ଏ ସ୍ଥିତି ବଦଳୁ

ବିଦାୟୀ ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟରେ ଯୋଜନା ଓ କାର୍ଯ୍ୟକ୍ରମ ରୂପାୟନ ବାବଦ ଖର୍ଚ୍ଚ ପୂର୍ବବର୍ଷ ତୁଳନାରେ ୧୩ ପ୍ରତିଶତ ବୃଦ୍ଧି ପାଇଛି। ନିକଟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଉପସ୍ଥାପିତ ଏ ତଥ୍ୟକୁ ଦେଖାଇ ସରକାରୀ କଳର ନେତା ଓ ବାବୁମାନେ ଯୋଜନା ରୂପାୟନରେ ଦକ୍ଷତା ବଢ଼ିଥିବା ଦାବି କରି ପାରନ୍ତି। ତେବେ ଯୋଜନା ବ୍ୟୟରେ ଏ ଅଭିବୃଦ୍ଧି ନେଇ ନା ବିଶେଷ ସନ୍ତୋଷର ଅବକାଶ ଅଛି ନା ଏହାକୁ ଯୋଜନା ରୂପାୟନରେ ଦକ୍ଷତା ବୃଦ୍ଧିର ସୂଚକ କୁହାଯାଇ ପାରିବ। କାରଣ ଖର୍ଚ୍ଚ ପରିମାଣ ବୃଦ୍ଧି ସତ୍ତ୍ୱେ ଗତ ବର୍ଷ ପାଇଁ ଯୋଜନା ବାବଦ ଧାର୍ଯ୍ୟ ଖର୍ଚ୍ଚର ତଥାପି ପ୍ରାୟ ଛଅ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇ ପାରି ନାହିଁ। ୨୦୧୭-୧୮ ବଜେଟରେ ଯୋଜନା ଓ କାର୍ଯ୍ୟକ୍ରମ ବାବଦ ୫୭,୮୦୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଥିଲା। କିନ୍ତୁ ବର୍ଷ ଶେଷ ବେଳକୁ ଖର୍ଚ୍ଚ ପରିମାଣ ୫୧,୧୮୮ କୋଟି ଟଙ୍କାରେ ସୀମିତ ରହିଯାଇଛି। ଅର୍ଥାତ୍‌ ଯୋଜନା ବାବଦ ବ୍ୟୟ ଅଟକଳର ୧୦ ପ୍ରତିଶତରୁ ଅଧିକ ଖର୍ଚ୍ଚ ହୋଇ ପାରି ନାହିଁ। ପରିଣତି, ବିକାଶ କ୍ଷେତ୍ରରେ ନିଅଣ୍ଟିଆ ଭରଣା ଲାଗି ଯାହା ବି ଲକ୍ଷ୍ୟ ରଖା ଯାଇଥିଲା ତାହା ହାସଲ ହୋଇ ପାରିନାହିଁ। ଅବଶ୍ୟ, ଏହା ଏକ ବ୍ୟତିକ୍ରମ ନୁହେଁ, ବରଂ ଏକ ଅସ୍ୱସ୍ତିକର ଧାରା। ବିଗତ ଗୋଟିଏ ଦଶକର ଯୋଜନା ବାବଦ ଖର୍ଚ୍ଚର ଯଦି ସମୀକ୍ଷା କରାଯାଏ, ତେବେ ବାର୍ଷିକ ହାରାହାରି ଚାରି ହଜାରରୁ ପାଞ୍ଚହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ପାରି ନାହିଁ। ୨୦୧୪-୧୫ରୁ ୨୦୧୬-୧୭ ତିନିବର୍ଷ ମଧ୍ୟରେ ବଜେଟ ଅଟକଳର ପ୍ରାୟ ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇ ପାରି ନାହିଁ। ଅନେକ ବର୍ଷ ତ ଅତିରିକ୍ତ ବଜେଟରେ ଯେତିକି ବ୍ୟୟବରାଦ କରାଯାଉଛି, ତା’ଠାରୁ ଅଧିକ ପରିମାଣ ଅର୍ଥ ଖର୍ଚ୍ଚ ହୋଇ ପାରୁନାହିଁ। ଏହା ନିଶ୍ଚିତ ଭାବେ ଏକ ନିଷ୍ଠୁର ବିଡ଼ମ୍ବନା। ଗୋଟିଏ ପକ୍ଷରେ ବିକାଶ କ୍ଷେତ୍ରରେ ଥିବା ଉତ୍କଟ ନିଅଣ୍ଟିଆ ଭରଣା ଲାଗି ଅଧିକ ପାଣ୍ଠି ଆବଶ୍ୟକ ଥିବା ଦର୍ଶାଯାଉଛି। ଅଥଚ, ଅନ୍ୟପକ୍ଷରେ ହାତରେ ଉପଲବ୍ଧ ପାଣ୍ଠିର ବିିନିଯୋଗ ହୋଇ ପାରୁନାହିଁ। ଏହା ଆପେ ଅଧିକ ଅର୍ଥ ପାଇଁ ଦାବିକୁ ଦୁର୍ବଳ କରି ପାଣ୍ଠି ବିନିଯୋଗରେ ଅପାରଗତା ପ୍ରତି ଇଙ୍ଗିତ କରୁଛି।

