ଗଣତନ୍ତ୍ରର ଅପହରଣ ପଣ୍ଡ

0 120

କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ କର୍ଣ୍ଣାଟକର ରାଜନୈତିକ ମହା-ନାଟକର ବିୟୋଗାନ୍ତକ ସମାପ୍ତି ଘଟିଛି। କିନ୍ତୁ ଭାରତୀୟ ଗଣତନ୍ତ୍ରର ଗରିମା ଦୃଷ୍ଟିରୁ ଏହା ଏକ ସୁଖଦ ଯବନିକା। ମେ’ ୧୯, ୨୦୧୮ ଶନିବାର ନିଶ୍ଚିତ ଭାବେ ଭାରତୀୟ ସଂସଦୀୟ ଗଣତନ୍ତ୍ରର ଇତିହାସରେ ଏକ ଗୌରବାଜ୍ଜ୍ୱଳ ଦିବସ ଭାବେ ସ୍ମରଣୀୟ ହୋଇ ରହିବ। ଏହି ଦିନ ଦିଲ୍ଲୀରେ ଶାସନରେ ଥିବା ଦଳ କ୍ଷମତାକୁ ଆୟୁଧ କରି ସାମ୍ବିଧାନିକ ବ୍ୟବସ୍ଥା, ଗଣତାନ୍ତ୍ରିକ ପରମ୍ପରା, ମୂଲ୍ୟବୋଧ ଓ ନୀତି-ନୈତିକତାକୁ ଶୂନ୍ୟକୁ ଫିଙ୍ଗି ଗଣତାନ୍ତ୍ରିକ ବ୍ୟବସ୍ଥାର ଅପହରଣ ପାଇଁ ଯେଉଁ ଯୋଜନା କରିଥିଲେ, ତାହା ପଣ୍ଡ ହୋଇ ଯାଇଛି। ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ସଂଖ୍ୟା ନଥିଲେ ସୁଦ୍ଧା ଅସାଧୁ-ଅନୈତିକ ଉପାୟରେ କୃତ୍ରିମ ସଂଖ୍ୟାଗରିଷ୍ଠତା ତିଆରି କରି ଗଣତନ୍ତ୍ରର ଅପହରଣ ଲାଗି ଷଡ୍‌ଯନ୍ତ୍ର ରଚାଯାଇଥିଲା। ରାଜ୍ୟପାଳ ଭଳି ସାମ୍ବିଧାନିକ ପଦର ଅପବ୍ୟବହାର କରି ବସ୍ତୁତଃ ଗଣତନ୍ତ୍ରକୁ ଅପହରଣ କରି ନେଇ ୫୫ ଘଣ୍ଟା ଧରି ନିଜ କବ୍‌ଜାକୁ ନେଇ ଯିବାକୁ ସମର୍ଥ ହୋଇଥିଲେ। ଶେଷରେ କିନ୍ତୁ ଅଢ଼େଇ ଦିନ ପରେ କ୍ଷମତାସୀନ ଦଳର କବ୍‌ଜାରୁ ଗଣତନ୍ତ୍ରକୁ ମୁକୁଳାଇ ଦିଆଯାଇ ପାରିଛି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମିଳିଥିବା ଅସ୍ପଷ୍ଟ ଜନାଦେଶ ପରିପ୍ରେକ୍ଷୀରେ ସୃଷ୍ଟି ହୋଇଥିବା ଝୁଲା ସ୍ଥିର ସୁଯୋଗ ନେଇ ଗଣତନ୍ତ୍ରର ଅପହରଣ ଯୋଜନା ଯଦି ପଣ୍ଡ ହୋଇଛି, ତେବେ ତାର ସିଂହଭାଗ ଶ୍ରେୟ ଭାରତୀୟ ଶାସନ ବ୍ୟବସ୍ଥାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନ୍ୟାୟପାଳିକାକୁ ଯିବ। ଏହା ହିଁ ଭାରତୀୟ ସମ୍ବିଧାନ ପ୍ରଣେତାମାନେ ତିଆରି କରିଥିବା ବିଧି ବ୍ୟବସ୍ଥା ଓ ତାର ସୁରକ୍ଷା ପାଇଁ ଗଢ଼ିଥିବା ଅନୁଷ୍ଠାନ ଗୁଡ଼ିକର ଶକ୍ତି ତଥା ଭାରତୀୟ ଗଣତନ୍ତ୍ରର ଗରିମା। ମାନ୍ୟବର ସୁପ୍ରିମ୍‌ କୋର୍ଟ ଯଦି ଠିକଣା ସମୟରେ ହସ୍ତକ୍ଷେପ କରି ନଥାନ୍ତେ, ତେବେ ଗଣତନ୍ତ୍ରର ଅପହରଣ ଯୋଜନା ଅସଫଳ ହେବା ସମ୍ଭାବନା କ୍ଷୀଣ ଥିଲା। ରାଜ୍ୟପାଳଙ୍କୁ ‘ରାଜନୈତିକ ଏଜେଣ୍ଟ୍‌’ ଭାବେ ବ୍ୟବହାର କରି ସଂଖ୍ୟାଗରିଷ୍ଠତାରୁ ସାତଟି ଆସନ କମ୍‌ ଥିବା ସତ୍ତ୍ୱେ ବିଜେପି ବିଧାୟକ ଦଳ ନେତା ବି.ଏସ୍‌. ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିଲେ। ଜେଡି (ଏସ୍‌)-କଂଗ୍ରେସର ମେଣ୍ଟର ୧୧୭ ସଂଖ୍ୟାକୁ ଅଣଦେଖା କରି ବିଜେପିର ୧୦୪ ସଂଖ୍ୟାକୁ ‘ସ୍ଥିର ସରକାର’ ଗଠନର ମାପଦଣ୍ଡ ଭାବେ ରାଜ୍ୟପାଳଙ୍କ ପକ୍ଷରେ ଗ୍ରହଣ କରିବା ଅପହରଣ ଷଡ୍‌ଯନ୍ତ୍ରର ଅଂଶବିଶେଷ ଥିଲା। କେବଳ ସେତିକି ନୁହେଁ, ବହୁଦିନ ଧରି ଭାରତୀୟ ରାଜନୀତିକୁ ଆକ୍ରାନ୍ତ କରି ରଖିଥିବା ‘ଆୟା ରାମ୍‌ ଗୟା ରାମ୍‌’’ ରୋଗର ନିରାକରଣ ପାଇଁ ଦଳବଦଳ ନିରୋଧ ଆଇନକୁ ବେଖାତିର କରି ପ୍ରତିପକ୍ଷ ଦଳରୁ ‘ଆୟା ରାମ୍‌ ଗୟା ରାମ୍‌’ଙ୍କ ପାଇଁ ଦ୍ୱାର ଖୋଲା ରଖି ରାଜ୍ୟପାଳ ମହୋଦୟ ୧୫ ଦିନର ସମୟ ଦେଇଥିଲେ।

