ଘୋଡ଼ା ବେପାର- ହାଟ ଖୋଲା

ଏକକ ସଂଖ୍ୟାଗରିଷ୍ଠତାକୁ ସରକାର ଗଠନର ନିର୍ଣ୍ଣାୟକ ମାପକାଠି ଭାବେ ଗ୍ରହଣ କରି ୧୯୯୬ରେ ତତ୍କାଳୀନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା ସର୍ବବୃହତ୍‌ ଦଳ ବିଜେପିର ନେତା ଅଟଳ ବିହାରୀ ବାଜପେୟୀଙ୍କୁ କେନ୍ଦ୍ରରେ ସରକାର ଗଠନ ପାଇଁ ଆମନ୍ତ୍ରଣ ଜଣାଇଥିଲେ। ସଂଖ୍ୟାଗରିଷ୍ଠତା ଲାଗି ନିଅଣ୍ଟିଆ ସଂଖ୍ୟା ଭରଣା କରି ନପାରିବାରୁ ବାଜପେୟୀଙ୍କ ସରକାର ମାତ୍ର ୧୩ ଦିନରେ ଭାଙ୍ଗି ଯାଇଥିଲା। ଦୁଇ ବର୍ଷ ପରେ ୧୯୯୮ରେ ପୁଣି ସେମିତି ଏକ ଝୁଲା ଅବସ୍ଥା ସୃଷ୍ଟି ହୋଇଥିଲା। ସଂସଦରେ କୌଣସି ଗୋଟିଏ ଦଳକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳି ନଥିଲା। ତତ୍କାଳୀନ ରାଷ୍ଟ୍ରପତି କେ.ଆର୍‌.ନାରାୟଣନ୍‌ କିନ୍ତୁ ଦୁଇ ବର୍ଷ ତଳେ ୧୯୯୬ର ଏକକ ସଂଖ୍ୟାଗରିଷ୍ଠତାକୁ ମାପକାଠି ଭାବେ ଗ୍ରହଣ କରି ନଥିଲେ। ନାରାୟଣନ୍‌ ସର୍ବବୃହତ୍‌ ଦଳର ସଂଖ୍ୟାକୁ ଏକା ବିଚାରକୁ ନ ନେଇ ଏକକ ସଂଖ୍ୟାଗରିଷ୍ଠ ଦଳ ସହ ନିର୍ବାଚନ ପରେ ମେଣ୍ଟ କରିଥିବା ଅନ୍ୟ ଦଳମାନଙ୍କ ସଂଖ୍ୟାକୁ ମଧ୍ୟ ବିଚାରକୁ ନେଇ ସର୍ବବୃହତ୍‌ ଦଳର ନେତା ବାଜପେୟୀଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଜଣାଇଥିଲେ। ଏଥର ବାଜପେୟୀଙ୍କ ସରକାର ତେର ମାସ ପର୍ଯ୍ୟନ୍ତ ଚାଲିଲା।

ସଦ୍ୟ ସମାପ୍ତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଆସିଥିବା ଖଣ୍ଡିତ ଜନାଦେଶ ଯୋଗୁ ସୃଷ୍ଟି ହୋଇଥିବା ଝୁଲା ଅବସ୍ଥାରେ ଏକ ସ୍ଥିର ସରକାର ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନେବା ବେଳେ ରାଜ୍ୟପାଳ ବାଜୁଭାଇ ଭାଲାଙ୍କ ଆଗରେ ଉପରୋକ୍ତ ଦୁଇଟି ନଜିର ଥିଲା। ରାଜ୍ୟପାଳଙ୍କ ଆଗରେ ପ୍ରଶ୍ନ ଥିଲା- ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇଁ ଆଠଟି ଆସନ ସଂଖ୍ୟାର କମ୍‌ ଥିବା ସର୍ବବୃହତ୍‌ ଦଳ ବିଜେପିର ବିଧାୟକ ଦଳ ନେତା ବି.ଏସ୍‌. ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ଡାକିବେ? ନା ନିର୍ବାଚନ ପରେ ଦୁଇ ଓ ତିନି ନମ୍ବର ଦଳ ଭାବେ ଉଭା ହୋଇଥିବା କଂଗ୍ରେସ ଓ ଜେଡି(ଏସ୍‌) ମେଣ୍ଟର ନେତା ଏଚ୍‌.