ତକ୍ଷକ ଆତଙ୍କ

0 217

ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବାଦୁଡ଼ିକୁ ଯାହା ସଇତାନର ସହଚର ରୂପେ ଦେଖିଥାନ୍ତି ତାହା ବର୍ତ୍ତମାନ ଭାରତରେ ‘ନିପା ଭାଇରସ୍‌’ର ସଇତାନୀ ଆବିର୍ଭାବ ପରେ ଅକ୍ଷରେ ଅକ୍ଷରେ ସତ ପରି ମନେ ହେଉଛି। ବାଇବଲ୍‌ର ଓଲ୍‌ଡ ଟେଷ୍ଟାମେଣ୍ଟ୍‌ ଅନ୍ତର୍ଗତ ‘ବୁକ୍‌ ଅଫ୍‌ ଲେଭିଟିକସ’ରେ ଅପରିଷ୍କାର ବିବେଚିତ ଜୀବ ବାଦୁଡ଼ିର ମାଂସ ଭକ୍ଷଣ ନିଷିଦ୍ଧ କରାଯାଇଥିବା ବେଳେ ବାଇବଲ୍‌ର ପ୍ରାଚୀନ ବ୍ୟାଖ୍ୟାକାରମାନେ ବାଦୁଡ଼ିର ପ୍ରକୃତି ସଇତାନର ପ୍ରକୃତି ସହିତ ମେଳ ଖାଇଥାଏ ବୋଲି ଦର୍ଶାଇ ଆସିଛନ୍ତି। ସଇତାନର ଚରିତ୍ର ଭଳି ବାଦୁଡ଼ିର ଚରିତ୍ର ମଧ୍ୟ ହେଉଛି ଅନିର୍ଦ୍ଦିଷ୍ଟ: ଏହା ଉଡ଼ିପାରୁ ଥିବାରୁ ବାଦୁଡ଼ିକୁ ଅନେକ ଲୋକ ପକ୍ଷୀ ବୋଲି ଭାବୁଥିଲେ ହେଁ ଏହା ହେଉଛି ଏକ ସ୍ତନ୍ୟପାୟୀ ପ୍ରାଣୀ। ସଇତାନ ପରି ଇଏ ମଧ୍ୟ ରାତିର ଅନ୍ଧାରରେ ବିଚରଣ କରିଥାଏ ଏବଂ ତାହା ପୁଣି ସଇତାନ ପରି ସମ୍ପୂର୍ଣ୍ଣ ନିଃଶବ୍ଦରେ। ଏପରି ଛଦ୍ମ ବେଶ ଓ ଚୋର ସୁଲଭ ଆଚରଣ ସର୍ବଦା ମନୁଷ୍ୟର କ୍ଷତି ସାଧନ କରିବା ପାଇଁ ମନ୍ଦ ଉଦ୍ଦେଶ୍ୟ ବହନ କରିଥାଏ ବୋଲି ଯେଉଁ ଧାରଣା ବଳବତ୍ତର ରହି ଆସିଛି, ତାହା ମଧ୍ୟଯୁଗରୁ ଆରମ୍ଭ କରି ଆଧୁନିକ କାଳ ପର୍ଯ୍ୟନ୍ତ ବିଭିନ୍ନ କାହାଣୀ, ଚିତ୍ରକଳା, ଚଳଚ୍ଚିତ୍ର ଆଦିରେ ପ୍ରତିଫଳିତ ହେବା ଦେଖା ଯାଇଛି।

