ସାନ ନାଆ

ଭାରତୀୟମାନେ ମନୋରଞ୍ଜନ ପାଇଁ ହିଁ ବଞ୍ଚିଥାନ୍ତି, ବଞ୍ଚିବା ପାଇଁ ମନୋରଞ୍ଜନ ଖୋଜି ନ ଥାନ୍ତି। ଭାରତୀୟମାନଙ୍କର ତିନିଟି ଜଣାଶୁଣା ନିଶା ହେଉଛି ଏହାର ପ୍ରମାଣ: ସିନେମା, କ୍ରିକେଟ୍‌ ଓ ରାଜନୀତି। ପ୍ରଥମ ଦୁଇଟି ସମ୍ପୂର୍ଣ୍ଣ ରୂପେ ମନୋରଞ୍ଜନ ଧର୍ମୀ ହୋଇଥିବା ବେଳେ ତୃତୀୟଟିର ଉଦ୍ଦେଶ୍ୟ ଆଦୌ ମନୋରଞ୍ଜନ ନୁହେଁ; କିନ୍ତୁ ଏଠାରେ ରାଜନୀତିରେ ସର୍ବଦା ଏପରି ନାଟକୀୟତା ଓ ଉତ୍କଣ୍ଠା ଭରି ହୋଇ ରହିଥାଏ ଯେ ମନୋରଞ୍ଜନ ଯୋଗାଇବାରେ ତାହା ନିୟମିତ ଭାବରେ ସିନେମା ଓ କ୍ରିକେଟ୍‌କୁ ମଧ୍ୟ ପଛରେ ପକାଇ ଦେଇଥାଏ। କେବଳ ଘଟଣାର ଘନଘଟା ନୁହେଁ, ବେଳେବେଳେ ରାଜନୀତିରେ ଏମିତି ଚରିତ୍ରମାନଙ୍କର ମଧ୍ୟ ଆବିର୍ଭାବ ଘଟିଥାଏ, ଯେଉଁମାନଙ୍କ ଆଚରଣ ଓ ଉଚ୍ଚାରଣ ସିନେମାର କମେଡିଆନ୍‌ କିମ୍ବା ସର୍କସ୍‌ର ଜୋକର୍‌ଠାରୁ ଅଧିକ ଚିତ୍ତାକର୍ଷକ ହୋଇଥାଏ। ଏବେ ଆମ ରାଜନୈତିକ ମଞ୍ଚରେ ସେଇଭଳି ଜଣେ ନବାଗତ କଳାକାରଙ୍କର ଆବିର୍ଭାବ ଘଟିଛି, ଯିଏ ଦେଶବାସୀଙ୍କୁ ନିତିଦିନ ଭରପୂର ମନୋରଞ୍ଜନ ଯୋଗାଇ ଚାଲିଛନ୍ତି।

ଏହି ଯୁବ କଳାକାର ହେଉଛନ୍ତି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରାର ଅର୍ଖ ନୂଆ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ। ମାର୍ଚ୍ଚ ୯ ତାରିଖରେ ସେ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେବା ପରଠାରୁ ଗୋଟିକ ପରେ ଗୋଟିଏ ଏପରି କାଣ୍ଡଜ୍ଞାନଶୂନ୍ୟ ମନ୍ତବ୍ୟ ପ୍ରଦାନ କରି ଚାଲିଛନ୍ତି, ଯାହା ସୋସିଆଲ୍‌ ମିଡିଆରେ ପ୍ରସାରିତ ଥଟ୍ଟା ତାମସା ଦୁନିଆରେ ପୂର୍ବରୁ ପ୍ରଥମ ସ୍ଥାନ ଦଖଲ କରି ରହି ଆସିଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ହରାଇ ତାଙ୍କୁ ସେ ସ୍ଥାନରେ ଅଧିଷ୍ଠିତ କରାଇ ସାରିଲାଣି। ଭୂଗୋଳରୁ ସୁନ୍ଦରୀ ପ୍ରତିଯୋଗିତା ପର୍ଯ୍ୟନ୍ତ, ଇଣ୍ଟରନେଟ୍‌ରୁ ଶାସନ ପର୍ଯ୍ୟନ୍ତ ସେ ଏପରି ସମ୍ପୂର୍ଣ୍ଣ ସମ୍ପର୍କହୀନ ନିରୀହତା କିମ୍ବା ସମ୍ବେଦନହୀନ ଉଦାସୀନତା ପ୍ରଦର୍ଶନ କରି ଚାଲିଛନ୍ତି, ଯାହା ଦର୍ଶକ/ ଶ୍ରୋତା/ ପାଠକମାନଙ୍କ ମଧ୍ୟରେ ଏକ ଅସ୍ମିତା-ବିସ୍ମୟ ଭାବ ସୃଷ୍ଟି କରୁଛି- ଏହା କ’ଣ ମୁଁ ସତରେ ଦେଖୁଛି/ ଶୁଣୁଛି/ ପଢ଼ୁଛି ନା ଏ ସବୁ ମୋ ମନର ଭ୍ରମ?

