ମୁସଲମାନ କିଏ?

0 578

ମହମ୍ମଦ ଅଲି ଜିନ୍ନାଙ୍କ ଜିଦ୍‌ ଯୋଗୁଁ ଭାରତ କିପରି ଦୁଇ ଖଣ୍ଡ ହୋଇଯାଇଥିଲା ତାହା ଉଭୟ ଖଣ୍ଡ- ଭାରତ ଓ ପାକିସ୍ତାନ (ବାଂଲାଦେଶ ଏହାର ଅଂଶ ଥିଲା)-ର ଲୋକମାନଙ୍କୁ ଭଲ ରୂପେ ଜଣା। ସ୍ୱାଧୀନ ଭାରତରେ ଗଣତନ୍ତ୍ର ପ୍ରତିଷ୍ଠା ହେଲେ ସଂଖ୍ୟାଲଘୁ ମୁସଲମାନ କ୍ଷମତା ହରାଇବା ଆଶଙ୍କାରେ ସେ ମୁସଲମାନମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଦେଶ ପାକିସ୍ତାନ ସୃଷ୍ଟି କଲେ। ଭାରତୀୟମାନେ ତେଣୁ ଜିନ୍ନାଙ୍କୁ ଜଣେ ଦେଶଦ୍ରୋହୀ ଖଳନାୟକ ରୂପେ ଦେଖି ଆସୁଥିବାବେଳେ ପାକିସ୍ତାନବାସୀ ଜିନ୍ନାଙ୍କୁ ଜାତିର ଜନକ ରୂପେ ବିଚାର କରି ‘କାୟଦ-ଇ-ଆଜମ୍‌’ (ମହାନାୟକ) ଉପାଧି ପ୍ରଦାନ କରିଥିଲେ। ଏବେ କିନ୍ତୁ ସଦ୍ୟ ସଦ୍ୟ ଘଟିଥିବା ଘଟଣାମାନ ଦେଖିଲେ ମନେ ହେଉଛି ଯେ ସେ ଖଳନାୟକ ହୋଇଥାନ୍ତୁ କି ମହାନାୟକ ହୋଇଥାନ୍ତୁ, ସୀମାର ଉଭୟ ପାର୍ଶ୍ୱରେ ଜିନ୍ନାଙ୍କ ସ୍ମୃତି ପାଇଁ ଭଲ ସମୟ ଚାଲି ନାହିଁ।

ଆଉ, ଏକ ଦୈବୀ ସଂଯୋଗ ଭଳି ଉଭୟ ଦେଶରେ ଘଟଣାର କେନ୍ଦ୍ରସ୍ଥଳରେ ରହିବା ଦେଖାଯାଇଛି ଦୁଇଟି ଶିକ୍ଷାନୁଷ୍ଠାନ। ଭାରତରେ ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟ (ଏଏମ୍‌ୟୁ) ଛାତ୍ରସଂସଦ ଭବନରେ ଟଙ୍ଗା ହୋଇଥିବା ଜିନ୍ନାଙ୍କ ପ୍ରତିକୃତିକୁ ହଟାଇବା ଦାବି କରି ହିନ୍ଦୁ ଯୁବ ବାହିନୀ, ଶିବସେନା ଆଦି ବିଭିନ୍ନ ହିନ୍ଦୁ ସଂଗଠନମାନ ଚଳାଇଥିବା ଆନ୍ଦୋଳନ ଜିନ୍ନାଙ୍କୁ ଯେଉଁଭଳି ଏକ ରାଜନୈତିକ ବିବାଦର କେନ୍ଦ୍ରୀୟ ଚରିତ୍ରରେ ପରିଣତ କରିଛି, ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏଠାରେ ସେଭଳି କେବେ ଦେଖାଯାଇ ନଥିଲା। ଉଲ୍ଲେଖଯୋଗ୍ୟ ମହମ୍ମଦ ଅଲି ଜିନ୍ନାଙ୍କର ‘ଏଏମ୍‌ୟୁ’ ସହିତ ସମ୍ପର୍କ ହେଲା ବର୍ତ୍ତମାନ ବିବାଦ ଘେରରେ ଥିବା ‘ଏଏମ୍‌ୟୁ’ ଛାତ୍ରସଂସଦର ସେ ହେଉଛନ୍ତି ଜଣେ ଆଜୀବନ ସଦସ୍ୟ। ଏହି ସଦସ୍ୟପଦ ତାଙ୍କୁ ସମ୍ମାନର ଚିହ୍ନ ସ୍ୱରୂପ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସେହି ଛାତ୍ରସଂସଦ ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଆନ୍‌ସାରୀଙ୍କୁ ମଧ୍ୟ ଅନୁରୂପ ସମ୍ମାନ ପ୍ରଦାନ କରିବା ଅବସରରେ ଉପରୋକ୍ତ ଜିନ୍ନା ପ୍ରତିକୃତି-କୈନ୍ଦ୍ରିକ ଆନ୍ଦୋଳନ ତୀବ୍ର ହେବା ଦେଖାଯାଇଛି। ବିବାଦଟି ଏଏମ୍‌ୟୁ ପରିସୀମା ପାର ହୋଇ ଏକ ବୃହତ୍ତର ଆନ୍ଦୋଳନର ରୂପ ନେବା ଆରମ୍ଭ କଲାଣି।

