ମାଂସର ବିଳାପ

0 373

କେତେ ବର୍ଷ ତଳେ କମ୍ୟୁନିଷ୍ଟ ଶାସନ ସମୟରେ କଲିକତାର ବୁଲା କୁକୁର ମାନଙ୍କୁ ଧରି କୁକୁର ମାଂସ ଖାଉଥିବା କୋରିଆକୁ ରପ୍ତାନି କରାଯିବା ପାଇଁ ଏକ ପ୍ରସ୍ତାବ ଉଠିଥିଲା। ଏଥିରୁ ଦୁଇ ପ୍ରକାର ଲାଭ ମିଳିବ ବୋଲି ଆଶା କରାଯାଉଥିଲା- ସହରରେ ବୁଲା କୁକୁରଙ୍କ ଉତ୍ପାତ ହ୍ରାସ ଓ ସରକାର ବା କର୍ପୋରେସନ୍‌ର ଆୟ ବୃଦ୍ଧି। ଜୀବ ଅଧିକାର ଗୋଷ୍ଠୀ ତଥା ଅନ୍ୟାନ୍ୟ ସଚେତନ ନାଗରିକ ଗୋଷ୍ଠୀମାନଙ୍କର ପ୍ରବଳ ବିରୋଧ ଯୋଗୁଁ ଅବଶ୍ୟ ଏ ପ୍ରସ୍ତାବକୁ କବର ଦିଆଯାଇଥିଲା। ଏବେ କିନ୍ତୁ କଲିକତାର ମାଂସ ବ୍ୟବସାୟ ସମ୍ବନ୍ଧରେ ଗଣମାଧ୍ୟମରେ ଯେଉଁ ଚାଞ୍ଚଲ୍ୟକର ଖବର ପ୍ରସାରିତ ହେବାରେ ଲାଗିଛି, ସେଥିରୁ ମନେ ହେଉଛି ଅତୀତର ସେ ଯୋଜନାରୁ ଜିଅନ୍ତା କୁକୁର, ସରକାର ଓ ରପ୍ତାନି ବ୍ୟବସାୟ ସିନା ଅପସରି ଯାଇଛନ୍ତି, ସେମାନଙ୍କର ସ୍ଥାନ କିନ୍ତୁ ପୂରଣ ହୋଇ ଯାଇଛି ଯେଉଁମାନଙ୍କ ଦ୍ୱାରା, ସେମାନେ ହେଲେ- ମଲାକୁକୁର, ବେସରକାରୀ ଉଦ୍ୟମ ଓ ଘରୋଇ ବ୍ୟବସାୟ।

କଲିକତା ଅଧିବାସୀମାନେ ଅଧିକାଂଶ ମାଂସାହାରୀ ରୂପେ ଜଣାଶୁଣା। ଏମାନଙ୍କ ଚାହିଦା ମେଣ୍ଟାଇବା ପାଇଁ ସହରରେ ଅଗଣିତ ଛୋଟବଡ଼ ହୋଟେଲ, ରେଷ୍ଟୁରାଣ୍ଟ, ବିରିଆନି ଦୋକାନ ସହିତ ମାଂସ ବିକ୍ରେତାମାନେ ମଧ୍ୟ ସକ୍ରିୟ ଥାନ୍ତି। ଗତ ସପ୍ତାହରେ ଉଭୟ କଲିକତା ପୁଲିସ୍‌ ଓ ୨୪ ପ୍ରଗଣା ପୁଲିସ୍‌ ମିଳିତ ଚଢ଼ାଉ କରି ଯାହା ଆବିଷ୍କାର କରିଛନ୍ତି ତାହା ହେଲା ଏ ସମସ୍ତ ସ୍ଥାନ ମାନଙ୍କରେ ଗାଈଗୋରୁ, କୁକୁର, ବିଲେଇ ଆଦିଙ୍କ ମଢ଼ରୁ ସଂଗ୍ରହ କରାଯାଇଥିବା ମାଂସର ବ୍ୟାପକ ପ୍ରଚଳନ ଚାଲିଛି। ସହରରେ ପ୍ରତିଦିନ ଶହ ଶହ ଏସବୁ ଜୀବଜନ୍ତୁଙ୍କର ସ୍ୱାଭାବିକ ମୃତ୍ୟୁ ଘଟିଥାଏ। ମୃତ୍ୟୁ ପରେ ସେମାନଙ୍କର ମଢ଼କୁ ଆବର୍ଜନା କୁଢ଼ରେ ଫିଙ୍ଗି ଦିଆ ଯାଇଥାଏ। ଏହାପରେ ବିଲୁପ୍ତ ପ୍ରାୟ ଶାଗୁଣା ମାନଙ୍କ ସ୍ଥାନରେ ସେଠାରେ ପହଞ୍ଚି ଯାଆନ୍ତି ମଢ଼- ମାଂସ ସଂଗ୍ରହକାରୀ ମାନବ ଶାଗୁଣାମାନେ। ସଂଗୃହୀତ ମାଂସ ଶେଷରେ ଯାଇ ପହଞ୍ଚେ ହୋଟେଲ୍‌, ରେଷ୍ଟୁରାଣ୍ଟ, କ୍ଲବ୍‌ ଆଦିରେ ଗ୍ରାହକମାନଙ୍କ ଖାଇବା ଥାଳିରେ କିମ୍ବା ଗୃହିଣୀମାନଙ୍କ ରନ୍ଧନଶାଳାରେ। ପରିସ୍ଥିତି ଏଭଳି ସଙ୍ଗିନ୍‌ ଯେ ପୁଲିସ୍‌ ଚଢ଼ାଉ ସମୟରେ କେବଳ କଲିକତା ଓ ନାରିକେଲ୍‌ଡାଙ୍ଗାସ୍ଥିତ ଦୁଇଟି ଶୀତଳ ଭଣ୍ଡାରରୁ ୨୦,୦୦୦ କିଲୋଗ୍ରାମ୍‌ ସାଇତା ହୋଇଥିବା ମଢ଼-ମାଂସ ପ୍ୟାକେଟ୍‌ ମାନ ଜବତ ହୋଇଛି।

