ଜନ୍ତୁ ପ୍ରବେଶ

କଥା ଧରିବସିଲେ ଯେମିତି ରାଜନୀତି ଚାଲିପାରେନା (କାରଣ ଅନେକ ସମୟରେ କାଲିର ଶତ୍ରୁକୁ ଆଜି ମିତ୍ର କରିବାକୁ ହୋଇଥାଏ), ସେହିପରି ବ୍ୟବସାୟ କରିବାକୁ ହେଲେ ଯେ କଥା ଧରି ବସି ହେବ ନାହିଁ, ତାହାର ଏକ ଚମକପ୍ରଦ ଉଦାହରଣ ଏବେ ସଦ୍ୟ ଦେଖିବାକୁ ମିଳିଛି ଭାରତର ଅଗ୍ରଣୀ ତଥା ବୃହତ୍ତମ ଇ-କମର୍ସ କମ୍ପାନି ‘ଫ୍ଲିପ୍‌କାଟ୍‌ର୍’ ନିଜକୁ ଆମେରିକାର ତଥା ପୃଥିବୀର ବିଶାଳତମ ଖାଉଟି ବ୍ୟବସାୟ କମ୍ପାନି ‘ଓ୍ଵାଲ୍‌ମାର୍ଟ’ ହାତରେ ଟେକି ଦେବା। ଫ୍ଲିପ୍‌କାର୍ଟର ପ୍ରତିଦ୍ୱନ୍ଦ୍ୱୀ ପୃଥିବୀର ବୃହତ୍ତମ ଇ-କମର୍ସ ସଂସ୍ଥା ଆମେରିକୀୟ କମ୍ପାନି ଆମାଜନ୍‌ ଯେତେବେଳେ ଭାରତୀୟ ବଜାରରେ ପ୍ରବେଶ କରିବା ଆରମ୍ଭ କଲା, ସେତେବେଳେ ଅନ୍ୟ ସମାଲୋଚକମାନଙ୍କ ସହିତ ମିଶି ‘ଫ୍ଲିପ୍‌କାଟ୍‌ର୍’ ଅଭିଯୋଗ କରିବା ଦେଖାଯାଇଥିଲା ଯେ ‘ଆମାଜନ୍‌’ ଭଳି ‘ବିଦେଶୀ’ କମ୍ପାନିମାନେ ବିଦେଶରେ ଅର୍ଜନ କରୁଥିବା ଲାଭକୁ ଭାରତରେ ଭର୍ତ୍ତି କରି କ୍ଷତି ସହି ଚାଲି ଏଠାରେ ନିଜର ବ୍ୟବସାୟରେ ବୃଦ୍ଧି ଘଟାଇ ଚାଲିଛନ୍ତି। ଅର୍ଥାତ୍‌, ଏହା ଦ୍ୱାରା ‘ଫ୍ଲିପ୍‌କାଟ୍‌ର୍’ ଭଳି ‘ଦେଶୀ’ କମ୍ପାନିମାନେ ନିଜର ବ୍ୟବସାୟ କ୍ଷତିରେ ଚଳାଇବାକୁ ବାଧ୍ୟ ହେଉଛନ୍ତି।

ଅବଶ୍ୟ ଏଠାରେ ଯାହା ସ୍ପଷ୍ଟ କରାଯାଇ ନଥିଲା, ତାହା ହେଲା ଖୋଦ୍‌ ‘ଫ୍ଲିପ୍‌କାଟ୍‌ର୍’ ଏକ କମ୍ପାନି ରୂପେ ପଞ୍ଜିକୃତ ହୋଇଛି ବିଦେଶରେ- ସିଙ୍ଗାପୁରରେ ଏବଂ ଏହାର ଏକ ପଞ୍ଚମାଂଶରୁ ଅଧିକ ଅଂଶଧନର ମାଲିକ ହେଉଛି ‘ସଫ୍ଟବ୍ୟାଙ୍କ୍‌’ ନାମକ ଟେଲିକମ୍‌ କମ୍ପାନି ଯାହାର ମାଲିକ ହେଉଛନ୍ତି ଜାପାନୀ ନାଗରିକ ମାସାୟୋସି ସୋନ୍‌। ଭାରତରେ ‘ଫ୍ଲିପ୍‌କାଟ୍‌ର୍’ ପରି ‘ଆମାଜନ୍‌’ର ମୂଳ କମ୍ପାନି