ନୂଆ ଆଶା ଓ ସମ୍ଭାବନା

ବିଶ୍ୱଶାନ୍ତି ଓ ଆନ୍ତର୍ଜାତିକ ସହଯୋଗ ପାଇଁ କୂଟନୀତିର ଇତିହାସରେ ଏପ୍ରିଲ ୨୭, ୨୦୧୮ ଏକ ସ୍ମରଣୀୟ ତାରିଖ ଭାବେ ସ୍ଥାନ ପାଇବ। ଏସିଆ ମହାଦେଶର ଚାରିଟି ଦେଶର ନେତୃବୃନ୍ଦ ଦୁଇଟି ପୃଥକ୍‌ ପୃଥକ୍‌ ଶିଖର ବୈଠକରେ ପରସ୍ପର ସହ ହାତ ମିଳାଇ ବିଶ୍ୱ ଶାନ୍ତି ଓ ସହଯୋଗ କ୍ଷେତ୍ରରେ ଆଶା ଓ ସମ୍ଭାବନାର ନୂଆ ଇତିହାସ ରଚନା କରିଛନ୍ତିି। ବିଗତ ୬୫ ବର୍ଷ ଧରି ଯୁଦ୍ଧର ଛାଇ ଏବଂ ଆଣବିକ ଆତଙ୍କ ମଧ୍ୟରେ ଥିବା ଦକ୍ଷିଣ-ଉତ୍ତର କୋରିଆର ଦୁଇ ରାଷ୍ଟ୍ରପତି ଯଥାକ୍ରମେ ମୁନ୍‌-ଜାଇ-ଉନ୍‌ ଓ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ପରସ୍ପର ସହ କରମର୍ଦ୍ଦନ କେବଳ ଅଶାନ୍ତ କୋରୀୟ ଉପଦ୍ୱୀପର ଭାଗ୍ୟ ବଦଳିବାର ଶୁଭ ସଂକେତ ଦେଇ ନାହିଁ, ସମଗ୍ର ବିଶ୍ୱରେ ଆଣବିକ ନିରସ୍ତ୍ରୀକରଣ ଦିଗରେ ନୂଆ ସମ୍ଭାବନା ସୃଷ୍ଟି କରିଛି। ୧୯୫୦-୫୩ ଯୁଦ୍ଧ ପରେ ଗତ ଛଅ ଦଶକ ହେଲା ପରସ୍ପରର ପରମ ଶତ୍ରୁ ଦୁଇ କୋରିଆର ଏକ କ୍ଷୁଦ୍ର ସୀମାନ୍ତ ଗ୍ରାମ ପାନ୍‌ପୁନ୍‌କମ୍‌ଠାରେ ଶାନ୍ତିର ଉତ୍ସବ ଚାଲିଥିବା ବେଳେ ସେପଟେ ଚୀନ୍‌ର ଓ୍ଵହାନ୍‌ ସହରରେ ବିଶ୍ୱର ଦୁଇ ସର୍ବାଧିକ ଜନବହୁଳ ଦେଶର ଶାସନ ମୁଖ୍ୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ଜି-ଜିନ୍‌ପିଙ୍ଗ୍‌ ତିରିଶ ବର୍ଷ ତଳର ମିଳିତ ‘ଏସୀୟ ଶତାବ୍ଦୀ’ ସ୍ୱପ୍ନର ପୁନଃନବୀକରଣ ସହ ପାରସ୍ପରିକ ସହଯୋଗ ଓ ଶାନ୍ତିର ନୂଆ ନକ୍ସା ତିଆରି କରିଛନ୍ତି।

ଗତ କିଛି ବର୍ଷ ହେଲା ଉତ୍ତର କୋରିଆର ଏକଛତ୍ରବାଦୀ କମ୍ୟୁନିଷ୍ଟ ଶାସକଙ୍କ ଆଣବିକ ପାଗଳାମି ସମଗ୍ର ବିଶ୍ୱକୁ ଆଣବିକ ବିଭୀଷିକାର ଆଶଙ୍କାରେ ଭୀତତ୍ରସ୍ତ କରି ରଖିଥିଲା। ଏପଟେ ଉତ୍ତର-କୋରିଆ ଗୋଟିଏ ପରେ ଗୋଟିଏ ଆଣବିକ କ୍ଷେପଣାସ୍ତ୍ରର ପରୀକ୍ଷା ଜାରି ରଖିଥିବା ବେଳେ ସେପଟେ ଏହାର ପାଲଟା ଜବାବରେ ଯୁକ୍ତରାଷ୍ଟ୍ର ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଦୁଃସାହସିକତାପୂର୍ଣ୍ଣ ଆଣବିକ ଧମକ ବିଶ୍ୱକୁ ଆଣବିକ ବିପର୍ଯ୍ୟୟ ଆଡ଼କୁ ଠେଲି ଦେଉଥିବା ଆଶଙ୍କା ସୃଷ୍ଟି ହୋଇଥିଲା। ଅଶାନ୍ତି, ଉତ୍ତେଜନା ଓ ଅସ୍ଥିରତାର ଏ ପୃଷ୍ଠଭୂମିରେ ଉତ୍ତର ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ କମମର୍ଦ୍ଦନ ବାତାବରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଅଳ୍ପ କିଛି ମିନିଟ୍‌ର ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତାର ମହକରେ ଗୋଟିଏ ମାଟି, ଗୋଟିଏ ଜାତି, ଗୋଟିଏ ସଂସ୍କୃତି ଓ ଗୋଟିଏ ଭାଷାର ପ୍ରାୟ ସାତ କୋଟି ଲୋକଙ୍କୁ ବିଭାଜନ କରି ରଖିଥିବା କୃତ୍ରିମ ପ୍ରାଚୀର ତରଳିବା ଆରମ୍ଭ କରିଛି। ସାଢ଼େ ଛଅ ଦଶକର ଯୁଦ୍ଧ ପ୍ରାୟ ଅଶାନ୍ତ ସ୍ଥିତାବସ୍ଥା ବଦଳି ଶାନ୍ତି ଓ ସହଯୋଗ ପାଇଁ ସମ୍ଭାବନା ସୃଷ୍ଟି ହୋଇଛି। ସମଗ୍ର କୋରୀୟ ଉପଦ୍ୱୀପକୁ ପରମାଣୁ ମୁକ୍ତ ଅଞ୍ଚଳ ଘୋଷଣା କେବଳ ଉପଦ୍ୱୀପକୁ ନୁହେଁ, ସମଗ୍ର ଅଞ୍ଚଳରେ ଶାନ୍ତି ପ୍ରତ୍ୟାବର୍ତ୍ତନର ସମ୍ଭାବନାକୁ ଆହୁରି ଉଜ୍ଜ୍ୱଳ କରୁଛି। ବର୍ଷକ ମଧ୍ୟରେ ଦୁଇ କୋରିଆ ମଧ୍ୟରେ ଅନାକ୍ରମଣ ଚୁକ୍ତି ସ୍ୱାକ୍ଷର ପାଇଁ ସହମତି ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଦିଗରେ ଆଉ ଏକ ସକାରାତ୍ମକ ସଂକେତ। ଅଶାନ୍ତି ଓ ଉତ୍ତେଜନାର ଅବସାନ ଫଳରେ କେବଳ ଶାନ୍ତି ଓ ସ୍ଥିରତା ଫେରେ ନାହିଁ, ଆପେ ପାରସ୍ପରିକ ସହଯୋଗ ମାଧ୍ୟମରେ ପ୍ରଗତିର ବାଟ ମଧ୍ୟ ଫିଟେ। ଦୁଇ କୋରିଆ ସେ ଦିଗରେ ପାଦ ବଢ଼ାଇଛନ୍ତି। ଅର୍ଥନୈତିକ ଓ ବାଣିଜ୍ୟିକ ସହଯୋଗର ପରିସରକୁ ବ୍ୟାପକ କରିବା ଲାଗି ଚୀନ୍‌ ଆମେରିକା ଭଳି ଅର୍ଥନୈତିକ ଶକ୍ତି ଓ ବିଶ୍ୱର ଅନ୍ୟ ଦେଶ, ଗୋଷ୍ଠୀଙ୍କ ସହ ମିଳିତ ଭାବେ ବହୁପାକ୍ଷିକ ଆଲୋଚନା ସକାଶେ ଅବସ୍ଥା ଚକ୍ରରେ ବିଭାଜିତ ଦୁଇଦେଶ ସହମତ ହୋଇଛନ୍ତି।

ଶୁକ୍ରବାର ମୂଳଦୁଆ ପଡ଼ିଥିବା ଉତ୍ତର-ଦକ୍ଷିଣ କୋରିଆ ଶାନ୍ତି ପ୍ରକ୍ରିୟାର ଭବିଷ୍ୟତ ନେଇ କିଛି ମହଲରେ ଆଶଙ୍କା ରହିଛି। ବିଗତ ଦୀର୍ଘ ଶତ୍ରୁତାର ପୃଷ୍ଠଭୂମିରେ ଏପ୍ରକାର ଆଶଙ୍କା ଅସ୍ୱାଭାବିକ ନୁହେଁ। ତଥାପି, କିମ୍‌-ମୁନ୍‌ କଥାବାର୍ତ୍ତା ବିଶ୍ଵଶାନ୍ତି ଆଞ୍ଚଳିକ ସହଯୋଗ ପାଇଁ ଏକ ନୂଆ ଆଶା ସୃଷ୍ଟି କରିଛି। ବିଗତ ଛଅ ଦଶକର ଇତିହାସ ଏବଂ ମାତ୍ର କିଛି ମାସ ପୂର୍ବେ ଉତ୍ତର-କୋରିଆର ଆଣବିକ ପାଗଳାମିର ପୃଷ୍ଠଭୂମିରେ କୋରୀୟ ଉପଦ୍ୱୀପରେ ଶାନ୍ତି ଏକ ଦୂର ଲକ୍ଷ୍ୟ। କିନ୍ତୁ ସହସ୍ର ମାଇଲର ଯାତ୍ରା ବି ପ୍ରଥମେ ଗୋଟିଏ ପାଦ ପକାଇ ଆରମ୍ଭ କରିବା ନ୍ୟାୟରେ ଦୁଇ କୋରିଆ ଶାନ୍ତି ଆଡ଼କୁ ପ୍ରଥମ ପାଦ ପକାଇଛନ୍ତି। ଆଣବିକ ନିରସ୍ତ୍ରୀକରଣ ପ୍ରସଙ୍ଗରେ ନିର୍ଣ୍ଣାୟକ ହେବ ବୋଲି ଆଶା କରାଯାଉଥିବା ଟ୍ରମ୍ପ୍‌-କିମ୍‌ ଶିଖର ଆଲୋଚନା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ବିଶ୍ୱ ସମୁଦାୟ ମନରେ ବିଶ୍ୱାସ ଜନ୍ମିଛି ଯେ ଉତ୍ତର-କୋରିଆ ଆଣବିକ ପରୀକ୍ଷା ସ୍ଥଗିତ ରଖିବା ପଛରେ ଛଳନା ଅପେକ୍ଷା ଆନ୍ତରିକତା ଅଧିକ। ଅଭ୍ୟନ୍ତରୀଣ ଆର୍ଥିକ ସମସ୍ୟାର ବାଧ୍ୟବାଧକତା ଅବା ଆଣବିକ ପ୍ରସଙ୍ଗରେ ଆନ୍ତର୍ଜାତିକ ସମୁଦାୟର ଚାପ, କାରଣ ଯାହାବି ହେଉ, ଉତ୍ତର-କୋରିଆର ଏକଛତ୍ରବାଦୀ କମ୍ୟୁନିଷ୍ଟ ଶାସକଙ୍କ ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଘଟିଛି। ଇତିହାସ ଏହାର ସାକ୍ଷୀ ଯେ, କୌଣସି ସକାରାତ୍ମକ ପରିବର୍ତ୍ତନ ଅଫୁରନ୍ତ ଆଶାର ଉତ୍ସ।

ଉତ୍ତର-ଦକ୍ଷିଣ କୋରିଆ ଶିଖର ବୈଠକ ବିଶ୍ୱ ଶାନ୍ତି ଓ ଆଣବିକ ନିରସ୍ତ୍ରୀକରଣ ପ୍ରସଙ୍ଗରେ ନୂଆ ସମ୍ଭାବନାର ବାର୍ତ୍ତା ଦେଇଥିବା ବେଳେ, ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ଜି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଶୀର୍ଷ ବୈଠକରୁ ଦ୍ୱିପାକ୍ଷିକ ଅର୍ଥନୈତିକ-ବାଣିଜ୍ୟିକ ସହଯୋଗ କ୍ଷେତ୍ରରେ ନୂଆ ଆଶା ଓ ସମ୍ଭାବନା ସଂକେତ ମିଳିଛି। ଚୀନ୍‌ ବିପ୍ଳବର ମହାନ୍‌ ନେତା ମାଓ ସେତୁଂଙ୍କ ଛୁଟିକାଳୀନ ବିଶ୍ରାମସ୍ଥଳୀ ଭାବେ ପରିଚିତ ଓ୍ଵହାନ୍‌ ସହରରେ ଚୀନ୍‌-ଭାରତ ଶିଖର ବୈଠକର ଚିତ୍ର ଓ ଚରିତ୍ର ଅନ୍ୟ ପାରମ୍ପରିକ ଶିଖର ବୈଠକଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଚବିଶ ଘଣ୍ଟା ମଧ୍ୟରେ ଦୁଇ ନେତାଙ୍କ ଭିତରେ ତୁହାକୁ ତୁହା ଛଅ ଥର ସାକ୍ଷାତ ଆଲୋଚନା ସମୟରେ କୂଟନୈତିକ ଔପଚାରିକତା କମ୍‌ ଅଣ-ଔପଚାରିକ ବ୍ୟକ୍ତିଗତ ସଦ୍ଭାବପୂର୍ଣ୍ଣ ବାତାବରଣ ଅଧିକ ବାରି ହେଉଥିଲା। ମାତ୍ର ବର୍ଷକ ତଳେ ଯେଉଁ ଭାରତ-ଚୀନ୍‌ର ସେନା ଡୋକ୍‌ଲାମ୍‌ଠାରେ ଦୀର୍ଘ ୭୩ ଦିନ ଧରି ପରସ୍ପରର ମୁହାଁମୁହିଁ ଅବସ୍ଥାରେ ଥିଲେ, ସେହି ଦୁଇ ଦେଶର ଶାସନ ମୁଖ୍ୟ ଏକ ଅନୌପଚାରିକ ବାତାବରଣରେ କଥାବାର୍ତ୍ତା କରିବା ଏସିଆର ଦୁଇ ବୃହତ୍‌ ଶକ୍ତି ମଧ୍ୟରେ ‘ଡେଟଣ୍ଟ’ରେ ଏକ ନୂଆ ପର୍ଯ୍ୟାୟର ସୂଚନା ଦେଉଛି। ଅର୍ଥାତ୍‌, କେତେକ ପ୍ରସଙ୍ଗ ଉପରେ ପରସ୍ପର ମତଭେଦ ସତ୍ତ୍ୱେ ସହଯୋଗର କ୍ଷେତ୍ରକୁ ଆହୁରି ସଂପ୍ରସାରିତ କରିବା ଲାଗି ଉଭୟ ପକ୍ଷ ବେଶ୍‌ ଆଗ୍ରହୀ। ସୀମା, ଓବିଓଆର୍‌, ଏନ୍‌ଏସ୍‌ଜି ସଦସ୍ୟତା, ଆତଙ୍କବାଦକୁ ପାକିସ୍ତାନର ପ୍ରୋତ୍ସାହନ ଆଦି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ବିବାଦ ରହିଛି। ଏ ବିବାଦଗୁଡ଼ିକର ରାତାରାତି ସମାଧାନ ଆଶା କରାଯାଇ ନପାରେ। ତେବେ ଏକ ବାସ୍ତବବାଦୀ ଆଭିମୁଖ୍ୟ ଗ୍ରହଣ କରି ଦୁଇ ଦେଶର ନେତୃତ୍ୱ ଉପରୋକ୍ତ ବିବାଦୀୟ ପ୍ରସଙ୍ଗରେ ଅଲଝି ନଯାଇ ସହଯୋଗର ନୂଆ ଫର୍ଦ୍ଦ ଖୋଲିବା ଲାଗି ରାଜି ହୋଇଛନ୍ତି। ଅର୍ଥନୈତିକ ସହଯୋଗ ଆଳରେ ବନ୍ଧୁତା ବଢ଼ିଲେ ଆପେ ଅନ୍ୟ ବିବାଦଗୁଡ଼ିକର ସମାଧାନର ବାଟ ବାହାରିବ। ଏଥିରୁ ଉଭୟ ପକ୍ଷ ଲାଭବାନ ହେବେ। ନିଜର ମିଳିତ ସାମର୍ଥ୍ୟ ନେଇ ଉଭୟ ରାଷ୍ଟ୍ର ସଚେତନ ହେବା ସହିତ ଏହି କଥାକୁ ବିଶ୍ୱ ସମୁଦାୟକୁ ମଧ୍ୟ ଜଣାଇ ଦେଇଛନ୍ତି।