ସୀମା ଆର ପଟେ ଯେଉଁ ଶିକ୍ଷାନୁଷ୍ଠାନରେ ଜିନ୍ନାଙ୍କ ସ୍ମୃତି ଭୂଲୁଣ୍ଠିତ ହୋଇଛି, ସେ ଶିକ୍ଷାନୁଷ୍ଠାନ ପୁଣି ତାଙ୍କରି ନାମରେ ହିଁ ନାମିତ- ଇସଲାମାବାଦ୍‌ସ୍ଥିତ କାୟଦ-ଇ-ଆଜମ୍‌ ବିଶ୍ୱବିଦ୍ୟାଳୟ (କ୍ୟୁଏୟୁ)। ଏଠାରେ ଜିନ୍ନାଙ୍କ ସ୍ମୃତି ଯେଉଁଭଳି ସଂକଟର ସମ୍ମୁଖୀନ ହୋଇଛି, ତାହା ଆଲିଗଡ଼ ଭଳି ସିଧାସଳଖ ନୁହେଁ। ତେଣୁ ଏହାର ପୃଷ୍ଠଭୂମି ସମ୍ବନ୍ଧରେ ସାମାନ୍ୟ ସୂଚନା ପ୍ରଦାନ ଆବଶ୍ୟକ। ପାକିସ୍ତାନର ଏକମାତ୍ର ନୋବେଲ୍‌ ପୁରସ୍କାର ବିଜେତା ହେଉଛନ୍ତି ୧୯୭୯ର ପଦାର୍ଥ ବିଜ୍ଞାନ ପାଇଁ ପୁରସ୍କାରର ସହବିଜେତା ଅବଦୁସ୍‌ ସଲାମ୍‌। ପୁରସ୍କାର ଲାଭର ଅଳ୍ପଦିନ ପରେ ୧୯୮୦ରେ ଡକ୍ଟର୍‌ ସଲାମ୍‌ଙ୍କୁ ସମ୍ବର୍ଦ୍ଧିତ କରାଯିବା ଉଦ୍ଦେଶ୍ୟରେ ‘କ୍ୟୁଏୟୁ’କୁ ଆମନ୍ତ୍ରିତ କରାଯାଇଥିଲା। ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ ତାଙ୍କ ପାଇଁ ଏହି ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା। ଡକ୍ଟର୍‌ ସଲାମ୍‌ ଏଥିପାଇଁ ଆସି ଇସଲାମାବାଦ୍‌ରେ ପହଞ୍ଚିଲେ, କିନ୍ତୁ ସେ ‘କ୍ୟୁଏୟୁ’ ପରିସରରେ ପ୍ରବେଶ କରିପାରିଲେ ନାହିଁ। କାରଣ, ସେ ଜମାତ୍‌-ଏ-ଇସ୍‌ଲାମୀ ପାର୍ଟିର ରାଜନୈତିକ ଓ ଧର୍ମୀୟ ଶାଖା ମାନଙ୍କର ସଦସ୍ୟ ଥିବା ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କର ତୀବ୍ର ବିରୋଧ ଓ ବିକ୍ଷୋଭର ସମ୍ମୁଖୀନ ହେଲେ। ଯଦି ଡକ୍ଟର ସଲାମ୍‌ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବାର ଦୁଃସାହସ ପ୍ରଦର୍ଶନ କରନ୍ତି, ତାଙ୍କର ଗୋଡ଼ ଭାଙ୍ଗି ଦିଆଯିବ ବୋଲି ବିକ୍ଷୋଭକାରୀମାନେ ଧମକ ଦେଲେ। ଅବଦୁସ୍‌ ସଲାମ୍‌ଙ୍କର ଅପରାଧ ହେଲା ସେ ଥିଲେ ଅହମଦୀ ମୁସଲମାନ୍‌।

ଊନବିଂଶ ଶତାବ୍ଦୀର ଶେଷ ସମୟରେ ପଞ୍ଜାବର ମିର୍ଜା ଗୁଲାମ୍‌ ଅହମଦ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଇସଲାମୀୟ ସମ୍ପ୍ରଦାୟର ବିଶେଷତ୍ୱ ହେଲା ଶାନ୍ତିପୂର୍ଣ୍ଣ ଢଙ୍ଗରେ ପୃଥିବୀରେ ଇସ୍‌ଲାମ୍‌ର ବିସ୍ତାର ଓ ଅନ୍ତିମ ବିଜୟ ହାସଲ କରିବା ହେଉଛି ଏମାନଙ୍କର ଲକ୍ଷ୍ୟ। ମିର୍ଜା ଗୁଲାମ୍‌ ଅହମଦ୍‌ ନିଜକୁ ଏଥିପାଇଁ ଦୈବୀ ନିଯୁକ୍ତ ଦେବଦୂତ (ମାହ୍‌ଦି) ବୋଲି ଦାବି କରୁଥିଲେ। ସୁନ୍ନି ମୁସଲମାନମାନେ କିନ୍ତୁ ଏହି ଅହମଦୀୟାପନ୍ଥୀ ମୁସଲମାନ ମାନଙ୍କୁ ବିଧର୍ମୀ ରୂପେ ଦେଖିଥାନ୍ତି। ତେଣୁ ଅବଦୁସ୍‌ ସଲାମ୍‌ ନୋବେଲ୍‌ ପୁରସ୍କାର ପାଇଥିଲେ ମଧ୍ୟ ସୁନ୍ନି ଆଧିପତ୍ୟାଧୀନ ପାକିସ୍ତାନରେ ତାଙ୍କୁ ଏପରି ବିଦ୍ୱେଷର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଧର୍ମାନ୍ଧମାନଙ୍କ ପାଇଁ ସଲାମ୍‌ଙ୍କର ଧର୍ମୀୟ ବିଶ୍ୱାସ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ତାଙ୍କର ନଭଶ୍ଚୁମ୍ବୀ ଉପଲବ୍‌ଧି ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ଜମାତ୍‌-ଏ-ଇସଲାମୀର ଅବଦୁସ୍‌ ସଲାମ୍‌ଙ୍କ ପ୍ରତି ବିରୋଧକୁ ଯାହା ସହାୟକ ହୋଇଥିଲା ତାହା ହେଲା ପାକିସ୍ତାନରେ ୧୯୭୪ରେ ପ୍ରଣୟନ କରାଯାଇଥିବା ଏକ ଆଇନ ଯାହା ସେ ଦେଶରେ ଅହମଦୀମାନଙ୍କୁ ଅଣ-ମୁସଲମାନ ବୋଲି ଘୋଷଣା କରିଥିଲା। ଏହି ଆଇନକୁ ହିଁ ବିରୋଧ କରି ସେଇ ୧୯୭୪ରେ ଅବଦୁସ୍‌ ସଲାମ୍‌ ପାକିସ୍ତାନ ଛାଡ଼ି ଚାଲିଯାଇଥିଲେ ଓ ବ୍ରିଟେନ୍‌ରେ ଥିବା ସମୟରେ ହିଁ ନୋବେଲ୍‌ ପୁରସ୍କାର ଲାଭ କରିଥିଲେ। ୧୯୯୬ରେ ୭୦ ବର୍ଷ ବୟସରେ ଅକ୍ସଫୋର୍ଡଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ତାଙ୍କ ମୃତ୍ୟୁର ୨୦ ବର୍ଷ ପରେ ପାକିସ୍ତାନର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫ୍‌ ୨୦୧୬ ନଭେମ୍ବର ୨୯ ଦିନ ସଲାମ୍‌ଙ୍କ ବିଂଶତମ ମୃତ୍ୟୁବାର୍ଷିକୀ ଉପଲକ୍ଷେ ପ୍ରସାରିତ ଏକ ବିରଳ ଟିଭି