ମଧ୍ୟ ଏଯାଏଁ ଲାଭ କରିବା ଦେଖାଯାଇନାହିଁ। ତେବେ ଉଚିତ ଦାମ୍‌ ମିଳିଲେ ଯେ କୌଣସି ନୀତିକୁ ଯେ ବଦଳାଇ ଦେଇ ହେବ, ତାହା ‘ଓ୍ଵାଲ୍‌ମାର୍ଟ’ ଏବେ ‘ଫ୍ଲିପ୍‌କାଟ୍‌ର୍’ ପାଇଁ ଦେବାକୁ ଯାଉଥିବା ଦାମ୍‌ ଦେଖିଲେ ବୁଝିବା ସହଜ ହୋଇଯାଏ। ମେ ୯ ତାରିଖର ଘୋଷଣା ଅନୁଯାୟୀ ‘ଫ୍ଲିପ୍‌କାଟ୍‌ର୍’ର ପ୍ରାୟ ୭୭% ଅଂଶଧନ ଅକ୍ତିଆର କରିବା ପାଇଁ ଓ୍ଵାଲ୍‌ମାଟ୍‌ର୍ ୧୬ ବିଲିଅନ ଡଲାର୍‌ ବ୍ୟୟ କରିବ। ଏହାର ଅର୍ଥ ଏହି ଦରରେ ପୂରା ‘ଫ୍ଲିପ୍‌କାଟ୍‌ର୍’ର ଦାମ୍‌ ହେବ ପ୍ରାୟ ୨୦ ବିଲିଅନ୍‌ ଡଲାର୍‌। ଏହା ‘ଫ୍ଲିପ୍‌କାଟ୍‌ର୍’ର ମୂଲ୍ୟରେ କିଭଳି ବିସ୍ଫୋରକ ବୃଦ୍ଧି ଘଟାଇଛି ତାହା ସ୍ପଷ୍ଟ ହୋଇଥାଏ ଯେତେବେଳେ ଗତ ବର୍ଷ ଏହାର କେତେ ମୂଲ୍ୟାୟନ ହୋଇଥିଲା, ତାହା ଉପରେ ନଜର ପକାଯାଏ। ସେତେବେଳେ ‘ଫ୍ଲିପ୍‌କାଟ୍‌ର୍’ ଯେଉଁ ମୂଲ୍ୟାୟନ ଭିତ୍ତିରେ ବଜାରରୁ ଅର୍ଥାତ୍‌ ନିବେଶକମାନଙ୍କ ଠାରୁ ଅଂଶପତ୍ର ବିକ୍ରି ମାଧ୍ୟମରେ ପୁଞ୍ଜି ସଂଗ୍ରହ କରିଥିଲା ତାହା ହେଲା, ୧୨ ବିଲିଅନ୍‌ ଡଲାର୍‌- ଅର୍ଥାତ୍‌ ବର୍ଷକ ମଧ୍ୟରେ କମ୍ପାନିର ଅଂଶପତ୍ର ମୂଲ୍ୟରେ ଦୁଇ-ତୃତୀୟାଂଶ ବୃଦ୍ଧି! ଅଂଶପତ୍ରଧାରୀଙ୍କ ପାଇଁ ଏହା କିପରି ରାତିକରେ ହାତୀଏ ଲାଭ ସୃଷ୍ଟି କରିଛି ତାହାର ଉତ୍‌ଫୁଲ୍ଲିତ ଉଦାହରଣ ହେଉଛନ୍ତି ‘ସଫ୍ଟ ବ୍ୟାଙ୍କ୍‌’ର ମାଲିକ ମାସାୟୋସି ସୋନ୍‌ ନିଜେ। ମାତ୍ର ପ୍ରାୟ ୯ ମାସ ତଳେ ସେ ୨.୫ ବିଲିଅନ୍‌ ଡଲାର୍‌ ବିନିମୟରେ କିଣିଥିବା ‘ଫ୍ଲିପ୍‌କାଟ୍‌ର୍’ ସେଆର୍‌ତକ ସେ ବର୍ତ୍ତମାନ ଯଦି ‘ଓ୍ଵାଲ୍‌ମାଟ୍‌ର୍’କୁ ବିକି ଦେବାକୁ ନିଷ୍ପତ୍ତି ନିଅନ୍ତି (ସେ ତଥାପି କୁନ୍ଥୁକୁନ୍ଥୁ ହେବା ଶୁଣା ଯାଉଛି) ତେବେ ସେଥିପାଇଁ ପାଇବେ ୪ ବିଲିଅନ୍‌ ଡଲାର୍‌!

