ଆଣବିକ ଇରାନ୍‌

0 246

ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଯେ ଏକ ହୁଙ୍କାପିଟା ସ୍ୱଭାବର ବ୍ୟକ୍ତି,, ତାହା ସାରା ଦୁନିଆ ଜାଣିସାରିଲାଣି। କିନ୍ତୁ ଏପରି ଲୋକ ବେଳେବେଳେ ଯେଉଁଭଳି ଗତାନୁଗତିକତାକୁ ତ୍ୟାଗ କରି ଅସମ୍ଭବ ମନେହେଉଥିବା ଭଳି ସାହସିକ ପଦକ୍ଷେପ ନିଅନ୍ତି, ତାହା ଅଧିକ ବିଚାରବନ୍ତ ଓ ହୁସିଆର ଲୋକଙ୍କ ଠାରୁ କେବେ ଆଶା କରାଯାଇପାରେ ନାହିଁ। ଇରାନ୍‌ ସହିତ ଆମେରିକା ସମେତ ଛ’ଟି ଦେଶ କରିଥିବା ଆଣବିକ ରାଜିନାମାରୁ ଆମେରିକା ଓହରି ଯିବା ପାଇଁ ମଙ୍ଗଳବାର ଦିନ ଟ୍ରମ୍ପ୍‌ ନେଇଥିବା ନିଷ୍ପତ୍ତି ଏଇଭଳି ଏକ ସାହସିକ ପଦକ୍ଷେପ। ଯଦିବା ଅଧିକାଂଶ ଶାନ୍ତିପ୍ରେମୀମାନେ ଏହାକୁ ଏକ ଶାନ୍ତି ବ୍ୟାହତକାରୀ ପଛୁଆ ପଦକ୍ଷେପ ରୂପେ ବିଚାର କରୁଛନ୍ତି, ୨୦୧୫ରେ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ନେତୃତ୍ୱରେ ସମାପନ ହୋଇଥିବା ଏହି ରାଜିନାମାକୁ ଉପରଠାଉରିଆ ଭାବରେ ନଦେଖି ସାମାନ୍ୟ ତଳେଇ କରି ଦେଖିଲେ ଏହି ରାଜିନାମାର ମଞ୍ଜ ଦୁର୍ବଳତା ଏବଂ ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିର ଯଥାର୍ଥତା ସ୍ପଷ୍ଟ ହୋଇ ଦେଖାଯାଇଥାଏ।

ବାରାକ୍‌ ଓବାମା ଏକ ସମ୍ମାନର ପ୍ରଶ୍ନ ଭଳି ଇରାନ୍‌ ସହିତ ଏହି ଆଣବିକ ରାଜିନାମା ସମ୍ପନ୍ନ କରିବା ପଛରେ ଯେଉଁ ଶକ୍ତିଶାଳୀ କାରଣ ନିହିତ ଥିଲା, ତାହାର ମଞ୍ଜି ପୋତା ଯାଇଥିଲା ୨୦୦୯ରେ, ସେ ପ୍ରଥମ ପାଳି ରାଷ୍ଟ୍ରପତି ନିର୍ବାଚିତ ହେବାର ମାତ୍ର ଗୋଟିଏ ବର୍ଷ ପରେ। ଆମେରିକାର ପ୍ରଥମ କୃଷ୍ଣକାୟ, ମୁସଲମାନ ପୃଷ୍ଠଭୂମି ବିଶିଷ୍ଟ ଯୁବ ରାଷ୍ଟ୍ରପତି ରୂପେ ଓବାମା ରାଷ୍ଟ୍ରପତି ଚୌକିରେ ପୂରାପୂରି ସଜାଡ଼ି ହୋଇ ବସି ସାରିଥିବେ କି ନାହିଁ, ସେଇ ବର୍ଷ ନରଓ୍ଵଜିଆନ୍‌ ନୋବେଲ କମିଟି ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରି ସମସ୍ତଙ୍କୁ, ଏପରିକି ଖୋଦ୍‌ ଓବାମାଙ୍କୁ ମଧ୍ୟ, ଆଶ୍ଚର୍ଯ୍ୟାନ୍ଵିତ କରିଦେଲା। ଅଣୁ ଅସ୍ତ୍ର ପ୍ରସାର ସଂକୋଚନ ଏବଂ ମୁସଲମାନ ଜଗତ୍‌ ସହିତ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ହାତ ବଢ଼ାଇ ଆନ୍ତର୍ଜାତିକ ସମ୍ପର୍କ କ୍ଷେତ୍ରରେ ଏକ ନୂତନ ଜଳବାୟୁ ସୃଷ୍ଟି କରିବା ପାଇଁ ତାଙ୍କର ଉଦ୍ୟମକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଗଲା ବୋଲି ନରଓ୍ଵଜିଆନ୍‌ ନୋବେଲ କମିଟି ଘୋଷଣା କରିଥିଲା। ୨୦୦୯ ଡିସେମ୍ବର ୧୦ ତାରିଖରେ ଓବାମା ‘ଅସ୍‌ଲୋ’ଠାରେ ଏହି ପୁରସ୍କାର ଗ୍ରହଣ କଲେ।

କୌଣସି କାର୍ଯ୍ୟ ନକରି ନୋବେଲ ପୁରସ୍କାର ପାଇବା ପରେ ସ୍ୱାଭାବିକ ଭାବରେ ଏ ପୁରସ୍କାରର ଯଥାର୍ଥତା ପ୍ରତିପାଦନ କରିବା ପାଇଁ ଓବାମା ତାଙ୍କର ଦୁଇପାଳିର ରାଷ୍ଟ୍ରପତିତ୍ୱ ସମୟରେ ଯେଉଁ ଲାଗି ପଡ଼ିଲେ, ଇରାନ୍‌ ସହ ଆଣବିକ ରାଜିନାମା ହେଉଛି ତା’ର ଅନ୍ତିମ ଉପଲବ୍‌ଧି। ଏହି ବୁଝାମଣା ଅନୁସାରେ ଇରାନ୍‌ ତା’ର ଆଣବିକ ଅସ୍ତ୍ର ନିର୍ମାଣ କରିବା କ୍ଷମତାକୁ ଶିଥିଳ କରିବା ସଙ୍ଗେ ସଙ୍ଗେ ତାହାର ଆଣବିକ ପ୍ରତିଷ୍ଠାନ ଗୁଡ଼ିକ ଯାଞ୍ଚ କରିବା ପାଇଁ ଆନ୍ତର୍ଜାତିକ ନିରୀକ୍ଷକମାନଙ୍କୁ ଅନୁମତି ପ୍ରଦାନ କରିବ। ଉଦାହରଣ ସ୍ୱରୂପ ଇରାନ୍‌ ତା’ର ଅଣୁ ଅସ୍ତ୍ର କ୍ଷମତାରେ ଏପରି ହ୍ରାସ ଘଟାଇବ ଯେ ପୂର୍ବରୁ ମାତ୍ର ତିନିମାସ ମଧ୍ୟରେ ଗୋଟିଏ ଆଣବିକ ବୋମା ନିର୍ମାଣ କରିପାରିବା ଭଳି କ୍ଷମତା ଏ ସମସ୍ତ ପଦକ୍ଷେପ ନିଆଯିବା ପରେ ଏକ ବର୍ଷକୁ ସମ୍ପ୍ରସାରିତ ହୋଇଯିବ। ଇରାନ୍‌ର ଏ ସମସ୍ତ ପଦକ୍ଷେପ ନିରୀକ୍ଷକମାନଙ୍କୁ ସନ୍ତୁଷ୍ଟ କଲେ ଇରାନ୍‌ ଉପରେ ଲଗାଯାଇଥିବା ଅର୍ଥନୈତିକ ବାସନ୍ଦକୁ ସାମୟିକ ଭାବରେ ଉଠାଇ ଦିଆଯିବ। ରାଜିନାମା ଅନୁସାରେ ସବୁ ଠିକ୍‌ ଚାଲିଥିଲା ଏବଂ ମେ ୧୨ ତାରିଖରେ ପୁଣି ଥରେ ସାମୟିକ ଭାବରେ ବାସନ୍ଦ ଉଠାଇ ଦିଆଯିବା କଥା। କିନ୍ତୁ ସେ ନୂତନ କିସ୍ତି ସାମୟିକ ବାସନ୍ଦ ଉଚ୍ଛେଦ ଆଦେଶନାମା ସ୍ୱାକ୍ଷର କରିବା ପୂର୍ବରୁ ଟ୍ରମ୍ପ୍‌ ଏବେ ସେ ରାଜିନାମାରୁ ଓହରି ଯାଇଛନ୍ତି। ଏହା ପରେ ବାକି ପାଞ୍ଚଟି ଦେଶ- ବ୍ରିଟେନ୍‌, ଫ୍ରାନ୍‌ସ, ରୁଷିଆ, ଚୀନ୍‌ ଓ ଜର୍ମାନୀର ପ୍ରତିକ୍ରିୟା କ’ଣ ହେବ ଏବଂ ଇରାନ୍‌ର ଆଚରଣ କ’ଣ ହେବ ଜଣା ନାହିଁ, କିନ୍ତୁ ଟ୍ରମ୍ପ୍‌ଙ୍କର ଏହି ପଦକ୍ଷେପ ଯେ ଆଦୌ ଅପ୍ରତ୍ୟାଶିତ ନୁହେଁ ତାହା ତାଙ୍କର ପୂର୍ବର କଥା ଓ କାର୍ଯ୍ୟରୁ ସୁସ୍ପଷ୍ଟ ଥିଲା । ଏଥି ପୂର୍ବରୁ ସେ ‘ଟିପିପି’, ‘ନାଫ୍‌ଟା’ ଭଳି ବାଣିଜ୍ୟ ଚୁକ୍ତି ଓ ପ୍ୟାରିସ୍‌ ଆନ୍ତର୍ଜାତିକ ଜଳବାୟୁ ଚୁକ୍ତିରୁ ଓହରିଯିବା ଦେଖାଯାଇଛି ଏବଂ ସେ ଇରାନ୍‌ ବୁଝାମଣାର ଘୋର ସମାଲୋଚନା କରିଆସିଛନ୍ତି।

କେହି କେହି ଟ୍ରମ୍ପ୍‌ ଆମେରିକାକୁ ଇରାନ୍‌ ବୁଝାମଣାରୁ ଓହରାଇ ନେବାକୁ ଏକ ଚୁକ୍ତି ଉଲ୍ଲଂଘନ ରୂପେ ବିଚାର କରିପାରନ୍ତି। ସେମାନେ କିନ୍ତୁ ଜାଣିବା ଉଚିତ ଯେ ଓବାମା ଦୀର୍ଘଦିନ ଧରି ଉଦ୍ୟମ କରି ଇରାନ୍‌ ସହିତ ଯେଉଁ ବୁଝାମଣା କରିଥିଲେ ତାହା ଆମେରିକା ଦୃଷ୍ଟିରୁ ଆଦୌ ଏକ ବିଧିବଦ୍ଧ ଚୁକ୍ତି ନଥିଲା। ଓବାମା ଏହାକୁ ଏକ ଚୁକ୍ତି ଆକାରରେ ଆଦୌ କଂଗ୍ରେସରେ ଉପସ୍ଥାପିତ କରିନଥିଲେ, କାରଣ ସେତେବେଳେ ଆମେରିକାରେ ଜନମତ ସ୍ପଷ୍ଟ ଭାବରେ ଏହାର ବିରୋଧ କରୁଥିଲା ଏବଂ ଏହା କେବେହେଲେ ସିନେଟ୍‌ରେ ଦୁଇ-ତୃତୀୟାଂଶ ସମର୍ଥନ ଲାଭ କରି ନଥାନ୍ତା। ଅତଏବ କେବଳ ଏକ ‘ରାଜିନାମା’ ଆକାରରେ ଫିଲିବଷ୍ଟର୍‌ କୌଶଳ ପ୍ରୟୋଗ କରି ସଂଖ୍ୟାନ୍ୟୂନ ୪୨ଟି ଭୋଟରେ ଏହା ସିନେଟ୍‌ରେ ପାରିତ ହୋଇ ଯାଇଥିଲା। ଆମେରିକାରେ ଏହି ଅଣସ୍ୱାକ୍ଷରିତ ରାଜିନାମାର କୌଣସି ବୈଧାନିକ ମର୍ଯ୍ୟାଦା ନାହିଁ।