ଡି. କୁମାରସ୍ୱାମୀଙ୍କ ସରକାର ଗଠନ ପାଇଁ ଦାବିକୁ ଗ୍ରହଣ କରିବେ? ରାଜ୍ୟପାଳଙ୍କ ଆଗରେ କେବଳ କେନ୍ଦ୍ରରେ ଝୁଲା ଅବସ୍ଥାର ସମାଧାନ ପାଇଁ ୧୯୯୬ ଓ ୧୯୯୮ରେ ତତ୍କାଳୀନ ରାଷ୍ଟ୍ରପତି ମାନେ ନେଇଥିବା ନିଷ୍ପତ୍ତିର ନଜିର ନଥିଲା। ସରକାରିଆ କମିସନଙ୍କ ସୁପାରିସ ଭିତ୍ତିରେ ୨୦୦୫ରେ ମାନ୍ୟବର ସୁପ୍ରିମ କୋର୍ଟ ରାମେଶ୍ୱର ପ୍ରସାଦ ମାମଲାରେ ଏଭଳି ତରଳ ସ୍ଥିତିରେ ସରକାର ଗଠନ ପ୍ରସଙ୍ଗରେ ଧାର୍ଯ୍ୟ କରିଥିବା ମାର୍ଗ ନିର୍ଦ୍ଦେଶାବଳୀ ମଧ୍ୟ ରାଜ୍ୟପାଳଙ୍କ ଆଗରେ ଥିଲା। ଏହି ମାର୍ଗ ନିର୍ଦ୍ଦେଶାବଳୀରେ ‘ସ୍ଥିର ସରକାର’ ସକାଶେ ଉଭୟ ସର୍ବବୃହତ୍‌ ଦଳର ଏକକ ସଂଖ୍ୟାଗରିଷ୍ଠତା ଏବଂ ନିର୍ବାଚନ ପରବର୍ତ୍ତୀ ମେଣ୍ଟର ସଂଖ୍ୟାକୁ ବିକଳ୍ପ ଭାବେ ବିଚାର କରାଯାଇ ପାରେ। ଯେଉଁ ବିକଳ୍ପ ଦ୍ୱାରା ଗୋଟିଏ ସ୍ଥିର ସରକାର ପ୍ରତିଷ୍ଠାର ସମ୍ଭାବନା ଅଧିକ, ସେହି ବିକଳ୍ପକୁ ରାଜ୍ୟପାଳ ଗ୍ରହଣ କରିବା ଉଚିିତ ବୋଲି ପରାମର୍ଶ ଦିଆଯାଇଛି। ଗତ ମାର୍ଚ୍ଚରେ ମେଘାଳୟରେ ଏବଂ ତା ପୂର୍ବରୁ ମଣିପୁର ଓ ଗୋଆରେ ସର୍ବବୃହତ୍‌ ଦଳର ଦାବିକୁ ଅଣଦେଖା କରି ନିର୍ବାଚନ ପରବର୍ତ୍ତୀ ମେଣ୍ଟକୁ ‘ସ୍ଥିର ସରକାର’ ପାଇଁ ଅଧିକ ଉପଯୁକ୍ତ ମନେ କରି ସଂପୃକ୍ତ ରାଜ୍ୟପାଳ ମାନେ ନିର୍ବାଚନ ପରବର୍ତ୍ତୀ ମେଣ୍ଟର ନେତାଙ୍କୁ ସରକାର ଗଠନ ପାଇଁ ସୁଯୋଗ ଦେଇଥିଲେ।

ତେବେ, କର୍ଣ୍ଣାଟକର ରାଜ୍ୟପାଳ ବାଜୁଭାଇ ଭାଲା ମହୋଦୟ ତାଙ୍କର ନିଯୁକ୍ତିଦାତା ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଅମଳରେ ତିନିଟି ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ମେଣ୍ଟକୁ ସରକାର ଗଠନର ସୁଯୋଗ ଦିଆଯିବା ଉଦାହରଣ ଏବଂ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ଦ୍ୱାରା ତେର ମାସିଆ ସରକାରର ନଜିରକୁ ଅଣଦେଖା କରି ସର୍ବବୃହତ୍‌ ଦଳ ଦ୍ୱାରା ତେର ଦିନିଆ ସରକାରର ଉଦାହରଣକୁ ଗ୍ରହଣ କରିଛନ୍ତି। କର୍ଣ୍ଣାଟକର ସର୍ବବୃହତ୍‌ ଦଳ ବିଜେପିର ନେତା ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଛନ୍ତି। ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ଓ ଜେଡି(ଏସ୍‌)ର ମେଣ୍ଟର ମିଳିତ ସଂଖ୍ୟା ବହୁମତ ଲାଗି ଆବଶ୍ୟକ ‘ଯାଦୁକରୀ ସଂଖ୍ୟା’ ଠାରୁ ଅଧିକ ଥିଲେ ସୁଦ୍ଧା ମେଣ୍ଟ ନେତା କୁମାରସ୍ୱାମୀଙ୍କ ସରକାର ଗଠନ ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି। ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ କଂଗ୍ରେସର ଆବେଦନ ଉପରେ ସୁପ୍ରିମ୍‌ କୋର୍ଟ ରାତିଅଧିଆ ଶୁଣାଣି କରିଥିଲେ ସୁଦ୍ଧା କୌଣସି ରହିତାଦେଶ ଦେଇ ନାହାନ୍ତି। କୋର୍ଟରେ କିଛି ଫଇସଲା ହେଲା ବେଳକୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ପାଇଁ ୟେଦୁରପ୍ପାଙ୍କୁ ଦିଆଯାଇଥିବା ପନ୍ଦର ଦିନିଆ ମହଲତ ପୂରି ଯାଇଥାଇପାରେ।

କର୍ଣ୍ଣାଟକ ଘଟଣାକ୍ରମ, କେନ୍ଦ୍ରରେ କ୍ଷମତାସୀନ ଦଳ ଦ୍ୱାରା ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟପାଳ ଭଳି ସାମ୍ବିଧାନିକ ପଦର ଅପବ୍ୟବହାରର ଆଉ ଏକ ଦୁର୍ଭାଗ୍ୟଜନକ ଉଦାହରଣ। ମେଘାଳୟ, ମଣିପୁର ଓ ଗୋଆରେ ନିର୍ବାଚନ ପରବର୍ତ୍ତୀ ମେଣ୍ଟକୁ ମାପକାଠି କରାଯିବା ବିଜେପିକୁ ସୁହାଉଥିଲା, ସେଥିପାଇଁ ତାକୁ ଗ୍ରହଣ କରି ରାଜ୍ୟପାଳ ମାନେ ବିଜେପି ନେତୃତ୍ୱାଧୀନ କିମ୍ବା ପରିଚାଳିତ ସରକାର ଗଠନରେ ହାତବାରିସି ସାଜିଲେ। ଉକ୍ତ ତିନିଟି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସର୍ବବୃହତ୍‌ ଦଳ ହୋଇଥିଲେ ସୁଦ୍ଧା ସରକାର ଗଠନର ସୁଯୋଗ ପାଇ ନଥିଲା। ଏଥର କର୍ଣ୍ଣାଟକରେ ମାପକାଠି ବଦଳି ଗଲା, କାରଣ ସର୍ବବୃହତ୍‌ ଦଳ ଭାବେ ବିଜେପି ଏ ପରିବର୍ତ୍ତନର ହିତାଧିକାରୀ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ୟେଦୁରପ୍ପା ୧୫ ଦିନ ମଧ୍ୟରେ ବିଧାନସଭା କକ୍ଷରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଲାଗି ଆବଶ୍ୟକ ପଡୁଥିବା ଆଉ ଆଠ ଜଣ ବିଧାୟକ କେଉଁଠୁ ଆଣିବେ? ଦୁଇଜଣ ସ୍ୱାଧୀନ ବିଧାୟକଙ୍କୁ ନିଜ ପକ୍ଷକୁ ନେବାରେ ସମର୍ଥ ହେଲେ ସୁଦ୍ଧା ତଥାପି ବିଜେପିକୁ ଆହୁରି ଛଅ ବିଧାୟକଙ୍କ ସମର୍ଥନ ଜରୁରୀ। ବିଜେପିକୁ ସରକାର ଗଠନର ସୁଯୋଗ ଦେଇ ରାଜ୍ୟପାଳ ମହୋଦୟ ଘୋଡ଼ା ବେପାର ପାଇଁ ପନ୍ଦର ଦିନ ଲାଗି ହାଟ ଖୋଲି ଦେଇଛନ୍ତି, ଯେଉଁଠି ବସ୍ତୁତଃ ଗଣତନ୍ତ୍ରର ନିଲାମ ହେବ। ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ଲାଗି କର୍ଣ୍ଣାଟକର ବିଜେପି ପାଖରେ ଦୁଇଟି ବିକଳ୍ପ। ଅନ୍ୟ ଦଳକୁ ଭାଙ୍ଗି ଅତିକମ୍‌ରେ ୬ ରୁ ୧୦ ବିଧାୟକଙ୍କୁ ନିଜ ପକ୍ଷକୁ ଆଣିବା କିମ୍ବା ଅତିକମ୍‌ରେ ୧୧ ବିଧାୟକଙ୍କୁ ଶକ୍ତି ପରୀକ୍ଷା ବେଳେ ବିଧାନସଭାରେ ଅନୁପସ୍ଥିତ କରାଇ ଗୃହର ମୋଟ ସଦସ୍ୟ ସଂଖ୍ୟାକୁ କମାଇ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା। ଉଲ୍ଲେଖ ନିଷ୍ପ୍ରୟୋଜନ ଏ ଅନୈତିକ ଦଳବଦଳ ପାଇଁ ବିପୁଳ ଟଙ୍କାରେ ଘୋଡ଼ା ବେପାର ହେବ, ଯେମିତି ୨୦୦୮ରେ ‘ଅପରେସନ ଲୋଟସ୍‌’ ନାମରେ ହୋଇଥିଲା। ଯଦି ଏହି ଅନୈତିକ କାର୍ଯ୍ୟରେ ବିଜେପି ସଫଳ ହୁଏ, ତେବେ ତାହା ହେବ ଗଣତନ୍ତ୍ର ପାଇଁ ଉପହାସ। ଏହା ମଧ୍ୟ ଏକ ନିଷ୍ଠୁର ସତ୍ୟ ଯେ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନୈତିକତାର କଷଟିରେ ନିର୍ବାଚନ ପରବର୍ତ୍ତୀ କଂଗ୍ରେସ-ଜେଡି(ଏସ୍‌) ମେଣ୍ଟ ଆଦୌ ଉତ୍ତୀର୍ଣ୍ଣ ହେବନାହିଁ। ଏହା ଦୁଇଟି ପରାଜିତ ଦଳର ଏକ ସୁବିଧାବାଦୀ ମେଣ୍ଟ। ବିଜେପିକୁ ରୋକି କ୍ଷମତା ହାସଲ ମେଣ୍ଟର ଏକମାତ୍ର ଲକ୍ଷ୍ୟ। ତଥାପି, ସ୍ଥିର ସରକାର ଗଠନ ଦୃଷ୍ଟିରୁ ବିଚାର କଲେ ‘ସଂଖ୍ୟାଲଘୁ’ ବିଜେପିକୁ ଆମନ୍ତ୍ରଣ ଅପେକ୍ଷା, ସଂଖ୍ୟାଗରିଷ୍ଠତାଠାରୁ ବେଶ୍‌ ଅଧିକ ସଂଖ୍ୟା ଥିବା ଜେଡି(ଏସ୍‌)-କଂଗ୍ରେସ ମେଣ୍ଟକୁ ଆମନ୍ତ୍ରଣ ବିକଳ୍ପକୁ ଗ୍ରହଣ କରିବା ରାଜ୍ୟପାଳଙ୍କ ପକ୍ଷରେ ଅଧିକ ବାସ୍ତବବାଦୀ ହୋଇଥାନ୍ତା।

ତେବେ ଏଠାରେ ରାଜ୍ୟପାଳ ମହୋଦୟଙ୍କ ବିଚାରରେ ସ୍ଥିର ସରକାର ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୁରୁତ୍ୱପୂର୍ଣ୍ଣ ହେଲା କେନ୍ଦ୍ରରେ ତାଙ୍କର ମୁନିବ ବିଜେପି ନେତୃତ୍ୱର ରାଜନୈତିକ ସ୍ୱାର୍ଥର ସୁରକ୍ଷା। ରାଜ୍ୟପାଳ ବାଜୁଭାଇ ଅତ୍ୟନ୍ତ ବିଶ୍ୱସ୍ତ ଭାବେ ତାଙ୍କର ପୂର୍ବତନ ଦଳ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି ମାତ୍ର। ଏଠାରେ ଏହା ଉଲ୍ଲେଖ କରିବା ଆଦୌ ଅପ୍ରାସଙ୍ଗିକ ହେବ ନାହିଁ ଯେ, ରାଜ୍ୟପାଳ ବାଜୁଭାଇ ଏକଦା ଗୁଜୁରାଟରେ ତାଙ୍କର ବିଧାନସଭା ଆସନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୋଦୀଙ୍କ ପାଇଁ ଖାଲି