୨୦୧୪ରେ ଯେତେବେଳେ ପଶ୍ଚିମ ଆଫ୍ରିକାରେ ଇବୋଲା ଭାଇରସ୍‌ର ତାଣ୍ଡବ ଲୀଳା ଦେଖାଦେଲା ସେତେବେଳେ ବାଦୁଡ଼ିର ଏଇ ସଇତାନୀ ଚେହେରା ବାଇବଲ୍‌ ବା ଚିତ୍ରକଳାର କାଳ୍ପନିକ ଦୁନିଆ ଭେଦ କରି ହଠାତ୍‌ ବାସ୍ତବ ଦୁନିଆରେ ଆବିର୍ଭୂତ ହୋଇଯାଇଥିଲା। ଇବୋଲା ଭାଇରସ୍‌ ବାହକ ବାଦୁଡ଼ିର ମାଂସ ଭକ୍ଷଣ କରି କିମ୍ବା ସଂସ୍ପର୍ଶରେ ଆସି ଅଥବା ବାଦୁଡ଼ି ମୁହଁ ମାରିଥିବା ଫଳ ଖାଇ ମୁଖ୍ୟତଃ ଲାଇବେରିଆ, ସିଏରା ଲିଓନ୍‌ ଓ ଗିନିରେ ୧୧,୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏବେ ଏବେ ପୁଣି ଆଫ୍ରିକାର କଙ୍ଗୋରେ ଇବୋଲାର ଆବିର୍ଭାବ ଘଟି ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ଘଟିସାରିଲାଣି ବୋଲି ଖବର ପ୍ରକାଶ ପାଇଛି।

ଅନ୍ଧାରୀ ମହାଦେଶ ରୂପେ ପରିଚିତ ଆଫ୍ରିକାରେ ଇବୋଲାର ସଂହାର ଲୀଳା ଚାଲିଥିବା ବେଳେ ଭାରତରେ ଆମେ ଆଫ୍ରିକାରୁ ଏଠାକୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ସତର୍କ ନଜର ରଖୁଥିଲେ ହେଁ ଏହା ଆମ ପାଇଁ ଏକ ‘ପର ପୁଅ ମଲା, ରୋଗ ବାହାରେ ବାହାରେ ଗଲା’ ଭଳି ଧାରଣା ସୃଷ୍ଟି କରିଥିଲା। ଭାରତରେ ଆମେ ବାଦୁଡ଼ିକୁ ସଇତାନର ସାଥୀ ରୂପେ ଦେଖିବା ଆରମ୍ଭ କରି ନଥିଲୁ। ଏବେ କିନ୍ତୁ କେରଳରେ ଯେଉଁ ‘ନିପା’ ଭାଇରସ୍‌ ସଂକ୍ରମଣର ଖବର ଉଭୟ ମୁଖ୍ୟସ୍ରୋତ ଗଣମାଧ୍ୟମ ଏବଂ ସୋସିଆଲ୍‌ ମିଡିଆରେ ପ୍ରସାର ଲାଭ କରିବାରେ ଲାଗିଛି ତାହା ଭାରତୀୟମାନଙ୍କ ମନରେ ବାଦୁଡ଼ି ପ୍ରତି ଏକ ବାଇବଲ୍‌ ସୁଲଭ ଭୟ ଯେ ସୃଷ୍ଟି କରିସାରିଲାଣି, ଏ ଖବର ସମ୍ବନ୍ଧରେ ସଚେତନ ଥିବା ପ୍ରତ୍ୟେକ ବ୍ୟକ୍ତି ସ୍ୱୀକାର କରିବେ।