ଉଦାହରଣ ସ୍ୱରୂପ ଅଗରତାଲାଠାରେ ଓଏନ୍‌ଜିସି ପରିସରରେ ଏକ ଆମ୍ବେଦକର ପ୍ରତିମୂର୍ତ୍ତି ଉଦ୍‌ଘାଟନ ଉତ୍ସବରେ ଭାଗ ନେବା ଅବସରରେ ସେ ଘୋଷଣା କରିଥିଲେ ଯେ ସେଠାକାର ଗୋମତୀ ନଦୀକୂଳରେ ଥିବା ଚାବିମୁରା ପାହାଡ଼ କାନ୍ଥି ଖୋଦେଇ ଅଞ୍ଚଳକୁ ‘ଆଫ୍ରିକାର’ ଆମାଜନ୍‌ ନଦୀ ଉପତ୍ୟକାଠାରୁ ମଧ୍ୟ ଅଧିକ ଆକର୍ଷଣୀୟ କରାଯାଇ ପାରିବ। କ୍ଷୁଦ୍ର ଚାବିମୁରାକୁ ପୃଥିବୀର ବିଶାଳତମ ନଦୀ ଉପତ୍ୟକା ସହିତ ତୁଳନା କରିବା ଯେତିକି ହାସ୍ୟାସ୍ପଦ ତା’ଠାରୁ ବହୁ ଅଧିକ ନିର୍ବୋଧତା ହେଉଛି ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟ ଛାତ୍ରକୁ ଜଣାଥିବା ପୃଥିବୀର ବୃହତ୍ତମ ନଦୀ ଆମାଜନ୍‌କୁ ଦକ୍ଷିଣ ଆମେରିକାରୁ ଉଠାଇ ଆଣି ଆଫ୍ରିକାରେ ସ୍ଥାପିତ କରିବା। ଯଦି ଆନ୍ତର୍ଜାତିକ ଭୂଗୋଳରେ ଏହା ବିପ୍ଳବଙ୍କର ସୀମିତ ଜ୍ଞାନର ପରିଚୟ ଥିଲା, ସ୍ଥାନୀୟ ଭୂଗୋଳରେ ମଧ୍ୟ ତାଙ୍କର ଅନୁରୂପ ଅଜ୍ଞତା ଧରାପଡ଼ିଥିଲା, ଯେତେବେଳେ ସେ ବାଂଲାଦେଶ ସହିତ ସଡ଼କ ସଂଯୋଗ ସ୍ଥାପନ ପାଇଁ ‘ଫେନି’ ନଦୀ ଉପରେ ନିର୍ମାଣାଧୀନ ମୈତ୍ରୀ ସେତୁ ପରିଦର୍ଶନ କରିବା ପରେ ଟ୍ଵିଟ୍‌ କଲେ ଯେ ସେ ‘ଗୋମତୀ’ ନଦୀ ଉପରେ ନିର୍ମିତ ହେଉଥିବା ‘ମୈତ୍ରୀ ସେତୁ’ ପରିଦର୍ଶନ କରିଛନ୍ତି।

ସେହିପରି ଏଇ ମାତ୍ର ୧୯୭୦ ଦଶକରେ ରବର୍ଟ ଇ.କାନ୍‌ ଓ ଭିଣ୍ଟ୍‌ ସର୍ଫ ଇଣ୍ଟର୍‌ନେଟ୍‌ର ଉଦ୍ଭାବନ କରି ନଥିଲେ, ‘ଲକ୍ଷ ଲକ୍ଷ ବର୍ଷ’ ତଳେ ମହାଭାରତ ଯୁଗରେ ମଧ୍ୟ ଭାରତୀୟମାନେ ଇଣ୍ଟରନେଟ୍‌ ବ୍ୟବହାର କରୁଥିଲେ। ଉଲ୍ଲେଖଯୋଗ୍ୟ ଯେ ମାତ୍ର ପାଞ୍ଚହଜାର ବର୍ଷ ତଳେ ମନୁଷ୍ୟ ପ୍ରଥମେ ଲିପି ବ୍ୟବହାର ଶିଖିଲା ବୋଲି ଗବେଷକମାନେ ଏକମତ। ମହାଭାରତର ରଚନା କାଳ ଖ୍ରୀଷ୍ଟପୂର୍ବ ଅଷ୍ଟମ-ନବମ ଶତାବ୍ଦୀ ବୋଲି ମଧ୍ୟ ଗବେଷକମାନେ ଜାଣି ପାରିଛନ୍ତି। ବିପ୍ଳବଙ୍କର ବୈପ୍ଳବିକ ତତ୍ତ୍ୱ ଅନୁସାରେ ସଞ୍ଜୟ ଇଣ୍ଟରନେଟ୍‌ ମାଧ୍ୟମରେ ଦେଖି ଧ୍ରୁତରାଷ୍ଟ୍ରଙ୍କୁ ମହାଭାରତ ଯୁଦ୍ଧର ଧାରା ବିବରଣୀ ପ୍ରଦାନ କରୁଥିଲେ!

ଭୂଗୋଳ, ଇତିହାସ, ଟେକ୍ନୋଲୋଜି ଆଦିରେ ଏଭଳି ବିଜ୍ଞତା ସହିତ ତାଳ ଦେଇ ବିପ୍ଳବ ଦେବ ଯେତେବେଳେ ନିଜକୁ ଜଣେ ସୌନ୍ଦର୍ଯ୍ୟ ବିଶେଷଜ୍ଞରେ ପରିଣତ କରି ମନ୍ତବ୍ୟ ପ୍ରଦାନ କଲେ, ସେତେବେଳେ ସେ ଟିକିଏ ଅଡୁଆରେ ପଡ଼ି ଯାଇଥିଲେ। ଏକ ହ୍ୟାଣ୍ଡଲୁମ୍‌ ପ୍ରଦର୍ଶନୀରେ ଯୋଗ ଦେଇ ସେ ହଠାତ୍‌ ଯେତେବେଳେ ଐଶ୍ୱର୍ଯ୍ୟା ରାୟଙ୍କୁ ଅସଲି ଭାରତୀୟ ସୁନ୍ଦରୀ ଓ ଡାଏନା ହେଡେନ୍‌ଙ୍କୁ ନକଲି ସୁନ୍ଦରୀ ବୋଲି ମନ୍ତବ୍ୟ ଦେଲେ, ତା’ଏପରି ଏକ ନିଷିଦ୍ଧ ଇଲାକାରେ ଅନୁପ୍ରବେଶ ସଦୃଶ ଥିଲା ଯେ ପରେ ସେଥିପାଇଁ ବିପ୍ଳବଙ୍କୁ କ୍ଷମା ମାଗିବାକୁ ପଡ଼ିଲା। ବିପ୍ଳବ କିନ୍ତୁ ଏଥିରେ ଦବି ନଯାଇ ଆହୁରି ନୂଆ ନୂଆ ଇଲାକାରେ ପ୍ରବେଶ କରିବାରେ ଲାଗିଛନ୍ତି। ଯେମିତି, ସେ ତାଙ୍କ ରାଜ୍ୟର ଯୁବ ଇଂଜିନିୟରମାନଙ୍କୁ ଉପଦେଶ ଦେଇଛନ୍ତି ଯେ କେବଳ ସିଭିଲ୍‌ ଇଞ୍ଜିନିୟରମାନେ ସିଭିଲ୍‌ ସର୍ଭିସ୍‌ରେ ଯୋଗ ଦିଅନ୍ତୁ, ଅନ୍ୟ ଇଞ୍ଜିନିୟରମାନେ ଏଥିପାଇଁ ଅନୁପଯୁକ୍ତ (ଏହାକୁ ରହସ୍ୟ କରି ସୋସିଆଲ୍‌ ମିଡିଆରେ ପ୍ରସାରିତ ଜୋକ୍‌ ହେଲା- କେବଳ କ୍ୟାଟ୍‌ ବା ବିଲେଇମାନେ ‘କ୍ୟାଟ୍‌’ ପରୀକ୍ଷା ଦେଇ ପାରିବେ)।

