ଗଣତନ୍ତ୍ରର ବିଜୟ

ଗତ ଚାରିଦିନ ହେଲା ଦେଶବାସୀଙ୍କୁ ଆଚ୍ଛନ୍ନ କରି ରଖିଥିବା ଦକ୍ଷିଣ ରାଜ୍ୟ କର୍ଣ୍ଣାଟକର ରହସ୍ୟ-ରୋମାଞ୍ଚଭରା ରାଜନୈତିକ ନାଟକ ଆଉ ଏକ ଉତ୍କଣ୍ଠାପୂର୍ଣ୍ଣ ମୋଡ଼ ନେଇଛି। ଏକ ଐତିହାସିକ ରାୟରେ ସୁପ୍ରିମ୍‌ କୋର୍ଟର ଏକ ତିନିଜଣିଆ ବେଞ୍ଚ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏକକ ସଂଖ୍ୟାଗରିଷ୍ଠ ଦଳ ବିଜେପିର ବିଧାୟକ ଦଳ ନେତା ବି.ଏସ୍‌.ୟେଦୁରପ୍ପାଙ୍କୁ ଶନିବାର ଅପରାହ୍‌ଣ ଚାରିଟା ବେଳେ ବିଧାନସଭା କକ୍ଷରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଶକ୍ତି ପରୀକ୍ଷା ପାଇଁ ରାଜ୍ୟପାଳ ବାଜୁଭାଇ ଭାଲା ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ପନ୍ଦର ଦିନ ମହଲତ ଦେଇଥିଲେ, ଉଚ୍ଚତମ ନ୍ୟାୟାଳୟ ସେହି ମହଲତକୁ ୫୪ ଘଣ୍ଟା ବା ଅଢ଼େଇ ଦିନରୁ ବି କମ୍‌ ସମୟକୁ କମାଇ ଦେଇଛନ୍ତି। ଏହା ଦ୍ୱାରା ମାନ୍ୟବର ସୁପ୍ରିମ କୋର୍ଟ ବସ୍ତୁତଃ ରାଜ୍ୟପାଳ ବାଜୁଭାଇ ଭାଲାଙ୍କ ନିଷ୍ପତ୍ତିକୁ ଖାରଜ କରି ଦେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଉଚ୍ଚତମ ନ୍ୟାୟାଳୟଙ୍କ ରାୟରେ ରାଜ୍ୟପାଳଙ୍କ ନିଷ୍ପତ୍ତି ପ୍ରତି ଅନାସ୍ଥା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଗୁରୁବାର ଦିନ ପୂର୍ବାହ୍ନ ୯ଟା ସମୟରେ ୭୫ ବର୍ଷ ବୟସ୍କ ୟେଦୁରପ୍ପା କର୍ଣ୍ଣାଟକର ୨୯ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ସ୍ଥଗିତାଦେଶ ଜାରି ଲାଗି ଆବେଦନ କରି କଂଗ୍ରେସ-ଜେଡି(ଏସ୍‌) ମେଣ୍ଟ ବୁଧବାର ରାତିରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମଧ୍ୟରାତ୍ରିରୁ ଭୋର ପର୍ଯ୍ୟନ୍ତ ସୁପ୍ରିମ୍‌ କୋର୍ଟର ତିନିଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ ସୁଦ୍ଧା କୌଣସି ରହିତାଦେଶ ଦେଇ ନଥିଲେ। କିନ୍ତୁ ସ୍ପଷ୍ଟ କରି ଦେଇଥିଲେ ଯେ, ମାମଲାର ଚୂଡ଼ାନ୍ତ ରାୟ ଉପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣର ବୈଧତା ତଥା ଭବିଷ୍ୟତ ନିର୍ଭର କରେ। ଖଣ୍ଡପୀଠଙ୍କ ଏହି ନିଷ୍ପତ୍ତି ଫଳରେ ୟେଦୁରପ୍ପାଙ୍କ ମୁଖ୍ୟମନ୍ତ୍ରୀ ପଦ ଉପରେ ‘ଡେମୋକ୍ଳିସ୍‌ ଖଣ୍ଡା’ ଝୁଲୁଥିଲା; ଯାହା ଶୁକ୍ରବାର ପୂର୍ବାହ୍ନର ରାୟ ପରେ ଆହୁରି ଅଧିକ ବିପଜ୍ଜନକ ମନେ ହେଉଛି।

