Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଗୁଜୁରାଟ ଅଗ୍ନିପରୀକ୍ଷା

0 380

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣାର ଦୁଇ ସପ୍ତାହ ପରେ ନିର୍ବାଚନ କମିସନ୍‌ ୧୮୨ ସଦସ୍ୟ ବିଶିଷ୍ଟ ଗୁଜୁରାଟ ବିଧାନସଭା ପାଇଁ ନିର୍ବାଚନ ସୂଚୀ ଜାରି କରିଛନ୍ତି। ଡିସେମ୍ବର ୯ ଓ ୧୪ ତାରିଖ ଦିନ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ଡିସେମ୍ବର ୧୮ରେ ମାସକ ପୂର୍ବରୁ ମତଦାନ ହୋଇ ସାରିଥିବା ହିମାଚଳ ସହ ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ବୁଧବାର ଅପରାହ୍ନରେ ନିର୍ବାଚନ କମିସନ୍‌ଙ୍କ ଏହି ଘୋଷଣା ସହ ଦେଶର ରାଜନୀତିରେ ସବୁଠାରୁ କ୍ଷମତାଶାଳୀ ଯୋଡ଼ି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର ଏକାନ୍ତ ଅନୁଗତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପାଇଁ ନିଜ ଜନ୍ମ ମାଟି ଓ କର୍ମଭୂମିରେ ରାଜନୈତିକ ଅଗ୍ନି ପରୀକ୍ଷା ସକାଶେ ଅବଗଣନା ଆରମ୍ଭ ହୋଇଯାଇଛି। ଏହି ନିର୍ବାଚନରେ ଗୁଜୁରାଟର ପ୍ରାୟ ୪ କୋଟି ୩୩ ଲକ୍ଷ ମତଦାତାଙ୍କ ରାୟ କେବଳ ପରବର୍ତ୍ତୀ ପାଞ୍ଚ ବର୍ଷ ଲାଗି ଗାନ୍ଧୀ ନଗରରେ କିଏ ସରକାର ଗଢ଼ିବ ତାହା ନିର୍ଣ୍ଣୟ କରିବ ନାହିଁ, ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜନୈତିକ ଭବିଷ୍ୟତ ଓ ଜାତୀୟ ରାଜନୀତି ଉପରେ ମଧ୍ୟ ଏହା ସୁଦୂରପ୍ରସାରୀ ପ୍ରଭାବ ପକାଇବ।

ଚଉଦ ସାଧାରଣ ନିର୍ବାଚନରେ ବିପୁଳ ଜନାଦେଶ ସହ ପ୍ରଧାନମନ୍ତ୍ରୀ ହେବା ପରେ ଅନୁଷ୍ଠିତ ପ୍ରତ୍ୟେକଟି ବିଧାନସଭା ନିର୍ବାଚନରେ ମୋଦୀଙ୍କ ପ୍ରତିଷ୍ଠା ଓ ସମ୍ମାନ ଦାଓରେ ଲାଗିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହଙ୍କ ରଣକୌଶଳର ମଧ୍ୟ କଷଟି ପରୀକ୍ଷା ହୋଇଛି। ଦିଲ୍ଲୀ ଓ ବିହାରରେ ପରାଜୟ ମୋଦୀ ଓ ଶାହଙ୍କ ପ୍ରତିଷ୍ଠା ଓ ସମ୍ମାନରେ ଆଞ୍ଚ ଆଣିଥିଲା। ତେବେ ପରବର୍ତ୍ତୀ ସମୟରେ ଅଧିକାଂଶ ରାଜ୍ୟରେ, ବିଶେଷକରି ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ କେବଳ ଦିଲ୍ଲୀ- ବିହାର ପରାଜୟ ଜନିତ କ୍ଷତିର ଭରଣା କରି ନଥିଲା, ଉଭୟଙ୍କ ରାଜନୈତିକ ପ୍ରତିଷ୍ଠାକୁ ନୂଆ ଉଚ୍ଚତାକୁ ନେଇ ଯାଇଥିଲା। କିନ୍ତୁ ପୂର୍ବର ଅନ୍ୟ ସବୁ ବିଧାନସଭା ନିର୍ବାଚନଠାରୁ ମୋଦୀ ଓ ଶାହାଙ୍କ ପାଇଁ ଗୁଜୁରାଟ ଲଢ଼େଇ ସମ୍ପୂର୍ଣ୍ଣ ଭିନ୍ନ ଓ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୌଣସି ପରିସ୍ଥିତିରେ ଗୁଜୁରାଟରେ ବିଜେପିର ଯଦି ପରାଜୟ ହୁଏ, ତେବେ ନିଶ୍ଚୟ ତାହା ଦଳ ପାଇଁ ଉଣେଇଶରେ ଦିଲ୍ଲୀ ଆଡ଼କୁ ଅନ୍ଧାରୁଆ ରାସ୍ତାର ସଂକେତ ଦେବ। ଏପରିକି, ଲଗାତାର ସପ୍ତମଥର ଲାଗି ବିଜେପି କ୍ଷମତାକୁ ଆସିଲେ ସୁଦ୍ଧା, ୨୦୧୨ ତୁଳନାରେ ଯଦି ଭୋଟ ଶତାଂଶ କିମ୍ବା ଆସନ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟେ, ତେବେ ମଧ୍ୟ ତାହା ଏନ୍‌ଡିଏର ସମ୍ଭାବନା ଉପରେ ତାର ଘୋର ପ୍ରତିକୂଳ ପ୍ରଭାବ ପକାଇବା ଆଶଙ୍କାକୁ ଏଡ଼ାଯାଇ ନପାରେ।