ଏହା ଜଣାଶୁଣା ଯେ ତ୍ରିପୁରାରେ ଶିକ୍ଷିତ ବେକାରି ସମସ୍ୟା ଉତ୍କଟ ହେବା କାରଣରୁ ଯୁବ ମତଦାତାମାନେ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ ମାନିକ୍‌ ସରକାରଙ୍କର ସିପିଏମ୍‌ ସରକାରକୁ ହଟାଇ ଭାଜପାକୁ କ୍ଷମତାକୁ ଆଣିଛନ୍ତି। ବର୍ତ୍ତମାନ ସେମାନଙ୍କୁ ବିପ୍ଳବଙ୍କ ଉପଦେଶ ହେଲା ସେମାନେ ଚାକିରି ପଛରେ ନ ଧାଇଁ ଗୋପାଳନ କରନ୍ତୁ କିମ୍ବା ପାନ ଦୋକାନ ଖୋଲନ୍ତୁ। ସତେ ଯେମିତି ଏ ମହାଜ୍ଞାନ ପାଇବା ପାଇଁ ହିଁ ସେମାନେ ଭାଜପା ସରକାରକୁ ଅପେକ୍ଷା କରିଥିଲେ! ଆମୋଦଦାୟକ ଭାବରେ ଦେଶର ପ୍ରମୁଖ ଦୁଗ୍ଧ ବ୍ୟବସାୟ ‘ଅମୂଲ୍‌’ର ପରିଚାଳନା ନିର୍ଦ୍ଦେଶକ ଆର୍‌ ଏସ୍‌ ସୋଧି ଏଥିରେ ବିପ୍ଳବଙ୍କୁ ସମର୍ଥନ କରିଛନ୍ତି। କିନ୍ତୁ କଠୋର ସତ ହେଲା ଏପରିକି ଗୁଜରାଟରେ ମଧ୍ୟ ଏକ ଲାଭଜନକ ଦୁଗ୍ଧ ଚାଷ ବ୍ୟବସାୟ ଆରମ୍ଭ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଓ ବିପଦସଙ୍କୁଳ ବୋଲି ଭୁକ୍ତଭୋଗୀମାନେ କହନ୍ତି। ଏଠାରେ ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ଭାରତର ପୂର୍ବାଞ୍ଚଳରେ ଲୋକମାନଙ୍କର ଗୋ-ଦୁଗ୍ଧ ସହନଶୀଳତା ବା ‘କାଓ ମିଲ୍‌କ ଟଲରାନ୍‌ସ’ ପଶ୍ଚିମ ଭାରତର ଲୋକଙ୍କ ଅପେକ୍ଷା ବହୁତ କମ୍‌ ହୋଇଥାଏ। ତେଣୁ ଦୁଗ୍ଧ ବ୍ୟବସାୟ ଏଠାରେ ଏକ ସ୍ୱାଭାବିକ ବୃତ୍ତି ନୁହେଁ। ଏହାର କାରଣ ଅବଶ୍ୟ ଭାଜପା ବିଚାରର ପରିପନ୍ଥୀ: ବୈଦିକ ଯୁଗ ଆରମ୍ଭ ପୂର୍ବରୁ ଆର୍ଯ୍ୟମାନେ ପ୍ରଥମେ ଗାଈଗୋରୁ ଧରି ଭାରତର ପଶ୍ଚିମ ପାର୍ଶ୍ୱରୁ ପ୍ରବେଶ କରିଥିଲେ। ପୂର୍ବ ଭାରତର ବାସିନ୍ଦାମାନଙ୍କର ଗୋ-ଦୁଗ୍ଧ ସହିତ ପରିଚିତି ନଥିଲା।