କେରଳରେ ‘ନିପା’ ଭାଇରସ୍‌ ସଂକ୍ରମଣରେ ପ୍ରାୟ ୧୦ ଜଣଙ୍କର ପ୍ରାଣହାନି ଘଟିବା ପରେ ‘କୋଝିକୋଡ୍‌’ ଜିଲ୍ଲାର ‘ସୁପ୍ପିକ୍କଡ଼ା’ ଗ୍ରାମକୁ ପୂରା ନିବୁଜ କରିଦିଆଯିବା ସଙ୍ଗେ ସଙ୍ଗେ ସେ ଗ୍ରାମର ସମସ୍ତ ଅଧିବାସୀ ତଥା ଗୃହପାଳିତ ପଶୁଙ୍କୁ ସ୍ଥାନାନ୍ତରିତ କରି ଅଟକ ରଖିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଏହି ଗ୍ରାମର ତିନିଜଣ ଅଧିବାସୀ ମସ୍ତିଷ୍କ ଜ୍ୱର ଭଳି ଲକ୍ଷଣ ପ୍ରକାଶ କରି ମୃତ୍ୟୁମୁଖରେ ପଡ଼ିବା ପରେ ଅନୁସନ୍ଧାନରୁ ଜଣାପଡ଼ିଲା ଯେ ଏହା ପ୍ରକୃତରେ ହେଉଛି ‘ନିପା’ ଭାଇରସ୍‌ ଆକ୍ରମଣଜନିତ ମୃତ୍ୟୁ। ମାଲେସିଆର କାମ୍ପ୍‌ଙ୍ଗ୍‌ ସୁଙ୍ଗାଇ ନିପା ନାମକ ସ୍ଥାନରେ ୧୯୯୮ରେ ଏହି ଭୂତାଣୁ ଆକ୍ରମଣକୁ ପ୍ରଥମ ଚିହ୍ନଟ କରାଯାଇଥିବାରୁ ଏହାର ନାମ ନିପା ଭାଇରସ୍‌ ରଖାଯାଇଛି (ଯେମିତି କଙ୍ଗୋର ଇବୋଲା ନଦୀ କୂଳରେ ପ୍ରଥମେ ଆବିଷ୍କୃତ ହୋଇଥିବାରୁ ଇବୋଲା ଭାଇରସ୍‌ର ସେପରି ନାମକରଣ କରାଯାଇଛି)। ପ୍ରଥମେ ସେତେବେଳେ ଘୁଷୁରିମାନେ ଏହି ଭୂତାଣୁର ବାହକ ସାଜିଥିବା ଦେଖାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବାଦୁଡ଼ି ସେହି ଭୂମିକାରେ ଅବତୀର୍ଣ୍ଣ ହେବା ଦେଖାଗଲା। ଏହି ବାହକ ପରିବର୍ତ୍ତନର ପରିଣାମ କିଭଳି ବିପଜ୍ଜନକ ହୋଇପାରେ ତାହା ସହଜେ ଅନୁମେୟ। କାରଣ ବାଦୁଡ଼ି ଘୁଷୁରି ପରି ଏକ ସ୍ତନ୍ୟପାୟୀ ପ୍ରାଣୀ ହୋଇଥିଲେ ହେଁ ସେମାନଙ୍କ ମଧ୍ୟରେ ଯେଉଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭେଦ ରହିଛି, ତାହା ହେଲା, ଘୁଷୁରି ସ୍ଥାନାନ୍ତର ଗମନ ପାଇଁ ଚାରିଟି ଗୋଡ଼ର ସାହାଯ୍ୟ ନେଉଥିବା ବେଳେ ବାଦୁଡ଼ିକୁ ସଇତାନ ହଳେ ଲମ୍ବା ଡେଣା ଦେଇ ଦେଇଛି। ତେଣୁ ବାଦୁଡ଼ି ବାହନରେ ବସି ନିପା ଭାଇରସ୍‌ ଦୂର ଦୂରାନ୍ତକୁ ସହଜରେ ଯାଇ ପାରିଲା। ଏହା ପରେ ଫିଲିପିନ୍‌ସ, ଲାଓସ୍‌, କାମ୍ବୋଡିଆ, ଥାଇଲାଣ୍ଡ୍‌ରୁ ବାଂଲାଦେଶ ଓ ଭାରତର ପଶ୍ଚିମବଙ୍ଗ ପର୍ଯ୍ୟନ୍ତରେ ନିପା ଭାଇରସ୍‌ର ଆବିର୍ଭାବ ଦେଖାଯିବାକୁ ଲାଗିଲା।

ନିପାର ଅନ୍ୟ ଏକ ବିପଜ୍ଜନକ ଦିଗର ମଧ୍ୟ ଆବିର୍ଭାବ ଘଟିଲା ଯେତେବେଳେ ସଂକ୍ରମିତ ମନୁଷ୍ୟ ସହିତ ସଂସ୍ପର୍ଶରେ ଆସିଥିବା ମନୁଷ୍ୟଠାରେ ଏ ଭାଇରସ୍‌ର ଆବିର୍ଭାବ ଘଟିଲା। ଏହି କାରଣରୁ କେରଳରେ ଜଣେ ରୋଗୀଙ୍କୁ ଶୁଶ୍ରୂଷା କରୁଥିବା ନର୍ସଙ୍କର ହୃଦୟବିଦାରକ ମୃତ୍ୟୁ ଘଟିଛି। ତେବେ କେରଳରେ ନିପା ଭାଇରସ ପହଞ୍ଚିଲା କିପରି ତାହାର କୌଣସି ସନ୍ତୋଷଜନକ ଉତ୍ତର ମିଳିନାହିଁ। ତେବେ ବାଂଲାଦେଶରେ ୨୦୦୪ରେ ବାଦୁଡ଼ି ସଂକ୍ରମିତ ଖଜୁରି ତାଡ଼ି ପିଇଥିବା ଲୋକଙ୍କଠାରେ ନିପା ଭାଇରସ୍‌ ସଂକ୍ରମଣ ଘଟିଥିବା ଭଳି କେରଳରେ ବାଦୁଡ଼ି ସଂକ୍ରମିତ କୂଅ ପାଣି ପିଇଥିବା ଲୋକ ଏ ଭାଇରସ୍‌ର ଶିକାର ହୋଇଥିବା ବିଶ୍ୱାସ କରାଯାଉଛି। ବାଂଲାଦେଶରୁ କେରଳର ଦୂରତା ଏତେ ଅଧିକ ଯେ ବାଦୁଡ଼ି ତାହାକୁ ଅତିକ୍ରମ କରିବା ସହଜ ନୁହେଁ ବୋଲି କୁହାଯାଉଥିଲେ ହେଁ, କେରଳ ସଂକ୍ରମଣ ପାଇଁ ବାଦୁଡ଼ି ହିଁ ଦାୟୀ ବୋଲି ପ୍ରାୟ ସମସ୍ତେ ଏକମତ ହେଲେଣି।

ବିପଦର କଥା ହେଲା ‘ନିପା’ ଭାଇରସ୍‌ ଜନିତ ରୋଗର କୌଣସି ଚିକିତ୍ସା ନାହିଁ। ଏଣୁ ଏହା ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ। ଏଥିପାଇଁ ଘୁଷୁରିଠାରୁ ଦୂରେଇ ରହିବା ସହିତ ଘୁଷୁରି ମାଂସ ମଧ୍ୟ ଭକ୍ଷଣ ନକରିବା ଉଚିତ। ସେଇଭଳି ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ମଧ୍ୟ ଆସିବା ଉଚିତ ନୁହେଁ। ଯଦିବା ଆଫ୍ରିକା ଭଳି ବାଦୁଡ଼ି ମାଂସ ଏଠାରେ ଖାଦ୍ୟ ରୂପେ ବ୍ୟବହୃତ ହୋଇ ନଥାଏ, ବାଦୁଡ଼ି ଖଣ୍ଡିଆ କରିଥିବା ଫଳ ପ୍ରତି ମଧ୍ୟ ସାବଧାନ ରହିବା ଜରୁରୀ। ଏହାର ଅର୍ଥ ପୂର୍ବରୁ ସାମାନ୍ୟ ଖଣ୍ଡିଆ ହୋଇଥିବା କୌଣସି ଫଳ କିଣିବା ଉଚିତ ନୁହେଁ। କିନ୍ତୁ ଏହା ନିଶ୍ଚିତ କରିବା ଏତେ କଷ୍ଟ ଯେ, କାହାର କେତେବେଳେ ରାଜା ପରୀକ୍ଷିତଙ୍କ ଭଳି ଅବସ୍ଥା ନହେବ କିଏ କହିବ? ଶାପର ସପ୍ତମ ତଥା ଅନ୍ତିମ ଦିନର ସୂର୍ଯ୍ୟାସ୍ତ ପୂର୍ବର ଅନ୍ତିମ ମୁହୂର୍ତ୍ତରେ ତାଙ୍କ ପାଖରେ ପହଞ୍ଚିଥିବା ତାଜା ଫଳଟିଏ ପରୀକ୍ଷିତ ନିଶ୍ଚିନ୍ତରେ ଧରି ଖାଇବାକୁ ଯିବା ବେଳେ ସେଥିରୁ କ୍ଷୁଦ୍ର ପୋକଟିଏ ବାହାରି ସର୍ପରାଜ ତକ୍ଷକରେ ରୂପାନ୍ତରିତ ହୋଇ ତାଙ୍କୁ ଦଂଶନ କରି ପ୍ରାଣ ନାଶ କରି ନଥିଲା କି?

ସମ୍ବନ୍ଧିତ ଖବର

Leave A Reply

Your email address will not be published.