ମହଙ୍ଗାରୁ ରିହାତି ଦିଅ

0 132

ଇରାନ୍‌ ସହ ଆଣବିକ ରାଜିନାମାରୁ ଓହରି ଯାଇ ପୁଣି ଏହି ଇସଲାମୀୟ ରାଷ୍ଟ୍ର ବିରୋଧରେ ଅର୍ଥନୈତିକ-ବାଣିଜ୍ୟିକ ବାସନ୍ଦ ଲାଗୁ ସକାଶେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିର ସିଧାସଳଖ ପ୍ରଭାବ ଆନ୍ତର୍ଜାତିକ ତୈଳ ବଜାର ଉପରେ ପଡ଼ିଛି। ଗତ କିଛି ମାସ ହେଲା ଉପରମୁହାଁ ହୋଇ ରହିଥିବା ଅଶୋଧିତ ତେଲ ଦର ବୃଦ୍ଧି କ୍ଷିପ୍ରତର ହୋଇଛି। ଭାରତ କିଣୁଥିବା ‘ପୁଲ’ରେ ଗତ ମେ’ ୮ ତାରିଖ ଦିନ ଅଶୋଧିତ ତେଲର ଦର ବ୍ୟାରେଲ ପିଛା ଥିଲା ୭୩ ଡଲାର। ଗୁରୁବାର ବେଳକୁ ତେଲ ଦର ବ୍ୟାରେଲ ପ୍ରତି ୭୭ ଡଲାରକୁ ଟପି ଯାଇଛି। ଆନ୍ତର୍ଜାତିକ ବଜାରରେ ତୈଳ ଦର ଆହୁରି ଅଧିକ ବୃଦ୍ଧି ପାଇବା ଆଶଙ୍କା ଦେଖା ଦେଇଛି। ଅବଶ୍ୟ, ବିଶ୍ୱରେ ଉତ୍ପାଦିତ ହେଉଥିବା ମୋଟ ତେଲର ମାତ୍ର ୪ ପ୍ରତିଶତ ଉତ୍ପାଦନ କରୁଥିବା ଇରାନ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ତୈଳ ଦର ବୃଦ୍ଧିର ଏକମାତ୍ର କାରଣ ନୁହେଁ। ଅନ୍ୟାନ୍ୟ ବହୁ କାରଣରୁ ଅଶୋଧିତ ତେଲର ଦର ବୃଦ୍ଧି ପାଇ ଚାଲିଛି। ତେବେ ତେଲ ଦରର ଊର୍ଦ୍ଧ୍ୱଗାମୀ ଗତିକୁ ଇରାନ୍‌ ଘଟଣାକ୍ରମ ଅଧିକ ତ୍ୱରାନ୍ଵିତ କରିଛି। ଏକ ବିଶ୍ୱସନୀୟ ଆକଳନ ଅନୁଯାୟୀ, ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରେ ଆନ୍ତର୍ଜାତିକ ବଜାରରେ ତେଲ ଦର ହାରାହାରି ବ୍ୟାରେଲ ପିଛା ୮୨ ଡଲାର ଛୁଇଁ ଯାଇପାରେ। ଗତ ଆର୍ଥିକ ବର୍ଷରେ ବ୍ୟାରେଲ ପିଛା ହାରାହାରି ଦର ୬୦ ଡଲାରରୁ ତଳେ ରହିଥିଲା।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଏ ଊର୍ଦ୍ଧ୍ୱମୁଖୀ ଗତି ବିଶ୍ୱର ଅନ୍ୟ ଦେଶ ଗୁଡ଼ିକ ଉପରେ ଯାହା ବି ପ୍ରଭାବ ପକାଉ, ଭାରତୀୟ ଅର୍ଥନୀତିକୁ କିନ୍ତୁ ଏହା ଏକ ପିଚ୍ଛିଳ ରାସ୍ତାକୁ ଠେଲି ଦେଇଛି। ତୈଳ ଦର ବୃଦ୍ଧି ଫଳରେ ଏକ ଅର୍ଥନୈତିକ ସଂକଟର ଦ୍ୱାର ଦେଶରେ ଭାରତ ପହଞ୍ଚି ଯାଇଛି ବୋଲି କହିଲେ ବୋଧହୁଏ ଅତିରଞ୍ଜନ ହେବ ନାହିଁ। ଭାରତ ତା’ର ମୋଟ ଚାହିଦାର ୮୦ ପ୍ରତିଶତ ତେଲ ଆମଦାନି କରେ। ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତର ତୈଳ ଆମଦାନି ବାବଦ ମୋଟ ଖର୍ଚ୍ଚ ଥିଲା ୮୭.୮ ବିଲିୟନ୍‌ ଡଲାର। ଚଳିତ ବର୍ଷ ଏହା ୨୦ ପ୍ରତିଶତ ବୃଦ୍ଧି ପାଇ ୧୦୫ ବିଲିୟନ୍‌ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଥିଲା। ତେଲ ଦର ବ୍ୟାରେଲ ପିଛା ହାରାହାରି ୬୫ ଡଲାରରେ ସ୍ଥିର ରହିବ ବୋଲି ଆଶା କରି ଏହି ହିସାବ କରାଯାଇଥିଲା। ଏବେ କିନ୍ତୁ ତୈଳ ଦର ବ୍ୟାରେଲ୍‌ ପିଛା ୭୭ ଡଲାରରେ ପହଞ୍ଚି ସାରିଲାଣି। ଏହା ଆହୁରି ବଢ଼ି ଯେତେବେଳେ ହାରାହାରି ବ୍ୟାରେଲ୍‌ ପିଛା ୮୨ ଡଲାର ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି ଆଶଙ୍କା କରାଯାଉଛି, ସେତେବେଳେ ଭାରତର ତୈଳ ଆମଦାନି ବିଲ୍‌ ୨୦୧୧-୧୨ର ବାର୍ଷିକ ୧୪୦ ବିଲିୟନ୍‌ ଡଲାରକୁ ଟପି ଯାଇପାରେ ବୋଲି ଆକଳନ କରାଯାଉଛି। ଭାରତ ପାଇଁ ଦୋହରା ବିପଦ ହେଲା, ଆମେରିକୀୟ ଡଲାର ବିପକ୍ଷରେ ଭାରତୀୟ ଟଙ୍କା କ୍ରମାଗତ ଭାବେ ଦୁର୍ବଳ ହୋଇ ଚାଲିଛି।

ତୈଳ ଦର ବୃଦ୍ଧିର ପ୍ରତିକୂଳ ପ୍ରଭାବ ଯୋଗୁ ଭାରତୀୟ ଅର୍ଥନୀତିରେ ଏକ ଗୁରୁତର ସଂକଟର ପଦଧ୍ୱନି ଅତି ସ୍ପଷ୍ଟ ଭାବେ ଶୁଣାଯାଉଛି। ଆନ୍ତର୍ଜାତିକ ବଜାରରେ ତୈଳ ଦର ବ୍ୟାରେଲ ପିଛା ୭୦ ଡଲାର ଥିବା ବେଳେ ଭାରତୀୟ ଗ୍ରାହକଙ୍କ ପାଇଁ ପେଟ୍ରୋଲ ଲିଟର ପିଛା ହାରହାରି ୭୪ ଟଙ୍କା ଏବଂ ଡିଜେଲ ୬୬ ଟଙ୍କାରେ ପହଞ୍ଚି ସାରିଲାଣି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଯେତିକି ଅଧିକ ବୃଦ୍ଧି ପାଇବ, ପରିବହନ କ୍ଷେତ୍ରରେ ବ୍ୟବହୃତ ଏହି ଦୁଇ ଇନ୍ଧନର ଦର ସମାନୁପାତିକ ଭାବେ ସେତିକି ଅଧିକ ବୃଦ୍ଧି ପାଇବ। ଏହାର ପ୍ରଭାବରେ ଅନ୍ୟ ପ୍ରାୟ ସବୁ ଖାଉଟି ସାମଗ୍ରୀର ଦାମ୍‌ ବଢ଼ିବ ଏବଂ ସାଧାରଣ ଜନତାଙ୍କ ଉପରେ ମହଙ୍ଗାର ମାଡ଼ ଅଧିକ ହେବ।

