ଦକ୍ଷିଣ ମୋଡ଼

ଏହା ଲେଖାହେବା ବେଳକୁ କ୍ଷମତାସୀନ କଂଗ୍ରେସ ଦଳ କ୍ଷମତା ହରାଇବା ଭୟରେ ସବୁଠାରୁ କମ୍‌ ଆସନ ଲାଭ କରିଥିବା ଜେଡି(ଏସ୍‌) ନେତୃତ୍ୱରେ ସରକାର ଗଠନକୁ ସମର୍ଥନ କରିବାର ପ୍ରସ୍ତାବ ଦେଇ ସେଠାରେ ଭାଜପାକୁ ଶାସନ କ୍ଷମତାରୁ ଦୂରେଇ ରଖିବା ଲାଗି ମାର୍ଗ ପ୍ରସ୍ତୁତ କରିଛି। ଯଦି ତାହା ହୁଏ, ତେବେ ମାତ୍ର ୩୭ଟି ଆସନ ପାଇଥିବା ଜେଡି(ଏସ୍‌)ର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜେପି ଠାରୁ ୨୬ଟି ଆସନ ପଛରେ ଥିବା କଂଗ୍ରେସ ଶାସନ କ୍ଷମତାରେ ରହିବେ। ଅବଶ୍ୟ, ଏକକ ସଂଖ୍ୟା ଗରଷ୍ଠ ଦଳ ଭାବେ କେନ୍ଦ୍ରରେ କ୍ଷମତାସୀନ ବିଜେପି କର୍ଣ୍ଣାଟକରେ ସରକାର ଗଠନ କରିବାର ବିକଳ୍ପକୁ ଅସ୍ୱୀକାର କରାଯାଇ ନ ପାରେ। ତେବେ କଂଗ୍ରେସର ଏ ରାଜନୈତିକ ପଇଁତରାବାଜି ସତ୍ତ୍ୱେ ଯାହା ସର୍ବପୁରାତନ ଦଳକୁ ନିଶ୍ଚିତ କ୍ଷତାକ୍ତ କରିଥିବ ତାହା ହେଲା ଚରମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଠାରୁ ପ୍ରାୟ ଏକ ତୃତୀୟାଂଶ ଆସନ କମ୍‌ ପାଇବା। ତେବେ କଂଗ୍ରେସ ତାର ଏହି କ୍ଷତରେ ଯାହା ମଲମ ଭଳି ଲଗାଇବା ନିଶ୍ଚିତ, ତାହା ହେଲା ଏହି ନିର୍ବାଚନ ଫଳାଫଳ କେବଳ ଗତାନୁଗତିକ ଧାରାର ପୁନରାବୃତ୍ତି ମାତ୍ର, ଏଥିରେ ଭାଜପା କିମ୍ବା ନରେନ୍ଦ୍ର ମୋଦୀ କିମ୍ବା ଅମିତ ଶାହାଙ୍କର କିଛି ବାହାଦୁରି ନାହିଁ ବୋଲି କହିବା। କାରଣ ବିଗତ ତିନି ଦଶନ୍ଧି ଧରି କର୍ଣ୍ଣାଟକର ମତଦାତାମାନେ ସବୁ ନିର୍ବାଚନରେ କ୍ଷମତାସୀନ ଦଳକୁ ପରାଜିତ କରି ଆସିଛନ୍ତି। କଂଗ୍ରେସ ମଧ୍ୟ ଆତ୍ମସନ୍ତୋଷ ଲାଭ କରିବା ପାଇଁ ଯଥେଷ୍ଟ ସଂଖ୍ୟକ ଆସନ ଜିଣି ନପାରିଲେ କ’ଣ ହେଲା, ମୋଟ ପଡ଼ିଥିବା ଭୋଟରେ ଦଳର ଅଂଶ ଭାଜପା ଠାରୁ କମ୍‌ ନୁହେଁ ବୋଲି କହିବ। କିନ୍ତୁ ଆମର ‘ନିଶାଣଖୁଣ୍ଟି ପ୍ରଥମ ପାର ହେବା’ (‘ଫାଷ୍ଟ ପାଷ୍ଟ୍‍ ଦି ପୋଷ୍ଟ୍‍) ବ୍ୟବସ୍ଥାରେ ଏହା ଯେ କେବଳ ଏକ ପ୍ରବୋଧନା ମାତ୍ର, ତାହା ସମସ୍ତେ ଜାଣନ୍ତି।

ଏ ସମସ୍ତ ପରାସ୍ତ ସୈନିକ ସୁଲଭ ଆଭିମୁଖ୍ୟ ଅତିକ୍ରମ କରି କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଉପରେ ଯଦି ଏକ ଅନୁଶୀଳନକାରୀ ଦୃଷ୍ଟିପାତ କରାଯାଏ, ତେବେ କେତେକ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ ଦିଗ ସାମନାକୁ ଆସିଥାଏ। ଯଦିଓ କର୍ଣ୍ଣାଟକରେ ଭାଜପା କ୍ଷମତାକୁ ଆସିପାରିନାହିଁ, ତଥାପି ୨୦୧୪ରେ କେନ୍ଦ୍ରରେ ଶାସନ କ୍ଷମତାକୁ ଆସିବା ପର ଠାରୁ କଂଗ୍ରେସ ଉପରେ ଦଳର ଏ ବିଜୟ ହେଉଛି ତାର ତ୍ରୟୋଦଶ ବିଜୟ। ତେବେ କର୍ଣ୍ଣାଟକ ନିର୍ବାଚନରେ ଭାଜପାର ପ୍ରଦର୍ଶନ ଦଳର ଏକ ଗୁରୁତର ଅନ୍ତର୍ନିହିତ ଦୁର୍ବଳତାକୁ ମଧ୍ୟ ପଦାରେ ପକାଇଛି। ଦୁର୍ବଳତାଟି ହେଲା, ଏହି ଦଳ ହିନ୍ଦୁତ୍ୱ, ଜାତୀୟତାବୋଧ ଏବଂ ଅର୍ଥନୈତିକ ପ୍ରଗତି ଆଦି ଦୃଢ଼ ନୀତି ଉପରେ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସମୟରେ ନିର୍ବାଚନୀ ସଫଳତା ହାସଲ କରିବା ପାଇଁ ଏହା ସମ୍ପୂର୍ଣ୍ଣ ରୂପେ ଜଣେ ମାତ୍ର ବ୍ୟକ୍ତିଙ୍କ ଉପରେ ନିର୍ଭର କରୁଛି- ନରେନ୍ଦ୍ର ମୋଦୀ। ନିକଟ ଅତୀତରେ ଗୁଜରାଟ, ଉତ୍ତରପ୍ରଦେଶ ଓ ତ୍ରିପୁରା ଆଦି ନିର୍ବାଚନରେ ଯେଉଁଭଳି ଏହି ମୋଦୀ ମ୍ୟାଜିକ୍‌ ଦେଖିବାକୁ ମିଳିଥିଲା, କର୍ଣ୍ଣାଟକରେ ସେଇ ଧାରା ସମ୍ପୂର୍ଣ୍ଣ ରୂପେ ବଜାୟ ରହିଥିଲା। ଗୋଟିଏ ସପ୍ତାହରୁ ସାମାନ୍ୟ ଅଧକ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସେ ରାଜ୍ୟରେ ୧୭ଟି ବିଶାଳ ଜନସଭାରେ ଉଦ୍‌ବୋଧନ ଦେଇ ତଥା ସୋସିଆଲ ମିଡିଆର ଫଳପ୍ରଦ ବ୍ୟବହାର କରି ମତଦାତାମାନଙ୍କର ଚେତନାକୁ ଯେଉଁଭଳି ଆଚ୍ଛାଦିତ କରିଥିଲେ ତାହାର ତୁଳନା ନାହିଁ। ସୋନିଆ ଗାନ୍ଧୀଙ୍କ ଭାଷାରେ ମୋଦୀଙ୍କର ବାକ୍‌ପଟୁତା ଦ୍ୱାରା ମତଦାତାଙ୍କର ପେଟ ପୂରିବ ନାହିଁ, କିନ୍ତୁ ସେ ମଧ୍ୟ ଦ୍ୱିମତ ହେବେ ନାହିଁ ଯେ ମୋଦୀଙ୍କ କଥା ଚାତୁରୀରେ ଯେତେ ସଂଖ୍ୟକ ମତଦାତାଙ୍କ ମନ ପୂରି ଯାଉଛି ତାହା ଭାଜପା ପାଇଁ ନିର୍ବାଚନରେ ଭୋଟରଙ୍କୁ ଜିଣିବା ପାଇଁ ଯଥେଷ୍ଟ ହେଉଛି। ଏହି ନିର୍ବାଚନରେ ମୋଦୀ ପ୍ରଥମ ଥର ପାଇଁ ଏକ ରାଜ୍ୟ ନିର୍ବାଚନରେ ତାଙ୍କର ବ୍ୟକ୍ତିଗତ ‘ନାମୋ’ ଆପ୍‌କୁ ନିର୍ବାଚନ ଅଭିଯାନର ଏକ ଆୟୁଧ ରୂପେ ବ୍ୟବହାର କରିଥିଲେ। ଏ ସବୁ ମାଧ୍ୟମରେ ମୋଦୀ ୨୫ ଲକ୍ଷ ସମର୍ଥକ, ଦଳୀୟ କର୍ମୀ ଏବଂ ମତଦାତାଙ୍କ ସହିତ ସମ୍ପର୍କ ସ୍ଥାପନ କରି ପାରିଥିଲେ।

ନରେନ୍ଦ୍ର ମୋଦୀ ସମୟକ୍ରମେ ଧାରଣ କରିଥିବା ଏହି ବାସ୍ତବତା ଠାରୁ ବୃହତ୍ତର ବ୍ୟକ୍ତିତ୍ୱ ସହିତ ଟକ୍କର ଦେବା ପାଇଁ ଜନମାନସରେ ଦୃଢ଼ୀଭୂତ ହୋଇଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କର ଶିଶୁସୁଲଭ ବ୍ୟକ୍ତିତ୍ୱ ଯେ ଆଦୌ ଉପଯୁକ୍ତ ନୁହେଁ, କର୍ଣ୍ଣାଟକ ନିର୍ବାଚନରେ ତାହା ପୁଣି ଥରେ ସାବ୍ୟସ୍ତ ହୋଇଛି। ବାସ୍ତବରେ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଜଣେ ଶକ୍ତିଶାଳୀ ଯୋଦ୍ଧା ସହିତ ଜଣେ ଦୁର୍ବଳ ଯୋଦ୍ଧାର ଲଢ଼େଇ ଯେମିତି ଏକ ନିଷ୍ଠୁରତା ରୂପେ ବିବେଚିତ ହୋଇଥାଏ, ମୋଦୀ-ରାହୁଲ ଲଢ଼େଇ ବର୍ତ୍ତମାନ ସେହି ପର୍ଯ୍ୟାୟଭୁକ୍ତ ହେଲାଣି। ଅନ୍ତତଃ ସେଇ କାରଣରୁ କଂଗ୍ରେସ ଏକ ବିକଳ୍ପ ପ୍ରତିଦ୍ୱନ୍ଦ୍ୱୀ ଆବିଷ୍କାର କରିବାରେ ଆଉ ବିଳମ୍ବ କରିବା ଉଚିତ ହେବ ନାହିଁ। କର୍ଣ୍ଣାଟକ ନିର୍ବାଚନରେ ବିଜୟ ହାସଲ ପାଇଁ କଂଗ୍ରେସ ଯେଉଁ ସମସ୍ତ ବିପଜ୍ଜନକ କୌଶଳ ବ୍ୟବହାର କରିଥିଲା, ତାହା ଏବେ ଫସର ଫାଟିଯାଇଥିବା ଭଳି ମନେ ହେଉଛି। ଏଥିରୁ ଗୋଟିଏ କୌଶଳ ଥିଲା ହିନ୍ଦୁ ମତଦାତାମାନଙ୍କୁ ବିଭାଜିତ କରିବା ଲକ୍ଷ୍ୟରେ ହିନ୍ଦୁ ଧର୍ମକୁ ବିକଳାଙ୍ଗ କରି ଏକ ନୂତନ ଲିଙ୍ଗାୟତ ଧର୍ମ ସୃଷ୍ଟି ଉଦ୍ୟମକୁ ପ୍ରୋତ୍ସାହନ ଦେବା। ସେହିପରି ଏକ ସଂକୀର୍ଣ୍ଣ ପ୍ରାଦେଶିକତାବାଦ ସୃଷ୍ଟି କରି କନ୍ନଡ଼ ମତଦାତାଙ୍କ ସମର୍ଥନ ଲାଭ ଆଶାରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ସେ ରାଜ୍ୟ ପାଇଁ ଏକ ଅଲଗା ପତାକା ମଧ୍ୟ ସୃଷ୍ଟି କରିପକାଇଛନ୍ତି। ଏପରିକି ଦାକ୍ଷିଣାତ୍ୟ ଓ ଉତ୍ତର ଭାରତ ମଧ୍ୟରେ ଏକ କୃତ୍ରିମ ବିଭାଜନ ସୃଷ୍ଟି କରି ଉତ୍ତର ଭାରତ ଦାକ୍ଷିଣାତ୍ୟକୁ ଶୋଷଣ କରୁଛି ବୋଲି ଏକ ଧାରଣା ସୃଷ୍ଟି କରିବାକୁ ମଧ୍ୟ ସେମାନେ ପଛାଇ ନଥିଲେ। କର୍ଣ୍ଣାଟକରେ ମୋଦୀଙ୍କ ଉପସ୍ଥିତିକୁ ସେମାନେ ସେଠାରେ ଜଣେ ଉତ୍ତରଭାରତୀୟଙ୍କ ଅନୁପ୍ରବେଶ (ଯଦିବା ମୋଦୀ ଉତ୍ତର ଭାରତର ନୁହନ୍ତି) ରୂପେ ମଧ୍ୟ ସେମାନେ ପ୍ରଦର୍ଶିତ କରିଥିଲେ। ସୌଭାଗ୍ୟକ୍ରମେ ଏହି ନିର୍ବାଚନୀ ଦକ୍ଷିଣ ମୋଡ଼ର ଫଳାଫଳରୁ ଜଣାପଡୁଛି ହିନ୍ଦୁମାନେ ବିଭାଜିତ ହୋଇ ନାହାନ୍ତି, ଲିଙ୍ଗାୟତମାନେ ଭାଜପା ସପକ୍ଷରେ ମତଦାନ କରିଛନ୍ତି; ଦାକ୍ଷିଣାତ୍ୟବାସୀ କନ୍ନଡ଼ମାନେ ଭାଜପା ପରି ଏକ ଜାତୀୟତାବାଦୀ ଜାତୀୟ ଦଳକୁ ସମର୍ଥନ ପ୍ରଦାନ କରି ସେମାନଙ୍କର ଆଞ୍ଚଳିକ ପରିଚୟ ଅପେକ୍ଷା ଭାରତୀୟ ପରିଚୟକୁ ସାବ୍ୟସ୍ତ କରିବାକୁ ପସନ୍ଦ କରିଛନ୍ତି।
କାହାଣୀର ଶେଷ ମୋଡ଼ ପରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡି(ଏସ୍‌) ହାତ ମିଳାଇଥିଲେ ଭାଜପାକୁ ପରାସ୍ତ କରିପାରିଥାନ୍ତେ ବୋଲି କହିଛନ୍ତି। ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଏ ଦୁଇ ଦଳ ପରସ୍ପର ସହିତ ହାତ ମିଳାଇ ସାବ୍ୟସ୍ତ କରିଛନ୍ତି ଯେ ସେମାନେ କଳେବଳେକୌଶଳେ ଭାଜପାକୁ ଶାସନ କ୍ଷମତାରୁ ବାହାରେ ରଖିବାକୁ ବ୍ୟଗ୍ର। ୨୦୧୯ ସାଧାରଣ ନିର୍ବାଚନରେ ହୁଏତ ବିରୋଧୀ ମେଣ୍ଟ ଏହି କୌଶଳ ଅବଲମ୍ବନ କରିବେ। ତେବେ ଏହା ନିଶ୍ଚିତ ଯେ ଏବର ମେଣ୍ଟ ଭଳି ସେତେବେଳେ କଂଗ୍ରେସକୁ ନାୟକ ନୁହେଁ ପାର୍ଶ୍ୱ ନାୟକର ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ିପାରେ। ଏବଂ ଯେଉଁ ଜଣେ ନେତାଙ୍କୁ ସେ ମେଣ୍ଟର ନେତୃତ୍ୱ ପ୍ରଦାନ କରାଯିବ ନାହିଁ, ସେ ହେଉଛନ୍ତି-ରାହୁଲ ଗାନ୍ଧୀ।

ସମ୍ବନ୍ଧିତ ଖବର