ତେବେ ଏସବୁ କଥା ବିପ୍ଳବଙ୍କୁ କହିବ କିଏ? ତାଙ୍କର ସଦ୍ୟତମ ସତର୍କ ସୂଚନା ଅନୁସାରେ ଯିଏ ତାଙ୍କ ସରକାରର ସମାଲୋଚନା କରିବ, ତାର ନଖ କାଟି ଦିଆଯିବ। ମନେହୁଏ ଏହା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଜେରା ସମୟରେ ଯନ୍ତ୍ରଣା ଦେବା ପାଇଁ ସେମାନଙ୍କ ନଖ ଉପାଡ଼ି ଦିଆଯିବା ଭଳି ଧମକ। ଆଶ୍ଚର୍ଯ୍ୟର କଥା ବିପ୍ଳବ ଦେବ ହେଉଛନ୍ତି ଜଣେ ସ୍ନାତକ ଏବଂ ଦୀର୍ଘ କାଳ ଧରି ଆର୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ଥିବା ସମୟରେ ଅତ୍ୟନ୍ତ ବୁଦ୍ଧିମାନ ତଥା ଗଣିତଜ୍ଞ ଆରଏସ୍‌ଏସ୍‌ର ଦିଗ୍‌ଦର୍ଶକ ଗୋବିନ୍ଦାଚାର୍ଯ୍ୟଙ୍କ ତତ୍ତ୍ୱାଧାନରେ ଥିଲେ। ବିପ୍ଳବ ଏବେ ତ୍ରିପୁରାକୁ ସମ୍ପୂର୍ଣ୍ଣ ଅବାଞ୍ଛିତ କାରଣ ଯୋଗୁଁ ଜାତୀୟ ଚର୍ଚ୍ଚା ପରିସରକୁ ଆଣିବା ସହିତ ନିଜ ଦଳ ଭାଜପା ପାଇଁ ଏକ ଅବାଞ୍ଛିତ ବୋଝରେ ପରିଣତ ହୋଇଛନ୍ତି। ନରେନ୍ଦ୍ର ମୋଦୀ ତୁରନ୍ତ ତାଙ୍କର ମୁହଁ ବନ୍ଦ ନ କଲେ ପରିସ୍ଥିତି ଅସମ୍ଭାଳ ହେବ। କିନ୍ତୁ ମୋଦୀ ବା କ’ଣ କହିବେ? ସେ ନିଜେ ଦାବି କରି ନଥିଲେ କି ଗଣେଶଙ୍କ ହାତୀମୁଣ୍ଡ ହେଉଛି ଭାରତୀୟ ପ୍ଲାଷ୍ଟିକ୍‌ ସର୍ଜରୀର ଉତ୍କର୍ଷର ପ୍ରମାଣ? ସିଏ ବି କହି ନ ଥିଲେ କି ଚାକିରି ଖୋଜିବା ଅପେକ୍ଷା ପକୁଡ଼ି ବିକିବା ଭଲ? ବଡ଼ ନାଆଟି ଯୋଉ ବାଟେ ଯାଏ, ସାନ ନାଆଟି ସେଇ ବାଟରେ ତ ଯାଏ!

ସମ୍ବନ୍ଧିତ ଖବର