ନିଃସନ୍ଦେହ, ଏହାର ପରିଣତି ସ୍ୱରୂପ ମୁଦ୍ରାସ୍ଫୀତି ହାର ମଧ୍ୟ ଉଚ୍ଚତର ହେବ ଓ ଅର୍ଥନୀତିରେ ଅସ୍ଥିରତା ଦେଖାଦେବ। ସାମଗ୍ରିକ ଭାବେ ଏହା ଦ୍ୱାରା ଅର୍ଥନୈତିକ ସନ୍ତୁଳନ ମଧ୍ୟ ପ୍ରଭାବିତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଚଳନ୍ତି ଖାତାରେ ନିଅଣ୍ଟ (କରେଣ୍ଟ ଆକାଉଣ୍ଟ ଡେଫିସିଟ୍‌) ପରିମାଣ ଜିଡିପିର ୧ ପ୍ରତିଶତରେ ସୀମିତ ରହିବା ଆବଶ୍ୟକ। ତେବେ, ତୈଳ ଆମଦାନି ବିଲ୍‌ ବୃଦ୍ଧି ଯୋଗୁ ପରିବର୍ତ୍ତିତ ପରିସ୍ଥିତିରେ ସିଏଡି ଜିଡିପିର ୨ କିମ୍ବା ୩ ପ୍ରତିଶତକୁ ବୃଦ୍ଧି ପାଇବା ଆଶଙ୍କା ରହିଛି। ଅର୍ଥନୈତିକ ଅସ୍ଥିରତା ଲାଗି ରହିଲେ ଏହାର ରାଜନୈତିକ ପରିଣାମ ମଧ୍ୟ ସୁଦୂରପ୍ରସାରୀ ହୋଇପାରେ।

ଦ୍ୱାର ଦେଶରେ ଆସି ପହଞ୍ଚି ଯାଇଥିବା ଏ ସଂକଟର ମୁକାବିଲା କ’ଣ ସମ୍ଭବ? ଯଦି ସମ୍ଭବ, ତେବେ ତା’ର ଇଲମ କ’ଣ? ଏହା ଉପରେ ସରକାର, ଅର୍ଥନୈତିକ ବିଶାରଦ ଓ ନୀତି ନିର୍ଦ୍ଧାରକମାନେ ଗୁରୁତ୍ୱର ସହ ମାନସ ମନ୍ଥନ କରିବା ଉଚିତ। ଯଦିଓ, ସମସ୍ୟା ସଂପୂର୍ଣ୍ଣ ରୂପେ ବାହ୍ୟ ଏବଂ ଏହା ଉପରେ ବିଶେଷ ନିୟନ୍ତ୍ରଣ ନାହିଁ, ତଥାପି ସରକାର ଚାହିଁଲେ ଆଭ୍ୟନ୍ତରୀଣ ସ୍ତରରେ କିଛି ପଦକ୍ଷେପ ନେଇପାରିବେ, ଯାହା ସମସ୍ୟାର ପୂରା ସମାଧାନ କରି ନପାରିଲେ ସୁଦ୍ଧା କିଛି ମାତ୍ରାରେ ଲାଘବ କରିପାରିବ। ସରକାରଙ୍କ ପାଖରେ ଗୋଟିଏ ବିକଳ୍ପ ହେଲା, ଦେଶରେ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରାଯାଇଥିବା ଶୁଳ୍‌କ ହାର ହ୍ରାସ। ପ୍ରଚଳିତ ଟିକସ ବ୍ୟବସ୍ଥା ଅନୁଯାୟୀ, ଦେଶର ଖାଉଟିମାନେ ତେଲ ପମ୍ପ୍‌ ଗୁଡ଼ିକରେ ପ୍ରତି ଲିଟର ପେଟ୍ରୋଲ ପାଇଁ ଯେତିକି ମୂଲ୍ୟ ଦେଉଛନ୍ତି, ତା’ର ଅଧା ଟିକସ ଭାବେ ସରକାରୀ ତହବିଲକୁ ଯାଉଛି। ଡିଜେଲର ଲିଟର ପିଛା ଦର ଯେତେ, ତା’ର ଏକ ତୃତୀୟାଂଶ ଟିକସ। ଉଲ୍ଲେଖନୀୟ ହେଲା, ଆନ୍ତର୍ଜାତିକ ବଜାରରେ ଯେତେବେଳେ ତେଲ ଦର ଲଗାତାର ହ୍ରାସ ପାଇ ଚାଲିଥିଲା, ସେତେବେଳେ ସରକାର ଏହାର ଲାଭ ଖାଉଟିମାନଙ୍କୁ ନ ଦେଇ ନିଜ ତହବିଲ ଭର୍ତ୍ତି କରିଥିଲେ। ୨୦୧୪ ରୁ ୨୦୧୬ ମଧ୍ୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦର ଲଗାତାର ହ୍ରାସ ପାଇ ଚାଲିଥିଲା। କେନ୍ଦ୍ର ସରକାର ଏହାକୁ ସମ୍ବଳ ସଂଗ୍ରହର ଏକ ସୁଯୋଗ ବିଚାର କରି ନଅ ଥର ପେଟ୍ରୋଲ ଓ ଡିଜେଲ ଉପରେ ଶୁଳ୍‌କ ବଢ଼ାଇ ଥିଲେ। ରାଜ୍ୟ ସରକାରମାନେ ମଧ୍ୟ ପେଟ୍ରୋଲ ଓ ଡିଜେଲକୁ ‘କାମଧେନୁ’ ମନେ କରି ଆସିଛନ୍ତି। ସରକାରୀ ହିସାବ ଅନୁଯାୟୀ ଗତ ୨୦୧୬-୧୭ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସରୁ ମୋଟ ୨.୪୨ ଲକ୍ଷ କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରିଛନ୍ତି। ରାଜ୍ୟମାନେ ମଧ୍ୟ ପେଟ୍ରୋଲ ଓ ଡିଜେଲରୁ ଏହି ବର୍ଷ ଟିକସ ବାବଦ ୧.୬୭ ଲକ୍ଷ କୋଟି ଟଙ୍କା ରାଜସ୍ୱ ପାଇଛନ୍ତି। ଅର୍ଥାତ୍‌, ଉଭୟ କେନ୍ଦ୍ର ଓ ରାଜ୍ୟମାନେ ପେଟ୍ରୋଲ ଓ ଡିଜେଲରୁ ମୋଟ ବାର୍ଷିକ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଟିକସ ନେଉଛନ୍ତି, ଯାହା ତେଲ ଦରକୁ ଉଚ୍ଚରେ ରଖି ଆସିଛି। ଆର୍ନ୍ତଜାତିକ ବଜାରରେ ତୈଳ ଦର ବୃଦ୍ଧି ପରିପ୍ରେକ୍ଷୀରେ ପ୍ରଥମଥର ପାଇଁ ଗତ ବର୍ଷ ଅକ୍ଟୋବରରେ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଲିଟର ପିଛା ମାତ୍ର ୨ ଟଙ୍କାର ଟିକସ ରିହାତି ଦେଇଥିଲେ। ଅନୁରୂପ ରିହାତି ପ୍ରଦାନ ଲାଗି ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ଅନୁରୋଧର କୌଣସି ପ୍ରଭାବ ପଡ଼ିନାହିଁ। କାଁ ଭାଁ ଗୋଟିଏ ଦୁଇଟି ରାଜ୍ୟ ନାମ ମାତ୍ର ଭାଟ୍‌ କମାଇବା ବ୍ୟତୀତ ଅନ୍ୟ ସବୁ ରାଜ୍ୟ ଟିକସ ହାର ଅପରିବର୍ତ୍ତିତ ରଖିଛନ୍ତି।