ଭାରତ ଓ ଚୀନ୍‌ର ମିଳିତ ଜନସଂଖ୍ୟା ବିଶ୍ୱ ଲୋକସଂଖ୍ୟାର ୪୦ ପ୍ରତିଶତ। ବିଶ୍ୱ ବାଣିଜ୍ୟ କାରବାରରେ ଭାରତ- ଚୀନ୍‌ର ମିଳିତ ଭାଗ ୫୦ ପ୍ରତିଶତ। ବିଗତ ୨୦୦୦ ବର୍ଷରୁ ୧୬୦୦ ବର୍ଷ ବିଶ୍ୱ ବାଣିଜ୍ୟ ଓ ଅର୍ଥନୀତିରେ ଭାରତ ଓ ଚୀନ୍‌ର ପ୍ରାଧାନ୍ୟ ରହିଆସିଛି। ଆଜି ବି ଦୁଇ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଉପରେ ବିଶ୍ୱ ଅର୍ଥନୀତି ନିର୍ଭରଶୀଳ। ମିଳିତ ସାମର୍ଥ୍ୟ ନେଇ ଏ ଘୋଷଣା ଆମେରିକା ରାଷ୍ଟ୍ରପତିି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ‘ସଂରକ୍ଷଣବାଦୀ’ ନୀତିର ମିଳିତ ମୁକାବିଲା ଲାଗି ରଣକୌଶଳର ଏକ ଅଂଶ। ଗତ ୧୯୮୮ରେ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ଚୀନ୍‌ର ତତ୍କାଳୀନ ସର୍ବମୟ ନେତା ଡେଙ୍ଗ୍‌ ଜିଆ ପିଙ୍ଗ୍‌ ଏସୀୟ ଶତାବ୍ଦୀର ସ୍ୱପ୍ନ ଦେଖିଥିଲେ। ଦୁଇ ପଡ଼ୋଶୀ ଏହାର ସ୍ଥପତି ହେବେ ବୋଲି ଦୁଇ ନେତା ଆଶା ପୋଷଣ କରିଥିଲେ। ତିରିଶ ବର୍ଷ ପରେ ସେହି ‘ଏସୀୟ ଶତାବ୍ଦୀ’ର ସ୍ୱପ୍ନ ସାକାର ଲାଗି ଦୁଇ ଏସୀୟ ମହାଶକ୍ତି ସାନି ଉଦ୍ୟମ ଆରମ୍ଭ କରିଛନ୍ତି। ଅବଶ୍ୟ ଏଥିପାଇଁ ସଦ୍ୟ ସମାପ୍ତ ମୋଦୀ-ଜିନ୍‌ପିଙ୍ଗ୍‌ ଶିଖର କଥାବାର୍ତ୍ତା ଯଥେଷ୍ଟ ନୁହେଁ। ଦୁଇ ପଡ଼ୋଶୀଙ୍କ ପରସ୍ପର ପ୍ରତି ଆଭିମୁଖ୍ୟରେ ଆହୁରି ମୌଳିକ ପରିବର୍ତ୍ତନ ଆବଶ୍ୟକ। ଅବଶ୍ୟ ଗୋଟିଏ କଥା ସ୍ପଷ୍ଟ ଯେ, ବିଶ୍ୱ ଲୋକସଂଖ୍ୟାର ୪୦% ପ୍ରାୟ ୨୫୦ କୋଟି ଲୋକ ବସବାସ କରୁଥିବା ଭାରତ ଓ ଚୀନ୍‌ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ସଂପ୍ରସାରିତ ହେଲେ, ଏହାର ଲାଭ କେବଳ ଦୁଇ ଦେଶ ଭିତରେ ସୀମିତ ରହିବ ନାହିଁ, ସମଗ୍ର ବିଶ୍ୱ ଏହାର ଲାଭ ପାଇବ।

ସମ୍ବନ୍ଧିତ ଖବର