ତେଣୁ ଗୁଜୁରାଟରେ ପୂର୍ବାପେକ୍ଷା ଉନ୍ନତ ପ୍ରଦର୍ଶନ ସହ ବିଜୟ ଲାଭ ବ୍ୟତୀତ ମୋଦୀ ଓ ଶାହାଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ। ଏ ନେଇ କ୍ଷମତାଶାଳୀ ଯୋଡ଼ି ବେଶ୍‌ ଅବଗତ, ଏବଂ ଗତ ଛଅ ମାସ ହେଲା କସରତ ଚଲାଇଛନ୍ତି। ଗୁଜୁରାଟରେ ନିର୍ବାଚନୀ ଲଢ଼େଇର ଇତିହାସ ଏବଂ ଗଣିତ ମଧ୍ୟ ବିଜେପି ସପକ୍ଷରେ ରହିଛି। ଲଗାତାର ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିଣି ପାଖାପାଖି ତିନି ଦଶକ ଧରି ବିଜେପି ଗୁଜୁରାଟର କ୍ଷମତାରେ ରହି ଆସିଛି। ୨୦୦୨ ଗୋଧ୍ରା ଘଟଣା ପରବର୍ତ୍ତୀ ନିର୍ବାଚନରେ ବିଜେପି ସର୍ବାଧିକ ୪୯.୮୫ ପ୍ରତିଶତ ଭୋଟ ପାଇଥିଲା। ଏହାପରେ ପରବର୍ତ୍ତୀ ୨୦୦୭ ଓ ୨୦୧୨ରେ ଦଳର ଭୋଟ ଶତାଂଶ ହ୍ରାସ ପାଇଥିଲେ ସୁଦ୍ଧା ତାହା ନାମମାତ୍ର। ବିଜେପିର ଭୋଟ ଭାଗ ୨୦୦୭ରେ ୪୯.୧୨ ଏବଂ ୨୦୧୨ରେ ୪୭.୯ ପ୍ରତିଶତ ଥିଲା। ଅନ୍ୟପକ୍ଷରେ କଂଗ୍ରେସର ଭୋଟ ଭାଗ କେବେହେଲେ ୪୦ ପ୍ରତିଶତ ଛୁଇଁ ନାହିଁ। ୨୦୦୭ରେ କଂଗ୍ରେସର ଭୋଟ ଭାଗ ୩୯.୬୩ ଏବଂ ୨୦୧୨ରେ ୩୮.୬ ପ୍ରତିଶତ ଥିଲା। ଅର୍ଥାତ୍‌ ଏକ ଧ୍ରୁବୀକୃତ ରାଜନୈତିକ ଦୃଶ୍ୟପଟର ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଭିତରେ ୯ରୁ ୧୦ ପ୍ରତିଶତ ଭୋଟର ବ୍ୟବଧାନ ରହି ଆସିଛି, ଯାହା ସ୍ୱାଭାବିକ ଭାବେ ବିଜେପିର ପଲା ଭାରିଥିବା ସୂଚନା ଦେଉଛି। ଗତ ୨୦୧୨ ନିର୍ବାଚନରେ ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ଗୁଜୁରାଟ ପରିବର୍ତ୍ତନ ପାର୍ଟି ଭୋଟ ଲଢ଼େଇକୁ ଓହ୍ଲାଇବା ଫଳରେ ଉଭୟ ବିଜେପି ଓ କଂଗ୍ରେସର ଭୋଟ ଭାଗ କମିଥିିଲେ ସୁଦ୍ଧା ଫଳାଫଳକୁ ତାହା ପ୍ରଭାବିତ କରି ପାରିନଥିଲା। ବିଜେପି ୧୧୬ ଓ କଂଗ୍ରେସ ଖାତାକୁ ୬୦ ଆସନ ଯାଇଥିଲା।

ଅନୁକୂଳ ନିର୍ବାଚନ ଗଣିତ ଓ ଅପରାଜୟ ରେକର୍ଡ ନିଶ୍ଚିତ ଭାବେ ବିଜେପିର ସପକ୍ଷରେ ଅଛି। ସେଥିପାଇଁ ଅମିତ ଶାହ ବିଜେପି ପାଇଁ ଏଥର ୧୫୦ ଆସନର ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଏ ଲକ୍ଷ୍ୟ ହାସଲ ଆଦୌ ସହଜ ମନେ ହେଉ ନାହିଁ। ରାଜନୀତି ଗଣିତ ନୁହେଁ, ଓ ପରିବର୍ତ୍ତନ ସବୁବେଳେ ସମ୍ଭବ। ଗଣିତ ଶାସକ ଦଳ ପକ୍ଷରେ ଅନୁକୂଳ ଥାଇପାରେ, କିନ୍ତୁ ବର୍ତ୍ତମାନର ରାଜନୈତିକ ଓ ସାମାଜିକ ପାଣିପାଗ ବିଜେପି ପାଇଁ ନିଶ୍ଚିତ ଭାବେ ପ୍ରତିକୂଳ। ଓବିସି କୋଟାରେ ଆରକ୍ଷଣ ଦାବିରେ ପଟ୍ଟିଦାରଙ୍କ ଆନ୍ଦୋଳନଠାରୁ ଆରମ୍ଭ କରି ରାଜ୍ୟର କେତେକ ସ୍ଥାନରେ ଦଳିତଙ୍କ ଉପରେ ଆକ୍ରମଣ, ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦବେନ୍‌ ପଟେଲ୍‌ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ, ଚାଷୀଙ୍କ ସମସ୍ୟା, ବେକାରି ଶାସକ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି। ଏହାଛଡ଼ା ବିମୁଦ୍ରାୟନ ଓ ଜିଏସ୍‌ଟି ନେଇ ରାଜ୍ୟର କ୍ଷୁଦ୍ର ବ୍ୟବସାୟୀ ଓ ଚାଷୀଙ୍କ ମଧ୍ୟରେ ଦାନା ବାନ୍ଧିଥିବା ଅସନ୍ତୋଷ ମୋଦୀ ଓ ବିଜେପି ପାଇଁ ପ୍ରତିକୂଳତାକୁ ଅଧିକ ଘନୀଭୂତ କରିଛି। ବିଜେପିର ସମସ୍ୟା ହେଲା, ଏହି କ୍ଷୁଦ୍ର ବ୍ୟବସାୟୀମାନେ ହିନ୍ଦୁତ୍ୱ ଦଳର ପାରମ୍ପରିକ ଭୋଟବ୍ୟାଙ୍କ୍‌। ଏମାନଙ୍କୁ ମନାଇବା ମୋଦୀଙ୍କ ପକ୍ଷରେ ଏକ ବଡ଼ ଆହ୍ଵାନ। ଏହି ଗୋଷ୍ଠୀ ଯଦି ମୁହଁ ମୋଡ଼ନ୍ତି ତେବେ ତାହା ଦଳ ପାଇଁ ବେଶ୍‌ ମହଙ୍ଗା ପଡ଼ିବା ଆଶଙ୍କା ରହିଛି। ଜିଏସ୍‌ଟି ନେଇ ବ୍ୟବସାୟୀଙ୍କ ମଧ୍ୟରେ ଆକ୍ରୋଶ ନେଇ ଯେ ବିଜେପି ନେତୃତ୍ୱ ଗଭୀର ଭାବେ ଚିନ୍ତିତ ତାର ସୂଚନା ହେଲା ଏ ପ୍ରସଙ୍ଗରେ ମୋଦୀଙ୍କ ଆତ୍ମରକ୍ଷା ମୂଳକ ମୁଦ୍ରା। ମୋଦୀ ନିକଟରେ ଗୁଜୁରାଟର ଏକ ସଭାରେ ସଫେଇ ଦେଇ କହିଥିଲେ ଯେ, ଜିଏସ୍‌ଟି ପାଇଁ ତାଙ୍କୁ ଏକା ଦାୟୀ କରାଯାଇ ନପାରେ।

ଗୋଟିଏ ପକ୍ଷରେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ରାଜ୍ୟ ବିଜେପିରେ ଦେଖା ଦେଇଥିବା ନେତୃତ୍ୱ ସଂକଟ, ଅନ୍ୟପକ୍ଷରେ କଂଗ୍ରେସ ସହ ପଟ୍ଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ, ଓବିସି ଓ ଦଳିତ ଆନ୍ଦୋଳନର ଦୁଇ ଯୁବ ନେତା ଅଳ୍ପେଶ ଓ ଜିଗ୍ନେଶ ହାତ ମିଳେଇବା ବିରୋଧୀ ପକ୍ଷକୁ ଅଧିକ ଶକ୍ତିଶାଳୀ କରିଛି। ବିରୋଧୀଙ୍କ ଶକ୍ତି ବୃଦ୍ଧିରେ ବିଜେପି ଯେ ବିଚଳିତ, ଏହାର ମଧ୍ୟ ସଂକେତ ସ୍ପଷ୍ଟ। ଗୁଜୁରାଟର ଗୌରବ ଓ ଅସ୍ମିତାକୁ ପ୍ରସଙ୍ଗ କରିବା, ଏପରିକି ପ୍ରଧାନମନ୍ତ୍ରୀ ନିଜେ କେନ୍ଦ୍ରୀୟ ଅବହେଳାର ଅଭିଯୋଗ ଉଠାଇବା ବିଜେପି ଶିବିରରେ ଆତ୍ମବିଶ୍ୱାସର ନିଅଣ୍ଟିଆ ଭାବର ସଂକେତ ଦେଉଛି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସଭାରେ ଭିଡ଼ ଏବଂ ତାଙ୍କର ମୋଦୀ-ବିରୋଧୀ ବୟାନ ପ୍ରତି ଅନୁକୂଳ ପ୍ରତିକ୍ରିୟା ଶାସକ ପକ୍ଷକୁ ଆହୁରି ବିଚଳିତ କରୁଛି। ଅନ୍ୟପକ୍ଷରେ ଏହା ବିରୋଧୀଙ୍କ ଶିବିରରେ ଉତ୍ସାହ ଓ ଆତ୍ମବିଶ୍ୱାସର ମାତ୍ରାକୁ ବଢ଼ାଉଛି। କଂଗ୍ରେସ ପାଇଁ ଏ ନିର୍ବାଚନ ମଧ୍ୟ ନିର୍ଣ୍ଣାୟକ। ସର୍ବପୁରାତନ ଦଳର ପୁନଃରୁଦ୍ଧାର ଲାଗି ଏହା ଏକ ସୁଯୋଗ। କଂଗ୍ରେସର ‘ସୋସିଆଲ ଇଞ୍ଜିନିୟରିଂ’ (ପଟେଲ, ଓବିସି ଓ ଦଳିତଙ୍କୁ ସାଙ୍ଗରେ ନେବା ପ୍ରୟାସ) ଓ ବିରୋଧୀ ଏକତା ଉଦ୍ୟମର ସଫଳତା ଉପରେ ଆଗାମୀ ଭୋଟ ମୁକାବିଲା କେତେ କଡ଼ା ହେବ ତାହା ନିର୍ଭର କରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲାଙ୍କ ପ୍ରାୟୋଜିତ ‘ତୃତୀୟ ପ୍ରତିଦ୍ୱନ୍ଦ୍ୱୀ’ର ଭୂମିକା ଲଢ଼େଇରେ କ’ଣ ରହିବ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ।

ନିଃସନ୍ଦେହ, ପୂର୍ବ ନିର୍ବାଚନଗୁଡ଼ିକର ଗଣିତ ଯାହାବି କହୁ, ବର୍ତ୍ତମାନର ରାଜନୈତିକ- ସାମାଜିକ ବାତାବରଣରୁ ଗୋଟିଏ ବିଷୟ ସ୍ପଷ୍ଟ ଯେ, ଗୁଜୁରାଟରେ ୨୦୧୭ର ପ୍ରତିଦ୍ୱନ୍ଦ୍ୱିତା ପୂର୍ବ ଦୁଇ ନିର୍ବାଚନ ତୁଳନାରେ ଅଧିକ ତୀବ୍ର ହେବ। ବ୍ୟବସାୟ ବାଣିଜ୍ୟରେ ଦକ୍ଷ ଗୁଜୁରାଟୀଙ୍କ ପାଇଁ ଅତ୍ୟନ୍ତ ଶୁଭ ଓ ପବିତ୍ର ‘ଲାଭ ପଞ୍ଚମୀ’ ତିଥିରେ ତାରିଖ ଘୋଷିତ ହୋଇଥିବା- ଏଥର ନିର୍ବାଚନରେ କାହାର କେତେ ଲାଭ ବା କ୍ଷତି ହେବ, ତା’ର ହିସାବ ପାଇଁ ଡିସେମ୍ବର ଅଠର ଅପରାହ୍ନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 × four =