ବିରୋଧୀ ରାଜନୀତି କଡ଼ ମୋଡ଼ୁଛି!

0 224

ବେଙ୍ଗାଲୁରୁରେ ବୁଧବାର କଂଗ୍ରେସ-ଜେଡି(ଏସ୍‌) ମେଣ୍ଟର ନେତା ଏଚ୍‌.ଡି. କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପରବର୍ତ୍ତୀ ରାଜନୈତିକ ନାଟକର ଦ୍ୱିତୀୟ ଅଙ୍କ ଆରମ୍ଭ ହୋଇଛି। ବାଘ ମୁହଁରୁ ଆହାର ଛଡ଼ାଇ ଆଣିଲା ଭଳି ସରକାରରେ ଗାଦିସୀନ ହୋଇ ସାରିଥିବା ସର୍ବବୃହତ୍‌ ଦଳ ବିଜେପି ହାତରୁ ଅଢ଼େଇ ଦିନ ମଧ୍ୟରେ କ୍ଷମତା ଛଡ଼ାଇ ନେଇ ଦୁଇ ଓ ତିନି ନମ୍ବର ଦଳ ଯଥାକ୍ରମେ କଂଗ୍ରେସ ଓ ଜେଡି(ଏସ୍‌) ଏକାଠି ତିନି ନମ୍ବର ଦଳର ନେତାଙ୍କ ନେତୃତ୍ୱରେ ଶାସନ ଦଖଲ କରିବା ଭାରତୀୟ ରାଜନୀତିରେ ଏକ ବିରଳ ଅଧ୍ୟାୟ। ସେମିତି ଦୀର୍ଘ ବ୍ୟବଧାନ ପରେ କୌଣସି ରାଜ୍ୟରେ ଏକ ଅଣ-ବିଜେପି ମେଣ୍ଟ ସରକାରର ଶପଥ ଗ୍ରହଣ ଅବସରରେ ବିରୋଧୀଙ୍କ ବିଶାଳ ଶକ୍ତି ପ୍ରଦର୍ଶନ ଆଉ ଏକ ବିରଳ ରାଜନୈତିକ ଘଟଣା। କୁହାଯାଇପାରେ କର୍ଣ୍ଣାଟକରେ କଂଗ୍ରେସ-ଜେଡି(ଏସ୍‌) ମେଣ୍ଟ ଗଠନ ଯେତିକି ଅପ୍ରତ୍ୟାଶିତ, ଏ ଅବସରରେ ବିରୋଧୀ ନେତାଙ୍କ ମେଳି ତା’ଠାରୁ ଅଧିକ ଅପ୍ରତ୍ୟାଶିତ। ୧୯୯୬ ପରେ ଏତେ ସଂଖ୍ୟାରେ ବିରୋଧୀ ଦଳ ନେତା ଗୋଟିଏ ଚାନ୍ଦୁଆ ତଳେ ଏକାଠି ହେବା ଏହା ପ୍ରଥମ। କେବଳ ତିନିଟି ପ୍ରମୁଖ ଆଞ୍ଚଳିକ ଦଳ ବିଜେଡି, ଟିଆରଏସ୍‌ ଏବଂ ଡିଏମ୍‌କେକୁ ବାଦ୍‌ ଦେଲେ ଅନ୍ୟ ପ୍ରାୟ ସବୁ ଅଣ-ବିଜେପି, ଅଣ-ଏନ୍‌ଡିଏ, ଜାତୀୟ ଓ ଆଞ୍ଚଳିକ ଦଳର ନେତାମାନେ ବେଙ୍ଗାଲୁରୁ ବିଧାନସୌଧ ପ୍ରାଙ୍ଗଣରେ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ।

