ସମ୍ରାଟ୍‌ ସି!

‘‘ଲେତାତ୍‌ ସେମୁଆଁ’’ (‘ଆଇ ଆମ୍‌ ଦି ଷ୍ଟେଟ୍‌’- ‘ମୁଁ ହିଁ ହେଉଛି ରାଷ୍ଟ୍ର’)। ‘ରାଜପଦ ହେଉଛି ଦୈବୀ ଅଧିକାର’ ତତ୍ତ୍ୱର ଅନ୍ୟତମ ପ୍ରମୁଖ ପ୍ରବର୍ତ୍ତକ ସପ୍ତଦଶ ଶତାବ୍ଦୀ ଏବଂ ଅଷ୍ଟାଦଶ ଶତାବ୍ଦୀରେ ଦୀର୍ଘକାଳ ଧରି ଫ୍ରାନ୍‌ସର ଏକଛତ୍ର ଶାସକ ଥିବା ବୋର୍ବନ୍‌ ବଂଶର ସମ୍ରାଟ ଚତୁର୍ଦ୍ଦଶ ଲୁଇ ସେ ଦେଶରେ ଶକ୍ତିଶାଳୀ ସାମନ୍ତମାନଙ୍କୁ ପଦାନତ କରିବା ପରେ କରିଥିବା ଏହି ପ୍ରସିଦ୍ଧ ଘୋଷଣାର ପ୍ରତିଧ୍ୱନି ବର୍ତ୍ତମାନ ଚୀନ୍‌ରେ ଶୁଣିବାକୁ ମିଳୁଛି ବୋଲି ଯଦି କୁହାଯାଏ, ତାହା ଆଦୌ ଏକ ଅତିରଞ୍ଜନ ହେବ ନାହିଁ। ଚୀନ୍‌ରେ ଚତୁର୍ଦ୍ଦଶ ଲୁଇଙ୍କ ସ୍ଥାନରେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ରଖି ସେଠାରେ ସଦ୍ୟ ସମାପ୍ତ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସରେ ଘଟିଥିବା ଘଟଣାବଳୀ ଉପରେ ଯଦି ଦୃଷ୍ଟି ପକାଯାଏ, ତେବେ ଯାହା ସ୍ପଷ୍ଟ ଦିଶିଥାଏ ତାହା ହେଲା ବର୍ତ୍ତମାନ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ଏବଂ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ କୌଣସି ଫରକ ନାହିଁ। ଅନ୍ୟଭାଷାରେ କହିଲେ ବର୍ତ୍ତମାନ ସି ହିଁ ହେଉଛନ୍ତି ପାର୍ଟି। ଯେହେତୁ ଚୀନା ରାଷ୍ଟ୍ର ରହିଛି କମ୍ୟୁନିଷ୍ଟ ପାର୍ଟିର ଏକଛତ୍ର ନିୟନ୍ତ୍ରଣରେ, ତେଣୁ କୁହାଯାଇ ପାରିବ ସି ହିଁ ହେଉଛନ୍ତି ରାଷ୍ଟ୍ର। ସି ଯଦି କାଗଜପତ୍ରରେ ଜଣେ ସାମ୍ୟବାଦୀ ନ ହୋଇ ଜଣେ ସମ୍ରାଟ ହୋଇଥାନ୍ତେ ତେବେ ଚତୁର୍ଦ୍ଦଶ ଲୁଇଙ୍କୁ ଅନୁକରଣ କରି ସେ ମଧ୍ୟ ଘୋଷଣା କରିପାରନ୍ତେ: ଲେ ତାତ୍‌ ସେମୁଆଁ।