ନ୍ୟାୟମୂର୍ତ୍ତି ଏ.କେ.ସିକ୍ରିଙ୍କ ଅଧ୍ୟକ୍ଷତାରେ ନ୍ୟାୟମୂର୍ତ୍ତି ଏସ୍‌.ଏ.ବବ୍‌ଡ଼େ ଏବଂ ନ୍ୟାୟମୂର୍ତ୍ତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ କେବଳ ଶକ୍ତି ପରୀକ୍ଷା ପାଇଁ ଦିନ ଓ ସମୟ ଧାର୍ଯ୍ୟ କରି ନାହାନ୍ତି, ବିଧାନସଭା କକ୍ଷରେ ସଂଖ୍ୟାଗରିଷ୍ଠତାର ପ୍ରମାଣ କେଉଁ ପଦ୍ଧତିରେ ହେବ ତାହା ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି। ପ୍ରୋଟେମ୍‌ (ଅସ୍ଥାୟୀ) ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ବୈଠକ ବସିବ ଓ ବାଚସ୍ପତିଙ୍କ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଶକ୍ତି ପରୀକ୍ଷା ହେବ। ଗୋପନ ଭୋଟ ଜରିଆରେ ଶକ୍ତି ପରୀକ୍ଷା ପାଇଁ ବିଜେପି ପକ୍ଷରୁ ଓକିଲ ମୁକୁଲ ରୋହତ୍‌ଗୀ ଏବଂ ଆଟର୍ଣ୍ଣି ଜେନେରାଲ କେ.କେ.ଭେନୁଗୋପାଳଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ। କେବଳ ସେତିକି ନୁହେଁ, ସଂଖ୍ୟାଗରିଷ୍ଠତାର ପ୍ରମାଣ ପ୍ରକ୍ରିୟା ସମାପ୍ତ ନ ଦେବା ପର୍ଯ୍ୟନ୍ତ, ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କୌଣସି ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ନେବା ଉପରେ କୋର୍ଟ ବାରଣ କରିଛନ୍ତି।

ଶନିବାର ଅପରାହ୍‌ଣ ଚାରିଟା ବେଳେ କର୍ଣ୍ଣାଟକ ବିଧାନସଭା କକ୍ଷରେ ସଂଖ୍ୟାର ଖେଳରେ କେଉଁ ପକ୍ଷର ହାର କିମ୍ବା ଜିତ୍‌ ହେବ, ସେ ନେଇ ନିଶ୍ଚୟତାର ସହ କିଛି କୁହାଯାଇ ନପାରେ। କିନ୍ତୁ ଗୋଟିଏ ବିଷୟ ନିଶ୍ଚିତ ଯେ, ଶୁକ୍ରବାର ପୂର୍ବାହ୍ନରେ ସୁପ୍ରିମ୍‌ କୋର୍ଟଙ୍କ ଐତିହାସିକ ରାୟ ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ରର ଏକ ବୃହତ୍‌ ବିଜୟ। ଦାବି କରାଯାଉଛି, ସୁପ୍ରିମ୍‌ କୋର୍ଟଙ୍କ ରାୟ ଜେଡି(ଏସ୍‌)-କଂଗ୍ରେସ ମେଣ୍ଟ ସପକ୍ଷରେ ଯାଇଛି ଓ ବିଜେପି ବିପକ୍ଷରେ ଯାଇଛି। ବାସ୍ତବରେ ରାୟ କାହାରି ସପକ୍ଷରେ କିମ୍ବା ବିପକ୍ଷରେ ନୁହେଁ, ଏହା ଗଣତନ୍ତ୍ର ସପକ୍ଷରେ। ସାମ୍ବିଧାନିକ-ଗଣତାନ୍ତ୍ରିକ ନୀତି ନୈତିକତା ସପକ୍ଷରେ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ । ସୁପ୍ରିମ୍‌ କୋର୍ଟଙ୍କ ରାୟ କେବଳ ସାମ୍ବିଧାନିକ ବ୍ୟବସ୍ଥା ଓ ଗଣତନ୍ତ୍ର ଉପରେ ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସର ପୁନଃ ପ୍ରତିଷ୍ଠା କରି ନାହିଁ, ନ୍ୟାୟପାଳିକା ପ୍ରତି ଅବକ୍ଷୟମୁଖୀ ଆସ୍ଥା ଓ ବିଶ୍ୱାସକୁ ମଧ୍ୟ କିଛି ମାତ୍ରାରେ ଫେରାଇ ଆଣିଛି। ନ୍ୟାୟପାଳିକାରେ ଗତ କିଛି ଦିନର ଅସ୍ୱସ୍ତିକର ଘଟଣାକ୍ରମ ପରିପ୍ରେକ୍ଷୀରେ ଯେଉଁମାନଙ୍କ ମନରେ ନ୍ୟାୟିକ ବ୍ୟବସ୍ଥାର ସାଧୁତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠୁଥିଲା, କର୍ଣ୍ଣାଟକ ପ୍ରସଙ୍ଗରେ ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ସେମାନଙ୍କୁ ନିଶ୍ଚୟ ଆଶ୍ୱସ୍ତ କରିଥିବ। ମୁଖ୍ୟତଃ ତିନିଟି କାରଣରୁ ଉଚ୍ଚତମ ନ୍ୟାୟାଳୟଙ୍କ ଶୁକ୍ରବାର ରାୟକୁ ଯୁଗାନ୍ତକାରୀ ଓ ମାର୍ଗଦର୍ଶିକା ଭାବେ ବର୍ଣ୍ଣନା କରାଯାଇପାରେ। ପ୍ରଥମ, ମାନ୍ୟବର ଅଦାଲତ ‘ସ୍ଥିର ସରକାର’ ଗଠନ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ଯେଉଁ ରାଜନୈତିକ ସ୍ଥିରତା ଆବଶ୍ୟକ ତାହା ସ୍ଥିର ଓ ଦୃଢ଼ ସରକାର ବିନା ସହଜ ନୁହେଁ। ସ୍ଥିର ସରକାର ପାଇଁ ମୌଳିକ ଆବଶ୍ୟକତା ହେଲା ଶାସକ ପକ୍ଷ ପାଖରେ ଆବଶ୍ୟକ ସଂଖ୍ୟା। ବିଧାନସଭା ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ କର୍ଣ୍ଣାଟକରେ ‘ଆବଶ୍ୟକ ସଂଖ୍ୟା’ କାହା ପାଖରେ? ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକକ ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ରାଜ୍ୟପାଳଙ୍କ ଆମନ୍ତ୍ରଣର ବୈଧତାର ପରୀକ୍ଷା ଅପେକ୍ଷା କାହା ପାଖରେ ଆବଶ୍ୟକ ସଂଖ୍ୟା ରହିଛି, ତାହା ନିଶ୍ଚିତ କରିବା ଅଧିକ ଜରୁରୀ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ଏହି ମତ ଆଧାରରେ ହିଁ ଯଥାଶୀଘ୍ର ସମ୍ଭବ ବିଧାନସଭା କକ୍ଷରେ ଶକ୍ତି ପରୀକ୍ଷା ଆବଶ୍ୟକ ବୋଲି ନିଷ୍ପତ୍ତି ନେଇ ଶନିବାର ଅପରାହ୍‌ଣ ୪ଟାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଲାଗି ସମୟ ଧାର୍ଯ୍ୟ କରିଛନ୍ତି।

ସରକାରିଆ କମିସନଙ୍କ ସୁପାରିସ ଓ ୨୦୦୫ରେ ସୁପ୍ରିମ୍‌ କୋର୍ଟ ରାମେଶ୍ୱର ପ୍ରସାଦ ବନାମ୍‌ ଭାରତ ସରକାର ମାମଲାରେ ଧାର୍ଯ୍ୟ କରିଥିବା ମାର୍ଗ ନିର୍ଦ୍ଦେଶାବଳୀ ଅନୁଯାୟୀ ଏକକ ସଂଖ୍ୟାଗରିଷ୍ଠ ଦଳ କିମ୍ବା ନିର୍ବାଚନ ପରବର୍ତ୍ତୀ ମେଣ୍ଟ ଭିତରେ ଯାହା ପାଖରେ ଥିବା ସଂଖ୍ୟାବଳରେ ସ୍ଥିର ସରକାର ପ୍ରତିଷ୍ଠା ସମ୍ଭାବନା ଅଧିକ, ରାଜ୍ୟପାଳ ସେହି ପକ୍ଷକୁ ସରକାର ଗଠନ ପାଇଁ ସୁଯୋଗ ଦେବା ଆଶା କରାଯାଏ। କର୍ଣ୍ଣାଟକ କ୍ଷେତ୍ରରେ କିନ୍ତୁ କେଉଁ ଆଧାରରେ ସ୍ପଷ୍ଟ ବହୁମତ ଠାରୁ କମ୍‌ ସଂଖ୍ୟା ଥିବା ବିଜେପିକୁ ସରକାର ପାଇଁ ଆମନ୍ତ୍ରଣ କରାଯାଇଛି? ସଂଖ୍ୟାଗରିଷ୍ଠତା ଠାରୁ ଅଧିକ ସଂଖ୍ୟା ଥିବା ସତ୍ତ୍ୱେ ନିର୍ବାଚନ ପରବର୍ତ୍ତୀ ଜେଡି(ଏସ୍‌)-କଂଗ୍ରେସ ମେଣ୍ଟର ଦାବିକୁ କାହିଁକି ପ୍ରତ୍ୟାଖ୍ୟାନ କରାଗଲା? ଏହି ଦୁଇଟି ପ୍ରଶ୍ନ ମାଧ୍ୟମରେ ମାନ୍ୟବର ଅଦାଲତ ବସ୍ତୁତଃ ରାଜ୍ୟପାଳଙ୍କ ଇଚ୍ଛାଧୀନ କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ହିଁ ସୁପ୍ରିମ୍‌ କୋର୍ଟଙ୍କ ରାୟର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଦିଗ। ଇଚ୍ଛାଧୀନ କ୍ଷମତା ସାମ୍ବିଧାନିକ ପଦଧାରୀ ରାଜ୍ୟପାଳଙ୍କ ମର୍ଜି ଉପରେ ନୁହେଁ, ବରଂ, କେତେକ ନିର୍ଦ୍ଦିଷ୍ଟ ନୀତି ଓ ପରମ୍ପରା ଉପରେ ଆଧାରିତ। ରାୟର ତୃତୀୟ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା, ଉଚ୍ଚତମ ନ୍ୟାୟାଳୟ ୟେଦୁରପ୍ପାଙ୍କ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତିକୁ ରଦ୍ଦ କରି ନାହାନ୍ତି ସତ, କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ସହ ଯୋଡ଼ି ହୋଇଥିବା କ୍ଷମତାକୁ ଶକ୍ତି ପରୀକ୍ଷା ପର୍ଯ୍ୟନ୍ତ ପ୍ରତ୍ୟାହାର କରି ନେଇଛନ୍ତି। ସଂଖ୍ୟାଗରିଷ୍ଠତାର ପ୍ରମାଣ ନଦେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ୟେଦୁରପ୍ପା କୌଣସି ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ। ମୋଟାମୋଟି ରାଜ୍ୟପାଳ ଭଳି ସାମ୍ବିଧାନିକ ପଦର ରାଜନୈତିକ ଉଦ୍ଦେଶ୍ୟରେ ଅପବ୍ୟବହାର ଉପରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ଆଉ ଏକ ଏକ ପ୍ରଭାବଶାଳୀ ଅଙ୍କୁଶ।

ତେଣୁ ଶନିବାର ଶକ୍ତି ପରୀକ୍ଷାର ଫଳାଫଳ ନିର୍ବିଶେଷରେ ସୁପ୍ରିମ୍‌ କୋର୍ଟଙ୍କ ଶୁକ୍ରବାର ପୂର୍ବାହ୍ନର ରାୟ, ନିଃସନ୍ଦେହ ଦେଶର ଗଣତାନ୍ତ୍ରିକ ଭାବନା ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଅନ୍ୟ ଏକ ଉଜ୍ଜ୍ୱଳ ମାଇଲଖୁଣ୍ଟ ହୋଇ ରହିବ। ସର୍ବାନ୍ତକରଣ ସହ ସବୁ ପକ୍ଷ, ବିଶେଷକରି ଗଣତନ୍ତ୍ରକାମୀ ଭାରତୀୟ ଜନତା ଦଳ ମତ ନିର୍ବିଶେଷରେ ଏହାକୁ ସ୍ୱାଗତ କରି ଗଣତନ୍ତ୍ରର ବିଜୟ ଉତ୍ସବ ପାଳନ କରିବା ଉଚିତ।

ସମ୍ବନ୍ଧିତ ଖବର