ମିଷ୍ଟର ନଟବରଲାଲ!

ଅମିତାଭ ବଚ୍ଚନଙ୍କର ସର୍ବାଧିକ ଲୋକପ୍ରିୟ ଫିଲ୍ମମାନଙ୍କ ମଧ୍ୟରେ ଅନ୍ୟତମ ହେଉଛି ୧୯୭୯ର ‘ମିଷ୍ଟର୍‌ ନଟବର୍‌ଲାଲ୍‌’। ଏହି ଫିଲ୍ମର ବିଶେଷଣ ହେଲା, ଏହାର କାହାଣୀର ମୁଖ୍ୟ ଚରିତ୍ର ନଟବରଲାଲ୍‌ ଜଣେ ସତସତିକା ନଟବରଲାଲ୍‌ଙ୍କ ଉପରେ ଆଧାରିତ ଥିଲା ଯିଏ ଭାରତର ପ୍ରସିଦ୍ଧତମ ଠକ ରୂପେ କିଂବଦନ୍ତି ପାଲଟି ଯାଇଛନ୍ତି। ତାଙ୍କର ଅବିଶ୍ୱାସ୍ୟ ଚତୁରତାକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ତାଙ୍କ ଭଳି ବିଚକ୍ଷଣ ଠକମାନଙ୍କୁ ତାଙ୍କ ନାମ ଅନୁସାରେ ‘ନଟବରଲାଲ୍‌’ ରୂପେ ସମ୍ବୋଧିତ କରାଯାଇଥାଏ। ଅବଶ୍ୟ ମିଷ୍ଟର୍‌ ନଟବରଲାଲ୍‌ଙ୍କର ଅସଲ ନାମ ଥିଲା ମିଥିଲେଶ କୁମାର ଶ୍ରୀବାସ୍ତବ ଓ ସେ ପ୍ରାୟ ୫୦ ସରିକି ଛଦ୍ମନାମ ବ୍ୟବହାର କରି ସରଳବିଶ୍ୱାସୀ ଲୋକମାନଙ୍କୁ ତାଙ୍କର ସୁଚତୁର ଠକାମିର ଶିକାର ବନାଉଥିଲେ।

ମିଷ୍ଟର୍‌ ନଟବର୍‌ଲାଲ୍‌ଙ୍କ ବିଭିନ୍ନ ଚମକପ୍ରଦ ଠକାମିମାନଙ୍କ ମଧ୍ୟରେ ଯାହା ବୋଧହୁଏ ସବୁଠାରୁ ଅଧିକ ରୋଚକ ତଥା ଚାଞ୍ଚଲ୍ୟକର ତାହା ହେଲା ନିଜକୁ ସରକାରୀ ଅଫିସର ରୂପେ ଉପସ୍ଥାପିତ କରି ତାଜମହଲ, ରାଷ୍ଟ୍ରପତି ଭବନ ଓ ଲାଲ୍‌ କିଲ୍ଲାକୁ ଅଜ୍ଞ ବିଦେଶୀ ପର୍ଯ୍ୟଟକମାନଙ୍କୁ ବାରମ୍ବାର ବିକ୍ରି କରିଦେବା। ମିଥିଲେଶ ଶ୍ରୀବାସ୍ତବ ଜଣେ ଆଇନକାନୁନର ପେଞ୍ଚ ସମ୍ବନ୍ଧରେ ବିଶେଷ ଜ୍ଞାନ ଥିବା ଓକିଲ ହୋଇଥିବାରୁ, ନକଲି କାଗଜପତ୍ର ପ୍ରସ୍ତୁତ କରି ଏପରି ଚମକପ୍ରଦ ଠକେଇ କାରବାର କରିପାରୁଥିଲେ। ଏପରିକି ସେ ଥରେ ସାଂସଦମାନଙ୍କ ସମେତ ସଂସଦଭବନକୁ ମଧ୍ୟ ବିଦେଶୀମାନଙ୍କୁ ବିକ୍ରି କରି ଦେଇଥିଲେ। ଯଦିବା ଏଠାରେ ପ୍ରାସଙ୍ଗିକ ନୁହେଁ, ତେବେ ଉଲ୍ଲେଖ ନକରି ରହିହୁଏ ନାହିଁ ଯେ ସେ ପୁଲିସ ହାତରେ ଧରାପଡ଼ି ୧୪ଥର ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ହେଁ ପ୍ରାୟ ପ୍ରତ୍ୟେକ ଥର ଜେଲ୍‌ରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ- ଯାଦୁକର ହୋଡିନିଙ୍କ ଭଳି। ଶେଷରେ ସେ ତାଙ୍କର ଅନ୍ତିମ ଯାଦୁ ପ୍ରଦର୍ଶନ କଲା ଭଳି ୧୯୯୬ରେ ୮୪ ବର୍ଷ ବୟସରେ ପୁଲିସ ଦ୍ୱାରା ଚିକିତ୍ସା ପାଇଁ କାନପୁର ଜେଲ୍‌ରୁ ଦିଲ୍ଲୀ ନିଆଯାଉଥିବା ବେଳେ ଦିଲ୍ଲୀ ରେଳ ଷ୍ଟେସନ୍‌ରେ ହୁଇଲ୍‌ ଚେଆର୍‌ରୁ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ। ତା’ପରେ ତାଙ୍କୁ ଆଉ କେହି ଦେଖି ନାହିଁ।