କାର୍ଯ୍ୟକ୍ରମ ସଂଯୋଗକ୍ରମେ ଦେଖିବାକୁ ପାଇ ଏପରି ପ୍ରଭାବିତ ହୋଇପଡ଼ିଲେ ଯେ ସେ କାର୍ଯ୍ୟକ୍ରମ ଶେଷ ହେବା ମାତ୍ରେ ସେ ଜଣେ ଅଂଶଗ୍ରହଣକାରୀଙ୍କୁ ଫୋନ୍‌ କରି ‘ନେସନାଲ୍‌ ସେଣ୍ଟର୍‌ ଅଫ୍‌ ଫିଜିକ୍‌ସ’କୁ ଅବଦୁସ୍‌ ସଲାମ୍‌ଙ୍କ ନାମରେ ନାମିତ କରିବା ପାଇଁ ପ୍ରସ୍ତାବ ପଠାଇବା ପାଇଁ କହିଲେ। ଅତଏବ ଏହି ସେଣ୍ଟର୍‌ ଅବଦୁସ୍‌ ସଲାମ୍‌ଙ୍କ ନାମ ବହନ କଲା। ଘଟଣାରେ କିନ୍ତୁ ସେଇଠି ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ। ଏହି ନେସନାଲ୍‌ ସେଣ୍ଟର୍‌ ହେଉଛି ‘କ୍ୟୁଏୟୁ’ ଦ୍ୱାରା ସହବଦ୍ଧ ଏକ ସ୍ୱୟଂଶାସିତ ଅନୁଷ୍ଠାନ, ଯାହାର ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ସହିତ ଘନିଷ୍ଠ ସମ୍ପର୍କ ରହିଛି। ନଓ୍ଵାଜ୍‌ ସରିଫ୍‌ ଉପରୋକ୍ତ ପଦକ୍ଷେପ ନେବା ପର ଠାରୁ ତାଙ୍କ ଦଳ ପିଏମ୍‌ଏଲ୍‌-ଏନ୍‌ ତରଫରୁ ଏଥିପ୍ରତି ଘୋର ବିରୋଧ ପ୍ରକାଶ ପାଇ ଆସୁଛି ଏବଂ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏ ବିରୋଧର ଯିଏ ନେତୃତ୍ୱ ନେଉଛନ୍ତି ସେ ହେଉଛନ୍ତି ବର୍ତ୍ତମାନ ବହିଷ୍କୃତ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫ୍‌ଙ୍କର ଜ୍ୱାଇଁ ତଥା ଦଳର ନେତୃତ୍ୱ ଆଶାୟୀ ତଥା ସାଂସଦ କ୍ୟାପ୍‌ଟେନ୍‌ ମହମ୍ମଦ ସଫ୍‌ଦର୍‌। ଗତ ବର୍ଷ ଏହି ଅବସରପ୍ରାପ୍ତ ଆର୍ମି କ୍ୟାପ୍‌ଟେନ୍‌ ନେସନାଲ୍‌ ଆସେମ୍ବ୍ଲିରେ ଅହମଦୀମାନଙ୍କ ବିରୋଧରେ ଭୀଷଣ ବିଷୋଦ୍‌ଗାର କରିବା ଦେଖାଯାଇଥିଲା। ଏବେ ଏକ ସଦ୍ୟତମ ପଦକ୍ଷେପ ନେଇ ଗତ ଗୁରୁବାର ଦିନ ନେସନାଲ୍‌ ଆସେମ୍ବ୍ଲି ‘କ୍ୟୁଏୟୁ’ର ପଦାର୍ଥ ବିଜ୍ଞାନ ବିଭାଗର ନାମ ପରିବର୍ତ୍ତନ କରିଦେଇ ‘ଆଲ୍‌-ଖାଜିନି ବିଭାଗ’ ରୂପେ ନାମିତ କରି ଦେଇଛି। ଆଲ୍‌-ଖାଜିନି ହେଉଛନ୍ତି ଦ୍ୱାଦଶ ଶତାବ୍ଦୀ ପାରସ୍ୟର ଜଣେ ଜ୍ୟୋତିର୍ବିଜ୍ଞାନୀ। କ୍ୟାପ୍‌ଟେନ୍‌ ସଫ୍‌ଦର୍‌ଙ୍କର ଏହା ପରର ଲକ୍ଷ୍ୟ ଯେ ଅବଦୁସ୍‌ ସଲାମ୍‌ ସେଣ୍ଟର୍‌, ଏଥିରେ କୌଣସି ସନ୍ଦେହ ନାହିଁ।