ଲୁଚା ଛପାରେ ନୁହେଁ, ଅନ୍ୟ ଦଳର ବିଧାୟକଙ୍କ ସମର୍ଥନରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦିଆଯିବ ବୋଲି ବିଜେପି ପକ୍ଷରୁ କୋର୍ଟରେ ଖୋଲା ଘୋଷଣା କରାଯାଇଥିଲା। କୁହାଯାଏ ରାଜନୀତିରେ ପରିବର୍ତ୍ତନ ପାଇଁ ସପ୍ତାହେ ସମୟ ବି ଯଥେଷ୍ଟ। ସେ ଦୃଷ୍ଟିରୁ ଘୋଡ଼ା ବେପାର ଦ୍ୱାରା ସମୀକରଣ ବଦଳାଇବା ଲାଗି ଦୁଇ ସପ୍ତାହର ସମୟ ଯଥେଷ୍ଟ ଥିଲା। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ କର୍ଣ୍ଣାଟକରେ ଗଣତନ୍ତ୍ରର ଅପହରଣ ଲାଗି ଷଡ଼୍‍ଯନ୍ତ୍ରର ନୀଳ ନକ୍‌ସା ବେଙ୍ଗାଲୁରୁରେ ନୁହେଁ, ଦିଲ୍ଲୀରେ ହିଁ ପ୍ରସ୍ତୁତ ହୋଇଥିଲା। କିନ୍ତୁ ଯେତେବେଳେ ମାନ୍ୟବର ସୁପ୍ରିମ୍‌ କୋର୍ଟ ଶକ୍ତି ପରୀକ୍ଷା ପାଇଁ ୧୫ ଦିନର ମହଲତକୁ ଅଢ଼େଇ ଦିନକୁ କମାଇ ଦେଲେ, ଯୋଜନା ଓଲଟପାଲଟ ହୋଇଗଲା। ଅବଶ୍ୟ, ଶେଷ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିବା ସତ୍ତ୍ୱେ ଯୋଜନା ମୁତାବକ ଘୋଡ଼ା ବେପାର କରି ପ୍ରତିପକ୍ଷ ମେଣ୍ଟ ଭାଙ୍ଗି ପାରିଲେ ନାହିଁ। ତଥାପି, ସୁପ୍ରିମ୍‌ କୋର୍ଟଙ୍କ ରାୟ ଓ ଶନିବାର ଅପରାହ୍‌ଣ ୪ଟା ବେଳେ ଶକ୍ତି ପରୀକ୍ଷା ପର୍ଯ୍ୟନ୍ତ କୃତ୍ରିମ ସଂଖ୍ୟାଗରିଷ୍ଠତା ଯୋଗାଡ଼ ପାଇଁ ଯାହା ସବୁ ବିଫଳ କାରନାମା ଚାଲିଲା, ତାହା ଭାରତୀୟ ଗଣତନ୍ତ୍ର ପାଇଁ ଏକ କଳଙ୍କିତ ଅଧ୍ୟାୟ ହୋଇ ରହିବ। ନଗଦ ଟଙ୍କା ଠାରୁ ମନ୍ତ୍ରୀ ପଦ ପର୍ଯ୍ୟନ୍ତ ଯାଚି ସମର୍ଥନ କିଣିବା ଲାଗି ଉଦ୍ୟମ ହୋଇଥିଲା। ଗୋଆ, ମଣିପୁର ଓ ମେଘାଳୟରେ ସଂଖ୍ୟା ନ ଥାଇ ସୁଦ୍ଧା ସରକାର ଗଠନରେ ସଫଳତା ନିଶ୍ଚୟ କର୍ଣ୍ଣାଟକ ଲାଗି ଅନୁରୂପ ଯୋଜନା ପ୍ରସ୍ତୁତ ପାଇଁ ବିଜେପିକୁ ଉତ୍ସାହିତ କରିଥିବ। ତେବେ, ଗୋଆ ଓ ମଣିପୁରରେ ପ୍ରତିପକ୍ଷ କଂଗ୍ରେସ ପକ୍ଷରୁ କୌଣସି ପ୍ରତିରୋଧ ହୋଇ ନ ଥିଲା। କିନ୍ତୁ କର୍ଣ୍ଣାଟକରେ ପ୍ରତିପକ୍ଷ ମେଣ୍ଟର ପ୍ରଭାବଶାଳୀ ପ୍ରତିରୋଧ ଯୋଗୁ ବିଜେପିର ମୋଦୀ- ଶାହ ଯୋଡ଼ିଙ୍କ ତଥାକଥିତ ଚାଣକ୍ୟ ନୀତି ବିଫଳ ହେଲା।