ଏବେ ସମୟ ଆସିଯାଇଛି, ଊର୍ଦ୍ଧ୍ୱମୁଖୀ ତୈଳ ଦରରୁ ଲୋକଙ୍କୁ କିଛି ମାତ୍ରାରେ ସୁରକ୍ଷା ଦେବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମିଳିତ ଭାବେ ଚିନ୍ତା କରନ୍ତୁ। ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ଢାଞ୍ଚାର ପୁନଃ ସମୀକ୍ଷା ଏକାନ୍ତ ଆବଶ୍ୟକ। ପରିବହନରେ ବ୍ୟବହୃତ ଏହି ଦୁଇ ଇନ୍ଧନ ଉପରେ ଟିକସ ହାର ହ୍ରାସ ହେବା ଜରୁରୀ। ଏହା ଦ୍ୱାରା ମୁଦ୍ରାସ୍ଫୀତି ହାର ନିୟନ୍ତ୍ରଣରେ ରହି କେବଳ ସାଧାରଣ ଜନତା ମହଙ୍ଗା ବୋଝରୁ ସାମାନ୍ୟ ରିହାତି ପାଇବେ, ତାହା ନୁହେଁ, ସାମଗ୍ରିକ ଭାବେ ଅର୍ଥନୀତି ଉପରେ ମଧ୍ୟ ଏହାର ସକାରାତ୍ମକ ପ୍ରଭାବ ଅନୁଭୂତ ହେବ। ଅବଶ୍ୟ, ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ ହ୍ରାସ- କରାଯାଉ ବୋଲି କହିବା ଯେତେ ସହଜ, କରିବା ସେତେ ସହଜ ନୁହେଁ। ଏତେ ବିପୁଳ ପରିମାଣର ରାଜସ୍ୱ କ୍ଷତିର ଭରଣା ପାଇଁ ସରକାରଙ୍କ ପାଖରେ ସମ୍ବଳର ବିକଳ୍ପ ଉତ୍ସ କାହିଁ? ତେବେ ସରକାରଙ୍କୁ ପ୍ରାଥମିକତା ଧାର୍ଯ୍ୟ କରିବାକୁ ପଡ଼ିବ। ପ୍ରାଥମିକତା ହେଲା, ସାଧାରଣ ଜନତାଙ୍କୁ ମହଙ୍ଗାର ବୋଝରୁ କିଛି ମାତ୍ରାରେ ରିହାତି ପ୍ରଦାନ। ପ୍ରଥମେ ତେଲ ଉପରେ ଟିକସ କମାଅ, ତା’ପରେ ବିକଳ୍ପ ସମ୍ବଳ ଉତ୍ସର ସନ୍ଧାନ କର। ନୂଆ ବିକଳ୍ପ ଚିହ୍ନଟ ପର୍ଯ୍ୟନ୍ତ ଅପେକ୍ଷା କଲେ ଅନେକ ବିଳମ୍ବ ହୋଇଯାଇ ପାରେ। ଅବସ୍ଥା ଅଧିକ ଗମ୍ଭୀର ହେବା ପୂର୍ବରୁ ସରକାରଙ୍କୁ ତତ୍ପରତାର ସହ ପଦକ୍ଷେପ ନେବାକୁ ପଡ଼ିବ। ଅନ୍ୟଥା ଏହାର ପରିଣାମ ରାଜନୈତିକ ଦୃଷ୍ଟିରୁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହେବା ଆଶଙ୍କାକୁ ଅସ୍ୱୀକାର କରାଯାଇ ନପାରେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.