ବାବାରେ ବାବା!

ଦେଶରେ ଯେତେବେଳେ ଭଣ୍ଡବାବା ବ୍ୟବସାୟ ଓ ନାରୀମାନଙ୍କ ପ୍ରତି ଯୌନ ଅତ୍ୟାଚାର ସମାନ ଗତିରେ ତାଳ ଦେଇ ଜଙ୍ଗଲ ନିଆଁ ଭଳି ମାଡ଼ି ଚାଲିଛି, ସେଇ ସମୟରେ ପ୍ରଥମେ ରାମ ରହିମ୍‌ ଓ ବର୍ତ୍ତମାନ ଆଶାରାମଙ୍କ ଭଳି ଯୌନ ପିପାସୁ ଶକ୍ତିଶାଳୀ ଗଡ୍‌ମ୍ୟାନ୍‌ ବା ବାବାମାନଙ୍କର ପାପର ଫଳ ଭୋଗିବା ଦେଖି ଦେଶର ଅଗଣିତ ଚିନ୍ତିତ ତଥା ଚିନ୍ତାଶୀଳ ନାଗରିକ ଟିକିଏ ଆଶ୍ୱସ୍ତ ଅନୁଭବ କରୁଥିବେ। ତା’ ସହିତ ଦେଶର ନିମ୍ନ ଅଦାଲତ ମାନରେ ଯେ ତଥାପି ନିରପେକ୍ଷ ନ୍ୟାୟ ପ୍ରଦାନ ଅବ୍ୟାହତ ରହିଛି, ତାହା ସଲମାନ୍‌ ଖାନ୍‌ରୁ ଆରମ୍ଭ କରି ଆଶାରାମ ପର୍ଯ୍ୟନ୍ତଙ୍କ ମାମଲାର ବିଚାର ଦେଖି ସେମାନେ ଦୃଢ଼ ନିଶ୍ଚିତ ହେଉଥିବେ।

ଆମୋଦ ଦାୟକ ଭାବରେ ଆଶାରାମ ଯୋଧପୁରର ଟ୍ରାଏଲ୍‌ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ପରେ କଂଗ୍ରେସ ଦଳ ତରଫରୁ ସୋସିଆଲ୍‌ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅତୀତରେ ଆଶାରାମ ଉପଭୋଗ କରିଥିବା ଅନ୍ତରଙ୍ଗ ସାନ୍ନିଧ୍ୟର ଛବି ପ୍ରସାରଣ କରାଯିବା ଓ ଜବାବରେ ଭାରତୀୟ ଜନତା ପାର୍ଟି ମଧ୍ୟ କଂଗ୍ରେସ ନେତାମାନଙ୍କର ଆଶାରାମଙ୍କ ସହିତ ଘନିଷ୍ଠ ସମ୍ପର୍କର ଛବିମାନ ପ୍ରସାରଣ କରିବା ଉଭୟ ଦଳର ଜଣାଶୁଣା ବାବା ପ୍ରୀତିକୁ ଆଉ ଥରେ ପଦାରେ ପକାଇଛି। ସତେ ଯେମିତି ଏତିକି ଯଥେଷ୍ଟ ନଥିଲା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସେ ରାଜ୍ୟରେ ଆଶାରାମ ନାମରେ ନାମିତ ସମସ୍ତ ରାସ୍ତାଘାଟ, ଅନୁଷ୍ଠାନ ଆଦିର ନାମ ପରିବର୍ତ୍ତନ କରି ସେଥିରୁ ଆଶାରାମ ନାମ ହଟାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଚନ୍ତି। ଏହା ଏକ ବିଡ଼ମ୍ବନା ଓ ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଯେଉଁ ରାଜ୍ୟର ସରକାର ଦିନେ ଆଶାରାମଙ୍କୁ ଦେବତା ପରି ଭକ୍ତି କରୁଥିଲେ ସେଇ ସରକାରଙ୍କ ପାଇଁ ବର୍ତ୍ତମାନ ଆଶାରାମ ଏକ ଅସ୍ପୃଶ୍ୟ ନାମରେ ପରିଣତ ହୋଇଯାଇଛି। ସୁଶ୍ରୀ ଉମାଭାରତୀ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ବେଳେ ଆଶାରାମ କିପରି ତାଙ୍କର ନୈତିକ ଦିଗ୍‌ଦର୍ଶକରେ ପରିଣତ ହୋଇଥିଲେ ତାହା ସର୍ବଜନବିଦିତ। ଏପରିକି ମୁଖ୍ୟମନ୍ତ୍ରୀ ଯେତେବେଳେ ବିଭିନ୍ନ ସରକାରୀ ଉତ୍ସବକୁ ଆଶାରାମଙ୍କୁ ନିମନ୍ତ୍ରଣ କରୁଥିଲେ, ସେତେବେଳେ ଆଶାରାମ କେନ୍ଦ୍ରୀୟ ଉଚ୍ଚ ସ୍ଥାନରେ ଉପବିଷ୍ଟ ଥିବା ବେଳେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଉମାଭାରତୀ ତାଙ୍କର ବଶମ୍ବଦ ଭଳି ଏକ ଆଶୀର୍ବାଦ ଭିକ୍ଷା ମୁଦ୍ରାରେ ପାର୍ଶ୍ୱ ଆସନରେ ଉପବେଶନ କରିବା ଦେଖାଯାଉଥିଲା। ଭଣ୍ଡବାବା ମଧ୍ୟ ଆଶୀର୍ବାଦ ପ୍ରଦାନ କରିବାରେ କାର୍ପଣ୍ୟ ନ କରି ଗୋଟିଏ ହାତ ଉମାଙ୍କ ମସ୍ତକରେ ରଖି ଆଶୀର୍ବାଦ କରିବା ସହିତ ଆର ହାତ ବ୍ୟବହାର କରି ନିଜର ‘ବାପ୍‌ ସେ ବେଟା ଜ୍ୟାଦା’ ପୁଅ ନାରାୟଣ ସାଇଙ୍କ ଦାଢ଼ି ସାଉଁଳାଇବା ଦୃଶ୍ୟ ସେତେବେଳେ ଅନେକ ଥର ବିଭିନ୍ନ ଉତ୍ସବ, ସଭାସମିତିର ଦର୍ଶକମାନଙ୍କୁ ଆମୋଦିତ କରୁଥିଲା।

ରାଜନେତାମାନେ ବାବାମାନଙ୍କ ସହିତ ଏଭଳି ଘନିଷ୍ଠ ସମ୍ପର୍କ ସ୍ଥାପନ କରିବାର ଏହା ଏକ ମାତ୍ର କିମ୍ବା ବିରଳ ଉଦାହରଣ ନୁହେଁ। ସେ ବାବା ଆଶାରାମ ହୁଅନ୍ତୁ କି ରାମରହିମ ହୁଅନ୍ତୁ, ସତ୍ୟସାଇ ହୁଅନ୍ତୁ କି ସାରଥୀ ହୁଅନ୍ତୁ, ରାଜନେତାମାନଙ୍କ ସହିତ ସେମାନଙ୍କର ସମ୍ପର୍କ ସର୍ବଦା ପରସ୍ପରର ପରିପୂରକ ହେବା ଦେଖାଯାଇଥାଏ। ସ୍ୱାଧୀନତା ପରବର୍ତ୍ତୀ ସମୟରେ କିନ୍ତୁ ଭାରତୀୟ ଗଣତନ୍ତ୍ରର ଆରମ୍ଭ ଏଭଳି ହୋଇ ନଥିଲା। ଏହାର ଏକ ପ୍ରକୃଷ୍ଟ ଉଦାହରଣ ଦେଖିବାକୁ ମିଳିଥିଲା ସ୍ୱାଧୀନତାର ପ୍ରାକ୍‌ କାଳରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେରୁ ଓ ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ମଧ୍ୟରେ ଘଟିଥିବା ଏ ସମ୍ପର୍କିତ ଏକ ବାକ୍‌ ବିନିମୟରେ। ଗୁଜରାଟର ପ୍ରସିଦ୍ଧ ସୋମନାଥ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ହେବା ପରେ ଏହି କାର୍ଯ୍ୟର ତତ୍ତ୍ୱାବଧାନ କରୁଥିବା କେନ୍ଦ୍ରମନ୍ତ୍ରୀ କେ.