ସାଂପ୍ରତିକ ଭାରତୀୟ ରାଜନୀତିର ସନ୍ଦର୍ଭରେ ଏହା କ’ଣ ସଂକେତ ଦେଉଛି? ଆଉ ବର୍ଷକରୁ ବି କମ୍‌ ସମୟ ବାକି ଥିବା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେପି ନେତୃତ୍ୱାଧୀନ ମେଣ୍ଟର ମୁକାବିଲା ଲକ୍ଷ୍ୟରେ ଆଉ ଏକ ମେଣ୍ଟ ଦାନା ବାନ୍ଧୁଛି। ବିରୋଧୀ ଦଳ ନେତାଙ୍କ ଏ ସମାବେଶ ନିଶ୍ଚିତ ଭାବେ ପରବର୍ତ୍ତୀ ନିର୍ବାଚନ ପୂର୍ବରୁ ବିଜେପି ପ୍ରତିପକ୍ଷ ଶିବିରରେ ଏକତାର ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିଛି। ତେବେ ଆଶା, ସମ୍ଭାବନା ମଧ୍ୟରେ ଏଠାରେ ଏହା ଉଲ୍ଲେଖ କରିବା ଆଦୌ ଅବାନ୍ତର ହେବ ନାହିଁ ଯେ, କୁମାରସ୍ୱାମୀ ନେତୃତ୍ୱାଧୀନ ଜେଡି(ଏସ୍‌)-କଂଗ୍ରେସ ମେଣ୍ଟ ସରକାରର ସ୍ଥାୟିତ୍ୱ ଓ ସ୍ଥିରତା ନେଇ ଯେମିତି ଅନେକ ପ୍ରଶ୍ନବାଚୀ ଉଙ୍କି ମାରୁଛି, ସେମିତି କର୍ଣ୍ଣାଟକ ବିଧାନସୌଧ ପ୍ରାଙ୍ଗଣରେ ପ୍ରଦର୍ଶିତ ବିରୋଧୀ ଏକତାର ସମ୍ଭାବନା କେତେଦୂର ବାସ୍ତବ ରୂପ ନେବ ସେ ନେଇ ମଧ୍ୟ ପାହାଡ଼ ସଦୃଶ ପ୍ରଶ୍ନ ରହିଛି। ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ତୁଙ୍ଗ ବିରୋଧୀ ପକ୍ଷ ନେତାଙ୍କ ମଧ୍ୟରେ ସଦିଚ୍ଛା ଓ ସୌହାର୍ଦ୍ଦର ପ୍ରଦର୍ଶନ ଏକତା ନେଇ ସୃଷ୍ଟି ହୋଇଥିବା ସମ୍ଭାବନା ଠାରୁ ‘ଯଦି, କିନ୍ତୁ’ ମଧ୍ୟରେ ଛନ୍ଦି ହୋଇ ତାହା ପବନରେ ମିଳାଇଯିବା ଆଶଙ୍କା ଅଧିକ। କେବଳ ଅତୀତ ଅଭିଜ୍ଞତା, ଏ ପ୍ରକାର ଆଶଙ୍କାର ଆଧାର ନୁହେଁ। ବରଂ ନୀତି-ଆଦର୍ଶରେ ପରସ୍ପରର ବିରୋଧାଭାସ ଏବଂ ଆଞ୍ଚଳିକ ସ୍ତରରେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା ଜାତୀୟ ସ୍ତରରେ ଗୋଟିଏ ବିଜେପି ବିରୋଧୀ ମେଣ୍ଟ ଗଠନର ସମ୍ଭାବନାକୁ ସନ୍ଦେହର ବାଦଲ ମଧ୍ୟକୁ ଠେଲି ଦେଉଛି। ଧର୍ମ ନିରପେକ୍ଷତାର ସୂତ୍ରରେ ବାନ୍ଧି ହୋଇ ଅନ୍ୟ ନୀତି ଦୃଷ୍ଟିରୁ କୌଣସି ପ୍ରକାର ବୁଝାମଣା ହୋଇଗଲେ ସୁଦ୍ଧା ମେଣ୍ଟର ନେତା କିଏ ହେବେ? ଏ ପ୍ରଶ୍ନ ଉପରେ ବୁଝାମଣା ଆଶା କ୍ଷୀଣ। ଏଥିପାଇଁ ଯେ ନେତୃତ୍ୱ ପ୍ରସଙ୍ଗରେ ନେତାମାନଙ୍କ ଉଚ୍ଚାକାଂକ୍ଷା ମଧ୍ୟରେ ଲଢ଼େଇ ଅବଶ୍ୟମ୍ଭାବୀ। ରାଜନୈତିକ ଗଣିତ ଦୃଷ୍ଟିରୁ ବିରୋଧୀଙ୍କ ଶକ୍ତି ପ୍ରତିପକ୍ଷ ଶାସକ ଦଳ ବିରୋଧରେ ବେଶ୍‌ ଶକ୍ତିଶାଳୀ ମନେ ହେଉଥିଲେ ବି ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ଦଳ ଓ ନେତାଙ୍କ ମଧ୍ୟରେ ବିଶ୍ୱାସରେ ନିଅଣ୍ଟ ଏକତା ଦିଗରେ ବାଧକ।

କଂଗ୍ରେସ-ଜେଡି(ଏସ୍‌) ସରକାର ଗଠନ ଅବସରରେ ବିରୋଧୀ ନେତାଙ୍କ ସମାବେଶରେ ଅନୁପସ୍ଥିତଙ୍କ ଭିତରେ ପ୍ରମୁଖ ଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ସୁପ୍ରିମୋ ଚନ୍ଦ୍ରଶେଖର ରାଓ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସର୍ବମୟକର୍ତ୍ତା ନବୀନ ପଟ୍ଟନାୟକ। ଚନ୍ଦ୍ରଶେଖର ରାଓ ‘ଫେଡେରାଲ୍‌ ମେଣ୍ଟ’ ଗଠନର ଆଦ୍ୟ ଉଦ୍ୟୋକ୍ତା, ଅଥଚ ବିରୋଧୀ ନେତାଙ୍କ ଏତେ ବଡ଼ ସମାବେଶରେ ଯୋଗ ଦେବା ଉଚିତ ମଣିଲେ ନାହିଁ। କାରଣ, ରାଜ୍ୟର ରାଜନୈତିକ ବାଧ୍ୟବାଧକତା ଦୃଷ୍ଟିରୁ ସେ କଂଗ୍ରେସ ଗହଣରେ ଏକାଠି ଯାଇପାରିବେ ନାହିଁ। ସେହିପରି, ବିଜେଡି ମଧ୍ୟ ଓଡ଼ିଶାର ରାଜନୈତିକ ସମୀକରଣ ପରିପ୍ରେକ୍ଷୀରେ କଂଗ୍ରେସ ସହ ହାତ ମିଳାଇବା ସହଜ ନୁହେଁ। ୨୦୦୯ ପରେ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ବିଜେଡିର ନୀତି ରହି ଆସିଛି। ସମାବେଶରେ ଅନୁପସ୍ଥିତ ଏହି ଦୁଇ ଆଞ୍ଚଳିକ ଦଳର ରାଜନୈତିକ ବାଧ୍ୟବାଧକତା ଯାହା, ସମାବେଶରେ ଯୋଗ ଦେଇଥିବା ଅନେକ ଦଳର ମଧ୍ୟ ଅନୁରୂପ ବାଧ୍ୟବାଧକତା ରହିଛି, ଯାହା ଏକ ବୃହତ୍ତର ବିରୋଧୀ ମେଣ୍ଟ ପାଇଁ ଅନୁକୂଳ ମନେ ହେଉ ନାହିଁ। ସମାବେଶରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ। କିନ୍ତୁ ନିକଟ ଅତୀତ ପର୍ଯ୍ୟନ୍ତ ରାଜ୍ୟର ଦୁଇ ନମ୍ବର ରାଜନୈତିକ ଶକ୍ତି