ଖାସ୍‌ ମୁସଲମାନମାନଙ୍କ ପାଇଁ ଏକ ଅଲଗା ଦେଶର ସର୍ଜନା କରିଥିବା କାୟଦ-ଇ-ଆଜମ୍‌ ଜିନ୍ନା ଯଦି ଉପରେ ରହି ଦେଖୁଥିବେ, ତେବେ ଆଲିଗଡ଼ ଘଟଣା ତାଙ୍କୁ ଯେତିକି ବ୍ୟଥିତ କରୁନଥିବ (ତାହା ତ ହିନ୍ଦୁସ୍ଥାନରେ), ତା’ ଅପେକ୍ଷା ବହୁଗୁଣ ଅଧିକ ବ୍ୟଥିତ ଓ ଚକିତ କରୁଥିବ ପାକିସ୍ତାନରେ ଘଟୁଥିବା ଏ ସବୁ ଘଟଣା। ଜିନ୍ନା ମୂଳରୁ ଥିଲେ ଇସ୍‌ମାଇଲି ସମ୍ପ୍ରଦାୟର, ପରେ ହେଲେ ସିଆ ଓ କୁହାଯାଏ ତା’ପରେ ହେଲେ ସୁନ୍ନି। ସେ ବର୍ତ୍ତମାନ ଚକିତ ହେଉଥିବେ, ଯଦି ପାକିସ୍ତାନରେ ଅହମଦୀମାନଙ୍କ ପାଇଁ ସ୍ଥାନ ନାହିଁ, ସିଆମାନଙ୍କ ପାଇଁ ସ୍ଥାନ ନାହିଁ, ସୁଫିମାନଙ୍କ ପାଇଁ ସ୍ଥାନ ନାହିଁ, ଇସମାଇଲିମାନଙ୍କ ପାଇଁ ସ୍ଥାନ ନାହିଁ, ମୋହାଜିରମାନଙ୍କ ପାଇଁ ସ୍ଥାନ ନାହିଁ… ତେବେ କାହା ପାଇଁ ସେ ପାକିସ୍ତାନ ସୃଷ୍ଟି କରିଥିଲେ? ସେ ନିଜକୁ ନିଜେ ପ୍ରଶ୍ନ କରୁଥିବେ: ମୁସଲମାନ୍‌ କିଏ?

ସମ୍ବନ୍ଧିତ ଖବର

Leave A Reply

Your email address will not be published.