ଓବାମା ନୋବେଲ ଶାନ୍ତି ପୁରସ୍କାର ପ୍ରଦାନକାରୀଙ୍କ ଆଶା ପୂରଣ କରିବା ପାଇଁ ଏହି ରାଜିନାମା ଅତ୍ୟନ୍ତ ଉପଯୋଗୀ ଥିଲା, କାରଣ ଏହା ଅଣୁ ଅସ୍ତ୍ର ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ସମ୍ପୃକ୍ତ ଦେଶ ଇରାନ୍‌ ଥିଲା ନୋବେଲ କମିଟି ବର୍ଣ୍ଣନା କରିଥିବା ଭଳି ଏକ ମୁସଲମାନ ଦେଶ। ଏହା ସତ ଯେ ରାଜିନାମା ହେବା ପରେ ଇରାନ୍‌ ତାର ଅଣୁ ଅସ୍ତ୍ର ନିର୍ମାଣ ଉଦ୍ୟମକୁ ଧିମେଇ ଦେଇଛି, କିନ୍ତୁ ଇରାନ୍‌ ତାର ଅଣୁ ଅସ୍ତ୍ର ନିର୍ମାଣ କ୍ଷମତାକୁ ସମ୍ପୂର୍ଣ୍ଣ ବିଲୋପ କରିଦେବା ପାଇଁ ରାଜିନାମାରେ କୁହାଯାଇ ନାହିଁ। ଏହା ବାଦ୍‌ ଇରାନ୍‌ ଦ୍ୱାରା କ୍ଷେପଣାସ୍ତ୍ର ନିର୍ମାଣ ଉପରେ ମଧ୍ୟ ଏହା ଅଙ୍କୁଶ ଲଗାଇ ନାହିଁ। ରାଜିନାମା ବଳବତ୍ତର ହେବା ପର ଠାରୁ ବର୍ତ୍ତମାନ ମଧ୍ୟରେ ଇରାନ୍‌ ଅତିକମ୍‌ରେ ୨୦ଟି କ୍ଷେପଣାସ୍ତ୍ର ପରୀକ୍ଷା କରି ସାରିଲାଣି। ରାଜିନାମା ପର ଠାରୁ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିର୍ମାଣ ଓ ପରୀକ୍ଷା ଯୋଗୁଁ ଜାତିସଂଘ ଇରାନ୍‌ ଉପରେ ଲାଗୁ କରିଥିବା ଅର୍ଥନୈତିକ ବାସନ୍ଦ ହୁଗୁଳା ହୋଇଯାଇଛି ଏବଂ ଆଉ ଥରେ ତାହାକୁ ଲାଗୁ କରିବା ପ୍ରାୟ ଅସମ୍ଭବ, କାରଣ ଚୀନ୍‌ ଓ ରୁଷିଆ ଭିଟୋ ମାଧ୍ୟମରେ ଏହାର ବିରୋଧ କରିବେ।

ଅପରପକ୍ଷେ ବାସନ୍ଦ ହୁଗୁଳା ହେବା ପରେ ଇରାନ୍‌ ପେଟ୍ରୋଲିଅମ୍‌ ରପ୍ତାନି ଏବଂ ଅନ୍ୟାନ୍ୟ ବାଣିଜ୍ୟ ମାଧ୍ୟମରେ ଯେଉଁ ପ୍ରଚୁର ସମ୍ବଳ ସଂଗ୍ରହ କରିପାରିଛି ତାହାକୁ ବ୍ୟବହାର କରି ଲେବାନନ, ସିରିଆ ଓ ୟେମେନ୍‌ ଆଦି ପଡ଼ୋଶୀ ଅଞ୍ଚଳର ଦେଶମାନଙ୍କରେ ଆକ୍ରମଣାତ୍ମକ କାର୍ଯ୍ୟମାନ ଚଳାଇଛି। ଯଦି ପାଶ୍ଚାତ୍ୟ ଶକ୍ତିମାନେ ଏହାର ବିରୋଧ କରନ୍ତି, ତେବେ ପ୍ରଥମେ ବାସନ୍ଦ ଉଠାଇ ଇରାନ୍‌ର ବଳ ବୃଦ୍ଧି କରି ତା’ପରେ ତା’ ସହିତ ଲଢ଼େଇ କରିବା ଭଳି ହେବ। ଯଦି ଇରାନ୍‌କୁ ନିୟନ୍ତ୍ରଣରେ ରଖିବା କଥା ତେବେ ତା’ଉପରୁ ବାସନ୍ଦ ଉଠାଯିବ କାହିଁକି? ଏହା ହିଁ ଟ୍ରମ୍ପ୍‌ଙ୍କର ଯୁକ୍ତି। ନିକଟରେ ଇସ୍ରାଏଲ୍‌ର ଗୁପ୍ତଚର ସଂସ୍ଥା ସୂତ୍ରରୁ ଇରାନ୍‌ ଆଣବିକ କାର୍ଯ୍ୟକ୍ରମ ଗୁପ୍ତରେ ଜାରି ରଖିଥିବା ଜଣାପଡ଼ିବା ପରେ ଟ୍ରମ୍ପ୍‌ଙ୍କ ନିଷ୍ପତ୍ତି ଆହୁରି ଦୃଢ଼ ହୋଇଯାଇଥିଲା। ଏବେ ଉତ୍ତର କୋରିଆ ଯଦି ବାଟକୁ ଆସେ ତେବେ ଟ୍ରମ୍ପ୍‌ଙ୍କର କଠୋର ଆଭିମୁଖ୍ୟ ଇରାନ୍‌କୁ ମଧ୍ୟ ଶେଷରେ ବାଟରେ ପକାଇପାରେ ବୋଲି ଆଶା କରାଯାଇପାରେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.