କ୍ଷୁଦ୍ର, ଉଲ୍ଲେଖନୀୟ, କିନ୍ତୁ …

0 86

ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କ୍ରମରେ ଗତ ସପ୍ତାହ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବାୟ ବିଭାଗ କାର୍ଯ୍ୟର ସମୀକ୍ଷା କରିଥିଲେ। ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଲେ ଯେ, ଭୂମିହୀନ ଚାଷୀମାନଙ୍କୁ ପାଞ୍ଚଜଣିଆ ଗୋଷ୍ଠୀରେ ‘ଜେଏଲ୍‌ଜି’ (ଜଏଣ୍ଟ ଲାଇବିଲିଟି ଗ୍ରୁପ୍‌) ମାଧ୍ୟମରେ ମାତ୍ର ୧ ପ୍ରତିଶତ ସୁଧ ହାରରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ପ୍ରଦାନ କରାଯିବ। ଆଗାମୀ ଖରିଫ ପାଇଁ ଏ ବାବଦ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମାନ୍ୟବର ମନ୍ତ୍ରୀ ମହୋଦୟ ଏହାକୁ ଯେମିତି ଢଙ୍ଗରେ ଘୋଷଣା କଲେ ଏବଂ ଗଣମାଧ୍ୟମରେ ମଧ୍ୟ ଏହା ଯେଉଁ ପ୍ରକାର ପ୍ରକାଶିତ ଓ ପ୍ରସାରିତ ହୋଇଛି, ସେଥିରୁ ମନେ ହେବ ଏହା ଏକ ସଂପୂର୍ଣ୍ଣ ନୂତନ ଯୋଜନା। କିନ୍ତୁ ଏହା ଗୋଟିଏ ନୂଆ ଯୋଜନା ନୁହେଁ। ବିଧାନସଭାରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଯୋଜନାରେ ରାଜ୍ୟରେ ପାଞ୍ଚଜଣିଆ ଚାଷୀଙ୍କୁ ନେଇ ଗଠିତ ୩୬୩ଜଏଣ୍ଟ୍‌ ଲାଇବିଲିଟି ଗ୍ରୁପ୍‌ (ଜେଏଲ୍‌ଜି)ଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କୃଷି ଋଣ ଦିଆଯାଇଛି। ବିଧାନସଭା କକ୍ଷରେ ଏହା ମଧ୍ୟ ସୂଚନା ଦିଆଯାଇଥିଲା ଯେ, ରାଜ୍ୟରେ ୧୮, ୪୮୭ଟି ଜେଏଲ୍‌ଜି ଗଠନ କରାଯାଇ ସାରିଛି।

ଏହା ସତ୍ତ୍ୱେ ଭୂମିହୀନ ଚାଷୀଙ୍କୁ ଋଣ ପ୍ରଦାନ ଲାଗି ମାନ୍ୟବର ସମବାୟ ମନ୍ତ୍ରୀ ମହୋଦୟଙ୍କ ସାନି ଘୋଷଣା ନିଶ୍ଚିତ ଭାବେ ସ୍ୱାଗତର ଅପେକ୍ଷା ରଖୁଛି। କାରଣ, ମନ୍ତ୍ରୀଙ୍କ ଘୋଷଣାରେ ଭୂମିହୀନ ଚାଷୀଙ୍କୁ ଜେଏଲ୍‌ଜି ମାର୍ଫତରେ ଋଣ ପ୍ରଦାନ ଯୋଜନାର ସଂପ୍ରସାରଣର ଶୁଭ ସଂକେତ ରହିଛି। ମନ୍ତ୍ରୀ ମହୋଦୟ କହିଛନ୍ତି ଯେ, ପ୍ରତ୍ୟେକ ପ୍ରାଥମିକ ସମବାୟ ସଂସ୍ଥା ଅନ୍ତତଃ ୧୦ଟି ଜେଏଲ୍‌ଜିଙ୍କୁ ଋଣ ପ୍ରଦାନ କରିବେ। ରାଜ୍ୟରେ ମୋଟ ୨,୭୦୮ଟି ପ୍ରାଥମିକ ସମବାୟ ସମିତି ରହିଛି। ଏହାର ଅର୍ଥ ଚଳିତ ବର୍ଷ ଆସନ୍ତା ଖରିଫ ପୂର୍ବରୁ ଅତିକମ୍‌ରେ ୨୭,୦୮୦ ଜେଏଲ୍‌ଜି ଗଠିତ ହେବ ଏବଂ ସେମାନଙ୍କୁ ପ୍ରାୟ ୧୩୫ କୋଟି ଟଙ୍କା ଋଣ ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ପୁଣି ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ସମବାୟ ପକ୍ଷରୁ ୭,୨୦୦ କୋଟି ଟଙ୍କା ଋଣ ପ୍ରଦାନ ଲାଗି ଯେଉଁ ଲକ୍ଷ୍ୟ ରଖାଯାଇଛି, ସେଥିରୁ ୨୦୦ କୋଟି ଭୂମିହୀନ ଚାଷୀଙ୍କ ଜେଏଲ୍‌ଜିଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଉଦ୍ଦିଷ୍ଟ। ବହୁ ପ୍ରତୀକ୍ଷିତ ଭାଗଚାଷୀ ଆଇନ ପ୍ରଣୟନ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଜେଏଲ୍‌ଜି ବ୍ୟବସ୍ଥାର ସଂପ୍ରସାରଣ ଲାଗି ସରକାରଙ୍କ ଉଦ୍ୟମ ଅବଶ୍ୟ ଠିକଣା ଦିଗରେ ଏକ ଠିକଣା ପଦକ୍ଷେପ। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଏହି ଭୂମିହୀନ ଚାଷୀମାନେ ହେଲେ ବସ୍ତୁତଃ ଭାଗଚାଷୀ। ଅନ୍ୟର ଜମିରେ ଏମାନେ ଚାଷ କରନ୍ତି, ତା’ସହ କୃଷି ଶ୍ରମିକ ଭାବେ ମଧ୍ୟ କାମ କରନ୍ତି। ସେ ଦୃଷ୍ଟିରୁ ଭୂମିହୀନ ଚାଷୀଙ୍କ ପାଇଁ ଏଭଳି ଋଣ ବ୍ୟବସ୍ଥା ଗୋଟିଏ ଦୃଷ୍ଟିରୁ ଭାଗଚାଷୀଙ୍କୁ ସ୍ୱୀକୃତି। ସରକାରଙ୍କ ଯୋଜନା ଯଦି ଲକ୍ଷ୍ୟ ହାସଲ କରିବ ଓ ପ୍ରତ୍ୟେକ ସମବାୟ ସଂସ୍ଥା ଅତିକମ୍‌ରେ ଦଶଟି କରି ଜେଏଲ୍‌ଜିକୁ ଋଣ ଦେବେ, ତେବେ ୧ ଲକ୍ଷ ୩୫ ହଜାର ଭୂମିହୀନ ଭାଗ ଚାଷୀ ଅନ୍ୟୂନ ଦଶ ହଜାର ଟଙ୍କାର କୃଷି ଋଣ ପାଇ ଉପକୃତ ହେବେ।

ତେବେ ଏହି ଯୋଜନାରେ ଅନ୍ତର୍ନିହିତ କେତେକ ଖୁଣ ଯୋଗୁ ଏହାର ଉଦ୍ଦେଶ୍ୟ ହାସଲ ହେବା ନେଇ ପ୍ରଶ୍ନ ଉଠୁଛି। ପ୍ରଥମତଃ, ଯେତେବେଳେ ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଚାଷ ଜମି ଭାଗ ଚାଷରେ ଲାଗିଛି, ସେତେବେଳେ ମାତ୍ର ୧ ଲକ୍ଷ ୩୫ ହଜାର ଭୂମିହୀନ ଭାଗଚାଷୀଙ୍କୁ ଆନୁଷ୍ଠାନିକ ଋଣ ବ୍ୟବସ୍ଥାର ପରିସରଭୁକ୍ତ କରାଯିବା ଆଦୌ ପର୍ଯ୍ୟାପ୍ତ ମନେ ହେଉନାହିଁ। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ଭାଗ ଚାଷୀଙ୍କ ଚିହ୍ନଟ ହୋଇ ନାହିଁ କି ସେମାନଙ୍କ ସଂଖ୍ୟା ନେଇ କୌଣସି ବିଶ୍ୱସନୀୟ ଆକଳନ ହୋଇନାହିଁ। ବେସରକାରୀ ଆକଳନ ଅନୁଯାୟୀ ଭାଗଚାଷୀଙ୍କ ସଂଖ୍ୟା କୋଡ଼ିଏ ଲକ୍ଷରୁ ଅଧିକ ହୋଇପାରେ। ସେମାନଙ୍କ ମଧ୍ୟରୁ ଗୋଟିଏ ଅଳ୍ପ ଭାଗ ଭୂମିହୀନ ହୋଇଥିବା ବେଳେ ଏକ ସଂଖ୍ୟାଗରିଷ୍ଠ ବର୍ଗ ନାମମାତ୍ର ଚାଷୀ କିମ୍ବା ସ୍ୱଳ୍ପ ପରିମାଣ ଜମି ଥିବା କ୍ଷୁଦ୍ର ଚାଷୀ। ଅନ୍ୟର ଜମିକୁ ଭାଗରେ ଚାଷ କରୁଥିବା ଏହି ନାମମାତ୍ର ଓ କ୍ଷୁଦ୍ର ଚାଷୀମାନେ ଜେଏଲ୍‌ଜି ବ୍ୟବସ୍ଥାରୁ ଲାଭ ପାଇ ପାରିବେ ନାହିଁ। ଏ ବର୍ଗର ଭାଗଚାଷୀଙ୍କୁ କିଭଳି ସମବାୟ ଋଣ, ଫସଲ ବୀମା ଓ ଅନ୍ୟ କୃଷକ କଲ୍ୟାଣ ଯୋଜନାରେ ସାମିଲ କରାଯାଇ ପାରିବ, ସେ ବିଷୟରେ ଚିନ୍ତନର ଆବଶ୍ୟକତା ରହିଛି। ପୁଣି, ପାଞ୍ଚଜଣିଆ ଭୂମିହୀନ ଚାଷୀ ଗୋଷ୍ଠୀଙ୍କ ପାଇଁ ୫୦ ହଜାର ଟଙ୍କାର ଋଣ ଆଦୌ ଯଥେଷ୍ଟ ନୁହେଁ। ଏ ବ୍ୟବସ୍ଥାରେ ଗ୍ରୁପ୍‌ର ପ୍ରତ୍ୟେକଙ୍କୁ ମାତ୍ର ୧୦ ହଜାର ଟଙ୍କା ମିଳୁଛି। ଏହା ସେମାନଙ୍କ ଆବଶ୍ୟକତା ପୂରଣ କରିପାରିବ ନାହିଁ। ଫଳତଃ, ସେମାନେ ପୁଣି ଉଚ୍ଚ ସୁଧ ହାରରେ ଘରୋଇ ସୂତ୍ରରୁ ଋଣ ନେବାକୁ ବାଧ୍ୟ ହେବେ। ଉଲ୍ଲେଖନୀୟ ହେଲା, ବିଗତ ଗୋଟିଏ ଦଶକରେ ରାଜ୍ୟରେ ଯେତେ ଚାଷୀ ଋଣ ଭାରର ଚାପରେ ଆତ୍ମହତ୍ୟା କରିଛନ୍ତି, ସେମାନଙ୍କ ମଧ୍ୟରୁ ଏକ ବୃହତ୍‌ ବର୍ଗ ଭାଗଚାଷୀ ଓ ଅଧିକାଂଶ ଘରୋଇ ସୂତ୍ରରୁ ଉଚ୍ଚ ସୁଧ ହାରରେ ଋଣ ଆଣି କ୍ରମେ ଋଣଯନ୍ତାରେ ପଡ଼ିଛନ୍ତି। ତେଣୁ ଜେଏଲ୍‌ଜି ଭୂମିହୀନ ଭାଗଚାଷୀଙ୍କୁ ଘରୋଇ ଋଣ ନେବାରୁ କ୍ଷାନ୍ତ କରିପାରିବ ନାହିଁ।

Panda Mobile only

ତେବେ, ଏଭଳି ଅନେକ ଖୁଣ ରହିଥିବା ସତ୍ତ୍ୱେ ସ୍ୱୀକାର କରିବାକୁ ପଡ଼ିବ ଯେ, ଭାଗଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ଏହା ଏକ କ୍ଷୁଦ୍ର ଅଥଚ ଉଲ୍ଲେଖନୀୟ ପଦକ୍ଷେପ। ଏହା ଭାଗଚାଷୀଙ୍କ ସମସ୍ୟା ପ୍ରତି ସରକାରଙ୍କ ସମ୍ବେଦନଶୀଳତା ଏବଂ ସମାଧାନ ସକାଶେ ନିଷ୍ଠା ଓ ଆନ୍ତରିକତାର ସୂଚନା ଦେଉଛି। ତେବେ ଏ ପ୍ରସଙ୍ଗରେ ଯାହା ଅତ୍ୟନ୍ତ ଉଦ୍‌ବେଗଜନକ ଓ ଦିଲ୍ଲୀରେ ଥିବା ସରକାରଙ୍କ ସକାରାତ୍ମକ ହସ୍ତକ୍ଷେପର ଅପେକ୍ଷା ରଖୁଛି, ତାହା ହେଲା ଏହି ଯୋଜନାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନଙ୍କ ଅସହଯୋଗ। ୨୦୧୪-୧୫ ବଜେଟ୍‌ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ସଂସଦରେ ଘୋଷଣା କରିଥିଲେ ଯେ, ‘ଭୂମିହୀନ କିଷାନ’ଙ୍କ ପାଇଁ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଯୋଗାଇ ଦିଆଯିବ। ଇତିମଧ୍ୟରେ ତିନିବର୍ଷ ବିତି ଗଲାଣି, ଅଥଚ କୌଣସି ଗୋଟିଏ ହେଲେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ରାଜ୍ୟର ଜଣେ ହେଲେ ଭୂମିହୀନ ଚାଷୀଙ୍କୁ ଟଙ୍କାଟିଏ ସୁଦ୍ଧା ଋଣ ଦେଇ ନାହାନ୍ତି। ରାଜ୍ୟରେ ଭୂମିହୀନ ଚାଷୀଙ୍କୁ ନେଇ ଗଠିତ ଯେଉଁ ୩୬୮ଟି ଜେଏଲ୍‌ଜି କୃଷି ଋଣ ପାଇଛନ୍ତି, ତାହା ସମବାୟ ବ୍ୟାଙ୍କ୍‌ମାନେ ଦେଇଥିବା ଋଣ। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣାର କାର୍ଯ୍ୟକାରିତା ପ୍ରତି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ସମୂହଙ୍କ ବିମୁଖତା, ସ୍ୱତଃ ସରକାରୀ ବ୍ୟାଙ୍କ୍‌ଙ୍କ କୃଷିକ୍ଷେତ୍ର ପ୍ରତି ବିରୋଧୀ ଆଭିମୁଖ୍ୟ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଆହୁରି ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଆାନୁଷ୍ଠାନିକ ଭାବେ ଦିଆଯାଉଥିବା କୃଷିଋଣରୁ ଦୁଇ ତୃତୀୟାଂଶ ସମବାୟ ଜରିଆରେ ହୋଇଥିବା ବେଳେ, ବାକି ଏକ ତୃତୀୟାଂଶ ରାଷ୍ଟ୍ରାୟତ୍ତ ଓ ଅନ୍ୟ ଘରୋଇ ବ୍ୟାଙ୍କ୍‌ରୁ ମିଳିଛି।

କୃଷି ମିଳିତ ତାଲିକାର ଏକ ବିଷୟ। ତେଣୁ ଏହା ଉଭୟ କେନ୍ଦ୍ର ଓ ରାଜ୍ୟର ମିଳିତ ଦାୟିତ୍ୱ। କୃଷି ବିକାଶ ଓ କୃଷକ କଲ୍ୟାଣ ପ୍ରସଙ୍ଗରେ ରାଜ୍ୟମାନଙ୍କ ଯେତିକି ଦାୟିତ୍ୱ, କେନ୍ଦ୍ରର ମଧ୍ୟ ସେତିକି ଦାୟିତ୍ୱ। ଏଇ ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ସଂସଦରେ ଘୋଷଣା କରିବା ସତ୍ତ୍ୱେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ମାନେ ତାହାକୁ କାର୍ଯ୍ୟକାରୀ ନ କରିବା ଏବଂ ଦିଲ୍ଲୀ ସରକାର ଏ ନେଇ ଚୁପ୍‌ ହୋଇ ବସିବା ଇଙ୍ଗିତ କରୁଛି ଯେ, କେନ୍ଦ୍ର ସରକାର କୃଷି ଓ କୃଷକଙ୍କ ପ୍ରତି ଥିବା ନିଜ ଦାୟିତ୍ୱ ପ୍ରତି ସଚେତନ ନୁହନ୍ତି। ଏକ ବିଡ଼ମ୍ବନା ହେଲା, ବଡ଼ ଶିଳ୍ପପତି, ବ୍ୟବସାୟୀମାନଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ଋଣ ଆଦାୟ କରାଯାଇ ପାରୁ ନ ଥିବା ଜନିତ କ୍ଷତି ସହିବାକୁ ବ୍ୟାଙ୍କ୍‌ ମାନେ ପ୍ରସ୍ତୁତ, ଅଥଚ ଆଦାୟ ହୋଇ ନ ପାରିବାର ଆଶଙ୍କାରେ ଚାଷୀଙ୍କୁ ଋଣ ଦେବାକୁ ସେମାନେ କୁନ୍ଥକୁନ୍ଥ। ବ୍ୟାଙ୍କ୍‌ମାନଙ୍କ ଏଭଳି କୁଣ୍ଠା ଯୋଗୁ କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗର ଆବଶ୍ୟକତା ପୂରଣ ହୋଇପାରୁ ନାହିଁ।

ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନେ ନିଜର ଆଭିମୁଖ୍ୟ ବଦଳାଇବା ଦରକାର। ଭୂମିହୀନ ଚାଷୀଙ୍କୁ ଋଣ ପ୍ରଦାନ ଲାଗି ରାଜ୍ୟ ସରକାର ଆରମ୍ଭ କରିଥିବା ଯୋଜନା ଲାଗି ସେମାନେ ସହଯୋଗର ହାତ ବଢ଼ାନ୍ତୁ। ଉଭୟ ସମବାୟ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ମିଳିତ ଭାବେ ପ୍ରୟାସ କଲେ ଅଧିକ ଭୂମିହୀନ, ନାମମତ୍ର ଓ କ୍ଷୁଦ୍ର ତଥା ଭାଗଚାଷୀଙ୍କୁ ଋଣ ସୁବିଧା ଦିଆଯାଇପାରିବ। ତେବେ ରାଜ୍ୟ ସରକାର କେବଳ ଋଣ ପ୍ରଦାନରେ ନିଜର ଦାୟିତ୍ୱ ସୀମିତ ନ ରଖି ପ୍ରସ୍ତାବିତ ଭାଗଚାଷୀ ଆଇନ ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ ପଲ୍ଲୀସଭା ଓ ଗ୍ରାମସଭା ମାଧ୍ୟମରେ ଭାଗଚାଷୀଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା ଆରମ୍ଭ କରନ୍ତୁ। ସେମାନେ ଭାଗରେ ଚାଷ କରୁଥିବା ଜମିର ପରିମାଣ ହିସାବ କରି ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ। ଏହା ସହଜ ନୁହେଁ, କିନ୍ତୁ ଅସମ୍ଭବ ମଧ୍ୟ ନୁହେଁ। ଖାଲି ଆବଶ୍ୟକ ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ଆନ୍ତରିକତା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.