ଶେଷରେ ଦିନ ତିନିଟା ପର୍ଯ୍ୟନ୍ତ ଯେଉଁ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ଲାଗି ଶତପ୍ରତିଶତ ଆତ୍ମବିଶ୍ୱାସ ଘୋଷଣା କରୁଥିଲେ, ସେହି ୟେଦୁରପ୍ପା ଲଢ଼େଇ ପୂର୍ବରୁ ମଇଦାନରୁ ପଳାୟନ ଭଳି ଶକ୍ତି ପରୀକ୍ଷା ପୂର୍ବରୁ ଇସ୍ତଫା ଦେଲେ। ଅପହରଣରୁ ଗଣତନ୍ତ୍ର ବର୍ତ୍ତିଗଲା। ବିଜେପି ଦାବି କରୁଛି ୟେଦୁରପ୍ପା ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଲେ। ତେବେ ବାସ୍ତବତା ହେଲା ଘୋଡ଼ା ବେପାରରେ ଅସଫଳତା ଯୋଗୁ ଅସହାୟ ୟେଦୁରପ୍ପାଙ୍କୁ ବାଧ୍ୟ ହୋଇ ପଦ ଛାଡ଼ିବାକୁ ପଡ଼ିଲା। କର୍ଣ୍ଣାଟକରେ ଯାହା ସବୁ ଅଢ଼େଇ ଦିନରେ ଘଟିଗଲା, ସମ୍ବିଧାନ ନାମରେ ଠକେଇ ଲାଗି ଯାହା ସବୁ କାରନାମା ହେଲା, ସେଥିପାଇଁ ୟେଦୁରପ୍ପା ଓ କର୍ଣ୍ଣାଟକ ରାଜ୍ୟ ବିଜେପି କାର୍ପଟ୍‌ଦାରମାନେ ଯେତେ ଦାୟୀ, ତା’ଠାରୁ ଅଧିକ ଦାୟୀ ବିଜେପିର କେନ୍ଦ୍ରୀୟ ନେତୃତ୍ୱ; ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦୀ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।