କରିଥିଲେ। ବିଜେପି ଟିକେଟରେ ସେ ବାରମ୍ବାର ଗୁଜୁରାଟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ବାଜୁଭାଇ ଦୀର୍ଘ ସମୟ ଧରି ଅର୍ଥମନ୍ତ୍ରୀ ଓ ବିଧାନସଭା ବାଚସ୍ପତି ଥିଲେ। ଜଣେ ସଚ୍ଚୋଟ ଆର୍‌ଏସ୍‌ଏସ୍‌ ଓ ବିଜେପି କର୍ମୀ ଭାବେ ବାଜୁଭାଇ ଯେ ପାର୍ଟିର ସ୍ୱାର୍ଥକୁ ପଛରେ ପକାଇ ସମ୍ବିଧାନ ଓ ସଂସଦୀୟ ଗଣତନ୍ତ୍ରର ପରମ୍ପରାକୁ ଆଗରେ ରଖିବେ, ଏହା ଆଶା କରିବା ବୃଥା। ଦଳ ଓ ରାଜନୈତିକ ମୁନିବଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନର ଏହା ଠାରୁ ଭଲ ସୁଯୋଗ ଆଉ କ’ଣ ହୋଇପାରେ? ସଂସଦୀୟ ଗଣତନ୍ତ୍ର ପ୍ରତି ଆନୁଗତ୍ୟ ଅପେକ୍ଷା ବାଜୁଭାଇ ଦଳ ପ୍ରତି ଆନୁଗତ୍ୟକୁ ପ୍ରାଥମିକତା ଦେଇଛନ୍ତି। ଏହି ପ୍ରକ୍ରିୟାରେ ଯେ ସେ ଗଣତନ୍ତ୍ରର ନିଲାମ ପାଇଁ ମଞ୍ଚ ତିଆରି କରିଦେଇଛନ୍ତି, ସେଥି ପ୍ରତି ତାଙ୍କର ଅନୁଶୋଚନା ନାହିଁ। ଅବଶ୍ୟ, ବାଜୁଭାଇ ଏକା ଜଣେ ବ୍ୟତିକ୍ରମ ନୁହନ୍ତି, ଉତ୍ତରାଖଣ୍ଡ ଠାରୁ ଆରମ୍ଭ କରି ମଣିପୁର, ଗୋଆ, ମେଘାଳୟ, ଅରୁଣାଚଳ ପର୍ଯ୍ୟନ୍ତ ରାଜ୍ୟପାଳମାନେ ଏହି ଉଚ୍ଚ ସାମ୍ବିଧାନିକ ପଦଟିକୁ କେନ୍ଦ୍ରରେ କ୍ଷମତାସୀନ ଦଳର ସ୍ୱାର୍ଥ ରକ୍ଷା ପାଇଁ ଭଡ଼ାରେ ଲଗାଇବାର ଦୁଃଖଦ ନଜିର ରହିଛି। କଂଗ୍ରେସ ସମୟରେ ରାଜ୍ୟପାଳ ପଦର ଯେମିତି ଅପବ୍ୟବହାର ହୋଇଥିଲା, ଜନତା ଶାସନ ବେଳେ ମଧ୍ୟ ତା’ର ପୁନରାବୃତ୍ତି ହୋଇଥିଲା ଏବଂ ଏବେ ଭାଜପା ଅମଳରେ ମଧ୍ୟ ସେହି ଅସୁସ୍ଥ ଧାରା ଜାରି ରହିଛି।

କର୍ଣ୍ଣାଟକରେ ବିଜେପି ହିଁ ସରକାର ଗଢ଼ିବ ବୋଲି ଗଭୀର ଆତ୍ମବିଶ୍ୱାସର ସହ ପ୍ରଧାନମନ୍ତ୍ରୀ ଏକ ବୟାନରେ କହିଥିଲେ ଯେ କୌଣସି ମୂଲ୍ୟରେ ବି ଆମେ ସରକାର କରିବୁ। ୟେଦୁରପ୍ପା ସରକାରକୁ ବଞ୍ଚାଇବା ପାଇଁ ବିଧାୟକଙ୍କ ଖର୍ଦି-ବିକ୍ରିରେ ବିଜେପି କେତେ ମୂଲ୍ୟ ଦେବ ଜଣାନାହିଁ, (ବିଧାୟକ ପିଛା ନିଲାମ ଡାକ ୧୦୦ କୋଟି ଟଙ୍କା ଛୁଇଁବା ଅଭିଯୋଗ ହେଉଛି) କିନ୍ତୁ ଭାରତୀୟ ଗଣତନ୍ତ୍ରକୁ ଏଥିପାଇଁ କଡ଼ା ମୂଲ୍ୟ ଦେବାକୁ ପଡ଼ିବ। ପନ୍ଦର ଦିନ ପରେ ୟେଦୁରପ୍ପା ଯଦି ବିଧାନସଭା କକ୍ଷରେ ଶକ୍ତି ପରୀକ୍ଷାରେ ସଫଳ ହୁଅନ୍ତି ତେବେ ତାହା ହେବ ଭାରତର ସଂସଦୀୟ ଗଣତନ୍ତ୍ର ପାଇଁ ବିଶାଳ ବିଫଳତା।

ସମ୍ବନ୍ଧିତ ଖବର