ଅବଶ୍ୟ ବର୍ଷକୁ ୫୦୦ ବିଲିଅନ୍‌ ଡଲାର୍‌ର ପୃଥିବୀ ବ୍ୟାପୀ ବ୍ୟବସାୟ କରୁଥିବା ‘ଓ୍ଵାଲ୍‌ମାଟ୍‌ର୍’ ପାଇଁ ‘ଫ୍ଲିପ୍‌କାଟ୍‌ର୍’ର ଏପରି ଉଚ୍ଚ ମୂଲ୍ୟାୟନ ଖୁଚୁରା ପଇସା ପରି ମନେ ହୋଇପାରେ। କିନ୍ତୁ ଅନ୍ୟ ଦୃଷ୍ଟିକୋଣରୁ ଦେଖିଲେ ଭାରତରେ ବିଦେଶୀ ପୁଞ୍ଜିନିବେଶ ଇତିହାସରେ ଏହି ସର୍ବୋଚ୍ଚ ଆକାର ‘ଓ୍ଵାଲ୍‌ମାଟ୍‌ର୍’ ଭଳି ଏକ ଅତିକାୟ ଜନ୍ତୁ (ଯାହାକୁ ତାହାର ମୁଖ୍ୟାଳୟର ନାମ ଅନୁସାରେ ‘ବିଷ୍ଟ ଅଫ୍‌ ବେଣ୍ଟନ୍‌ଭିଲ୍‌’- ବେଣ୍ଟନ୍‌ଭିଲ୍‌ର ଜନ୍ତୁ) ପାଇଁ ମଧ୍ୟ ନଗଣ୍ୟ ନୁହେଁ। କାରଣ, ପୁଞ୍ଜି ବ୍ୟୟକୁ ବାଦ୍‌ ଦେଲେ ଓ୍ଵାଲ୍‌ମାଟ୍‌ର୍ ପ୍ରତିବର୍ଷ ଯେତିକି ନଗଦ ଉପୁଜାଇଥାଏ, ତାହାର ପରିମାଣ ହେଉଛି ପ୍ରାୟ ସେଇ ୨୦ ବିଲିଅନ୍‌ ଡଲାର୍‌। ଉଲ୍ଲେଖଯୋଗ୍ୟ ଯେ ସମ୍ପୂର୍ଣ୍ଣ ନଗଦ ପ୍ରଦାନ କରି ଓ୍ଵାଲ୍‌ମାଟ୍‌ର୍ ଫ୍ଲିପ୍‌କାଟ୍‌ର୍କୁ କ୍ରୟ କରିବାକୁ ସ୍ଥିର ହୋଇଛି। ପୁଣି ଭାରତରେ ବର୍ତ୍ତମାନ ବାର୍ଷିକ ମୋଟ ଯେତିକି ଇ-କମର୍ସ କାରବାର ହେଉଛି ତାହାର ମୂଲ୍ୟ ହେଉଛି ମାତ୍ର ପ୍ରାୟ ୧୫ ବିଲିଅନ୍‌ ଡଲାର୍‌। ତେବେ ଯେହେତୁ ବର୍ତ୍ତମାନ ମାତ୍ର ପ୍ରାୟ ୫-୧୦% ଭାରତୀୟ ଅନ୍‌ଲାଇନ୍‌ରେ ଜିନିଷପତ୍ର କିଣୁଛନ୍ତି, ଭବିଷ୍ୟତରେ ଏଥିରେ ଦ୍ରୁତ ବୃଦ୍ଧି ପାଇଁ ବ୍ୟାପକ ସୁଯୋଗ ରହିଛି ବୋଲି ସମସ୍ତେ ଆଶା କରୁଛନ୍ତି।

ଏ ସବୁ ଦୃଷ୍ଟିରୁ ଦେଖିଲେ ୨୦୦୭ରେ ସ୍ଥାପିତ ‘ଫ୍ଲିପ୍‌କାଟ୍‌ର୍’ ମାଧ୍ୟମରେ ଭାରତରେ ପ୍ରବେଶ କରିବାକୁ ‘ଓ୍ଵାଲ୍‌ମାଟ୍‌ର୍’ର ନିଷ୍ପତ୍ତି ଯେ ଚମକପ୍ରଦ, ଏଥିରେ କୌଣସି ସନ୍ଦେହ ନାହିଁ। ଫ୍ଲିପ୍‌କାଟ୍‌ର୍ର ସ୍ଥାପୟିତା ଦ୍ୱୟ (ସଚିନ୍‌ ଓ ବିନି ବଂଶଲ୍‌) ଓ ଅଂଶପତ୍ରଧାରଣକାରୀ ମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଜନକ। କିନ୍ତୁ ଏହା ଅପେକ୍ଷା ଯାହା ଅଧିକ ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଭାରତୀୟ ଖାଉଟି ଓ ଭାରତୀୟ କ୍ଷୁଦ୍ର ଉଦ୍ୟୋଗମାନଙ୍କ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ। ମନେରଖିବା କଥା ଭାରତୀୟ ଆଇନ ଅନୁସାରେ ଏଠାରେ ଓ୍ଵାଲ୍‌ମାଟ୍‌ର୍ କିମ୍ବା ଆମାଜନ୍‌ ଭଳି ବିଦେଶୀ ପୁଞ୍ଜିନିବେଶକମାନେ ଭାରତୀୟ ଖାଉଟିମାନଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିପାରିବେ ନାହିଁ। ସେମାନେ କେବଳ ଜିନିଷପତ୍ରର ନିର୍ମାତା/ବିକ୍ରେତା ଓ ଖାଉଟିମାନଙ୍କ ମଧ୍ୟରେ ଏକ ଯୋଗସୂତ୍ର ସ୍ଥାପନକାରୀ ବଜାର (ପ୍ଲାଟ୍‌ଫର୍ମ) ରୂପେ କାର୍ଯ୍ୟ କରିପାରିବେ। ସେମାନେ ନିଜର ମାଲ୍‌ ମହଜୁଦ୍‌ କରିପାରିବେ ନାହିଁ, ଦର ନିର୍ଦ୍ଧାରଣ କରିପାରିବେ ନାହିଁ, ଡିସ୍‌କାଉଣ୍ଟ୍‌ ଦେଇ ପାରିବେ ନାହିଁ, ଓ୍ଵାରାଣ୍ଟି ପ୍ରଦାନ କରିପାରିବେ ନାହିଁ କିମ୍ବା ଯୋଗାଣକାରୀମାନଙ୍କ ପ୍ରତି ବାଛବିଚାର ଆଚରଣ କରିପାରିବେ ନାହିଁ।

ଭାରତରେ ଥିବା ପ୍ରାୟ ଦେଢ଼କୋଟି ସରିକି କ୍ଷୁଦ୍ର ବ୍ୟବସାୟୀ ଏବଂ ବହୁସଂଖ୍ୟକ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ସୁରକ୍ଷା ଦେବା ପାଇଁ ଏଠାରେ ଏହି ନୀତି ଅବଲମ୍ବନ କରାଯାଇଥାଏ। ନଚେତ୍‌ ଓ୍ଵାଲ୍‌ମାଟ୍‌ର୍ ଭଳି ଅତିକାୟ ଜନ୍ତୁ ଏମାନଙ୍କୁ ନିମିଷକରେ ନିଶ୍ଚିହ୍ନ  କରିଦିଅନ୍ତା। ବର୍ତ୍ତମାନର ନୀତି ଅନୁସାରେ ଓ୍ଵାଲ୍‌ମାଟ୍‌ର୍ ମାଧ୍ୟମରେ ଏମାନେ ଦେଶର ନୂଆ ନୂଆ ବଜାରରେ ପ୍ରବେଶ କରିପାରିବେ, ଯାହା ସ୍ୱାଧୀନ ଭାବରେ ସେମାନଙ୍କର କ୍ଷମତା ବାହାରେ ରହି ଆସିଥାଏ। ସେହିପରି ଓ୍ଵାଲ୍‌ମାଟ୍‌ର୍ ତା’ର ବ୍ୟବସାୟ ଚଳାଇବା ପାଇଁ ଯେଉଁ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରିବ, ତାହା ମଧ୍ୟ ଦେଶର ଏହି ଅଗଣିତ କ୍ଷୁଦ୍ର ଯୋଗାଣକାରୀଙ୍କର ଯୋଗାଣ ଜନିତ ଖର୍ଚ୍ଚରେ ସଂକୋଚନ ଘଟାଇ ସେମାନଙ୍କୁ ଅଧିକ ପ୍ରତିଯୋଗିତାକ୍ଷମ କରିବ। କହିବା ବାହୁଲ୍ୟ ଏହା ଦ୍ୱାରା ଖାଉଟିମାନେ ମଧ୍ୟ ଉପକୃତ ହେବେ; ସେମାନେ ସହଜରେ ଆବଶ୍ୟକ ଦ୍ରବ୍ୟ ପାଇପାରିବା ସଙ୍ଗେ ସଙ୍ଗେ ଅପେକ୍ଷାକୃତ ଶସ୍ତାରେ ମଧ୍ୟ ତାହା ପାଇ ପାରିବେ। ମଧ୍ୟସ୍ଥି ଭାବରେ ଓ୍ଵାଲ୍‌ମାଟ୍‌ର୍ ମଧ୍ୟ ତାର ପାଉଣା ପାଇବ। ଏପରି ସର୍ବାଙ୍ଗୀନ ମଙ୍ଗଳ ପାଇଁ ଯାହା ସର୍ବଦା ନିଶ୍ଚିତ କରାଯିବା ଆବଶ୍ୟକ ତାହା ହେଲା ଓ୍ଵାଲ୍‌ମାଟ୍‌ର୍ ପରି ସଂସ୍ଥା ଯେପରି ପ୍ଲାଟ୍‌ଫର୍ମ ଛଦ୍ମବେଶରେ ଅସଲ ଯୋଗାଣକାରୀରେ ପରିଣତ ନହୁଅନ୍ତି।

ସମ୍ବନ୍ଧିତ ଖବର