ସିପିଏମ୍‌ ଓ ଅନ୍ୟ ବାମପନ୍ଥୀଙ୍କ ସହ ବୁଝାମଣା ତୃଣମୂଳ ପକ୍ଷରେ ସହଜ ହେବ ନାହିଁ। ସେହିପରି ସମାବେଶରେ ଉଭୟ କଂଗ୍ରେସ ଓ ସିପିଏମ୍‌ ଯୋଗ ଦେଇଥିଲେ। କିନ୍ତୁ କେରଳରେ ପରସ୍ପରର ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌ ଏବଂ ସିପିଏମ୍‌ ନେତୃତ୍ୱାଧୀନ ବାମପନ୍ଥୀ ସାମ୍ମୁଖ୍ୟ (ଏଲଡିଏଫ୍‌) ପରସ୍ପର ସହ କ’ଣ ହାତମିଳାଇ ପାରିବେ? ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି ନିଶ୍ଚିତ ଭାବେ ବିଜେପି ବିରୋଧୀ। କିନ୍ତୁ କଂଗ୍ରେସ ସହ ‘ଆପ୍‌’ର କ’ଣ ମିତ୍ରତା ସମ୍ଭବ? ତେବେ ବିଡ଼ମ୍ବନା ହେଲା ସ୍ଥାନୀୟ ସ୍ତରରେ ପରସ୍ପର ରାଜନୈତିକ ଶତ୍ରୁତା ସତ୍ତ୍ୱେ ଜାତୀୟ ସ୍ତରରେ ମୁଖ୍ୟ ବିରୋଧୀ କଂଗ୍ରେସକୁ ବାଦ୍‌ ଦେଇ କ’ଣ ଏକ ବିଜେପି ବିରୋଧୀ ମେଣ୍ଟ ସମ୍ଭବ? ଏହି ସବୁ ପ୍ରଶ୍ନ ହିଁ ଜାତୀୟ ସ୍ତରରେ ଏକ ବିଜେପି ବିରୋଧୀ ମେଣ୍ଟର ସମ୍ଭାବନା ବାସ୍ତବ ରୂପ ନେବା ନେଇ ସନ୍ଦେହ ସୃଷ୍ଟି କରୁଛି।

ଅବଶ୍ୟ, ଊଣେଇଶ ପୂର୍ବରୁ କ୍ଷମତାସୀନ ବିଜେପି ବିପକ୍ଷରେ ବିରୋଧୀ ଏକତାର ସମ୍ଭାବନା ଉପରେ ସନ୍ଦେହର ଘନ ବାଦଲ ସତ୍ତ୍ୱେ ସ୍ୱୀକାର କରିବାକୁ ପଡ଼ିବ ଯେ ପ୍ରଥମେ ଉତ୍ତର ପ୍ରଦେଶର ଦୁଇଟି ଲୋକସଭା ଆସନରେ ବିଜେପି ବିରୋଧରେ ବିଜୟ ଏବଂ କର୍ଣ୍ଣାଟକରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାରେ ସଫଳତା ପରେ ଜାତୀୟ ସ୍ତରରେ ବିରୋଧୀ ରାଜନୀତି କଡ଼ ଲେଉଟାଇବା ଆରମ୍ଭ କରିଛି। ବିରୋଧୀ ଶିବିରରେ ଏକ ନୂଆ ଆଶା ଓ ଉତ୍ସାହ ଦେଖାଦେଇଛି। ଶେଷ ପର୍ଯ୍ୟନ୍ତ ବିରୋଧୀ ଏକତାର ରୂପରେଖ କ’ଣ ହେବ, ସେ ନେଇ ଆଜି ଦିନରେ କୌଣସି ସ୍ପଷ୍ଟ ଚିତ୍ର ଆଙ୍କିବା ସମ୍ଭବପର ନୁହେଁ। ତଥାପି ବିଜେପି, ବିଶେଷକରି ମୋଦୀ ରଥକୁ ଅଟକାଇବାର ବାଧ୍ୟବାଧକତା