କଲିକତାରେ ଆବିଷ୍କୃତ ଏହି ମଢ଼-ମାଂସ ସଂଗ୍ରହ ଓ ବ୍ୟବସାୟ ଯେ ଏକ କାଁ ଭାଁ ଘଟୁଥିବା ଘଟଣା ନୁହେଁ, ତାହା ଜଣା ପଡ଼ିବା ପରେ ସେଠାରେ ମାଂସ ଖାଦକମାନଙ୍କ ମଧ୍ୟରେ ଏକ ଆତଙ୍କ ଖେଳି ଯାଇଛି। ଫଳସ୍ୱରୂପ ସେଠାରେ ହୋଟେଲ୍‌ ଆଦିରେ ମାଂସଭିତ୍ତିକ ଖାଦ୍ୟ ଚାହିଦାରେ ୫୦%ରୁ ୭୦% ପର୍ଯ୍ୟନ୍ତ ହ୍ରାସ ଘଟିବା ଦେଖାଗଲାଣି। ମାଂସ ବଜାରରେ ଚାହିଦା, ବିଶେଷ କରି ଶୀତଳୀକୃତ କଟା ମାଂସର ଚାହିଦାରେ ତୀବ୍ର ସ୍ଖଳନ ଘଟିବା ଦେଖାଯାଇଛି। କେଉଁ ହୋଟେଲ୍‌ କିମ୍ବା କେଉଁ ମାଂସ ବିକ୍ରେତା ଅଧିକ ସନ୍ଦେହଜନକ, ହ୍ଵାଟ୍‌ସ ଆପ୍‌, ଫେସ୍‌ବୁକ୍‌ ଆଦି ସୋସିଆଲ୍‌ ମିଡିଆରେ ସେ ସମ୍ବନ୍ଧରେ କଳ୍ପନାଜଳ୍ପନା ମାନ ଦ୍ରୁତ ପ୍ରସାର ଲାଭ କରି ଏପରି ଏକ ସନ୍ଦେହର ବାତାବରଣ ସୃଷ୍ଟି ହୋଇଛି ଯାହା ଖାଉଟିମାନଙ୍କର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଘଟାଇବା ସହିତ ଅନେକ ବ୍ୟବସାୟୀଙ୍କର ବ୍ୟବସାୟ ବୁଡ଼ାଇ ଦେବା ଭଳି ପରିସ୍ଥିତି ସୃଷ୍ଟି କଲାଣି।