Panda Mobile only

ମଣିପୁର, ମେଘାଳୟ, ଗୋଆ, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶର ରାଜନୈତିକ ଘଟଣାକ୍ରମ ବିଜେପି ଓ ଏହାର ନେତୃତ୍ୱର ଯେଉଁ ଗଣତନ୍ତ୍ର ବିରୋଧୀ ଛବି ତିଆରି କରିଥିଲା, କର୍ଣ୍ଣାଟକର ଅଢ଼େଇ ଦିନର ନାଟକ ସେହି ଛବିରେ ଆହୁରି ଗାଢ଼ ରଙ୍ଗ ଦେଇଛି। ୧୯୯୬ରେ ତେର ଦିନିଆ ବିଜେପି ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଇସ୍ତଫା ଦେଇ ଉଚ୍ଚ ନୈତିକତାର ପ୍ରଦର୍ଶନ କରିଥିଲେ। ବାଜପେୟୀଙ୍କ ଏହି ନୈତିକତାର ସହ ୟେଦୁରପ୍ପାଙ୍କ ଇସ୍ତଫା ଦେବା ନୈତିକତାର ତୁଳନା କରାଯାଇଛି। ୟେଦୁରପ୍ପା ମହାଶୟ ବାଜପେୟୀଙ୍କୁ ହନୁକରଣ କରିଥାଇ ପାରନ୍ତି। କିନ୍ତୁ ନୈତିକତା ଦୃଷ୍ଟିରୁ ବାଜପେୟୀଙ୍କ ସହ ୟେଦୁରପ୍ପାଙ୍କ ତୁଳନା ଚନ୍ଦ୍ର ସହ ଖଦ୍ୟୋତର ତୁଳନା। ଏପରିକି ନୀତି ନୈତିକତାପୂର୍ଣ୍ଣ ସ୍ୱଚ୍ଛ ରାଜନୀତିର ଫମ୍ପା ଧ୍ୱନି ଦେଉଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୈତିକତା ମଧ୍ୟ କର୍ଣ୍ଣାଟକ ଘଟଣାକ୍ରମର ଆଲୋକରେ ଅତ୍ୟନ୍ତ ମଳିନ ଓ ନିଷ୍ପ୍ରଭ ଦେଖାଯାଉଛି।