ଯୋଜନା ରୂପାୟନରେ ସ୍ୱତଃ ଅଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା- ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ ଖର୍ଚ୍ଚ ପାଇଁ ଅନେକ ଗୁଡ଼ିଏ କାରର ଥାଇପାରେ। କିନ୍ତୁ ସେହି କାରଣଗୁଡ଼ିକ ମଧ୍ୟରୁ ଗୋଟିଏ ମୁଖ୍ୟ କାରଣ ହେଲା ବିଭିନ୍ନ ସରକାରୀ ବିଭାଗରେ କର୍ମଚାରୀଙ୍କ ଉତ୍କଟ ମରୁଡ଼ି। ବିଧାନସଭାରେ ମଙ୍ଗଳବାର ଦିଆଯାଇଥିବା ଏକ ସୂଚନା ଅନୁଯାୟୀ ଗୁୁରୁତ୍ୱପୂର୍ଣ୍ଣ ପଞ୍ଚାୟତିରାଜ ବିଭାଗରେ ତିନି ହଜାରରୁ ଅଧିକ ପଦ ଖାଲି ପଡ଼ିଛି। ଖାଲିଥିବା ଏହି ପଦଗୁଡ଼ିକ ମଧ୍ୟରେ ରହିଛି ୩୩ଟି ବ୍ଲକ୍‌ର ବିଡିଓ ଓ ୨୫ଟି ଜିଲ୍ଲାରେ ଗ୍ରାମାଞ୍ଚଳ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପଦ। ୨୦୧୮-୧୯ ବଜେଟରେ ପଞ୍ଚାୟତିରାଜ ବିଭାଗ ପାଇଁ ମୋଟ ବ୍ୟୟ ଅଟକଳ ୧୩,୭୨୫ କୋଟି ଟଙ୍କା। ଏହା ଗତବର୍ଷର ବ୍ୟୟବରାଦ ତୁଳନାରେ ୩୩ ପ୍ରତିଶତ ଅଧିକ। ଆବଶ୍ୟକତା ଅନୁଯାୟୀ ଏହା ଯଥେଷ୍ଟ ନୁହେଁ। ତଥାପି ସ୍ୱାଭାବିକ ଭାବେ ଆଶଙ୍କା ହେଉଛି, ବ୍ୟୟବରାଦ ଅର୍ଥର କ’ଣ ସମ୍ପୂର୍ଣ୍ଣ ବିନିଯୋଗ ହୋଇ ପାରିବ? ଗ୍ରାମାଞ୍ଚଳରେ ଭିତ୍ତିଭୂମିର ଉନ୍ନତିି ସହ ଗ୍ରାମୀଣ ଲୋକଙ୍କ ଜୀବନ ଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ଅନେକ ଯୋଜନା ଓ କାର୍ଯ୍ୟକ୍ରମର ରୂପାୟନ ଦାୟିତ୍ୱ ପଞ୍ଚାୟତିରାଜ ବିଭାଗ ଉପରେ। କର୍ମଚାରୀ ଅଭାବ ଯୋଗୁ କେବଳ ମଞ୍ଜୁର ପାଣ୍ଠିର ପୂର୍ଣ୍ଣ ବିନିଯୋଗ ହୋଇ ପାରୁନାହିଁ, ତା ନୁହେଁ। ଉପଯୁକ୍ତ ତଦାରଖ ଅଭାବରୁ ଯୋଜନାର କାର୍ଯ୍ୟକାରିତା ମଧ୍ୟ ଠିକଣା ଢଙ୍ଗରେ ହେଉ ନାହିଁ। ଫଳତଃ ଯୋଜନାରୁ ଈପ୍‌ସିତ ସୁଫଳ ମିଳୁନାହିଁ।