ବର୍ତ୍ତମାନ ଦିଲ୍ଲୀର ଲାଲ୍‌ କିଲ୍ଲାର ରକ୍ଷଣାବେକ୍ଷଣ ଦାୟିତ୍ୱକୁ ନରେନ୍ଦ୍ର ମୋଦୀ ସରକାର ପାଞ୍ଚବର୍ଷ ପାଇଁ ଏକ ଘରୋଇ ସଂସ୍ଥା ହାତରେ ନ୍ୟସ୍ତ କରିବା ନିଷ୍ପତ୍ତି ବିରୋଧରେ କଂଗ୍ରେସ ତଥା ଅନ୍ୟ କେତେକ ବିରୋଧୀ ଦଳମାନଙ୍କର ପ୍ରତିକ୍ରିୟା ଦେଖିଲେ ମନେହୁଏ ସତେ ଯେମିତି ସେମାନେ ହେଉଛନ୍ତି ସେଇ ସମସ୍ତ ଅଜ୍ଞ ବିଦେଶୀ ଗ୍ରାହକ ଓ ନରେନ୍ଦ୍ର ମୋଦୀ ହେଉଛନ୍ତି ମିଷ୍ଟର୍‌ ନଟବର୍‌ଲାଲ୍‌! କାରଣ ଏହି ସମାଲୋଚକମାନେ ଅଭିଯୋଗ କରୁଛନ୍ତି ଯେ ମୋଦୀ ସରକାର ଲାଲ୍‌ କିଲ୍ଲାକୁ ଡାଲ୍‌ମିଆ କମ୍ପାନି ହାତରେ ଟେକିଦେଲେ- ବିକ୍ରି କରିଦେଲେ! ଏମାନେ ହଠାତ୍‌ ଏକ ଅପରିଚିତ ଜାତୀୟତା ଭାବରେ ଉଦ୍‌ବୁଦ୍ଧ ହେବା ଭଳି ଏ ଯେଉଁ ଉଦ୍ଭଟ ଅଭିଯୋଗ କରୁଛନ୍ତି ତା’ର ଅସଲ ରୂପ କ’ଣ, ତା’ ଉପରେ ଏକ ସଂକ୍ଷିପ୍ତ ଦୃଷ୍ଟି ନିକ୍ଷେପ କରାଯାଉ।