ଏମ୍‌ ମୁନ୍‌ସୀ ୧୯୫୧ରେ ଏହାର ଉଦ୍‌ଘାଟନ କରିବା ପାଇଁ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କୁ ଆମନ୍ତ୍ରଣ କରିଥିଲେ। ନେହରୁ କିନ୍ତୁ ଏହା ଶୁଣି ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କୁ ଏକ ପତ୍ର ଲେଖି ଜଣାଇଥିଲେ ଯେ ରାଷ୍ଟ୍ରପତି ଏହି ଉତ୍ସବ ସହିତ ସମ୍ପୃକ୍ତ ହେବା ତାଙ୍କୁ ଭଲ ଲାଗୁ ନାହିଁ। ସେ ଲେଖିଥିଲେ ଏହା କେବଳ ଏକ ବ୍ୟକ୍ତି ଦ୍ୱାରା କୌଣସି ମନ୍ଦିର ପରିଦର୍ଶନ ନୁହେଁ। ନେହରୁଙ୍କ ମତ ଥିଲା ଯେ ଏକ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ଦେଶର ରାଷ୍ଟ୍ରମୁଖ୍ୟ ଏଭଳି ଏକ ଧର୍ମୀୟ ଉତ୍ସବରେ ସାମିଲ ହେବାର ବିଭିନ୍ନ ଗୁରୁତର ତାତ୍ପର୍ଯ୍ୟ ରହିଛି, ତାହା ଦେଶ ପାଇଁ ମଙ୍ଗଳପ୍ରଦ ନୁହେଁ। ଜବାବରେ ରାଜେନ୍ଦ୍ର ପ୍ରସାଦ ଲେଖିଥିଲେ ସେ କୌଣସି ମସ୍‌ଜିଦ୍‌ ବା ଚର୍ଚ୍ଚକୁ ଯିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ଏବଂ ଭାରତୀୟ ରାଷ୍ଟ୍ର ଧର୍ମ-ବିରୋଧୀ କିମ୍ବା ଧର୍ମହୀନ ନୁହେଁ। ରାଜେନ୍ଦ୍ର ପ୍ରସାଦ ଅବଶ୍ୟ ସୋମନାଥମନ୍ଦିର ଉଦ୍‌ଘାଟନରେ ଅଂଶଗ୍ରହଣ କଲେ।

ସେଇ ନେହରୁଙ୍କ କନ୍ୟା ଇନ୍ଦିରା ଗାନ୍ଧୀ କ୍ଷମତାକୁ ଆସିବା ସହିତ ତାଙ୍କ ପିତାଙ୍କ ଆଭିମୁଖ୍ୟଠାରୁ କେତେ ଦୂରେଇ ଯାଇଥିଲେ ତାହା ଏବେବି ଜନସ୍ମୃତିରେ ଜୀବନ୍ତ ହୋଇ ରହିଛି। ହେତୁବାଦୀ, ବୈଜ୍ଞାନିକ ମନୋଭାବ ସମ୍ପନ୍ନ ନେହରୁଙ୍କ କନ୍ୟା ନିଜର ରାଜନୈତିକ ଭାଗ୍ୟକୁ ସୁରକ୍ଷିତ ରଖିବା ପାଇଁ ଯେଉଁମାନଙ୍କ ଉପରେ ନିର୍ଭର କରିବା ଦେଖାଯାଇଥିଲା, ସେମାନେ ହେଲେ ଧୀରେନ୍ଦ୍ର ବ୍ରହ୍ମଚାରୀଙ୍କ ଭଳି ବାବା। ସେହିପରି କଂଗ୍ରେସ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ବିଶ୍ୱସ୍ତ ବାବା ଥିଲେ ଚନ୍ଦ୍ରା ସ୍ୱାମୀ। ଏମାନଙ୍କ ସଂସ୍ପର୍ଶରେ ଆସି ଏ ବାବାମାନଙ୍କ ଖ୍ୟାତି ଓ ପ୍ରଭାବରେ ସେଇଭଳି ଚମକପ୍ରଦ ବୃଦ୍ଧି ଘଟିଥିଲା ଯେମିତି ରାମ ରହିମ ବା ଆଶାରାମ ଆଜିିର କ୍ଷମତାସୀନ ନେତାମାନଙ୍କ ସଂସ୍ପର୍ଶରେ ଆସିବା ଫଳରେ ଦେଖାଯାଉଛି। ଏପରିକି ସମସ୍ତଙ୍କୁ ଚମତ୍କତ କରି ଥରେ ନଟବର ସିଂହ ଚନ୍ଦ୍ରାସ୍ୱାମୀଙ୍କୁ ସାଥୀରେ ନେଇ ତତ୍କାଳୀନ ବ୍ରିଟିସ ପ୍ରଧାନମନ୍ତ୍ରୀ ମାର୍ଗାରେଟ୍‌ ଥାଚର୍‌ଙ୍କ ସହ ସାକ୍ଷାତ କରାଇ ଦେଇଥିଲେ ଓ ଚନ୍ଦ୍ରାସ୍ୱାମୀ ସେତେବେଳେ ଜଣେ ଯାଦୁକର ଭଳି କେତେକ ଚମତ୍କାରିତା ପ୍ରଦର୍ଶନ କରି ଥାଚର୍‌ଙ୍କୁ ପ୍ରଭାବିତ କରି ଦେଇଥିଲେ। ପି.ଭି. ନରସିଂହ ରାଓଙ୍କ ସଂସର୍ଗ ବିନା ଚନ୍ଦ୍ରା ସ୍ୱାମୀ ଥାଚର୍‌ଙ୍କ ଦ୍ୱାର ମାଡ଼ି ପାରିଥାନ୍ତେ କି?

କୌଣସିି ମନ୍ଦିର ପରିଦର୍ଶନ ଓ ପୂଜା ଅର୍ଚ୍ଚନା ବିନା ଇନ୍ଦିରାଙ୍କର କୌଣସି ନିର୍ବାଚନ ଅଭିଯାନ ଆରମ୍ଭ ହେଉନଥିଲା। ବର୍ତ୍ତମାନ ତାଙ୍କର ନାତି ଧର୍ମନିରପେକ୍ଷ କଂଗ୍ରେସ ଦଳର ସଭାପତି ରାହୁଲ ନିର୍ବାଚନ ପୂର୍ବରୁ ମନ୍ଦିରରୁ ମନ୍ଦିର ଲମ୍ଫ ମାରି ନିଜର ଜେଜେମାଙ୍କୁ ହିଁ ଅନୁସରଣ କରୁଛନ୍ତି ମାତ୍ର। ସେମାନେ ତେଣୁ ମୂଳରୁ ଏକ ବାବା ସମର୍ଥିତ ଦଳ ଭାଜପାର ନେତା ନରେନ୍ଦ୍ର ମୋଦୀଙ୍କ ସହିତ ଆଶାରାମଙ୍କ ସମ୍ପର୍କକୁ ପ୍ରଦର୍ଶିତ କରିବାର ନୈତିକ ଅଧିକାର କେବେଠାରୁ ହରାଇ ସାରିଚନ୍ତି। ଆଉ ସତେ ଯେମିତି ପ୍ରତିପକ୍ଷ ଭାଜପାର ବାବା ବତ୍ସଳତା ଦୃପ୍ତ ଭାବରେ ଘୋଷଣା କରିବା ପାଇଁ ଯେଉଁ ଶିବରାଜ ସିଂହ ଚୌହାନ୍‌ ଏବେ ତାଙ୍କ ରାଜ୍ୟରେ ଆଶାରାମଙ୍କ ନାମ ନିଶାଣ ନିଶ୍ଚିହ୍ନ କରୁଛନ୍ତି, ସେଇ ମୁଖ୍ୟମନ୍ତ୍ରୀ ଚୌହାନ୍‌ ନିକଟରେ ପାଞ୍ଚଜଣ ବିଭୂତି ଭୂଷିତ ବାବାଙ୍କୁ ସେଇ ରାଜ୍ୟ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା ମର୍ଯ୍ୟାଦା ପ୍ରଦାନ କରିଛନ୍ତି! ବାବାରେ ବାବା!

ସମ୍ବନ୍ଧିତ ଖବର