ପାଞ୍ଚବର୍ଷରେ ଥରେ ଅନୁଷ୍ଠିତ ଏହି କମ୍ୟୁନିଷ୍ଟ ପାର୍ଟି କଂଗ୍ରେସରେ ଦେଶରେ ସର୍ବୋଚ୍ଚ କ୍ଷମତା ସମ୍ପନ୍ନ ଗୋଷ୍ଠୀ ପଲିଟ୍‌ବ୍ୟୁରୋର ସାତ ଜଣ ସଦସ୍ୟଙ୍କୁ ଅଭିଷିକ୍ତ କରାଯାଇଥାଏ, ଯାହାର ଅନ୍ୟତମ ସଦସ୍ୟ ହେଉଛନ୍ତି ରାଷ୍ଟ୍ରପତି ନିଜେ। ଚଳିତ ପାର୍ଟି କଂଗ୍ରେସରେ ଯେଉଁ ଛଅଜଣ ପଲିଟ୍‌ବ୍ୟୁରୋ ସଦସ୍ୟଙ୍କର ନାମ ଘୋଷଣା କରାଯାଇଛି ସେମାନଙ୍କ ମଧ୍ୟରୁ ପାଞ୍ଚଜଣ ହେଉଛନ୍ତି ସମ୍ପୂର୍ଣ୍ଣ ନୂତନ। କେବଳ ପ୍ରଧାନମନ୍ତ୍ରୀ ୬୨ ବର୍ଷୀୟ ଲି କେ ଚିଆଙ୍ଗ୍‌ ପଲିଟ୍‌ବ୍ୟୁରୋରେ ପୁରୁଣା ସଦସ୍ୟ ରୂପେ ନିଜର ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି ଯାହା; ଅବଶ୍ୟ ତାଙ୍କ ବ୍ୟତୀତ ଅନ୍ୟ ଯେଉଁ ସଦସ୍ୟ ଅପରିବର୍ତ୍ତିତ ରହିଛନ୍ତି, ସେ ହେଉଛନ୍ତି ଖୋଦ୍‌ ୬୪ ବର୍ଷୀୟ ରାଷ୍ଟ୍ରପତି ସି। ସି ଜିନ୍‌ପିଙ୍ଗ୍‌ ରାଷ୍ଟ୍ରପତି ରୂପେ ପାଞ୍ଚବର୍ଷ ପୂର୍ଣ୍ଣ କରିସାରିବା ପରେ ବର୍ତ୍ତମାନ ଆଉ ପାଞ୍ଚ ବର୍ଷ ପାଇଁ ତାଙ୍କୁ ସେହି ସର୍ବୋଚ୍ଚ ପଦବୀରେ ରଖାଯାଇଛି।

ବର୍ତ୍ତମାନ ଅନେକଙ୍କ ମନରେ ଏକ ଅନୁସନ୍ଧିତ୍ସା ପ୍ରକାଶ ପାଇଛି ଯେ ଏହା ସିଙ୍କର ଅନ୍ତିମ ପାଳି ନା ଦ୍ୱିତୀୟ ପାଳି ପୂର୍ଣ୍ଣ ହେବାପରେ ମଧ୍ୟ ସେ କ୍ଷମତାରେ ରହିବାକୁ ଚାହୁଁଛନ୍ତି? ଅତୀତରେ ଏ ସମ୍ପର୍କରେ ଯେଉଁ ଧାରା ଦେଖିବାକୁ ମିଳିଛି ତାହା ହେଲା ରାଷ୍ଟ୍ର ମୁଖ୍ୟମାନେ ସେମାନଙ୍କର ଶେଷ ପାଳି ଆରମ୍ଭ ସମୟରେ ସେମାନେ ମନସ୍ଥ କରିଥିବା ଉତ୍ତରାଧିକାରୀଙ୍କ ସମ୍ବନ୍ଧରେ ଷ୍ଟାଣ୍ଡିଙ୍ଗ୍‌ କମିଟିକୁ ସୁରାକ ଦେଇଥାନ୍ତି। କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ଯେ ସି ତାଙ୍କର ଦୁଇଜଣ ଜଣାଶୁଣା ଚେଲା-ଚେନ୍‌ ମାଇନର୍‌ ଓ ହୁ ଚୁନ୍‌ହୁଆଙ୍କ ସମ୍ବନ୍ଧରେ ଏଭଳି କିଛି ଇସାରା ଦେବେ। ଉଭୟଙ୍କ ବୟସ ୫୦ରୁ ୬୦ ମଧ୍ୟରେ ହୋଇଥିବାରୁ, ବୟସ ଦୃଷ୍ଟିରୁ ସେମାନେ ଏଥିପାଇଁ ଉପଯୁକ୍ତ ବୋଲି ବିଚାର କରାଯାଉଥିଲା। କିନ୍ତୁ ଦେଖାଗଲା ଯେ ସେମାନଙ୍କ ମଧ୍ୟରୁ କାହାକୁ ହେଲେ ଷ୍ଟାଣ୍ଡିଂ କମିଟିରେ ସ୍ଥାନ ମିଳିନାହିଁ। ଅପରପକ୍ଷେ ବୁଧବାର ଦିନ ଯେଉଁ ଛ’ ଜଣ ସଦ୍ୟ ଅଭିଷିକ୍ତ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କୁ ମଞ୍ଚରେ ଆବିର୍ଭୂତ ହେବା ଦେଖିବାକୁ ମିଳିଲା, ସେମାନଙ୍କ ମଧ୍ୟରୁ କାହାରି ବୟସ ୬୦ରୁ କମ୍‌ ନୁହେଁ। ଅତଏବ ପାଞ୍ଚବର୍ଷର କାର୍ଯ୍ୟକାଳ ପୂରିଯିବା ପରେ ସେମାନେ ସମସ୍ତେ ଅବସର ନେବାର ଦୃଢ଼ ସମ୍ଭାବନା ରହିଛି। ଅର୍ଥାତ୍‌ ବର୍ତ୍ତମାନର ପଲିଟ୍‌ବ୍ୟୁରୋ ଷ୍ଟାଣ୍ଡିଂ କମିଟିର କୌଣସି ସଦସ୍ୟ ସି ଜିନ୍‌ ପିଙ୍ଗ୍‌ଙ୍କର ଉତ୍ତରାଧିକାରୀ ହେବାର ସମ୍ଭାବନା ନାହିଁ। ଷ୍ଟାଣ୍ଡିଙ୍ଗ୍‌ କମିଟିରେ କୌଣସି ସମ୍ଭାବ୍ୟ ଉତ୍ତରାଧିକାରୀଙ୍କର ଅନୁପସ୍ଥିତି ଆସନ୍ତା ପାଞ୍ଚବର୍ଷ ପାଇଁ ସିଙ୍କ ହାତରେ ସମସ୍ତ କ୍ଷମତା ଠୁଳ କରିବା ସଙ୍ଗେ ସଙ୍ଗେ ୨୦୨୨ ପରେ ମଧ୍ୟ ସି ଯେ କ୍ଷମତାରେ ରହି ପାରନ୍ତି, ତାହାର ଏକ ଦୃଢ଼ ସମ୍ଭାବନା ସୃଷ୍ଟି କରିଥାଏ।

ସି ଯେ ଚତୁର୍ଦ୍ଦଶ ଲୁଇଙ୍କ ଭଳି ଚୀନ୍‌ରେ ଏକ ଦୈବ ନିଯୁକ୍ତ ସମ୍ରାଟ ସୁଲଭ ସ୍ଥାନ ଅଧିକାର କରିଛନ୍ତି ତାଙ୍କର ଏହି ନିରଙ୍କୁଶ କ୍ଷମତା ତାହାର ଏକମାତ୍ର ପ୍ରମାଣ ନୁହେଁ। କମ୍ୟୁନିଷ୍ଟ ପାର୍ଟି କଂଗ୍ରେସରେ ଗ୍ରହଣ କରାଯାଇଥିବା ଅନ୍ୟ ଏକ ନିଷ୍ପତ୍ତି- ଯାହାକୁ ଏଥରର କଂଗ୍ରେସର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରୂପେ ବିଚାର କରାଯାଇପାରେ- ଏ ସମ୍ବନ୍ଧରେ ସମସ୍ତ ସନ୍ଦେହ ଦୂର କରି ଦେଇଥାଏ। ଏହି ସର୍ବସମ୍ମତ ନିଷ୍ପତ୍ତି ଅନୁସାରେ ଏଣିକି କମ୍ୟୁନିଷ୍ଟ ପାର୍ଟିର ସମ୍ବିଧାନରେ ସି ଜିନ୍‌ ପିଙ୍ଗ୍‌ଙ୍କର ନାମ ଏବଂ ‘ଚିନ୍ତାଧାରା’ ଅନ୍ତର୍ଭୁକ୍ତ ହେବ। ଚୀନ୍‌ରେ କମ୍ୟୁନିଷ୍ଟ ଶାସନର ପ୍ରତିଷ୍ଠାତା ମହାନ୍‌ ମଙ୍ଗୁଆଳ (ଦି ଗ୍ରେଟ୍‌ ହେମ୍‌ସ୍‌ମ୍ୟାନ) ରୂପେ ପରିଚିତ ମାଓ ଜେଡଙ୍ଗ୍‌ଙ୍କ ପରେ ସି ଜିନ୍‌ ପିଙ୍ଗ୍‌ ହେଉଛନ୍ତି ଦ୍ୱିତୀୟ ଜୀବିତ ନେତା ଯାହାଙ୍କର ନାମ ଏବଂ ‘ଚିନ୍ତାଧାରା’ କମ୍ୟୁନିଷ୍ଟ ପାର୍ଟିର ସମ୍ବିଧାନରେ ସ୍ଥାନ ପାଇବ। ‘ଏକ ନୂତନ ଯୁଗ ପାଇଁ ଚୀନା ଚରିତ୍ର ସମ୍ବଳିତ ସମାଜବାଦ ସମ୍ପର୍କରେ ସି ଜିନ୍‌ ପିଙ୍ଗ୍‌ଙ୍କ ଚିନ୍ତାଧାରା’ ଶୀର୍ଷକ ସି ଜିନ୍‌ ପିଙ୍ଗ୍‌ଙ୍କର ଏହି ରାଜନୈତିକ ଦର୍ଶନ ସେ ଦେଶର କମ୍ୟୁନିଷ୍ଟ ପାର୍ଟିକୁ ସବୁଦିନ ପାଇଁ ଦିଗ୍‌ଦର୍ଶନ ଦେଇ ଚାଲିବ ଯେମିତି ମାଓ ଜେଡଙ୍ଗ୍‌ଙ୍କର ରାଜନୈତିକ ଦର୍ଶନ ଏ ପର୍ଯ୍ୟନ୍ତ କରି ଆସିଛି।

ମାଓଙ୍କ ବ୍ୟତୀତ ଚୀନ୍‌ର ଅନ୍ୟ କୌଣସି ନେତାଙ୍କୁ ଏଭଳି ସ୍ୱୀକୃତି ମିଳି ନାହିଁ। ଏପରିକି ଆଧୁନିକ ଅର୍ଥନୈତିକ ସଫଳତା ହାସଲକାରୀ ଚୀନ୍‌ର ନିର୍ମାତା ରୂପେ ପରିଚିତ ଡେଙ୍ଗ୍‌ ସିଆଓ ପିଙ୍ଗ୍‌ଙ୍କୁ ମଧ୍ୟ ଏଭଳି ମର୍ଯ୍ୟାଦା ପ୍ରଦାନ କରାଯାଇ ନାହିଁ। ଲକ୍ଷ୍ୟ କରିବା କଥା ଡେଙ୍ଗ୍‌ଙ୍କ ମସ୍ତିଷ୍କରୁ ଯେଉଁ ସବୁ ଯୁଗାନ୍ତକାରୀ ଦୃଷ୍ଟିଭଙ୍ଗୀ ବାହାରି ଚୀନା ଅର୍ଥନୀତିରେ ଅଭୂତପୂର୍ବ ଶକ୍ତି ସଞ୍ଚାର କରିଥିଲା (ଯେମିତି କମ୍ୟୁନିଷ୍ଟ ରାଜନୈତିକ ବ୍ୟବସ୍ଥା ସହିତ ପୁଞ୍ଜିବାଦୀ ବଜାର ଅର୍ଥନୀତିର ମିଳନ) କମ୍ୟୁନିଷ୍ଟ ପାର୍ଟି ମହଲରେ ତାହାକୁ ଡେଙ୍ଗ୍‌ଙ୍କର ‘ଚିନ୍ତାଧାରା’ ରୂପେ ଅଭିହିତ କରା ନଯାଇ ‘ତତ୍ତ୍ୱ’ ରୂପେ ବର୍ଣ୍ଣନା କରାଯାଇଛି, ଯାହାର ବୌଦ୍ଧିକ ସ୍ଥାନ ହେଉଛି ‘ଚିନ୍ତାଧାରା’ ଠାରୁ ନିମ୍ନରେ। ସି ଜିନ୍‌ ପିଙ୍ଗ୍‌ଙ୍କର ୧୪ ସୂତ୍ରୀ ଚିନ୍ତାଧାରାର କେତେକ ମୁଖ୍ୟ ଖିଅ ଏହିପରି: ସମ୍ପୂର୍ଣ୍ଣ ଏବଂ ଗଭୀର ସଂସ୍କାର ପାଇଁ ଆହ୍ଵାନ; ମନୁଷ୍ୟ ଓ ପ୍ରକୃତି ମଧ୍ୟରେ ସହାବସ୍ଥାନ ପାଇଁ ପ୍ରତିଜ୍ଞା; ସେନାବାହିନୀ ଉପରେ କମ୍ୟୁନିଷ୍ଟ ପାର୍ଟିର ସମ୍ପୂର୍ଣ୍ଣ ନିୟନ୍ତ୍ରଣ; ହଂକଂ ଓ ତାଇଓ୍ଵାନ୍‌କୁ ଆଖିରେ ରଖି ଗୋଟିଏ ଦେଶ ଦୁଇଟି ବ୍ୟବସ୍ଥା ଉପରେ ଗୁରୁତ୍ୱ ଇତ୍ୟାଦି।

ସିଙ୍କର ଏହି ଚିନ୍ତାଧାରା କେବଳ କମ୍ୟୁନିଷ୍ଟ ପାର୍ଟିକୁ ଦିଗ୍‌ଦର୍ଶନ ଦେବ ତାହା ନୁହେଁ, ଦେଶର ସ୍କୁଲ୍‌, କଲେଜରେ ମଧ୍ୟ ତାହା ଅଧ୍ୟୟନ କରାଯିବ। ସି ଜିନ୍‌ ପିଙ୍ଗ୍‌ଙ୍କ ପାଇଁ ଏହାର ତାତ୍ପର୍ଯ୍ୟ ସୁଦୂରପ୍ରସାରୀ। ଏହାର ଅର୍ଥ କେବଳ କ୍ଷମତାରେ ଥିବା ବେଳେ ନୁହେଁ, କ୍ଷମତାରୁ ନିଷ୍କ୍ରାନ୍ତ ହେବା ପରେ ମଧ୍ୟ କମ୍ୟୁନିଷ୍ଟ ପାର୍ଟି ଉପରେ ତାଙ୍କର ପ୍ରଭାବ ସାମାନ୍ୟତମ ଊଣା ହେବ ନାହିଁ। ଚେଆରମ୍ୟାନ୍‌ ମାଓଙ୍କ ଜୀବଦ୍ଦଶାରେ ଯେମିତି ସେ ଥିଲେ ଦେଶର ସର୍ବମୟ କର୍ତ୍ତା ବର୍ତ୍ତମାନ ସି ଜିନ୍‌ ପିଙ୍ଗ୍‌ ସେଇଭଳି ଏକ କ୍ଷମତା ଓ ଆନୁଗତ୍ୟ ଉପଭୋଗ କରିବାକୁ ଯାଉଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୃଥିବୀର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ଏବଂ ଅର୍ଖ ନୂଆ ମହାଶକ୍ତିର ଏହି ନୂତନ ମଙ୍ଗୁଆଳ ଯଦି ଚାହିଁବେ କେବଳ ନିଜ ଦେଶର ମଙ୍ଗଳ ନୁହେଁ, ସାରା ପୃଥିବୀର ମଙ୍ଗଳ ପାଇଁ ଏହାକୁ ନିୟୋଜିତ କରିପାରିବେ। କିନ୍ତୁ ଇତିହାସ କହେ ଖ୍ୟାତି ଓ କ୍ଷମତାର ବୋଝ ସମ୍ଭାଳିବା ସହଜ ନୁହେଁ।

ସମ୍ବନ୍ଧିତ ଖବର