ସେପ୍ଟେମ୍ବର ୨୦୧୭ରେ ଭାରତ ସରକାରଙ୍କର ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ପ୍ରକଳ୍ପ ଆରମ୍ଭ କରିଥିଲା, ଯାହାର ନାମ ହେଲା: ‘‘ଆଡପ୍ଟ ଏ ହେରିଟେଜ୍‌, ଅପ୍‌ନି ଧରୋହର, ଅପ୍‌ନି ପେହଚାନ୍‌’’। ପର୍ଯ୍ୟଟକ ଅନୁକୂଳ ଗନ୍ତବ୍ୟ ସ୍ଥଳୀ ମାନଙ୍କର ଉନ୍ନତୀକରଣ ନିମିତ୍ତ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଏହାର ଅଂଶ ସ୍ୱରୂପ ଘରୋଇ କିମ୍ବା ରାଷ୍ଟ୍ରାୟତ୍ତ କ୍ଷେତ୍ରର କମ୍ପାନି କିମ୍ବା ବ୍ୟକ୍ତିବିଶେଷ ରକ୍ଷଣାବେକ୍ଷଣ ନିମିତ୍ତ ଏକ ‘ଐତିହ୍ୟ ନିର୍ମାଣ’ ବା ‘ହେରିଟେଜ୍‌ ଷ୍ଟ୍ରକ୍‌ଚର୍‌’କୁ ପୋଷ୍ୟ ରୂପେ ଗ୍ରହଣ କରିପାରିବେ ଏବଂ ଏମାନଙ୍କୁ ‘ସ୍ମାରକୀ ମିତ୍ର’ ବା ମନୁମେଣ୍ଟ ମିତ୍ର’ ରୂପେ ସମ୍ବୋଧନ କରାଯିବ। ଏପରି ଏକ ପଦକ୍ଷେପର ଯଥାର୍ଥତା ପ୍ରତିପାଦନ କରିବା ପାଇଁ ସରକାର ଯେଉଁ ଯୁକ୍ତି ଉପସ୍ଥାପିତ କରିଥିଲେ ତାହା ହେଲା, ଭାରତ ହେଉଛି ଏକ ସଂସ୍କୃତି ଭରପୂର ଦେଶ ଏବଂ ଏଠାରେ ପର୍ଯ୍ୟଟନର ଅବିରତ ବୃଦ୍ଧି ଘଟିବାରେ ଲାଗିଛି, ଯେଉଁଥି ପାଇଁ ପର୍ଯ୍ୟଟକମାନଙ୍କୁ ତତ୍‌କ୍ଷଣାତ୍‌ ମୌଳିକ ସୁବିଧାମାନ ଯୋଗାଇ ଦେବାର ଏବଂ ଦୀର୍ଘକାଳୀନ ଭିତ୍ତିରେ ଉନ୍ନତ ସୁବିଧାମାନ ଯୋଗାଇ ଦେବାର ଏକ ବିଶେଷ ଆବଶ୍ୟକତା ଦେଖାଦେଇଛି। ଏଥିପାଇଁ ସରକାର ଯେ କେବେହେଲେ ସମ୍ପୂର୍ଣ୍ଣ ରୂପେ ସମର୍ଥ ହୋଇପାରିବେ, ଏହା କେହି ବି ହେଲେ ବିଶ୍ୱାସ କରିବ ନାହିଁ, ଯାହାର କାରଣ ଏପରି ସୁବିଦିତ ଯେ ସେ ସବୁର ଏଠାରେ ବ୍ୟାଖ୍ୟା କରାଯିବାର କୌଣସି ଆବଶ୍ୟକତା ନାହିଁ।

ସ୍ମାରକୀ ମିତ୍ରମାନେ ଯେଉଁ ସବୁ ସୁବିଧା ଯୋଗାଇ ଦେବେ ସେଥିରେ ଅନ୍ତର୍ଭୁକ୍ତ ଅଛି ସଫାସୁତୁରା ଶୌଚାଳୟ, ପାନୀୟ ଜଳ, ଆଲୋକୀକରଣ, ସଂକେତ ଫଳକ, ଓ୍ଵାଇଫାଇ, ବହୁଭାଷୀ ଗାଇଡ୍‌, ଜିନିଷପତ୍ର ସୁରକ୍ଷିତ ରଖିବା ପାଇଁ ପ୍ରକୋଷ୍ଠ (କ୍ଲୋକ୍‌ରୁମ୍‌), ମ୍ୟୁଜିଅମ୍‌, ବ୍ୟାଟେରି ଅପରେଟେଡ୍‌ ଯାନ ଓ ଆହୁରି ଅନେକ ସୁବିଧାମାନ। ଏ ସବୁ ସେବା ପ୍ରଦାନରେ ଘରୋଇ କ୍ଷେତ୍ରର ଅଂଶ ଗ୍ରହଣ ଏକ ଆନ୍ତର୍ଜାତିକ ଧାରାରେ ପରିଣତ ହୋଇସାରିଛି। କଳା ସ୍ଥାପତ୍ୟରେ ପରିପୂର୍ଣ୍ଣ ଦେଶ ଇଟାଲି ତା’ର ଏସବୁ ଐତିହ୍ୟର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ପାଇଁ ଘରୋଇ କ୍ଷେତ୍ରର ସହଯୋଗ ନେବା ଜଣାଶୁଣା (କଂଗ୍ରେସକୁ ଏହା ଭଲ ଜଣା ଥିବା କଥା)। ନିକଟରେ ଏକ ପାର୍ଶ୍ୱବର୍ତ୍ତୀ ବିଳାସପୂର୍ଣ୍ଣ ହୋଟେଲ୍‌ର ସହଯୋଗରେ ପ୍ରସିଦ୍ଧ ରୋମ୍‌ସ୍ଥିତ କଲୋସିଅମ୍‌ର ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ହୋଇଛି। ସେନ୍‌ର ଷ୍ଟେପ୍‌ସ, ଫ୍ଲୋରେନ୍‌ସର ଉଫିଜି ଗ୍ୟାଲେରି ଆଦିର ପୁନରୁଦ୍ଧାର ମଧ୍ୟ ଘରୋଇ ବ୍ୟବସାୟୀମାନଙ୍କ ସହଭାଗିତାରେ ସମ୍ପୂର୍ଣ୍ଣ ହେବା ଦେଖାଯାଇଛି।