ଏକା ପଞ୍ଚାୟତିରାଜ ବିଭାଗ ନୁହେଁ, ସରକାରଙ୍କ ପ୍ରାୟ ସବୁ ବିଭାଗ କର୍ମଚାରୀ ମରୁଡ଼ି ଦ୍ୱାରା ଆକ୍ରାନ୍ତ, ଯାହାର ଦୁଃଖଦ ପ୍ରତିଫଳନ ଯୋଜନା ରୂପାୟନରେ ଦେଖିବାକୁ ମିଳୁଛି। ଅନେକ ଯୋଜନା ଅଧାପନ୍ତରିଆ। ଟିକସ ଦାତାଙ୍କ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି, ଅଥଚ ‘ଶେଷ ମାଇଲ’ କାର୍ଯ୍ୟ ପୂରା ହେଉ ନଥିବାରୁ ଯୋଜନା ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରୁନାହିଁ। ଗତ ୨୦୧୭ ଫେବ୍ରୁଆରିରେ ବିଧାନସଭାରେ ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଦେଇଥିବା ସୂଚନା ଅନୁଯାୟୀ ସରକାରଙ୍କ ବିଭିନ୍ନ ବିଭାଗରେ ୧ ଲକ୍ଷ ୩୮ ହଜାର ପଦ ଖାଲି ପଡ଼ିଛି। ଖର୍ଚ୍ଚ କାଟ ପାଇଁ ୪୪ ହଜାରରୁ ଅଧିକ ପଦ ଉଚ୍ଛେଦ ପରେ ଏହା ଥିଲା ରିକ୍ତ ପଡ଼ିଥିବା ପଦ ସଂଖ୍ୟା। ଅର୍ଥାତ୍‌ ପ୍ରଶାସନିକ ସେବା ଓ ଯୋଜନା ରୂପାୟନ ପାଇଁ ସରକାରୀ କଳରେ ଯେତେ ସଂଖ୍ୟାରେ କର୍ମଚାରୀ ଦରକାର, ତା’ ତୁଳନାରେ ପ୍ରାୟ ୧ ଲକ୍ଷ ୮୦ ହଜାର କମ୍‌ କର୍ମଚାରୀ କାର୍ଯ୍ୟରତ। ଏହାଫଳରେ ଉଭୟ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ଓ ଯୋଜନା ରୂପାୟନ ପ୍ରଭାବିତ ହେବା ଆଦୌ ଅସ୍ୱାଭାବିକ ନୁହେଁ। ଏଥିରେ ସାଧାରଣ ଜନତାଙ୍କୁ ଯଦି ସରକାରୀ ସେବା ନ ମିଳେ, ଯୋଜନାରୁ ଈପ୍‌ସିତ ସୁଫଳ ନ ମିଳେ, ତେବେ, ସେଥିରେ ବିସ୍ମିତ ହେବାର କ’ଣ ଅଛି? କର୍ମଚାରୀ ମରୁଡ଼ି ଯୋଗୁ ଉଭୟ ସରକାରୀ ସେବା ଓ ଯୋଜନା ରୂପାୟନ କ୍ଷେତ୍ରରେ ଏକ ନିଅଣ୍ଟିଆ ଭାବ ଲାଗି ରହୁଛି। ଯାହା ସରକାରୀ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ମଧ୍ୟ ଊଣା କରି ଦେଉଛି।

ବର୍ଷକ ପରେ ମଧ୍ୟ ସ୍ଥିତିରେ ବିଶେଷ କୌଣସି ପରିବର୍ତ୍ତନ ହୋଇ ନାହିଁ। ଯଥା ପୂର୍ବଂ ତଥା ପରଂ। ବରଂ କେତେକ ବିଭାଗରେ ସ୍ଥିତି ଅଧିକ ବିଗିଡ଼ିଛି। ବିଧାନସଭାର ଚଳିତ ଅଧିବେଶନରେ ବିଭିନ୍ନ ବିଭାଗର କର୍ମଚାରୀ ଅଭାବ ସଂପର୍କରେ ଦିଆଯାଉଥିବା ସୂଚନାରୁ ଏହା ସ୍ପଷ୍ଟ। ସାମାଜିକ କ୍ଷେତ୍ର, ସାମାଜିକ- ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ କଲ୍ୟାଣ, ଭିତ୍ତିଭୂମିର ବିକାଶ ସହ ଯୋଡ଼ି ହୋଇଥିବା ବିଭାଗ ଗୁଡ଼ିକରେ ମାନବ ସମ୍ବଳର ଅଭାବ ଲାଗି ରହିଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗେରେ କର୍ମଚାରୀଙ୍କ ଅଭାବ ଅତ୍ୟନ୍ତ ଉଦ୍‌ବେଗଜନକ। ସରକାରଙ୍କ ପକ୍ଷରୁ ନୂଆ ନୂଆ ସ୍ୱାସ୍ଥ୍ୟ ସେବା ଯୋଜନା ଘୋଷଣା କରାଯାଉଛି, ଅଥଚ ଡାକ୍ତରଙ୍କଠାରୁ ଆରମ୍ଭ କରି ଫାର୍ମାସିଷ୍ଟ, ନର୍ସ ପର୍ଯ୍ୟନ୍ତ ପ୍ରାୟ ୧୨ ହଜାରରୁ ଅଧିକ ସଂଖ୍ୟକ ପଦ ଖାଲି ପଡ଼ିଛି। ବିନା ଡାକ୍ତର, ନର୍ସରେ ଡାକ୍ତରଖାନା ଚାଲିବ କେମିତି? ସାଧାରଣ ଲୋକେ ସ୍ୱାସ୍ଥ୍ୟ ସେବା ଯୋଜନାର ଲାଭ ପାଇବେ କେମିତି? ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ଭିତ୍ତିଭୂମି ଓ ଅନ୍ୟ ସୁବିଧାର ଅଭାବ ଯେତେ ନୁହେଁ, ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅଭାବ ତା’ଠାରୁ ଅଧିକ ଦାୟୀ। ସେହିପରି ଗୁଣାତ୍ମକ ଶିକ୍ଷା ଉପରେ ପ୍ରାଥମିକତା ଦିଆଯାଉଥିବା କୁହାଯାଉଛି। ଅଥଚ, ପ୍ରାଥମିକ ଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଶିକ୍ଷକଙ୍କ ଅଭାବ। ଶିକ୍ଷକଙ୍କ ବିନା ଗୁଣାତ୍ମକ ଶିକ୍ଷା ତ ଦୂରେ ଥାଉ, ସର୍ବନିମ୍ନ ମୌଳିକ ଶିକ୍ଷାଦାନ ବି ସମ୍ଭବ ନୁହେଁ। ସେଥି ପାଇଁ ପ୍ରତି ଥର ‘ଅସର୍‌’ ରିପୋର୍ଟ ଓଡ଼ିଶା ଛାତ୍ରଛାତ୍ରୀଙ୍କ ଶୋଚନୀୟ ଜ୍ଞାନ ସ୍ତରର ବୟାନ କରୁଛି। ରାଜ୍ୟବାସୀଙ୍କ ଜୀବନ ଧାରଣ ମାନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ଲାଗି ଏହି ଦୁଇ ବିଭାଗର କାର୍ଯ୍ୟଧାରାରେ ଚାରିତ୍ରିକ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ, ଯାହା ଶିକ୍ଷକ- ଡାକ୍ତର ଅଭାବ ଲାଗି ରହିଥିଲେ ସମ୍ଭବ ନୁହେଁ।

ଅବଶ୍ୟ, କେବଳ ଖାଲି ପଦ ପୂରଣ ହୋଇଗଲେ ଯେ ଆପେ ଯୋଜନା ରୂପାୟନ ଓ ଶାସନର ଚିତ୍ର-ଚରିତ୍ର ବଦଳିଯିବ ବୋଲି ଆଶା କରାଯାଇ ନପାରେ। ଏଥିପାଇଁ ଆବଶ୍ୟକ କର୍ମଚାରୀଙ୍କ ମଧ୍ୟରେ ନିଷ୍ଠା, କର୍ମପ୍ରବଣତା ଓ ଅମଲାତାନ୍ତ୍ରିକ ନେତୃତ୍ୱ। ତଥାପି, ଯୋଜନା କାର୍ଯ୍ୟକାରିତା, ସେବା ପ୍ରଦାନ ଲାଗି ଯଥେଷ୍ଟ ସଂଖ୍ୟକ କର୍ମଚାରୀ ରହିବା ଏକ ପ୍ରଧାନ ଆବଶ୍ୟକତା। ଏ ଆବଶ୍ୟକତା ପୂରଣ କରିବା ସରକାରଙ୍କ ପକ୍ଷରେ ବିଶେଷ କଷ୍ଟକର ନୁହେଁ। ରାଜ୍ୟରେ ବେକାର ସମସ୍ୟାକୁ ଲାଘବ କରିବାରେ ମଧ୍ୟ ଏହା କିଛି ମାତ୍ରାରେ ସହାୟକ ହେବ। ତେଣୁ ଶୂନ୍ୟ ପଦଗୁଡ଼ିକର ପୂରଣ ଲାଗି ସରକାରଙ୍କୁ ସ୍ୱତନ୍ତ୍ର ନିଯୁକ୍ତି ଅଭିଯାନ ଆରମ୍ଭ କରିବାକୁ ପଡ଼ିବ। ଅନ୍ୟଥା, ନା ଯୋଜନା ରୂପାୟନ, ଶାସନର ଚରିତ୍ର ବଦଳିବ, ନା ବଦଳିବ ପ୍ରଗତିର ଚିତ୍ର।

ସମ୍ବନ୍ଧିତ ଖବର