ସମସ୍ତ ବିରୋଧାଭାସ ଓ ଅନ୍ୟ ନ୍ୟସ୍ତ ସ୍ୱାର୍ଥ ସହ ସାଲିସ କରି ବିରୋଧୀଙ୍କୁ ଯେ ଏକଜୁଟ ହେବା ଲାଗି ବାଧ୍ୟ କରିବ, ଏ ସମ୍ଭାବନାକୁ ଏଡ଼ାଯାଇ ନପାରେ। ଆଗାମୀ ମେ’ ୨୮ ତାରିଖ ଦଶଟି ରାଜ୍ୟରେ ହେବାକୁ ଥିବା ୪ଟି ଲୋକସଭା ଓ ୧୦ଟି ବିଧାନସଭା ଆସନରେ ଉପନିର୍ବାଚନର ଫଳାଫଳରୁ ବିରୋଧୀ ଏକତା ନେଇ ଏ ପ୍ରୟାସ କେଉଁ ମୋଡ଼ ନେବ ତାହାର ସଂକେତ ମିଳିବ। ବିରୋଧୀ ଏକତା ପ୍ରସଙ୍ଗରେ ସନ୍ଦେହର ଘନ କଳା ମଧ୍ୟରେ ଗୋଟିଏ ଆଶାର କିରଣ ହେଲା, ରାଜନୀତିରେ କିଛି ସ୍ଥାୟୀ ନୁହେଁ, ନା ଶତ୍ରୁ, ନା ମିତ୍ର। ଯଦି କିଛି ସ୍ଥାୟୀ ତାହା ହେଲା ସ୍ୱାର୍ଥ। ଏବଂ ଏଠାରେ ପ୍ରତିଟି ବିରୋଧୀ ଦଳର ଗୋଟିଏ ସ୍ୱାର୍ଥ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା।

ବିରୋଧୀ ଏକତା ପାଇଁ ଆରମ୍ଭ ହୋଇଥିବା ପ୍ରୟାସ କେତେ ଦୂର ସଫଳ ହେବ, ତାହା ଅସ୍ପଷ୍ଟ ଥିଲେ ସୁଦ୍ଧା ଗୋଟିଏ ବିଷୟ ଜଳଜଳ ଯେ, ବିଜେପି ପାଇଁ ୨୦୧୪ ତୁଳନାରେ ୨୦୧୯ ବହୁଗୁଣ ଅଧକ ଆହ୍ଵାନଭରା ହେବ। ୨୦୧୪ ପରେ ସ୍ପଷ୍ଟ ଜନାଦେଶ ସହ ହେଉ ଅବା ସଂଖ୍ୟା ନିଅଣ୍ଟ ଥାଇ ବି ‘ଯୋଡ଼-ତୋଡ଼’ର ରାଜନୀତି ବଳରେ ବିଜେପି ବହୁ ରାଜ୍ୟରେ ସରକାର କରି ନିଜର କାୟା ସଂପ୍ରସାରିତ କରିଛି ସତ, କିନ୍ତୁ କେବଳ ଗୋଟିଏ ଲୋକସଭା ଆସନକୁ ଛାଡ଼ି ଦେଲେ ଅନ୍ୟ କୌଣସି ଲୋକସଭା ଉପ-ନିର୍ବାଚନରେ ବିଜୟୀ ହୋଇ ନପାରିବା ଦଳର ଅଡୁଆ ବଢୁଥିବାର ଆଗୁଆ ସଂକେତ। ଲୋକସଭାରେ ଦଳର ସଂଖ୍ୟା ୨୮୨ ରୁ ୨୭୨କୁ ଖସି ଆସିଛି। ବିରୋଧୀ ଏକତା ଆଗରେ ବିଜେପି କେତେ ଦୁର୍ବଳ, ମୋଦୀ ଯାଦୁ କେମିତି ଚମକ ହରାଏ ତାହା ବିହାରରେ ମହାମେଣ୍ଟର ବିଜୟ ଓ ଗୋରଖପୁର, ଫୁଲପୁରରେ ବିଜେପିର ପରାଜୟରୁ ପ୍ରମାଣିତ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.