ଏବେ ‘ଡାଲ୍‌ମିଆ ଭାରତ ଗ୍ରୁପ୍‌’ ସହିତ ସରକାର କରିଥିବା ରାଜିନାମା ଅନୁସାରେ ସେଇ ଗ୍ରୁପ୍‌ ଲାଲ୍‌ କିଲ୍ଲାର ରକ୍ଷଣାବେକ୍ଷଣ କରିବା ସହିତ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରିବାରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨୫ କୋଟି ଟଙ୍କା ବ୍ୟୟ କରିବ। ଏହା କମ୍ପାନିର ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଏବଂ କମ୍ପାନି ଏଥିରୁ ଟଙ୍କାଟିଏ ମଧ୍ୟ ଆୟ କରିବ ନାହିଁ। ଲାଲ୍‌ କିଲ୍ଲା ପର୍ଯ୍ୟଟକମାନଙ୍କ ଠାରୁ ସଂଗୃହୀତ ସମସ୍ତ ଅର୍ଥ ସରକାରୀ ତହବିଲକୁ ଯିବ। ସରକାରଙ୍କ ତରଫରୁ ଏକ କମିଟି ମଧ୍ୟ ଏହି ମନୁମେଣ୍ଟ ମିତ୍ର ମାନଙ୍କ କାର୍ଯ୍ୟ ଉପରେ ତୀକ୍ଷ୍‌ଣ ନଜର ରଖିବ, ଏପରି ନୁହେଁ ଯେ ସେମାନେ ମନଇଚ୍ଛା ଯାହା ନାହିଁ ତାହା କରିଯିବେ। ଯେଉଁମାନେ ଲାଲ୍‌ କିଲ୍ଲା ଶାହାଜାହାନଙ୍କ ଦ୍ୱାରା ନିର୍ମିତ ଏକ ମୋଗଲ ସ୍ଥାପତ୍ୟ ହୋଇଥିବାରୁ ସରକାର ଏପରି ଏକ ପଦକ୍ଷେପ ନେଇଛନ୍ତି ବୋଲି ପରୋକ୍ଷ ଅଭିଯୋଗ କରୁଛନ୍ତି, ସେମାନେ ଭୁଲିଯିବା ଉଚିତ ନୁହେଁ ଯେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୩୧ଟି ଏଭଳି ପର୍ଯ୍ୟଟନସ୍ଥଳୀକୁ ଏକ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି ଯେଉଁଠି ଏଭଳି ଉନ୍ନତୀକରଣ କରାଯିବ। ଏ ତାଲିକାରେ ଅନ୍ତର୍ଭୁକ୍ତ ଥିବା କେତେକ ପର୍ଯ୍ୟଟନସ୍ଥଳୀ ହେଲେ କୁତବ୍‌ ମିନାର୍‌, କର୍ଣ୍ଣାଟକର ହାମ୍ପି, ଓଡ଼ିଶାର କୋଣାର୍କ ମନ୍ଦିର, ମହାରାଷ୍ଟ୍ରର ଅଜନ୍ତା ଗୁମ୍ଫା ଇତ୍ୟାଦି। ଭାରତରେ ପର୍ଯ୍ୟଟନସ୍ଥଳୀ ମାନଙ୍କର ଶୋଚନୀୟ ଅବସ୍ଥାରେ ଉନ୍ନତି ବିଧାନ ପାଇଁ ଯଦି ଘରୋଇ କ୍ଷେତ୍ରର ସାହାଯ୍ୟ ସହଯୋଗ ନିଆଯାଏ ତେବେ ସେଥିରେ ବାଧା କ’ଣ? ଏହା ଦ୍ୱାରା ମନୁମେଣ୍ଟ ସବୁକୁ ବିକ୍ରି କରି ଦିଆଯାଉଛି ବୋଲି କହିବା ହେଉଛି ନଟବରଲାଲ୍‌ଙ୍କ ଗ୍ରାହକମାନଙ୍କ ଭଳି ମୂର୍ଖତା କିମ୍ବା କେବଳ ରାଜନୈତିକ ଦୁଷ୍ଟ ବୁଦ୍ଧି!

ସମ୍ବନ୍ଧିତ ଖବର