ବାସ୍ତବରେ ପୁଲିସ୍‌ ଏହି ପ୍ରାରମ୍ଭିକ ଚଢ଼ାଉରୁ ଯାହା ଆବିଷ୍କାର କରିଛି, ତାହା ହେଲା ଏହି ମଢ଼-ମାଂସ କାରବାର ଏକ ସୁସଂଗଠିତ ବ୍ୟବସାୟ ଭଳି ପରିଚାଳିତ ହୋଇଥାଏ। କଲିକତା ଓ ତା’ର ଆଖପାଖ ଅଞ୍ଚଳରେ ଥିବା ମଢ଼ ଫିଙ୍ଗା ଯାଉଥିବା ସ୍ଥାନ ମାନଙ୍କ ନିକଟରେ ପଇଁତରା ମାରି ନଜର ରଖିବା ପାଇଁ ପାରିଶ୍ରମିକ ପାଇ ପର୍ଯ୍ୟବେକ୍ଷକମାନେ ନିଯୁକ୍ତ ହୋଇଥାନ୍ତି। ଗାଈ କି କୁକୁର କି ବିଲେଇର ମଢ଼କୁ ସେଠାରେ ଫିଙ୍ଗି ଦିଆଯିବା ମାତ୍ରେ କାଳବିଳମ୍ବ ନକରି ଏମାନେ ଫୋନ୍‌ କରି ଉପରକୁ ଏ ବିଷୟରେ ଜଣାଇ ଦିଅନ୍ତି। ତା’ପରେ ତୁରନ୍ତ ସେଠାରେ ମଢ଼ କଟାଳି ଦଳ ପହଞ୍ଚି ଯାଆନ୍ତି। ଏ ସମ୍ବନ୍ଧରେ ଅସଲ କଥା ଜାଣିନଥିବା କୌଣସି ବାହାର ଲୋକ ସେମାନଙ୍କୁ ଦେଖିଲେ ଭାବିଥାଏ ଯେ ସେମାନେ ମୃତ ଜୀବର ଚମଡ଼ା ସଂଗ୍ରହ କରୁଛନ୍ତି। ମଢ଼ କଟାଳିମାନେ କିନ୍ତୁ ଯଥାଶୀଘ୍ର ମଢ଼ରୁ ମାଂସ କାଟି ତାହାକୁ ବ୍ୟାଗ୍‌ରେ ଭର୍ତ୍ତି କରି କର୍ମଶାଳାକୁ ପଠାଇ ଦିଅନ୍ତି। ସେଠାରେ ମାଂସକୁ ପଚିବାରୁ ସୁରକ୍ଷିତ ରଖିବା ପାଇଁ ଓ ତାଜା ଦିଶିବା ପାଇଁ ସେଥିରେ ଫର୍ମାଲ୍‌ ଡିହାଇଡ୍‌ ଭଳି ରାସାୟନିକ ପଦାର୍ଥ ପ୍ରୟୋଗ କରାଯାଏ। ସେମାନେ ଏଥିପାଇଁ କୌଣସି ଏକ ଧଳା ପାଉଡର୍‌ ମଧ୍ୟ ବ୍ୟବହାର କରୁଥିବା କଥା ପୁଲିସ୍‌ ସୂତ୍ରରୁ ପ୍ରକାଶ। ଅଧିକ ବୈଜ୍ଞାନିକ ଅନୁଶୀଳନ ପରେ ତାହା କ’ଣ ଜଣାପଡ଼ିବ। ଏ ପ୍ରକାର ରାସାୟନିକ ‘ଚିକିତ୍ସା’ ପରେ କଟା ମାଂସକୁ ନେଇ ଶୀତଳ ଭଣ୍ଡାରରେ ମାଇନସ୍‌ ୪୪ଂ ସେଣ୍ଟିଗ୍ରେଡ୍‌ ଥଣ୍ଡାରେ ସାଇତି ରଖାଯାଏ। ସେଠାରୁ ଏହି ରାସାୟନିକ ପ୍ରକ୍ରିୟାକରଣ ହୋଇଥିବା ମଢ଼ ମାଂସ ସହିତ କିଛି କିଛି ତାଜା ମାଂସ ମିଶାଇ ଦେଇ ତାହାକୁ ସହରର ବିଭିନ୍ନ ମାଂସ ଦୋକାନ ଆଦିକୁ ଶୀତଳୀକୃତ (ଫ୍ରୋଜନ୍‌) ଜୀବ ମାଂସ ଓ କୁକୁଡ଼ା ମାଂସ ପ୍ୟାକେଟ୍‌ ଆକାରରେ ପଠାଇ ଦିଆଯାଏ।