କର୍ଣ୍ଣାଟକ ଘଟଣା ପ୍ରସଙ୍ଗରେ ପୁଣି ଥରେ ଭାରତୀୟ ସଂଘୀୟ ବ୍ୟବସ୍ଥାରେ ରାଜ୍ୟପାଳଙ୍କ ଭୂମିକା କ’ଣ ହେବା ଉଚିତ ସେ ନେଇ ସାନି ବିତର୍କର ଅବକାଶ ସୃଷ୍ଟି ହୋଇଛି। କେନ୍ଦ୍ରରେ ଯେଉଁ ଦଳ ବି ଶାସନ କରୁ- କଂଗ୍ରେସ ହେଉ କି ଜନତା ଅବା ଭାରତୀୟ ଜନତା ପାର୍ଟି, ସବୁ ସରକାରଙ୍କ ଅମଳରେ ରାଜ୍ୟପାଳ ପଦର ଅପବ୍ୟବହାର ହୋଇଛି ଓ ହୋଇ ଚାଲିଛି। ରାଜ୍ୟ ଶାସନର ପ୍ରତୀକାତ୍ମକ ମୁଖ୍ୟ ଭାବେ ସାମ୍ବିଧାନିକ କର୍ତ୍ତବ୍ୟ ତୁଲାଇବା ପରିବର୍ତ୍ତେ ଅନେକ ସମୟରେ ରାଜ୍ୟପାଳମାନେ କେନ୍ଦ୍ରରେ କ୍ଷମତାସୀନ ଦଳର ରାଜନୈତିକ ସ୍ୱାର୍ଥ ପାଇଁ ‘ଏଜେଣ୍ଟ୍‌’ ଭାବେ କାର୍ଯ୍ୟ କରିଛନ୍ତି। ସଂଘୀୟ ବ୍ୟବସ୍ଥାର ସୁରକ୍ଷା ଲାଗି ରାଜ୍ୟପାଳ ପଦର ଆବଶ୍ୟକତା ଓ ଏ ପଦ ସହ ଯୋଡ଼ି ହୋଇଥିବା କ୍ଷମତାର ପୁନଃ ସମୀକ୍ଷା ହେବା ଉଚିତ।

ରାଜନୈତିକ ଦୃଷ୍ଟିରୁ କର୍ଣ୍ଣାଟକ ଘଟଣାର ପ୍ରଭାବ ନିଶ୍ଚିତ ଭାବେ ଆଗାମୀ କିଛି ମାସ ମଧ୍ୟରେ ହେବାକୁ ଥିବା ତିନିଟି ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନ ଉପରେ ପଡ଼ିବ। ଗୋଟିଏ ପକ୍ଷରେ ଏହା ବିଜେପିର ନୈତିକ ମନୋବଳ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି, ଅନ୍ୟପକ୍ଷରେ କଂଗ୍ରେସ ଓ ଅନ୍ୟ ଅଣ-ବିଜେପି ଦଳ, ବିଶେଷକରି ଆଞ୍ଚଳିକ ଦଳମାନଙ୍କ ମନୋବଳକୁ ବଢ଼ାଇଛି। କର୍ଣ୍ଣାଟକରେ ସରକାର କରିବାକୁ ଯାଉଥିବା କଂଗ୍ରେସ-ଜେଡି(ଏସ୍‌) ମେଣ୍ଟ ଊଣେଇଶ ପୂର୍ବରୁ ବିରୋଧୀ ଏକତା ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି। ଅବଶ୍ୟ, ସମୟ କହିବ କର୍ଣ୍ଣାଟକର ଏ ସୁବିଧାବାଦୀ ମେଣ୍ଟର ସ୍ଥାୟିତ୍ୱ କେତେ ଏବଂ ବିରୋଧୀ ଶିବିର ସମୀକରଣକୁ ଏହା କେତେ ପ୍ରଭାବିତ କରିବ।

ତେବେ କର୍ଣ୍ଣାଟକରୁ ସବୁ ଦଳ ପାଇଁ ଗୋଟିଏ ଶିକ୍ଷା ହେଲା, ଗଣତନ୍ତ୍ର ସଂଖ୍ୟାର ଖେଳ ହେଲେ ସୁଦ୍ଧା, ଏ ଖେଳର ନିର୍ଦ୍ଦିଷ୍ଟ ନୀତି ନିୟମ ରହିଛି। ସେହି ନୀତି-ନିୟମର ସରହଦ ଡେଇଁ ସଂଖ୍ୟା ଖେଳ ଆଳରେ ସମ୍ବିଧାନର ବିଧି ବ୍ୟବସ୍ଥା ଓ ଗଣତାନ୍ତ୍ରିକ ପରମ୍ପରା, ଭାବନା ସହ ଖେଳିଲେ ବିଜେପି ଭଳି ଦଶା ଭୋଗିବାକୁ ପଡ଼ିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.