲାପ କରିଥିବା କୌଣସି ନିବେଶକ ଏହି କମ୍ପାନିର ମାଲିକାନା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ଯଦି ନ’ମାସ ବା ୨୭୦ ଦିନ ମଧ୍ୟରେ ଋଣପ୍ରଦାନକାରୀ ମାନେ କୌଣସି ନୂତନ ମାଲିକଙ୍କ ହାତରେ କମ୍ପାନିଟିକୁ ଟେକି ଦେବାରେ ବିଫଳ ହେବେ, ତେବେ କମ୍ପାନିଟି ସମ୍ପୂର୍ଣ୍ଣ ବୁଡ଼ିଗଲା ବୋଲି ବିଚାର କରାଯିବ ଏବଂ ତାହାର ପରିସମ୍ପତ୍ତି ସବୁକୁ ଖଣ୍ଡବିଖଣ୍ଡିତ କରି ବିକ୍ରି କରିଦିଆଯିବ, ଯେପରି ଏକ ପୁରୁଣା କାର୍କୁ କବାଡ଼ିବାଲାକୁ ବିକ୍ରି କରି ଦିଆଯାଏ। କହିବା ବାହୁଲ୍ୟ, ଏହା ଘଟିଲେ ସମ୍ପୃକ୍ତ ସମସ୍ତ ପକ୍ଷ କ୍ଷତିରେ ପଡ଼ିବେ।
ସୁଖର କଥା ଏହି ଯୁଗାନ୍ତକାରୀ ଆଇନ ପ୍ରଣୟନ ପରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦେବାଳିଆ ବିବେଚିତ ହୋଇଥିବା ପ୍ରାୟ ଡଜନେ ସରିକି ବଡ଼ ବଡ଼ କମ୍ପାନିମାନଙ୍କରେ ପୁଞ୍ଜିନିବେଶ କରିବା ପାଇଁ ଅର୍ଥାତ୍ ସେଗୁଡ଼ିକୁ କ୍ରୟ କରିବା ପାଇଁ ଅନେକ ପ୍ରତିଷ୍ଠିତ ନିବେଶକମାନେ ଆଗ୍ରହ ପ୍ରଦର୍ଶନ କରିଛନ୍ତି। ଏହି ଏକ ଡଜନ୍ କମ୍ପାନି ଖିଲାପ କରିଥିବା ଋଣର ମୋଟ ପରିମାଣ ସମଗ୍ର ବ୍ୟାଙ୍କ୍ ବ୍ୟବସ୍ଥାର ମୋଟ ଖିଲାପି ଋଣର ପ୍ରାୟ ଏକ-ଚତୁର୍ଥାଂଶ ହେବ। ଯଦି ନ’ମାସ ମଧ୍ୟରେ ଏହି ମାଲିକାନା ହସ୍ତାନ୍ତର ଚୂଡ଼ାନ୍ତ ହୁଏ ତେବେ ବ୍ୟାଙ୍କ୍ମାନେ ଆଂଶିକ କ୍ଷତି ସହି ସେମାନଙ୍କ ଋଣ ଫେରିପାଇବା ସହିତ କମ୍ପାନିମାନେ ନୂତନ ମାଲିକାନାରେ କାର୍ଯ୍ୟ କରି ନିଯୁକ୍ତି, ଉତ୍ପାଦନ ଆଦିକୁ ସୁରକ୍ଷିତ ରଖି ପାରିବେ।
‘ଆଇବିସି’ କାର୍ଯ୍ୟକାରୀ ହେବା ପରେ ଏଇ ଭଳି ଏକ ଆଶା ଉଙ୍କି ମାରି ଆସୁଥିବା ବେଳେ କିନ୍ତୁ ବର୍ତ୍ତମାନ ଏହି ପ୍ରାରମ୍ଭିକ ଅବସ୍ଥାରେ ଯାହା ଦେଖିବାକୁ ମିଳିଲାଣି ତାହାର ନାଟକୀୟତା ସେକ୍ସପିଅର୍ଙ୍କର କୌଣସି ନାଟକ ଠାରୁ କମ୍ ନୁହେଁ ବୋଲି କୁହାଯାଇପାରେ। ଗୋଟିଏ ଉଦାହରଣ ସ୍ୱରୂପ ଏସାର୍ ଷ୍ଟିଲ୍ ଇଣ୍ଡିଆ ଲିମିଟେଡ୍କୁ ନିଆଯାଉ। ଏହି କମ୍ପାନି ନିଲାମ ହେଲେ ଋଣଦାତାମାନଙ୍କୁ ସେମାନଙ୍କ ଋଣର ମାତ୍ର ୧୭% ହରାଇବାକୁ ପଡ଼ିବ ବୋଲି ସେମାନେ ଅନୁମାନ କରିଛନ୍ତି (ଭୂଷଣ ପାଓ୍ଵାର୍ ଆଣ୍ଡ୍ ଷ୍ଟିଲ୍ ଭଳି କମ୍ପାନି ପାଇଁ ଏହା ହୋଇପାରେ ୬୦%!)। ‘ଏସାର୍’ ପାଇଁ ଯେଉଁ ନିଲାମ ଯୁଦ୍ଧ ଆରମ୍ଭ ହୋଇଛି ସେଥିରେ ନିଲାମରେ ଭାଗ ନେଇଥିବା ନିବେଶକମାନେ ନିଜର ଶକ୍ତି ପ୍ରଦର୍ଶନ ଅପେକ୍ଷା ପ୍ରତିପକ୍ଷକୁ ଅଯୋଗ୍ୟ ବିବେଚିତ କରିବାକୁ ସେମାନଙ୍କର ମୁଖ୍ୟ ରଣକୌଶଳ ରୂପେ ବ୍ୟବହାର କରିବାକୁ ଯେଉଁ ଭଳି ଉଦ୍ୟମ ଚଳାଇଛନ୍ତି ତାହା ହିଁ ହେଉଛି ନାଟକର ବିଷୟବସ୍ତୁ।
ପ୍ରଥମ ରାଉଣ୍ଡ୍ ନିଲାମରେ ଅଂଶ ଗ୍ରହଣ କରିଥିବା ଦୁଇ ପକ୍ଷ ଥିଲେ ‘ଭିଟିବି କ୍ୟାପିଟାଲ’ ଓ ‘ଆର୍ସେଲର୍ ମିତ୍ତଲ’- ପୃଥିବୀର ବୃହତ୍ତମ ଇସ୍ପାତ କମ୍ପାନି। କିନ୍ତୁ ‘ଆଇବିସି’ର ୨୯-ଏ ଧାରାର ଚତୁଃସ୍ତରୀୟ ଅଯୋଗ୍ୟତା ଲକ୍ଷଣକୁ ଧ୍ୟାନରେ ରଖି ଋଣଦାତାମାନଙ୍କର କମିଟି ଉଭୟଙ୍କୁ ଅଯୋଗ୍ୟ ବିବେଚିତ କଲା। ଦ୍ୱିତୀୟ ରାଉଣ୍ଡ୍ ନିଲାମରେ ଅଂଶ ଗ୍ରହଣ କଲେ ବେଦାନ୍ତ ଗ୍ରୁପ୍ ଓ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଲିମିଟେଡ୍। ଏଥର ଘଟଣାକୁ ଆଉ ଏକ ମୋଡ଼ ଦେଇ ‘ନେସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲ’ ଏହି ଦ୍ୱିତୀୟ ରାଉଣ୍ଡକୁ ଅସିଦ୍ଧ ଘୋଷଣା କରିଦେଲେ। ଋଣଦାତାମାନଙ୍କୁ ଏବେ ପୁଣି ପ୍ରଥମ ରାଉଣ୍ଡର ନିଲାମ ଅଂଶଗ୍ରହଣକାରୀ ‘ଭିଟିବି’ ଏବଂ ‘ଆର୍ସେଲର ମିତ୍ତଲ’ଙ୍କୁ ବିଚାରକୁ ନେବାକୁ ହେବ। ତେବେ ‘ଭିଟିବି’ର ଦୁଇଟି ସମସ୍ୟା ରହିଛି। ଏକ, ଏହାର ଏକ ଗୌଣ ଅଂଶୀଦାର ହେଉଛି ‘ଏସାର୍’ର ମୂଳ ପ୍ରମୋଟର ରୁଇଆ ପରିବାର। ଏହା ଧାରା ୨୯-ଏର ଉଲ୍ଲଂଘନ କରୁଛି। ଦୁଇରେ, ଭିଟିବି ବ୍ୟାଙ୍କ୍ ପିଜେଏସ୍ସିରେ ସମ୍ପୃକ୍ତତ ଏକ ରୁଷୀୟ ନିବେଶକ ଚଳିତ ମାସରେ ଆମେରିକା ପ୍ରସାର କରିଥିବା ଏକ ରୁଷୀୟ ବାସନ୍ଦ ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି। ଭାରତରେ ଏକ ପ୍ରମୁଖ ଇସ୍ପାତ କମ୍ପାନିରେ ତାଙ୍କୁ କିପରି ପ୍ରବେଶ କରିବାକୁ ଦିଆଯିବ? ଦ୍ୱିତୀୟ ରାଉଣ୍ଡ୍ରେ ରୁଇଆ ପରିବାର ସ୍ଥାନରେ ସଜ୍ଜନ ଜିନ୍ଦଲଙ୍କ ଜେଏସ୍ଡବ୍ଲ୍ୟୁ ଭିଟିବିର ପାର୍ଟନର ଭାବରେ ପ୍ରବେଶ କରିବା ପରେ ଜିନ୍ଦଲ ଓ ଆର୍ସେଲର ମିତ୍ତଲ ମଧ୍ୟରେ ଏକ ଖୋଲାଖୋଲି ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହି ଟ୍ଵିଟର୍ ଯୁଦ୍ଧରୁ ବର୍ତ୍ତମାନ ଜଣାପଡ଼ିଛି ଯେ ଅତୀତରେ ଅନ୍ୟ ଏକ ଋଣଖିଲାପି କମ୍ପାନିରେ ଆର୍ସେଲର ମିତ୍ତଲର ଅଂଶଧନ ଥିଲା। ତାହାକୁ ଏବେ ବିକ୍ରି କରିଦିଆଯାଇଥିଲେ ହେଁ ଆର୍ସେଲର ମିତ୍ତଲ ଋଣଖିଲାପ କଳଙ୍କରୁ ମୁକ୍ତ ନୁହେଁ। ସେହିପରି ଜିନ୍ଦଲଙ୍କ ଭଉଣୀଙ୍କର ଏକ ଦେବାଳିଆ ଇସ୍ପାତ କମ୍ପାନିରେ ସମ୍ପୃକ୍ତି ଥିବାରୁ ଜିନ୍ଦଲ ବର୍ତ୍ତମାନ ଏସାର୍ ନିଲାମରେ ଭାଗ ନେବା ପାଇଁ ଅନୁପଯୁକ୍ତ ବୋଲି ମିତ୍ତଲ ଅଭିଯୋଗ କରୁଛନ୍ତି।
ଏ ମାସ ଶେଷରେ ଏସାର୍ ନିଲାମ ପାଇଁ ଧାର୍ଯ୍ୟ ୨୭୦ ଦିନ ଶେଷ ହେବାକୁ ଯାଉଛି। ଏଭଳି ଗୋଡ଼ ଟଣାଟଣି ଯୋଗୁଁ ସମୟ ନଷ୍ଟ ହେବା ଯୋଗୁଁ ଟ୍ରିବ୍ୟୁନାଲ ଏବେ ଆଉ ମାସେ ଅଧିକ ସମୟ ଦେଇଛନ୍ତି। କିନ୍ତୁ ପ୍ରମୋଟର ମାନଙ୍କୁ ଦୂରରେ ରଖିବା ପାଇଁ ଆଇବିସିର ୨୯-ଏ ଧାରା ମାଧ୍ୟମରେ ଯେଉଁ ବାଘ ଭୟ ସୃଷ୍ଟି କରାଯାଇଛି ତା’ର ପରିଣତି ଯଦି ଶେଷରେ ‘ଏସାର୍’ର ବିଲୋପ ହୁଏ, ତେବେ ଋଣଦାତାମାନଙ୍କର ଋଣ ଫେରିପାଇବାର ଆଶା ଆଶାରେ ହିଁ ରହିଯିବ। ଆଇବିସି ବାଘ ପ୍ରମୋଟରଙ୍କୁ ଖାଇବା ସହିତ ଋଣଦାତାମାନଙ୍କୁ ମଧ୍ୟ ଖାଇ ଦେବ।