ଏହି ମଢ଼ ମାଂସ ବ୍ୟବସାୟର କେନ୍ଦ୍ର ସ୍ଥଳୀ କଲିକତା ହୋଇଥିଲେ ହେଁ, ଏହି ବ୍ୟବସାୟ କେବଳ ସେଇଠାରେ ସୀମିତ ହୋଇ ରହିନଥିବା କଥା ପୁଲିସ୍‌ ଜାଣିବାକୁ ପାଇଛି। ସେଠାକାର ମଢ଼-ମାଂସ ବ୍ୟବସାୟୀମାନେ ଓଡ଼ିଶା, ବିହାର ଓ ଆସାମ ଆଦି ପଡ଼ୋଶୀ ରାଜ୍ୟରେ ମଧ୍ୟ ସେମାନଙ୍କର ଶାଖା ମେଲାଇଛନ୍ତି। ଏପରିକି ବାଂଲାଦେଶ ଓ ନେପାଳ ଭଳି ପଡ଼ୋଶୀ ଦେଶମାନଙ୍କୁ ମଧ୍ୟ ସେମାନେ ଏହି ଦୂଷିତ ମାଂସ ଚାଲାଣ କରିବା ଜଣାପଡ଼ିଛି। ମଢ଼-ମାଂସ ବ୍ୟବସାୟ କରୁଥିବା ସଂଗଠିତ ର‍୍ୟାକେଟ୍‌ମାନଙ୍କ ପାଇଁ ଏହା ବେଶ୍‌ ଲାଭପ୍ରଦ ହୋଇଥିବା ବେଳେ ଏହାର ଖାଉଟିମାନଙ୍କ ପାଇଁ ଏହା ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ, କେବଳ ରୁଚିଗତ ସମସ୍ୟା ନୁହେଁ। ମଢ଼-ମାଂସକୁ ସାଇତିବା ପାଇଁ ସେଥିରେ ପ୍ରୟୋଗ କରାଯାଉଥିବା ରାସାୟନିକ ପଦାର୍ଥ ମନୁଷ୍ୟ ଶରୀରରେ ପ୍ରବେଶ କଲେ କ୍ୟାନ୍‌ସର ପରି ଭୟଙ୍କର ରୋଗ ସୃଷ୍ଟି କରିପାରେ। ତା’ଛଡ଼ା ମଢ଼ ମାଂସରେ ମଧ୍ୟ ଟକ୍ସୋପ୍ଲାଜ୍‌ମା ପରି ପରାଙ୍ଗପୁଷ୍ଟ ଜୀବାଣୁ ବା ପାରାସାଇଟ୍‌ସ ଉପସ୍ଥିତ ଥାଇ ପାରନ୍ତି ଯାହା ମନୁଷ୍ୟ ଖାଦକଠାରେ ଅସାଧ୍ୟ ରୋଗ ସୃଷ୍ଟି କରିପାରନ୍ତି।

ଏପରି ଏକ ବିପଦର ଆବିର୍ଭାବ ମାଂସାହାରୀମାନଙ୍କର ଅନ୍ୟ ଏକ ଆଚରଣକୁ ମଧ୍ୟ ପ୍ରଭାବିତ କରିପାରେ- ସେମାନଙ୍କର ମାଂସ କିଣିବା ଅଭ୍ୟାସ। ସେମାନେ ଆଉ ଫ୍ରୋଜନ୍‌ କିମ୍ବା ପୂର୍ବରୁ କଟା ହୋଇ ରହିଥିବା ମାଂସ ନ କିଣି, ଆଖି ଆଗରେ କଟା ହୋଇଥିବା ଜୀବର ମାଂସ କିଣିବାକୁ ଚାହିଁବେ। ଏହାର ଅର୍ଥ ରାସ୍ତା କଡ଼ରେ ଖୋଲା କଂସେଇ ଖାନା, ଯାହା ବିରୁଦ୍ଧରେ ସର୍ବଦା ପ୍ରବଳ ଜନମତ ପ୍ରକାଶ ପାଇଥାଏ। ଅତଏବ ମାଂସାହାରୀମାନଙ୍କ ପାଇଁ ଦୁଇଟି ମାତ୍ର ବାଟ ଖୋଲା: ମତ୍ସ୍ୟାହାରୀ କିମ୍ବା ଶାକାହାରୀ ପାଲଟିଯିବା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.